Unknown

 

 

 

 

 

 

 

 

 

ନାଟ୍ୟକାର ରାମଚନ୍ଦ୍ର ମିଶ୍ର

ଡକ୍ଟର ଅଜୟ କୁମାର ମିଶ୍ର

 

ପ୍ରାଗ୍‍ଭାଷ

 

ଓଡ଼ିଶାର ନାଟ୍ୟ ଜଗତରେ ରାମଚନ୍ଦ୍ର ମିଶ୍ର (୧୯୨୦ରୁ ୧୯୯୨) ଜଣେ ଏକନିଷ୍ଠ ସାଧକ ଭାବରେ ସାରାଜୀବନ ନାଟକରଚନା, ନିର୍ଦ୍ଦେଶନା, ଚର୍ଚ୍ଚା, ଆଲୋଚନା ପ୍ରଭୃତିରେ ମନୋନିବେଶ କରି, ଓଡ଼ିଆ ନାଟ୍ୟଧାରାକୁ ବିଭିନ୍ନ ଦିଗରୁ ସଂବୃଦ୍ଧି କରି ଯାଇଛନ୍ତି । ଓଡ଼ିଶାର ନାଟ୍ୟଚେତନାକୁ ସେ ସମଦର୍ଶକ ସମାଜ ନିକଟରେ ଅତି କୌଶଳର ସହିତ ଉପସ୍ଥାପନ କରି, ଯଥେଷ୍ଟ ଲୋକପ୍ରିୟତା ଅର୍ଜନ କରିଛନ୍ତି । ତାଙ୍କ ସାଧନାର ସ୍ୱାକ୍ଷର ବହନ କରି ଓଡ଼ିଆ ନାଟକ ଆଧୁନିକ ଯୁଗରେ ପଦାର୍ପଣ କରିଛି । ଆମର ପାରମ୍ପରିକ ମୂଲ୍ୟବୋଧ, ତ୍ୟାଗ-ଆଦର୍ଶ ପ୍ରଖ୍ୟାପନର ମହାନ ଉଦ୍ଦେଶ୍ୟ, ଗାନ୍ଧୀବାଦୀ ଚେତନାର ପ୍ରସାରଣ ଘଟାଇବା ଦିଗରେ, ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ନାଟକ ସଦା ତତ୍ପର । ସେ ଓଡ଼ିଶାର ନାଟ୍ୟପ୍ରେମୀମାନଙ୍କ ମନୋଭୂମିକୁ ଠିକ୍‌ଭାବରେ ଚିହ୍ନିଥିଲେ ଏବଂ ନାଟକ ମାଧ୍ୟମରେ ସେମାନଙ୍କ ମନୋରଂଜନ କରାଇବା ସହିତ, ସେମାନଙ୍କୁ ନୈତିକ ମୂଲ୍ୟବୋଧ, ତ୍ୟାଗ, ଆଦର୍ଶ ପ୍ରତି ଅବହିତ କରାଇଥିଲେ । ବିଶେଷତଃ ମନୋରଂଜନ ସହିତ ଲୋକଶିକ୍ଷା ଥିଲା ତାଙ୍କ ନାଟକର ଦୁଇଟି ମୁଖ୍ୟ ବିଭବ, ଯାହା ତାଙ୍କର ପ୍ରତିଟି ନାଟକରେ ଛନ୍ଦାଛନ୍ଦି ହୋଇ ରହିଥ‌ିବା ଲକ୍ଷ୍ୟ କରାଯାଏ । ପୁଣି ତାଙ୍କ ଜୀବନଧାରାରୁ ଜଣାଯାଏ ଯେ, ସେ ଥିଲେ ପ୍ରଚଣ୍ଡ ସ୍ଵାଭିମାନୀ । ସାଧାରଣ କଥାରେ ଚାକିରି ଛାଡ଼ି, ସ୍ଵାଧୀନଜୀବନ ନିର୍ବାହ କରିଥିବା ରାମଚନ୍ଦ୍ର ଥିଲେ ନୀତି-ଆଦର୍ଶ ଓ ମୂଲ୍ୟବୋଧର ପୂଜକ । ତାଙ୍କ ବ୍ୟକ୍ତିଗତ ଜୀବନର ଯାବତୀୟ ଘନଘଟା ମଧ୍ୟରେ ବି, ଜୀବନର ଶେଷକାଳ ଯାଏ ସେ ନାଟକ ରଚନା ଅବ୍ୟାହତ ରଖିଥିଲେ । ଓଡ଼ିଶାର ପ୍ରାୟ ପ୍ରତି ନାଟ୍ୟଶାଳାରେ ଉପସ୍ଥିତ ହେଉଥିଲେ ।

 

ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ବିରଳ ପ୍ରତିଭା ସଂପର୍କରେ ମନୋଗ୍ରାଫ୍‍ଟିଏ ପ୍ରସ୍ତୁତ କରିବା ନିମିତ୍ତ ଓଡ଼ିଶା ସାହିତ୍ୟ ଏକାଡେମୀ ଅନେକ ଦିନରୁ ଚେଷ୍ଟା କରିଆସିଛି । ଏ ସଂପର୍କରେ ମଧ୍ୟ ଓଡ଼ିଶାର ଅନେକ ବିଦ୍ଵାନଙ୍କୁ ଅନୁରୋଧ କରିଆସିଛି । ମାତ୍ର କୌଣସି କାରଣରୁ ସଂପୃକ୍ତ କାର୍ଯ୍ୟଟି ସଂପାଦିତ ହୋଇ ପାରି ନ ଥିଲା । ଚଳନ୍ତି ସମୟରେ ଓଡ଼ିଶାର ଜଣେ ବିଦଗ୍ଧ ନିବନ୍ଧକାର, ଗବେଷକ, ସମାଲୋଚକ ତଥା କଥାକାର ଡକ୍ଟର ଅଜୟ କୁମାର ମିଶ୍ରଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ସଂକ୍ଷିପ୍ତ ଜୀବନାଲେଖ୍ୟଟିଏ ପ୍ରସ୍ତୁତ କରିବାକୁ ଅନୁରୋଧ କରିଥିଲା । ଆନନ୍ଦର ବିଷୟ, ଡକ୍ଟର ମିଶ୍ର ବହୁ ଶ୍ରମ ସ୍ୱୀକାର କରି, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ଜୀବନାଲେଖ୍ୟ ଓ ନାଟ୍ୟକୃତି ଉପରେ ଉପଯୁକ୍ତଭାବରେ ଆଲୋକପାତ କରି, ଏକାଡେମୀର ଶୁଦ୍ଧ ପ୍ରୟାସକୁ ସାକାର କରିଛନ୍ତି । ତାଙ୍କ ଶ୍ରମସାଧନାକୁ ସଶ୍ରଦ୍ଧ ସ୍ୱୀକୃତି ଜଣାଉଛୁ ।

 

ସଂପୃକ୍ତ ଜୀବନାଲେଖଟି ପାଠକମାନଙ୍କୁ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ସଂପର୍କରେ ଅଧିକ ଜାଣିବା ନିମିତ୍ତ ଜିଜ୍ଞାସା ସୃଷ୍ଟି କରିପାରିଲେ ଏକାଡେମୀର ଉଦ୍ଦେଶ୍ୟ ସିଦ୍ଧ ହେବ ତଥା ଗ୍ରନ୍ଥକାରଙ୍କ ଶ୍ରମ ସାର୍ଥକ ହେବ ।

 

ଶ୍ରୀପଞ୍ଚମୀ-୨୦୦୫

ଚନ୍ଦ୍ରଶେଖର ଦାସବର୍ମା

ସଂପାଦକ

ଓଡ଼ିଶା ସାହିତ୍ୟ ଏକାଡେମୀ

 

***

 

ମୁଖଶାଳା

 

ଓଡ଼ିଆ ଜାତି କଳାପ୍ରିୟ । ଏହାର ନାଟ୍ୟକଳା ପରମ୍ପରାପୁଷ୍ଟ । ଖଣ୍ଡଗିରିର ଶିଳାଗୃହ ଅଥବା କୋଣାର୍କର ସ୍ଥାପତ୍ୟ - କେଉଁଠି ନା କେଉଁଠି, ପ୍ରସ୍ତର ଗାତ୍ରରେ ଖୋଦିତ, ଅଭିନୟପଟୁ, ନର୍ତ୍ତନଶୀଳ ଓଡ଼ିଆର ନୃତ୍ୟ-ନିପୁଣ ନଟ ଜୀବନର ପରିପ୍ରକାଶ । ତାହା ଜୀବନର ପ୍ରେରଣା, ଜୀବନରେ ଭରିଦିଏ ନବ ସର୍ଜନଶୀଳତାର ନୂତନ ପରିଭାଷା । ଓଡ଼ିଆ ନାଟ୍ୟ ପରମ୍ପରାରେ ଜଣେ ମର୍ତ୍ତ୍ୟ-ଗନ୍ଧର୍ବ ଥିଲେ, ଆଧୁନିକ ଓଡ଼ିଆ ନାଟ୍ୟପର୍ବର ଅଦ୍ଭୁତ ବିନ୍ଧାଣି, ବିଚିତ୍ର ବିଶ୍ୱକର୍ମା ରାମଚନ୍ଦ୍ର ମିଶ୍ର ।

 

ପ୍ରତିଟି ଓଡି଼ଆ ଭିତରେ ଜୀବନ୍ତ ଥାଏ; ଛଳ ଛଳ କୈଶୋରର ସେଇ ନାଟ୍ୟପ୍ରିୟତା । ଗାଁରୁ ଯାତ୍ରାଦଳ ଫେରିଗଲା ପରେ, ବାଉଁଶବୁଦା କି ଆମ୍ବତୋଟା ଛାଇରେ ନଡ଼ିଆ ଚାଞ୍ଚ ପକାଇ ଚାଲେ ଆମର ଅଭିନୟ, ତାଳବାହୁଙ୍ଗା ବା ବାଉଁଶ ବତାର ଖଣ୍ଡା ଧରି ଆରମ୍ଭ ହୁଏ ଆମର ସମରପର୍ବ । ଏଇ ଅଣଆନୁଷ୍ଠାନିକ ଅଭିନେତାଗିରି, ଆନୁଷ୍ଠାନିକ ସିଦ୍ଧି ପାଇଲାବେଳକୁ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ‘ନରୋତ୍ତମ ଦାସ କହେ’ ନାଟକରେ ‘ନରୋତ୍ତମ’ ଭୂମିକାରେ କେତେ ତାଳି ପାଇଚି । ଇଚ୍ଛା ଥିଲା ଏଇ ‘ନରୋତ୍ତମ’ଙ୍କୁ ତିଆରିଥିବା ରାମଚନ୍ଦ୍ରଙ୍କୁ ଭେଟି ପାରନ୍ତିକି, ଧନ୍ୟ ହୋଇଯାଆନ୍ତି । ଧନ୍ୟ ହେଲି, ଭୁବନେଶ୍ଵର ସୂଚନା ଭବନରେ ଅନୁଷ୍ଠିତ ‘ନାଟ୍ୟଚକ୍ର’ର ଉତ୍ସବରେ ତାଙ୍କୁ ଭେଟି ମୁଣ୍ଡିଆ ମାରି ତାଙ୍କ ଆଶୀର୍ବାଦ ନେଲାବେଳେ । ଆଗରୁ ତାଙ୍କ ନାଟକରେ ତ ଅଭିନୟ କରିଥିଲି, କିନ୍ତୁ ଏବେ ତାଙ୍କୁ ଦେଖିବାର, ଭେଟିବାର ସ୍ଵପ୍ନ ସାକାର ହେଇଗଲା । ସବୁଠାରୁ ସ୍ମରଣୀୟ ହେଲା, ଉତ୍ସବ ଶେଷରେ, ସେଦିନ ତାଙ୍କ ସହିତ କଟକ ବାହୁଡ଼ିବାବେଳେ, ନାଟକ ସଂପର୍କରେ କେତେ କଥା, କେତେ ବକ୍ତବ୍ୟ - ସେତେବେଳକୁ ମୁଁ ଅଧ୍ୟାପନା ବୃତ୍ତିରେ, ତାଙ୍କ ନାଟକ ପଢ଼ିଥିଲି, କେତୋଟିରେ ଅଭିନୟ କରିଥିଲି, କେତୋଟିରେ ନିର୍ଦ୍ଦେଶନା ମଧ୍ୟ ଦେଇଥିଲି ।

 

ମୋର ପ୍ରିୟ ନାଟ୍ୟକାର ରାମଚନ୍ଦ୍ରଙ୍କ ଉପରେ ଏକ ଜୀବନାଲେଖ୍ୟ ପ୍ରସ୍ତୁତି ପାଇଁ, ଓଡ଼ିଶା ସାହିତ୍ୟ ଏକାଡେମୀ ଯେତେବେଳେ ଅନୁରୋଧ କଲେ, ଏହାକୁ ଏକ ସୌଭାଗ୍ୟ ମଣିଲି ।

 

***

 

(ଘ)

 

କାମ ଆରମ୍ଭ କଲି, ନାଟ୍ୟକାରଙ୍କୁ ବିଚାର କରିବାବେଳେ, ମୋ ଆଗରେ ସେ ଯେମିତି ଆପେ ଉଭା ହେଲାଭଳି ଲାଗଛି, ତାଙ୍କୁ ମନଶ୍ଚକ୍ଷୁରେ ଦେଖି ଭୟ ପାଇଯାଏ - ନାଟକ ରଚନା କରିଥିବା ଓ ନାଟକ ସଂପର୍କରେ ଆଲୋଚନା ଲେଖିଥିବା ରାମଚନ୍ଦ୍ରଙ୍କୁ ବିଚାର କରିବି କେମିତି ? ମାତ୍ର ତାଙ୍କ ଦୃଢ଼ ବ୍ୟକ୍ତିତ୍ଵର ନିର୍ଭୀକତାରେ ପ୍ରଚୋଦିତ ହୋଇ କାମରେ ହାତ ଦେଲି । ତାଙ୍କର ସୁଯୋଗ୍ୟ ପୁତ୍ର, ରେଭେନ୍ସା କଲେଜର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରବୀଣ ଅଧ୍ୟାପକ ଓ ଗବେଷକ ଡକ୍ଟର ଗିରୀଶ ଚନ୍ଦ୍ର ମିଶ୍ର, ଏଇ କାମରେ ଅକୁଣ୍ଠ ସାହାଯ୍ୟ କଲେ, ତାଙ୍କ ସହଯୋଗ ଅନୁପ୍ରେରିତ କଲା ମୋତେ । ସ୍ମରଣିକା, ପୁସ୍ତକାଦି ଶ୍ରଦ୍ଧାର ସହିତ ଯୋଗାଇଦେଇ ମୋତେ ଅନୁଗୃହୀତ କରିଛନ୍ତି । ତାଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ଓଡ଼ିଆ ଭାଷା-ସାହିତ୍ୟର ପ୍ରଖ୍ୟାତ ଗବେଷକ, କଥାକାର, ନାଟ୍ୟକାର ଓ ସାହିତ୍ୟ ସଂଗଠକ, ସଂକଳକ ଓ ସଂପାଦକ ମୋର ଗୁରୁ ଡକ୍ଟର ରତ୍ନାକର ଚଇନି, ନାଟ୍ୟଚକ୍ର ଅନୁଷ୍ଠାନ ମାଧ୍ୟମରେ, ରାମଚନ୍ଦ୍ରଙ୍କ ସହିତ ମୋତେ ପରିଚିତ କରାଇଥିଲେ ଏବଂ ତାଙ୍କ ନାଟ୍ୟ ବୃର୍ତ୍ତିର ଚର୍ଚ୍ଚା କରିବା ନିମିତ୍ତ ମଧ୍ୟ ମୋତେ ଉତ୍ସାହିତ କରିଥିଲେ । ତାଙ୍କୁ କୃତଜ୍ଞତା ଜଣାଉଛି ।

 

ପୂର୍ବରୁ କେତେକ ନାଟ୍ୟ ସମାଲୋଚକଙ୍କ କୃତିରେ ନାଟ୍ୟକାର ରାମଚନ୍ଦ୍ର ଆଲୋଚିତ, କେତେଜଣ ବିଦ୍ୱାନ୍ ମଧ୍ୟ ତାଙ୍କ କୃତିର ଗବେଷଣା କରିସାରିଛନ୍ତି । ଆଲୋଚକ ଓ ଗବେଷକ ଡକ୍ଟର ନାରାୟଣ ସାହୁଙ୍କ ସଂପାଦନାରେ ‘ନାଟ୍ୟକାର ରାମଚନ୍ଦ୍ର ସୃଷ୍ଟିବଳୟ' (୧୯୯୩) ଏବଂ ଗବେଷକ ବ୍ରଜଗୋପାଳ ମହାନ୍ତିଙ୍କ ଗବେଷଣା ସନ୍ଦର୍ଭ ‘ରାମଚନ୍ଦ୍ର ସୃଷ୍ଟିମାନସ’ (୧୯୯୩) ପୁସ୍ତକ ଦୁଇଟି ପ୍ରକାଶ ପାଇ, ରାମଚନ୍ଦ୍ରଙ୍କ ନାଟ୍ୟଚେତନାରୁ, ନାଟ୍ୟାମୋଦୀମାନଙ୍କ ନିକଟରେ ଉପଯୁକ୍ତ ଭାବରେ ଉପସ୍ଥାପନ କରିଛି । ଏହା ସହିତ, ରାମଚନ୍ଦ୍ରଙ୍କ ନାଟ୍ୟ ସଂଭାରକୁ ଭିଭିକରି ଅନ୍ୟ କେତେଜଣ ଗବେଷଣା କାର୍ଯ୍ୟ କରିଛନ୍ତି, ଯାହା ପୁସ୍ତକ ଆକାରରେ ପ୍ରକାଶ ପାଇପାରିନାହିଁ । ସଂପୃକ୍ତ ଆଲୋଚନା ପୁସ୍ତକଟି ପ୍ରସ୍ତୁତ କରିବା କାଳରେ, ଏସବୁର ସହାୟତା ନିଆଯାଇଛି । ପ୍ରସ୍ତୁତ ଗ୍ରନ୍ଥକାର, ଗବେଷକ, ଆଲୋଚକ ଓ ସଂକଳକମାନଙ୍କୁ ଏଇ ଅବସରରେ କୃତଜ୍ଞତା ଜ୍ଞାପନ କରୁଅଛି ।

 

ରାମଚନ୍ଦ୍ର ଜଣେ ନାଟ୍ୟକାର ଭାବରେ ଅସାଧାରଣ ସିଦ୍ଧିର ଅଧିକାରୀ । ମାତ୍ର ନାଟ୍ୟ ଆଲୋଚନା କ୍ଷେତ୍ରରେ ତାଙ୍କର ଅନ୍ୟତମ କୃତି ‘ଲୋକନାଟକ’ ଭିନ୍ନ ଦିଶାର ପରିଚୟ ନିଶ୍ଚୟ । ପୁନଶ୍ଚ ତାଙ୍କ ରଚିତ ଦୁଇଟି ଉପନ୍ୟାସ ‘ବିବାହିତା’ ଏବଂ ‘ସେଇ ଲକ୍ଷ୍ମୀପୁର’ ପ୍ରତି କୌଣସି ଆଲୋଚକ ଦୃଷ୍ଟିଦେଇ ନ ଥିବା ଦୁଃଖଦାୟକ । ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ନାଟକ ଗବେଷଣା ଓ ମୂଲ୍ୟାୟନ କ୍ଷେତ୍ରରେ ତାଙ୍କ ରଚିତ ଉପନ୍ୟାସ ଦୁଇଟିର ଚର୍ଚ୍ଚାର ପ୍ରାସଙ୍ଗିକତା ଅନୁଭବ କରିଛି ଏବଂ ଏ ସଂପକୀୟ କଂଚିତ ଆଲୋଚନା ମଧ୍ୟ ସଂପୃକ୍ତ ପୁସ୍ତକଟିରେ ସ୍ଥାନିତ ହୋଇଛି । ‘ଲୋକନାଟକ’ ସଂପର୍କରେ ରାମଚନ୍ଦ୍ରଙ୍କ ମହାର୍ଘ ଚିନ୍ତନକୁ ମଧ୍ୟ ଏଇ ପୁସ୍ତକର ସଂକ୍ଷିପ୍ତ କଳେବର ମଧ୍ୟରେ ସ୍ଥାନ ଦିଆଯିବା ଅଧିକ ପ୍ରାସଙ୍ଗିକ ମନେହେବାରୁ ସେ ସଂପର୍କରେ ମଧ୍ୟ ସଂକ୍ଷିପ୍ତ ଆଲୋଚନା କରାଯାଇଛି ।

 

(ଙ)

 

ମୋ ଛାତିର ନାଟ୍ୟକଳାକୁ, ସଂବୃଦ୍ଧ କରାଇବାରେ ଯେଉଁ ବରେଣ୍ୟ ନାଟ୍ୟକାର ରାମଚନ୍ଦ୍ର ମିଶ୍ର ତାଙ୍କର ସମଗ୍ର ଜୀବନକୁ ଉତ୍ସର୍ଗ କରିଗଲେ, ତାଙ୍କ ପ୍ରତିଭା ବିଚାର ନିମିତ୍ତ ପ୍ରସ୍ତୁତ ପୁସ୍ତକର କ୍ଷୁଦ୍ର କଳେବର ଆଦୌ ପ୍ରତୁଳ ନୁହେଁ । ତାଙ୍କ ବିସ୍ମୟକର ପ୍ରତିଭା ଓ ବିପୁଳ ଜୀବନଧାରାର ସାଧାରଣ ବିଚାର ସଂପୃକ୍ତ ପୁସ୍ତକରେ ସାଧାରଣ ଭାବରେ ଦର୍ଶାଇବାର କ୍ଷୁଦ୍ର ଉଦ୍ୟମଟିଏ ରହିଛି ମାତ୍ର । ମୋର ପ୍ରିୟ ଓ ସମ୍ମାନନୀୟ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ସଂପର୍କରେ, ଏପରି ଏକ ପୁସ୍ତକ ରଚନା କରିବାପାଇଁ ମୋତେ ସୁଯୋଗ ଦେଇଥିବାରୁ, ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ମାନନୀୟ ସଂପାଦକ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଦାସବର୍ମାଙ୍କ ନିକଟରେ ମୁଁ କୃତଜ୍ଞ । ଏକାଡେମୀର ପ୍ରକାଶନ ଅଧିକାରୀ ବନ୍ଧୁ ରବି ରାୟ - ସେ ତ ଏକ ପ୍ରକାର ପ୍ରେରଣାର ଉତ୍ସ-ତାଙ୍କୁ ଏଇ ଅବସରରେ କୃତଜ୍ଞତା ।

 

ଏଇ ଜୀବନାଲେଖ୍ୟ ପ୍ରସ୍ତୁତ କରିବା ବେଳେ ଅନେକ ପତ୍ର-ପତ୍ରିକା, ଗବେଷଣା ପୁସ୍ତକ ଇତ୍ୟାଦିର ସହାୟତା ନେଇଛି । ସେଇ ପତ୍ର ପତ୍ରିକା ଓ ଗ୍ରନ୍ଥଗୁଡ଼ିକରେ ରାମଚନ୍ଦ୍ର ଓ ତାଙ୍କ ନାଟକକୁ, ଯେଉଁମାନେ ଚର୍ଚ୍ଚା କରିଛନ୍ତି, ସେମାନଙ୍କ ବିଚାରଧାରାକୁ ସମ୍ମାନ ଜଣାଇ, ସେମାନଙ୍କ ରଣ, ମୁକ୍ତକଂଠରେ ସ୍ଵୀକାର କରୁଛି । ଏଇ ଅବସରରେ ପ୍ରସ୍ତୁତ ପୁସ୍ତକଟିକୁ ଆଲୋକକୁ ଆଣୁଥିବା ଓଡ଼ିଶା ସାହିତ୍ୟ ଏକାଡେମୀର କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଉଛି ।

 

ପୁସ୍ତକଟି ନାଟ୍ୟାମୋଦୀ, ରସଗ୍ରାହୀ ରାମଚନ୍ଦ୍ରପ୍ରେମୀମାନଙ୍କ ନିକଟରେ କିଂଚିତ କାର୍ଯ୍ୟରେ ଆସିଲେ, ଶ୍ରମ ସାର୍ଥକ ହେବ ବୋଲି ମନେ କରିବି ।

 

 

 

ଶ୍ରୀପଞ୍ଚମୀ-୨୦୦୫

ଅଜୟ ମିଶ୍ର

ମିଶ୍ର ଘର

ମଧୁପାଟଣା, କଟକ-୧୦

 

***

 

ପ୍ରସଙ୍ଗ ପ୍ରକରଣ

 

।। ଏକ ।। ଉପସ୍ଥାପନା

 

(କ)

ରାମଚନ୍ଦ୍ରଙ୍କ ସମକାଳ, ସାମାଜିକ, ରାକନୀତିକ ଓ ସାଂସ୍କୃତିକ ପ୍ରେକ୍ଷାପଟ

 

୧.

ଓଡ଼ିଶାରେ ନବ ଜାଗରଣର ପ୍ରତିକ୍ରିୟା

 

ଓଡ଼ିଶାର ଆର୍ଥନୀତିକ ଅବସ୍ଥା

 

ସାମାଜିକ ଅବସ୍ଥା

 

୪.

ନବଚେତନା ଓ ନବଭାବତରଙ୍ଗ

 

(ଖ)

ରାମଚନ୍ଦ୍ରଙ୍କ ପୂର୍ବବର୍ତ୍ତୀ ଓଡ଼ିଆ ନାଟ୍ୟଧାରା

 

 

 

।। ଦୁଇ ।। ନାଟ୍ୟକାର ରାମଚନ୍ଦ୍ର ; ସଂକ୍ଷିପ୍ତ ଜୀବନାଲେଖ୍ୟ

 

କ.

କୁଆଁରବ

 

.ସଂଘର୍ଷରୁ ସୃଷ୍ଟି

 

ଗ.

ନାଟ୍ୟ ରଚନା

 

ଘ.

ବୃତ୍ତି ରଚନା

 

ଙ.

ରାଜନୀତିକ ଜୀବନ

 

 

 

।। ତିନି ।। ରାମଚନ୍ଦ୍ରଙ୍କ ସୃଷ୍ଟି ସାମ୍ରାଜ୍ୟ ; ଏକ ପରିଚୟ

 

କ.

ସମାଲୋଚକ ରାମଚନ୍ଦ୍ର

 

ଖ.

ରାମଚନ୍ଦ୍ରଙ୍କ ଉପନ୍ୟାସ

 

ଗ.

ରାମଚନ୍ଦ୍ରଙ୍କ ନାଟ୍ୟବଳୟ : ଏକ ସାଧାରଣ ପରିଚୟ

 

ଘ.

ରାମଚନ୍ଦ୍ରଙ୍କ ଛୋଟ ନାଟକ

।। ଚାରି ।। ରାମଚନ୍ଦ୍ରଙ୍କ ନାଟ୍ୟ ପ୍ରତିଭା : ଦୃଷ୍ଟି ଓ ଦିଗନ୍ତ

 

(କ)

ଦୃଷ୍ଟି ଓ ଦର୍ଶନ

 

୧.

ପଲ୍ଲୀ ଜୀବନାଲେଖ୍ୟ

 

୨.

ଗାନ୍ଧୀ ଚେତନାର ମୁକ୍ତ ଇସ୍ତାହାର

 

୩.

ସାମାଜିକ ଅଙ୍ଗୀକାର

 

୪.

ରାଜନୀତିକ ଦୃଷ୍ଟିଭଂଗୀ

 

୫.

ସାଂସ୍କୃତିକ ଜୀବନର ଶୁଦ୍ଧ ସେବକତ୍ଵ

 

(ଖ)

ରାମଚନ୍ଦ୍ରଙ୍କ ନାଟ୍ୟକଳାର ଶିଳ୍ପ ପ୍ରବିଧି

 

୧.

କାହାଣୀ କଳା

 

୨.

ଚରିତ୍ର ସୃଜନ ଓ ଚିତ୍ରଣ

 

୩.

ସଂଳାପ ପ୍ରୟୋଗରେ ସଫଳତା

 

୪.

ସଂଗୀତ ଓ ପ୍ରୟୋଗ ରୀତି

 

୫.

ନାଟକୀୟ ଦ୍ୱନ୍ଦ୍ୱ ଓ ସଂଘର୍ଷ

 

୬.

ନାଟ୍ୟୋତ୍କଣ୍ଠା ସୃଜନ

 

୭.

ପରିବେଷଣ ପ୍ରକାର୍ଯ୍ୟ

 

 

 

।। ପାଞ୍ଚ ।। ଓଡ଼ିଆ ନାଟ୍ୟଜଗତ ଓ ନାଟ୍ୟକାର ରାମଚନ୍ଦ୍ର ମିଶ୍ର ; ଉପସଂହାର

 

ପରିଶିଷ୍ଠ :

 

କ.

ନାଟ୍ୟକାର ରାମଚନ୍ଦ୍ର : ସଂକ୍ଷିପ୍ତ ଜୀବନ ପଞ୍ଜି

 

ଖ.

ସାରସ୍ଵତ ସାଧନା ପଞ୍ଜି

 

ଗ.

କିୟଦଂଶ

 

ଘ.

ନାଟ୍ୟକାର ରାମଚନ୍ଦ୍ରଙ୍କ ଫଟୋଚିତ୍ର

 

***

 

।। ଏକ ।।

ଉପସ୍ଥାପନା

 

ଓଡ଼ିଶାର ନାଟ୍ୟକଳା ଓ ଓଡ଼ିଆ ନାଟ୍ୟଶାଳା – ଉଭୟର ପରମ୍ପରା, ଅନେକ ନାଟ୍ୟକର୍ମୀଙ୍କ ଦ୍ଵାରା ଭିନ୍ନ ଭିନ୍ନ ରୂପରେ ସମୃଦ୍ଧ । କେଉଁ ସୁଦୂର ଅତୀତରୁ ଏଇ ପରମ୍ପରା ପ୍ରତି ନାଟ୍ୟକାର,ଅଭିନେତା, ନାଟ୍ୟ ନିର୍ଦ୍ଦେଶକ ଏବଂ ନାଟ୍ୟଶିଳ୍ପୀମାନଙ୍କର ଅସାଧାରଣ ଅବଦାନ ରହିଆସିଛି । ଆଦିପର୍ବର ଓଡ଼ିଆ ନାଟ୍ୟଧାରା, ଦର୍ଶନୀୟ ରୁଚିବୋଧ ଓ ସାମାଜିକ ତଥା ସାଂସ୍କୃତିକ ପରିବର୍ତ୍ତନ ପ୍ରତି ସତର୍କତା ଅବଲମ୍ବନ କରି, କ୍ରମେ ମଧ୍ୟ ପର୍ବରେ ପଦାର୍ପଣ କଲା । ସମାଜ-ସଂସ୍କୃତି ଓ ସମୟର ପ୍ରାଣ ସ୍ପନ୍ଦନକୁ ଅବଧାରଣ କରିଥିବା ସାହିତ୍ୟର ପ୍ରତ୍ୟେକ୍ଷ ପ୍ରୟୋଗାତ୍ମକ କଳା ହିଁ ନାଟକ, ଯେଉଁ ସାରସ୍ଵତ କଳାର ପ୍ରକୃତରେ ପରୀକ୍ଷାଗାର ନାଟ୍ୟଶିଳ୍ପୀ ଭାବରେ, ନାଟ୍ୟକାର ରାମଚନ୍ଦ୍ର ମିଶ୍ର ଥିଲେ ଜଣେ ସ୍ଵତନ୍ତ୍ର ସ୍ରଷ୍ଟା । ସେ ଥିଲେ ଆର୍ଯ୍ୟଭୂମି ଭାରତୀୟ ଚିନ୍ତା-ଚେତନାର ଜଣେ ମନ୍ତ୍ରିତ ନାଟ୍ୟଶିଳ୍ପୀ ।

 

୧୯୪୨- ୧୯୯୨ ସୁଦୀର୍ଘ ଅର୍ଦ୍ଧଶତକ ଅବଧି ପ୍ରଲମ୍ବିତ କାଳ ଥିଲା, ରାମଚନ୍ଦ୍ରଙ୍କର ନାଟ୍ୟ ଜୀବନ । ନାଟ୍ୟ ସାହିତ୍ୟର ଅର୍ଦ୍ଧଶତକର ସାଧନାକୁ ବ୍ୟୟ କରିଥିବା ରାମଚନ୍ଦ୍ରଙ୍କ ଭଳି ଶିଳ୍ପୀଙ୍କ ସାଧନା କ୍ଵଚିତ ପରିଲକ୍ଷିତ ହୁଏ । ବ୍ୟକ୍ତି-ପରିବାର-ସମାଜ ଏତାଦୃଶ୍ୟ ତିନିଗୋଟି ଅନ୍ତରୀଣ ପ୍ରମୁଖ ଏକକରେ ପ୍ରବୃଦ୍ଧ ଥିଲା ତାଙ୍କର ନାଟ୍ୟ ମାନସ । ଭାରତୀୟ ଐତିହ୍ୟ ଓ ପରମ୍ପରାର ବିମୁଗ୍ଧ ପୂଜକ ରାମଚନ୍ଦ୍ରର ନାଟ୍ୟଚେତନା, ଆଦର୍ଶବୋଧ ଓ ସାମାଜିକ ବାସ୍ତବତା ପ୍ରତିଉନ୍ମୁଖତା ପ୍ରକାଶ କରିଥିଲା । ନାଟ୍ୟ ଚେତନା ଭିତରେ, ନାଟ୍ୟକାର ରାମଚନ୍ଦ୍ର ତାଙ୍କର ସାମାଜିକ ଦାୟିତ୍ଵ ସଂପାଦନ କରାଯାଇଥିବା ଲକ୍ଷ୍ୟ କରାଯାଏ ।

 

ରାମଚନ୍ଦ୍ର, କେବଳ ଜନ-ମନୋରଂଜନ ନିମିତ୍ତ ନାଟକ ସୃଷ୍ଟି କରିନଥିଲେ, ଅପରନ୍ତୁ ମନୋରଞ୍ଜନ ମାଧ୍ୟମରେ ଏକ ଆଦର୍ଶବାଦୀ ନାଟ୍ୟକାର, ଗୋଟିଏ ସୁସ୍ଥ ସମାଜ ଗଠନର ସ୍ଵପ୍ନ ଦେଖିଥିଲେ । ଏଇ ସ୍ଵପ୍ନକୁ ସାକାର କରିବା ନିମିତ୍ତ ସେ ବ୍ୟକ୍ତି ଜୀବନ ଓ ସମାଜ ଜୀବନ ଆଡ଼କୁ ସତର୍କ ଦୃଷ୍ଟି ନିପେକ୍ଷ କରିୁଛନ୍ତି । ବ୍ୟକ୍ତିଗତ ଓ ସାମାଜିକ ଦୋଷ ଦୁର୍ବଳତାଗୁଡ଼ିକୁ ସଂସ୍କାରିତ କରିବା ନିମିତ୍ତ ସେ ନିଜସ୍ଵ ସର୍ଜନ-କର୍ମକୁ ବଳିଷ୍ଟ ଆଧାର ରୂପେ ଗ୍ରହଣ କରିଛନ୍ତି । ଆଦର୍ଶର ପରିପ୍ରକାଶ କରିବା କ୍ଷେତ୍ରରେ, ତାଙ୍କ ସମକାଳର ନାଟ୍ୟଶିଳ୍ପୀମାନଙ୍କ ମଧ୍ୟରେ ତାଙ୍କର ସ୍ୱାତନ୍ତ୍ର୍ୟ ସ୍ୱତଃ ବାରି ହୋଇପଡ଼େ ।

 

ଦୀର୍ଘକାଳ ଧରି ନାଟ୍ୟରଚନା, ନାଟ୍ୟାଭିନାୟ ନାଟକ ବିଚାର, ନାଟକ ସଂପାଦନ, ନାଟକ ଆଲୋଚନା, ନାଟକ ନିର୍ଦ୍ଦେଶନା ଇତ୍ୟାଦି ନାଟ୍ୟଶିଳ୍ପର ବିଭିନ୍ନ କର୍ମ ସହିତ ଘନିଷ୍ଟ ହୋଇଥିବା ଏକ ନାଟ୍ୟଶିଳ୍ପୀଙ୍କ ଏକ ନିଷ୍ଟ କୃତିତ୍ଵ ଫଳରେ ଓଡ଼ିଆ ନାଟ୍ୟ ସାହିତ୍ୟ ନାନା ଭାବରେ ହୋଇଛି ଉପକୃତ । ଭାରତୀୟ ପରମ୍ପରା, ଗାନ୍ଧିବାଦୀ ଆଦର୍ଶ ଏବଂ ମୂଳ୍ୟବୋଧ ଭିତ୍ତିକ ଜୀବନଶୈଳୀକୁ, ତାଙ୍କ ନାଟକଗୁଡ଼ିକରେ ରୂପ ପ୍ରଦାନ କରି, ଓଡ଼ିଆ ନାଟ୍ୟଧାରାରେ ସେ ଆପଣାର ସୁବର୍ଣ୍ଣ ସ୍ୱାକ୍ଷରକୁ ଦୀପ୍ତ କରିଯାଇଛି । ସମଗ୍ର ଜୀବନ ତାଙ୍କର ଥିଲା ନାଟ୍ୟମନସ୍କ, ଏଇ ନାଟ୍ୟପ୍ରାଣ ଶିଳ୍ପୀ, ଜୀବନର ଶେଷ ଲଗ୍ନ ପର୍ଯ୍ୟନ୍ତ ନାଟକ ପାଇଁ କଲମ ଧରି, ଓଡ଼ିଆ ନାଟ୍ୟପ୍ରେମୀ, ଓଡ଼ିଆ ଭାଷା ଓ ଓଡ଼ିଆ ରଙ୍ଗମଞ୍ଚ ସହିତ ଆପଣଙ୍କର ମହାର୍ଘ ଦାୟିତ୍ଵ ଓ କର୍ତ୍ତବ୍ୟ ନିଷ୍ପାଦନ କରାଯାଇଛି ।

 

କ. ରାମଚନ୍ଦ୍ରଙ୍କ ସମକାଳ : ସାମାଜିକ, ରାଜନୀତିକ ଓ ସାଂସ୍କୃତିକ ପ୍ରେକ୍ଷାପଟ

ନାଟ୍ୟକର ରାମଚନ୍ଦ୍ର ମିଶ୍ରଙ୍କର ଜନ୍ମ ବିଂଶ ଶତକର ଦ୍ୱିତୀୟ ଦଶକର ଶେଷଭାଗରେ, ଯେତେବେଳେ ଭାରତବର୍ଷ ତଥା ଓଡ଼ିଶାର ରାଜନୀତିକ ଐତିହ୍ୟ ଘୋର ସନ୍ଧିକ୍ଷଣ ମଧ୍ୟରେ ଥିଲା ଗତିଶୀଳ । ଭାରତବର୍ଷର ସ୍ଵାଧୀନତା ସଂଗ୍ରାମରେ ଏତେବେଳକୁ ଗାନ୍ଧୀଙ୍କ ଆବିର୍ଭାବ ଓ ତାଙ୍କ ନେତୃତ୍ଵ, ଦେଶବାସୀଙ୍କୁ ନବ ମନ୍ତ୍ରରେ ଅଭିମନ୍ତ୍ରିତ କଲାଣି । ସମଗ୍ର ଦେଶବାସୀ ଗାନ୍ଧୀଙ୍କ ନେତୃତ୍ଵରେ ଏକତାବନ୍ଧ ହୋଇ ସ୍ଵାଧୀନତାଉନ୍ମୁଖୀ ହୋଇ ଉଠିଲାଣି । ଜାତୀୟ କଂଗ୍ରେସ ମାଧ୍ୟମରେ ବିଭିନ୍ନ ଆନ୍ଦୋଳନ, ବିଭିନ୍ନ ଆଳରେ ହିଂସାତ୍ମକ ରୀତିରେ ବ୍ରିଟିଶ ସରକାରଙ୍କ ଆନ୍ଦୋଳନ ଦମନର ବୀଭତ୍ସ ଦୃଶ୍ୟ, ଗୋଟିଏ ଜାତିର ସ୍ନାୟୁ ତନ୍ତ୍ରୀରେ ଅଗ୍ନିସଂଯୋଗ କରିସାରିଲାଣି । ଏଣେ ଖଣ୍ଡବିଖଣ୍ଡିତ ଓଡ଼ିଶା ଆପଣାର ସ୍ୱାତନ୍ତ୍ର୍ୟ ପାଇଁ ସଜାଗ ହୋଇ ଉଠୁଛି । ଗୋପବନ୍ଧୁ, ମଧୁବାବୁ, ମହତାବ ପ୍ରମୁଖଙ୍କ ନେତୃତ୍ଵରେ ଓଡ଼ିଆର ଏକତା ମଞ୍ଚ ଉତ୍କଳ ସମ୍ମିଳନୀ ଅତ୍ୟନ୍ତ କ୍ରିୟାଶୀଳ ହୋଇ ଉଠିଥିଲା ।

 

ସମଗ୍ର ଭାରତବର୍ଷରେ ଇଂରେଜମାନଙ୍କର ଶାସନ – ଶୋଷଣ ତୀବ୍ର ଆକାର ଧାରଣ କରିବା ସହିତ, ଇଂରେଜମାନଙ୍କର ପ୍ରତିକ୍ରିୟା ଶୀଳ ଓ ପ୍ରତିହିଂସାପରାୟଣ ମନୋଭାବ, ରାଜନୀତିକ ଇତିହାସରେ ବହୁ ରକ୍ତ ରଂଞ୍ଜିତ ଅଧ୍ୟାୟର ସୁତ୍ରପାତ ଘଟାଇଥିଲା । ଇଂରେଜ ଶାସକର ହିଂସାତ୍ମକ ଓ ଦମନମୂଳକ ପ୍ରବୃତ୍ତି ବିରୋଧରେ ଅନେକ ବିଚାରବନ୍ତ ଓ ଚିନ୍ତାଶୀଳ ବ୍ୟକ୍ତି, ସ୍ଵଦେଶପ୍ରୀତି ଓ ଜାତି ପ୍ରେମର ପ୍ରାବଲ୍ୟରେ ସଂଘବଦ୍ଧ ହୋଇ ସାରିଥିଲେ । ଭାରତୀୟମାନଙ୍କର ବିଧିବଦ୍ଧ ଗୋଷ୍ଠୀଗତ ସଂଗଠନ ମାଧ୍ୟମରେ ମୁକ୍ତି ସଂଗ୍ରାମ ଚରମ ପର୍ଯ୍ୟାୟରେ ଉପନୀତ ହେଲା । ଫଳତଃ ୧୮୮୫ ମସିହାରେ ଗଠିତ ‘ଜାତୀୟ କଂଗ୍ରେସ’ ମାଧ୍ୟମରେ ଭାରତୀୟ ଜନନାୟକମାନଙ୍କ ମଧ୍ୟରେ ରହିଥିବା ବହୁ ସଂଚିତ ମୁକ୍ତି ପ୍ରୟାସ କ୍ରମେ ବ୍ୟାପକରୁ, ବ୍ୟାପକ ହେବାକୁ ଆରମ୍ଭକଲା ।

 

ଭାରତବର୍ଷର ପ୍ରମୁଖ ଜନନାୟକମାନଙ୍କ ଉପରେ ଆମେରିକାର ସ୍ଵାଧୀନତା ଆନ୍ଦୋଳନ, ଫରାସୀ ବିପ୍ଲବର ସାମ୍ୟ-ମୈତ୍ରୀବାଣୀ, ଇତ୍ୟାଦିର ପ୍ରଭାବ ମଧ୍ୟ, ସେମାନଙ୍କ ଆତ୍ମବିଶ୍ଵାସକୁ କ୍ରମେ ଦୃଢ଼ୀଭୂତ କଲା । ଜାତୀୟତାର ଭୂୟୋବିକାଶକୁ ମୁଖ୍ୟ କରିହିଁ ଏହାର ପ୍ରତିକ୍ରିୟା ଉପଲବ୍ଧ ହେଲା, ଯାହାର ସ୍ଵଚ୍ଛ ପ୍ରତିଫଳନ ଘଟିଲା, ସମାଜ, କଳା, ଧର୍ମ, ଶିକ୍ଷା ଓ ସଂସ୍କୃତି ଇତ୍ୟାଦିର ।

 

ବିଂଶ ଶତକର ଆଦ୍ୟପାଦରେ ସମଗ୍ର ଭାରତବର୍ଷର ଇତିହାସରେ ଅନେକ ଘଟଣାପ୍ରବାହ ଯାହା ଜାତୀୟତା ସହିତ ଘନିଷ୍ଠ ଭାବରେ ଥିଲା ସଂପୃକ୍ତ । ୧୯୦୫ ମସିହାରେ ଲର୍ଡ଼କର୍ଜନ ବଂଗବିଭାଜନ ଘଟାଇ ଏକପ୍ରକାର ସାମ୍ପ୍ରଦାୟିକତା ସୃଷ୍ଟି କଲେ । ୧୯୦୬ ମସିହାରେ ମୁସଲିମ୍ ଲିଗ୍ ଗଠିତ ହେଲା ଓ ସ୍ଵରାଜ ଦାବି ଉପସ୍ଥାପିତ ହେଲା । ସ୍ଵଦେଶୀ ଆନ୍ଦୋଳନ, ସ୍ଵଦେଶୀ ଦ୍ରବ୍ୟର ପ୍ରଚଳନ ଓ ଜାତୀୟ ଶିକ୍ଷାନୀତିର ପ୍ରବର୍ତ୍ତନ ଭିତରେ ଜନ ମାନସରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ପରିଲକ୍ଷିତ ହେଲା । ୧୯୦୯ ମସିହାରେ ମର୍ଲେମଣ୍ଟୋ ଶାସନ ସଂସ୍କାର, ୧୯୧୧ ମସିହାରେ ପଞ୍ଚମ ଜଜଙ୍କ ଭାରତ ଆଗମନ, ଦରବାର ଦ୍ଵାରା ତାଙ୍କୁ ବିପୁଳ ସ୍ଵାଗତ ସଂବର୍ଦ୍ଧନା, ବଂଗଭଗ ରଦ୍ଦ, ଇତ୍ୟାଦି ପରେ ୧୯୧୪- ୧୯୧୮ ପର୍ଯ୍ୟନ୍ତ ପ୍ରଥମ ବିଶ୍ଵଯୁଦ୍ଧର ଭୟଙ୍କର ବିଭୀଷିକା ଭାରତୀୟମାନଙ୍କୁ ତୀବ୍ର ଭାବରେ ସନ୍ତୁଳିତ କରିବାକୁ ଆରମ୍ଭ କଲା । ୧୯୧୬ ରେ ଲକ୍ଷ୍ମୌ ଚୁକ୍ତି, ୧୯୧୭ ରେ ମଣ୍ଟେଗୁଙ୍କ ଆଇନ, ୧୯୧୯ ରେ ରାଓଲାଟ୍ ଆଇନ୍ ପ୍ରଭୃତି ଅନେକ ଘଟଣା ଭାରତୀୟ ଜାତୀୟ ଜାଗରଣକୁ ପ୍ରତିକ୍ରିୟାଶୀଳ କଲା । ଜାତୀୟତାର ମହାଯଜ୍ଞରେ ଘୃତ ନିକ୍ଷେପ କରିଥିଲେ ନୃଶଂସ ଇଂରେଜ ଅଫିସର୍ ଡାୟାର୍ ସାହେବ । ୧୯୧୯ର ଲୋମହର୍ଷଣକାରୀ, ଜାଲିଆନାୱାଲାବାଗ ହତ୍ୟାକାଣ୍ଡ, ଭାରତ ଇତିହାସରେ ଗୋଟିଏ କଳଙ୍କିତ ରକ୍ତିମ ଆଲେଖ୍ୟ ।

 

ଗାନ୍ଧୀଙ୍କର ସତ୍ୟ-ଅହିଂସା ନୀତି ଓ ଅସହଯୋଗର ବୀଜମନ୍ତ୍ରରେ ମହାଭାରତୀୟ ଜାତୀୟତା ହେଲା ଦୀକ୍ଷିତ । ଦେଶର ଜନତାଙ୍କୁ ରାଜନୀତି ସଚେତନ କରାଇ ଐକ୍ୟବଦ୍ଧ କରିବାକୁ ଗାନ୍ଧୀ ଥିଲେ ଚେଷ୍ଟିତ । ରାଓଲାଟ୍ ଆଇନ୍ ଖିଲାଫତ ଆନ୍ଦୋଳନ, ଭାରତ ସରକାର ଆଇନ୍, ମଣ୍ଟେଗୁ ଚେମସ୍ଫୋର୍ଡ ଆଇନ ଇତ୍ୟାଦି ଇଂରେଜ ଶଠତାର ଅନେକ ଦୃଷ୍ଟାନ୍ତ, ଗାନ୍ଧୀଙ୍କୁ କ୍ରମେ ଅସହଯୋଗୀ କରାଇଲା । ଫଳତଃ ୧୯୨୦ମସିହା ଅଗଷ୍ଟ କୋଡ଼ିଏ ତାରିଖରେ କଲିକତାଠାରେ ଅନୁଷ୍ଠିତ ଜାତୀୟ କଂଗ୍ରେସର ସ୍ଵତନ୍ତ୍ର ଅଧିବେଶନରେ, ବର୍ବର ବ୍ରିଟିସ ଶାସନ କବଳରୁ ମୁକ୍ତି ପାଇବା ନିମିତ୍ତ ଅହିଂସା ଓ ଅସହଯୋଗ ଏକମାତ୍ର ଅସ୍ତ୍ର ବୋଲି ମହାତ୍ମାଗାନ୍ଧୀ ଘୋଷଣା କଲେ । ଗାନ୍ଧୀଆଦର୍ଶର ମହାପ୍ରବାହରେ ଭରତବାସୀ ସାମିଲ ହେଲେ ।

 

ସଂଶିତ ସମୟରେ ପ୍ରକାଶିତ ସଂବାଦ ପତ୍ର – ‘ସଂବାଦ କୌମୁଦୀ ’, ‘ବଂବେ ସମାଚାର ’, ‘ବଙ୍ଗଦୂତ ’, ‘ଇଣ୍ଡିଆନ୍ ମିରର୍ ’, କମ୍ରେଡ,‘ହିନ୍ଦ୍ ’, ‘ପେଟ୍ରିୟଟ୍ ’, ‘ବଂଗଦର୍ଶନ ’, ‘ ଅମୃତବଜାର ପତ୍ରିକା ’,ଏବଂ ‘ନିଉ ଇଣ୍ଡିଆ ’ ଇତ୍ୟାଦି ଅନେକ ପତ୍ରିକା ସତ୍ୟ ସମ୍ବାଦ ପରିବେଷଣ କରି, ଭାରତୀୟମାନଙ୍କ ଭିତରେ ରାଜନୀତିକ ସଚେତନତା ବୃଦ୍ଧି କରାଯାଇଥିଲା । ଏହା ଫଳରେ ଗାନ୍ଧୀଙ୍କ ଅନୁସୃତ ପ୍ରତ୍ୟେକ କାର୍ଯ୍ୟଧାରା, ସିଧାସଳଖ, ଜନତା ନିକଟରେ ସଂବାଦପତ୍ର ମାଧ୍ୟମରେ ପହଞ୍ଚି ପାରୁଥିଲା । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭାରତୀୟମାନଙ୍କୁ ଏକ ଜାତି ‘ଭାରତୀୟ’ ବୋଲି ଗାନ୍ଧୀ ଉପସ୍ଥାପିତ କଲେ, ଯାହା ସମଗ୍ର ଦେଶରେ ନବଭାବତରଙ୍ଗ ସୃଷ୍ଟିକଲା ।

 

୧. ଓଡ଼ିଶାରେ ନବ ଜାଗରଣର ପ୍ରତିକ୍ରିୟା

ସମଗ୍ର ଭାରତବର୍ଷ ଯେତେବେଳେ, କେବଳ ସ୍ଵାଧିନତା ଆନ୍ଦୋଳନରେ ପ୍ରମତ୍ତ, ଠିକ୍ ସେତିକିବେଳେ, ଓଡ଼ିଶାର ସ୍ଵାଧିନତା ସଂଗ୍ରାମ ସହିତ ଜାରି ରହିଥିଲା ଓଡ଼ିଆ ଭାଷା ଭିତ୍ତିରେ ସ୍ଵତନ୍ତ୍ର ଓଡ଼ିଶା ଗଠନର ବ୍ୟାପକ କାର୍ଯ୍ୟକ୍ରମ । ପଣ୍ଡିତ ଗୋପବନ୍ଧୁ ଓ ମଧୁବାବୁଙ୍କ ନେତୃତ୍ଵ, ଓଡ଼ିଶାରେ ଜାତୀୟତା କ୍ଷେତ୍ରରେ ନବ ଜାଗରଣ ସୃଷ୍ଟିହେଲା । ରାଜନୀତିକ ଅସ୍ଥିରତା ସହିତ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ବିଚ୍ଛିନ୍ନାବସ୍ଥା, ଗଡ଼ଜାତ ଆନ୍ଦୋଳନ, ମରୁଡ଼ି ଓ ବନ୍ୟା ଇତ୍ୟାଦି ଦୈବୀ ଦୁର୍ବିପାକ, ଓଡ଼ିଶାକୁ ବିଭିନ୍ନ ଦୃଷ୍ଠିକୋଣରୁ ଅସ୍ଥିର କରୁଥିଲା । ଓଡ଼ିଶୀ ଜାତୀୟତା ନିମିତ୍ତ ୧୯୦୩ ମମସିହାରେ ମଧୁବାବୁଙ୍କ ନେତୃତ୍ଵରେ ‘ଉତ୍କଳ ସମ୍ମୀଳନୀ’ ଗଠନ, ଗୋପବନ୍ଧୁ ଓ ତାଙ୍କ ସହକର୍ମୀମାନଙ୍କ ଦ୍ୱାରା, ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା ଇତ୍ୟାଦି ସ୍ୱତନ୍ତ୍ର ଉତ୍କଳ ଗଠନ ସଂକଳ୍ପକୁ କାର୍ଯ୍ୟକାରୀ କରାଗଲା । ୧୯୦୩ ମସିହାଠାରୁ ୧୯୧୮ ମସିହା ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ 'ଉତ୍କଳ ସମ୍ମିଳନୀ’ର ବିଭିନ୍ନ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଏବଂ ଓଡ଼ିଶାର ଦେଶ ମିଶ୍ରଣ ପ୍ରସଙ୍ଗକୁ କାର୍ଯ୍ୟକାରୀ କରାଇବାକୁ ତତ୍ପରତା ପ୍ରକାଶ କରୁଥିଲା । ଉତ୍କଳ ସମ୍ମିଳନୀର ସମଚିନ୍ତା ଓ ସାମଞ୍ଜସ୍ୟ ରକ୍ଷା କରି, ମହାଭାରତୀୟ ଜାତୀୟତାରେ ଉଦବୁଦ୍ଧ ହେବାକୁ, ଗୋପବନ୍ଧୁ ଆହ୍ଵାନ ଦେଉଥିଲେ । ମାତ୍ର ମଧୁବାବୁ, ଉତ୍କଳୀୟମାନଙ୍କୁ ଉତ୍କଳଜନନୀର ସେବାରେ ଆତ୍ମନିୟୋଗ କରି, ଏହାର ଗୌରବ ଓ ଐତିହାସକୁ ଚେତାଇ ଦେଉଥିଲେ । ଉତ୍କଳସମ୍ମିଳନୀ ମାଧ୍ୟରେ ଭାଷା-ସାହିତ୍ୟ-ଶିଳ୍ପ-ଶିକ୍ଷା ଓ ସଂସ୍କୃତିର ଉନ୍ନତି ଏବଂ ବିଚ୍ଛିନ୍ନାଞ୍ଚଳର ମିଶ୍ରଣ ଘଟାଇ ନବଉତ୍କଳ ଗଠନର ପ୍ରଚେଷ୍ଟା ସାକାର ହେଲା । ମଧୁବାବ ଓଡ଼ିଶାର ଗୌରବକୁ ଓ ଗୋପବନ୍ଧୁ ଓଡ଼ିଆଙ୍କ ବିମୂର୍ତ୍ତି ବେଦନାକୁ ରୂପଦେବାକୁ ଆରମ୍ଭ କରିଥିଲେ ।

 

ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଗାନ୍ଧୀଙ୍କର ପଦଯାତ୍ରା, ବିଭିନ୍ନ ସଭାସମିତି ମାଧ୍ୟମରେ ହରିଜନ କଲ୍ୟାଣ, ଚରଖା ଚାଳନା, ସ୍ଵଦେଶୀ ଦ୍ରବ୍ୟ ପ୍ରତି ଆଗ୍ରହ ପ୍ରକାଶ, ବିଦେଶୀ ଦ୍ରବ୍ୟ ବର୍ଜନ ଏବଂ ସଂରଚନାତ୍ମକ କାର୍ଯ୍ୟ ସଂପର୍କୀୟ ଭାଷଣ, ଓଡ଼ିଆମାନଙ୍କ ଆତ୍ମପ୍ରତ୍ୟୟ ଏବଂ ଜାତୀୟତାକୁ ସୁଦୃଢ଼ କଲା । ଗାନ୍ଧୀଙ୍କ ସ୍ଵଦେଶୀ ଡାକରା ଓ ଲବଣ ସତ୍ୟାଗ୍ରହରେ ଓଡ଼ିଆମାନେ ସାମିଲ ହେଲେ-। ‘ମୁକୁର’ (୧୯୦୫), ‘ସନାତନ ଧର୍ମ’ (୧୯୦୬), ‘ପ୍ରଭାତ’ (୧୯୦୯), ‘ସତ୍ୟବାଦୀ’ (୧୯୧୫), ‘ପ୍ରଦୀପ’ (୧୯୧୬), ‘ହୀରାଖଣ୍ଡ’ (୧୯୧୯), ‘ପଞ୍ଚମୃତ’ (୧୯୨୦), ‘ସେବା ଓ ସାଧନା (୧୯୭୧)’, ଇତ୍ୟାଦି ଅନେକ କ୍ଷେତ୍ରରେ ସଂବାଦପତ୍ର ମାଧ୍ୟମରେ ଜାତୀବାଦରେ ବାର୍ତ୍ତା ଜନତାଙ୍କୁ ପ୍ରଭାବିତ କଲା । ଫଳତଃ ଓଡ଼ିଶାର ରାଜନୀତିକ ସଚେତନତା ବୃଦ୍ଧି କରିବା କ୍ଷେତ୍ରରେ ଏସବୁ ପତ୍ର ପତ୍ରିକା ଗୁରୁତ୍ଵପୂର୍ଣ୍ଣ ଭୂମିଲା ନେଲେ । ଜନତାର ଚିନ୍ତା ଏବଂ କବି-ଲେଖକମାନଙ୍କର ଭାବ-ଭାବନା, ପ୍ରମୁଖ ପତ୍ରପତ୍ରିକାଗୁଡ଼ିକ ମାଧ୍ୟମରେ ପ୍ରକାଶ ପାଇ, ରାଜନୀତିକ ଚେତନାକୁ ତ୍ଵରାନ୍ଵିତ କଲା ।

 

୨. ଓଡ଼ିଶାର ଆର୍ଥନୀତିକ ଅବସ୍ଥା :

ଭାରତୀୟ ରଙ୍ଗଭୂମିରେ ଅନେକ ସମୟରେ ବହୁ ବୈଦେଶିକ ଶକ୍ତି ନୃତ୍ୟକରି ଚାଲିଯିବା ପରେ, ଆସିଥିଲେ ଶୋଷକ ଇଂରେଜ ବଣିକମାନେ । ବ୍ୟବସାୟିକ ସଂପର୍କ ଯୋଡ଼ିବା ନାମରେ, ଭାରତୀୟ ଶାସକମାନଙ୍କର ପାରସ୍ପରିକ ମତାନୈକ୍ୟର ଦୁର୍ବଳତା ଦେଖି, କୌଶଳରେ ଭାରତୀୟ ଶାସନ ଡୋରିକୁ ହାତ କରିନେଲେ । ଫଳତଃ ଶାସନ ନାମରେ ଦେଖାଦେଲା ଶୋଷଣ, ପୀଡ଼ନ ଓ ଲୁଣ୍ଠନ । ସରଳ ଭାରତୀୟଙ୍କୁ ନିର୍ଯ୍ୟାତିତ କରି, ରାଜକୋଷକୁ ଶୁନ୍ୟ କରିଦେଲେ ଇଂରେଜମାନେ । ତେଣୁ ଭାରତୀୟ ଜନ-ଜୀବନ, ଘୋର ଆର୍ଥିକ ଦୁର୍ଗତି ଦେଇ ଗତିକଲା ।

 

ଭାରତୀୟମାନଙ୍କର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେବାକୁ ଇଂରେଜମାନେ ଅତି କୌଶଳ ପ୍ରୟୋଗ କରି, ଅତ୍ୟାବଶ୍ୟକ ନିତ୍ୟ-ବ୍ୟବହାର୍ଯ୍ୟ କେତୋଟି ଦ୍ରବ୍ୟ ଉପରେ କଟକଣା ଜାରିକଲେ । ଭାରତବର୍ଷରୁ ନାମ ମାତ୍ର ମୂଲ୍ୟ ଦେଇ ସେମାନେ କଞ୍ଚାମାଲ ସଂଗ୍ରହ କରି, ନିଜ ଦେଶରେ ଏସବୁକୁ ବିଭିନ୍ନ ସାମଗ୍ରୀ ରୂପେ ପ୍ରସ୍ତୁତ କରି, ଭାରତରେ ଏହାର ବିପଣନ ଆରମ୍ଭ କଲେ । ଏହାଦ୍ଵାରା ଭାରତର ବାଣିଜ୍ୟିକ ସଂସ୍ଥାଗୁଡ଼ିକ ଅଥର୍ବ ହୋଇଗଲେ, ସେଗୁଡ଼ିକର ଅର୍ଥାଗମର ପନ୍ଥା ଅବରୁଦ୍ଧ ହେଲା ।

 

ଭାରତରେ କୃଷିଭିତ୍ତିକ ଜୀବନ ଚଳଣିର ପ୍ରମୁଖ କେନ୍ଦ୍ର କୃଷି ଭୂମି । ଧୂର୍ତ୍ତ ଇଂରେଜମାନେ ଏଇ କୃଷି ଭୂମି ଉପରେ ବିଚିତ୍ର ଅଧିକାର ବ୍ୟବସ୍ଥା ଜାରି କଲେ । କମ୍ପାନୀ ସରକାରର କୁଟୀଳ ରାଜସ୍ଵନୀତି, ଉଭୟ ଜମିଦାର ଓ କୃଷକମାନଙ୍କୁ ଧ୍ଵଂସମୁଖୀ କରାଇଲା । ବିଭିନ୍ନ ସମୟରେ ଭୂ-ରାଜସ୍ଵନୀତିର ବିଚିତ୍ର ବ୍ୟବସ୍ଥା, ନୂତନ ଜମିଦାର ଗୋଷ୍ଠୀର ଅଭ୍ୟୁଦୟ ଘଟାଇଲା । କମ୍ପାନୀ ରାଜସ୍ଵ ଭରଣା କରିବା ନିମିତ୍ତ, ନୂତନ ଜମିଦାର ଗୋଷ୍ଠୀ ପ୍ରଜାମାନଙ୍କୁ ନିର୍ମମ ଭାବରେ ଶୋଷଣ କରିବାକୁ ଲାଗିଲେ । ଅତ୍ୟଧିକ ରାଜସ୍ଵ, ନିଷ୍ଠୁର ଉପାୟରେ ଏହାର ଆଦାୟ ଓ ରାଜସ୍ୱ କର୍ମଚାରୀମାନଙ୍କର ଜୋର୍‍ଜୁଲମର ଶିକାର ହୋଇ, ରୟତମାନେ ଅସହ୍ୟ ନିର୍ଯ୍ୟାତନା ଭୋଗକଲେ । କୃଷକ ରାଜସ୍ଵ ଭାରରେ ଅବନମିତ ହୋଇ ନିଜର ଭାତହାଣ୍ଡି ସ୍ଵରୁପ ଜମିକୁ ହରାଇଲା, ଏପରିକି ଅନେକ କୃଷକ ମଧ୍ୟ ରାଜସ୍ଵ ଅନାଦାୟ ଅଭିଯୋଗରେ ଶିକାର ହୋଇ ସର୍ବସ୍ୱାନ୍ତ ହେଲେ । ଅନାବୃଷ୍ଟି ଓ ଅତିବୃଷ୍ଟି ପ୍ରଭୃତି ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ ସରକାରର ଅତ୍ୟାଚାର ଓ ଶୋଷଣ କୃଷିଜୀବୀର ଜୀବନଧାରାକୁ ବିକଳ କରିପକାଇଲା । ଓଡ଼ିଶାର କୃଷିକାରୀମାନେ ଗୋରା ସରକାର, ଏବଂ ବଙ୍ଗାଳୀ ଜମିଦାରୀମାନଙ୍କ ଦ୍ଵାରା ଶୋଷିତ ହେଲେ, ନବ୍ୟସାମନ୍ତମାନଙ୍କ ଶୋଷଣ, ଚରମ ସୀମାରେ ଉପନୀତ ହେଲା । ମୂର୍ଖକୃଷକ ଆପଣାର ଅଜ୍ଞତାବଶତଃ ଦିନକୁ ଦିନ ତଳିତଳାନ୍ତ ହେବାକୁ ଲାଗିଲା ।

 

୩.ସାମାଜିକ ସ୍ଥିତାବସ୍ଥା :

ଭାରତୀୟମାନେ ହିନ୍ଦୁଧର୍ମ ବିଶ୍ୱାସୀ । ହିନ୍ଦୁଧର୍ମ ଉପରେ ଅତ୍ୟଧିକ ଆସ୍ଥାବାନ ଭାରତୀୟମାନଙ୍କ ଧର୍ମବିଶ୍ଵାସର ସୂକ୍ଷ୍ମ ତନ୍ତୀରେ, ଇଂରେଜମାନେ ହସ୍ତକ୍ଷେପ ଆରମ୍ଭ କରିଦେଲେ । ସାମାଜିକ ସ୍ଥିତାବସ୍ଥା, ଧର୍ମଭିତ୍ତିକ ଚିନ୍ତନ ଉପରେ ଅନେକ ପରିବର୍ତ୍ତନ ଆଣିଲା । ଇଂରେଜମାନଙ୍କ ହସ୍ତକ୍ଷେପ । ଭାରତୀୟମାନଙ୍କୁ ମାନସିକ ସ୍ତରରେ ପୀଡ଼ିତ କଲେ ବିଦେଶୀ ସରକାର । ଦୁର୍ଭକ୍ଷ ପୀଡ଼ିତ ଅନାହାରୀ ମଣିଷ ତୁଣ୍ଡରେ ମାତ୍ର ମୁଠାଏ ଦାନା ଦେଇ, ସେମାନଙ୍କୁ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ କରାଇଲେ ଚତୁର ଇଂରେଜମାନେ । ଆପଣାର ଧର୍ମ ଓ ଆଚାରକୁ ଜବରଦସ୍ତ ଭାରତୀୟଙ୍କ ଉପରେ ମଧ୍ୟ ଲଦିଦେଲେ ଇଂରେଜମାନେ । ଭାରତୀୟସମାଜ ପାଇଁ ଇଂରେଜମାନେ କେତେକ ନବସଂସ୍କାର ଆଣିଲେ ମଧ୍ୟ, ପରମ୍ପରାପନ୍ଥୀ ଭାରତୀୟମାନେ ଏହାକୁ ଭଲଭାବରେ ଗ୍ରହଣ କରିପାରି ନଥିଲେ । କରଭାର, ଆର୍ଥନୀତିକ ଦୁର୍ବଳତା, ଜେଲ, ଜୋରିମାନ ଇତ୍ୟାଦି ଆର୍ଥିକ ଓ ଶାରୀରିକ ନିର୍ଯ୍ୟାତନା ସାଙ୍ଗକୁ ଧର୍ମ ଓ ସମାଜ ଜୀବନରେ ସେମାନେ ସ୍ୱାଧୀନତା ହରାଇ, ପୀଡ଼ିତ ଆତ୍ମାର ଆର୍ତ୍ତଚିତ୍କାର ଶୁଣାଇଲେ ।

 

ଓଡ଼ିଶାରେ ଇଂରେଜମାନଙ୍କ ଅତ୍ୟାଚାର ସହିତ, ସାମାନ୍ୟ ଶିକ୍ଷିତ ଦଳେ କୁଚକ୍ରୀ ବଙ୍ଗାଳୀଙ୍କ କୁଚକ୍ରାନ୍ତ ତଥା ବନ୍ୟା, ମରୁଡ଼ି ଇତ୍ୟାଦି ଦୈବୀ ଦୁର୍ବିପାକ ଓଡ଼ିଶାର ସତ୍ତାକୁ ଦୁର୍ବଳ କରି ପକାଇଲା । ଶାସନ ଓ ବିଚାର କ୍ଷେତ୍ରରେ ଭର୍ତ୍ତି ହୋଇ, କେତେକ ବଙ୍ଗାଳୀ ଓଡ଼ିଶା ଓ ଓଡ଼ିଆଙ୍କୁ ଘୃଣା କଲେ ବି, ଓଡ଼ିଶାର ସ୍ଥାୟୀ ଭାବରେ ବିପୁଳ ସମ୍ପତ୍ତି ଠୁଳ କରିବାକୁ ଲାଗିଲେ । ଏମାନଙ୍କ ସହିତ ଓଡ଼ିଶାର କେତେଜଣ ଧୂର୍ତ୍ତ କରଣ ମଧ୍ୟ ଯୋଗ କଲେ । ଫଳତଃ ଭୂମି କୈନ୍ଦ୍ରିକ ଓଡ଼ିଆର ପାରମ୍ପରିକ ଜୀବନ ଧାରା, କ୍ରମେ ତଳିତଳାନ୍ତ ହେବାକୁ ଆରମ୍ଭ କଲା । ଶାସନକଳ ସହିତ ବଙ୍ଗାଳୀମାନଙ୍କ ସଂପୃକ୍ତ, ଓଡ଼ିଆ ଭାଷା ବଦଳରେ ଶାସନ କ୍ଷେତ୍ରରେ ବଙ୍ଗଳା ଭାଷା ପ୍ରସାରଣର ଉଦ୍ୟମ, ଓଡ଼ିଆର ବଂଗଳାର ଉପଭାଷା ରୂପରେ ଅପପ୍ରଚାରାଦି ନାନା ପ୍ରକାର ଚକ୍ରାନ୍ତରେ ଶିକାର ହେଲେ ଓଡ଼ିଆମାନେ । ସାମାଜିକ ଓ ଧର୍ମନୀତିକ ଅବସ୍ଥାରେ ଏତେବେଳେ ଘୋର ଅବନ୍ନତି ପରିଲକ୍ଷିତ ହେଲା।

 

୪. ନବଚେତନା ଓ ନବଭାବତରଙ୍ଗ;

ସକଳ ପ୍ରକାରର ଦୁଃଖ-ଯାତନା ବିପର୍ଯ୍ୟୟ-ଯନ୍ତ୍ରଣା-ଅଭାବ-ଅନଟନ ମଧ୍ୟରେ ପୀଡ଼ିତ ଜୀବନ ଭିତରେ ଆଶାର ଆଲୋକ ଉତ୍ସ ରୂପେ ଦେଖାଦେଲା ଦୁଇଟି ପ୍ରମୁଖ ଆଲୋକ ରଶ୍ମୀ । ଜଣେ ଗଣବନ୍ଧୁ ଗାନ୍ଧୀ ଏବଂ ଅପର ଜଣକ ସାମ୍ୟବାଦୀ ଚେତନାର ପ୍ରବର୍ତ୍ତକ ମନୀଷୀ କାର୍ଲମାର୍କସ । ଉଭୟଙ୍କ ଚିନ୍ତାଧାରା, ସାମାଜିକ ଏବଂ ରାଜନୀତିକ ଜୀବନରେ ଗଭୀର ପ୍ରଭାବ ସୃଷ୍ଟିକଲା । ଗୋଟାଏ ଶୋଷଣହୀନ ଆଦର୍ଶ ସମାଜ ପ୍ରସ୍ତୁତ କରିବାଥିଲା ମନୀଷୀମାର୍କସ୍‍ଙ୍କ ଉଦ୍ଦେଶ୍ୟ । ତାଙ୍କର ଚିନ୍ତନ, ମୁଷ୍ଟିମେୟ କେତେକ ଶୋଷକଙ୍କୁ ବାଦ୍ ଦେଇ ଅବଶିଷ୍ଟ ଶୋଷିତ ଗଣଜୀବନକୁ ନୂତନ ଆଲୋକ ପ୍ରଦାନ କରିଥିଲା । ପାଶ୍ଚାତ୍ୟ ଶିକ୍ଷାପ୍ରାପ୍ତ ନବ୍ୟଶିକ୍ଷିତ ଗୋଷ୍ଠୀ, ଏଇ ଚିନ୍ତନକୁ ଅକୁଣ୍ଠ ସମର୍ଥନ କଲେ । ମାର୍କସ୍‍ଙ୍କ ପ୍ରଚଳିତ ସାମ୍ୟନୀତି, ଶୋଷିତମାନଙ୍କ ପାଇଁ ଥିଲା ଅସାମାନ୍ୟ ଶଲ୍ୟଚିକିତ୍ସା । ମାର୍କସଙ୍କ ଚିନ୍ତନ, ସାମାଜ ବ୍ୟବସ୍ଥା, ଧାର୍ମିକ ଅବରୋଧ ଓ ବିଶେଷ କରି ଅର୍ଥନୀତିକ ଅସମତୁଲତା ଇତ୍ୟାଦିକୁ ପ୍ରଭାବିତ କଲା । ପରେ ପରେ ଏହା ଚିନ୍ତାନାୟକମାନଙ୍କୁ ସେମାନଙ୍କ ପ୍ରତିକ୍ରିୟା ପ୍ରକାଶ ନିମିତ୍ତ ଅନୁପ୍ରେରିତ କଲା ।

 

ବିଂଶ ଶତକର ତୃତୀୟ ଦଶକ ବେଳକୁ ଗାନ୍ଧୀ ଚେତନାର ପ୍ରବାହ, ନବଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିଥିଲା । ଅବହେଳିତ ଗୋଷ୍ଠୀକୁ ସାମାଜିକ ନ୍ୟାୟ ନ ମିଳିଲେ ସ୍ଵାଧିନତା ଅସମ୍ଭବ ବୋଲି ଗାନ୍ଧୀ ପ୍ରକାଶ କରିଥିଲେ । ସାମାଜିକ ନ୍ୟାୟ ପ୍ରତିଷ୍ଠା ନିମିତ୍ତ ଗାନ୍ଧୀଙ୍କର ଆନ୍ଦୋଳନ ହେତୁ, ଅସ୍ପୃଶ୍ୟମାନେ ମର୍ଯ୍ୟାଦା ଲାଭ କରିବା ସହିତ, କାଳକାଳର ପରମ୍ପରା କଂମ୍ପିତ ହେଲା । ମାର୍କସ ଶ୍ରେଣୀ ସଂଘର୍ଷକୁ ଗୁରୁତ୍ଵ ପ୍ରଦାନ କରୁଥିବା ବେଳେ, ଗାନ୍ଧୀ ଶ୍ରେଣୀ ସହଯୋଗକୁ ସ୍ଵାଗତ କରୁଥିଲେ । ସମସ୍ତଙ୍କୁ ଅହିଂସା ନୀତିରେ ଦୀକ୍ଷିତ କରାଇ ଜାତି, ଧର୍ମ, ବର୍ଣ୍ଣ ଓ ଆର୍ଥିକ ଅସମତାକୁ ଦୂର କରି, ସବୁରି ସହଯୋଗ ରକ୍ଷା ନିମିତ୍ତ, ଗାନ୍ଧୀ ଥିଲେ ଦୃଢ଼ଭାବରେ ଆଶାୟୀ ।

 

ଗାନ୍ଧୀଙ୍କ ତାତ୍ତ୍ଵିକ ବ୍ୟାଖ୍ୟାନକୁ ସାକାର କରିବା ଓ ସ୍ଵାଧିନତା ଆନ୍ଦୋଳନରେ ପ୍ରମୁଖ ନେତୃତ୍ଵ ଗ୍ରହଣ କରିଥିବା ପଣ୍ଡିତ ନେହେରୁ, ଭାରତୀୟ ଜାତୀୟ କଂଗ୍ରେସର ଏକ ପ୍ରମୁଖ ଅଂଗ ରୂପେ ପ୍ରଗତିଶୀଳ ଯୁବଗୋଷ୍ଟୀ ମାଧ୍ୟମରେ ସାମାଜବାଦୀ ଚେତନାକୁ ଦୃଢ଼ଭାବରେ ପ୍ରତିଷ୍ଟା କରାଇଲେ । ଏହି ପ୍ରଭାବରେ ଓଡ଼ିଶାରେ ଗଠିତ ହେଲା “ଓଡ଼ିଶା କଂଗ୍ରେସ ସୋସାଲିଷ୍ଟ ପାର୍ଟି’’, ଯାହା ଓଡ଼ିଶାର କୃଷକ, ଶ୍ରମିକ ଏବଂ ନିର୍ଯାତିତ ଗଡ଼ଜାତବାସୀଙ୍କ ଭିତରେ ନବଜାଗରଣ ସୃଷ୍ଟି କଲା । ସ୍ଵାଧୀନତାର ସ୍ଵାଦ ଅସ୍ଵାଦନ କରିବା ନିମିତ୍ତ ପ୍ରତ୍ୟେକ ଉତ୍କଣ୍ଠିତ ହେବା ଫଳରେ, ଯାବତୀୟ ଯାତନା ସତ୍ୱେ ସବୁରି ଭିତରେ ସ୍ଵାଧୀନ ଜୀବନ ମିନିତ୍ତ ଉନ୍ମୁଖତା ପ୍ରକାଶ ପାଇଲା ।

 

ସବୁ କାଳରେ ସାହିତ୍ୟ, ସମାଜ ସାପେକ୍ଷ । ସମୟ, ସମାଜ, ସଂସ୍କୃତିର ରୂପରେଖ ଓ ସାହିତ୍ୟରେ ଧରା ଦେଇଥାଏ । ତେଣୁ ବିଂଶ ଶତକର ଆଦ୍ୟପାଦରେ ରାଜନୀତିକ ଆକାକ୍ଷାଂ, ସାମାଜିକ ଓ ସାଂସ୍କୃତିକ ଆଭିମୁଖ୍ୟର ପରିବର୍ତ୍ତନ ପ୍ରଭୃତି ତତ୍କାଳରେ ସାହିତ୍ୟରେ ରୂପାୟିତ ହେବକୁ ଆରମ୍ଭ କଲା । ନବଯୁଗର ଆଭିମୁଖ୍ୟ ନେଇ ସାହିତ୍ୟରେ ଧରାଦେଲା ନବଚିନ୍ତନ, ନବପ୍ରକାଶ ଭଙ୍ଗୀ । ପାରମ୍ପରିକ ପରିଧିରୁ ମୁକ୍ତ ହୋଇ ନୂତନ ଦୃଷ୍ଟୀଭଙ୍ଗୀ ନେଇ ସାହିତ୍ୟ ସ୍ରଷ୍ଟାମାନେ ସାହିତ୍ୟ ସୃଜନରେ ମନୋନିବେଶ କଲେ । ସାହିତ୍ୟରେ ଗଣଆଭିମୁଖ୍ୟ ସହିତ, ଜାତୀୟବାଦୀ ଓ ମାନବବାଦୀ ଚେତନା ରୂପାୟିତ ହେଲା । ସତ୍ୟବାଦୀ ଗୋଷ୍ଠୀର ସାହିତ୍ୟକାରମାନେ, ଜାତୀୟ ଉନ୍ନତ୍ତି ନିମିତ୍ତ ସାହିତ୍ୟର ଉନ୍ନତି ଅଭିପ୍ରେତ ବୋଲି ମନେ କଲେ । କାରଣ ଏମାନେ ଥିଲେ ନିଷ୍ଠାପର ଜାତୀୟବାଦି ଓ କର୍ମୀ, ସେମାନଙ୍କ କାର୍ଯ୍ୟଧାରର ସାରସ୍ଵତ ରୂପାୟନହିଁ ପ୍ରକୃତରେ ସେମାନଙ୍କ ସାହିତ୍ୟ ରୂପେ ଦେଖାଦେଲା ।

 

ବିଶ୍ଵବେଦନାର ପ୍ରତିକ୍ରିୟା, ମାନବବାଦୀ ଭାବନା ଓ ଆବେଗ, ସର୍ବୋପରି ଜାତିର ଉତ୍ଥାନ ନିମିତ୍ତ ଅତୀତ ଗୌରବର ପ୍ରଖ୍ୟାପନ, ଅବହେଳିତ ପ୍ରତି ସଂବେଦନଶୀଳ ଦୃଷ୍ଟିଭଙ୍ଗୀ, ସେମାନଙ୍କର ସାହିତ୍ୟର ଆଭିମୁଖ୍ୟ ରୂପେ ଦେଖାଦେଲା । ପଣ୍ଡିତ ଗୋପବନ୍ଧୁଙ୍କର ଗଣାଭିମୁଖ୍ୟ, ସାହିତ୍ୟାଦର୍ଶ, ପାରମ୍ପରିକ ଚେତନାରେ ପରିବର୍ତ୍ତନ ଆଣିଲା, ଗୋପବନ୍ଧୁଙ୍କ ଗଣମୁଖୀ ଭାଷାହିଁ ବିଶେଷ ସ୍ପୃହଣୀୟ ହେଲା ।

 

ସତ୍ୟବାଦୀ ସାହିତ୍ୟର ସଂସ୍କାରବାଦୀ ଆଭିମୁଖ୍ୟ, ପ୍ରକୃତରେ ପରିବର୍ତ୍ତିତ ଚିନ୍ତନର ସହାୟକ ଭାବରେ, ସମୟର ଆହ୍ଵାନକୁ ଉପଯୁକ୍ତ ଭାବରେ ଅବଧାରଣ କରିପାରିଥିଲା । ଓଡ଼ିଶାରେ ସମାଜ ସଂସ୍କାର ଆନୟନ କରିବା ଏବଂ ଏହାକୁ ସାହିତ୍ୟର ଆତ୍ମିକ ରୂପରେ ପ୍ରକାଶ କରିବାରେ, ସତ୍ୟବାଦୀ ସାହିତ୍ୟର ଭୂମିକା ଗୁରୁତ୍ଵପୂର୍ଣ୍ଣ । ସତ୍ୟବାଦୀ (୧୯୧୪) ଓ ସମାଜ (୧୯୧୯) ପଣ୍ଡିତ ଗୋପବନ୍ଧୁଙ୍କ ସଂପାଦନରେ ପ୍ରକାଶିତ ଏଇ ଦୁଇଟି ପତ୍ରିକା ଦେଶର ଯୁବପ୍ରାଣରେ ଦେଶୀୟ ସାହିତ୍ୟ ପ୍ରତି ଗଭୀର ଅନୁରାଗ ସୃଷ୍ଟି କଲା । ୧୯୦୩ ମସିହାରେ ‘ଉତ୍କଳ ସାହିତ୍ୟ ସମାଜ’ ଥିଲା ବିଂଶ ଶତକର ସର୍ବପ୍ରଥମ ପ୍ରମୁଖ ସାରସ୍ଵତ ଅନୁଷ୍ଠାନ । ଏହାବ୍ୟତୀତ ‘ଓଡ଼ିଆ ସାହିତ୍ୟ ପ୍ରଚାର ସଂଘ’, ନବଯୁଗ ସାହିତ୍ୟ ସଂସଦ’, କୌଶଳ କଳା ମଣ୍ଡଳ, ଭାରତୀ ତପୋବନ ସଂଘ’, ‘କଳିଙ୍ଗ ଭାରତୀ’, ନନସେନସ କ୍ଲବ’ ପ୍ରଭୃତି ଅନେକ ସାହିତ୍ୟାନୁଷ୍ଠାନ, ଆଧୁନିକ ଓଡ଼ିଆ ସାହିତ୍ୟର ସମୃଦ୍ଧିରେ ହେଲେ ସହାୟକ । ସାହିତ୍ୟରୁ ପାରମ୍ପରିକ ଚିନ୍ତାଧାରାକୁ ବିଦାୟ ଦେଇ, ଆଧୁନିକପନ୍ଥୀମାନେ ଗଣ ଜୀବନ ପ୍ରତି ଆକ୍ଷାଂକିତ ହେଲେ । ତେଣୁ ଗଣଭାଷାରେ, ଗଣର ଚିତ୍ର ଓ ସମସ୍ୟାକୁ ଗଣ ଚରିତ୍ର ମାଧ୍ୟମରେ, ଗଣଙ୍କ ନିକଟରେ ଉପସ୍ଥାପିତ କରିବା ଦିଗରେ ଆଗ୍ରହୀ ହୋଇ ଉଠିଥିବା ସାହିତ୍ୟକାରମାନେ ନୂତନ ଆଦର୍ଶ ପ୍ରତିଷ୍ଠା କଲେ ।

 

ବିଂଶ-ଶତକରେ ଆଦ୍ୟପାଦର ସାହିତ୍ୟର ପ୍ରାୟ ପ୍ରତିଟି ବିଭାଗରେ ଘୋର ପରିବର୍ତ୍ତନ ପରିଲକ୍ଷିତ ହେଲା । ଗଳ୍ପ, ଉପନ୍ୟାସ, କବିତା, ପ୍ରବନ୍ଧ ପ୍ରଭୃତି ପ୍ରତିଟି ବିଭାଗରେ ଓଡ଼ିଆ ଭଳି ନାଟ୍ୟଧାରାରେ ମଧ୍ୟ ଲକ୍ଷ୍ୟ କରାଗଲା ସେଇ ପରିବର୍ତ୍ତନର ଚିତ୍ରଛଟା । ତେଣୁ ନାଟକ କ୍ଷେତ୍ରରେ ରୋମାଣ୍ଟିକ ଭାବବଳୟର କ୍ରମାବସାନ ଘଟିଲା ଓ ସାମାଜିକ ଆଦର୍ଶ ଓ ବାସ୍ତବତା ପ୍ରତି ଉନ୍ମୁଖତା ପ୍ରକାଶ ପାଇଲା । ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ, ନାଟ୍ୟ ସୃଜନର ଆରମ୍ଭ ବେଳକୁ ସାହିତ୍ୟିକ ପାଣିପାଗ ଏପରି ଅବସ୍ଥା ଥିଲା ।

 

ଖ. ରାମଚନ୍ଦ୍ର ମିଶ୍ରଙ୍କ ପୂର୍ବବର୍ତ୍ତୀ ଓଡ଼ିଆ ନାଟ୍ୟଧାରା

ରାମଚନ୍ଦ୍ର ମିଶ୍ର ଜଣେ ନାଟ୍ୟକାର ଭାବରେ, ଓଡ଼ିଆ ନାଟ୍ୟ ଜଗତରେ ପ୍ରବେଶ କରିବା ବେଳକୁ, କଳାପ୍ରାଣ ଓଡ଼ିଆ ଜାତି ନିକଟରେ ନାଟ୍ୟକଳା କ୍ଷେତ୍ରରେ ଏକ ସୁଦୃଢ଼ ପରମ୍ପରା ପ୍ରତିଷ୍ଠିତ ହୋଇ ସାରିଥିଲା । ଓଡ଼ିଆ ନାଟ୍ୟଧାରାଟି ଲୋକନାଟକ ପୂର୍ବରୁ ଗତିକରି ଆଧୁନିକ ସ୍ତରରେ ଉପସ୍ଥିତ ହୋଇସାରିଥିଲା । ଓଡ଼ିଆ ନାଟ୍ୟ ସାହିତ୍ୟର ଆଦ୍ୟରୂପ ଲୀଳା, ତାମସା, ସୁଆଙ୍କ, ଫାର୍ସ, ଗୀତାଭିନୟ ଓ ଗୀତିନାଟ୍ୟାଦି ଭିତରୁ ଅଦ୍ଭୁତ ହୋଇ ବିଧିବଦ୍ଧ ରୂପରେଖ ପାଇବା ନିମିତ୍ତ ସୁଦୀର୍ଘକାଳ ଅତିବାହିତ ହୋଇଗଲା । ଓଡ଼ିଶାରେ ସଂସ୍କୃତନାଟ୍ୟ ପରମ୍ପରା ମଧ୍ୟ ଏକଦା ଆପଣାର ପ୍ରଭାବ ସୃଷ୍ଟି କରିଥିଲା । ମାତ୍ର ଉନଂବିଶ ଶତକର ଶେଷ ତିନି ଦଶନ୍ଧିରେ ଓଡ଼ିଆ ନାଟକ ରଚନା ଓ ମଞ୍ଚାୟନର ସୁନ୍ଦର ପରିବେଶ ପ୍ରସ୍ତୁତ ହେଲା ।

 

ଓଡ଼ିଆ ନାଟ୍ୟ ଜଗତର ଜଗମୋହନ ଲାଲ୍ ହିଁ ଥିଲେ ପ୍ରଥମ ନାଟ୍ୟକାର । ତାଙ୍କ ରଚିତ ‘ବାବାଜୀ’ (୧୮୭୭), ସତୀ (୧୭୮୬), ‘ପ୍ରୀତି’ ଓ ‘ବୃଦ୍ଧବିବାହ’ ଇତ୍ୟାଦି ନାଟକରେ ଜଗମୋହନଙ୍କ ସାମାଜିକ ସଂସ୍କାର ମନୋଭାବର ଆତ୍ମପ୍ରକାଶ ଘଟିଛି । ଗଭୀର ସାମାଜିକ ଅଭିଜ୍ଞତା ଓ ସଂସ୍କାର ପ୍ରୟାସୀ ମନୋଭାବ ନେଇ, ଜଗନ୍ମୋହନ ଓଡ଼ିଆ ନାଟ୍ୟଜଗତକୁ ଗୋଟିଏ ବିଧିବଦ୍ଧ ଶୈଳୀ ପ୍ରଦାନ କଲେ । ପରବର୍ତ୍ତୀ ନାଟ୍ୟକାର ଭାବରେ ନାଟ୍ୟକାର ରାମଶଙ୍କର ରାୟ ‘କାଞ୍ଚୀ କାବେରୀ’ (୧୮୮୦), ‘ବନବାଳା’, ‘ଯୁଗଧର୍ମ’ (୧୯୦୨), ‘କାଞ୍ଚନମାଳୀ’ (୧୯୦୪), ‘ଚୈତନ୍ୟଲୀଳା’ (୧୯୦୬), ‘କଂସବଧ’ (୧୮୯୬), ‘ରାମବନବାସ’ (୧୮୯୧), ‘ଲୀଳାବତୀ’ (୧୯୧୨), ଏବଂ ରାମାଭିଷେକ (୧୯୧୭) ପ୍ରଭୃତି ନାଟକ ରଚନା କରି ଓଡ଼ିଆ ନାଟ୍ୟ ସାହିତ୍ୟକୁ ବିଭିନ୍ନ ଦିଗରେ ସମୃଦ୍ଧ କରାଇଲେ । ଲାଲ୍ ଓ ରାୟ ରଙ୍ଗମଞ୍ଚର ପୃଷ୍ଠପୋଷକତା କଲେ ଏବଂ ନାଟକଗୁଡ଼ିକୁ ମଞ୍ଚସ୍ଥ କରାଇ ଓଡ଼ିଶାରେ ନାଟ୍ୟମୋଦୀମାନଙ୍କୁ ଆନନ୍ଦ ପ୍ରଦାନ କଲେ ।

 

ରାମଶଙ୍କରଙ୍କ ପ୍ରତିଷ୍ଠିତ ସରଣୀର ପରବର୍ତ୍ତୀ ପଥିକ ରୂପେ ଦୃଶ୍ୟ ହେଲେ ହରିହର ରଥ, କାମପାଳ ମିଶ୍ର, ଭିକାରୀଚରଣ ପଟ୍ଟନାୟନ, ଗୋପୀନାଥ ନନ୍ଦ, ରାଧାମୋହନ ଗଜେନ୍ଦ୍ର ଦେବ, ପଦ୍ମନାଭ ନାରାୟଣ ଦେବ, ଗୋବିନ୍ଦ ଚନ୍ଦ୍ର ଶୂରଦେଓ, ରାଜକୁମାର ବୀର ବିକ୍ରମଦେବ, ଏବଂ ଗୋଦାବରୀଶ ମିଶ୍ର ପ୍ରଭୃତି ନାଟ୍ୟକାରମାନେ । ହରିହର ରଥ ୧୮୯୯୮ ମସିହାରୁ ୧୯୧୨ ମସିହା ମଧ୍ୟରେ ‘ବେଣୀ ସଂହାର’, ‘ଶକୁନ୍ତଳା,’ ‘ରାମ ଜନ୍ମ ନାଟକ’, ସେତୁବନ୍ଧ, ‘ରାମାୟଣ ନାଟକ’, ‘ପରଶୁରାମ ବିଜୟ’, ‘ରାମ ନିର୍ବାସନ’, ‘ରାମାଭିଷେକ’, ‘ମହାପ୍ରସ୍ଥାନ’, ‘ରାବଣ ବଧ’ ଇତ୍ୟାଦି ମାଧ୍ୟମରେ ଉଲ୍ଲେଖନୀୟ କୃତିତ୍ଵ ପ୍ରଦର୍ଶନ କରିଛନ୍ତି । ଜଣେ ଅଭୀଜ୍ଞ ଅଭିନେତା ଭାବରେ ସେ ପୁରୀଠାରେ ‘ପୁରୀ ହିନ୍ଦୁ ଥିଓଟର ଦଳ’ ଗଠନ କରି ଏହା ମାଧ୍ୟମରେ ତାଙ୍କ ନାଟକଗୁଡ଼ିକୁ ମଞ୍ଚସ୍ଥ କରାଇ ରଂଗମଞ୍ଚର ଉନ୍ନତି ବିଧାନ କରିଥିଲେ ।

 

ସମକାଳରେ ଅନ୍ୟତମ ନାଟ୍ୟରଥି ଥିଲେ କାମପାଳ ମିଶ୍ର (୧୮୭୫-୧୯୨୭), ସୀତା ବିବାହ (୧୮୮୯) ଏବଂ ‘ଦୁର୍ଗାଶର୍ବରୀ’, ‘ବସନ୍ତଲତିକା’, ‘ହରିଶ୍ଚନ୍ଦ୍ର’ ପ୍ରଭୃତି ନାଟକ ମାଧ୍ୟମରେ ଓଡ଼ିଆ ନାଟକର ଶ୍ରୀ ବୃଦ୍ଧି କରିଥିଲେ । ‘ସୀତାବିବାହ’ ତାଙ୍କର ସର୍ବଶ୍ରେଷ୍ଠ ଜନପ୍ରିୟ ନାଟକ, ଯାହା ବାରମ୍ବାର ମଞ୍ଚସ୍ଥ ହୋଇ ଓଡ଼ିଆ ନାଟ୍ୟପ୍ରେମୀଙ୍କୁ ଆନନ୍ଦିତ କରିଥିଲା ।

 

ସେ କାଳର ଅନେକ ରାଜା ଓ ସାମନ୍ତ, ନାଟକ ରଚନା କରିବା ସହିତ, ନାଟ୍ୟମଞ୍ଚ ଗଠନ କରି, ନାଟ୍ୟାଭିନାୟ ନିମିତ୍ତ ପୃଷ୍ଠପୋଷକତା କରିଥିଲେ । ଏ ଦୃଷ୍ଟିରୁ ପାରଳାର ମହାରାଜା ଗୌରଚନ୍ଦ୍ର ଗଜପତି ନାରାୟଣ ଦେବ, ଏବଂ ଅନୁଜ ପଦ୍ମନାଭ ନାରାୟଣ ଦେବ ନାଟ୍ୟକାର ରୂପେ ଖ୍ୟାତି ଅର୍ଜନ କରିଥିଲେ । ଗୌରଚନ୍ଦ୍ର ଗଜପତି ପୁରାଣ କାହାଣୀ ଧ୍ରୁବ ଚରିତ ଅବଲମ୍ବନରେ ସୃଷ୍ଟି କରିଥିଲେ ‘ଧ୍ରୁବ ନାଟକ’ । ପଦ୍ମନାଭ ନାରାୟଣ ଦେବ (୧୮୭୨-୧୯୦୪) ଥିଲେ ବିଶିଷ୍ଠ ନାଟ୍ୟପ୍ରେମୀ ଏବଂ ସେ ‘ପଦ୍ମନାଭ ରଙ୍ଗାଳୟ’, ନିର୍ମାଣ କରାଇ, ସେ ‘ସଂଗୀତ ପ୍ରଲ୍ଲାଦ ନାଟକ’ (୧୯୦୧) ରେ ରଚନା କରି, ଏହାର ଅଭିନୟ କରାଇ ପ୍ରଶଂସା ଭାଜନ ହୋଇଥିଲେ । ‘ଚନ୍ଦ୍ରାବଥୀ ସ୍ଵୟଂବର ’, ‘ଅହଲ୍ୟା ଶାପ ମୋଚନ’, ‘ତାରକା ସଂହାର’ ଏବଂ ‘ଦାନ ପରୀକ୍ଷା’ ନାଟକଗୁଡ଼ିକ ତାଙ୍କ ନାଟ୍ୟ ପ୍ରତିଭାର ଯଥାର୍ଥ ନିଦର୍ଶନ ।

 

ଖଡ଼ିଆଳର ରାଜକୁମାର ବୀର ବିକ୍ରମାଦିତ୍ୟ ‘ବିକ୍ରମଥିଏଟର’ ପ୍ରତିଷ୍ଟା କରି, ଏହା ମାଧ୍ୟମରେ ସ୍ଵରଚିତ ‘ପ୍ରେମଲତା’, ‘କୁସୁମ ସୁନ୍ଦରୀ’, ‘ଭ୍ରାତୃସ୍ନେହ’, ‘ହରିଶ୍ଚନ୍ଦ୍ର’, ‘ଅମ୍ବିକା’, ‘ଦେବୀ’, ‘ବୃଦ୍ଧ ବିବାହ’, ‘ଉତ୍କଳ ଦୁର୍ଦ୍ଦଶା’ ଇତ୍ୟାଦି ଅନେକ ନାଟକ ମଞ୍ଚସ୍ଥ ରଚନା କରାଇ ଉଲ୍ଲେଖନୀୟ କୃତିତ୍ଵ ପ୍ରଦର୍ଶନ କରିଥିଲେ । ପ୍ରେମ, ଆଦର୍ଶ ଓ ସାମାଜିକ ଜୀବନଧାରାକୁ ଉଦ୍ଭାସିତ କରାଇଥିବା ତାଙ୍କ ନାକଟ ଗୁଡ଼ିକ, ନାଟ୍ୟାମୋଦୀମାନଙ୍କ ଦ୍ଵାରା ବେଶ ଆଦୃତ ଥିଲା ।

 

ଗୋପୀନାଥ ନନ୍ଦ (୧୮୬୯-୧୯୨୪) ‘ସୀତା ବନବାସ’ (୧୯୦୭), ‘ବିକ୍ରମୋର୍ବଶୀୟ ନାଟକ’ (୧୯୦୯), ‘ଦ୍ରୌପଦୀ ବସ୍ତ୍ର ହରଣ ନାଟକ’, (୧୯୦୮), ‘ରାମାଶ୍ଵମେଧ ନାଟକ’ (୧୯୧୩), ‘ଉନ୍ମତ୍ତରାଘବ ନାଟକ’ (୧୯୧୫), ଏବଂ ‘ଜାନକୀ ପରିଣୟ ନାଟକ’ (୧୯୧୫) ରଚନା କରି ଓଡ଼ିଆ ନାଟ୍ୟ କଳାକୁ ସଂବୃଦ୍ଧ କରିଥିଲେ । ‘ସୀତା ବନବାସ ତାଙ୍କର ସର୍ବ ଶ୍ରେଷ୍ଟ କୃତି’ । ପୁରାଣ ପୃଷ୍ଠାରୁ କାହାଣୀ ଚୟନ କରି, ଏସବୁର ନାଟ୍ୟ ରୂପ ପ୍ରଦାନ କରିବାରେ ସେ ଥିଲେ ଧୂରୀଣ ସ୍ରଷ୍ଟା ।

 

ଚିକିଟୀର ରାଜା କିଶୋର ଚନ୍ଦ୍ର ରାଜେନ୍ଦ୍ର ଦେବ ରୂପ ଗୋସ୍ଵାମୀଙ୍କ ରଚିତ ସଂସ୍କୃତ ନାଟକ ବିଦଗ୍ଧ ମାଧବ (୧୯୧୦) ର ଓଡ଼ିଆ ରୂପାନ୍ତର ଘଟାଇ, ଏହାର ଅଭିନୟ କରାଇ ପ୍ରଶଂସାହ ହୋଇଥିଲେ । ତାଙ୍କ ପୁତ୍ର ରାଧାମୋହନ ରାଜେନ୍ଦ୍ର ଥିଲେ ଏକାଧାରାରେ ଜଣେ ନାଟ୍ୟକାର ଓ ସଂଗୀତକାର । ତାଙ୍କ ରଚିତ ଅଭିନୀତ ନାଟକ ଥିଲା ‘ପ୍ରେମ ତରଙ୍ଗ’ । ଏହା ବ୍ୟତୀତ ‘ପରିମଳା ସହ ଗମନ’, ‘ପାଞ୍ଚାଳୀ ପଟ୍ଟାହରଣ’ ଏବଂ ପାଣ୍ଡବ ବନବାସ ପ୍ରଭୃତି ପୌରାଣିକ ନାଟକ ତାଙ୍କ କୃତିତ୍ଵର ସ୍ମାରକୀ । ଇତିହାସ ଭିତ୍ତିକ କଥା ବସ୍ତୁ ଆଧାରରେ ସେ ସୃଷ୍ଟି କରିଛନ୍ତି ‘ଶ୍ରୀ ପ୍ରତାପ ନାଟକ’ ଓ ପ୍ରକୃତ ପରିଣୟ ନାଟକ । ତାଙ୍କ ନାଟକଗୁଡ଼ିକ ଅପେକ୍ଷାକୃତ ଭାବରେ ଅନ୍ୟାନ୍ୟ ନାଟ୍ୟକାରଙ୍କ ନାଟକ ତୁଳନାରେ ସାହିତ୍ୟିକ ନ ହୋଇ, ନାଟକୀୟତା ପ୍ରକାଶରେ ତତ୍ପର ।

 

ସମକାଳର ଜଣେ ନାଟ୍ୟକାର ପାର୍ବତୀ ଚରଣ ଦାସଙ୍କ ଶ୍ରୀ ପ୍ରତାପ ରୁଦ୍ର ନାଟକ ସଂପୂର୍ଣ୍ଣ ସଂସ୍କୃତ ନାଟ୍ୟଶୈଳୀରେ ରଚିତ ହୋଇ ଢେଙ୍କାନାଳର ଯୁବରାଜ ରଙ୍ଗାଳୟରେ ଅଭିନୀତ ହୋଇଥିଲା । ସଢ଼େଇକଳାର ରାଜା ଆଦିତ୍ୟ ପ୍ରସାଦ ସିଂ ଦେବ ‘ଶୈବ୍ୟା’ (୧୯୧୭) ନାଟକ ରଚନା କରି, । ସଢ଼େଇକଳା ଶ୍ରୀକକା ପୀଠରେ ଏହାକୁ ମଞ୍ଚସ୍ଥ କରାଇ ଥିଲେ । ଏହା ଥିଲା ପଞ୍ଚାଙ୍କ ନାଟକ । ‘ଧ୍ରୁବତପସ୍ୟା’ (୧୯୧୭) ଏବଂ ସତ୍ୟ ବିଜୟ (୧୯୨୮), ଇତ୍ୟାଦି ନାଟକ ନାଟ୍ୟକାର ଦାମୋଦର ମିଶ୍ରଙ୍କ ନାଟ୍ୟରଚନା ରୀତିରେ ଉପଯୁକ୍ତ ପରିଚୟ ପ୍ରଦାନ କରିଥାଏ । ସଂକ୍ଷିପ୍ତ ଦୃଶ୍ୟ ସଂଯୋଜନା ଓ ତାଙ୍କ ନାଟ୍ୟଗୁଡ଼ିକ ଅଧିକ ସଫଳ କରିଥାଏ ।

 

ନାଟ୍ୟକାର ଭାଗୀରଥି ମହାପାତ୍ର, ସଂଶିତ ସମୟରେ ଭଦ୍ରକ ଅଞ୍ଚଳର ରାଧା ବୃନ୍ଦାବନ ଚନ୍ଦ୍ର ନାଟ୍ୟ ଦଳ’ ମାଧ୍ୟମରେ ‘ସୀତା ବନବାସ ’(୧୯୨୮), ଭକ୍ତମଣି (୧୯୨୯), ‘ପ୍ରଭାସ ମିଳନ’ (୧୯୩୧), ଇତ୍ୟାଦି ନାଟକ ରଚନା କରି ଓ ଅଭିନୟ କରାଇ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ । ସୁଦାମ (୧୯୨୮), ‘ବିଲ୍ଵମଙ୍ଗଳ’ (୧୯୨୯),‘ରଘୁ ଅରକ୍ଷିତ’ (୧୯୩୪) ଇତ୍ୟାଦି ଅନେକ ଭକ୍ତିରସାତ୍ମକ ନାଟକ ରଚନା କରିଥିଲେ ରାମଚନ୍ଦ୍ର ମହାପାତ୍ର । ଶ୍ରୀରାଧା କୃଷ୍ଣ ଥିଏଟର ଦଳ ଓ ଜଗନ୍ନାଥ କ୍ଲବରେ ଏଗୁଡ଼ିକ ବାରମ୍ବାର ଅଭିନୟ କରାଇ ସେ ଖ୍ୟାତି ଅର୍ଜନ କରିଥିଲେ ।

 

ଏଇ ସମୟରେ ଅନ୍ୟାନ୍ୟ ନାଟ୍ୟକାର ସେମାନଙ୍କ ନାଟ୍ୟକୃତି ରୂପେ ପ୍ରକାଶିତ ଓ ଅଭିନୀତ ନାଟକଗୁଡ଼ିକ ମଧ୍ୟରେ ନାରାୟଣ ପ୍ରସାଦ ମିତ୍ରଙ୍କ ମଧ୍ୟରେ ‘ପାରିଜାତ ହରଣ’ (୧୯୮୮) ଗୌରବ ବଲ୍ଲଭ ପଟ୍ଟନାୟକଙ୍କ ‘ମହାଜନ ଫାର୍ଶ’, ସୋନପୁରର ରାଜା ବୀରମିତ୍ରୋଦୟ ସଂହଦେବଙ୍କ ‘ରତ୍ନାବଳୀ’ (୧୮୯୦), ‘ଅଭିଜ୍ଞାନ ଶକୁନ୍ତଳମ୍‍’ (୧୯୦୦), ଖଣ୍ଡପଡ଼ାର ରାଜକୁମାର ମହେନ୍ଦ୍ର ସିଂହସାମନ୍ତଙ୍କ ‘ବୃନ୍ଦାବନ ଚନ୍ଦ୍ର ବିନୋଦ’, ହରିହର ପଣ୍ଡାଙ୍କର ‘ରାମଜନ୍ମ’ (୧୯୦୧) ଶ୍ୟାମ ସୁନ୍ଦର ଷାଠିଆଙ୍କ ‘ଦୁର୍ଯ୍ୟୋଧନ ଉରୁଭଙ୍ଗ’ (୧୯୦୧), ‘ମେଘନାଦ ବଧ’ (୧୯୦୩), ‘ସଂଯୁକ୍ତା’ (୧୯୦୬), ପଣ୍ଡିତ ମୃତ୍ୟୁଞ୍ଜୟ ରଥଙ୍କ ସଂସ୍କୃତ ସାହିତ୍ୟରୁ ଅନୂଦିତ ‘ବିକ୍ରମୋର୍ବଶୀୟମ୍‍’, ‘ମୁଦ୍ରାରାକ୍ଷସ ’,ସହିତ ସ୍ଵରଚିତ ‘ନାଗାନନ୍ଦ’, ‘ମାଳତୀ ମାଧବ’, ‘ବେଣୀ ସଂହାର’, ଚନ୍ଦ୍ରଶେଖର ପାଣିଙ୍କ ‘ବାଲୁକା ପିଣ୍ଡ ନାଟକ’ (୧୯୦୧), ‘ଇନ୍ଦିରା ପରିଣୟ’ (୧୯୧୧), ଘନଶ୍ୟାମ ମିଶ୍ରଙ୍କ ‘ଭାରତ ସାବିତ୍ରୀ ନାଟକ’ (୧୯୦୧), ‘ମାନଗୋବିନ୍ଦ ମିଶ୍ରଙ୍କ ମହାରାଜା ଗୋପିଚନ୍ଦ୍ର ନାଟକ’ (୧୯୧୨), ଜ୍ୟୋର୍ତିନ ମୁଖାର୍ଜିଙ୍କ ‘ରାଜା ସୁରଥ’ (୧୯୧୬), ଇନ୍ଦ୍ରଦ୍ୟୁମ୍ନ (୧୯୨୬) ଇତ୍ୟାଦିର ଗୁରୁତ୍ଵ ସ୍ମରଣୀୟ ହୋଇ ରହିଛି।

 

ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କ ୧୯୧୭ ମସିହାରେ ଗଠିତ ରାସଦଳ ଓ ବାସନ୍ତୀରଙ୍ଗମଞ୍ଚର ପୃଷ୍ଟପୋଷକତାରୁ ଅନେକ ନାଟକ ଅଭିନୀତ ହେଉଥିଲା । ଅନେକ ଗୀତିନାଟ୍ୟ ଓ ରାସଲୀଳା ରଚନା କରି ଶୂରଦେଓ ଓଡ଼ିଆ ନାଟ୍ୟାମୋଦୀମାନଙ୍କୁ ତୃପ୍ତ କରିଥିଲେ । ଏଇ କ୍ରମରେ ଓଡ଼ିଆ ନାଟ୍ୟକାର ଆଦିପର୍ବରେ ଅନେକ କୃତ୍ୟବିଦ୍ୟ ନାଟକାର ଏବଂ କଳାପ୍ରେମୀ ପୃଷ୍ଟପୋଷକମାନଙ୍କ ମଧ୍ୟରେ ନିଷ୍ଠାପର ଉଦ୍ୟମ ଫଳରେ ପୁରାଣ ପରମ୍ପରା, ବୈଷ୍ଣବଧର୍ମ ଓ ଭକ୍ତିବାଦକୁ ନେଇ ନାଟ୍ୟରୂପ ପ୍ରଦାନ କରାଯାଇଥିଲା । ଏହା ଫଳରେ ଓଡ଼ିଆ ନାଟ୍ୟ ସାହିତ୍ୟ, କ୍ରମେ ପୁରାଣ ପରମ୍ପରା ଭିତରୁ ବିମୁକ୍ତ ହେବାକୁ ସଚେଷ୍ଟା କଲେ । ଏବଂ ମଧ୍ୟ ପର୍ବର ନାଟ୍ୟକାରମାନେ ଏଇ ପ୍ରୟାସକୁ ସଫଳ କରିବାକୁ ଆଗେଇ ଆସିଲେ ।

 

ଓଡ଼ିଆ ନାଟ୍ୟ ସାହିତ୍ୟକୁ ଧର୍ମ ପୁରାଣ ପରମ୍ପରା ବଳୟରୁ, କ୍ରମଶଃ ଇତିହାସ ଓ ଜାତୀୟ ଚେତନା ପ୍ରତି ଉନ୍ମୁଖ କରିବା ଦିଗରେ ନାଟ୍ୟକାର ଭିକାରୀ ଚରଣ ପଟ୍ଟନାୟକ ଏବଂ ଅଶ୍ଵନୀ କୁମାର ଘୋଷଙ୍କ ପ୍ରମୁଖ ଉଦ୍ୟମ ପ୍ରଶଂସନୀୟ । । ‘କଟକ ବିଜୟ ’(୧୯୦୧), ‘ରତ୍ନମାଳୀ ’(୧୯୧୫), ‘ନନ୍ଦିକେଶ୍ଵରୀ ’(୧୯୧୫),‘ସଂସାର ଚିତ୍ର ’(୧୯୧୫), ସୁଶୀଳା (୧୯୧୭)ରାଜା ପୁରୁଷୋତ୍ତମ ଦେବ (୧୯୨୫) ଇତ୍ୟାଦି ନାଟକଗୁଡ଼ିକରେ ଭିକାରୀ ଚରଣ ଜାତୀୟଭାବନା ଓ ସଂସ୍କାରକାମିତା ସହିତ ଇତିହାସ ପ୍ରତି ଗଭୀର ସଂସ୍କାର ପ୍ରଦର୍ଶନ କଲେ । ଏହା ସହିତ ମଧ୍ୟ ସେ ପୁରାଣଚେତନାର ଅପସାରଣ ଘଟାଇ ଐତିହାସିକ ଏବଂ ଜତୀୟତା ବୋଧ ପ୍ରତି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରାଇଲେ ।

 

ସ୍ଵକୀୟ ସାଧନା ବଳରେ ନାଟ୍ୟକାର ଅଶ୍ଵିନୀକୁମାର ଘୋଷ ଓଡ଼ିଆ ନାଟ୍ୟ ସାହିତ୍ୟର ଅସାମାନ୍ୟ ଉପକାର ସାଧନ କରିଛନ୍ତି । ନାଟ୍ୟକୃତ୍ତି ନିମିତ୍ତ ‘ନାଟ୍ୟରତ୍ନାକର’, ‘ନାଟ୍ୟଭାରତୀ ’ ଓ ‘ନାଟ୍ୟ ସମ୍ରାଟ’ ଉପାଧିପ୍ରାପ୍ତ ଅଶ୍ଵିନୀ କୁମାର ଥିଲେ । ତାଙ୍କ ସମୟର ଅପ୍ରତିନ୍ଦ୍ଵଦୀ ନାଟ୍ୟକାର । ନାଟ୍ୟରଚନା, ନାଟ୍ୟ ସଂଗଠନ ଓ ମଞ୍ଚର ପୃଷ୍ଟପୋଷକତା କରି, ଓଡ଼ିଆ ନାଟକର ବିକାଶ ନିମିତ୍ତ ସେ ଅସାମାନ୍ୟ କର୍ତ୍ତବ୍ୟ ସଂପାଦନ କରିଛନ୍ତି । ‘ଭୀଷ୍ମ’ (୧୮୧୫),. ‘ସାବିତ୍ରୀ’ (୧୯୧୭),‘ସାଲବେଗ’ (୧୯୩୩), ‘ରାମଦାସ’ (୧୯୩୩), ‘ରଘୁ ଅରକ୍ଷିତ’ (୧୯୩୭), ‘ବନ୍ଧୁ ମହାନ୍ତି’ (୧୯୪୫),‘ଶ୍ରୀମନ୍ଦିର’, ‘ଚଣ୍ଡାଳୁଣୀ’, ‘ଶ୍ରୀ ସତ୍ୟ ନାରାୟଣ’, ଜାନକୀ, ‘ସେଓଜୀ’ (୧୯୧୮), କଳାପାହାଡ଼ (୧୯୨୨), ‘ଗୋବିନ୍ଦ ବିଦ୍ୟାଧର’ (୧୯୨୨), ‘ଉତ୍କଳ ଗୌରବ (୧୯୩୨),’ ‘କେଶରୀ ଗଙ୍ଗ ’, କୋଣାର୍କ (୧୯୨୭), ‘ଓଡ଼ିଶା ଝିଅ’, ‘ସମଲେଶ୍ୱରୀ’, ‘କପିଳେନ୍ଦ୍ର ଦେବ’, ‘ପାଇକ ପୁଅ’, ‘ତାଜ ମହଲ’, ଭଙ୍ଗ ଭୁଜଙ୍ଗ, ‘ଭୁବନେଶ୍ଵର’, ହିନ୍ଦୁ ରମଣୀ, ‘ଇରାନୀ’, ‘ମାଷ୍ଟର ବାବୁ’, ‘ଭାଇ’, ‘ଶ୍ରୀ ଲୋକନାଥ’, ‘ଅଭିନୟ’, ‘ଦୁଃଖେ ସୁଖେ’, କଇଦୀ, ‘ସୁନା ଭାଉଜ’ ପ୍ରଭୃତି ଅନେକ ପୌରାଣିକ, ଐତିହାସିକ ଓ ସାମାଜିକ ନାଟକ ରଚନା କରି, ଓଡ଼ିଆ ନାଟକ ଜଗତକୁ ପ୍ରୋଜ୍ଜଳ କରିଥିଲେ । ଉଭୟ ଗୁଣ ଓ ପରିମାଣ ଦୃଷ୍ଟିରୁ ଅଶ୍ଵନୀକୁମାରଙ୍କ କୃତିତ୍ଵ ଅନତିକ୍ରମ ହୋଇ ରହିଛି ।

 

ଅଶ୍ଵିନୀକୁମାର ଘୋଷ ପ୍ରମୁଖଙ୍କ ଉଦ୍ୟମରେ ଓଡ଼ିଆ ନାଟକ ସାମାଜିକ ପର୍ବରେ ପଦାର୍ପଣ କଲା । ଗୋଦାବରୀଶ ମିଶ୍ର ‘ପୁରୁଷୋତ୍ତମ ଦେବ ’ ଓ ‘ମୁକୁନ୍ଦ ଦେବ’ ନାଟକ ରଚନା କରି ଓଡ଼ିଆ ଜାତୀୟତାକୁ ତ୍ଵରାନ୍ଵିତ କରାଇଲେ । ମହୁରୀର ଯୁବରାଜ କୃପାସିନ୍ଧୁ ପଟ୍ଟଦେବ ‘ମହୁରୀ ପତନ’ ନାମକ ଐତିହାସିକ ନାଟକ ରଚନା କରିଥିଲେ । କାଳୀଚରଣ ପଟ୍ଟନାୟକ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ବାଳକୃଷ୍ଣକର, ଡକଟର ହରେକୃଷ୍ଣ ମହତାବ, ଡକ୍‍ଟର ମାୟାଧର ମାନସିଂହ, ବିଜୟ ପ୍ରତାପ ସିଂହ ଦେବ, ରମାରଞ୍ଜନ ମହାନ୍ତି, କୁଳମଣି ଦାଶ, କେଶବ ଚନ୍ଦ୍ର ମିଶ୍ର, ଚୂଡ଼ାମଣୀ ନାୟକ, ହରିହର ମିଶ୍ର, ହରିଶ୍ଚନ୍ଦ୍ର ବଡ଼ାଲ ପ୍ରମୁଖ ଅନେକ ନାଟ୍ୟକାରଙ୍କ ଉଦ୍ୟମରେ ଓଡ଼ିଆ ନାଟ୍ୟ ସାହିତ୍ୟ ବିଭିନ୍ନ ଭାବରେ ଋଦ୍ଧିମନ୍ତ ହୋଇଛି ।

 

ଓଡ଼ିଆ ନାଟ୍ୟ ସାହିତ୍ୟର ପ୍ରାରମ୍ଭିକ ପର୍ବର ନାଟ୍ୟଧାରା କ୍ରମଶଃ ପରିବର୍ତ୍ତିତ ହୋଇ, ପୁରାଣ ପରମ୍ପରାରୁ ବିମୁକ୍ତ ହେଲା । ଇତିହାସଆମୁଖତା, କ୍ରମେ ନାଟକରେ ପ୍ରଦର୍ଶିତ ହୋଇ, ଓଡ଼ିଆ ଜାତି ନିକଟରେ ଜାତୀୟତାବୋଧର ସ୍ପନ୍ଦନ ସୃଷ୍ଟି କଲା । ପରେ ପରେ ସାମାଜିକ ସଂସ୍କାରଗୁଡ଼ିକୁ ସାହିତ୍ୟ, ନିଜ ଭିତରେ ଅଙ୍ଗୀଭୁତ କରିବା ସହିତ, ଓଡ଼ିଆ ନାଟକକୁ ପୁରାଣ, ଇତିହାସ, କଳ୍ପନା ଜଗତରୁ ଆଣି, ସାମାଜିକ ସ୍ତରରେ ପହଞ୍ଚାଇ ଦେଲେ । ନାଟ୍ୟକାର ରାମଚନ୍ଦ୍ର ମିଶ୍ର ପ୍ରଭୁତ ନାଟକ ପ୍ରସ୍ତୁତ କରି ସାରିବା ପରେ, ଓଡ଼ିଆ ନାଟ୍ୟଧାରା ସାମାଜିକ ପର୍ବରେ ପାଦ ଥାପି ସାରିଥିଲା । ଏଇ ସମୟର ପ୍ରମୁଖ ନାଟ୍ୟକାରମାନଙ୍କ ମଧ୍ୟରେ ଅଧିକାଂଶ ନାଟ୍ୟକାରଙ୍କ ନାଟ୍ୟକୃତି ମଞ୍ଚାୟନ ନିମିତ୍ତ ଅନୁପଯୁକ୍ତ ହୋଇ, କେବଳ ସାହିତ୍ୟ ଭିତରେ ସୀମିତ ରହିଥିଲା । ମାତ୍ର ସଂଶିତ ସମୟରେ ଜଣେ ପ୍ରଖ୍ୟାତ ଓ ପଥିତଯଶା, ନାଟ୍ୟକାର ଥିଲେ କାଳୀଚରଣ ପଟ୍ଟନାୟକ, ଯେ ଗୀତାଭିନୟ ଗୀତିନାଟ୍ୟ, ଓ ଲୀଳା ପ୍ରଭୃତିରୁ ଆପଣାର ନାଟ୍ୟ ଜୀବନ ଆରମ୍ଭ କରିଥିଲେ ବି, ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଆ ନାଟକକୁ ନୂତନ ଦିଶା ପ୍ରଦାନ କରିବା ସହିତ ଆପଣା ପ୍ରତିଭାର ବିନିଯୋଗ ଘଟାଇ, ଏଥିରେ ଅସାମାନ୍ୟ ସଫଳତା ଲାଭ କରିଥିଲେ ।

 

କାଳୀଚରଣ ଏକାଧାରାରେ ଥିଲେ ଜଣେ ନାଟ୍ୟକାର, ସଂଗୀତଜ୍ଞ,, ନିର୍ଦ୍ଦେଶକ ଅଭୀନେତା । ଏଇ ଚତୁର ଓ ଅଭିଜ୍ଞ ନାଟ୍ୟଶିଳ୍ପୀ, ନାଟକର ଯାବତୀୟ ଶିଳ୍ପ ପ୍ରବିଧି ସହିତ ଘନିଷ୍ଟ ଭାବରେ ସଂପୃକ୍ତ ଥିଲେ । ଲୋକ ନାଟକ ପରମ୍ପରା ସହିତ ଅତି ମାତ୍ରରେ ଜଡ଼ିତ କାଳୀଚରଣ, ଓଡ଼ିଆ ନାଟକକୁ କ୍ରୁତିମତା ବର୍ଜିତ କରାଇ, ଏହାର ସଂଗୀତ ସଂଳାପ, ଏବଂ ପ୍ରଯୋଜନା ଇତ୍ୟାଦି ସକଳ ଦିଗରେ ସ୍ଵାଭାବିକତା ସୃଷ୍ଟି କଲେ । ରାସଲୀଳାରୁ ଅସି ସେ ସୃଷ୍ଟି କଲେ ସେ ‘ଗାର୍ଲସ୍କୁଲ’ ।

 

‘ବନବିହାର’, ‘ବାଂଶରୀ ବିଳାସ’, ‘କୌତୁକ ଚିନ୍ତାମଣି’, ‘ଦିବ୍ୟାବଳୀ’, ‘ପ୍ରୀତି ସୁଧାକର’, ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’, ଲକ୍ଷ୍ମୀ, ମାନୀନୀ, ‘ଧ୍ରୁବ ’, ‘ହରିଶ୍ଚନ୍ଦ୍ର’, ମୃଗୟା, ‘ଶକୁନ୍ତଳା’, ଏବଂ ‘ପ୍ରତିଶୋଧ’ ଇତ୍ୟାଦି ପାରମ୍ପରିକ ଶୈଳୀରେ ନାଟ୍ୟ ସୃଷ୍ଟି କରାଇ ମାଧ୍ୟମରେ ସ୍ଵକୀୟ ସ୍ଵାତନ୍ତ୍ର୍ୟ ରକ୍ଷା କରିଥିବା ନାଟ୍ୟାଚାର୍ଯ୍ୟ କାଳୀଚରଣ ୧୯୩୯ ମସିହାରେ ‘ଗାର୍ଲସ୍କୁଲ’ ମାଧ୍ୟମରେ ଆପଣାର ସୃଜନ କର୍ମର ଅଭିନବତା ପ୍ରକାଶ କଲେ । ସଂଶିତ ସମୟରେ କଟକରେ ‘ଓଡ଼ିଶା ଥିଏଟସ’ ଦ୍ଵାରା ଗାର୍ଲସ୍କୁଲର ଅଭିନୟ ଏବଂ ଏହାକୁ ଉପଭୋଗ କରିବାକୁ ଦର୍ଶକମାନଙ୍କର ଉଚ୍ଛ୍ଵସିତ ପ୍ରଶଂସା, କାଳୀଚରଣଙ୍କ ପାଇଁ ଯେତେ ସୌଭାଗ୍ୟଦାୟକ ନ ଥିଲା, ଓଡ଼ିଶାର ସେଇ ସମୟର ମନ୍ତ୍ରୀ, ଯନ୍ତ୍ରୀ, ତନ୍ତ୍ରୀ ଓ ଶିକ୍ଷିତ ଓ ଆଭିଜାତ ବର୍ଗ ଏଇ ପ୍ରଣୟ ପ୍ରଧାନ ନାଟକ ଦେଖି, ଏହାର ଭୂୟସୀ ପ୍ରଶସ୍ତି ଗାନ କରିବା ଥିଲା ଅଧିକ ଆନନ୍ଦ ଦାୟକ ।

 

ନାଟ୍ୟକାର ରାମଚନ୍ଦ୍ର ମିଶ୍ର ଓଡ଼ିଆ ନାଟ୍ୟ ଜଗତରେ ନାଟ୍ୟ ରଚନା ନିମିତ୍ତ ପ୍ରବେଶ କରିବା ପୂର୍ବରୁ, ଓଡ଼ିଶାର ସଂବୃଦ୍ଧ ନାଟ୍ୟ ପରମ୍ପରା ପ୍ରତି ଦୃଷ୍ଟିପାତ କରିଥିଲା । ଉପରୋକ୍ତ ନାଟ୍ୟ ବିକାଶ ଭିତରେ ରାମଚନ୍ଦ୍ରଙ୍କ ନାଟ୍ୟ-ମାନସ, ଓଡ଼ିଶାର ନାଟ୍ୟଧାରା ପ୍ରତି ସତତଃ ସତର୍କ ଦୃଷ୍ଟିପାତ କରିଥିଲା । ବ୍ୟକ୍ତିଗତ ଭାବରେ ବାଲ୍ୟକାଳରୁ ରାମଚନ୍ଦ୍ର ମିଶ୍ର ଥିଲେ ନାଟ୍ୟ ଅନୁରାଗୀ । ନାଟକ ଦେଖିବା, ଏବଂ ଏହାର ଭଲମନ୍ଦ ଦିଗ ପ୍ରତି ସତର୍କ ରହି ଏସବୁର ଆଲୋଚନା କରିବାରେ ରାମଚନ୍ଦ୍ର ଥିଲେ ଆଗ୍ରହୀ । ଏଇ କ୍ରମରେ କାଳୀଚରଣଙ୍କ ରଚିତ ନାଟକଗୁଡ଼ିକ ଦେଖି, ଏହାର ତ୍ରୁଟିପୂର୍ଣ୍ଣ ଦିଗ ପ୍ରତି ସତର୍କ ଦୃଷ୍ଟି ଦେଇ, । ରାମଚନ୍ଦ୍ର ଏ ସବୁର ଆଲୋଚନା କରୁଥିଲେ । ବିଶେଷକରି ରାମଚନ୍ଦ୍ର ମିଶ୍ର ନାଟକ ରଚନା କରିବା ପୂର୍ବରୁ ନିୟମିତ ନାଟକ ଦେଖିବା ଓ ଦେଖିଥିବା ନାଟକ ଗୁଡ଼ିକରେ ରଚନାଗତ ଓ ମଞ୍ଚାୟନଜନିତ ଦିଗଗୁଡ଼ିକ ପ୍ରତି ସଜାଗ ରହିବାରେ ଅଭ୍ୟସ୍ତ ହୋଇ ସାରିଥିଲେ । ତାଙ୍କ ଭିତରର ସର୍ଜନଶୀଳ ସତ୍ତାଟି କ୍ରମେ ନାଟକ ରଚନା ପ୍ରତି ଅଧିକ ସତର୍କ, ସଜାଗ, ଆବେଗପୂର୍ଣ୍ଣ ଦୃଷ୍ଟି ସଂପାତ କରୁଥିବା ପ୍ରସଙ୍ଗକୁ ସ୍ଵୀକାର କରାଯିବ ।

 

***

 

।। ଦୁଇ ।।

ନାଟ୍ୟକାର ରାମଚନ୍ଦ୍ର : ସଂକ୍ଷିପ୍ତ ଜୀବନାଲେଖ୍ୟ

 

ରାମଚନ୍ଦ୍ର ମିଶ୍ରଙ୍କ ନାଟ୍ୟମାନସକୁ ବିଚାର କରିବା ପୂର୍ବରୁ ତାଙ୍କ ସମୟର ସମାଜ, ସଂସ୍କୃତି, ଇତ୍ୟାଦି ପ୍ରତି ଦୃଷ୍ଟି ଦିଆଯିବା ଯେତେ ଆବଶ୍ୟକ, ତତୋଃଧିକ ଭାବରେ ଆବଶ୍ୟକ, ତାଙ୍କ ସଂକ୍ଷିପ୍ତ ଜୀବନାଲେଖ୍ୟ ପ୍ରତି ସତର୍କତା । ଜଣେ ସ୍ରଷ୍ଟାଙ୍କୁ ଏବଂ ତାଙ୍କର ଜୀବନ ପରିଧିକୁ ନିରୀକ୍ଷଣ ନ କଲେ, ତାଙ୍କ ସୃଜନ କର୍ମର ଉପଯୁକ୍ତ ମୂଲ୍ୟାୟନ ହୁଏତ ସମ୍ଭବ ହୋଇ ନପାରେ । ଏଇ ପରିପ୍ରେକ୍ଷୀରେ ରାମଚନ୍ଦ୍ର ମିଶ୍ରଙ୍କର ଜନ୍ମ ସଂପର୍କରେ ସଂକ୍ଷେପରେ ଆଲୋକପାତ କରାଯିବା ନିହାତି ଆବଶ୍ୟକ ।

 

କ. କୁଆଁରବ

ଅତୀତର ଅବିଭକ୍ତ ପୁରୀ ବା ବର୍ତ୍ତମାନର ନୟାଗଡ଼ ଜିଲ୍ଲାର ଶୈଳକାନନ – ଘେରା ପ୍ରାକୃତିକ ସୁଷମା ଶୋଭିତ, ସ୍ଵଚ୍ଛନୀରା, ମହାନଦୀର ସାତକୋଶିଆ ଗଣ୍ଡ ନିକଟସ୍ଥ ଭୂମି ଖଣ୍ଡ, ଦଶପଲ୍ଲାର କୁଞ୍ଜବନଗଡ଼, ନାଟ୍ୟକାର ରାମଚନ୍ଦ୍ରଙ୍କ ଭଳି ଜଣେ ସ୍ରଷ୍ଟା ପୁରୁଷଙ୍କର ପବିତ୍ର ଜନ୍ମପୀଠ-। ଗୋଟାଏ ସଂଭ୍ରାନ୍ତ ଏବଂ କୁଳୀନ ପରିବାରରେ ପିତା ସ୍ଵର୍ଗତ ରାଧାରାଣୀଙ୍କ ଗର୍ଭରୁ ଜନ୍ମ ନେଲେ ରାମଚନ୍ଦ୍ର । ସମୟ ଥିଲା ୧୯୨୦ ମସିହା, ମାସ ଥିଲା ଅକ୍ଟୋବର ଏବଂ ତାରିଖ ଥିଲା ବାର । ଗୋଟାଏ ପବିତ୍ର ଲଗ୍ନରେ ଜନ୍ମ ନେଲେ ରାମଚନ୍ଦ୍ର । ପିତା ବିଦ୍ୟାଧର ଥିଲେ ବୃତ୍ତି ଜୀବନରେ ଜଣେ ଆଦର୍ଶ ଶୀକ୍ଷକ, ପ୍ରବୃତ୍ତିରେ କିନ୍ତୁ ଥିଲେ ନିଷ୍ଠାପର କଳା-ସାହିତ୍ୟାନୁରାଗୀ ଏବଂ ପ୍ରବୀଣ ଅଭିନେତା । ଧର୍ମପ୍ରାଣା ଥିଲେ ମାତା ରାଧାଦେବୀ । ପିତୃ-ମାତୃଙ୍କର ଆଦର୍ଶ ଓ ସସ୍ନେହ ଲାଳନରେ ପାଳିତ ହେଲେ ଶିଶୁ ରାମଚନ୍ଦ୍ର । ସେହି ପ୍ରକୃତି ସୁଷମାଘେରା ଗ୍ରାମ୍ୟ ଭୂମିରେ ଘଟିଥିଲା ତାଙ୍କର ବର୍ଣ୍ଣ ପରିଚୟ ।

 

ପ୍ରଥମେ ରାମଚନ୍ଦ୍ରଙ୍କର ଆନୁଷ୍ଠାନିକ ଶିକ୍ଷାରମ୍ଭ ଘଟିଲା, କମଳାଡିହ ପ୍ରାଇମେରୀ ସ୍କୁଲରେ ଏବଂ ପରେ ପରେ ସେ କାଳର ଦଶପଲ୍ଲା ଷ୍ଟେଟର ରାଜଧାନୀ କୁଞ୍ଜବନଗଡ଼ର ମଧ୍ୟ ଇଂରାଜୀ ବିଦ୍ୟାଳୟରେ ରାମଚନ୍ଦ୍ରଙ୍କ ପ୍ରାରମ୍ଭିକ ଛାତ୍ରଜୀବନ କଟିଲା । ୧୯୩୪ ମସିହାରେ ଏଠାରୁ କୃତିତ୍ଵର ସହିତ ଉତ୍ତୀର୍ଣ୍ଣ ହୋଇ, ରାମଚନ୍ଦ୍ର ୧୯୩୫ ମସିହାରେ ଗୋଦାବରୀଶ ମହାପାତ୍ର ଦ୍ଵାରା ବାଣପୁରରେ ପ୍ରତିଷ୍ଠିତ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ରାମଚନ୍ଦ୍ର ଅଧ୍ୟୟନ ଆରମ୍ଭ କଲେ । ଏଠାରେ କଟିଲା ତାଙ୍କର ସ୍ଵପ୍ନ ବିଭୋର କୈଶୋର । ନିଜ ଭିତରେ ଉଙ୍କି ମାରୁଥିବା ସର୍ଜନ ବୃତ୍ତିଟି କ୍ରମେ ଆତ୍ମ ପ୍ରକାଶ କରୁଥିଲା । ଏଇ ଉଚ୍ଚ ବିଦ୍ୟାଳରେ ପ୍ରଥିତ ଯଶା କବି ମାୟାଧର ମାନସିଂହ ଏବଂ ଶ୍ରୀଧର ଦାସଙ୍କ ଭଳି ଯୋଗ୍ୟ ଅଧ୍ୟାପକ ଶିକ୍ଷକତା କରୁଥିଲେ । ଗୋଦାବରୀଶ ମିଶ୍ରଙ୍କ ନିକଟକୁ ଗୋଦାବରୀଶ ମହାପାତ୍ର ଭଳି ଜଣେ ପ୍ରତିଭାସଂପନ୍ନ କବି ଓ ସାହିତ୍ୟିକ ଏଠାକୁ ବାରମ୍ବାର ଆସୁଥିଲେ । କିଶୋର ରାମଚନ୍ଦ୍ରଙ୍କ ଭିତରେ ଥିବା ସ୍ପୁଟନୋନ୍ମୁଖୀ ସାହିତ୍ୟିକ କଳିକାଟି ଏଇମାନଙ୍କ ଭଳୀ କୃତ୍ୟବିଦ୍ୟ କବି, ସାହିତ୍ୟିକମାନଙ୍କ ସମୀପ୍ୟ ଓ ସାହଚର୍ଯ୍ୟ ଲାଭ କରି ବିକଶିତ ହେବାରୁ ଆରମ୍ଭ ହେଲା ।

 

ବାଣପୁର ଉଚ୍ଚ ବିଦ୍ୟାଳୟର ପ୍ରତି ଶନିବାର ସଂଧ୍ୟାରେ ପଦ୍ୟାନ୍ତ ପ୍ରତିଯୋଗିତା, ଗୋଦାବରୀଶ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେଉଥିଲା । ବେଳେବେଳେ ପ୍ରତିଯୋଗୀ ଛାତ୍ରମାନେ ପଦର ଶେଷ ଅକ୍ଷର ଅନୁଯାୟୀ ପଦମାନ ସ୍ମରଣ କରିବାରେ ଅସାମର୍ଥ୍ୟ ପ୍ରକାଶ କରନ୍ତି । ମାତ୍ର ଗୁଣୀ ଗୋଦାବରୀଶ, ଏଇଭଳୀ ପରିସ୍ଥିତିରେ ଛାତ୍ରମାନଙ୍କୁ ମନରୁ ପଦପଙ୍‍କ୍ତି ସୃଷ୍ଟି କରିବାକୁ ପ୍ରେରଣା ଦେଇଥାନ୍ତି । ଏଥିରେ ତରୁଣ ରାମଚନ୍ଦ୍ର ଅତ୍ୟନ୍ତ ପାରଦର୍ଶିତାର ସହିତ ନୂଆ ନୂଆ ପଦମାନ ସଂଯୋଜନା କରି ଆବୃତ୍ତି କରନ୍ତି । ଏଇ ଘଟଣା ହିଁ, କିଶୋର ରାମଚନ୍ଦ୍ର ମାନସରେ ସର୍ଜନ ବୃତ୍ତିକୁ ତ୍ଵରାନ୍ଵିତ କଲା ଓ ସେ କବିତା ରଚନାରେ ପ୍ରବୃତ୍ତ ହେଲେ । ବିଦ୍ୟାଳୟ ତରଫରୁ ୧୯୩୬ ମସିହାରେ ‘ବନଫୁଲ’ ନାମକ ପତ୍ରିକା ପ୍ରକାଶ ପାଇଲା, ଏଥିରେ ରାମଚନ୍ଦ୍ରଙ୍କ କରୁଣ କବି ମାନସର ଆଦ୍ୟ ଝଂକାର ସ୍ଵରୂପ ସୃଷ୍ଟି ହୋଇଥିବା ‘ଫେରିବିକି’ କବିତାଟି ପ୍ରକାଶ ପାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

 

ସେଇବର୍ଷ କେନ୍ଦୁଝରଠାରେ ଅନୁଷ୍ଠିତ ଓଡ଼ିଆ ସାହିତ୍ୟ ସମ୍ମିଳନୀରେ ପ୍ରତିଷ୍ଠିତ ଗୋଦାବରୀଶ ମିଶ୍ର, ଛାତ୍ର ରାମଚନ୍ଦ୍ରଙ୍କର ସଂପୃକ୍ତ କବିତା ଆବୃତ୍ତି କରି ଶ୍ରୋତାମାନଙ୍କୁ ଚମତ୍କୃତ କରୁଥିଲେ । ରାମଚନ୍ଦ୍ରଙ୍କ କବିତାଟିର ଏଭଳୀ କବିତା, ଏବଂ ଗୋଦାବରୀଶଙ୍କ ଆଶୀର୍ବାଦ ତାଙ୍କୁ ସାହିତ୍ୟ ସୃଜନ ନିମିତ୍ତ ପ୍ରେରଣା ଯୋଗାଇଥିଲା ।

 

୧୯୩୭ ମସିହାରେ ରାମଚନ୍ଦ୍ର କଟକର ମିଶନ ହାଇସ୍କୁଲରେ ଅଧ୍ୟୟନ କାଳରେ ଏଠାରେ ପ୍ରକାଶିତ ଇଂରେଜ ପତ୍ରିକା ‘To The Cuckoo’ରେ ଇଂରାଜୀ ଭାଷା କେତେକ କବିତା ପ୍ରକାଶ କରିଥିଲେ । ୧୯୩୯ ମସିହାରେ ରାମଚନ୍ଦ୍ର କୃତ୍ଵିତ୍ଵର ସହିତ ମାଟ୍ରିକ ପାଶ କରି, ରେଭେନ୍ସା କଲେଜର ଛାତ୍ରତ୍ଵ ଗ୍ରହଣ କଲେ । ରେଭେନ୍ସା ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଆନୁକୂଲ୍ୟରେ ପ୍ରକାଶିତ ରଶ୍ନି ନାମକ ପତ୍ରିକାରେ ରାମଚନ୍ଦ୍ରଙ୍କ ରଚିତ ଅକୁହା କଥା ଶୀର୍ଷକ ଗଳ୍ପ ପ୍ରକାଶ ପାଇ ତାଙ୍କୁ ପାଠକ ମହଲରେ ପ୍ରଶଂସାଭାଜନ କରିଥିଲା । କୈଶୋରର କବିତା ରଚନା କରିଥିବା ରାମଚନ୍ଦ୍ର ଆଦ୍ୟ ଯୌବନରେ ଗଳ୍ପ ରଚନା ନିମିତ୍ତ ଉତ୍ସାହିତ ହୋଇଥିଲେ ।

 

ଉଚ୍ଚ ଶିକ୍ଷା ପ୍ରାପ୍ତି ନିମିତ୍ତ ରାମଚନ୍ଦ୍ରଙ୍କର କଟକ ଅବସ୍ଥାନ, ତାଙ୍କ ଭିତରର ସାରସ୍ଵତ ଚେତନାକୁ ଉଦ୍ଦୀପିତ କଲା .। ସେ ସମୟରେ ସଚ୍ଚିଦାନନ୍ଦ ରାଉତରାୟ, ଅନନ୍ତ ପଟ୍ଟନାୟକ, ମାୟାଧର ମାନସିଂହ ପ୍ରଭୃତି ସାରସ୍ଵତ ପୁରୁଷମାନଙ୍କ ସହିତ ଆଳାପ, ମେଳାପ ବିଭିନ୍ନ ସାହିତ୍ୟ ଆଲୋଚନା ଚକ୍ରରେ ଅଂଶଗ୍ରହଣ, ତାଙ୍କ ଚେତନାର ସରହଦକୁ କଲା ବିସ୍ତାରିତ । ଏଇ ସମୟରେ ଡକ୍ଟର ମାନସିଂହ ନିଜ ସଂପାଦନରେ ଆରତୀ ନାମକ ପତ୍ରିକା ପ୍ରକାଶ କରୁଥିଲେ । ତରୁଣ ରାମଚନ୍ଦ୍ର ଏଇ ପତ୍ରିକାରେ ପ୍ରକାଶ କରିବା ପାଇଁ କେତୋଟି ଗଳ୍ପ ପଠାଇଥିଲେ ମଧ୍ୟ ତାହା ପ୍ରକାଶ ପାଇ ନ ଥିଲା । ଏଥିରେ ବିଚଳିତ ନ ହୋଇ ଚତୁର ରାମଚନ୍ଦ୍ର ନିଜ ଗଳ୍ପଗୁଡ଼ିକୁ ‘ସୀତା ଦେବୀ’ ଛଦ୍ମ ନାମରେ ପ୍ରକାଶ କରିବାକୁ ପଠାଇଥିଲେ ବୋଲି ସ୍ଵୀକାର କରିଛନ୍ତି –‘‘ତା’ପରେ ନିଜ ନାଁଆରେ ଗଳ୍ପ ପଠାଇଲି ଓ ତାହା ‘ଆରତୀ’ରେ ପ୍ରକାଶ ପାଇଲା ।’ ଏଇ ନାଁଆରେ ସେଥିରେ ଫୁଲ ଓ ପୂର୍ଣ୍ଣାହୁତି ଓ ଅନ୍ୟ ଦୁଇଟି ଗଳ୍ପ ପ୍ରକାଶ ପାଇଛି । (ପ୍ରଜାତନ୍ତ୍ର ସପ୍ତାହିକୀ – ୨୭ ଡିସେମ୍ବର – ୨ ଜାନୁଆରୀ ୧୯୯୮ ପୃଷ୍ଠା -୧୩) ଏହାପରେ ‘ସରକାର’ରେ ତାଙ୍କର ଗଳ୍ପ ‘ଛାଇ’ ପ୍ରକାଶ ପାଇଥିଲା । ମୋଟ ଉପରେ ନାଟ୍ୟରଚନାରେ ହାତଦେବା ପୂର୍ବରୁ, ରାମଚନ୍ଦ୍ରଙ୍କ ସ୍ରଷ୍ଟା ମାନସ ପ୍ରଥମେ କବିତା ଏବଂ ପରେ ପରେ ଗଳ୍ପ ରଚନାରେ ପ୍ରବୃତ୍ତ ରହି ସିଦ୍ଧି ଅର୍ଜନ କରିଥିଲା ଏବଂ ଆପଣା ଭିତରେ ଥିବା ସାରସ୍ଵତ ବିକାଶକୁ କ୍ରମେ ଦୃଢ଼ୀଭୂତ କରୁଥିଲା ।

 

କଟକ ରହଣି କାଳରେ ତରୁଣ ରାମଚନ୍ଦ୍ର ଅଧ୍ୟୟନ ସହିତ, ସାହିତ୍ୟ ଓ ସଂସ୍କୃତି ସହିତ କ୍ରମଶଃ ଘନିଷ୍ଠତର ହୋଇପାରିଥିଲେ । କଟକ ସହରର ବିବିଧ ସାରସ୍ଵତ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ସେତେବେଳେ ସମ୍ପର୍କ ଯୋଡ଼ି ସାରିଥିଲେ । କଟକରେ ଅନୁଷ୍ଠିତ ନାଟକ ଦେଖିବା ଏବଂ ଏହାର ରଚନା ଶୈଳୀ ଓ ମଞ୍ଚାୟନ ସମ୍ବନ୍ଧରେ ନିବିଷ୍ଟ ଚିତ୍ତ ହୋଇ ଆଲୋଚନା କରିବା, ତାଙ୍କର ଏକ ପ୍ରକାର ଅଭ୍ୟାସରେ ପରିଣତ ହୋଇସାରିଥିଲା । ନାଟକରଚନା ନିମିତ୍ତ ସେ ଚୈତ୍ତିକ ସ୍ତରରେ ଯେମିତି ପ୍ରସ୍ତୁତ ଆରମ୍ଭ କରିଥିଲେ । କେବଳ ଅପେକ୍ଷା ଥିଲା ଉପଯୁକ୍ତ ସୁଯୋଗର ।

 

ଖ. ସଂଘର୍ଷରୁ ସୃଷ୍ଟି

ଏଇ ସମୟରୁ କାଳୀଚରଣଙ୍କ ଭଳି କୃତବିଦ୍ୟ ନାଟ୍ୟକାରଙ୍କ ବିକଶିତ ପ୍ରତିଭା ତୁଙ୍ଗିମା ଆରୋହଣ କରିଥିଲା । ତାଙ୍କ ରଚିତ ଓ ପ୍ରଯୋଜିତ ନାଟକ ଗାର୍ଲ ସ୍କୁଲ କଟକରେ ଶ୍ରୀରାମଚନ୍ଦ୍ର ଭବନ ପ୍ରାଙ୍ଗଣରେ ଅସ୍ଥାୟୀ ଭାବେ ରଂଗମଞ୍ଚରେ ଅଭିନୀତ ହେଉଥିଲା । ଯୁବଶିଳ୍ପୀ ରାମଚନ୍ଦ୍ର ଏଇ ନାଟକ ନିବିଷ୍ଟ ଚିତ୍ତରେ ଉପଭୋଗ କରିବା ପରେ, ପ୍ରତିକ୍ରିୟାଶୀଳ ହେଲେ । ଆପଣାର ପ୍ରତିକ୍ରିୟାକୁ ସେ ଲିଖିତ ରୂପ ପ୍ରଦାନ କଲେ, ଯାହା କାଳୀଚରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହା ପରେ କାଳୀଚରଣଙ୍କ ମନ୍ତବ୍ୟ ଥିଲା, ନାଟକକୁ ସମାଲୋଚନା କରିବା ଅପେକ୍ଷା, ନାଟକ କରି ଦେଖାଇ ଦେବାରେ ବରଂ ଦକ୍ଷତା ପ୍ରତିପାଦିତ ହେବ ।

 

କାଳୀଚରଣଙ୍କର ଏପରି ମନ୍ତବ୍ୟ ଥିଲା, ଯୁବକ ରାମଚନ୍ଦ୍ରଙ୍କ ସର୍ଜନଶୀଳ ପ୍ରବୃତ୍ତି ପ୍ରତି ଶକ୍ତିଶାଳୀ ଆହ୍ଵାନ । ସେ ଏହା ପୂର୍ବରୁ ଅନେକ ନାଟକରେ ଅଭିନୟ ସିନା କରିଥିଲେ, ମାତ୍ର କେବେବି ନାଟକ ରଚନା କରିନଥିଲେ । ଏଥର ତାଙ୍କ ଭିତରର ସ୍ରଷ୍ଟା ପୁରୁଷର ଚିତ୍କାର ଶୁଣାଗଲା, କେମିତି ହେଲେ ନାଟକ ରଚନା କରି ଦେଖାଇ ଦେବାକୁ ହେବ । ଏ ପ୍ରକାର ଚିତ୍ତ ସଂଘର୍ଷ ଭିତରେ କିନ୍ତୁ ସେ ମାନସିକ ପ୍ରସ୍ତୁତି ନେଇ ସାରିଥାନ୍ତି । ଅଥଚ ନାଟକ ରଚନା କଲେ, ଏହା କିପରି ମଞ୍ଚସ୍ଥ ହେବ, ସେଥି ନିମିତ୍ତ ସୁଯୋଗ ଅପେକ୍ଷାରେ ଥାନ୍ତି । ଏ ସଂପର୍କରେ ତାଙ୍କର ସ୍ଵୀକାରୋକ୍ତି ହେଉଛି – “ଏହାର ପ୍ରତିବାଦ କରି ମୁଁ ନାଟକ ଲେଖିବାର ସୁଯୋଗ ଖୋଜୁଥାଏ, ଯଦି ବି ନାଟକ ଲେଖିଲି, ଅଭିନୟ ବା କେଉଁଠି କରାଇବି ? ମୋର ବନ୍ଧୁ ସାମୁଏଲ ସାହୁ (ବାବି) ଯେତେବେଳେ କାଳୀବାବୁଙ୍କ ଓଡ଼ିଶା ଥିଏଟର୍ସର ଅନ୍ୟତମ ଅଭିନେତା ଥିଲେ । ତାଙ୍କର ସହାୟତାରେ ଓଡ଼ିଶୀ ଥିଏଟର୍ସ ପାଇଁ କାଳିବାବୁଙ୍କ ନିକଟକୁ ଦୁଇଖଣ୍ଡ ନାଟକର ପାଣ୍ଡୁଲିପି ଦୁଇଟି ହେଡମାଷ୍ଟର ଚିରନ୍ତନୀ ପଠାଇଲି । ଏହାର ଅଭିନୟ ହେଲାନି, ମାତ୍ର ପାଣ୍ଡୁଲିପି ଦୁଇଟା ଆଉ ମିଳିଲା ନାହିଁ ।’’

 

ଗ. ନାଟ୍ୟ ରଚନା :

କାଳୀଚରଣଙ୍କ ଭଳି ଜଣେ ପ୍ରତିଷ୍ଠିତ ନାଟ୍ୟଶିଳ୍ପୀଙ୍କଠାରୁ ଏପରି ଆଶା କରିନଥିବା ଯୁବକ ରାମଚନ୍ଦ୍ର ମର୍ମାହତ ହେଲେ, ମାତ୍ର ଆପଣାର ଶକ୍ତି-ସାମର୍ଥ୍ୟ ସଞ୍ଚୟ କରି ନାଟକ ମଞ୍ଚସ୍ଥ କରିବା ପୂର୍ବରୁ ଉପଯୁକ୍ତ ସୁଯୋଗ ମଧ୍ୟ ପାଇଲେ ନାହିଁ । ୧୯୪୨ ମସିହାରେ କଟକର ମାଣିକ ଘୋଷ ବଜାରରେ ଆରମ୍ଭ ହେଲା ‘ଭାରତୀୟ ଥିଏଟର୍ସ’ । ରାମଚନ୍ଦ୍ରଙ୍କ ସ୍ରଷ୍ଟା ଜୀବନର ପହିଲି ସ୍ଵପ୍ନ ଏହାରି ମାଧ୍ୟମରେ ସାକାର ହେଲା । ୧୯୪୩ ମସିହାରେ ତାଙ୍କର ପ୍ରଥମ ନାଟକ ‘ଅଭିମାନ’ ଏଠାରେ ଅଭିନୀତ ହେଲା, ଯେଉଁ ନାଟକର ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ପ୍ରଖ୍ୟାତ ନାଟ୍ୟକାର ଗୋପାଳ ଛୋଟରାୟ । ସ୍ରଷ୍ଟା ଚିତ୍ତର ସରସତା ଫୁଟି ଉଠିଥିଲା, କାରଣ ଜୀବନର ପ୍ରଥମ ନାଟକ, ତାହା ପୁଣି ଓଡ଼ିଶାର ସାଂସ୍କୃତିକ ପ୍ରାଣ କେନ୍ଦ୍ର । କଟକ ସହରରେ ପ୍ରାୟ ଏକମାସ କାଳ ନିରବିଚ୍ଛିନ୍ନ ଭାବରେ ମଞ୍ଚସ୍ଥ ହୋଇଥିଲା ।

 

‘ଅଭିମାନ’ ଅଭିନୀତ ହେବାର ତୃତୀୟ ରଜନୀରେ କାଳୀଚରଣଙ୍କ ରଚିତ ‘ଚୁମ୍ବନ’ ଓଡ଼ିଶା ଥିଏଟର୍ସ ମଞ୍ଚରେ ଅଭିନୀତ ହେଲା । ଚୁମ୍ବନର ପ୍ରଚାର ନିମିତ୍ତ ହ୍ୟାଣ୍ଡବିଲ ବଣ୍ଟା ହେଲା । ‘‘ଅଭିମାନ ଅପେକ୍ଷା ‘ଚୁମ୍ବନ’ ହେଉଛି ଉତ୍କୃଷ୍ଟ’’, ‘‘ଅଭିମାନ’ର ପରମ ମହୌଷଧି ‘ଚୁମ୍ବନ’ ।’’ ବରିଷ୍ଟ ନାଟ୍ୟକାର କାଳୀଚରଣଙ୍କ ପ୍ରତିଷ୍ଠିତ ଦଳର ସମସ୍ତ ଯତ୍ନ ସତ୍ୱେ, ଅଭିମାନର ମଞ୍ଚ ଚାହିଦା ଥିଲା ସ୍ଵତନ୍ତ୍ର । ଉଭୟ ନାଟ୍ୟକାର ଏତାଦୃଶ୍ ପ୍ରତିଦ୍ୱନ୍ଦିତା ମଧ୍ୟ ଚହଳ ସୃଷ୍ଟି କରିଥିଲା । ଏ ସଂପର୍କରେ ନାଟ୍ୟକାରଙ୍କ ସ୍ଵୀକାରୋକ୍ତି “ଏହି ପ୍ରତିଦ୍ଵନ୍ଦିତା ଭିତରେ ‘ଅଭିମାନ’ର ମଞ୍ଚ ସଫଳତାରେ ଆକୃଷ୍ଟ ହୋଇ ‘ଅନ୍ନପୂର୍ଣ୍ଣା’ ରଙ୍ଗମଞ୍ଚର ବାଉରୀବନ୍ଧୁ ମହାନ୍ତି ‘ଅଭିମାନ’ ଦେଖିବାକୁ ଆସିଲେ - ଦେଖିସାରି ଖୁବ୍‍ ଖୁସି ହେଲେ ଓ ମୋତେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ନାଟକ ଦେଖିବାକୁ ନିମନ୍ତ୍ରଣ କଲେ ଏବଂ ଆହୁରି ନାଟକ ଲେଖିବାକୁ ଉତ୍ସାହିତ କଲେ, ତାହା ଫଳରେ ମୁଁ ଉତ୍ସାହିତ ହୋଇ ମ୍ୟାନେଜର ଲେଖିଲି ।

 

(ପ୍ରଜାତନ୍ତ୍ର ସାପ୍ତାହିକୀ -୨୭ ଡିସେମ୍ବର – ୨ ଜାନୁଆରୀ -୧୯୮୮ – ପୃଷ୍ଟା ୧୪)

 

ଓଡ଼ିଶାର ପ୍ରଖ୍ୟାତ ମଞ୍ଚ ଅଭିନେତା ସାମୁଏଲ ସାହୁ (ବାବି) ଥିଲେ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କର ସହାଧ୍ୟାୟୀ ବନ୍ଧୁ, ଦୁହେଁ ନାଟକ ଦେଖୁଥିଲେ ବାବି ବାବୁ ଓଡ଼ିଶା ଥିଏର୍ଟସ ଅଭିନୟ କରୁଥିଲେ । ମଞ୍ଚସ୍ଥ ନାଟକଗୁଡ଼ିକରେ ଯାବତୀୟ ତ୍ରୁଟିବିଚ୍ୟୁତି ସଂପର୍କରେ ଦୁଇବନ୍ଧୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋବନାରେ ପ୍ରବୃତ୍ତ ରହୁଥିଲେ । ପରବର୍ତ୍ତୀ ନାଟକ ରଚନା ନିମିତ୍ତ ମାନସିକ ପ୍ରସ୍ତୁତି, ନାଟ୍ୟାଭିନାୟ ଦର୍ଶନ ଓ ନ୍ୟାଟାଲୋଚନା, ଇତ୍ୟାଦି ବିଭିନ୍ନ କାର୍ଯ୍ୟଧାରା ଭିତରେ ମଧ୍ୟ, ଛାତ୍ର ରାମଚନ୍ଦ୍ର ଅଧ୍ୟୟନ କ୍ଷେତ୍ରରେ ଥିଲେ ପୂତ ପ୍ରୟାସୀ । ୧୯୪୩ ମସିହାରେ ସେ ରେଭେନ୍ସା କଲେଜରୁ ପାଟନା ବିଶ୍ଵବିଦ୍ୟାଳୟ ଅଧୀନରେ ପରୀକ୍ଷା ଦେଇ ବି . ଏ ପାଶ କରିଥିଲେ । ଏଇ ସମୟରେ ତାଙ୍କ ରଚିତ ‘ମ୍ୟାନେଜର’ ନାଟକ ଓଡ଼ିଶାର ପ୍ରଖ୍ୟାତ ନାଟ୍ୟ ସଂସ୍ଥା ‘ଅନ୍ନପୂର୍ଣ୍ଣା’ ବି ଗ୍ରୁପ ଦ୍ଵାରା ମଞ୍ଚସ୍ଥ ହୋଇ ତାଙ୍କୁ ଅସାଧାରଣ ସମ୍ମାନ ଓ ଖ୍ୟାତି ଆଣିଦେଲା । ଓଡ଼ିଶା ଥିଏଟର୍ସ କଳାକାର ଓ କାଳୀଚରଣଙ୍କ ମଧ୍ୟରେ ମନୋମାଳିନ୍ୟରୁ ସୃଷ୍ଟି ହୋଇଥିବା ଅନ୍ନପୂର୍ଣ୍ଣା ବି’ ଗ୍ରୁପ, ରାମଚନ୍ଦ୍ରଙ୍କର ଅଧିକାଂଶ ନାଟକକୁ ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ରୂପ ଦେଇଥିଲେ ।

 

୧୯୪୫-୪୬ ମସିହା ଥିଲା ନାଟ୍ୟକାର ରାମଚନ୍ଦ୍ରଙ୍କ ନାଟ୍ୟଜୀବନର ସବୁଠାରୁ ସଂଘାତମୟ ସମୟ । କାରଣ ରାମଚନ୍ଦ୍ର ଏଂ ସମୟରେ ରଚନା କରିଥିବା ‘ମୂଲିଆ’ ନାଟକ ମଞ୍ଚସ୍ଥ ହୋଇଥିଲା, ‘କବିସୂର୍ଯ୍ୟ’ ନାଟକ ରଚିତ ହେଉଥିଲା । ଏହା ଭିତରୁ କିନ୍ତୁ ରାମଚନ୍ଦ୍ରଙ୍କୁ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ସେତେବେଳକୁ ରାମଚନ୍ଦ୍ର ମଧୁସୂଦନ ଆଇନ୍‍ କଲେଜରେ ବି.ଏଲ୍‍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ, ତତ୍ ସହିତ କନ୍‍ଭେଣ୍ଟ ସ୍କୁଲରେ ଗଣିତ ଶିକ୍ଷକର ଗୁରୁଦାୟିତ୍ଵ ବହନ କରିଥିଲେ । ତେଣୁ କଠିନ ଶ୍ରମ ଓ ଅଧ୍ୟବସାୟ ବଳରେ ଏତାଦୃଶ୍ୟ ସମସ୍ୟା ସଂକୁଳିତ ଅବସ୍ଥାରୁ ରାମଚନ୍ଦ୍ର ମୁକ୍ତି ପାଇ, ବିଷେଷ ସଫଳତା ମଧ୍ୟ ହାସଲ କରିଥିଲେ ।

 

ଘ. ବୃତ୍ତିଜୀବନ

୧୯୪୬ ମସିହାରେ ରାମଚନ୍ଦ୍ର ମିଶ୍ର ପ୍ରଥମେ ବୃତ୍ତି ଜୀବନ ଆରମ୍ଭ କଲେ ଖଣ୍ଡପଡ଼ାରେ-। ଡେପୁଟି କଲେକ୍ଟର ଭାବର ଆରମ୍ଭ ହେଲା ତାଙ୍କର କର୍ମମୟ ଜୀବନ । ୧୯୫୦ ମସିହାରେ ତାଙ୍କୁ ବାଲେଶ୍ୱରକୁ ସ୍ଥାନାନ୍ତର କରାଗଲା । ଏଇ ପାଞ୍ଚବର୍ଷ ମଧ୍ୟରେ ନାଟକ ରଚନା ଏବଂ ସାରସ୍ଵତ କଳାକର୍ମଠାରୁ ବୃତ୍ତିଦାୟରେ ପ୍ରାୟ ସେ ଦୂରେଇ ରହିଥିଲେ । କିନ୍ତୁ ସବୁ ସତ୍ତ୍ଵେ ସେ ଥିଲେ ପ୍ରଚଣ୍ଡ ସ୍ଵାଭିମାନୀ । ବାଲେଶ୍ଵରରେ ମାତ୍ର ଚାରିଦିନ ପାଇଁ ଛୁଟି ନେଇଥିଲେ, କିନ୍ତୁ ତାଙ୍କ ଛୁଟି ମଞ୍ଜୁର ପାଇଁ ନ ହେବାରୁ ସେ ମର୍ମାହତ ହେଲେ ଏବଂ ଗୋଲାମଗିରିରୁ ମୁକ୍ତ ହୋଇ ସ୍ଵାଧିନ ଜୀବନଯାପନ କରିବାକୁ ଅଧିକ ଶ୍ରେୟ ମନେ କଲେ । ଏଣୁ ୧୯୫୦ ମସିହା ଅକ୍ଟୋବର ୧ ତାରିଖ ଦିନ ତାଙ୍କର ସେଇ ମର୍ଯ୍ୟାଦା ଜନକ ପଦବୀରୁ ସ୍ଵେଚ୍ଛାକୃତ ଭାବେ ଇସ୍ତପା ଦେଇଥିଲେ । ଏହାପରେ ସେ ସ୍ଵାଧିନ ଭାବରେ ଆଇନ ବ୍ୟବସାୟରେ ପ୍ରବୃତ୍ତ ରହିଲେ । ବାଲେଶ୍ଵରର ବୃତ୍ତି ଜୀବନ ଭିତରେ ସେ ଅନେକ ତିକ୍ତ ମଧୁର ଅନୁଭୂତି ସାଇତି ରଖିଥିଲେ, ଯାହା ତାଙ୍କୁ ଘର ସଂସାର ନାଟକ ଲେଖିବାକୁ ପ୍ରବୃତ୍ତ କରିଥିଲା ।

 

୧୯୫୦ ମସିହାଠାରୁ ୧୯୬୦ ମସିହା ମଧ୍ୟରେ ତାଙ୍କର ‘ଘରସଂସାର’, ‘ମଉଡ଼ମଣି’, ‘ସାଇ ପଡ଼ିଶା’, ‘ଭାଇ ଭାଉଜ’, ‘ନାଟକ ରିତୀମତ’, ‘ମମତା’, ‘ସେବିକା’, ‘ପ୍ରତୀକ୍ଷା’, ‘ଚାବୁକ୍’, ‘ଗୋଧୂଳି ଲଗ୍ନ’, ‘ପୁଆଣି ଘର’ ପ୍ରଭୃତି ନାଟକ ଗୁଡ଼ିକର ରଚିତ ଏବଂ ସଫଳତାର ଅଭିନୀତ ହୋଇ, ଓଡ଼ିଆ ନାଟ୍ୟ ଜଗତରେ ତାଙ୍କୁ ଅସାମାନ୍ୟ ଖ୍ୟାତି ପ୍ରଦାନ କରିଥିଲା ।

 

୧୯୪୬ ମସିହାରେ ରାମଚନ୍ଦ୍ରଙ୍କ ବୈବାହିକ କର୍ମ ସଂପନ୍ନ ହୋଇଥିଲା । ବାମଣ୍ଡା ଓ ଦେବଗଡ଼ର ରାଜପୁରୋହିତଙ୍କ କନ୍ୟା ବିଷ୍ଣୁପ୍ରିୟା ଦେବୀଙ୍କ ପାଣି ଗ୍ରହଣ କରିଥିଲେ ରାମଚନ୍ଦ୍ର । ଏହା ପରଠାରୁ ତାଙ୍କର ସୁଖମୟ ଦାମ୍ପତ୍ୟ ଜୀବନ, ଏବଂ ଏହା ଭିତରେ ନାଟ୍ୟମଞ୍ଚ ସହିତ ଘନିଷ୍ଟ ସଂପୃକ୍ତି – ଏସବୁ ଥିଲା ତାଙ୍କ ଜୀବନ ପରିଧିର ବିଚିତ୍ର ଗତିଭଙ୍ଗୀ । କଟକ ଓ ଦଶପଲ୍ଲା ଥିଲା ରାମଚନ୍ଦ୍ରଙ୍କର ବିଶିଷ୍ଟ ଚାରଣଭୂମି । ୧୯୫୦ ମସିହାରେ ଚାକିରିରୁ ଇସ୍ତପା ପ୍ରଦାନ କରି ସେ ଦଶପଲ୍ଲାରେ ସ୍ଵାଧୀନ ଭାବରେ ଓକିଲାତି କରିଛନ୍ତି । ଗୋଟାଏ ବିରାଟ ଯୌଥ ପରିବାରର ବୋଝ ସେ ସମ୍ଭାଳିଛନ୍ତି, ପୁଣି ନାଟ୍ୟ ମଞ୍ଚ, ନାଟ୍ୟ କର୍ମଶାଳା ପ୍ରତି ନିଜର ଆକର୍ଷଣକୁ ଅତୁଟ ରଖିଛନ୍ତି ।

 

ବାଳ୍ୟକାଳରୁ ନିଜର ଦଦେଇ ଗୋବିନ୍ଦ ମିଶ୍ରଙ୍କ ଦ୍ଵାରା ପ୍ରତିଷ୍ଠିତ ଚମ୍ପାପୁରର ଆଶ୍ରମରେ ଅବସ୍ଥାନ କରି ରାମଚନ୍ଦ୍ର ଅନେକ ପ୍ରତ୍ୟକ୍ଷ ଅନୁଭୂତି ଗ୍ରହଣ କରିଥିଲେ । ତେଣୁ ତାଙ୍କର ବ୍ୟକ୍ତିଗତ ଏବଂ ସାରସ୍ଵତ ଜୀବନରେ ଏହାର ଅସାମାନ୍ୟ ପ୍ରଭାବ ପରିଲକ୍ଷିତ ହେଲା । ସେଇ ଲକ୍ଷ୍ମୀପୁର (୧୯୩୨) ଉପନ୍ୟାସଟିରେ ସେଇ ଚମ୍ପାପୁରର ଆଶ୍ରମରେ ଜୀବନ ଓ ଦଦେଇ ଗୋବିନ୍ଦଙ୍କ ଛାୟାରେ ସୃଷ୍ଟି ହୋଇଛି ଚରିତ୍ର ସାଧୁପଧାନ । କଂଗ୍ରେସ ସେବାଶ୍ରମରେ ଜଣେ ଶୃଙ୍ଖଳିତ ଭାବରେ କଟାଇଥିବା ଅନୁଭୂତିକୁ ସେ ସ୍ଵାଧିନତା ପରେ ରାଜନୀତିକ ଜୀବନ ଆରମ୍ଭ କରିଥିଲେ କେବଳ ଜନସେବା ଉଦ୍ଦେଶ୍ୟରେ । ଏଥିପାଇଁ ତାଙ୍କୁ ସମାମର୍ମା ଓ ସମଚିନ୍ତକ ଶୁଭେଚ୍ଛୁମାନଙ୍କ ଠାରୁ ବିପୁଳ ସମର୍ଥନ ମିଳିଥିଲା ।

 

ସ୍ଵାଧିନ ଭାବରେ ଓକିଲାତି କରିବା ସହିତ ରାମଚନ୍ଦ୍ର ସେ ସମୟରେ ଉଚ୍ଚଶିକ୍ଷାର ବିକାଶ ନିମିତ୍ତ କେତେକ ଶିକ୍ଷାଳୟ ପ୍ରତିଷ୍ଠା ଓ ପରିଚାଳନା ସହିତ ଘନିଷ୍ଠ ହୋଇ ଉଠିଥିଲେ । ଦଶପଲ୍ଲା କଲେଜ, ଗଣିଆ ହାଇସ୍କୁଲ, ବାଳିକା ବିଦ୍ୟାଳୟ ଇତ୍ୟାଦି ଅନେକ ଶିକ୍ଷାନୁଷ୍ଟାନ ସହିତ ତାଙ୍କର ସଂପୃକ୍ତି ହିଁ ଏ କ୍ଷେତ୍ରରୁ ବିପୁଳ ଅନୁମତି ଚୟନ ନିମିତ୍ତ ଉପଯୁକ୍ତ ସୁଯୋଗ ଯୋଗାଇ ଦେଇଥିଲା । ତାଙ୍କର ଶୁଭଚିନ୍ତକମାନଙ୍କ ଅନୁରୋଧରେ ନିଜ ଅଞ୍ଚଳର ସେବା ନିମିତ୍ତ ରାମଚନ୍ଦ୍ର ଓକିଲାତି ସହିତ ପ୍ରତ୍ୟେକ ରାଜନୀତିରେ ସଂପୃକ୍ତ ରହିଲେ ।

 

ଙ. ରାଜନୀତିକ ଜୀବନ :

୧୯୬୨ ମସିହାରୁ ୧୯୬୮ ମସିହା ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ରାଜନୀତି ସହିତ ଜଡ଼ିତ ହୋଇ ସେ କଂଗ୍ରେସ ଦଳର ସମର୍ଥନ ଲାଭ କରିଥିଲେ । ସେ ପୁରୀ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଓ ପରେ ପରେ ଅଧ୍ୟକ୍ଷ ଆସନ ପ୍ରାପ୍ତ ହୋଇଥିଲେ । ୧୯୬୬ ମସିହାରେ ସେ ଦଶପଲ୍ଲା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବରେ ଦୀର୍ଘ ଦଶ ବର୍ଷ କାଳ ଅବସ୍ଥାପିତ ରହିଥିଲେ । ରାଜନୀତିକ ଜୀବନରେ କର୍ମବ୍ୟସ୍ତତା ଓ ଜଞ୍ଜାଳ ମଧ୍ୟରେ ରହି ସୁଦ୍ଧା ତାଙ୍କ କଲମକୁ ସେ କେବେ ନାଟକ ରଚନାରୁ ବିରତ କରାଇ ନ ଥିଲେ । ସେ ସମୟରେ ଓଡ଼ିଶାର ଯୁବ ଲେଖକ ସମ୍ମେଳନ ସହିତ ସେ ଏକ ପ୍ରକାର ବାନ୍ଧି ହୋଇ ଯାଇଥିଲେ । ଫଳତଃ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ହେଉଥିବା ବିଭିନ୍ନ ସମ୍ମେଳନରେ ତାଙ୍କର ବ୍ୟକ୍ତିଗତ ଉପସ୍ଥିତି ଓ ସକ୍ରିୟ ସହଯୋଗ ତଥା ସଫଳ ନେତୃତ୍ଵ ପାଇଁ ଯୁବଲେଖକ ସମ୍ମେଳନରେ ସଫଳତା ଆଣିଥିଲା ।

 

ରାଜନୀତିଜ୍ଞ ଭାବରେ ରାମଚନ୍ଦ୍ର ଥିଲେ ଜନତାର ସୁଖ-ଦୁଃଖର ଅଧିକାରୀ ପ୍ରତିଦ୍ଵନ୍ଦିତା ଠାରୁ ଉଚ୍ଚାଙ୍ଗ ବ୍ୟକ୍ତିତ୍ଵ ଚୟନ ଉପରେ ସେ ଗୁରୁତ୍ଵ ଦେଇଥିଲେ । ଜିଲ୍ଲା ପରିଷଦ ଏବଂ ପଞ୍ଚାୟତ ସମିତିର ଅଧ୍ୟକ୍ଷତା ଭିତରେ ସେ ବିପୁଳ ଅନୁଭୂତି ସଂଗ୍ରହ କରିଥିଲେ । ଦୀର୍ଘ ଦଶ ବର୍ଷ କାଳ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦ ବଜାୟ ରଖିବା, ତାଙ୍କ ପ୍ରତି ରହିଥିବା ଦୀର୍ଘ ଦଶ ବର୍ଷ କାଳ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦ ବଜାୟ ରଖିବା, ତାଙ୍କ ପ୍ରତି ରହିଥିବା ଜନ ସମର୍ଥନର ପରିଚୟ ଦିଏ । ୧୯୭୪ ମସିହାରେ ସେ ଦଶପଲ୍ଲା ନିବାର୍ଚନ ମଣ୍ଡଳୀର ବିଧାୟକ ଭାବେ ପ୍ରାର୍ଥିତ୍ଵ ନେଇ ନିର୍ବାଚନ ଲଢ଼ିଥିଲେ । ମାତ୍ର ଦୁର୍ଭାଗ୍ୟର ବିଷୟ ମାତ୍ର ୧୪ ଖଣ୍ଡ ଭୋଟ; ବ୍ୟବଧାନରେ ସେ ଏଥିରେ ପରାଜିତ ହୋଇଥିଲେ । କିନ୍ତୁ ତାଙ୍କର ଉଚ୍ଚାଙ୍ଗ ବ୍ୟକ୍ତିତ୍ଵ ମଧ୍ୟରେ କେବେ ବି ପରାଜୟର ଗ୍ଲାନି ନ ଥିଲା । ମୁଖ ଶ୍ରୀ କେବେ ବି ମ୍ଲାନ ହୋଇ ନ ଥିଲା । କାରଣ ପ୍ରତିଦ୍ଵନ୍ଦୀକୁ ସେ ଶୁଭେଚ୍ଛା ଦେଇଥିଲେ । ସେ ସମୟରେ ପ୍ରାର୍ଥୀ ପଦ୍ମ ଚରଣ ମିଶ୍ର କହନ୍ତି -୧୯୭୪ ମସିହାରେ ଦଶପଲ୍ଲା ଗୋଟିଏ ଜେନେରାଲ ସିଟ ହୋଇଗଲା । ମୁଁ ସ୍ଵତନ୍ତ୍ର ଦଳ ପକ୍ଷରୁ ଜଣେ ପ୍ରାର୍ଥୀ, ଭାଇନା କଂଗ୍ରେସରୁ ଏବଂ ହରିହର କରଣ ସ୍ଵାଧିନ ପ୍ରାର୍ଥୀ ହିସାବରେ ନିର୍ବାଚନ ଲଢ଼ିଲୁ । ଟିକେଟ ପାଇବା ପରେ ମୁଁ ଭାଇନାଙ୍କର ଆର୍ଶିବାଦ ପାଇବା ପାଇଁ ଗଲି, ଏବଂ ତାଙ୍କ ପାଦ ଛୁଇଁ ଯେତେବେଳେ ଜୟଯୁକ୍ତ ହେବା ପାଇଁ ଅର୍ଶୀବାଦ ମାଗିଲି, ସେ ମଧ୍ୟ ମୋ ମୁଣ୍ଡରେ ଆନନ୍ଦରେ ହାତ ମାରି ଶୁଭେଚ୍ଛା ଦେଲେ । ଏଭଳି ରାଜନୀତିକ ବନ୍ଧୁତା ଆଜି କାଲି ତ ସ୍ଵପ୍ନ ।

 

(ପଦ୍ମଚରଣ ମିଶ୍ର- ଏକ ଅଭୁଲାସ୍ମୃତି – ରାମଚନ୍ଦ୍ର ମିଶ୍ର ସ୍ମରଣେ – ୧୯୯୨ –ପୃଷ୍ଠା ୮୫)

 

ରାଜନୀତିରେ ରାମଚନ୍ଦ୍ର ୧୯୭୮ ମସିହା ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ ରହିଲେ ଏବଂ ଏହାପରେ ରାଜନୀତିରେ ଆଦର୍ଶବାଦର ଅବକ୍ଷୟ ଏବଂ କ୍ଷମତା ରାଜନୀତି ପ୍ରତି ନେତୃବର୍ଗର ଆତ୍ୟନ୍ତିକ ଆସକ୍ତି ହେତୁ ତାଙ୍କ ଭଳି ଜଣେ ଉଦାରଚେତା ଓ ମାନବବାଦୀ ନେତା ରାଜନୀତିର କଳୁଷ ଭିତରୁ ଆପଣାକୁ ମୁକ୍ତ କରିନେଲା । ରାଜନୀତିକ ସମସ୍ୟା ନେବା ପରେ କେବଳ ନାଟକ ରଚନା, ଏହାର ମଞ୍ଚାୟନ ଓ ନାଟ୍ୟକର୍ମ ଓ ନାଟ୍ୟ ସଂପାଦନ ସମାଲୋଚନା ସହିତ ସେ ଜଡ଼ିତ ରହିଲେ । ରାଜନୀତିର ଗୋଳିଆପାଣିରୁ ସେ ସଂଗ୍ରହ କରିଥିବା ଓ ଆପେ ଅଙ୍ଗେ ନିଭେଇଥିବା ଅନେକ ଅନୁଭୂତିକୁ ନେଇ, ଜୀବନର ଶେଷ ଲଗ୍ନରେ ‘ମନ୍ତ୍ରୀଯୁଗ’ ସଂକଳନରେ ଚିତ୍ରଣ କରିଯାଇଛନ୍ତି ।

 

ଓଡ଼ିଶାର ନାଟ୍ୟମଞ୍ଚ, ନାଟ୍ୟଶିଳ୍ପ, ନାଟ୍ୟାଭିନୟ, ନାଟ୍ୟପ୍ରତିଯୋଗିତା ପ୍ରଭୃତି ବିବିଧ ଅନୁଷ୍ଠାନିକ କର୍ମରେ ସେ ପ୍ରାୟ ଲିପ୍ତ ଥିଲେ । ଓଡ଼ିଶାର ପ୍ରାୟ ସମସ୍ତ ପ୍ରବୀଣ ଓ ନବୀବ ନାଟ୍ୟକାରମାନଙ୍କ ସହିତ ସେ ବ୍ୟକ୍ତିଗତ ଭାବରେ ସେ ସମ୍ପୃକ୍ତ ହୋଇ ପଡ଼ିଥିଲେ । ବେଳେ ବେଳେ ନାଟ୍ୟାଲୋଚନାରେ ମଗ୍ନ ରହି, ତାଙ୍କର ଶାଣିତ ବକ୍ତବ୍ୟ ମଧ୍ୟ ପ୍ରକାଶ କରୁଥିଲେ । ତାଙ୍କ ସମୟ ତାଙ୍କ ପରବର୍ତ୍ତୀ ସମୟର ଅନେକ ସମର୍ଥ ନାଟ୍ୟକାରଙ୍କ ନାଟକ ପାଣ୍ଡୁଲିପିରେ ତାଙ୍କ ଭଳି ଜଣେ ବିଚକ୍ଷଣ ନାଟ୍ୟ ବ୍ୟକ୍ତିତ୍ଵର କଲମଗାର ବାଜିଥିବା ଘଟଣାକୁ ଅନେକ ନାଟ୍ୟକାର ସ୍ଵୀକାର କରନ୍ତି । ଅନେକ ସମୟରେ ନୂଆ ନୂଆ ନାଟ୍ୟସ୍ରଷ୍ଟାଙ୍କୁ ସେ ବିବିଧ ବିଷୟରେ ପ୍ରେରଣା ଯୋଗାଇଛନ୍ତି, ନାଟକ ପାଠ କରି ଏଥିରେ ଆବଶ୍ୟକ ପରିବର୍ତ୍ତନ ନିମିତ୍ତ ଉପଯୁକ୍ତ ମତାମତ ମଧ୍ୟ ବ୍ୟକ୍ତ କରିଛନ୍ତି । ତେଣୁ ଜୀବନର ଶେଷ ଲଗ୍ନ ପର୍ଯ୍ୟନ୍ତ ତାଙ୍କ ରହସ୍ଥଳ ଯେମିତି ନାଟକ ଲେଖକ, ନିର୍ଦ୍ଦେଶକ ଓ ଅଭିନେତାମାନଙ୍କର ଅଣଯୋଜନା ବଦ୍ଧ ନାଟ୍ୟଶାଳା ପାଲଟି ଯାଉଥିଲା ।

 

୧୯୧୧ ମସିହା ପର୍ଯ୍ୟନ୍ତ ବାରବର୍ଷ କାଳ ସେ ରାଉରକେଲା ଲୋକନାଟକ ମହୋତ୍ସବର ବିଚାରକ ଭାବରେ କ୍ରମାଗତ ଭାବରେ ଯୋଗ ଦେଇଥିଲେ । ନାଟକ ମଞ୍ଚରେ ଜଣେ ବିଚାରକ ଭାବରେ ନାଟ୍ୟାଭିନୟର ସେ ମୂଲ୍ୟାୟନ କରନ୍ତି । ପୁଣି ଏଥିରେ ରହିଥିବା ତ୍ରୁଟି ପୂର୍ଣ୍ଣ ଦିଗଗୁଡ଼ିକ ପ୍ରତି ଲେଖକ ଓ ନିର୍ଦ୍ଦେଶକମାନଙ୍କର ଦୃଷ୍ଟି ଆକର୍ଷଣ କରନ୍ତି । ଏହା ଫଳରେ ସେ ନାଟ୍ୟାଭିନୟ ଦର୍ଶନ ଜନିତ ନେଇଥିବା ଅନୁଭବ ଲିପିବଦ୍ଧ କରିସାରିଛନ୍ତି । ଓଡ଼ିଶା ବୁକ ଷ୍ଟୋର, ଏହାକୁ ପୁସ୍ତକ ଆକାରେରେ ପ୍ରକାଶ କରିଛନ୍ତି ।

 

ଜୀବନବ୍ୟାପୀ ସାଧନା ମଧ୍ୟରେ ରାମଚନ୍ଦ୍ର ଅନେକ ନାଟ୍ୟାନୁଷ୍ଠାନ ସହିତ ସଂପୃକ୍ତ ହୋଇଛନ୍ତି । ଓଡ଼ିଶାର ନାଟ୍ୟଧାରାକୁ ନାନା ଭାବରେ ସଂବୃଦ୍ଧ କରି ଥିବାରୁ ଓଡ଼ିଶା ଓ ଓଡ଼ିଶା ବାହାରେ ତାଙ୍କୁ ଅନେକ ସମ୍ମାନ ମିଳିଛି । ଓଡ଼ିଆ ସାହିତ୍ୟ ଏକାଡେମୀ, ଏବଂ ଭାରତୀୟ ପି. ଇ ଏନ ଦ୍ଵାରା ସେ ସମ୍ମାନିତ । କିନ୍ତୁ ସମ୍ମାନ ପଛରେ ସେ କେବେ ଧାଇଁ ନଥିଲେ । ଜୀବନ ଓ ନାଟକକୁ ସେ ଏକାକାର କରିଦେଇଥିଲେ । ପ୍ରାୟ ଜୀବନର ଶେଷ ଲଗ୍ନ ପର୍ଯ୍ୟନ୍ତ ଏଇ ନାଟ୍ୟମନସ୍କ ନଟପୁରୁଷ ହିଁ ଥିଲେ ଜଡ଼ିତ । ୧୯୯୨ ମସିହା ଜୁନ ୨୬ ତାରିଖ, ତାଙ୍କର ମହାପ୍ରୟାଣ, ଓଡ଼ିଶାର ନାଟ୍ୟଜଗତ ପାଇଁ ଅପୂରଣୀୟ ଶୂନ୍ୟସ୍ଥାନ ।

 

***

 

।। ତିନି ।।

ସ୍ରଷ୍ଟା ରାମଚନ୍ଦ୍ରଙ୍କ ସୃଷ୍ଟି ସାମ୍ରାଜ୍ୟ : ଏକ ପରିଚୟ

 

ସ୍ରଷ୍ଟା ରାମଚନ୍ଦ୍ରଙ୍କ ସୃଜନ-ସମାଜର ସରହଦରେ ଅନେକ ବୈଚିତ୍ର ଲକ୍ଷ୍ୟ କରାଯାଇଥାଏ-। ଅନ୍ୟାନ୍ୟ ସ୍ରଷ୍ଟାମାନଙ୍କ ମଧ୍ୟରେ ସୃଜନକର୍ମର ପ୍ରାରମ୍ଭିକ ଲଗ୍ନ ଭଳି, କବିତା ରଚନାରୁ ତାଙ୍କ ସାରସ୍ଵତ ଜୀବନର ଶୁଭାରମ୍ଭ ଘଟିଛି । କୈଶୋରର ସେଇ କବିତ୍ଵ ପୁଣି ରାମଚନ୍ଦ୍ରଙ୍କୁ ପ୍ରାକ୍‍ ଯୌବନରେ ଜଣେ କଥାକାର ଭାବରେ ଉପସ୍ଥାପିତ କରିଛି । ମାତ୍ର ନାଟକ ଓ ଅଭିନୟ ପ୍ରତି, ତାଙ୍କ ଚିତ୍ତବୃତ୍ତିରେ ଉଙ୍କି ମାରୁଥିବା ଅଭିଳାଷ ଓ ଉତ୍ସୁକତା ହିଁ, ତାଙ୍କୁ ପରବର୍ତ୍ତୀ ଜୀବନରେ ସଫଳ ନାଟ୍ୟକାର ଭାବରେ ପ୍ରତିଷ୍ଠା ପ୍ରଦାନ କରିଛି । ଏଥିପାଇଁ ରାମଚନ୍ଦ୍ରଙ୍କ ଭିତରେ ଗୋଟିଏ ଅଭିନେତାର ଆତ୍ମା ଅନେକ ପୂର୍ବରୁ ଯେମିତି ସବାର ସାଜିଥିଲା । ବାଲ୍ୟକାଳରେ ରାମଚନ୍ଦ୍ର ନିଜ ପିତାଙ୍କ ଅଭିନୟ ଦ୍ଵାରା ପ୍ରଭାବିତ ହୋଇଥିଲେ, ପରେ ପରେ ଛାତ୍ର ଜୀବନରେ ଅନେକ ନାଟକରେ ଅଭିନୟ କରୁଥିଲେ । ପ୍ରଖ୍ୟାତ ନାଟ୍ୟକାର କାମପାଳ ମିଶ୍ରଙ୍କ "ସୀତା ବିବାହ" ନାଟକରେ ସେ ରାମ ଭୂମିକାରେ ଅଭିନୟ କରୁଥିବା ପ୍ରସଙ୍ଗ ସ୍ଵୀକାର କରିକହନ୍ତି - ‘‘ଏହି ସମୟରେ ମୁଁ ଦଶପଲା ରାଜାଙ୍କର ରଙ୍ଗମଞ୍ଚରେ ଅଭିନୀତ କେତେକ ନାଟକରେ ଛୋଟ ଛୋଟ ଭୂମିକାରେ ଅଭିନୟ କରିଛି । ଆମ ସ୍କୁଲରେ ମଧ୍ୟ ବିଭିନ୍ନ ଉତ୍ସବମାନଙ୍କରେ ମୁଁ ମିଶିଛି । ମୋର ଠିକ୍‍ ମନେ ଅଛି ଯେ କାମପାଳ ମିଶ୍ରଙ୍କ ‘ସୀତା ବିବାହ’ ନାଟକରେ ମୁଁ ରାମ ଭୂମିକାରେ ଅଭିନୟ କରୁଥିଲି ।’’

 

(ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ସହ ଗୋଟିଏ ଅନ୍ତରଙ୍ଗ ଦିନ – ‘ରାମଚନ୍ଦ୍ର ମିଶ୍ର ସ୍ମରଣେ’ – ପୃଷ୍ଟା – ୫୪)

 

ଜଣେ ନାଟ୍ୟକାର ଭାବରେ ପରିଚିତ ହେବା ପୂର୍ବରୁ ରାମଚନ୍ଦ୍ର ପ୍ରଥମେ କବିତା ରଚନାରେ ଶୁଣାଇଲେ ତାଙ୍କ ସୃଜନ ବୀଣାର ଆଦ୍ୟ ଝଙ୍କାର । ପରେ ପରେ ଗଳ୍ପ ରଚନାରେ ପ୍ରବୃତ୍ତ ରହି କାହାଣୀ ଗଠନରେ ଆପଣାର ବଳିଷ୍ଠ ଚିନ୍ତନକୁ ପ୍ରକାଶ କରିଥିଲେ । ମାତ୍ର ତାଙ୍କ ସହିତ ସୃଜନ ଲୀଳାରେ ସର୍ବଶ୍ରେଷ୍ଠ କୃତିତ୍ଵର ପରିଚୟ ବହନ କରେ, ତାଙ୍କ ନାଟ୍ୟ ପ୍ରତିଭା । କିନ୍ତୁ ନାଟ୍ୟକାର ରାମଚନ୍ଦ୍ର ଯେ ଜଣେ ଉପନ୍ୟାସ ଲେଖକ ଓ ନାଟ୍ୟ ସମାଲୋଚକ ଏକଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ସେ ଜଣେ ଆଲୋଚକ ଭାବରେ ନିଜସ୍ଵ ଚିନ୍ତନକୁ ନେଇ ପ୍ରକାଶ କରିଛନ୍ତି ‘ଲୋକ ନାଟକ’ । (୧୯୮୮) । ଅନେକ ବଳିଷ୍ଠ କାହାଣୀକୁ ନେଇ ନାଟ୍ୟରୂପ ପ୍ରଦାନ କରିଥିବା ସତ୍ତ୍ଵେ, ସେ ପୁଣି ନିଜର କଥା ଓ କଥକତାର ଚମକ ଦର୍ଶାଇ ସୃଷ୍ଟି କରିଛନ୍ତି ଦୁଇଟି ଉପନ୍ୟାସ ୧. ‘ବିବାହିତା’ (୧୯୫୧), ୨. ‘ସେଇ ଲକ୍ଷ୍ମୀପୁର’ (୧୯୯୩) । ନାଟ୍ୟରଚନା ସହିତ ପରିଚିତ ହେବା ପୂର୍ବରୁ ତାଙ୍କର ନାଟ୍ୟାଲୋଚନା ତଥା ଉପନ୍ୟାସର ସାଧାରଣ ଚର୍ଚ୍ଚାର ପ୍ରାସଙ୍ଗିକତା ଏଠାରେ ଉପଲ୍ଲବ୍ଧ ହୁଏ ।

 

କ. ସମାଲୋଚକ ରାମଚନ୍ଦ୍ର :

ଜଣେ ନିଷ୍ଠାପର ନାଟ୍ୟକର୍ମୀ ଭାବରେ, ନାଟ୍ୟକାର ରାମଚନ୍ଦ୍ର ମିଶ୍ର, ବିଭିନ୍ନ ନାଟକ ଉତ୍ସବରେ ବିଚାରକ ଭାବରେ ଯୋଗ ଦେଇଥିଲେ । ବିଶେଷ କରି ୧୯୭୬ ମସିହାରେ ରାଉରକେଲାରେ ଅନୁଷ୍ଠିତ କଲ୍‍ଚରାଲ ଏକାଡେମୀ ଦ୍ଵାରା ଲୋକନାଟକ ମହୋତ୍ସୋବରେ ବିଚାରକ ଭାବରେ ସେ ଦୀର୍ଘ କାଳ ଧରି ସଂପୃକ୍ତ ରହିଥିଲେ । ମାତ୍ର ସେ ଏ ନେଇ ମହୋତ୍ସବରେ ପ୍ରତ୍ୟକ୍ଷ କରିଥିବା ମୂଲ୍ୟାୟନରୁ ଜନ୍ମନେଲା ତାଙ୍କର ଆଲୋଚନା ‘ଲୋକ ନାଟକ’ (୧୯୮୮) ।

 

‘ଲୋକନାଟକ’ ରାମଚନ୍ଦ୍ରଙ୍କ ନାଟକ ମୂଲ୍ୟାୟନ ଦୃଷ୍ଟିଭଙ୍ଗୀରେ ସଫଳ ପରିଚାୟକ । ଏଥିରେ ସେ ଲୋକ ନାଟକକୁ କେନ୍ଦ୍ର କରି ଘଟୁଥିବା ଆଲୋଚନାତ୍ମକ ସମସ୍ୟାକୁ ବିଚାର କରୁଛନ୍ତି-। ପୁନଶ୍ଚ ଲୋକନାଟକ ରୂପେ, ଯେଉଁ ପ୍ରକାରର ନାଟକଗୁଡ଼ିକ ପରିବେଷିତ ହୋଇଛି ଲେଖକ ସେସବୁର ପ୍ରକରଣ ଓ ପ୍ରକାର୍ଯ୍ୟ ଉପରେ ବିଷେଷ ଦୃଷ୍ଟିପାତ କରି ଏଥିରେ ସ୍ଵକୀୟ ଦୃଷ୍ଟିଭଙ୍ଗୀକୁ ଉପସ୍ଥାପନା କରିଛନ୍ତି । ପ୍ରକୃତରେ ନାଟକ ପ୍ରୟୋଗ – ପ୍ରଧାନ କଳା ଏହାର ରଚନା ଠାରୁ ଏହାର ମଞ୍ଚାୟନ ଦିଗଟି ବରଂ ଗୁରୁତ୍ଵପୂର୍ଣ୍ଣ । ଲେଖକ ରାମଚନ୍ଦ୍ର ମିଶ୍ର, ବିଶେଷ କରି ନାଟକର ପ୍ରୟୋଗାତ୍ମକ ଆଲୋଚନା କରି, ଏକ ଭିନ୍ନ ରୀତିରେ ଆଲୋଚନା ଭିତ୍ତିରେ ସ୍ଵକୀୟ ଅଭିମତକୁ ଦୃଢ଼ଭାବରେ ଉପସ୍ଥାପନା କରିଛନ୍ତି ।

 

ଲେଖକ ସଂପୃକ୍ତ ଗ୍ରନ୍ଥରେ ସ୍ଵକୀୟ ବିଚାରଧାରାରେ ଓଡ଼ିଶାରେ ନାଟ୍ୟ ମଞ୍ଚର କ୍ରମବିଲୀୟମାନ ଅବସ୍ଥା ପାଇଁ ଅନେକ କାରଣ ଦର୍ଶାଇଛନ୍ତି । ଏଇ କ୍ରମରେ ସେ ୧୯୬୦–୧୯୭୦ ମଧ୍ୟରେ ଓଡ଼ିଶାର ନାଟ୍ୟମଞ୍ଚର ଦୁରାବସ୍ଥା ପ୍ରସଙ୍ଗକୁ ଦୃଢ଼ତାର ସହିତ ସମର୍ଥନ କରିବାକୁ-। ଆର୍ଥିକ ଅନଟନ, ସରକାରୀ ପ୍ରୋତ୍ସାହନର ଅଭାବ ପ୍ରଭୃତି ଅନେକ କାରଣରୁ ଦାୟୀ କରାଗଲେ ମଧ୍ୟ, ଆମ ନାଟକରେ ପରୀକ୍ଷା ନିରିକ୍ଷାରେ ଓଡ଼ିଆତ୍ଵ ପ୍ରକାଶର ଅଭାବ ହେତୁ, ଦର୍ଶକେ ମଞ୍ଚ ପାଖରୁ ମୁହଁ ଫେରାଇ ନେବା ଭଳି ବାସ୍ତବ କଥାଟିକୁ ଲେଖକ ପ୍ରକାଶ କରିଛନ୍ତି । ମାତ୍ର ନିଚ୍ଛକ ଓଡ଼ିଆତ୍ଵକୁ ପ୍ରକଟ କରୁଥିବା ଓଡ଼ିଆ ନାଟକର ନିଜସ୍ଵ ବଳବତ୍ତର ରହିଛି । ପାଲା, ଦାସକାଠିଆ, ଦଣ୍ଡ ନାଚ, ଚଇତି ଘୋଡ଼ା ନାଚ, ଏବେ ବି ଜୀଇ ରହିଛି । ପୁନଶ୍ଚ ନାଟ୍ୟ ମଞ୍ଚରୁ ମୁଖ ଫେରାଇ କିଛି ଲୋକ ଯାତ୍ରା ପ୍ରତି ଆକୃଷ୍ଟ ହେଲେ । ଯାତ୍ରା ସେତେବେଳକୁ ଦ୍ଵିତୀୟ ମଞ୍ଚ ସଂଯୋଗ କରୁଥିଲା । ଫଳତଃ ଏହା ପ୍ରତି ଲୋକମାନଙ୍କ ଆଦର ବଢ଼ିଲା ।

 

ଓଡ଼ିଆ ନାଟକର କ୍ଷୟଶୀଳତା ପାଇଁ, ଲେଖକ ବିବିଧ କାରଣକୁ ବିଶ୍ଲେଷଣ କରିଛନ୍ତି । ତାଙ୍କ ଚିନ୍ତନରେ – ‘‘ଓଡ଼ିଆ ନାଟକରେ କ୍ଷୟଶୀଳତା, ପାଇଁ ବିଗତ ଦଶନ୍ଧିରୁ ପରିଲକ୍ଷିତ ହୋଇଛି-। ନାଟକୀୟ ବିଷୟ ବସ୍ତୁର ମୌଳିକତାର ଅଭାବ, ଜନ ସମାଜଠାରୁ ଦୂରେଇ ଯାଇଥିବା ଚରିତ୍ର ଚିତ୍ରଣ, ମଞ୍ଚମାୟା ସୃଷ୍ଟିରେ ସିନେମା ସହିତ ପ୍ରତିଦ୍ଵନ୍ଦିତା ନ କରିବାର ବିଫଳତା, ଏଇ କ୍ଷୟଶୀଳତା ଅନ୍ୟତମ କାରଣ । (ଲୋକନାଟକ - ପୃଷ୍ଠା - ୨୬)

 

୧୯୮୭-୮୮ ମସିହା ମଧ୍ୟରେ ହେଉଥିବା ଲୋକ ନାଟକ ମହୋତ୍ସବରେ ଏକାଧିକ ନାଟକ ପରିବେଷିତ ହୋଇଛି । ଏଥିରେ ଭାଗ ନେବା ପାଇଁ ପାଞ୍ଚଶତ ନାଟକ ମଧ୍ୟ ରଚନା କରାଯାଇଛି । କେତେକ ସ୍ଥଳରେ ନବୀନ ନାଟ୍ୟକାରମାନେ ପ୍ରବୀଣମାନଙ୍କ ଠାରୁ ସ୍ଵକୀୟ ଉତ୍କର୍ଷତା ମଧ୍ୟ ପ୍ରଦର୍ଶନ କରି, ଏ ସଂପର୍କରେ ଲେଖକ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କରିଛନ୍ତି । ତାଙ୍କ ମତରେ ‘‘କେତେକ ନୂତନ ନାଟ୍ୟକାର, ନାଟକକୁ ଜନାଭିମୁଖୀ କରିବାପାଇଁ ସମାଜର ନିମ୍ନ ସ୍ତରରୁ ବହୁ ଅବହେଳିତ, ଉତ୍ପୀଡ଼ିତ ଚରିତ୍ର ଆହରଣ କରିଛନ୍ତି । ବିଷୟ ବସ୍ତୁ ଉପସ୍ଥାପନା କ୍ଷେତ୍ରରେ ସେମାନେ ନାଟକ କ୍ଷେତ୍ରରେ ଦିଗ୍‍ବଳୟର ସୀମାର ପ୍ରସାର ଘଟାଇ ପାରିଛନ୍ତି । ନାଟକର ବିଷୟ ବସ୍ତୁ, ଚରିତ୍ର ଚିତ୍ରଣ, ସଂଳାପ ଦୃଷ୍ଟିରେ, ପରିବର୍ତ୍ତନ ଅଣାଯାଇ ନାଟକକୁ ଲୋକ ସାଧାରଣକୁ ନିକଟବର୍ତ୍ତୀ କରାଯିବାକୁ ଉଦ୍ୟମ, ଅନେକ ସଫଳତା ଦିଗରେ ଅଗ୍ରଗତି କରିପାରିଛି । (ଲୋକନାଟକ ପୃଷ୍ଠା - ୬୧)

 

ନାଟକ ରଚନା ଠାରୁ ଏହାର ମଞ୍ଚାୟନ ହେଉଛି ବଡ଼ ସମସ୍ୟା । ନାଟ୍ୟକାର ଠାରୁ ଆରମ୍ଭ କରି, ନାଟକ ସହିତ ସଂପୃକ୍ତ ଥାଆନ୍ତି ନାଟ୍ୟକର୍ମୀ, ଅଭିନେତା, ଅଭିନେତ୍ରୀ, ବାଦ୍ୟକାର, ଗୀତିକାର, ସଂଗୀତକାର, ବେଶକାର ଇତ୍ୟାଦି ଅନେକ ଧରଣର ବ୍ୟକ୍ତି । ଏମାନଙ୍କର ସମସ୍ୟା, ଏବଂ ପରିବେଶର ସମସ୍ୟା, ନାଟ୍ୟମଞ୍ଚର ସମସ୍ୟା ହୋଇଉଠେ । ଫଳତଃ ଓଡ଼ିଶାରେ ଏ ସମସ୍ତ ସମସ୍ୟା ଯେତେବେଳେ ତୀବ୍ର ହୋଇ ଉଠିଥିଲା, ସେତେବେଳେ ନାଟ୍ୟମଞ୍ଚର ସମସ୍ୟା ହୋଇଉଠେ । ଫଳତଃ ଓଡ଼ିଶାରେ ଏ ସମସ୍ତ ସମସ୍ୟା ଯେତେବେଳେ ତୀବ୍ର ହୋଇ ଉଠିଥିଲା । ସେତେବେଳେ ନାଟ୍ୟମଞ୍ଚର କ୍ରମକ୍ଷୟ ଘଟିବା ସ୍ଵାଭାବିକ ବୋଲି ଲେଖକ ଦର୍ଶାଇଛନ୍ତି ।

 

‘ଲୋକନାଟକ’ ପୁସ୍ତକରେ ଓଡ଼ିଶାର ଅନେକ ନାଟ୍ୟକାର, ଯେଉଁମାନଙ୍କ ନାଟକକୁ ନାଟ୍ୟ ସମାଲୋଚକମାନେ ଆଡ଼ନୟନରେ ବି ଦୃଷ୍ଟି ଦେଇନାହାନ୍ତି, ସେମାନଙ୍କ ରଚିତ ଓ ପରିବେଷିତ ନାଟକଗୁଡ଼ିକରେ ମୂଲ୍ୟାୟନରେ, ଲେଖକ ରାମଚନ୍ଦ୍ର ମିଶ୍ର ପ୍ରକୃତରେ ଉପଯୁକ୍ତ ତତ୍ପରତା ପ୍ରକାଶ କରିଛନ୍ତି । ଲୋକନାଟକ ମହୋତ୍ସବରେ ଦଶବର୍ଷ କାଳ ଅଭିନୀତ ନାଟକଗୁଡ଼ିକର ପ୍ରାୟୋଗିକ ମୂଲ୍ୟାୟନରେ ଆଲୋଚକ ରାମଚନ୍ଦ୍ରଙ୍କ ନିଷ୍ଠା ପ୍ରକୃତରେ ଅଭିନନ୍ଦନୀୟ ।

 

ନାଟ୍ୟପ୍ରକରଣର ବିବିଧ ଦିଗକୁ ଆଲୋଚକ ଭିନ୍ନ ଭିନ୍ନ ଦୃଷ୍ଟିରୁ ଆଲୋକିତ କରିଛନ୍ତି । ଅଭିନୀତ ନାଟକକୁ ସମାଲୋଚନା କରି ଏହାର ଉନ୍ନତି ନିମିତ୍ତ ବିବିଧ ସଂଭାବ୍ୟ ପଥ ଓ ସୂଚନା ମଧ୍ୟ ପ୍ରଦାନ କରିଛନ୍ତି । ବିଶେଷତଃ ନାଟକଗୁଡ଼ିକ ସେ ତାତ୍ତ୍ଵିକ ଓ କଳାତ୍ମକ ଅନେକ ଦିଗରୁ ଆଲୋଚନା କରିଅଛନ୍ତି । ସ୍ଥଳ ବିଶେଷରେ ମଧ୍ୟ କେତୋଟି ଦୃଷ୍ଟାନ୍ତ ସେ ପ୍ରଦାନ କରିଛନ୍ତି । ମୋଟ ଉପରେ ଜଣେ ଆଲୋଚକଙ୍କ ମତରେ ରାମଚନ୍ଦ୍ର ମିଶ୍ର ନାଟ୍ୟ ଆଲୋଚନାରେ ପ୍ରବୃତ୍ତ ରହି, ନାଟକ ସଂପରକୀୟ ସ୍ଵକୀୟ ବିଚାରଧାରାକୁ ପ୍ରକାଶ କରିଛନ୍ତି । ଓଡ଼ିଆ ନାଟ୍ୟକଳା, ନାଟ୍ୟମଞ୍ଚ ଏବଂ ନାଟକ ପରିବେଷଣ ରୀତିର ପ୍ରୟୋଗାତ୍ମକ ଦିଗଗୁଡ଼ିକର ଆଲୋଚନା କରି ସେ ସ୍ଵକୀୟତା ରକ୍ଷା କରିଛନ୍ତି । ତାଙ୍କ ଭଳି ଜଣେ ଶିଳ୍ପୀ ଏପରି ଆଲୋଚନା ପ୍ରକାଶ କରିଥିବାରୁ, ‘ଲୋକନାଟକ’ ଆଲୋଚନାଟି ଓଡ଼ିଆ ନାଟ୍ୟ ସାହିତ୍ୟ ସମାଲୋଚନା କ୍ଷେତ୍ରରେ ନୂତନ ଦିଶା ପ୍ରଦାନ କରେ । କାରଣ ନାଟକକୁ ପାଠ କରି, ଆଲୋଚନା କରିବା, ଏବଂ ନାଟ୍ୟମଞ୍ଚରେ ନାଟକ ଦର୍ଶନ କରି ଆଲୋଚନା କରିବା ମଧ୍ୟରେ ଅନେକ ପାର୍ଥକ୍ୟ । ପ୍ରଥମଟି ତାତ୍ତ୍ୱିକତା ଗର୍ଭିତ ହୋଇପାରେ, ମାତ୍ର ନାଟକ ମଞ୍ଚାୟନର ବାସ୍ତବ ଦିଗଟି ଏଥିରେ ଉପେକ୍ଷିତ । ଅପରନ୍ତୁ ଦ୍ଵିତୀୟଟି ସଂବୃଦ୍ଧ ଆଲୋଚନା, କାରଣ ନାଟ୍ୟ ପରିବେଷଣର ସମସ୍ତ ଦିଗପ୍ରତି ଦୃଷ୍ଟି ଦିଆଯାଇ ଏଭଳି ଆଲୋଚନା ପ୍ରସ୍ତୁତ କରାଯାଇଛି ।

 

ଆଲୋଚକ ଭାବରେ ରାମଚନ୍ଦ୍ର ଖଣ୍ଡିଏ ମାତ୍ର ଆଲୋଚନା ପୁସ୍ତକ ରଚନା କରିଥିଲେ । ଏହା ବି ସ୍ଵତନ୍ତ୍ର । ଜଣେ ଅନଭିଜ୍ଞ ହୁଏତ ନାଟକ ଆଲୋଚନା କରି ପାଣ୍ଡିତ୍ୟ ପ୍ରଦର୍ଶନ କରିପାରନ୍ତି, ମାତ୍ର ରାମଚନ୍ଦ୍ର ଜାଣେ ଅଭିଜ୍ଞ ନାଟ୍ୟଶିଳ୍ପୀ । ତେଣୁ ତାଙ୍କ ଆଲୋଚନାଟି ଅଧିକ ବାସ୍ତବଧର୍ମୀ, ବିଶ୍ଲେଷଣାତ୍ମକ ଏବଂ ପରିଚ୍ଛନ୍ନ । ଦୃଢ଼ ମତ ଉପସ୍ଥାପନରେ ରାମଚନ୍ଦ୍ର ଅଗ୍ରଣୀ ବ୍ୟକ୍ତି । ତେଣୁ ତାଙ୍କ ଆଲୋଚନାଟି ଓଡ଼ିଆ ନାଟକ ଆଲୋଚନା କ୍ଷେତ୍ରରେ ନିଶ୍ଚୟ ଏବଂ ବିଶେଷ ସୃଷ୍ଟି, ଏହା ବିନାଦ୍ଵିଧାରେ କୁହାଯାଇ ପାରିବ ।

 

ଖ. ରାମଚନ୍ଦ୍ରଙ୍କ ଉପନ୍ୟାସ :

ପ୍ରାୟ ପ୍ରତ୍ୟେକ ସାରସ୍ଵତ ସାଧକ ସୃଜନଲୀଳାର ଆଦ୍ୟ ଓଁକାର ଶୁଣାଯାଏ କବିତାରୁ । ସ୍ରଷ୍ଟା ରାମଚନ୍ଦ୍ର ମିଶ୍ରଙ୍କ ସାରସ୍ଵତ ଜୀବନର ଶୁଭାରମ୍ଭ ଘଟିଥିଲା ସେଇ କବିତାରୁ ପରେ ପରେ । ସେ ଗଳ୍ପ ରଚନାରେ ପ୍ରବୃତ୍ତ ହେଲେ ଓ ନାଟକ କ୍ଷେତ୍ରରେ ମଧ୍ୟ ସିଦ୍ଧି ଲାଭ କଲେ । ମାତ୍ର ତାଙ୍କ ସ୍ରଷ୍ଟା ଜୀବନର କିଛି ବକ୍ତବ୍ୟ, ଯାହାକୁ ସେ ଗଳ୍ପ ନାଟକ ମାଧ୍ୟମରେ ପ୍ରକାଶ କରି ପାରି ନଥିଲେ, ତାହାକୁ ସେ ଉପନ୍ୟାସ ମାଧ୍ୟମରେ ପ୍ରକାଶ କରିଥିଲେ । ତାଙ୍କ କଥା କଳାର ଚମତ୍କାରିତା ତାଙ୍କ ନାଟକୀୟ କାହାଣୀ ଗ୍ରଥନ କଳାରୁ ସ୍ପଷ୍ଟ ହୋଇଥାଏ । ଏହା ସହିତ ବିବାହିତ (୧୯୫୧) ଏବଂ ସେଇ ଲକ୍ଷ୍ମୀପୁର (୧୯୯୨) ନାମକ ଦୁଇଟି ଉପନ୍ୟାସ ମାଧ୍ୟମରେ ସ୍ଵକୀୟ ଅନୁଭବ ଓ ସାମାଜିକ ଦୃଷ୍ଟିଭଙ୍ଗୀଟି ପ୍ରକାଶ କରିଛନ୍ତି ।

 

୧.ବିବାହିତା : (୧୯୫୧)

ବିବାହିତା ରାମଚନ୍ଦ୍ର ମିଶ୍ରଙ୍କର ପ୍ରଥମ ସାମାଜିକ ଉପନ୍ୟାସ । ୧୯୪୫ ମସିହାରେ ସେ ରଚନା କରିଥିଲେ । ଏତେ ବେଳକୁ ‘ଅଭିମାନ’, ‘ମ୍ୟାନେଜର’, ଏବଂ ‘ମୂଲିଆ’ ନାଟକ ସେ ରଚନା କରି ସାରିଥିଲେ ଓ ଏଗୁଡ଼ିକ ସଫଳତାର ସହ ଅଭିନୀତ ହୋଇଥିଲା । ଏଇ ସମୟକୁ ସେ ରେଭେନ୍‍ସା କଲେଜରୁ ବି ଏ ପାସ୍‍ କରିଥିଲେ । ସେ ସମୟର ସାଧାରଣ ଯୁବକମାନେ, କଟକ ସହରରେ ରହି, କିପରି ଉଚ୍ଚଶିକ୍ଷା ନିମିତ୍ତ ଅଧ୍ୟୟନରେ ପ୍ରବୃତ୍ତ ଥିଲେ, ସେ କବିତାକୁ ସଂପୃକ୍ତ ଉପନ୍ୟାସରେ ପ୍ରକାଶ କରାଯାଇଛି । ମହାବିଦ୍ୟାଳୟର ଛାତ୍ରଭାବରେ ଚାରିଜଣ ଛାତ୍ର, ଏକତ୍ର ମେସ୍‍କରି ରହିବା ଓ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଅଧ୍ୟୟନ ଅବ୍ୟାହତ ରଖିବା ପ୍ରସଙ୍ଗ ହେଉଛି ସଂପୃକ୍ତ ଉପନ୍ୟାସର ପଟ୍ଟ ଭୂମି ।

 

‘ବିବାହିତ’ ଉପନ୍ୟାସରେ ଅଧିକ ସଂଖ୍ୟକ ଚରିତ୍ର ନାହାନ୍ତି, ଆବଶ୍ୟକତା ଦୃଷ୍ଟିରୁ ଲେଖକ ଏଥିରେ ସୀମିତ ସଂଖ୍ୟକ ଚରିତ୍ର ଗ୍ରହଣ କରିଛନ୍ତି । ରାଜେନ୍ଦ୍ର, ବିପିନ, ମାଧବ ଓ ଅଜୟ - ଏଇ ଚାରିଜଣ ଯୁବକ ଅଧ୍ୟୟନ ନିମିତ୍ତ ସହରରେ ଗୋଟାଏ ଛୋଟ ଘରେ ମେସ୍‍ କରି ରହୁଥାନ୍ତି-। ମେସ୍‍ ଘରଟି କୌଣସି ପ୍ରକାରେ ଏମାନେ ଯୋଗାଡ଼ କରିଥିଲେ । ଯାହାର ସ୍ଵତ୍ତାଧିକାରୀ ଥିଲା ମାଳ ମା ବୁଢ଼ୀ । ମାଳ ମା, ଜମିଦାର ଚୌଧୁରୀଙ୍କ ସହିତ ସଂପୃକ୍ତ ଥିଲା । ସେମାନଙ୍କ କାମ କରୁଥିଲା । ଦୟାର୍ଦ୍ର ଚିତ୍ତ ଜମିଦାର ଚୌଧୁରୀ ମାଳମା ନାମରେ କିଛି ଜାଗା କରି ଦେଇଥିଲେ ଯାହା ଉପରେ ମାଳମାର କ୍ଷୁଦ୍ର ଘର । ମାଳମା ନିହାତି ଦୁଃଖିନୀ, ସ୍ଵାମୀହରା, ବିଧବା ସେ । କୌଣସି ପ୍ରକାର, ନିଜର ଝିଅ ମାଳକୁ ସେ ବିବାହ ଦେଇଥିଲା, ଦୁର୍ଭାଗ୍ୟବଶତଃ ମାଳ ମଧ୍ୟ ଅକାଳରେ ବୈଧବ୍ୟ ଯନ୍ତ୍ରଣା ସହ୍ୟକଲା । ମାଳମା, ଏଇ ଚାରି ଯୁବକଙ୍କ ନିମନ୍ତେ ରୋଷେଇ କରେ, ସେ ଅସୁସ୍ଥ ହୋଇ ପଡ଼ିଲେ ମାଳ ମଧ୍ୟ ଆସି ରୋଷେଇ କରି ଦେଇଯାଏ । ମେସ୍‍ରେ ରହୁଥିବା ଯୁବକମାନଙ୍କ ପ୍ରତି, ସାଇ ଭିତରେ କେମିତି ଗୋଟାଏ କୁ ଦୃଷ୍ଟି, ମାତ୍ର ସେମାନଙ୍କୁ ବଦନାମ୍‍ କରିବାକୁ ସାଇବାଲାଙ୍କ ହାତରେ କୌଣସି ସୁଯୋଗ ନ ଥାଏ ।

 

ମେସ୍‍ରେ ରହୁଥିବା ବିପିନ, ରାଜେନ୍ଦ୍ର ଓ ମାଧବ ବି.ଏ ଶ୍ରେଣୀରେ ଓ କେବଳ ଅଜୟ ଆ.ଇ.ଏ ର ଛାତ୍ର । ବିପିନ ଅଜୟଙ୍କ ଠାରୁ ରାଜେନ୍ଦ୍ର ଏବଂ ମାଧବଙ୍କ ଚରିତ୍ର ଚିତ୍ରଣରେ ଲେଖକ ଅଧିକ ଧ୍ୟାନ ଶୀଳ ହୋଇ ପଡ଼ିଛନ୍ତି । ମାଧବ, ଧନାଢ଼୍ୟ ପରିବାରରେ ସନ୍ତାନ, ଘରେ ତାର ଜମିଦାରୀ ରକ୍ଷଣାବେକ୍ଷଣା କରିବାକୁ ଓ ବିବାହ କରେଇଦେବାକୁ କହିବାରୁ ସେ ଅଧ୍ୟୟନ ନିମିତ୍ତ କଟକ ଆସିଛି । ରାଜେନ୍ଦ୍ର ସେପରି କୌଣସି ସଂଭ୍ରାନ୍ତ ଘରର ସନ୍ତାନ ନୁହେଁ । ଅଥଚ ତା’ ଭିତରେ ରହିଛି ସ୍ଵାଭିମାନ । ଆତ୍ମ ସମ୍ମାନ ପ୍ରତି ଅଧିକ ସେ ଅଧିକ ସଚେତନ । ଅଭାବରେ ପଡ଼ି ସେ ଟ୍ୟୁସନ କରେ, ବେଳେ ବେଳେ ମାଧବ ତାକୁ ଆର୍ଥିକ ସହାୟତା କରେ । ମାଧବ ଓ ରାଜେନ୍ଦ୍ରଙ୍କ ମଧ୍ୟରେ ଉପଯୁକ୍ତ ବୁଝାମଣା, ଦୁହେଁ ଦୁହିଁକୁ ଭଲଭାବରେ ବୁଝିଛନ୍ତି ।

 

ମାଧବର ସ୍ଵଭାବ ବିଚିତ୍ର । ସେ ଦିନସାରା ଘର ଭିତରେ ଶୋଇଥାଏ । ସଂଧ୍ୟା ହେଲେ ବଜାରକୁ ଯାଇ ମନଇଚ୍ଛା ବୁଲେ ଓ ବିଭିନ୍ନ ଆସରରେ ଯୋଗଦିଏ । ବହୁ ବିଳମ୍ବରେ ମେସ୍‍କୁ ଫେରେ । ବିଚରା ମାଳମା ତା’ବାଟ ଚାହିଁ ବସିଥାଏ ଅନେକ ଥର ରାତିରେ ସେ ଉପବାସରେ ଶୋଇପଡ଼େ । ସେ ଅନେକ ବହିପତ୍ର କିଣିଛି, ଅଥଚ ପଢ଼ାପଢ଼ିରେ ତାର ଅଭିନିବେଶ ନଥାଏ । ଅପରପକ୍ଷରେ ରାଜେନ୍ଦ୍ର ଅଧ୍ୟୟନ ପ୍ରୟାସୀ, ମପାଚୁପା ନିୟମ କାନୁନ୍‍ ମଧ୍ୟରେ ଜୀବନ ଅତିବାହିତ କରିଥାଏ ।

 

ଉପନ୍ୟାସରେ ଦୁଇ ନାରୀ ଚରିତ୍ର ଭାବରେ ଦେଖା ଦେଇଛନ୍ତି ବିଧବା ମାଳ ଏବଂ ବନ । ରାଜେନ୍ଦ୍ର ମୋହନକୁ ଟ୍ୟୁସନ କରେ । ମୋହନର ଭଉଣୀ ବନ । ବନ ତା’ର ଶାଶୁଘରୁ ନିର୍ଯ୍ୟାତନା ସହ୍ୟ କରି ନପାରି ଫେରିଆସିଛି । ଅଶେଷ ଦୁଃଖ, ଯନ୍ତ୍ରଣା ଏବଂ ମାନସିକ ସନ୍ତୁଳନ ମଧ୍ୟରେ ସେ ରୁଗ୍ନା । ତାର ଚକିତ୍ସା ପାଇଁ ରାଜେନ୍ଦ୍ର ଥିଲା ଗୁରୁତ୍ଵପୂର୍ଣ୍ଣ । ବନ ଭଳି ଜଣେ ସରଳା ନିରୀହା ଓ ବିବାହିତା ନାରୀପ୍ରତି ରାଜେନ୍ଦ୍ର ମନରେ ଅସାମାନ୍ୟ ମମତା ଓ ସହୃଦୟତା ।

 

ମାଧବର ଚରିତ୍ର ଭିନ୍ନ, ଉଦ୍‍ବୃତ୍ତ ଅର୍ଥର ଅପଚୟ କରିବାରେ ସେ ବ୍ୟସ୍ତ । ବିଧବା ଓ ଦୁଃଖିନୀ ମାଳ ପ୍ରତି ତା’ମନରେ ଦରଦ । ଏଣେ ମାଳ ମାଆର ମୃତ୍ୟୁ ଘଟିଲାଣି । ସାଇ ଭିତରେ ମାଳର ଗୋଟିଏ ବରା ପକୁଡ଼ି ଦୋକାନ । ମାଳପ୍ରତି କେତେଜଣଙ୍କର ହୁଏତ ଅଶ୍ଲୀଳ ଇଙ୍ଗିତ, ତାକୁ ମାଧବ ସହି ପାରି ନାହିଁ । ଏହାଫଳରେ ସାଇଟୋକାଙ୍କ ସହିତ ମାଧବ ହାତାହାତି ହୋଇଛି । ରାଜେନ୍ଦ୍ରର ହସ୍ତକ୍ଷେପ ଫଳରେ ଘଟଣାଟି ଆୟତ୍ତକୁ ଆସିଛି । ମାଳ ସେଇ ପରଠାରୁ ଆସି ମେସ୍‍ରେ ରହଛି । ଲୋକଙ୍କର ଟାପ୍ପରା ସହ୍ୟ କରିବା ତା’ପକ୍ଷରେ ସମ୍ଭବ ହୋଇନାହିଁ ।

 

ରାଜେନ୍ଦ୍ର ଜଣେ ସୁଛାତ୍ର । ଲେଖକ ଭାବରେ ତା’ର କେତେଖଣ୍ଡ ଉପନ୍ୟାସ ଏହା ଭିତରେ ମଧ୍ୟ ଛପା ସରିଲାଣି । ସେଇ ଉପନ୍ୟାସ ପାଠ କରି କେହି କେହି ପାଠକ ପାଠିକା ମଧ୍ୟ ରାଜେନ୍ଦ୍ର ପ୍ରତି ଆକର୍ଷିତା ହୋଇଛନ୍ତି । ଏହାକୁ ପାଠ କରି ପୋଲିସ ଅଫିସର ନରହରି ବାବୁଙ୍କ ଝିଅ ହାରାମଣି ମଧ୍ୟ ପ୍ରଲୁବ୍ଧ ହୋଇଅଛି । ନରହରି ଏହା ମଧ୍ୟରେ ରାଜେନ୍ଦ୍ରକୁ ଦେଖା କରିବାକୁ ମେସ୍‍କୁ ଆସି ଫେରି ଯାଇଛନ୍ତି । ରାଜେନ୍ଦ୍ର ସହିତ ନିଜ ଝିଅ ହାରାମଣିଙ୍କ ବିବାହ ପ୍ରସଙ୍ଗ, ସେ ଚିଠି ମାଧ୍ୟମରେ ଦର୍ଶାଇଛନ୍ତି । ଆବଶ୍ୟକ ପଡ଼ିଲେ ମଧ୍ୟ ସେ କିଛି ପଇସା ପଠାଇବେ ବୋଲି ଦର୍ଶାଇଛନ୍ତି । ରାଜେନ୍ଦ୍ରକୁ ନେଇ ତାଙ୍କର ଏପରି ଅନଧିକାର ଚର୍ଚ୍ଚାକୁ ରାଜେନ୍ଦ୍ର ଆଦୌ ପସନ୍ଦ କରିନାହିଁ, ତେଣୁ ସେ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଦେଇଛି ।

 

ଏହା ଭିତରେ ମୋହନ ଘର ଭିତରେ ରାଜେନ୍ଦ୍ରର ସଂପର୍କ ଘନିଷ୍ଠ ହେଲାଣି । ସେମାନେ ରହିଥିବା ମେସ୍‍ ଘରେ ନିଆଁ ଲାଗି ଯିବାରୁ, ରାଜେନ୍ଦ୍ର ଆସି କିଛି ଦିନ ପାଇଁ ମୋହନ ଘରେ ରହିଛି-। .ମୋହନର ଭଉଣୀ ବନ କ୍ରମେ ରାଜେନ୍ଦ୍ର ପ୍ରତି ଦୁର୍ବଳତା ପ୍ରକାଶ କରିଛି, ଲୁଚି ଲୁଚି ରାଜେନ୍ଦ୍ରର ସାନିଧ୍ୟ ଆଶା କରିଛି । ଶାଶୁଘର ଲୋକେ ବନକୁ ନେବାକୁ ଆସି ତାକୁ ଟଣା ଓଟରା କରିଛନ୍ତି । ଏପରି ଅଶୋଭନୀୟ ଆଚରଣରେ ରାଜେନ୍ଦ୍ରର ହସ୍ତକ୍ଷେପ ଫଳରେ ସେମାନେ ଫେରିଯାଇଛନ୍ତି ଓ ବନ ସହିତ ରାଜେନ୍ଦ୍ରକୁ ଯୋଡ଼ି କୁତ୍ସିତ ଟିପ୍ପଣୀ ଦେଇ ଯାଇଛନ୍ତି । ଏଇ ଅବସରରେ ରାଜେନ୍ଦ୍ର ମାଧବର ଚିଠିରୁ ଜାଣିବାକୁ ପାଇଲା ଯେ, ମାଧବ ମାଳକୁ ନେଇ କେଉଁଆଡ଼େ ପଳାୟନ କରିଛି । ରାଜେନ୍ଦ୍ରର ମନ ଏଥିରେ ଆଘାତ ପାଇଛି । ମାଳ ଭଳି ନିରିମାଖି ପ୍ରତି ତା ମନରେ ଦରଦ ଆସିଛି, ମାଧବର ଭବିଷ୍ୟତ ନଷ୍ଟ ହେବା କଥା ଜାଣି, ସେ ଦୁଃଖ କରିଛି ।

 

ରାଜେନ୍ଦ୍ର ପରୀକ୍ଷା ଦେଇ ପାଆସ୍ କରିଛି । ଇଷ୍ଟେଟରେ ତହସିଲଦାର ଚାକିରି ପାଇଛି । ଇତ୍ୟବସରରେ ପୋଲିସ ନରହରି ବାବୁ ତାଙ୍କ ଝିଅ ହାରାମଣିଙ୍କୁ ଡାକ୍ତର ନବକିଶୋରଙ୍କ ସହିତ ବିବାହ ଦେଇଛନ୍ତି । ରାଜେନ୍ଦ୍ରଙ୍କ ଲିଖିତ ଉପନ୍ୟାସ ବହି କିଣି ଆଣିବାକୁ, ସ୍ଵାମୀ ନବକିଶୋରଙ୍କୁ କହିଛି, ରାଜେନ୍ଦ୍ର ଉପନ୍ୟାସର ବିମୁଗ୍ଧା ପାଠିକା ହାରାମଣି । ସମୟ କ୍ରମେ ଓ ହାରାମଣି ଓ ରାଜକିଶୋର ରାଜେନ୍ଦ୍ରଙ୍କୁ ସାକ୍ଷାତ କରି, ନିଜ ଘରକୁ ନିମନ୍ତ୍ରଣ କରିଛନ୍ତି । ଏଇଠାରେ ହାରାମଣି ନିଜର ପରିଚୟ ଦେଇଛି ଏବଂ ରାଜେନ୍ଦ୍ର ସହିତ ତାର ବିବାହ ପ୍ରସ୍ତାବ ପଡ଼ିଥିଲା ବୋଲି ଦର୍ଶାଇଛି । ରାଜେନ୍ଦ୍ର ନିଜ ଘରକୁ ଫେରି ଆସିଛନ୍ତି । ରାଜେନ୍ଦ୍ରଙ୍କ ପିତା ରାଜେନ୍ଦ୍ରଙ୍କୁ ତେଜ୍ୟପୁତ୍ର ଭାବରେ ଘୋଷଣା କରିଛନ୍ତି । ରାଜେନ୍ଦ୍ର ନିଜେ ପାଉଥିବା ଦରମାରୁ କିଛି ଟଙ୍କା ମୋହନ ଘରକୁ ପଠାଇଛି ।

 

ବନ, ଇତ୍ୟବସରରେ ନର୍ସିଂ ପାଠ ଶେଷ କରିଛି । ରାଜେନ୍ଦ୍ରଙ୍କ ସୁପାରିଶରେ ସେ ଆସି ଚାକିରି ପାଇଛି । ମାତ୍ର ଡାକ୍ତର ନବକିଶୋର, ବନ ପ୍ରତି ଅସହିଷ୍ଣୁ ମନୋଭାବ ପୋଷଣ କରିଛନ୍ତି । ରାଜେନ୍ଦ୍ରଙ୍କ ପ୍ରତି ନିଜ ସ୍ତ୍ରୀର ଦୁର୍ବଳତା ଥିବାରୁ ସେ ରାଜେନ୍ଦ୍ରଙ୍କ ଉପରେ ପ୍ରତିଶୋଧ ନେବାକୁ ଆଗେଇ ଆସି ଅନେକ ଚକ୍ରାନ୍ତ ମଧ୍ୟ ସୃଷ୍ଟି କରିଛନ୍ତି । ବନ ଓ ହାରାମଣିଙ୍କ ମଧ୍ୟରେ ବନ୍ଧୁତା ରହିଛି-। ଏହା ଭିତରେ ରାଜେନ୍ଦ୍ର ରୋଗଗ୍ରସ୍ତ ହୋଇଛନ୍ତି । ତାଙ୍କ ନିକଟରେ ଏତେବେଳେ ପହଞ୍ଚିଛି ମାଳ । ମାଳଠାରୁ ସେ ପରମ ସୃହୁଦ ମାଧବ ପ୍ରସଙ୍ଗ ଜାଣି ପାରିଛନ୍ତି । ମାଧବ ମାଳକୁ ସହାୟତା ଦେବାକୁ ଯାଇ, ମାଳକୁ ଧରି ରେଙ୍ଗୁନ୍ ଯାଇ ଶ୍ରମ କରି ନିଜର ଜୀବିକା ନିର୍ବାହ କରିଛି । ଜମିଦାର ଘର ପିଲା ହୋଇ ମୂଲ ଲାଗିଛି । ଶେଷରେ ଦୁରାରୋଗ୍ୟ ପ୍ଲେଗ୍ ରୋଗରେ ପୀଡ଼ିତ ହୋଇ ଅକାଳ ମୃତ୍ୟୁ ବରଣ କରିଛି । ଫେରି ଆସିଛି ଦୁଃଖିନୀ ମାଳ,ଏକାକିନୀ । ଦୁର୍ଭାଗ୍ୟ, ଦୁଇ ଦୁଇଥର ବିବାହ କରି ମଧ୍ୟ ସେ ବିଧବା । ରାଜେନ୍ଦ୍ର ତାକୁ ଆଶ୍ଵାସନା ଦେଇଛି ଓ ନିଜ ପାଖରେ ରଖାଇଛି । ଶେଷରେ ସ୍ଵାସ୍ଥ୍ୟଗତ କାରଣରୁ ଜଳବାୟୁ ପରିବର୍ତ୍ତନ ନିମିତ୍ତ ମାଧବ ପୁରୀ ଯାଇଛି । ସାଙ୍ଗରେ ଯାଇଛି ମାଳ ।

 

ଅଗତ୍ୟା ଡାକ୍ତରବାବୁ, ନର୍ସ ବନକୁ ରୋଗୀ ସେବା ଆଳରେ ଡାକ୍ତରଖାନାକୁ ଡକାଇଛନ୍ତି-। ମାତ୍ରାଧିକ ମଦ୍ୟପାନ କରି, ସେ ବନ ପ୍ରତି ଅସଦାଚରଣ କରିବାକୁ ଆଗେଇ ଆସିଛନ୍ତି । ଅସହାୟା ବନ, ତାଙ୍କ ଉପରକୁ କାଳି ଫିଙ୍ଗିଛି । ପତ୍ନୀ ହାରାମଣିଙ୍କ ଉପସ୍ଥିତି ଯୋଗୁଁ ଡାକ୍ତର ପରନାରୀ ହରଣ ନକରିବାରୁ ବଂଚିତ ହୋଇଛନ୍ତି । ବନକୁ ଉପଭୋଗ କରି ନ ପାରିବା ହେତୁ, କ୍ରୋଧରେ ଫାଟି ପଡ଼ିଛନ୍ତି ସେ । ବନର କର୍ତ୍ତବ୍ୟରେ ଅବହେଳାରୁ ରୋଗୀର ମୃତ୍ୟୁ ଘଟିଲା ବୋଲି,ବନ ନାମରେ ମିଥ୍ୟା ଅଭିଯୋଗ ଆଣିଛନ୍ତି ଡାକ୍ତରବାବୁ । ରାଜେନ୍ଦ୍ର ପୁରୀରୁ ଫେରି ଆସିଛି, ହେଲେ ତା’ ଭିତରର ସମସ୍ତ ସତ୍ତାଟି ଯେମିତି ମୃତ୍ୟୁକୁ ଆମନ୍ତ୍ରଣ ଜଣାଇ ସାରିଛି । ଏଇଭଳି ଅବସ୍ଥାରେ ରାଜେନ୍ଦ୍ରର ବିୟୋଗ ଘଟିଛି । ସମକାଳର ନାଟକଗୁଡ଼ିକୁ ନାଟ୍ୟକାର ମିଳନାନ୍ତକ କରିଥିବାବେଳେ, ଉପନ୍ୟାସଟିକୁ କିନ୍ତୁ ବିୟୋଗାନ୍ତକ କରି ଗଢ଼ି ତୋଳିଛନ୍ତି ।

 

ସମକାଳର ନାଟ୍ୟକୃତିଗୁଡ଼ିକର କାହାଣୀ ସଂଯୋଜନା ତୁଳନାରେ, ରାମଚନ୍ଦ୍ରଙ୍କର ଏଇ ଉପନ୍ୟାସର କାହାଣୀ କଳାଟି ଦୁର୍ବଳ ହୋଇପଡ଼ିଥିବା ଲକ୍ଷ୍ୟ କରାଯାଏ । ତେବେ ଚରିତ୍ର ସୃଷ୍ଟି ଓ ଚିତ୍ରଣ କ୍ଷେତ୍ରରେ ତାଙ୍କ ଦକ୍ଷତା ସ୍ଵତଃ ପ୍ରମାଣିତ । ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଶାରେ କଟକର ଅବସ୍ଥା, ଉଚ୍ଚଶିକ୍ଷା ନିମିତ୍ତ ସହରକୁ ଆସୁଥିବା ଯୁବକମାନଙ୍କ ଅବସ୍ଥା, ବିଧବାପ୍ରତି ସାମାଜିକ ଦୃଷ୍ଟିଭଂଗୀ, ସାମନ୍ତ ସନ୍ତାନମାନଙ୍କ ଚରିତ୍ରର ଅବକ୍ଷୟ ଓ ସାମାଜିକ ଅବ୍ୟବସ୍ଥା ସଂପର୍କରେ ଲେଖକଙ୍କ ଶାଣିତ ଦୃଷ୍ଟି ସଂପୃକ୍ତ ଉପନ୍ୟାସରେ ଉପଯୁକ୍ତ ଭାବରେ ପ୍ରକାଶ ପାଇଛି । ସେଥିନେଇ ଅତ୍ୟାଧୁନିକ ନାରୀମାନଙ୍କର ସଂକ୍ଷିପ୍ତ ପୋଷାକ ପରିଧାନ ପ୍ରଭୃତି ସଂପର୍କରେ ତାଙ୍କର ତିର୍ଯ୍ୟକ ବକ୍ତବ୍ୟ “ଏଇ ଇକନମିକାଲ୍ ଯୁଗରେ ଆଧୁନିକା ନାରୀମାନେ ଶରୀରର ଆବରଣଟାକୁ କମେଇ ଦେବାରେ ବ୍ୟସ୍ତ ସତ, କିନ୍ତୁ ବାରହାତ ଶାଢ଼ୀଟା ତାଙ୍କ ଦେହକୁ ଢାଙ୍କି ପାରୁ ନ ଥିବାରୁ ଯେପରି ଶରୀର କେତେକ ଅଂଶ ରହିଛି ଅନାବୃତ । ସୌନ୍ଦର୍ଯ୍ୟର ବିକାଶ କିପରି ସେମାନଙ୍କଠାରେ ହୋଇପାରିଛି ଦେଖାଇବା ପାଇଁ ଖୋଲି ଦେଇଛନ୍ତି ପ୍ରଦର୍ଶନୀ ସାରାଦେହରେ ଶରୀରର ମାଂସପେଶୀ ଗୁଡାକର ।’’

 

(ବିବାହିତା- ଆର୍ଯ୍ୟ ପ୍ରକାଶନୀ- କଟକ- ପୁଷ୍ଠା -୧୪)

 

ଉପନ୍ୟାସଟିର ପଟ୍ଟଭୂମି ସହର, ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଶାର ସାମାଜିକ ଅବସ୍ଥା ଏଥିରେ ଫୁଟି ଉଠିଛି । ତେବେ ଆଦର୍ଶ ଶ୍ରେଣୀର ଚରିତ୍ର ଭାବରେ ରାଜେନ୍ଦ୍ର ଚରିତ୍ରଟି ହୋଇଛି ଆକର୍ଷଣୀୟ । ଉପନ୍ୟାସଟିର ଭାଷା ହୋଇଛି ଭାବାନୁକୂଳ । ମାତ୍ର ଛପନ ପୃଷ୍ଠାର ସୀମତି କଳେବର ସଂପନ୍ନ ‘ବିବାହିତା ଉପନ୍ୟାସଟିରେ ବିବାହିତା ବନ ଚରିତ୍ରଟି ସହିତ ମାଳ ଚରିତ୍ରଟିର ଅବତାରଣା, ବେଶ୍ ପାଠକୀୟ ସମବେଦନା ସଂଗ୍ରହଣରେ ତତ୍ପର । ବନ ପରି ବିବାହିତା ନାରୀମାନଙ୍କର ଶୋଚନୀୟ ଜୀବନଧାରା, ଶାଶୁ ଶଶୁରଙ୍କ ଅତ୍ୟାଚାର ଏପରି କି ଡାକ୍ତରଙ୍କ କୋପ ଓ ଦୃଷ୍ଟି ହିଁ ବନପ୍ରତି ପାଠକୀୟ ଆବେଗ ସଂଚାରରେ ମୁଖ୍ୟତଃ ସହାୟକ । ପାଠକୀୟ ଆଦୃତି ପ୍ରାପ୍ତିରେ, ଉପନ୍ୟାସଟି ନିଶ୍ଚିନ୍ତଭାବରେ ତତ୍ପରତା ପ୍ରକାଶ କରିଛି|,

 

୨. ସେଇ ଲକ୍ଷ୍ମୀପୁର : (୧୯୯୩)

ଅନେକ ସଫଳ ମଞ୍ଚ ଓ ବେତାର ନାଟକ ରଚନା କରିବା ପରେ, ପୁଣି କଥାକାହାଣୀ ପ୍ରତି ଦୀର୍ଘ ବ୍ୟବଧାନ ପରେ ମନ ବଳାଇ ରାମଚନ୍ଦ୍ର ମିଶ୍ର ରଚନା କଲେ ‘ସେଇ ଲକ୍ଷ୍ମୀପୁର’ । ବୋଧହୁଏ ସେ ତାଙ୍କ ନାଟକ ମାଧ୍ୟମରେ ଯେଉଁ କଥାଟି ପ୍ରକାଶ କରିପାରି ନ ଥିଲେ, ତାହାକୁ ପ୍ରକାଶ କରିବାକୁ ଏପରି ଗୋଟିଏ ଉପନ୍ୟାସ ସୃଷ୍ଟି କରିବାକୁ ଆବଶ୍ୟକତା ଅନୁଭବ କଲେ । ପ୍ରକୃତରେ ନାଟକରେ ତାଙ୍କର ଯେଉଁ ଗାନ୍ଧୀବାଦୀ ଆଦର୍ଶ ଥିଲା, ଜୀବନର ଉତ୍ତୀର୍ଣ୍ଣ ପର୍ଯ୍ୟାୟରେ ରଚିତ ଉପନ୍ୟାସରେ ମଧ୍ୟ ସେଇ ଚିନ୍ତନକୁ ପ୍ରକାଶ କରିଛନ୍ତି । ୧୯୯୦ ମସିହାରେ ରଚିତ ସଂପୃକ୍ତ ଉପନ୍ୟାସରେ ସେଇ ପାରମ୍ପରିକ ସାମନ୍ତ-କୃଷକର ସଂଘର୍ଷ ଏବଂ ମୁନାଫାଖୋର ମଧ୍ୟସ୍ଥମାନଙ୍କର ଚକ୍ରାନ୍ତକାରୀ କାର୍ଯ୍ୟଧାରାର ଚିତ୍ର ପ୍ରକାଶ ପାଇଛି । ବିଂଶ ଶତକର ଶେଷ ଦଶକର ଉପନ୍ୟାସ ଧାରାରେ ଏହାର କାହାଣୀକଳାର ବିଶେଷତା ନଥାଇପାରେ, ମାତ୍ର ସ୍ଵାଧୀନତା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ କାଳର ସାମାଜିକ ଅବସ୍ଥାର ଚିତ୍ର ଏଥିରେ ଚିତ୍ରିତ ।

 

ଲକ୍ଷ୍ମୀପୁର ଗାଁ- ସମଗ୍ର ଉପନ୍ୟାସର ପଟ୍ଟଭୂମି । ଉପନ୍ୟାସଟିରେ ଭୂମିକୈନ୍ଦ୍ରିକ ସମସ୍ୟା ହୋଇଛି ମୁଖ୍ୟ ପ୍ରସଙ୍ଗ । ଲକ୍ଷ୍ମୀପୁର ଗ୍ରାମରେ ବ୍ୟବସାୟ କରିବାକୁ ଆସି ପହଞ୍ଚିଛନ୍ତି ଲକ୍ଷ୍ମୀନାରାୟଣ ମହାପାତ୍ର । ଗାଁର ଜଣେ ନିଷ୍ଠାପର ଭଦ୍ର ମଣିଷ ସାଧୁ ପ୍ରଧାନଙ୍କ ସହିତ ତାଙ୍କର ବନ୍ଧୁତ୍ଵ, ଏଇ ଦାୟରେ ସେ, ପ୍ରଧାନଙ୍କ ଭିଟାକୁ କେଇଟା ଟଙ୍କା ବିନିମୟରେ ଅକ୍ତିଆର କରିନେଇଛନ୍ତି । ପ୍ରଧାନ ଏବଂ ଲକ୍ଷ୍ମୀନାରାୟଣ ଉଭୟେ ଉଭୟଙ୍କୁ ଭଲପାଇଛନ୍ତି, ଦୁହିଁଙ୍କ ଭିତରେ ମଧ୍ୟ ଠିକ୍ ବୁଝାମଣା ରହିଛି । ସାଧୁ ପ୍ରଧାନ ପ୍ରକୃତରେ ଲକ୍ଷ୍ମୀପୁର ଗ୍ରାମର ଗାନ୍ଧୀ । ସେ ସ୍ଵାଧୀନତା ଅନ୍ଦୋଳନରେ ଯୋଗ ଦେଇଥିଲେ ଜଣେ ସଚ୍ଚୋଟକର୍ମୀ ଭାବରେ । ଦେଶ ସ୍ଵାଧୀନ ହେଲା, ହେଲେ ଗୋରା ଲୋକଙ୍କ ସ୍ଥାନରେ କଳାଲୋକେ ଆସି ଦେଶର ଶାସନଟାକୁ ଅକ୍ତିଆର କରିନେଲେ।

 

ଲକ୍ଷ୍ମୀନାରାୟଣ ଅଭାବ ସମୟରେ ଲକ୍ଷ୍ମୀପୁର ଗାଁର ନିରକ୍ଷର, ଦରିଦ୍ର ଓ ଅସହାୟ ଲୋକଙ୍କୁ କିଛି ଧାନ ଚାଉଳ ସାହାଯ୍ୟ ଦେଇଛନ୍ତି, ହେଲେ ବିନିମୟରେ ସେମାନଙ୍କ ଜମିକୁ ଆପଣାର କରିନେଇଛନ୍ତି । ବିଶେଷ କରି ଜମିଦାରଙ୍କର ତିନିପୁଅ ବିଶ୍ଵନାଥ, ଜଗନ୍ନାଥ ଓ ମହେନ୍ଦ୍ର ବଡ଼ ହୋଇ ପ୍ରଚୁର ରୋଜଗାରରେ ମାତି ରହିଛନ୍ତି । ଚତୁର ମହେନ୍ଦ୍ର ସହରରେ ରହି ଅସଂଭବ ଧରଣର ଧୂର୍ତ୍ତ ହୋଇଛନ୍ତି । ଲାଞ୍ଚ ନେଇ ସେ ସରକାରୀ ସ୍ତରର ଅଫିସ୍ର, ପୋଲିସ୍ ଇତ୍ୟାଦିଙ୍କୁ ଆପଣାର କରିନେଇଛନ୍ତି । ତାଙ୍କରି ଦ୍ଵାରା ଧୂର୍ତ୍ତ ନରହରି ଗ୍ରାମଲୋକଙ୍କ ଉପରେ କୃଦୃଷ୍ଟି ପକାଇ, ସେମାନଙ୍କୁ ତଳିତଳାନ୍ତ କରିବାର ବିଭିନ୍ନ ଚକ୍ରାନ୍ତ କରିଛି ।

Unknown

 

ଲକ୍ଷ୍ମୀପୁରର ପ୍ରତିଟି ମଣିଷଙ୍କର ଏକାନ୍ତ ସମ୍ମାନନୀୟ ସାଧୁ ପ୍ରଧାନ । ତାଙ୍କର ସଚ୍ଚୋଟତା, ନୀତିନିଷ୍ଠତା, ଉଦାର ମାନବିକତା ଓ ବିଚାର ପାଇଁ ସେ ସର୍ବତ୍ର ସମ୍ମାନନୀୟ । ତାଙ୍କର ଧନ ନାହିଁ, ମନ ଅଛି, ଗାଁରେ ତାଙ୍କର ନାଁ ଅଛି । ସ୍ଵାଧୀନତା ପରେ ଆସିଲା ନିର୍ବାଚନ । ଏଥିରେ ନେତା ଭାବରେ ପ୍ରତିଦ୍ଵନ୍ଦ୍ଵିତା କଲେ ପ୍ରତାପ ଏବଂ ଜମିଦାର ପୁତ୍ର ବିଶ୍ଵନାଥ ମହାପାତ୍ର । ପ୍ରତାପଙ୍କ ପ୍ରତି ରହିଥିବା ବିପୁଳ ଜନ ସମର୍ଥନ । ତେଣୁ ବିଶ୍ଵନାଥଙ୍କ ଧନ ବଳ ସତ୍ତ୍ଵେ ପ୍ରତାପ ନିର୍ବାଚନରେ ବିଜୟୀ ହେଲେ, ଗ୍ରାମର ସୁଖ-ଦୁଃଖ ସୁବିଧା ଅସୁବିଧା ପ୍ରସଙ୍ଗ ସେ ବିଧାନ ସଭାରେ ଦର୍ଶାଇଲେ । ମାତ୍ର ତାଙ୍କ ଦଳ ସରକାରରେ ନ ଥିବାରୁ ତାଙ୍କର କୌଣସି କଥା ଗ୍ରାହ୍ୟ ହେଲା ନାହିଁ । ସାଧୁ ପ୍ରଧାନଙ୍କ ପୁଅ ଦୀନବନ୍ଧୁ ପ୍ରତାପଙ୍କୁ ସହାୟତା କରିଥିଲେ । ତେଣୁ ଜମିଦାରଙ୍କ ପୁଅ ମହେନ୍ଦ୍ରଙ୍କ କ୍ରୁଦ୍ଧ ଦୃଷ୍ଟି ପଡ଼ିଲା, ଦୀନବନ୍ଧୁଙ୍କ ଉପରେ ।

 

ସେତେବେଳେ ଅନାବୃଷ୍ଟି ହେତୁ ଦେଖା ଦେଇଥିବା ମରୁଡ଼ିରେ ପୀଡ଼ିତ ହେଲେ ଚାଷୀକୁଳ । ଲକ୍ଷ୍ମୀପୁରର ଜନସାଧାରଣ କ୍ଷୁଧାରେ ଆତୁର ହେଲେ । ମହେନ୍ଦ୍ର ସେମାନଙ୍କ କୃଷିଭିତ୍ତିକ ଧାନଚାଉଳ ରପ୍ତାନୀ କରିବାକୁ ଯିବାବେଳେ, ଦୀନବନ୍ଧୁଙ୍କ ନେତୃତ୍ଵରେ ଗାଁ ଲୋକ ଏହାର ପ୍ରତିବାଦ କଲେ । ସେମାନେ ଦର୍ଶାଇଲେ ଆମ ଚାଷଜମିର ଅମଳକୁ, ଏ ଅଭାବ ସମୟରେ ଆମକୁ ଖାଇବାକୁ ଦିଆଯାଉ । ଆମେ ସେ ସବୁକୁ ପରେ ଭରଣା କରିଦେବୁ । ପୋଲିସ୍ କହିଲେ ମରୁଡ଼ି ଅଂଚଳ ପାଇଁ ସରକାରୀ ରିଲିଫ୍ ଅଣାଯିବ । ଲୋକ ବିରୋଧ କଲେ, ପ୍ରଧାନ ଓ ଚୌଧୁରୀଙ୍କ କଥା କେହି ଶୁଣିଲେ ନାହିଁ । ବିକ୍ଷୋଭ ପ୍ରଦର୍ଶନ କରୁଥିବା କ୍ଷୁଧିତ ଜନତା ଉପରେ ଗୁଳି ଚଳାଗଲା, ଗୁଳିରେ ଟଳି ପଡ଼ିଲେ ପ୍ରଧାନଙ୍କ ପୁଅ ଦୀନବନ୍ଧୁ । ଦୁଃଖ-ଯନ୍ତ୍ରଣା ଅଭାବ ଅନଟନର ତାଡ଼ନାରେ ବିକଳ କ୍ରନ୍ଦନ କଲେ ଦୀନବନ୍ଧୁଙ୍କ ପତ୍ନୀ ପାର୍ବତୀ ଏବଂ ପୁଅ ଗୋପ ।

 

ଚୌଧୁରୀ ଲକ୍ଷ୍ମୀନାରାୟଣଙ୍କୁ ସହାୟତା ଦେଇଥିଲେ ପ୍ରଧାନ, ମାତ୍ର ପ୍ରଧାନ ଓ ଚୌଧୁରୀଙ୍କ ଭିତରେ ବାଡ଼ ହୋଇ ଠିଆହେଲେ ପୁଅ ମହେନ୍ଦ୍ର । କୌଣସି ପ୍ରକାରେ ଚକ୍ରାନ୍ତ କରାଇ ସେ ସାଧୁ ପ୍ରଧାନଙ୍କର ସର୍ବନାଶ କରିବାର ଯୋଜନା କଲେ । ଗ୍ରାମବାସୀଙ୍କ ନିକଟରେ ସାଧୁ ପ୍ରଧାନଙ୍କ ଚରିତ୍ରକୁ ସବୁଦିନ ପାଇଁ ନିନ୍ଦିତ କରିବାକୁ ଚେଷ୍ଟାକଲେ । ତେଣୁ ପରିସ୍ଥିତି ଦାୟରେ ସାଧୁ ଓ ଚୌଧୁରୀଙ୍କ ଭିତରେ ଏକାଠି ହୋଇ ପରସ୍ପର କଥା ବିନିମୟ କରିବାର କୌଣସି ସୁଯୋଗ ରହିଲା ନାହିଁ । ଏମ୍.ଏଲ.ଏ ହୋଇଥିବା ପ୍ରତାପଙ୍କୁ ଆଗାମୀ ନିର୍ବାଚନରେ ହରାଇ ପାରିବାର ଯୋଜନା କରି, ମହେନ୍ଦ୍ର ଏବଂ ତାଙ୍କ ଦ୍ଵାରା ନିୟୋଜିତ ଗୁମାସ୍ତା ନରହରି ନାନା ପ୍ରକାରର ଧୂର୍ତ୍ତ ବୁଦ୍ଧି ପ୍ରୟୋଗ କଲେ ।

 

ଅତ୍ୟଧିକ ଧୂର୍ତ୍ତ ମହେନ୍ଦ୍ର ବୁଝିଛନ୍ତି ଗାଁ ଲୋକଙ୍କ ଦୁର୍ବଳତାକୁ । ପିଲାକାଳରୁ ଏମାନେ କକବାୟା, ବାଘ ସିଂହ ଗଳ୍ପ ଭିତରେ ଥିଲେ ଭୟାତୁର । ଏହାପରେ ମୋଗଲ. ମରହଟ୍ଟା ଶାସନ ଏବଂ ଗୋରା ସରକାରର ବନ୍ଧୁକ ମୁନ ଏମାନଙ୍କୁ ଭୟ ବିଜଡ଼ିତ କରି ରଖିଛି । ବ୍ରିଟିଶ୍ ଶାସକର ଅତ୍ୟାଚାରରେ ପୀଡ଼ିତ ଜନତା ଏବେ, ଦେଶୀ ସରକାରଙ୍କ ଦ୍ଵାରା ନିର୍ଯ୍ୟାତିତ । ଲେଖକଙ୍କ ଭାଷାରେ-“ବର୍ତ୍ତମାନ ସ୍ଵାଧୀନ ସରକାର । ଗୋରା ଯାଇଛନ୍ତି, ହେଲେ କଳା ସରକାର ବିରୁଦ୍ଧରେ ପ୍ରତିବାଦ ହେଲେ, ସେମାନେ ଅଧିକ ଉତ୍ତେଜିତ ହେଉଛନ୍ତି । କଥାରେ ତୁଟିବା କାମ ପାଇଁ ବନ୍ଧୁକ ଗୁଳି ଫୁଟୁଛି ।’’(ସେଇ ଲକ୍ଷ୍ମୀପୁର-(୧୯୯୩)-ପୃଷ୍ଠା-୫୦)

 

ଗୋଟାଏ ଦିଗରେ ଲକ୍ଷ୍ମୀପୁର ଗାଁର ଲୋକଙ୍କର ଦୟନୀୟତାର ଚିତ୍ର ଅଂକନ କରିବାବେଳେ, ଅନ୍ୟ ଦିଗରେ ମହେନ୍ଦ୍ରଙ୍କର ବୈଷୟିକ ଓ ଆର୍ଥିକ ଉନ୍ନତିର ଚିତ୍ର ପ୍ରଦାନ କରିବାରେ ଲେଖକ ତତ୍ପରତା ପ୍ରକାଶ କରିଛନ୍ତି । ମହେନ୍ଦ୍ର ଲୋକଙ୍କ ଦୁର୍ବଳତା ଜାଣନ୍ତି, ଜାଣନ୍ତି ମଧ୍ୟ ତାଙ୍କ ବାପାଙ୍କର ଲୋକଙ୍କ ପ୍ରତି ରହିଥିବା ସ୍ନେହ ଓ ସୋହାଗପଣ । ବାପା ଲକ୍ଷ୍ମୀନାରାୟଣ ମହେନ୍ଦ୍ରଙ୍କୁ ଯେତେ ବୁଝାଇଲେ ମଧ୍ୟ ସେ କିଛି ବୁଝିନାହାନ୍ତି । ଜମିଦାର ଲକ୍ଷ୍ମୀନାରାୟଣଙ୍କ ପାଖରେ କେହି ନାହାନ୍ତି, ସମସ୍ତେ ବାହାରେ, ଏପରିକି ନିଜ ପତ୍ନୀ ମଧ୍ୟ ବାହାରେ । କେଉଁ ଗୋଟାଏ ଡାକ୍ତର ସହିତ ତାଙ୍କର କି ସଂପର୍କ, ସେକଥା ନରହରି ବହୁ କଷ୍ଟରେ ମହେନ୍ଦ୍ରଙ୍କ ଠାରୁ ଜାଣି ପାରିଛନ୍ତି ।

 

ସାଧୁ ପ୍ରଧାନଙ୍କର ଆଦର୍ଶକୁ ଲୋକ ଗ୍ରହଣ କଲେ ମଧ୍ୟ, ଅଭାବ ଅନଟନରେ ପଡ଼ି ଶିଖି ମନାଇ ନରହରିଙ୍କ ଠାରୁ କେବେ କେମିତି ଭୋଜି ଖାଇ, ଆପଣାର ନିଜତ୍ଵ ହରାଇ ବସିଛନ୍ତି । ବହୁ କଷ୍ଟରେ ଶଶୁରଙ୍କ ନେତୃତ୍ଵରେ ଜୀବନ ଯନ୍ତ୍ରଣା ଭୋଗୁଥିବା ପାର୍ବତୀ, ପୁଅ ଗୋପା ମୁହଁକୁ ଚାହିଁ ସବୁ ସହିନେଇଛି । ଗୋପାବଡ଼ ହେଲାପରେ, ତା’ ପିତୃହତ୍ୟାର କାରଣ ଜାଣିପାରିଛି, ସୁଦାମ ପ୍ରଭୃତି ଯୁବକଙ୍କ ସହିତ ସେ ନିଜର ସଂଗ୍ରାମ ଜାରି ରଖିଛି । ମାତ୍ର ଧୂର୍ତ୍ତ ନରହରିର ଛଳନାରେ ଗ୍ରାମ ଯୁବକଙ୍କ ଭିତରେ ଫାଟ ସୃଷ୍ଟି ହୋଇଛି । ଅନେକ ଯୁବକ ଖଳ ନରହରି ବୁଦ୍ଧିରେ ପରିଚାଳିତ-। ନରହରି ଗୋଟାଏ କ୍ଳବ ଘର ତୋଳାଇ, ମହେନ୍ଦ୍ରଙ୍କ ବଡ଼ିତ ପଣ ଉଦାରତାର ପ୍ରଚାର କରାଯାଇଛି । ଭୀମା ଓ ଦୁଃଶାଙ୍କୁ ହାତକରି, ନିଜର ମନ୍ଦ ଉଦ୍ଦେଶ୍ୟ ଚରିତାର୍ଥ କରିବା ନିମିତ୍ତ ସେ ବିବିଧ ଚକ୍ରାନ୍ତ କରି ଏଥିରେ ସଫଳ ହୋଇଛି ।

 

ଉପନ୍ୟାସରେ ଲେଖକ ମହେନ୍ଦ୍ରଙ୍କ ସହରୀ ଜୀବନର ବଡ଼ତି ସଂପର୍କରେ ସୂଚନା ଦେଇଛନ୍ତି । ସହରରେ ମହେନ୍ଦ୍ର ଗୋଟାଏ ବିରାଟ ହୋଟେଲ ତୋଳାଇଛନ୍ତି, ନିଜର ମାଆଙ୍କ ନାମରେ ମଧ୍ୟ ଏହାର ନାମକରଣ କରାଯାଇଛି । ଅନେକ ନେତା, ମନ୍ତ୍ରୀ, ସଚିବ, ପଦସ୍ଥ ମଣିଷ ଏଠାକୁ ଆସନ୍ତି, ଦେଶୀ ବିଦେଶୀ ନୃତ୍ୟ-ଗୀତ, ଖାଦ୍ୟ-ପାନୀୟର ବ୍ୟବସ୍ଥା ଏଠାରେ । ନରହରି ଏହାର ଶୁଭାରମ୍ଭ ଦିନ ଏଠାରେ ପହଞ୍ଚି ଏଠାକାର ଆଦବ କାଇଦା ଦେଖିଛି ଏବଂ କାକା ସହିତ ସାକ୍ଷାତ କରି ଭିତରେ ରହସ୍ୟ ସଂପର୍କରେ ଅନେକ ତଥ୍ୟ ଜାଣିପାରିଛି । ନିଜର ଚଟୁଳ ବାକ୍ୟଦ୍ଵାରା ମହେନ୍ଦ୍ରଙ୍କ ପ୍ରଶସ୍ତି ଗାନକରି, ସେ ଲକ୍ଷ୍ମୀପୁରର ସଂପତ୍ତି ଉପରେ ଶ୍ୟେନ ଦୃଷ୍ଟି ରଖିଛି । ଏପରିକି ସେଇଠି ନିର୍ବାଚନ ଲଢ଼ିବାକୁ ଇଚ୍ଛା କରିଥିବା ମହେନ୍ଦ୍ରଙ୍କ ଦୃଷ୍ଟିକୁ ସହର ଆଡ଼କୁ ପ୍ରସାରିତ କରାଯାଇଛି । ହୋଟେଲରେ ଅଜଣା ଲୋକ ଦ୍ଵାରା ବୋମା ରଖିବା ଏବଂ ଏଥିନେଇ ଘଟିଥିବା ହଇଚଇରେ, ମହେନ୍ଦ୍ର କିପରି ଲୋକଙ୍କ ବିପୁଳ ସମର୍ଥନ ଲାଭ କରିଛନ୍ତି, ତାହା ଦର୍ଶାଇ ନରହରି, ଲକ୍ଷ୍ମୀପୁରରୁ ମହେନ୍ଦ୍ରଙ୍କୁ ପୃଥକ କରିବାକୁ ଆଗ୍ରହୀ । ଏପରିକି ଲକ୍ଷ୍ମୀପୁରରେ ଯାତ୍ରା କରାଇ ଏହାର ଉଦ୍‍ଘାଟନ କରିଛି ନିଜେ ନରହରି । ରାଜନୀତିକ ନେତାଙ୍କ ଶୈଳୀରେ ଯାତ୍ରା ଉଦ୍‍ଘାଟନ କରି, ନିଜ ଭବିଷ୍ୟତ ନେତା ଜୀବନର ମୂଳଦୁଆ ପକାଉଛି ନରହରି ।

 

ସମଗ୍ର ଉପନ୍ୟାସରେ ରଖାଯାଇଛି ଭୂମିକୈନ୍ଦ୍ରିକ କୃଷି ଓ କୃଷକର ସମସ୍ୟା । ଏହା ଭିତରେ ଲେଖକ ଗାନ୍ଧୀ ଚେତନାର ଇସ୍ତାହାର ବାଢ଼ିଛନ୍ତି ସାଧୁ ପ୍ରଧାନ ଚରିତ୍ର ମାଧ୍ୟମରେ । ସାଧୁ ପ୍ରଧାନ, ଲକ୍ଷ୍ମୀପୁରର ଗାନ୍ଧୀ । ଯାବତୀୟ ଦୁଃଖ- ଅନୁଶୋଚନା-ସନ୍ତାପ ଭିତରେ ସେ କ୍ଷମତାଶୀଳ, ସେ ବନ୍ଧୁବତ୍ସଳ, ଉଦାର । ତା’ର ପୁତ୍ରବଧୂ ପାର୍ବତୀ ମଧ୍ୟ ଅନୁରୂପ ଆଦର୍ଶରେ ବ୍ରତଚାରିଣୀ । ସେଇ ଆଦର୍ଶ ଯେମିତି ସେମାନଙ୍କର ଅସ୍ଥିମଜ୍ଜାଗତ, ବଂଶଗତ ଏବଂ ରକ୍ତଗତ । କାରଣ ପ୍ରଧାନଙ୍କ ନୀତି ଗୋପ ଭିତରେ ବି ସେଇ ଆଦର୍ଶ ଭରି ରହିଛି । ଚୌଧୁରୀଙ୍କୁ ନେଇ ସହରାଭିମୁଖୀ ମଟର ଖାଲରେ ପଶିଯିବା ବେଳେ ଗୋପର ସହାୟତା ଏବଂ ଗୋପର ପ୍ରତ୍ୟୁତ୍ତରହିଁ ତା’ ବ୍ୟକ୍ତିତ୍ଵର ପରିଚାୟକ ।

 

ନାଟ୍ୟ ଚରିତ୍ର ସୃଷ୍ଟି ଏବଂ ଚିତ୍ରଣରେ ଲେଖକ ଯେତେ ସଫଳତା ପାଇଛନ୍ତି, ଉପନ୍ୟାସ କ୍ଷେତ୍ରରେ ତାହା ସଂଭବ ହୋଇନାହିଁ । ଉପନ୍ୟାସରେ ମାମିନା ଓ ପାର୍ବତୀଙ୍କୁ ବାଦ ଦେଇ ସେପରି ପ୍ରତ୍ୟକ୍ଷ ନାରୀ ଚରିତ୍ର ନାହାନ୍ତି । ପାର୍ବତୀ ଚରିତ୍ରରେ ଲେଖକ ଯେଉଁ ଆଦର୍ଶବାଦର ଚିତ୍ର ଦେଇଛନ୍ତି, ବାସ୍ତବତା ଭିତ୍ତିରେ ତାହା ଅସଂଭବ । ଜଣେ ଉଚ୍ଚ ଶିକ୍ଷିତ ଡାକ୍ତରାଣୀ ଭାବରେ ମାମିନା କେବଳ ଚୌଧୁରୀଙ୍କ ନାତୁଣୀ, ତାଙ୍କର ସେବା ସହିତ ଜନସେବା କରିବାର ଆଗ୍ରହ ପୋଷଣ କରିଛନ୍ତି । ସଂପୃକ୍ତ ଉପନ୍ୟାସରେ ବଳିଷ୍ଟ ନାରୀଚରିତ୍ର ସହିତ ପ୍ରେମ ପ୍ରଣୟନ କୌଣସି ସାଧାରଣ ପ୍ରକାଶ ଘଟିନାହିଁ । ସମୁଦାୟ ଉପନ୍ୟାସରେ ସାଧୁ ପ୍ରଧାନ ହିଁ ସର୍ବଶ୍ରେଷ୍ଠ ଚରିତ୍ର, ଯେ ସେବାଶ୍ରମ କରିଛି ବୋଲି ଦର୍ଶାଇ ଦିଆଯାଇଛି । ବୋଧହୁଏ, ଲେଖକ ତାଙ୍କ ଜୀବନରେ ଦଦେଇ ଗୋବିନ୍ଦ ମିଶ୍ରଙ୍କର ସେବାଶ୍ରମ ପରିଚାଳନାର ଯେଉଁ ବାସ୍ତବ ଅନୁଭୂତି ନେଇଥିଲେ, ତାହାର ଯଥାର୍ଥ ସାରସ୍ଵତ ରୂପାୟନ ହିଁ ଏଇ ସେବାଶ୍ରମ, ଏବଂ କଳ୍ପିତ ସାଧୁ ପ୍ରଧାନ, ସଂଗ୍ରାମୀ ଗୋବିନ୍ଦ ମିଶ୍ରଙ୍କର ଲକ୍ଷ୍ମୀପୁର ବାସ୍ତବ ପ୍ରତିନିଧି।

 

ନାଟ୍ୟକାର ଭାବରେ ରାମଚନ୍ଦ୍ରଙ୍କର ଯେଉଁ ଅସାମାନ୍ୟ ସିନ୍ଧି ପରିଲକ୍ଷିତ, ତାହା ତାଙ୍କ ରଚିତ ଉପନ୍ୟାସ ଦୁଇଟିରେ ଅନୁପସ୍ଥିତ । ଦ୍ଵନ୍ଦ୍ଵ, ଉତ୍କଣ୍ଠା ଓ ଚରିତ୍ର ଚିତ୍ରଣ ଇତ୍ୟାଦିରେ ଲେଖକୀୟ କଳାଦୃଷ୍ଟିଟି ଉପନ୍ୟାସ ଦୁଇଟିରେ ହ୍ରାସ ପାଇଥିବା ଲକ୍ଷ୍ୟ କରାଯାଏ । ଉପନ୍ୟାସ ରଚନା କରି ସେ ସ୍ଵକୀୟ କଥା କାରିଗରୀର ଦୃଷ୍ଟାନ୍ତ ଛାଡ଼ିଯାଇଛନ୍ତି ବୋଲି କହିବାକୁ ହେବ ।

 

ଗ. ରାମଚନ୍ଦ୍ରଙ୍କ ନାଟ୍ୟ ବଳୟ: ଏକ ସାଧାରଣ ପରିଚୟ:

କବି, କଥାକାର, ସମାଲୋଚକ ଓ ଔପନ୍ୟାସିକ ଭାବରେ, ସାହିତ୍ୟର ବିବିଧ ବିଭାଗରେ ସ୍ଵକୀୟ ପରିଚୟ ଉପସ୍ଥାପନ କରିଥିଲେ ମଧ୍ୟ, ନାଟ୍ୟପ୍ରାଣ ରାମଚନ୍ଦ୍ରଙ୍କ ସାରସ୍ଵତ ପ୍ରତିଭାରେ ପ୍ରକୃଷ୍ଟ ପରିଚୟ ମିଳେ ତାଙ୍କ ନାଟ୍ୟ ସଂସାରରେ । ଜୀବନର ବିବିଧ ଅନୁଭବକୁ ନେଇ, ନାଟ୍ୟକାର ରାମଚନ୍ଦ୍ର ଗଢ଼ିଛନ୍ତି ତାଙ୍କ ନାଟ୍ୟ ସାମ୍ରାଜ୍ୟ । କାହାଣୀକଳା, ନାଟ୍ୟଧର୍ମ, ଶିଳ୍ପଦୃଷ୍ଟି ଏବଂ ପ୍ରକାର୍ଯ୍ୟ ଦୃଷ୍ଟିରୁ ରାମଚନ୍ଦ୍ରଙ୍କ ନାଟ୍ୟ ସଂସାରକୁ ନିମ୍ନକ୍ରମରେ ବ୍ୟବଚ୍ଛେଦ କରାଯାଇପାରେ । ଯଥା-

 

କ.      ସାମାଜିକ ନାଟକ

ଖ.      ଚରିତଧର୍ମୀ ନାଟକ

ଗ.      ରାଜନୀତିକ ନାଟକ

ଘ.      ବେତାର ନାଟକ

ଙ.      ଜାତୀୟତା ଭିତ୍ତିକ ନାଟକ

ଚ.      ପାରିବାରିକ ଜୀବନଧାରାର ନାଟକ

ଛ.      ସମସ୍ୟାମୂଳକ ନାଟକ

ଜ.       ଉପନ୍ୟାସର ନାଟ୍ୟରୂପ

ଝ.       ଐତିହାସିକ ନାଟକ

ଞ.      ମନୋବିଶ୍ଲେଷଣାତ୍ମକ ନାଟକ

ଟ.      ସମାଲୋଚନାତ୍ମକ ନାଟକ

ଠ.       ସଂସ୍କାରବାଦୀ ନାଟକ

ଡ.       ଛୋଟ ନାଟକ

 

ନାଟ୍ୟକାର ରାମଚନ୍ଦ୍ର ଜୀବନବ୍ୟାପି ସାଧନା ମଧ୍ୟରେ ସତେଇଶଟି ପୂର୍ଣ୍ଣାଙ୍ଗ ନାଟ୍ୟସୃଷ୍ଟି ମାଧ୍ୟମରେ ସ୍ଵକୀୟ ମୌଳିକତା ଅତୁଟ ରଖିଯାଇଛନ୍ତି । ନାଟକଗୁଡ଼ିକର ସମୟାନୁକ୍ରମିକ ବିଚାର କରାଗଲେ ତାଙ୍କ ନାଟ୍ୟ-ମାନସ ସଂପର୍କରେ ସାଧାରଣ ଅବବୋଧ ସୃଷ୍ଟି ହୋଇପାରିବ । ଏଣୁ ପ୍ରସଙ୍ଗତଃ ରାମଚନ୍ଦ୍ରଙ୍କ ନାଟ୍ୟଚେତନା ସଂପର୍କୀୟ ସାଧାରଣ ଧାରଣା ନିମିତ୍ତ, ତାଙ୍କ ନାଟ୍ୟ ସାମ୍ରାଜ୍ୟର ପରିଚୟ ଉପସ୍ଥାପିତ କରାଯିବା ସଂଗତିପୂର୍ଣ୍ଣ ମନେହୁଏ ।

 

୧. ଅଭିମାନ (୧୯୪୨)

କଟକର ମାଣିକଘୋଷ ବଜାରରେ ପ୍ରଥମ କରି ଆରମ୍ଭ ହୋଇଥିବା “ଭାରତୀ ଥିଏଟର୍ସ’’ ଆନୁକୂଲ୍ୟରେ ସ୍ଵର୍ଗତ ମିଶ୍ରଙ୍କର ପ୍ରଥମ ନାଟକ ଅଭିମାନ ମଞ୍ଚସ୍ଥ ହୋଇ ବେଶ୍ ଜନପ୍ରିୟତା ଲାଭ କରି ପାରିଥିଲା । ଗୋଟାଏ ପାରିବାରିକ ଜୀବନର ଜୀବନଚିତ୍ର, ସଂପୃକ୍ତ ନାଟକରେ ଚିତ୍ରିତ । ପାରିବାରିକ ଜୀବନରେ ମନୋମାଳିନ୍ୟ ଏକ ସାଧାରଣ ଘଟଣା, ଏଇ ଘଟଣା ଫଳରେ ପରିବାରର ବଡ଼ ପୁଅ ଅଭିମାନରେ ଘରଛାଡ଼ିଛି । ଗ୍ରାମ୍ୟ ପରିବେଶରୁ ଦୂରେଇ ଆସି, ସେ ସହରୀ ଜୀବନ ଭିତରେ ଏକପ୍ରକାର ଅଣନିଃଶ୍ଵାସୀ ହୋଇପଡ଼ିଛି ଓ ଆପଣାକୁ ଏକାନ୍ତ ଅସହାୟ ମନେ କରିଛି । ପରିବର୍ତ୍ତିତ ପରିସ୍ଥିତିରେ ଆଖି, ଆଗରେ ଉଜୁଡ଼ି ଯାଉଥିବା ପରିବାରକୁ ବଡ଼ ପୁଅ ପୁନଶ୍ଚ ଫେରିଆସିଛି । ଆପଣାର ବିଚାର ବୃଦ୍ଧି ତ୍ୟାଗବଳରେ ସମଗ୍ର ପରିବାରକୁ ପ୍ରଭାବିତ କରିଛି ଏବଂ ଅବକ୍ଷୟ ମୁଖରୁ ପରିବାରକୁ ପ୍ରଦାନ କରିଛି ସୁରକ୍ଷା । ପାରସ୍ପରିକ ସହଯୋଗରେ ପାରିପାରିକ ଜୀବନରେ ଶାନ୍ତି –ସନ୍ତୋଷ ଆସେ, ମାତ୍ର ପରସ୍ପର ମାତ୍ର ଭୁଲ ବୁଝାମଣା ଏବଂ ସାମାନ୍ୟ ସନ୍ଦେହରୁ ବିଶ୍ଵାସର ପତନ ଘଟି, ଅବିଶ୍ଵାସର ବିଷବାଷ୍ପ ସଂଚରିଯାଏ ।

 

ସଂପୃକ୍ତ ନାଟକରେ, ନାଟ୍ୟକାରଙ୍କ ଦୃଷ୍ଟିଭଂଗୀ ଏବଂ ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଯାଏ । ରାଷ୍ଟ୍ରୀୟ ଜୀବନର ମୂଳାଧାର ହେଉଛି ବ୍ୟକ୍ତି । ବ୍ୟକ୍ତି ଜୀବନର ସୁସ୍ଥତା, ତା’ର ପରିବାର ଉପରେ ସଂପୂର୍ଣ୍ଣ ଭାବରେ ନିର୍ଭରଶୀଳ । ବ୍ୟକ୍ତିର ପାରିବାରିକ ଜୀବନକୁ ସୁସ୍ଥ ସୁନ୍ଦର କରିପାରିଲେ, ପାରିବାରିକ ଜୀବନଟା ସୁଖମୟ ହୋଇଉଠେ । ସୁସ୍ଥ ପରିବାର, ସୁନ୍ଦର ସମାଜର ପ୍ରଥମ ପ୍ରତିଶ୍ରୁତି - ଏହାହିଁ ସଂପୃକ୍ତ ନାଟକ ମାଧ୍ୟମରେ ନାଟ୍ୟକାର ପ୍ରକାଶ କରିପାଛନ୍ତି । କେହି କେହି ଆଲୋଚକଙ୍କ ମତରେ, ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ନାଟ୍ୟମାନସର ପହିଲି ପ୍ରତିଶ୍ରୁତି ‘ଅଭିମାନ’ ହିଁ ତାଙ୍କର ସମଗ୍ର ନାଟ୍ୟମାନସର ଆଦ୍ୟ ଆଭାସ, ଯାହା ତାଙ୍କ ଜୀବନବ୍ୟାପି ସାଧନା ମଧ୍ୟରେ ଅତୁଟ ରହିଥିବା ଓ ତାଙ୍କର ଉତ୍ତୀର୍ଣ୍ଣ ନାଟ୍ୟମାନସକୁ ପ୍ରଭାବିତ ଓ ପ୍ରସାରିତ କରିଥିବା ଲକ୍ଷ୍ୟ କରାଯିବା ।

 

୨. ମ୍ୟାନେଜର (୧୯୪୩)

ନାଟ୍ୟକାର ରାମଚନ୍ଦ୍ରଙ୍କର ନାଟ୍ୟ-ଜୀବନର ଦ୍ଵିତୀୟ ଅର୍ଘ୍ୟ ‘ମ୍ୟାନେଜର’ ଅନ୍ନପୂର୍ଣ୍ଣା ବି’ଗ୍ରୁପ୍ରରେ ଅଣତିରିଶ ଅପ୍ରେଲ୍ ୧୯୪୫ ମସିହାରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲା । ସଂପୃକ୍ତ ନାଟକଟି ଜୁଲାଇ ମାସ ପର୍ଯ୍ୟନ୍ତ କ୍ରମାଗତ ଭାବରେ ଅଭିନୀତ ହୋଇ, ଦର୍ଶକଙ୍କ ମନୋରଂଜନ କରିବା ଘଟଣା ଏହାର ମଞ୍ଚ ସାଫଲ୍ୟର ପରିଚୟ ପ୍ରଦାନ କରିଥାଏ । ଜମିଦାରୀ ଶାସନ ଶୋଷଣର ବାସ୍ତବାଶ୍ରୟୀ ଚିତ୍ର, ସଂପୃକ୍ତ ନାଟକର କାହାଣୀ-କଳାକୁ ଅତ୍ୟନ୍ତ ଦୃଢ଼ତାର ସହିତ ପ୍ରତିପାଦିତ କରିଥିଲା ।

 

ଜଣେ ଲୋକପ୍ରିୟ ଜମିଦାର ରୂପେ ନାଟକରେ ଦେଖାଦେଇଛନ୍ତି ଜମିଦାର ବୈକୁଣ୍ଠନାଥ ଚୌଧୁରୀ । ତାଙ୍କ ପତ୍ନୀ ମୃତା, ଏକମାତ୍ର କନ୍ୟା ତାଙ୍କର ସୁଷମା । ସୁଷମାର ଶୈଶବରେ, ବୈକୁଣ୍ଠନାଥ ଏବଂ ତାଙ୍କ ଧର୍ମପ୍ରାଣୀ ପତ୍ନୀ, ଶିଶୁ ସୁରେନ୍ଦ୍ର ସହିତ ସୁଷମାର ବିବାହ କରିବେ ବୋଲି ସୁରେନ୍ଦ୍ର ମାଆଙ୍କ ଠାରେ ବଚନ-ବଦ୍ଧ ଥିଲେ । ଏ ବଚନଦାନ ବେଳେ ସାକ୍ଷୀ ଥିଲେ ମନ୍ଦିରର ବାବାଜୀ । ମାତ୍ର ଘଟଣାକ୍ରମେ ସୁରେନ୍ଦ୍ର ହେଲେ ପିତୃମାତୃହୀନ । ଘରେ ଏକମାତ୍ର ଭଉଣୀ କୁସୁମ-। ସୁରେନ୍ଦ୍ର ସତ୍ରଚରିତ୍ର ଏବଂ ସତ୍ୟବାଦୀ ଯୁବକ । କୌଣସି ମନୋମାଳିନ୍ୟରୁ, ବୈକୁଣ୍ଠନାଥ ବିରକ୍ତ ହୋଇ ସୁରେନ୍ଦ୍ରଙ୍କ ସହିତ ନିଜ କନ୍ୟା ସୁଷମାକୁ ବିବାହ କରିବାକୁ ବିରୋଧ କରିଥିଲେ । ମନ୍ଦିରର ବାବାଜୀ. ଅତୀତର ବଚନବଦ୍ଧତା ସଂପର୍କରେ ବୈକୃଣ୍ଠନାଥଙ୍କୁ ଅବହିତ କରିବା ପରେ ମଧ୍ୟ, ବୈକୃଣ୍ଠନାଥ ନିଜ ଜିଦିରେ ଅଟଳ ରହିଲେ ।

 

କନ୍ୟା ସୁଷମାର ବିବାହ ନିମିତ୍ତ, ଏକ ଅଜ୍ଞାତ ଯୁବକ ପ୍ରତାପକୁ ଯୋଗ୍ୟପାତ୍ର ରୂପେ ଜମିଦାର ବୈକୁଣ୍ଠନାଥ ମନେ କରିଛନ୍ତି । ଏଥି ନିମିତ୍ତ ସେ ପ୍ରତାପକୁ କଲିକତାରେ ଶିକ୍ଷାପ୍ରାପ୍ତିର ସୁଯୋଗ ଦେଇ, ତାକୁ ଉଚ୍ଚଶିକ୍ଷିତ କରାଯାଇଛି । ପ୍ରତାପକୁ ଭାବୀ ଜାମାତା ରୂପେ ଗ୍ରହଣ କରି, ତା ହାତରେ ଟେକି ଦେଇଛନ୍ତି ନିଜ ଜମିଦାରୀର ସଂପୂର୍ଣ୍ଣ ମାଲିକାନା ।

 

ପ୍ରତାପ ଜମିଦାରୀର ଦାୟିତ୍ଵ ନେବାପରେ ପ୍ରଜାମାନଙ୍କ ଉପରେ ଅଶାଳୀନ ଅତ୍ୟାଚାର କରିଛନ୍ତି । ପ୍ରଜାବର୍ଗ ଅତିଷ୍ଠ ହୋଇ. ଆପଣା ଆପଣାର ସୁରକ୍ଷା ନିମିତ୍ତ, ସୁରେନ୍ଦ୍ରଙ୍କ ସମର୍ଥନ ଓ ନେତୃତ୍ଵ ଆଶା କରିଛନ୍ତି । ସଚ୍ଚୋଟ ଓ ସାଧୁ ସୁରେନ୍ଦ୍ର, ଉତ୍ୟକ୍ତ ପ୍ରଜାଙ୍କୁ ନେଇ ଜମିଦାର ବୈକୁଣ୍ଠନାଥଙ୍କ ସହିତ ପ୍ରତ୍ୟକ୍ଷ ସାକ୍ଷାତ କରାଇଛନ୍ତି । ହୃଦୟବାନ ଜମିଦାର ବୈକୁଣ୍ଠନାଥ କିନ୍ତୁ ପ୍ରତାପର କୁ-ମନ୍ତ୍ରଣାର ଶିକାର ହୋଇ, ସୁରେନ୍ଦ୍ର ଜମିଦାରୀ ପ୍ରତି ପ୍ରଲୁବ୍ଧ ବୋଲି ମନ୍ତବ୍ୟ ଦେଇଛନ୍ତି-

 

ସଂପୃକ୍ତ ନାଟକରେ ସଂପୂର୍ଣ୍ଣ ଖଳ ଚରିତ୍ର ପ୍ରତାପ । ପ୍ରଜାମାନଙ୍କୁ ସେ ସୁରେନ୍ଦ୍ରଙ୍କ ବିରୋଧରେ ମତାଇଛନ୍ତି ଏବଂ ସୁରେନ୍ଦ୍ରଙ୍କ ଏକମାତ୍ର ଭଉଣୀ କୁସୁମକୁ ଅପହରଣ କରି କଲିକତାରେ ରଖିଛନ୍ତି । କୁସୁମର ମିଥ୍ୟା ମୃତ୍ୟୁ ସଂବାଦ ପରିବେଷଣ କରି, ସବୁରି ମନରେ ଦୁଃଖ ଯନ୍ତ୍ରଣା ଭରିଦେଇଛନ୍ତି । କୌଶଳ କ୍ରମେ ସୁରେନ୍ଦ୍ରଙ୍କୁ ଉଆସକୁ ଧରିଆଣି, ତାଙ୍କ ଉପରେ ଅତ୍ୟାଚାର କରିବା ସମୟରେ ଜମିଦାର କନ୍ୟା ସୁଷମାର ଉପସ୍ଥିତି ଓ ହସ୍ତକ୍ଷେପ ସୁରେନ୍ଦ୍ରଙ୍କୁ ସୁରକ୍ଷିତ କରିଛି ।

 

ଏଇ ଅବସରରେ ସୁରେନ୍ଦ୍ରଙ୍କ ଭଉଣୀ କୁସୁମର ଆକସ୍ମିକ ଅନୁପସ୍ଥିତି ସଂପର୍କରେ ଘୋର ସନ୍ଦେହ ପୋଷଣ କରିଛନ୍ତି ସୁଷମା । ପ୍ରତାପ ସହିତ ତାଙ୍କର ବିବାହ ସଂପନ୍ନ ହେବା ପୂର୍ବରୁ, ସେ ପ୍ରତାପକୁ ସନ୍ଦେହ କରିବାକୁ ଆରମ୍ଭ କରିଛନ୍ତି । କୁସୁମ ସଂପର୍କରେ ପ୍ରକୃତ ରହସ୍ୟ ଉଦ୍‍ଘାଟିତ ନ ହେବା ପର୍ଯ୍ୟନ୍ତ ପ୍ରତାପ ସହିତ ନିଜ ବିବାହକୁ ସ୍ଥଗିତ ରଖିବାକୁ ସୁଷମା, ନିଜ ପିତା ଜମିଦାର ବୈକୁଣ୍ଠନାଥଙ୍କୁ ଅନୁରୋଧ କରିଛନ୍ତି । ପ୍ରଜାବୃନ୍ଦ ଏଥିରେ ସୁଷମା ଏବଂ ସୁରେନ୍ଦ୍ରଙ୍କୁ ସମର୍ଥନ କରିଛନ୍ତି । ପ୍ରତାପଙ୍କ ଚକ୍ରାନ୍ତର ଅବସାନ ଘଟିଛି, ଖଇରୁ ମାଧ୍ୟମରେ ପ୍ରତାପଙ୍କର ଅସଲ ସତ୍ତାଟା ଜମିଦାର ବୈକୁଣ୍ଠନାଥଙ୍କ ନିକଟରେ ଅତ୍ୟନ୍ତ ସ୍ପଷ୍ଟ ହୋଇ ଉଠିଛି । ସେ ପ୍ରତାପକୁ ଦଣ୍ଡିତ କରିବାକୁ ଉଦ୍ୟତ ହେଲାବେଳେ, କୁସୁମ କୁନ୍ତୁ ତାଙ୍କୁ କ୍ଷମା ଦେବାକୁ ଅନୁରୋଧ କରିଛି । କୁଚକ୍ରୀ ପ୍ରତାପର ଯାବତୀୟ କୁକାର୍ଯ୍ୟ ଧରା ପଡ଼ିଯିବା ଦ୍ଵାରା ସେ ବିକଳ ଭାବରେ ଆପଣା ଦୁଷ୍କୃତ ନିମିତ୍ତ ଅନୁତାପ କରିଛି । ସୁଧୁରି ଯାଇଛି ତା’ର ଆଚରଣ, କୁସୁମ ସହିତ. ସୁରେନ୍ଦ୍ର ତାଙ୍କର ବିବାହ କରାଇଛନ୍ତି । ଜମିଦାର ବୈକୁଣ୍ଠନାଥ ମଧ୍ୟ ନିଜର ସମସ୍ତ କାର୍ଯ୍ୟ ନିମିତ୍ତ ଅନୁତପ୍ତ ହୋଇଛନ୍ତି, ଶେଷରେ ସୁଷମା ସହିତ ସୁରେନ୍ଦ୍ରଙ୍କର ବିବାହ ସଂପନ୍ନ ହୋଇଛି, ଏବଂ ପ୍ରଜାମାନେ ପୁନର୍ବାର ଗୋଟାଏ ସୁଶାସନ ପ୍ରାପ୍ତିର ସଂଭାବନା ଭିତରେ ଆମୋଦିତ ହୋଇଛନ୍ତି ।

 

‘ମ୍ୟାନେଜର’ ନାଟକରେ ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା, ଜମିଦାରୀ ଶାସନ ଶୋଷଣର ଚିତ୍ର, ପ୍ରଜାକୁଳର ଦୁରବସ୍ଥା, ତଥା କୁଚକ୍ରୀ ପ୍ରତାପର ଖଳ ପ୍ରବୃତ୍ତିର ସ୍ପଷ୍ଟଚିତ୍ର ପ୍ରଦାନ କରିବା ସହିତ, ଦୟା, କ୍ଷମା, ପ୍ରଭୃତି ମାନବୀୟ ଆଦର୍ଶବତ୍ତାର ଜୟଜୟାକାର ଘୋଷଣା କରିଛନ୍ତି । ସମୟର ଆହ୍ୱାନ ଏବଂ ସାମାଜିକ ଅଙ୍ଗୀକାରବଦ୍ଧତା ହୋଇଛି, ତାଙ୍କର ଏଇ ନାଟକର ବୈଶିଷ୍ଟ୍ୟ ।

 

୩. ମୂଲିଆ (୧୯୪୫)

ଅନ୍ୟତମ ସାର୍ଥକ ନାଟକ ମୂଲିଆ ‘ଅନ୍ନପୂର୍ଣ୍ଣା’ ‘ବି’ ଗ୍ରୁପ୍‍ଦ୍ୱାରା ଛ’ମାସ କାଳ (ତା ୨୭-୭୧୯୪୫ - ୨୧-୧୧-୧୯୪୫) ଅଭିନୀତ ହୋଇ ଦର୍ଶକୀୟ ଆବେଗକୁ ବେଶ୍ ଖୋରାକ୍ ଯୋଗାଇଥିଲା । ଏଇ ନାଟକର ମୁଖବନ୍ଧରେ ମୂଲିଆର ସଂଘର୍ଷ ସଂପର୍କରେ କୁହାଯାଇଥିଲା- “ଓଡ଼ିଶାର ନାଟ୍ୟ-ଜଗତରେ ମଧ୍ୟ ଦିନେ ଜଳିଥିଲା ଏଇ ସଂଘର୍ଷର ଅଗ୍ନି । ପରିଣତି ଯୁଗୋଚିତ ହେଲା, ମୂଲିଆର ଜୟ । ସେ ଏ ଯୁଗରେ ନିଜର ପେଟ କାଟି ମାଲିକ ମୁହଁରେ, ପଲାଉ, ମାଂସ ଦେବାରେ ନାରାଜ । ଏଇ ବିଷୟକୁ ସାଫଲ୍ୟମଣ୍ଡିତ କରିବାକୁ ଚଳିଥିଲା କଲମ । ମାଲିକ ମୂଲ ବନ୍ଦ କରି, ଭୋକରେ ମୂଲିଆକୁ ଶୁଖେଇ ମାରିବ କିନ୍ତୁ ଦେଶବାସୀ ତାଙ୍କର ଏହି ମୂଲିଆ ଭାଇମାନଙ୍କୁ ଉଚିତ ମୂଲ୍ୟ ଦେଇ ଏଇ ଯୁଗକୁ ସମ୍ମାନ ଦେଖାଇଛନ୍ତି । ତେଣୁ ହାଟରେ ବାଟରେ ଘାଟରେ ଉଠିଲା ମୂଲିଆର ଜୟ-ଜୟାକାର । ’’

 

(ମୂଲିଆ - ରାମଚନ୍ଦ୍ର ମିଶ୍ର - ସାଥୀ ପ୍ରକାଶନ -୧୯୮୪- ‘ଆମକଥା’ -ପୃଷ୍ଠା- କ)

 

ଏତେ ଘଟଣାର ରୂପରେଖା ପ୍ରଦାନ କରିବା ଅନ୍ତରାଳରେ ରହିଛି ନାଟ୍ୟକାର ରାମଚନ୍ଦ୍ର ଏବଂ ତାଙ୍କ ବନ୍ଧୁ ଅଭିନେତା ସାମୁଏଲ୍ ସାହୁଙ୍କ ସହିତ କାଳୀଚରଣ ପଟ୍ଟନାୟକଙ୍କ ମନୋମାଳିନ୍ୟ-। ଓଡ଼ିଶା ‘ଥିଏଟର୍ସ’ର ସର୍ବେସର୍ବା କାଳୀଚରଣ ପଟ୍ଟନାୟକଙ୍କ ସହିତ କଳାକାରମାନଙ୍କର ମତାନ୍ତର ଏବଂ ମନାନ୍ତର ଘଟିଲା । ଫଳତଃ ସେମାନଙ୍କ ମଧ୍ୟରୁ କେତେଜଣ ପ୍ରମୁଖ କଳାକାରଙ୍କ ସହଯୋଗରେ ଗଢ଼ାହେଲା ‘ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ୍ । ତେବେ ‘ମୂଲିଆ’ର ମୁଖବନ୍ଧରେ ଯାହା କିଛି ଅଭିଯୋଗ ଅଣାଯାଇଛି, ତାହା କାଳୀଚରଣ ପଟ୍ଟନାୟକଙ୍କ ଖୁବ୍ ବାଧିଛି । ତେଣୁ ସେ ଏ ସଂପର୍କରେ ଆପଣା ପ୍ରତିକ୍ରିୟା ପ୍ରକାଶ କରି ତାଙ୍କ ଆତ୍ମଜୀବନୀ ‘କୁମ୍ଭାରଚକ’ରେ ଦର୍ଶାଇଛନ୍ତି –“ଆହାର ବ୍ୟବହାର, ପୋଷାକ ପରିଚ୍ଛେଦରେ ଓଡ଼ିଶା ଥିଏଟର୍ସର ଶ୍ରମିକ ଓ ମାଲିକ ମଧ୍ୟରେ କୌଣସି ପାର୍ଥକ୍ୟ ନ ଥିଲା । ଆୟବ୍ୟୟ ନିୟମିତଃ ଭାବରେ ପରିଚାଳନା ସମିତି ଦ୍ଵାରା ତଦାରଖ କରାଯାଉଥିଲା । ଲାଭାଂଶ, ଏଭଳି କିଛି ନ ଥିଲା ଯେ, ଯେଉଁଥିରେ କି ମାଲିକ ପକ୍ଷ ମେଲାଇ ମାଂସ ଖାଇବାର ସୁବିଧା ସୁଯୋଗ ଲାଭ କରିପାରିବେ ।’’ (କୁମ୍ଭାଚରକ - କଟକ ଷ୍ଟୁଡେଣ୍ଟ ଷ୍ଟୋର- ୧୯୭୫ - ପୁଷ୍ଠା- ୨୯୨)

 

କାଳୀଚରଣଙ୍କ ‘ଓଡ଼ିଶା ଥିଏଟର୍ସ’ର ଅବକ୍ଷୟ, ରାମଚନ୍ଦ୍ରଙ୍କ ନାଟ୍ୟ ସଂସାର ପାଇଁ ନବ ସୁଯୋଗ ସୃଷ୍ଟିକଲା, ଫଳତଃ ଏଇ ବାସ୍ତବ ଘଟଣାକୁ କଳାତ୍ମକ କରି ଗଢ଼ି ତୋଳିବାରୁ ସୃଷ୍ଟି ହେଲା ‘ମୂଲିଆ’ । ଏହା ପାଞ୍ଚ ଅଙ୍କ ବିଶିଷ୍ଟ ପାରମ୍ପରିକ ନାଟକ, ଯେଉଁଥିରେ ଗୋଟାଏ ପାରିବାରିକ ଜୀବନର ବିପର୍ଯ୍ୟୟ ଏବଂ ସାମାଜିକ ଜୀବନରେ, ଗ୍ରାମ୍ୟ ଟାଉଟରଙ୍କ ଦ୍ଵାରା ନିର୍ଯ୍ୟାତିତ ନିରୀହ କୃଷକର ଦୟନୀୟ ଜୀବନ ଯାତନାର ଚିତ୍ର ହୋଇଛି ଚିତ୍ରିତ ।

 

ଗୋଟାଏ ଗ୍ରାମ୍ୟ ପରିବେଶର କୃଷିଜୀବୀ ପରିବାରରୁ ଆରମ୍ଭ ହୋଇଛି, ‘ମୂଲିଆ’ର ପଟ୍ଟଭୂମି । ମୁଖ୍ୟ ଚରିତ୍ର ଏଠାରେ କୃଷକ ନନ୍ଦ ଏବଂ ତା’ର ପତ୍ନୀ । ଗ୍ରାମୀଣ କୃଷିଜୀବୀ ପରିବାରର ସରଳ-ଆଦର୍ଶ ଓ ନୀତିବୋଧ ଭିତରେ, କଠିନଶ୍ରମ- ସାଧନା କରି ଜୀବନ ଜୀଉଥିବା ଦମ୍ପତି ଏ ଦୁହେଁ । ମାତାଙ୍କ ମୃତ୍ୟୁ ପୂର୍ବରୁ ସାନଭାଇ ରାଜୁ ଏବଂ ନବର ଦାୟିତ୍ଵ ନ୍ୟସ୍ତ ହେଲା ନନ୍ଦ ଉପରେ । ଅନ୍ଧ ପିତା, ଦୁଇ କନିଷ୍ଠଭ୍ରାତା ଏବଂ ପତ୍ନୀଙ୍କୁ ନେଇ ନନ୍ଦର କ୍ଷୁଦ୍ର ପରିବାର । ନନ୍ଦ ଚାହାନ୍ତି ରାଜୁ ଉଚ୍ଚଶିକ୍ଷିତ ହେଉ, ରାଜୁ ମଧ୍ୟ ଭାଇଙ୍କ କଥାକୁ ଉପଯୁକ୍ତ ମର୍ଯ୍ୟାଦା ପ୍ରଦାନ କରି ଶିକ୍ଷା କ୍ଷେତ୍ରରେ ଅଗ୍ରସର ହେଲା । ଉଚ୍ଚଶିକ୍ଷା ପାଇଁ ସହରରେ ରହିଥିବା ରାଜୁର ପଢ଼ାଖର୍ଚ୍ଚ ତୁଲାଇବା କୃଷିଜୀବୀ ନନ୍ଦ ପକ୍ଷରେ ଅସମ୍ଭବ ହୋଇ ଉଠିବାରୁ ସେ ନିଜର ଜମି ବନ୍ଧକ ଦେଲା ଏବଂ ଶାଗମାଛ ମୂଲ୍ୟରେ ମଧ୍ୟ ବଦଳ ବିକ୍ରୟ କରିଦେଲା । ରାଜୁର ପାଠପଢ଼ା ଶେଷ ନ ହେଉଣୁ, ଅଭାବ- ଅନଟନର ତୀବ୍ର ପୀଡ଼ନରେ ସନ୍ତୁଳିତ ଥିଲା ନନ୍ଦର ପରିବାର ।

 

ସହରୀ ଜୀବନର ଆସୁରୀ ମାୟାରେ ପୀଡ଼ିତ ହୋଇଛି ରାଜୁ, ବିସ୍ମୃତ ହୋଇଛି ତା’ର ପିତୃପ୍ରତିମ ବଡ଼ ଭାଇ ନନ୍ଦଙ୍କର ତ୍ୟାଗ ଓ ଆଦର୍ଶକୁ, ଭୁଲିଯାଇଛି ସ୍ନେହମୟୀ ଜନନୀ ତୁଲ୍ୟା ବଡ଼ ଭାଉଜଙ୍କୁ । ସଂପୃକ୍ତ ନାଟକର ଖଳ ଚରିତ୍ର ଗାଁ ଟାଉଟର ଧଡ଼ି ମହାପାତ୍ର । ଗାଁର କନ୍ୟା ସର ପ୍ରତି ସେ ରଖିଛି ଲୋଭାତୁର ଦୃଷ୍ଟି । ସର ରାଜୁକୁ ଭଲ ପାଉଥିଲା । ରାଜୁ ଆଖି ଉହାଡ଼ରୁ ସରକୁ ଦୂରେଇ ଦେଇ, ଆପେ ସରକୁ ବିବାହ କରିବାର ଯୋଜନା କରିଥିଲା ଧଡ଼ି ମହାପାତ୍ର । ରାଜୁ ନିକଟରେ ପହଞ୍ଚି ସେ ଦେବତୁଲ୍ୟ ଭାଇ ଓ ଦେବୀ ତୁଲ୍ୟା ଭାଉଜଙ୍କ ବିରୋଧରେ ମିଛ ସତ କହି, ସେମାନଙ୍କ ପ୍ରତି ରାଜୁ ମନରେ ବିଷ ବୀଜ ବପନ କରିନେଲା ।

 

ରାଜୁ ଉଚ୍ଚ ଶିକ୍ଷାପ୍ରାପ୍ତ ହେଲା, ଅଥଚ ତା’ ଭିତରେ ମାନବିକତାର ଅପମୃତ୍ୟୁ ଘଟିଲା । ଯେଉଁ ସର, ରାଜୁର ଶୁଭ ମନାସି ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରେ, ତାକୁ ସାତ ପର କରି, ରାଜୁ, ସହରରେ ଅବସ୍ଥାନ କରୁଥିବା ଆଇନଜୀବୀ ମି.ରାୟଙ୍କ କନ୍ୟା କଳ୍ପନାର ସୌନ୍ଦର୍ଯ୍ୟରେ ବିମୁଗ୍ଧ ହେଲା । ମି. ରାୟ ମଧ୍ୟ ଏହା ଆଶା କରିଥିଲେ । ଶେଷରେ ଗାଁକୁ ଆସି, ନିଜ ଭାଗ ସଂପତ୍ତିତକ ସାଧାରଣ ମୂଲ୍ୟରେ ଧଡ଼ି ମହାପାତ୍ରକୁ ବିକ୍ରୟ କରି, ଅନ୍ଧ ପିତା ଓ ରାମଚନ୍ଦ୍ର ତୁଲ୍ୟ ଭ୍ରାତା ଏବଂ ଜନନୀ ଭଳି ସ୍ନେହମୟୀ ଭାଉଜଙ୍କ ଠାରୁ, ସ୍ନେହ-ପ୍ରେମ-ପ୍ରୀତି-ପ୍ରତ୍ୟୟର ସକଳ ସଂପର୍କକୁ ଚ୍ଛିନ୍ନ କରିଦେଇ ସହରରେ ଆସି ଅବସ୍ଥାନ କଲା । ଆଖିରେ ତା’ର ଅସୁମାରୀ ସ୍ଵପ୍ନ, ସୁନ୍ଦରୀ କଳ୍ପନାକୁ ବିବାହ କରି ବେଶ୍ ଆମୋଦରେ ଜୀବନ ଜୀଇବାର ନିଶା ଘାରିଥିଲା ରାଜୁକୁ । ରାଜୁ ସାନଭାଇ ନନ୍ଦକୁ ନିଜ ପାଖରେ ଠିକ୍ ଚାକର ଭଳି ରଖିଛି । ପିତା-ଭ୍ରାତାଠାରୁ ହୋଇଛି ସଂପର୍କଚ୍ୟୁତ ।

 

ଅବୋଧ ରାଜୁଟିକୁ ସତ୍‍ମାର୍ଗରେ ପରିଚାଳିତ କରିବାକୁ ସହରକୁ ଆସିଥିବା ବଡ଼ଭାଇ ନନ୍ଦ, ରାଜୁଦ୍ଵାରା ଅପମାନିତ ଓ ଲାଂଚ୍ଛିତ ହୋଇ ଗାଁକୁ ଫେରିଯାଇଛନ୍ତି । ଏଇ ସୁଯୋଗରେ ବନ୍ଧକ ଜମି ବାବଦକୁ ଘରଡିହ ଇତ୍ୟାଦିରୁ ଅଧିକାର ଛଡ଼ାଇନେଇ. ଟାଉଟର ଧଡ଼ି ମହାପାତ୍ର ନନ୍ଦର ସ୍ତ୍ରୀ ଓ ଅନ୍ଧପିତାଙ୍କୁ ଘରୁ ତଡ଼ିଦେଇଛି । ଦୁଃଖ-ଯାତନା ଓ ଯନ୍ତ୍ରଣାରେ ଭାଙ୍ଗି ପଡ଼ିଥିବା ନନ୍ଦ, ଏଥର ନିଜର ପେଟ ଚାଖଣ୍ଡକ ପାଇଁ କୁଲିଗିରି କରିଛି । ଘଟଣାକ୍ରମେ ରାଜୁଠାରୁ ମଧ୍ୟ ଗୋଇଠା ମାଡ଼ ଖାଇଛି । ନନ୍ଦର ପତ୍ନୀ ଏବଂ ବୃଦ୍ଧ ପିତା, ନନ୍ଦକୁ ଓ ନନ୍ଦ ଏମାନଙ୍କୁ ଖୋଜିବାକୁ ଆରମ୍ଭ କରିଛନ୍ତି । ପରସ୍ପରକୁ ନ ପାଇ ପିତା ଓ ବୋହୂ ଭିକ୍ଷାବୃତ୍ତି କରିଛନ୍ତି ଏବଂ ନନ୍ଦ ନିଜେ ମୂଲ ଲାଗିଛି ।

 

ମି. ରାୟଙ୍କ କନ୍ୟା କଳ୍ପନାର ପ୍ରେମିକ କୁମାର ଯେଉଁଦିନ ରାଜୁର ଅସଲ ରୂପ ଓ ତା’ ପରିବାର ପ୍ରତି ତା’ର ପୈଶାଚିକ ଆଚରଣ ସଂପର୍କରେ କଳ୍ପନାକୁ ଅବହିତ କରିଛି, ଠିକ୍ ସେଇ ମୁହୂର୍ତ୍ତରେ ରାଜୁ ପ୍ରତି, କଳ୍ପନା ମନରେ ଦେଖାଦେଇଛି ଅସରନ୍ତି ଘୃଣା । ଶେଷରେ ରାଜୁର ପରିବର୍ତ୍ତନ ଆସିଛି, ରାଜୁ ନିଜ ଭାଇ ଭାଉଜଙ୍କ ପ୍ରତି କରିଥିବା ଅନ୍ୟାୟ ଆଚରଣରେ ଆପେ ଆପେ ଲଜ୍ଜିତ ହୋଇଛି ଓ ପରିଶେଷରେ ନିଜେ ସେମାନଙ୍କୁ ସାକ୍ଷାତ କରି, ସେମାନଙ୍କ ଠାରୁ କ୍ଷମା ପ୍ରାର୍ଥନା କରିଛି । ଧଡ଼ି ମହାପାତ୍ର ଠାରୁ, ସମସ୍ତ ସଂପତ୍ତି ଉଦ୍ଧାର କରିବାକୁ ଯାଇ, ଏମାନେ ଦେଖିଛନ୍ତି, ଧଡ଼ି ମହାପାତ୍ରେ ସରକୁ ବିବାହ କରିବାର ପ୍ରସ୍ତୁତିରେ ରହିଛି । ସରକୁ ଏମାନେ କୁଚକ୍ରୀ ଧଡ଼ି କବଳରୁ ଉଦ୍ଧାର କରିଛନ୍ତି । ଏଇ ସମୟରେ କଳାବଜାର କରିଥିବା ଅଭିଯୋଗରେ ଧଡ଼ି ମହାପାତ୍ରକୁ ପୋଲିସ୍ ଗିରଫ କରିଛି । ରାଜୁ ସହିତ ସରର ବିବାହ ସଂପନ୍ନ ହୋଇଛି ।

 

‘ମୂଲିଆ’ର କାହାଣୀକଳା ଏବଂ ଘଟଣାକ୍ରମ, ଗ୍ରାମଠାରୁ ନଗର ଜୀବନ ପର୍ଯ୍ୟନ୍ତ ହୋଇଛି ପ୍ରଲମ୍ଵିତ । ଏଥିରେ ସମାଜର ପ୍ରାୟ ବିଭିନ୍ନ ବର୍ଗର ମଣିଷଙ୍କର ଚିତ୍ର ହୋଇଛି ଚିତ୍ରିତ । ପାଶ୍ଚାତ୍ୟ ଶିକ୍ଷାପ୍ରସାର, ନବ୍ୟ ଶିକ୍ଷିତର ସହର ଜୀବନ ପ୍ରତି ମୋହ, ପରମ୍ପରାପ୍ରତି ଅମାନ୍ୟତା, ଆଧୁନିକତାର ଛଳନାମୟ ଚାକଚକ୍ୟ, ବିଶ୍ଵଯୁଦ୍ଧ ପରବର୍ତ୍ତୀ ସମୟରେ ଖଟିଖିଆମାନଙ୍କର ଦୟନୀୟ ଜୀବନଚିତ୍ର, କୃଷିଜୀବୀ, ରିକ୍ସାଚାଳକଙ୍କ ଦୟନୀୟତା, ଖାଉଟୀ ଦ୍ରବ୍ୟଗୁଡ଼ିକର ନିୟନ୍ତ୍ରଣ, କଳାବଜାରୀ, ଶଠତା, ଏବଂ ଗ୍ରାମ୍ୟଜୀବନର ଚଳଣିକୁ ନିୟନ୍ତ୍ରଣ କରୁଥିବା କେତୋଟି ଅନ୍ଧବିଶ୍ଵାସ ହିଁ ସଂପୃକ୍ତ ନାଟକରେ ହୋଇଛି ରୂପାୟିତ ।

 

ନାଟ୍ୟକାର ରାମଚନ୍ଦ୍ର ମିଶ୍ର, ବ୍ୟକ୍ତି ଜୀବନରେ ଥିଲେ ଆଦର୍ଶବାଦୀ, ଗାନ୍ଧୀଙ୍କ ଆଦର୍ଶର ସତ୍ୟନିଷ୍ଠ ଉପାସକ ସେ । ସତ୍ୟ-ନ୍ୟାୟ, ତ୍ୟାଗ, ଅହିଂସା, ପ୍ରେମ - ଏସବୁ ତାଙ୍କ ସାହିତ୍ୟ ସୃଷ୍ଟିର ସୃଜନାଦର୍ଶ । ମୂଲିଆ ନାଟକରେ ଏସବୁ ସୃଜନାଦର୍ଶର ପ୍ରଚ୍ଛନ୍ନ ପ୍ରତିକ୍ରିୟା ହୋଇଛି ପରିଲକ୍ଷିତ । ପ୍ରଥମେ ଉପସ୍ଥାପିତ ହୋଇଥିବା ସମସ୍ୟାଟିର ଆକାଂକ୍ଷିତ ସମାଧାନ ଘଟାଇ, ନାଟ୍ୟକାର, ଏହାର ନାଟକୀୟତା ରକ୍ଷାକରିବା ସହିତ, ଦର୍ଶକ ଚିତ୍ତକୁ ଉଲ୍ଲସିତ କରିଛନ୍ତି ।

 

କବିସୂର୍ଯ୍ୟ : (୧୯୪୬)

ଗୋଟାଏ ସୁନ୍ଦର ଚରିତମୂଳକ ନାଟକ ଭାବରେ ‘କବିସୂର୍ଯ୍ୟ’ ନାଟକଟି ରାମଚନ୍ଦ୍ର ନାଟ୍ୟମାନସର ଏକ ଭିନ୍ନ ଦିଗନ୍ତକୁ ସୂଚୀତ କରିଥାଏ । ଏତେବେଳକୁ କାଳୀଚରଣ ପଟ୍ଟନାୟକଙ୍କ ‘ଓଡ଼ିଶାଥିଏଟର୍ସ’ରେ ଜୟଦେବ (୧୯୪୩) ଏବଂ ଅତିବଡ଼ୀ ଜଗନ୍ନାଥ ଦାସ’ (୧୯୪୫) ମଞ୍ଚସ୍ଥ ହୋଇ ଯଥେଷ୍ଟ ପରିମାଣରେ ଦର୍ଶକୀୟ ଉତ୍କଣ୍ଠାକୁ ଚରିତାର୍ଥ କରିସାରିଥିଲା । ରାମଚନ୍ଦ୍ର ମିଶ୍ରଙ୍କର ପ୍ରିୟ କବି ଥିଲେ କବିସୂର୍ଯ୍ୟ ବଳଦେବ ରଥ । ତାଙ୍କ ରଚିତ ଚମ୍ପୂ ଏବଂ ଅନ୍ୟାନ୍ୟ ସଂଗୀତ, ରାମଚନ୍ଦ୍ରଙ୍କୁ ଆକର୍ଷିତ ଓ ବିମୋହିତ କରିଥିଲା । କବିସୂର୍ଯ୍ୟଙ୍କ ଭଳି ଜଣେ ପ୍ରଖ୍ୟାତ କବିଙ୍କୁ ନେଇ ରଚନାର ପ୍ରଲୋଭନ ସଂବରଣ କରି ନ ପାରି, ରାମଚନ୍ଦ୍ର ପରିବେଷଣ କରିଥିବା ‘କବିସୂର୍ଯ୍ୟ’ ‘ଅନ୍ନପୂର୍ଣ୍ଣା ବି’ ଗ୍ରୁପ୍ ଦ୍ଵାରା ଅଭିନୀତ ହୋଇଥିଲା ।

 

ପଣ୍ଡିତ କୁଳମଣି ଦାଶଙ୍କ ସଂପାଦିତ କବିସୂର୍ଯ୍ୟ ଗ୍ରନ୍ଥାବଳୀର ଜୀବନତଥ୍ୟ, ତଥା ଅନ୍ୟାନ୍ୟ ଗୀତିକାକୁ ଆଧାର କରି, ରାମଚନ୍ଦ୍ର ରଚନା କରିବସିଲେ ନାଟକ ‘କବିସୂର୍ଯ୍ୟ’ । କବିସୂର୍ଯ୍ୟଙ୍କ ବାଲ୍ୟକାଳ ବଳି ଓ ପରବର୍ତ୍ତୀ ପର୍ଯ୍ୟାୟ ବଳଦେବ । କାଳୀପୂଜକ ଅଜା ତ୍ରିପୁରାରି ଓ ତାଙ୍କ ପ୍ରଯତ୍ନରେ ପାଳିତ ବଳଦେବଙ୍କ ଭିତରେ ବିରାଟ-ପ୍ରତିଭାର ସଂଭାବନା ପ୍ରତ୍ୟକ୍ଷ କରିଥିଲେ ତ୍ରିପୁରାରି । ଜଣେ ବିଖ୍ୟାତ କବିରୂପେ ବଳଦେବ ସର୍ବତ୍ର ଆଦରଣୀୟ ହୋଇ ଉଠନ୍ତୁ, ଏହା ଥିଲା ପ୍ରକୃତରେ ତ୍ରିପୁରାରିଙ୍କ ଇଚ୍ଛା ।

 

ବଳଦେବ ଥିଲେ ପ୍ରଚଣ୍ଡ ସ୍ଵାଭିମାନୀ, ଦାରିଦ୍ର୍ୟର କଷାଘାତରେ ବିକଳ ହେଲେ ମଧ୍ୟ କେବେ ବି ସେ ଆପଣା ରଚନାକୁ ବିକ୍ରୟ କରୁ ନ ଥିଲେ । ବଳଦେବଙ୍କ ପ୍ରତିଭା ବିକାଶ ନିମିତ୍ତ ନାଟ୍ୟକାର ସୃଷ୍ଟି କରିଛନ୍ତି ଲଳିତା ଚରିତ୍ର । ବଳଦେବଙ୍କର କୈଶୋରର ସାଥୀ ଲଳିତା, ସେ ଭଲପାଏ ବଳଦେବଙ୍କ କବିତ୍ଵକୁ, ତାଙ୍କ ପ୍ରତିଭାକୁ । ଏଇ ପ୍ରତିଭାର ବିକାଶ ନିମିତ୍ତ ସେ ସାଜିଲେ ଗାୟିକା, ନୃତ୍ୟ ପଟ୍ଟୀୟସୀ ଏଇ ଲଳିତା ପଦରେ ଶୁଣାଗଲା ଘୁଙ୍ଗୁରର ଶବ୍ଦ । ନୃତ୍ୟ ପରିବେଷଣ କରି ଲଳିତା ଉପାର୍ଜନ କଲା, ଉପାର୍ଜିତ ସଂପଦରୁ କିୟଦଂଶ ବଳଦେବଙ୍କୁ ଅକୁଣ୍ଠ ଚିତ୍ତରେ ପ୍ରଦାନ କରି ପରିବାର ପୋଷଣ ସହାୟତା କଲା ।

 

ଲଳିତା- ବଳଦେବଙ୍କ ପାଇଁ ପ୍ରେରଣାର ଉତ୍ସ, ବଳଦେବଙ୍କ ଭିତରେ ନୂତନ ସଂଗୀତ ସୃଜନର ସ୍ପୃହା ଭରିଦେଲା ସେ, ବଳଦେବଙ୍କ ପେଟ ପୂରିଲା, ପୁଣି ମନ ବି ପୂରିଲା, ଗଭୀର ଆବେଗ ନେଇ ସେ ରଚି ବସିଲେ ରାଶି ରାଶି ଗୀତିକା, ଜନଦରବାରରେ ଉପସ୍ଥିତ ହେଲା ଏଇ ଗୀତିକା, ସଂଗୀତର ମଧୁର ମୂର୍ଚ୍ଛନା ସବୁରି ଚିତ୍‍ଲୋକକୁ ଆନନ୍ଦିତ କଲା । ଶେଷରେ ଜଳନ୍ତର ରାଜ୍ୟର ରାଜକନ୍ୟା, ସଂଗୀତ ପୂଜାରିଣୀ ଚନ୍ଦ୍ରକଳାଙ୍କ ନିକଟରେ ପହଞ୍ଚିଲେ ସରସ ସଂଗୀତ, ଅନ୍ଵେଷଣ କଲେ ସେ, କିଏ ଏଇ ପ୍ରତିଭାବନ୍ତ, ତାଙ୍କ ସାକ୍ଷାତ ମିଳିବା ଏକାନ୍ତ ଆବଶ୍ୟକ ।

 

ଜଳବନ୍ତ ରାଜଦରବାରକୁ ଆସିଲେ ବଳଦେବ, କବି ବଳଦେବ । ଜଳନ୍ତର ରାଜ ଦରବାରରେ ଥିବା ବିଦ୍ୟାଭୂଷଣ ଏବଂ ବାଣୀକଣ୍ଠ - ଏଇ ଦୁଇଜଣ ଶଠ ପଣ୍ଡିତଙ୍କ ପ୍ରଭାବକୁ ଚୂର୍ଣ୍ଣ କରି, ସ୍ଵକୀୟ ପ୍ରତିଭାବଳରେ କବି ବଳଦେବ ରାଜଦରବାରରେ ହିଁ ସଭାକବି ରୂପେ ମର୍ଯ୍ୟାଦାପ୍ରାପ୍ତ ହେଲେ । କବିତାନୁରାଗିଣୀ ରାଜକନ୍ୟା ଚନ୍ଦ୍ରକଳା ଏଥର କବିଙ୍କ ପ୍ରତି ହେଲେ ଆକର୍ଷିତ, କବିତାକୁ ଭଲ ପାଉ ପାଉ, କବିଙ୍କୁ ସେ ଗଭୀର ଭାବରେ ଭଲପାଇଲେ । ରାଜକବି ବଳଦେବ ଗୀତିକା ରଚନା କରି ଜେମାଙ୍କ ମନକୁ ମୁଗ୍ଧ କଲେ ସିନା, ଜେମାଙ୍କ ଦେହର ଦାହକୁ ହୃଦୟଙ୍ଗମ କରିପାରିଲେ ନାହିଁ । ଏକ ବିଶେଷ ମୁହୂର୍ତ୍ତରେ ମୂର୍ଚ୍ଛିତା ହେଲେ ସେ, କବି ବଳଦେବ ଏଇ ସମୟରେ ତାଙ୍କୁ ଉଠାଇବାକୁ ଉଦ୍ୟତ, ମାତ୍ର ମିଛୁ ମହାନ୍ତି ଭଳି ଜଣେ କୁଚକ୍ରୀର ହୀନ ଚକ୍ରାନ୍ତ ଯୋଗୁଁ, ରାଜାଙ୍କ ନିକଟରେ ଚରିତ୍ରହୀନ ରୂପେ ଦେଖାଦେଲେ ନିର୍ଦ୍ଦୋଷ କବି ବଳଦେବ । ପରିଣତି ସ୍ଵରୂପ ତାଙ୍କୁ ଅଗତ୍ୟା ଜଳନ୍ତର ତ୍ୟାଗ କରିବାକୁ ପଡ଼ିଲା ।

 

ଗଭୀର ଆତ୍ମଗ୍ଳାନି, ଦୁଃଖ ଓ ଅପମାନରେ ଜର୍ଜରିତ ବଳଦେବ ବ୍ୟଥିତ ହେଲେ, କିୟତ୍କାଳ ଆତ୍ମଗୋପନ କଲେ । କବି ବଳଦେବଙ୍କ ଶିଷ୍ୟା ମଦନମଣି, କବି ବଳଦେବଙ୍କ କୀର୍ତ୍ତୀ ଗାନ କରୁ କରୁ, ବଳଦେବଙ୍କୁ ଆଠଗଡ଼ ରାଜାଙ୍କର ରାଜକବି ଭାବରେ ସମ୍ମାନର ସହିତ ସ୍ଵୀକୃତି ମିଳିଲା । କବି ବଳଦେବ ଏଥର ଆନନ୍ଦ ଚିତ୍ତରେ ପୁର୍ନବାର ସୃଜନଲୀଳାରେ ନିମଜ୍ଜିତ ହେଲେ । ସମଗ୍ର ଓଡ଼ିଶାରେ ବ୍ୟାପିଗଲା ତାଙ୍କର ସୁଖ୍ୟାତି । ବଳଦେବଙ୍କ ବିରୋଧରେ ଏଠାରେ ଚକ୍ରାନ୍ତ କଲେ ରାଜ୍ୟର ଦେବାନ୍, ଫଳତଃ ପୁନଶ୍ଚ ରାଜରୋଷର ଶିକାର ହୋଇ ବଳଦେବ ଆଠଗଡ଼ରୁ ହେଲେ ନିର୍ବାସିତ ।

 

ସମୟକ୍ରମେ ସତ୍ୟ ଉଦ୍‍ଘାଟିତ ହେଲା, ଆଠଗଡ଼ ରାଜା ବଳଦେବଙ୍କ ପ୍ରତି କରାଯାଇଥିବା ଅନ୍ୟାୟ ନିମିତ୍ତ, ଅନୁଶୋଚନା କଲେ, ଅନୁରୂପ ଭାବରେ ମଧ୍ୟ ଜଳନ୍ତର ରାଜା ପଶ୍ଚାତ୍ତାପ କଲେ । ଉଭୟ ରାଜା କବିଙ୍କୁ ସନ୍ଧାନ କରିବା ଅବକାଶରେ ଶ୍ରୀକ୍ଷେତ୍ରରେ ଉପସ୍ଥିତ ହେଲେ । ପୁରୀର ଗଜପତି ରାଜା, ଦୁଇ ରାଜାଙ୍କୁ ସାହାଯ୍ୟ କରିବା ନିମିତ୍ତ, ଏକ ସଂଗୀତ ପ୍ରତିଯୋଗିତା କରାଇଲେ । ସଂଗୀତ ପ୍ରତିଯୋଗିତାରେ ଶୀର୍ଷ ସ୍ଥାନରେ ରହିଥିବା ସେଇ ଅଜ୍ଞାତ ସଂଗୀତାକାର ଅନ୍ୟ କେହି ନୁହନ୍ତି, ସେହି ହିଁ ଥିଲେ କବିସୂର୍ଯ୍ୟ ବଳଦେବ । ଆଠଗଡ଼ ଏବଂ ଜଳନ୍ତରର ରାଜାଦ୍ଵୟ କବିସୂର୍ଯ୍ୟଙ୍କ ନିକଟରେ କ୍ଷମା ପ୍ରାର୍ଥୀ ହେଲେ, ପୁରୀର ରାଜା, କବିଙ୍କ ପ୍ରତିଭାରେ ମୁଗ୍ଧ ହୋଇ ତାଙ୍କୁ କବିସୂର୍ଯ୍ୟ ଉପାଧିରେ କଲେ ବିଭୂଷିତ । ଏଇଠାରେ ଉପସ୍ଥିତ ଥିଲେ କବି ପତ୍ନୀ ରତ୍ନା, ଏବଂ ପ୍ରେରଣାଦାତ୍ରୀ ଲଳିତା ।

 

କବିସୂର୍ଯ୍ୟ ପ୍ରତିଭାକୁ ବାରମ୍ଵାର ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ଘନଘଟା ମଧ୍ୟରେ ପରୀକ୍ଷା କରାଇ ଉତ୍ତୀର୍ଣ୍ଣ କରିବା ଦିଗରେ ନାଟ୍ୟକାର ରାମଚନ୍ଦ୍ର ଯେଉଁଭଳି ଭାବରେ ଏହାର ନାଟକୀୟ ସଜ୍ଜୀକରଣ କରିଅଛନ୍ତି, ତାହା ଦର୍ଶକଙ୍କ ଦ୍ଵାରା ଆଗ୍ରହ ଓ ଆନନ୍ଦର ସହିତ ହୋଇଛି ଗୃହୀତ । ସତ୍ୟ ନ୍ୟାୟ ସହିତ ପ୍ରତିଭାର ଜୟଘୋଷ କରିବା ସଂପୃକ୍ତ ନାଟକର ଉଦ୍ଦେଶ୍ୟ । କବି ବଳଦେବଙ୍କ ଭଳି ଏକ ଗୁରୁତ୍ଵପୂର୍ଣ୍ଣ ଚରିତ୍ରକୁ ନାଟ୍ୟରୂପ ପ୍ରଦାନ କରି, ନାଟ୍ୟକାର ହଜାର ହଜାର ଲୋକଙ୍କ ପାଖରେ କବିସୂର୍ଯ୍ୟଙ୍କୁ ଆଦରଣୀୟ କରି ଗଢ଼ି ତୋଳିଛନ୍ତି ।

 

୫. ଘରସଂସାର (୧୯୫୦)

ରାମଚନ୍ଦ୍ରଙ୍କ ନାଟ୍ୟକାର ଜୀବନର ଅସାମାନ୍ୟ ସଫଳତା ‘ଘରସଂସାର’ରେ ପ୍ରକାଶିତ । ‘କବିସୂର୍ଯ୍ୟ’ (୧୯୪୬) ଠାରୁ ‘ଘରସଂସାର’ (୧୯୫୦) ପର୍ଯ୍ୟନ୍ତ ଦୀର୍ଘ ଚାରିବର୍ଷର ବ୍ୟବଧାନ, ପରେ ନାଟକଟିର ସୃଷ୍ଟି ଦର୍ଶକ ମହଲରେ ତାଙ୍କୁ ପୂର୍ବଠାରୁ ଅଧିକତର ଭାବରେ ଆକର୍ଷିତ କରିଥିଲା । ୧୯୫୦ ନଭେମ୍ଵର ୫ ତାରିଖ ଠାରୁ ୧୪ ଜାନୁଆରୀ ୧୯୫୧ ପର୍ଯ୍ୟନ୍ତ ସଂପୃକ୍ତ ନାଟକଟି ‘ଅନ୍ନପୂର୍ଣ୍ଣା’ ବି’ଗ୍ରୁପ ଦ୍ଵାରା ଅଭିନୀତ ହୋଇ ବିଶେଷ ସଫଳତା ଲାଭ କରିଥିଲା । ପରେ ପରେ ଏହା ଚଳଚ୍ଚିତ୍ର ଆକାରରେ ରୂପାନ୍ତରିତ ହୋଇ ଓଡ଼ିଶାର ନାଟ୍ୟ ଓ ଚଳଚ୍ଚିତ୍ରପ୍ରେମୀ ଦର୍ଶକ ସମାଜର ନାଟ୍ୟପିପାସାକୁ ଚରିତାର୍ଥ କରିବାରେ କ୍ଷମ ହୋଇଥିଲା । କାରଣ ସଂପୃକ୍ତ ନାଟକର କଥାଭାଗ ସହିତ ଚରିତ୍ରଗୁଡ଼ିକର ସାମଞ୍ଜସ୍ୟ ଏପରି ଭାବ ବନ୍ଧନରେ ଗ୍ରଥିତ ଯେ, ଏହା ପ୍ରାୟ ପ୍ରତ୍ୟେକ ଶ୍ରେଣୀର ଦର୍ଶକଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା । ଭାରତୀୟ ସାମାଜିକ ଜୀବନର ପାରମ୍ପରିକ ଧାରା ଭିତରେ ଆଦର୍ଶବାଦୀ ଜୀବନଦୃଷ୍ଟି ତଥା ତ୍ୟାଗପୂତ ପାରିବାରିକ ଜୀବନର ପ୍ରତିଷ୍ଠା ହେଉଛି ‘ଘରସଂସାର’ ନାଟକର ଆଭିମୁଖ୍ୟ । ନାଟ୍ୟକାର ରାମଚନ୍ଦ୍ର ପ୍ରଥମତଃ ଭାରତୀୟ ସମାଜକୁ ଭଲ ଭାବରେ ବିଶ୍ଲେଷଣ କରିଥିଲେ, ଏବଂ ସାମାଜିକ ଅବକ୍ଷୟକୁ ପ୍ରତ୍ୟକ୍ଷ କରିପାରିଥିଲେ । ପାଶ୍ଚାତ୍ୟ-ଶିକ୍ଷା-ସଭ୍ୟତାର ବିକଳ ଅନୁକରଣ ଦ୍ଵାରା, ଆମର ପାରିପାରିକ ଏବଂ ସାମାଜିକ ଜୀବନରେ ଦୃଷ୍ଟିଗୋଚର ହେଉଥିବା ବିଶୃଙ୍ଖଳାକୁ ସଜାଡ଼ି ଦେବା ନିମିତ୍ତ ନାଟ୍ୟକାର ସୃଷ୍ଟି କଲେ ନାଟକ ‘ଘରସଂସାର’ । କାରଣ ସମାଜ ବ୍ୟବସ୍ଥାର ରୁଗ୍ଣ ଅଂଶଗୁଡ଼ିକୁ ସୁଧାରି ପାରିଲେ ସବୁକିଛି ସୁଧୁରିଯିବ ବୋଲି ସେ ବିଶ୍ଵାସ କରିଥିଲେ । ସମାଜ ବ୍ୟବସ୍ଥାର ମୂଳ ଅଂଶ ହେଉଛି ପରିବାର, ତେଣୁ ପ୍ରଥମେ ପରିବାରକୁ ସଜାଡ଼ିବା ଏକାନ୍ତ ଭାବରେ ପ୍ରୟୋଜନ ।

 

‘ଘରସଂସାର’ ନାଟକର କଥାବସ୍ତୁ ଆରମ୍ଭ ହୋଇଛି ଗୋଟିଏ ସାଧାରଣ ଗ୍ରାମ୍ୟ ବିବାଦରୁ-। ରଘୁନାଥପୁର ଏବଂ ଚଣ୍ଡିପୁର ଭଳି ଦୁଇଟି ଗ୍ରାମର ଗ୍ରାମ ମୁଖ୍ୟ ଥିଲେ ଯଥାକ୍ରମେ ଜମିଦାର ହରିଶଙ୍କର ମହାପାତ୍ର ଏବଂ ମଦନ ଚୌଧୁରୀ । ଦୁଇ ଜମିଦାରଙ୍କ ମଧ୍ୟରେ କୌଣସି କାରଣରୁ ସୃଷ୍ଟି ହୋଇଥିବା ମନୋମାଳିନ୍ୟ ତୀବ୍ରତର ହେଲା ଦୋଳମେଲଣରେ, ପରିଣତି ସ୍ଵରୂପ ସତ୍ୟ-ନ୍ୟାୟ ଏବଂ ଧର୍ମର ପ୍ରତୀକ ମଦନ ଚୌଧୁରୀଙ୍କ ଜୀବନର ଅବସାନ ଘଟିଲା । ଅନୁତାପ ଦାବାଗ୍ନିରେ ଜଳୁଥିଲେ ରଘୁନାଥପୁରର ଜମିଦାର ହରିଶଙ୍କର ମହାପାତ୍ର । ରଘୁନାଥଙ୍କର କନ୍ୟାର ବିବାହ ଉତ୍ସବକୁ, ଚଣ୍ଡିପୁର ଜମିଦାରଙ୍କର ସୁଯୋଗ୍ୟ ପୁତ୍ର, ଗୋପ ଚୌଧୁରୀଙ୍କୁ ଆମନ୍ତ୍ରଣ କରିଥିଲେ । ମଦନ ଚୌଧୁରୀଙ୍କ ପୁତ୍ର ଥିଲେ ଗୋପ ଚୌଧୁରୀ, ସେ ଶିକ୍ଷିତ, ଉଦାରମନା, ଆଦର୍ଶବାଦୀ ଏବଂ ଦେଶ ସେବକ । ମଦନ ଚୌଧୁରୀଙ୍କ ଠାରୁ ସେ ସତ୍ୟ, ନ୍ୟାୟ, ଦୟା, କ୍ଷମା ଇତ୍ୟାଦି ସୁଗୁଣଗୁଡ଼ିକ ଯେମିତି ଉତ୍ତରାଧିକାର ସୂତ୍ରରେ ପ୍ରାପ୍ତ ହୋଇଥିଲେ ।

 

ଜମିଦାର ହରିଶଙ୍କର ମହାପାତ୍ରଙ୍କ ମନରେ ଗୋପଙ୍କର ଆଗମନ ନେଇ ଉଙ୍କି ମାରୁଥିବା ଆଶଙ୍କାର ଅବସାନ ଘଟାଇ ଗୋପ ଚୌଧୁରୀ ଯେତେବେଳେ ମହାପାତ୍ରଙ୍କ କନ୍ୟାର ବିବାହ ଉତ୍ସବରେ ଯୋଗଦେଲେ, ସେତେବେଳେ ହରିଶଙ୍କର ଆନନ୍ଦରେ ବିଭୋର ହୋଇ ଉଠିଲେ । ଅନେକ ଦିନ ଧରି, ଦୁଇ ଗ୍ରାମ ମଧ୍ୟରେ ରହିଥିବା ଗ୍ରାମ୍ୟବିବାଦର ସମାଧାନ ଆଶାରେ ଗୋପ, ସେଠାରେ ଉପସ୍ଥିତ ହେଲେ । ହରିଶଙ୍କର ମଧ୍ୟ ଅନୁରୂପ ଭାବରେ ସମାଧାନ ନିମିତ୍ତ ଆଶାୟୀ ହୋଇ ଉଠିଥିଲେ ।

 

ବିବାହ ଉତ୍ସବର ଘନଘଟା ମୁହୂର୍ତ୍ତକ ମଧ୍ୟରେ ଭଟ୍ଟା ପଡ଼ିଆସିଲା, ଯେତେବେଳେ କନ୍ୟା ନିମିତ୍ତ ପ୍ରସ୍ତାବିତ ବରପାତ୍ର ଆଦୌ ଆସିନଥିଲେ । ଗୋଟାଏ ସୁଖଦ ମୁହୂର୍ତ୍ତ କ୍ଷଣିକ ମଧ୍ୟରେ ଅଗତ୍ୟା ଦୁଃଖଦ ଯନ୍ତ୍ରଣା ପ୍ରଦାନ କଲା । ହରିଶଙ୍କର ମୁଣ୍ଡରେ ଅକାଳ ବଜ୍ରପାତ ଘଟିଲା, ମଙ୍ଗୁଳା କନ୍ୟା କ’ଣ ସବୁଦିନ ପାଇଁ ଅଭିଆଡ଼ୀ ରହିଯିବ ? ଅକସ୍ମାତ୍ ଦାରୁଣ ଦୁଃଖରେ ମହାପାତ୍ରେ ଅଚେତ ହୋଇପଡ଼ିଥିଲେ । ଚିକିତ୍ସା ଆରମ୍ଭ ହେଲା, ଅଥଚ ତାଙ୍କର ମାନସିକ ଚିକିତ୍ସା ଆବଶ୍ୟକ ପଡ଼ିଲା । ଏକମାତ୍ର କନ୍ୟାଟିର ବିବାହ ନିମିତ୍ତ ଏଥର ଗୋପ ଚୌଧୁରୀଙ୍କୁ ବାଧ୍ୟବାଧକତାରେ ପଡ଼ି, ବର ସାଜିବାକୁ ପଡ଼ିଲା । କେବଳ ଜମିଦାର ମହାପାତ୍ରଙ୍କ ଜୀବନ ରକ୍ଷା, ଏବଂ ମଙ୍ଗୁଳା କନ୍ୟାର ଭବିଷ୍ୟତ ପ୍ରତି ଦୃଷ୍ଟି ଦେଇ ଗୋପ ଚୌଧୁରୀ କନ୍ୟାକୁ ବିବାହ କଲେ ।

 

ଜମିଦାର କନ୍ୟା ସାରଦାକୁ ବିବାହ କରି ଗୋପ ଚୌଧୁରୀ ନିରାଡ଼ମ୍ଵର ଭାବରେ ଗୃହାଭିମୁଖୀ ହେଲେ । ଚଣ୍ଡିପୁର ଗ୍ରାମରେ ଏ ସଂବାଦ ପ୍ରଚାରିତ ହେବାମାତ୍ରେ, ଗ୍ରାମବାସୀ ହେଲେ ଉତ୍ତେଜିତ । ସ୍ଵାର୍ଥପର ଅନାଦି ଦାସ, ଅଧିକାଂଶ ଲୋକଙ୍କୁ ଗୋପ ଚୌଧୁରୀଙ୍କ ବିରୋଧରେ ଉତ୍ତେଜିତ କରାଇଛି । ଏଣେ ଗୋପଙ୍କର ମାଆ ତାରାମଣି ରାଗ, କ୍ରୋଧ, ଘୃଣା, ଅଭିମାନ, ସ୍ନେହ ଭିତରେ କର୍ତ୍ତବ୍ୟ ଓ ଅକର୍ତ୍ତବ୍ୟ କ’ଣ ବୁଝି ପାରିନାହାନ୍ତି । ମାତ୍ର ଏଥିରେ ଅତିମାତ୍ରାରେ ଖୁସି ହୋଇଛି ଗୋପଙ୍କ ଭଉଣୀ ଆରତୀ । ନବବଧୂ ସାରଦା ଗୃହପ୍ରବେଶ କରିଛି । ଆଦର୍ଶବାଦୀ ଓ ନୀତିନିଷ୍ଠ ସ୍ଵାମୀ ଗୋପଙ୍କ ଆଦର୍ଶକୁ ସମ୍ମାନ ଦେଇଛନ୍ତି ଜମିଦାର କନ୍ୟା ସାରଦା, ସେଇ ପଥରେ ଯାତ୍ରା କରି ସେ ଆପଣାର ସ୍ନେହ, ସୋହାଗ,ମମତା ଏବଂ ଆନ୍ତରିକତାରେ ସମସ୍ତଙ୍କୁ ଆପଣାର କରିନେଇଛି । ଗୋପ ଚୌଧୁରୀଙ୍କ ପରିବାରରେ ପୂର୍ବପରି ବିରାଜମାନ କରିଛି ଶାନ୍ତି ଓ ସନ୍ତୋଷ ।

 

ନାଟକର ଅପର ଅଂଶଟି ଗୋପବାବୁଙ୍କ ସାନଭାଇ ବିନୋଦ, ଏବଂ ତା’ର ଆଧୁନିକା ପତ୍ନୀ ଅନିମା, ତଥା ଅନିମାର ବିଫଳ ପ୍ରେମିକ ବର୍ମାକୁ କେନ୍ଦ୍ର କରି ହୋଇଛି ଗତିଶୀଳ । ପ୍ରଫେସର କନ୍ୟା ଅନିମା, ବର୍ମାଙ୍କୁ ଆଗରୁ ପ୍ରେମ କରିଥିଲା । ମାତ୍ର ବିନୋଦ ସହିତ ତା’ର ବିବାହପରେ ସେ ସେଇ ଚଣ୍ଡିପୁର ଭଳି ପଲ୍ଲୀମାଟିକୁ ବଧୂଭାବରେ ଆସିଥିଲା । ସହରୀ ଜୀବନଧାରାରେ ଆଧୁନିକ ଚଳଣି ଚଳିଥିବା, ଶାଶୁ, ଯା, ଦେଢ଼ସୁର, ନଣନ୍ଦଙ୍କୁ ଆପଣାର ମଣିବା ପରିବର୍ତ୍ତେ, କ୍ରମେ ଘୃଣା କରିବାକୁ ଆରମ୍ଭ କରିଛି । ବିଶେଷ କରି ଠାକୁର ଘରକୁ ସେ ଆଧୁନିକ ବୈଠକ ଖାନାରେ ପରିଣତ କରିଛି, ସ୍ନେହମୟୀ ଯା, ସାରଦାକୁ ସେ ଚାକରାଣୀ ଭଳି ଦୁର୍ବ୍ୟବହାର କରିଛି । ଜଣେ ସ୍ଵେଚ୍ଛାଚାରିଣୀ ନାରୀ ଭାବରେ ଅନିମା, ସମଗ୍ର ପରିବାର ଉପରେ ଅଳ୍ପ କେତେଟା ଦିନରେ ଆପଣାର ଆଧିପତ୍ୟ ଜାହିର କରିଛି ।

 

ଅନିମାର ପୂର୍ବତନ ପ୍ରେମିକ ବର୍ମା, ଏଥର ଗାଁରେ କୁଖ୍ୟାତ ଟାଉଟର ଅନାଦି ଦାସ ଏବଂ ମଙ୍ଗୁ ମହାନ୍ତିଙ୍କୁ ଆପଣାର କରି ଏଇ ଦୁହିଁଙ୍କ ମାଧ୍ୟମରେ, ଗୋପ ଚୌଧୁରୀ ପରିବାରର ଯାବତୀୟ ମାନମର୍ଯ୍ୟାଦାକୁ ଧୂଳିସାତ୍ କରିବାକୁ ଚକ୍ରାନ୍ତ ଆରମ୍ଭ କରିଛି । ଫଳତଃ ପଞ୍ଚାୟତ ପ୍ରତିଷ୍ଠା ଉତ୍ସବରେ ତ୍ୟାଗ ଓ ଆଦର୍ଶର ପ୍ରତୀକ ଗୋପ ଚୌଧୁରୀଙ୍କ ଭଳି ଜଣେ ସମାଜସେବୀଙ୍କୁ ତୀବ୍ର ଅପମାନ ସହ୍ୟ କରିବାକୁ ପଡ଼ିଛି । କୁଚକ୍ରୀ ବର୍ମା, ଅନିମାର ଜଣେ ବନ୍ଧୁ ଭାବରେ, ନିଜକୁ ଅନିମାର ସ୍ଵାମୀ ବିନୋଦଙ୍କ ସହିତ ପରିଚୟ କରାଇଛି । ବିନୋଦ ମାଧ୍ୟମରେ ସେ ଅନିୁମାକୁ ସାକ୍ଷାତ କରିବାକୁ ଆସି ତାଙ୍କ ଘରେ ଉପସ୍ଥିତ ହୋଇଛି । ଅନିମା ଏଥର ନିଜର ପୂର୍ବତନ ପ୍ରେମିକ ବର୍ମା ସହିତ ଅବାଧ ମିଳାମିଶା କରିଛି, ଯାହା ପାରିବାରିକ ଚଳଣି ପ୍ରତି ଘୋର ଆଘାତ ସୃଷ୍ଟି କରିଛି । ଏପରିକି ପୂର୍ବତନ ପ୍ରେମିକ ବିନୋଦ ଆଗରେ ନୃତ୍ୟ ପରିଷେଣ କରିବାକୁ, ନିଜ ନଣନ୍ଦ ରତିକୁ ବାଧ୍ୟ କରିଛି-। ଅନିମାର ଔଦ୍ଧତ୍ୟ ସୀମାଲଂଘନ କରିବା ହେତୁ, ଏଥିରେ ହସ୍ତକ୍ଷେପ କରିଛନ୍ତି ସାରଦା, ଫଳତଃ ବର୍ମାଙ୍କୁ ଅପମାନିତ ହୋଇ ଫେରିବାକୁ ପଡ଼ିଛି । ଏଇ ଘଟଣାରେ ଆହତ ସର୍ପିଣୀ ତୁଲ୍ୟା, କ୍ରୋଧରେ ଫାଟି ପଡ଼ିଛି ଅନିମା । ବିନୋଦ ସାଜିଛି ଅନିମା ହାତରେ ସାଧାରଣ କ୍ରୀଡ଼ା ପୁତ୍ତଳିକା, ସହରକୁ ଦୁହେଁ ଯାଇଛନ୍ତି କର୍ମ ସଂସ୍ଥାନ ଉଦ୍ଦେଶ୍ୟରେ । ଅତିଶୟ ଶାରୀରିକ ଅସୁସ୍ଥତା ହେତୁ ଦୁହେଁ ଫେରି ଆସିଛନ୍ତି ଚଣ୍ଡିପୁରକୁ । ରୁଗ୍ଣ ସ୍ଵାମୀ ବିନୋଦର ସେବା ସୁଶ୍ରୂଷା ପରିବର୍ତ୍ତେ ବରଂ ସେ ବର୍ମା ସହିତ ପାର୍ଟି ଉପଭୋଗ କରିବାକୁ ଗୋଡ଼ କାଢ଼ିଛି । ମାତ୍ର ଖଳନାୟକ ବର୍ମାଙ୍କ ଦ୍ଵାରା ଅପମାନିତା ହୋଇ, ଅନିମା ଆପଣାର ସଂବିତ ଫେରିପାଇଛି । ଘରେ ଆସି ଅନିମା ଦେଖିଛି ରୁଗ୍ଣ ସ୍ଵାମୀ ବିନୋଦର ସେବା କରୁଥିବା ଅବସ୍ଥାରେ ସାରଦା ସେଇଠି ଢୁଳେଇ ପଡ଼ିଛି । ବିନୋଦ ଓ ସାରଦାଙ୍କ ମଧ୍ୟରେ କୌଣସି ଅନୈତିକ ସଂପର୍କ ରହିଛି ବୋଲି ସନ୍ଦେହ କରିଛି ଅନିମା । ଅନନ୍ୟୋପାୟା ଅନିମା ଶେଷରେ ଆତ୍ମହତ୍ୟା କରିବାକୁ ବିଷପାନ କରିଛି । ମାତ୍ର ତତ୍‍କ୍ଷଣାତ୍ ଡାକ୍ତରଙ୍କ ଚିକିତ୍ସା ଏବଂ ସାରଦାଙ୍କ ଆନ୍ତରିକ ସୁଶ୍ରୂଷାରେ ଅନିମା ଫେରିପାଇଛି ନିଜର ଜୀବନ । ପୂର୍ବର କ୍ରୋଧ, ବର୍ତ୍ତମାନ ଅନୁତାପରେ ପରିଣତ ହୋଇଛି । ଆତ୍ମଦହନରେ ସେ ମୁହ୍ୟମାନ ବିକଳ ନାରୀଟିଏ ମାତ୍ର । ପାଶ୍ଚାତ୍ୟାନୁରାଗିଣୀ ଅନିମାର ଯାବତୀୟ ଅହଂକାର ଓ ଔଦ୍ଧତ୍ୟ, ସାରଦା ଭଳି ମମତାମୟୀ ମାତୃମୂର୍ତ୍ତି ନିକଟରେ ସଂପୂର୍ଣ୍ଣ ନିଷ୍ପ୍ରଭ ଓ ନିସ୍ତେଜ ହୋଇପଡ଼ିଛି । ଅତି ଦୟନୀୟ ଭାବରେ ସେ ସାରଦା ପାଦତଳେ ଲୋଟିପଡ଼ି କ୍ଷମା ମାଗିଛି ।

 

ନାଟକର ଖଳ ଚରିତ୍ର ଭାବରେ ଗ୍ରାମୀଣ ଜୀବନରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ମଙ୍ଗୁ ମହାନ୍ତି, ପଞ୍ଚାୟତ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଗିରଫ ହୋଇ କାରାଦଣ୍ଡ ଭୋଗ କରିଛି । ଟାଉଟର ଅନାଦି ଦାସ, ଶେଷରେ ଗୋପବାବୁଙ୍କ ପରାମର୍ଶରେ ଗ୍ରାମବାସୀଙ୍କ ନିକଟରେ କ୍ଷମାପ୍ରାର୍ଥୀ ହୋଇଛି । ଆପଣାର ପଥଭ୍ରଷ୍ଟ ସାନ ଭାଇ, ବିନୋଦଙ୍କୁ ସୁପଥକୁ ଆଣିଛନ୍ତି ଗୋପବାବୁ ।

 

‘ଘର ସଂସାର’ ନାଟକର ମୁଖ୍ୟ ଚରିତ୍ର ଗୋପବାବୁ ଏବଂ ସାରଦା । ଗୋପ ଦୟା, କ୍ଷମା, ତ୍ୟାଗ-ଆଦର୍ଶ, ନୈତିକତା ଓ ସେବାର ବିମୂର୍ତ୍ତ ବିଗ୍ରହ, ସାରଦା –ସେ ତ ସର୍ବଂସହା ଧରିତ୍ରୀ, ତ୍ୟାଗ-ଆଦର୍ଶର ପ୍ରତୀକ ସେ, ସେ ମମତାମୟୀ ମାତୃମୂର୍ତ୍ତି । ଭୟଙ୍କର ତ୍ୟାଗ, ଆଦର୍ଶ, ସହନଶୀଳତା ଓ ଧୈର୍ଯ୍ୟ ବଳରେ ଉଜୁଡ଼ା ସଂସାର ସଜାଡ଼ି ହୋଇଯାଇଛି ।

 

‘ଘର ସଂସାର’ ନାଟକରେ, ରାମଚନ୍ଦ୍ର ମିଶ୍ରଙ୍କ ନାଟ୍ୟ ସୃଜନର ଅସାମାନ୍ୟ ସିଦ୍ଧି । ଅଲୋଚକ ଡଃ ସଚ୍ଚିଦାନନ୍ଦ ମିଶ୍ରଙ୍କ ଭାଷାରେ- ସମକାଳୀନ ପରିବେଶରେ ‘ଘରସଂସାର’ ସମସ୍ୟାର ସମାଧାନ, ନାଟ୍ୟକାର ପ୍ରାଚ୍ୟ ପରମ୍ପରା ଓ ଗାନ୍ଧୀ ଆଦର୍ଶ ଭିତ୍ତିରେ କରାଇ, ଦର୍ଶକ ହୃଦୟରେ ଗଭୀର ଆଲୋଡ଼ନ ସୃଷ୍ଟି କରିପାରିଛନ୍ତି । ବିଶୃଙ୍ଖଳିତ ପରିସ୍ଥିତିର ସଂଭାବ୍ୟ ପରିବର୍ତ୍ତନର ସ୍ଵର ଓ ଆଶ୍ଵାସନାର ବାଣୀ, ନାଟ୍ୟକାରଙ୍କ ଆନ୍ତିରକତାରେ ପୁଷ୍ଟ ହୋଇ, ଦର୍ଶକର ବିଶ୍ଵାସଯୋଗ୍ୟ ହୋଇପାରିଛି । ମନକୁ ଛୁଇଁଲା ଭଳି ବୃତ୍ତ ପରିକଳ୍ପନା, ଆଦର୍ଶଚରିତ୍ରର ରୂପାୟନ, ପଲ୍ଲୀଜୀବନର ବାସ୍ତବ ଚିତ୍ର, ଆନୁପାତିକ କ୍ଷୁଦ୍ର ସଂଳାପ, ସ୍ଵାଭାବିକ ଦ୍ଵନ୍ଦ୍ଵ, ସଂଘର୍ଷ, ସହଜ ସରଳ ମଞ୍ଚ ଉପସ୍ଥାପନ ଯୋଗୁଁ ‘ଘର ସଂସାର’ ନାଟକ ବ୍ୟବସାୟିକ ମଞ୍ଚ ସଫଳତା ହାସଲ କରିଛି ।’’

 

(‘ଘରସଂସାର- ଏକ ବିଶ୍ଲେଷଣ’- ନାଟ୍ୟକାର ରାମଚନ୍ଦ୍ର ସୃଷ୍ଟିବଳୟ - ଡଃ ନାରାୟଣ ସାହୁ- ୧୯୯୩-ପୃ-୧୫୮)

 

୬. ମଉଡ଼ମଣି (୧୯୫୨)

ଐତିହାସିକ ଭାବବଳୟ ଉପରେ ଆଧାରିତ, ‘ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ୍’ ଦ୍ଵାରା ୧୨ ସେପ୍ଟେମ୍ଵର ୧୯୫୨ରୁ ଆରମ୍ଭ ହୋଇ ୧୭ ନଭେମ୍ଵର ୧୯୫୨ ପର୍ଯ୍ୟନ୍ତ କ୍ରମାଗତ ଭାବେ ଅଭିନୀତ ହୋଇ ଦର୍ଶକଙ୍କୁ ଭିନ୍ନ ସ୍ଵାଦ ପରିବେଷଣ କରିଥିବା ନାଟକ ‘ ମଉଡ଼ମଣି’ ନାଟ୍ୟକାର ରାମଚନ୍ଦ୍ରଙ୍କ ସୃଜନ ପୁଷ୍ଠାର ଭିନ୍ନ ଆଲେଖ୍ୟ । ସଂପୃକ୍ତ ନାଟକରେ ଅହଂକାରୀ ରାଜଶକ୍ତିର ଭ୍ରାନ୍ତ ବଡ଼ିମାକୁ ଆଡ଼େଇ ଦେଇ, ସର୍ବସାଧାରଣଙ୍କ ନିକଟକୁ ଓହ୍ଲାଇ ଆଣି, ଗୋଟାଏ ନବଜାଗରଣ ମନ୍ତ୍ର ଉଚ୍ଚାରଣ କରାଯାଇଛି । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଶାସିତ ଶାସକର ସୀମାରେଖା, କିପରି ଭୟଙ୍କର, ତା’ର ନାଟ୍ୟାୟନ ହିଁ ‘ମଉଡ଼ମଣି’ ।

 

ଶତାବ୍ଦୀ ଶତାବ୍ଦୀ ବ୍ୟାପୀ ଶୋଷଣ, ପୀଡ଼ନ ଓ ଅତ୍ୟାଚାରୀ ଶାସନର ଅନ୍ଧକାରମୟ ଅବସ୍ଥା ଭିତରୁ ସ୍ଵାଧୀନତାର ନବୀନ ସୂର୍ଯ୍ୟର ଆତ୍ମପ୍ରକାଶ ଭାରତର ଭାଗ୍ୟାକାଶରେ ସୃଷ୍ଟିକଲା ଏକ ଭିନ୍ନ ଚେତନା । ଓଡ଼ିଶାରେ ଗଡ଼ଜାତ ମିଶ୍ରଣ ଘଟିବାପରେ ମଧ୍ୟ, ନିର୍ଯ୍ୟାତିତ ଗଡ଼ଜାତବାସୀ, ସ୍ଵାଧୀନତାର ପ୍ରକୃତ ସ୍ଵାଦ ଆସ୍ଵାଦନ କରି ନ ପାରିବା, ଗଭୀର କ୍ଷୋଭ ଏବଂ ପରିତାପର ବିଷୟ । ରାଜାମାନଙ୍କର ଅଧିକାର ପ୍ରାପ୍ତି ନିମିତ୍ତ ସଂଗ୍ରାମ, ପ୍ରଜାମାନଙ୍କର ସ୍ଵାଧୀନତା ପ୍ରତି ଆନ୍ତରିକତା ଭିତରେ, ଗଡ଼ଜାତି ଅର୍ଥନୀତି ହୋଇଛି ବିପନ୍ନ । ରାଜା-ପ୍ରଜାର ସୁସଂପର୍କ କ୍ରମଶଃ ତିକ୍ତ ହୋଇ ଉଠିଛି । ରାଜଶକ୍ତିର ବିଲୟ ଏବଂ ନ୍ୟସ୍ତସ୍ଵାର୍ଥଗୋଷ୍ଠୀର କ୍ଷମତା ଲାଳସାର ପଶାପାଲିରେ କେବଳ ସନ୍ତୁଳିତ ହୋଇଛନ୍ତି ବିପନ୍ନ ପ୍ରଜାବର୍ଗ । ଏହାହିଁ ‘ମଉଡ଼ମଣି’ ନାଟକ ସୃଷ୍ଟିର ଉପଯୁକ୍ତ ପଟ୍ଟଭୂମି ।

 

ଗୋଟାଏ ସଂଘର୍ଷ ଭିତରୁ ଆରମ୍ଭ କରାଯାଇଛି ନାଟକ । ରାଜ୍ୟହରା ରାଜାଙ୍କର ବିଧବା ରାଣୀ, କ୍ଷମତାନ୍ଧ ରାଜପୁତ୍ର କୁମାର ଏବଂ କନ୍ୟା ଲିଲିଙ୍କ ସହିତ ସଂଘର୍ଷ ଘଟିଛି, ସାଧାରଣ ଜୀବନଯାତ୍ରା ନିର୍ବାହ କରୁଥିବା ଗ୍ରାମବାସୀଙ୍କ ସହିତ । ଅଗତ୍ୟା ମରୁଡ଼ିରୁ ଫସଲ ବଞ୍ଚାଇବା ଉଦ୍ଦେଶ୍ୟ ନେଇ, ସାଧୁ ସାଆଁତରାଙ୍କ ନେତୃତ୍ଵରେ ଗ୍ରାମବାସୀ ପୋଖରୀ ହୁଡ଼ାରେ ହୋଇଛନ୍ତି ଏକତ୍ର । ପୋଖରୀରେ ଖେଳୁଥିବା ହଂସମାନଙ୍କ ଅସୁବିଧା ହେବା ଆଳ ଦେଖାଇ, ସମବେତ ଜନତାଙ୍କ ଉପରେ ଗୁଳି ଚଳାଇବାକୁ ଉଦ୍ଦେଶ୍ୟ ରଖିଛନ୍ତି ଲିଲି ଏବଂ କୁମାର । ମାତ୍ର ସାଧୁ ସାମନ୍ତରା, ସମବେତ ଜନତାଙ୍କୁ ବୁଝାଇ ସେଠାରୁ ପ୍ରତ୍ୟାହାର କରିନେଇଛନ୍ତି । ସାଧୁ ସାମନ୍ତରାୟଙ୍କ କନ୍ୟାକୁ ପ୍ରେମ କରୁଥିବା ଉଦୀୟମାନ ଯୁବକ ଚନ୍ଦ୍ର କିନ୍ତୁ ପୋଖରୀ ହୁଡ଼ା ହାଣିବାକୁ ଉଦ୍ୟତ ହେଲା ବେଳେ, ସାଧୁ ଏଥିରୁ ତାକୁ ନିବୃତ୍ତ କରାଇଛି । ଚନ୍ଦ୍ରକୁ କୌଶଳରେ କରାୟତ୍ତ କରିବାକୁ ଆଗେଇ ଆସିଛନ୍ତି ରାଜମାତା । ଲୋକଙ୍କୁ ଆଧୁନିକ ପ୍ରଣାଳୀରେ କୃଷି କରାଇଦେବା ନିମିତ୍ତ ସେ ସହାୟତା କରିବେ, ମାତ୍ର ଲୋକେ ଏଥିପାଇଁ ରାଣୀଙ୍କ ନିକଟରେ ସେମାନଙ୍କ ସଂପତ୍ତିକୁ ବନ୍ଧା ପକାଇବାକୁ, ଚନ୍ଦ୍ରକୁ ପ୍ରରୋଚିତ କରିଥିଲେ ରାଜମାତା । ଚନ୍ଦ୍ର ଏ ସଂପର୍କରେ ଗ୍ରାମବାସୀଙ୍କୁ କୌଣସି ପରାମର୍ଶ ଦେବାକୁ ଉଚିତ ମଣିନାହିଁ । ପୁଣି ଚନ୍ଦ୍ର, ରାଜମାତାଠାରୁ ପାଞ୍ଚଶହ ଟଙ୍କା ଲାଞ୍ଚ ନେଇ ମୁହଁ ବନ୍ଦ କରିଛି ବୋଲି ମିଥ୍ୟାରେ ଅପପ୍ରଚାର କରାଯାଇଛି । ଚନ୍ଦ୍ରର ଏତାଦୃଶ ସ୍ଖଳନକୁ ଦେଖି । ସାଧୁଙ୍କ କନ୍ୟା ରତ୍ନା, ଚନ୍ଦ୍ରର ପୌରୁଷକୁ ତୀବ୍ର ଭାବରେ ଆକ୍ଷେପ କରି କହିଛି- “ମତେ ବି ଜଣା ନ ଥିଲା ଯେ, ଜବାନ୍ ଖଣ୍ଡେଇତ ପୁଅ, ଟଙ୍କା ଲୋଭରେ ଏମିତି କୁକୁର ପାଲଟି ଯାଏ ।’’ ପ୍ରେୟସୀ ଦ୍ଵାରା ଅପମାନିତ ଚନ୍ଦ୍ର, ଗ୍ରାମର ଟାଉଟର କବିରାଜଙ୍କ ନିକରେ ପୈତୃକ ସଂପତ୍ତିକୁ ମାତ୍ର ପାଞ୍ଚଶହ ଟଙ୍କାରେ ବନ୍ଧା ପକାଇ କଲିକତା ପଳାଇଯାଇଛି ।

 

ସାଧୁ ସାଆଁତରାର ଉପଯୁକ୍ତ ଉତ୍ତରଦାୟାଦ ମନୁ । ଚାଷୀ ମୂଲିଆଙ୍କ କ୍ରୁର ଚକ୍ରାନ୍ତ, ମନୁର ଦୃଢ଼ ମନୋବଳ ଓ ନେତୃତ୍ଵକୁ କଦାପି ଆକ୍ରାନ୍ତ କରିପାରିନାହିଁ । ରାଜବଂଶର ନିଷ୍ଠୁର ଆଚରଣ ଏବଂ ଅସାମାନ୍ୟ ଜିଦିଖୋର ମନୋଭାବ, ତଥା ଗ୍ରାମବାସୀମାନଙ୍କର କୃଷିନିମିତ୍ତଜଳର ଜରୁରୀ ଆବଶ୍ୟକତା ପ୍ରଭୃତିର ସ୍ଥାୟୀ ସମାଧାନ କରିବା ନିମିତ୍ତ ସାଧୁ ସାଆଁନ୍ତରା ଝରଣାର ପ୍ରବାହକୁ ବନ୍ଧ ପକାଇ ଅବରୋଧ କରି, ଜଳସେଚନ କରିବାକୁ ଆଗେଇ ଆସିଛନ୍ତି । କନ୍ୟା ରତ୍ନା ମଧ୍ୟ ଏଥିରେ ତାଙ୍କୁ କରିଛି ସହାୟତା ।

 

ଗ୍ରାମ୍ୟ ଜନତାର ଅଶିକ୍ଷା, ସରଳତା ଏବଂ ଦାରିଦ୍ର୍ୟର ସୁଯୋଗ ନେଇ ଏଥର ରାଜମାତା, ସେମାନଙ୍କ କୃଷିଭୂମିକୁ କଣ୍ଟକବଲା କରି ଅନୈତିକ ଭାବରେ ଆତ୍ମସାତ କରିବାକୁ ସେକ୍ରେଟେରୀ, ପୁତ୍ର କୁମାର, କନ୍ୟା ଲିଲି ଏବଂ ଟାଉଟର କବିରାଜଙ୍କୁ ନିୟୋଜିତ କରିଛନ୍ତି । ମାତ୍ର ଏଇ ଅର୍ଥକୁ ଆତ୍ମସାତ୍ କରିଛନ୍ତି ସେକ୍ରେଟାରୀ ଓ କବିରାଜ । କୁମାରଙ୍କ ପତ୍ନୀ ଜୟଶ୍ରୀ, ସ୍ଵାମୀ କୁମାର, ଶାଶୁ ରାଜମାତା ଏବଂ ଦୁର୍ନୀତିଖୋର ସେକ୍ରେଟାରୀ ପ୍ରଭୃତିଙ୍କ ମନ୍ଦ ଉଦ୍ଦେଶ୍ୟ ସଂପର୍କରେ ଅବଗତ ଅଛନ୍ତି । ତେଣୁ ସେ କୁମାରଙ୍କୁ ଅର୍ଥର ହିସାବ ମାଗିଛନ୍ତି । ଜୟଶ୍ରୀଙ୍କ କୈଫିୟତ୍‍ରେ ନୀରବ ରହିଛନ୍ତି କୁମାର । ଜନତାର ସେବା ନିମିତ୍ତ ହୁକୁମର ଆବଶ୍ୟକତା ନ ଥାଏ, ବରଂ ଜନହିତକର କାର୍ଯ୍ୟ କରି ନିଜକୁ ଜନତାର ବିଶ୍ଵାସ ଓ ସମ୍ମାନର ପାତ୍ର କରାଯାଇପାରେ ।

 

ଜୟଶ୍ରୀ ଥିଲେ ଜଣେ ସଚ୍ଚା ବ୍ୟବସାୟୀଙ୍କ କନ୍ୟା, ସଚ୍ଚୋଟତା ତାଙ୍କ ପିତୃ ଗୁଣ, ଯାହାକୁ ସେ ଉତ୍ତରାଧିକାର ସୂତ୍ରରେ ପାଇଥିଲେ । ତାଙ୍କ ପିତା ଥିଲେ କଲିକତାର ଜଣେ କାରଖାନା ମାଲିକ, ତାଙ୍କ ମୃତ୍ୟୁ ପରେ ସମସ୍ତ ସଂପତ୍ତିର ଉତ୍ତରାଧିକାରିଣୀ ଥିଲେ ଜୟଶ୍ରୀ । ପିତାଙ୍କର ଶେଷ ବକ୍ତବ୍ୟ ଥିଲା- “ସଂପତ୍ତିର କାଣି କଉଡ଼ିଟିଏ ସୁଦ୍ଧା ଯେପରି ମଣିଷର ଅନିଷ୍ଟକର କାର୍ଯ୍ୟରେ ନିୟୋଜିତ ନ ହୁଏ ।’’ ଜୟଶ୍ରୀଙ୍କ କାରଖାନା ପରିଚାଳନାରେ ସହାୟକ ଥିଲେ, ବାପାଙ୍କ ଭଣଜା ମାନସରଂଜନ । ଜୟଶ୍ରୀଙ୍କର ସମସ୍ତ ସଂପତ୍ତି ଉପରେ ରାଜମାତା ଓ କନ୍ୟାଙ୍କ ଲିଲିଙ୍କର ଦୃଷ୍ଟି ନିବଦ୍ଧ ଥିଲା । ରାଜମାତା, ମାନସରଂଜନ ସହିତ ଲିଲିର ବିବାହ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଥିଲେ । ମାନସରଂଜନଙ୍କ ସହିତ ଲିଲିର ଅବାଧ ମିଳାମିଶା ପାଇଁ ସେ ସୁଯୋଗ ସୃଷ୍ଟି କରୁଥିଲେ ।

 

ମାନସ ସହିତ ଲିଲି ପିକ୍‍ନିକ୍‍ରେ ଯାଇ, ସାଧୁ ସାଆଁନ୍ତରାର ବନ୍ଧ ନିର୍ମାଣ କାର୍ଯ୍ୟ ଦେଖିଛନ୍ତି । ସାଧୁ ସାଆଁତରାର ଏପରି ନିଷ୍ଠାପର ଉଦ୍ୟମ ଓ ନିଜ କନ୍ୟା ରତ୍ନାର ତାଙ୍କୁ ସହାୟତା କରିବାର ଦୃଶ୍ୟ, ମାନସରଂଜନଙ୍କୁ ପ୍ରଭାବିତ କରିଛି । ଏଇ ବନ୍ଧନିର୍ମାଣ କାର୍ଯ୍ୟରେ ସ୍ଵେଚ୍ଛାକୃତ ଭାବରେ ସହଯୋଗ କରିଛନ୍ତି ମାନସ । ଉଆସକୁ ଫେରିଆସିବା ପରେ ମାନସ ମନରେ ଦେଖା ଦେଇଛି ଅଦ୍ଭୁତ ପ୍ରତିକ୍ରିୟା, ରତ୍ନାର ଆନ୍ତରିକତାରେ ସେ ହୋଇଛନ୍ତି ବିମୁଗ୍ଧ । ଭଉଣୀ ଜୟଶ୍ରୀ ନିକଟରୁ କିଛି ଟଙ୍କା ନେଇ, ମାନସରଂଜନ, ଜନହିତକର କାର୍ଯ୍ୟରେ ବିନିଯୋଗ କରିଛନ୍ତି । ବନ୍ଧ ନିର୍ମାଣ ଶେଷ ହୋଇଛି, ମାନସ ରଂଜନ ସହିତ ସାଧୁ ସାଆଁତରାଙ୍କ ସଂପର୍କ ଦୃଢ଼ ହୋଇଛି ।

 

ବନ୍ଧ ନିର୍ମାଣ ଫଳରେ ଜଳସେଚନର ସୁବିଧା ପାଇଲେ ଗାଆଁର କୃଷକଙ୍କ ଉନ୍ନତି ଘଟିବା ସହିତ, ଆପଣାର କ୍ଷମତା ହ୍ରାସ ପାଇବାର ଆଶଙ୍କା ନେଇ, ରାଜମାତା ପୁନର୍ବାର ଏକ ଚକ୍ରାନ୍ତ କରିଛନ୍ତି । କବିରାଜ ମାଧ୍ୟମରେ କିଛି ଲୋକଙ୍କୁ ଏକଜୁଟ କରାଇ, ବନ୍ଧ ଭାଙ୍ଗିବାର ଉଦ୍ୟମ ଚାଲିଥିବାବେଳେ, ସାଧୁ ସାଆଁତରା ଦୃଢ଼ ଭାବରେ ଏହାର ପ୍ରତିବାଦ କରିଛି । ମାନସରଂଜନ ସାଧୁଙ୍କ ସମର୍ଥନ କରି, ତାଙ୍କ ସ୍ଵରକୁ ଅଧିକ ଦୃଢ଼ କରିଛନ୍ତି । ଜୟଶ୍ରୀ ସେଠାରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଛନ୍ତି । ଜୟଶ୍ରୀଙ୍କ ସମର୍ଥନରେ ସାଧୁ ସାଆଁତରାଙ୍କ କନ୍ୟା ରତ୍ନା ସହିତ ମାନସରଂଜନଙ୍କ ବିବାହ ସଂପନ୍ନ ହୋଇଛି । ମାନସ ଏବଂ ରତ୍ନା କଲିକତା ଯାଇ, କାରଖାନା ପରିଚାଳନା କରିଛନ୍ତି । ସେଠାରେ ଚୋରି କରିବାକୁ ପହଞ୍ଚିଥିବା ଚନ୍ଦ୍ର, ରତ୍ନାକୁ ଦେଖିଛି, ଏବଂ ଆପଣା କୃତକର୍ମ ନିମିତ୍ତ ମାନସ ନିକଟରେ କ୍ଷମା ପ୍ରାର୍ଥନା କରିଛି । ଚନ୍ଦ୍ରର କାର୍ଯ୍ୟଦକ୍ଷତାରେ ମୁଗ୍ଧ ହୋଇ ମାନସ ତାକୁ କାରଖାନାରେ ଏକ ପ୍ରମୁଖ ଦାୟିତ୍ଵ ଦେଇଛନ୍ତି ।

 

ଅସୁସ୍ଥ ସାଧୁ ସାଆଁତରାଙ୍କୁ ବିଷପ୍ରୟୋଗ କରି ହତ୍ୟା କରିବାକୁ ରାଜମାତାଙ୍କ ପରାମର୍ଶରେ ଉଦ୍ୟତ କବିରାଜ, ଆପଣାର ଭାବୀ ଜାମତା ଭୀମ ଦ୍ଵାରା ଧରାପଡ଼ିଛନ୍ତି । କବିରାଜ ମଧ୍ୟ ଶେଷରେ ସତକଥା ସ୍ଵୀକାର କରିଛନ୍ତି । ସମୂହ ପ୍ରଜାବର୍ଗଙ୍କ ନିକଟରେ ରାଜମାତା ଓ କୁମାରଙ୍କର ପ୍ରକୃତ ସ୍ଵରୂପ ଉଦ୍‍ଘାଟିତ ହୋଇଛି । କ୍ଷମତା ପ୍ରାପ୍ତି ନିମିତ୍ତ ରାଜମାତା ପାଗଳୀ ହୋଇ ପ୍ରଳାପ କରିଛନ୍ତି । ନିଜର ଯାବତୀୟ ତ୍ରୁଟି ନିମିତ୍ତ କୁମାର ଜନ ଦରବାରରେ ହୋଇଛନ୍ତି କ୍ଷମା ପ୍ରାର୍ଥୀ । ପୂର୍ବକୃତ ପାପର ପ୍ରାୟଶ୍ଚିତ୍ତ ସ୍ଵରୂପ, ନିଜର ରାଜପ୍ରସାଦକୁ ଜନକଲ୍ୟାଣ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏଇଠାରେ ଗଢ଼ାଯାଇଛି ଏକ ଦାତବ୍ୟ ଚିକିତ୍ସାଳୟ । ଶେଷରେ ଲିଲି ସହିତ ଓ ଚନ୍ଦ୍ର ଓ କବିରାଜ କନ୍ୟା ସହିତ ଭୀମର ବିବାହ କାର୍ଯ୍ୟ ସଂପନ୍ନ ହୋଇଛି ।

 

“ମଉଡ଼ମଣି’ ରାମଚନ୍ଦ୍ରଙ୍କର ଏକ ସମୟୋପଯୋଗୀ ନାଟ୍ୟ କୃତି, ତତ୍କାଳୀନ ସମୟ ଓ ସମୟର ପରିବର୍ତ୍ତିତ ସତ୍ତାରେ ସାଧାରଣ ସାମାଜିକ ଜୀବନର ଚିତ୍ର ଭିତରେ ସେ ସଂସ୍କାର ଆଣିବାର ମାର୍ଗ ପ୍ରସ୍ତୁତ କରିଛନ୍ତି । ଏଥିନିମିତ୍ତ ସେ ଅନେକ ଚରିତ୍ର ସୃଷ୍ଟି କରିଛନ୍ତି, ନାଟକୀୟ କାହାଣୀ, ଘଟଣାପ୍ରବାହ ଦୃଷ୍ଟିରୁ କୌଣସି ଗୋଟିଏ ହେଲେ ଚରିତ୍ର ଅପାଙ୍‍କ୍ତେୟ ମନେ ହୋଇ ନାହାନ୍ତି । ଏ ସଂପର୍କରେ ଆଲୋଚକ ଭାଗୀରଥି ଜେନାଙ୍କ ମନ୍ତବ୍ୟ ଉଦ୍ଧାର କରାଯାଇପାରେ । “କଥାବସ୍ତୁର ଅଗ୍ରଗତିରେ ପ୍ରତ୍ୟେକ ଚରିତ୍ରର ଭୂମିକା ଅନସ୍ଵୀକାର୍ଯ୍ୟ । ସାଧୁ ସାନ୍ତରାର ତ୍ୟାଗପୂତ ଜୀବନ ଓ ନିରଳସ ସାଧନା, ରତ୍ନା ଚରିତ୍ରର ବଳିଷ୍ଠତା, ରାଜମାତା ଚରିତ୍ର ମଧ୍ୟରେ ଗତାୟୁ ରାଜଶକ୍ତିର ସ୍ଵାର୍ଥ ସିଦ୍ଧି ପାଇଁ ପ୍ରବଳ ଆସକ୍ତି, ରଂଜନ ଚରିତ୍ର ମାଧ୍ୟମରେ ମହାତ୍ମାଗାନ୍ଧୀଙ୍କର ଶାରୀରିକ ଶ୍ରମ ଉପରେ ଦେଉଥିବା ଗୁରୁତ୍ଵ, ଯମେଶ୍ଵର ତଥା ସେକ୍ରେଟେରୀ ଚରିତ୍ରରେ ସ୍ଵାର୍ଥ ସିଦ୍ଧିପାଇଁ ହୀନ ପ୍ରଚେଷ୍ଟା, ଏକ ବିପ୍ଳବୀ ଯୁବନେତା ହିସାବରେ ନାଟକର ପ୍ରଥମ ପର୍ଯ୍ୟାୟରେ ଚନ୍ଦ୍ରର ଆହ୍ଵାନ ଯେଉଁଭଳି ଭାବରେ ପ୍ରତିଫଳିତ ହୋଇଛି, ସେଇଭଳି କୋଇଲି, ସୁନ୍ଦରୀ, ମାଷ୍ଟର ଚରିତ୍ର ଦେଇ ଫୁଟ୍‍ପାଥ୍‍ର ଜୀବନ, ନିଧି, ବାଞ୍ଛା ଓ ଚରିତ୍ରରେ ଗାଁର ସରଳ ଜୀବନଯାତ୍ରା, ଅଭିବ୍ୟଂଜିତ ହୋଇଛି । କଂକୀ ଓ ଭୀମା ଚରିତ୍ର ହାସ୍ୟରସ ସୃଷ୍ଟି କରାଯାଇଛି । ଲିଲି ଚରିତ୍ରର ଉତ୍‍ଫୁଲ ବିଷାଦ ଓ ପାଗଳାମି ଓ ରାଜମାତାଙ୍କର ଦାମ୍ଭିକତା ଅନ୍ତରାଳରେ, ଏକ ଅସହାୟ ନାରୀତ୍ଵର ଶେଷ ପରିଣତି, ମାନସିକ ବିପର୍ଯ୍ୟୟରେ ସମାହିତ ହୋଇଛି । ପ୍ରାୟ ପ୍ରତ୍ୟେକ ଚରିତ୍ର, ନାଟକୀୟ ବୃତ୍ତ ମଧ୍ୟରେ ହିଁ ଆବଦ୍ଧ ଓ ପରସ୍ପର ନିର୍ଭରଶୀଳ ।’’ (‘ମଉଡ଼ ମଣି ଏକ ବିଶ୍ଲେଷଣ’- ନାଟ୍ୟକାର ରାମଚନ୍ଦ୍ର ସୃଷ୍ଟି ବଳୟ ସଂ. ଡଃ ନାରାୟଣ ସାହୁ (୧୯୯୩)- ପୃଷ୍ଠା-୧୭୦)

 

ସାଇପଡ଼ିଶା: (୧୯୫୩)

ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ୍ ଦ୍ଵାରା ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କର ‘ସାଇପଡ଼ିଶା’ ନାଟକଟି ୨୪ ଜୁଲାଇ ୧୯୫୩ ଠାରୁ ୮ ଅକ୍ଟୋବର ୧୯୫୩ ପର୍ଯ୍ୟନ୍ତ ପରିବେଷିତ ହୋଇ ବିଶେଷ ଜନପ୍ରିୟତା ଅର୍ଜନ କରିଥିଲା । ଭଲ ଓ ମନ୍ଦର ତୀବ୍ର ସଂଘର୍ଷ ତଥା ସଂଶୟ ସହିତ ବିଶ୍ଵାସ ଏବଂ ଘୃଣା ସହିତ ପ୍ରେମର ଦ୍ଵନ୍ଦ୍ଵ, ନାଟକୀୟ କାହାଣୀଟିକୁ ଆବେଗଧର୍ମୀ କରାଇଛି । ଶେଷରେ ସଂଶୟ ଉପରେ ବିଶ୍ଵାସର ଏବଂ ଘୃଣା ଉପରେ ହିଁ ପ୍ରେମର ବିଜୟ ହୋଇଛି ଘୋଷିତ । ସାଇପଡ଼ିଶା ଭିତରେ ଉତ୍ତମ ବୁଝାବଣା ଭଳି ସୂକ୍ଷ୍ମ ସାମାଜିକ ସତ୍ୟତାର ଉଦ୍‍ଘୋଷଣା କରିବା ହୋଇଛି ସଂପୃକ୍ତ ନାଟକଟିର ମୁଖ୍ୟ ଅଭିଲକ୍ଷ୍ୟ । ଜାତିର ଉନ୍ନତିର ମୂଳ ସୂତ୍ରଟି ଗ୍ରାମଅଞ୍ଚଳରେ ପର୍ଯ୍ୟବସିତ- ଗାନ୍ଧିଜୀଙ୍କର ଏଇ ବାଣୀକୁ ପ୍ରତିଷ୍ଠା ଦେବାକୁ ଆଦର୍ଶବାଦୀ ନାଟ୍ୟକାର ରାମଚନ୍ଦ୍ର ପ୍ରଥମେ ଗ୍ରାମାଞ୍ଚଳର ପଡ଼ିଶା ମଧ୍ୟରେ ରହିଥିବା ସଂପର୍କର ସେତୁଟିକୁ ସୁଦୃଢ଼ କରାଇବାର ଉଦ୍ଦେଶ୍ୟ ନେଇ, ରଚନା କରିଛନ୍ତି ନାଟକ ‘ସାଇପଡ଼ିଶା’ ।

 

କାହାଣୀକାଳର ପ୍ରଲମ୍ଵନରେ ସଂପୃକ୍ତ ନାଟକରେ ଦେଖାଦେଇଛନ୍ତି ଦୁଇ ବାଲ୍ୟବନ୍ଧୁ ପୋଲିସ୍ ଇନିସ୍‍ପେକ୍ଟର ଶଙ୍କର ଏବଂ ଶିକ୍ଷକ ନିମାଇଁ ବାବୁ । ବାଲ୍ୟବନ୍ଧୁ ନିମେଇଁଙ୍କୁ ଏକ ଗୃହ ନିର୍ମାଣ କରିବା ପାଇଁ ଅନୁରୋଧ କରିଛନ୍ତି ଶଙ୍କର । କାରଣ ଅବସର ପରେ ଦୁହେଁ ପୂର୍ବବତ୍ ସମୟ କଟାଇବେ । ଶଙ୍କରଙ୍କ ଉପରେ ଗଭୀର ବିଶ୍ଵାସ ରଖି, ଶଙ୍କରଙ୍କ ଘର ଡିହରେ ନିଜେ ଏକ ସୁଦୃଶ୍ୟ କୋଠା ନିର୍ମାଣ କରିଛନ୍ତି ନିମେଇଁ ବାବୁ । ଆବଶ୍ୟକ ଅର୍ଥ ସେ ବିଦ୍ୟାଳୟରୁ ଆଣି ଏଠି ଖର୍ଚ୍ଚ କରିଛନ୍ତି ଓ ଶଙ୍କରଙ୍କ ଠାରୁ ଅର୍ଥ ପାଇଲେ, ବିଦ୍ୟାଳୟର ଅର୍ଥ ଭରଣା କରିଦେବାର ଉଦ୍ଦେଶ୍ୟ ରଖିଛନ୍ତି ସେ । ଗୃହ ନିର୍ମାଣ ଶେଷରେ ଶଙ୍କର ସପରିବାରେ ଗୃହ ପ୍ରବେଶ କରିଛନ୍ତି । ମାତ୍ର ନିମେଇଁ ବାବୁଙ୍କର ଏଇ ତ୍ୟାଗର ଉଷ୍ମତା କ୍ରମେ ମହଳଣ ପଡ଼ିଯାଇଛି ।

 

ଶଙ୍କରଙ୍କ ପତ୍ନୀ ନିରୁପମା ଦୁଇ ବନ୍ଧୁଙ୍କ ସଂପର୍କ ମଧ୍ୟରେ ଗୋଟାଏ ଦୃଢ଼ ଅନ୍ତରାୟ ରୂପେ ଠିଆ ହୋଇଛନ୍ତି । ନଗର ସଭ୍ୟତାର ସନ୍ଦେହ. ଘୃଣା, ପରଶ୍ରୀକାତରତା, ଆତ୍ମବଡ଼ିମା, ଅହଂ ସର୍ବସ୍ଵତାର ପଚମାନ ନର୍କ ଭିତରେ ବଢ଼ିଥିବା ନିରୁପମାଙ୍କୁ ଗ୍ରାମ୍ୟ ସଭ୍ୟତାର ଶୁଦ୍ଧ ସରଳତା, ଗଭୀର ବିଶ୍ଵାସବୋଧ, ସ୍ଵାର୍ଥହୀନ ଆନ୍ତରିକତା, କେବେବି ପ୍ରଭାବିତ କରିପାରିନାହିଁ । ଗାଁ ବିଦ୍ୟାଳୟର ସଭାପତି ତଥା ଅସଚ୍ଚୋଟ ଭଜହରି, ନିରୁପମାଙ୍କ ଭିତରେ ବଢ଼ୁଥିବା ଅବିଶ୍ଵାସର ବିଷମଞ୍ଜିକୁ ଅଙ୍କୁରିତ କରାଇଛନ୍ତି । ସରଳ ହୃଦୟ ନିମେଇଁ ଏବଂ ତାଙ୍କ ସ୍ନେହମୟୀ ପତ୍ନୀ ଏଥିରେ ଘୋର ମାନସିକ ଯନ୍ତ୍ରଣା ଭୋଗ କରିଛନ୍ତି । ବିଦ୍ୟାଳୟର ଜମା ଅର୍ଥକୁ ନିମେଇ ଆତ୍ମସାତ୍ କରିଛନ୍ତି ବୋଲି ଅଭିଯୋଗ ଆଣି, ସଭାପତି ଭଜହରି, ଏଇ ଅର୍ଥ ତୁରନ୍ତ ଭରଣା କରିବାକୁ ତାଗିଦ କରିଛନ୍ତି ।

 

ସ୍ଵାମୀ ନିମେଇଁଙ୍କର ଏଭଳି ଦୁର୍ଦ୍ଦିନରେ, ସ୍ତ୍ରୀ ଅନ୍ନପୂର୍ଣ୍ଣା ସହାୟତା କରିବାକୁ ଯାଇ, ତାଙ୍କ ବଂଶର ଆଭିଜାତ୍ୟର ପ୍ରତୀକ ସ୍ଵରୂପ ରଖାଯାଇଥିବା ସୁନାଖଡ଼ୁ ଦୁଇଟିକୁ ବିକ୍ରୟ କରି, ଅର୍ଥ ଭରଣା କରିବାକୁ ପରାମର୍ଶ ଦେଇଛନ୍ତି । ଏହି ଖଡ଼ୁ ଦୁଇଟିକୁ ବହୁ ଯନ୍ତ୍ରଣା ଭିତରେ ବିକ୍ରୟ କରି ନିମେଇଁ ବାବୁ ବିଦ୍ୟାଳୟରୁ ଆଣିଥିବା ଅର୍ଥ ଭରଣା କରିଛନ୍ତି ଏବଂ ବିଦ୍ୟାଳୟର ଶିକ୍ଷକତାକୁ ଅଭିମାନରେ ଇସ୍ତଫା ଦେଇଛନ୍ତି । ମାତ୍ର ଛାତ୍ରଛାତ୍ରୀମାନଙ୍କ ଆଦର ସମ୍ମାନ ପ୍ରତି ଆନ୍ତରିକତା ପ୍ରଦର୍ଶନ କରି ସେ ବିଦ୍ୟାଳୟକୁ ଯାଇଛନ୍ତି । ଗଭୀର ମାନସିକ ସନ୍ତୁଳନ ଭିତରେ ଭାଂଗି ପଡ଼ିଛନ୍ତି ନିମେଇଁ ଏବଂ ତାଙ୍କର ପତ୍ନୀ ଅନ୍ନପୂର୍ଣ୍ଣା ।

 

ବନ୍ଧୁ ଭାବରେ ଶଙ୍କର, ନିମେଇଁଙ୍କର ଏପରି ସନ୍ତୁଳିତ ଅବସ୍ଥାକୁ ହୃଦୟଙ୍ଗମ କରି ଗଭୀର ଅନୁଶୋଚନା କରିଛନ୍ତି । ସ୍ମରଣରେ ଆସିଛି ତାଙ୍କର ଅତୀତର ଘଟଣା । କେବଳ ତାଙ୍କରି ପାଇଁ, ବନ୍ଧୁ ନିମେଇଁଙ୍କର ଆଜି ଏପରି ଦୁଃଖଦ ଅବସ୍ଥା । ଶେଷରେ ଆପଣାର ତ୍ରୁଟି ସୁଧାରିବାକୁ ଯାଇ, ଶଙ୍କର ବନ୍ଧୁପତ୍ନୀ ଅନ୍ନପୂର୍ଣ୍ଣାଙ୍କ ନିକଟରେ ଉପସ୍ଥିତ ହୋଇ, ଆପଣାର କୋହ ପ୍ରକାଶ କରିଛନ୍ତି । ଅନ୍ନପୂର୍ଣ୍ଣାଙ୍କ ଠାରୁ ଶୁଣିଛନ୍ତି ସେଇ ସୁନାଖଡ଼ୁ ପ୍ରସଙ୍ଗ । ସେଇ ଖଡ଼ୁ ଦୁଇଟିକୁ ଯେ କୌଣସି ମୂଲ୍ୟ ବିନିମୟରେ ଉଦ୍ଧାର କରି, ଅନ୍ନପୂର୍ଣ୍ଣା ଫେରାଇ ଦେବାର ପ୍ରତିଶ୍ରୁତି ଦେଇ ଫେରିଆସିଛନ୍ତି ଶଙ୍କର ।

 

ବିଦ୍ୟାଳୟ ସଭାପତି ଭଜହରି, ନିମେଇଁଙ୍କ ଠାରୁ ବନ୍ଧକ ସୂତ୍ରରେ ଆଣିଥିବା ଖଡ଼ୁ ଦୁଇଟିକୁ ଶଙ୍କରଙ୍କ ପତ୍ନୀ ନିରୁପମାଙ୍କୁ ବିକ୍ରୟ କରିଦେଇଛନ୍ତି । ନିମେଇଁଙ୍କୁ ବିଦ୍ୟାଳୟରୁ ତଡ଼ି ଦେଇ ତାଙ୍କ ସ୍ଥାନରେ ଆପଣାର ଜଣେ ସଂପର୍କୀୟଙ୍କୁ ନିଯୁକ୍ତି ଦେବାବେଳେ, ଶଙ୍କର ସକଳ ଘଟଣାକୁ ବୁଝି ପାରିଛନ୍ତି । ଆଇନ୍‍ଗତ ଭାବରେ ସେ ଭଜହରିଙ୍କ ଧୂର୍ତ୍ତତାକୁ ଉପସ୍ଥାପନ କରି, ତାଙ୍କୁ ଦଣ୍ଡିତ କରିବାର ବ୍ୟବସ୍ଥା କରିଛନ୍ତି ।

 

ଗ୍ରାମ୍ୟ ଶିକ୍ଷାଳୟର ଉନ୍ନତି ବିଧାନ କରିବାକୁ, ଶଙ୍କର ଏଥର ହୋଇଛନ୍ତି ପରିଚାଳନା କମିଟିର ସଭାପତି, ଜଣେ ଯୋଗ୍ୟ ଶିକ୍ଷକ ଭାବରେ, ସେ ନିମେଇଁଙ୍କ ପୁଅ ଗୁଣନିଧିଙ୍କୁ ବିଦ୍ୟାଳୟରେ ନିଯୁକ୍ତି ଦେଇଛନ୍ତି । ବନ୍ଧୁ ଏଥର ଫେରି ପାଇଛି ବନ୍ଧୁଙ୍କୁ, ଶଙ୍କର ଏବଂ ନିମେଇଁ ପରସ୍ପରର ହୃଦୟର ଆହ୍ଵାନକୁ ହୃଦୟଙ୍ଗମ କରିପାରିଛନ୍ତି । ଭଜହରିଠାରୁ କିଣିଥିବା ସୁନାଖଡ଼ୁ ଦୁଇଟାକୁ ନିରୁପମା ନିଜ ବଡ଼ଝିଅ ଶୈଳଜା ହାତରେ ପିନ୍ଧାଇ ଦେଇଥିଲେ । ଏଇ ଖଡ଼ୁ ଦୁଇଟାକୁ ଶୈଳଜା ହାତରୁ କାଢ଼ି ନେବାକୁ ନିମେଇଁ ଓ ଅନ୍ନପୂର୍ଣ୍ଣାଙ୍କୁ କୁହାଯାଇଥିଲା । ମାତ୍ର ଯେଉଁ ଖଡ଼ୁ ଦୁଇଟା କେବଳ ବଂଶର କୁଳବଧୂ ହାତରେ ପିନ୍ଧିବା କଥା, ସେ ଦୁଇଟା ଯେ ପିନ୍ଧିଛି ସେ କୂଳବଧୂ ହେବ, ଏଇ ଭାବରେ ଶୈଳଜାକୁ ଗୁଣନିଧିଙ୍କ ସହିତ ବିବାହ କରାଇ, ତାକୁ ବୋହୂ ରୂପେ ସ୍ଵୀକାର କରି ଖୁସିରେ ଫାଟି ପଡ଼ିଲେ ନିମେଇଁ ଏବଂ ଅନ୍ନପୂର୍ଣ୍ଣା । ନିମେଇଁଙ୍କ ଘର ଆଡ଼କୁ ବନ୍ଦ କରାଯାଇଥିବା ଦରଜା ଏଥର ଉନ୍ମୁକ୍ତ ହୋଇଗଲା ।

 

‘ସାଇପଡ଼ିଶା’ ନାଟକରେ ଦୁଇବନ୍ଧୁଙ୍କର ସାମୟିକ ବନ୍ଧୁ ବିଚ୍ଛେଦର କାହାଣୀ ଭିତରେ ଏକ ତ୍ରିମୁଖୀ ପ୍ରେମ ଘଟଣା, ପ୍ରସଙ୍ଗୋଚିତ ଭାବରେ ସଂଯୋଜିତ । ସେଇ ତ୍ରିମୁଖୀ ପ୍ରେମ କାହାଣୀର ତିନିବନ୍ଧୁ ହେଲେ ନିମେଇଁଙ୍କ ପୁତ୍ର ସୁଶୀଳ ଓ ସୁଶିକ୍ଷିତ, ଶାନ୍ତଚିତ୍ତ, ଗୁଣନିଧି ଏବଂ ଶଙ୍କରଙ୍କ ଜ୍ୟେଷ୍ଠା କନ୍ୟା ସରଳା ଶୈଳଜା ଓ ଏବଂ କନିଷ୍ଠା କନ୍ୟା ପାଶ୍ଚାତ୍ୟ ସଭ୍ୟତାନୁରାଗିଣୀ ମନୋଜା । ଗୁଣନିଧିଙ୍କ ପ୍ରତି ଶୈଳଜା ଓ ମନୋଜା ଉଭୟେ ଆକର୍ଷିତା, ମାତ୍ର ଗୁଣନିଧିଙ୍କ ଭଳି ସରଳବିଶ୍ଵାସୀ ଶୈଳଜା ହିଁ ଗୁଣନିଧିଙ୍କର ପସନ୍ଦଯୋଗ୍ୟା । ଅଥଚ କେହି କାହା ନିକଟରେ ମନକଥା ଖୋଲି କହିପାରିନାହାନ୍ତି । ମନୋଜା କିନ୍ତୁ ଗୁଣନିଧିଙ୍କୁ ପାଇବା ନିମିତ୍ତ ବ୍ୟଗ୍ରତା ପ୍ରକାଶ କରିଛି । ଏଥିପାଇଁ ସେ ବନ୍ଧୁ ଶ୍ରୀକାନ୍ତଙ୍କୁ ନିୟୋଜିତ କରିଛି । ଶୀକାନ୍ତ ମାଧ୍ୟମରେ ଶୈଳଜା ଓ ଗୁଣନିଧିଙ୍କ ଆକର୍ଷଣ ସାନ୍ଦ୍ର ହୋଇଛି । ଶେଷରେ ଗୁଣନିଧିଙ୍କୁ ବିବାହ କରିଛି ଶୈଳଜା, ଶ୍ରୀକାନ୍ତଙ୍କୁ ବିବାହ କରିଛି ମନୋଜା । ବିବାହର ଶୁଭ ସାହାନାଇ ସୁରରେ ନାଟକର ମିଳନ ଳଗ୍ନର ଯବନିକା ପାତ ଘଟିଛି ।

 

ଆଦର୍ଶବାଦୀ ନାଟ୍ୟକାର ରାମଚନ୍ଦ୍ର ମିଶ୍ର, ସଂପୃକ୍ତ ନାଟକଟିରେ ପ୍ରାଚ୍ୟ ଏବଂ ପାଶ୍ଚାତ୍ୟ ସଭ୍ୟତାର ଓ ସଂସ୍କୃତିର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରି, ପ୍ରାଚ୍ୟ ସଂସ୍କୃତିର ଚିରନ୍ତନୀ ମୂଲ୍ୟବୋଧକୁ ଦୃଢ଼ତାର ସହିତ ପ୍ରତିଷ୍ଠା କରିବାରେ ସଫଳ ହୋଇଛନ୍ତି । ପ୍ରାଚ୍ୟ ସଭ୍ୟତାରେ ‘ମାଆ’, ପାଶ୍ଚାତ୍ୟ ସଂସ୍କୃତିର ‘ମମି’ । ମାଆ ଏଠି ଅନ୍ତ ଫାଡ଼ି ଜନ୍ମ ଦିଏ ଜୀବନର ସକଳ ନିର୍ଯ୍ୟାସ ଦେଇ ସନ୍ତାନ ପାଳନ କରେ ସେ, ସେଥିପାଇଁ ସେ ଅଜାଡ଼ିଦିଏ ସ୍ନେହ ମମତାର ଅବାରିତ ଧାରା । ପାଶ୍ଚାତ୍ୟ ସଂସ୍କତିରେ ସନ୍ତାନକୁ ଜନ୍ମ ଦେଇ ସାରିବବା ପରେ ମମି, ଅର୍ଥ ବିନିମୟରେ ସନ୍ତାନର ହସ୍ତାନ୍ତ କରିଦିଏ ଆୟାକୁ । ସେଥିରେ ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରାଯାଏ, ମାତ୍ର ମାତୃ ହୁଦୟର ସ୍ଵଚ୍ଛଳା ସେଠି ଅନୁପସ୍ଥିତ । ଅନୁରୂପ ଭାବରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ କଳୁଷିତ ସହରୀ ଜୀବନ, ସରଳ ଏବଂ ଗଭୀର ଆଶା ବିଶ୍ଵାସ ଉପରେ ପ୍ରତିଷ୍ଠିତ ଗ୍ରାମ୍ୟ ଜୀବନକୁ ଘୃଣା କରେ । । କୃତ୍ରିମ ଏବଂ ଚାକଚକ୍ୟପୂର୍ଣ୍ଣ ସହରୀ ଜୀବନ କେବଳ ଅର୍ଥର ହିସାବ ରଖିପାରେ, ମମତା, ସୋହାଗ ଏବଂ ବିଶ୍ଵାସର ମୂଲ୍ୟ ଏଠି ତୁଚ୍ଛ । ମାତ୍ର ନାଟ୍ୟକାର ଆମ ସଂସ୍କୃତିର ଚିରନ୍ତନୀ ମୂଲ୍ୟବୋଧକୁ ପ୍ରତିଷ୍ଠା କରିବାରେ ସଫଳ ହୋଇ ପାରିଛନ୍ତି ସଂପୃକ୍ତ ‘ସାଇପଡ଼ିଶା’ ନାଟକରେ ।

 

୮. ଭାଇ ଭାଉଜ: (୧୯୫୩)

୧୦ ଜାନୁଆରୀ ୧୯୫୪ରୁ ୯ ମେ ୧୯୫୪ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚ ମାସକାଳ ଧରି ‘ଅନ୍ନପୂର୍ଣ୍ଣା ବି’ ଗ୍ରୁପ’ ଭଳି ପେଶାଦାର ରଙ୍ଗମଞ୍ଚରେ ଅଭିନୀତ ହୋଇଥିବା ରାମଚନ୍ଦ୍ର ମିଶ୍ରଙ୍କର ଅନ୍ୟତମ ଜନପ୍ରିୟ ନାଟକ ‘ଭାଇଭାଉଜ’ ସାମନ୍ତୀୟ ସଭ୍ୟତାର ଅତ୍ୟାଚାର ପୀଡ଼ିତ ପ୍ରଜାକୁଳର ବିକଳ ଅଥଚ ବାସ୍ତବାଶ୍ରୟୀ ଚଚିତ୍ର ଉପସ୍ଥାପନରେ ସଫଳତା ଅର୍ଜନ କରିଛି । ମହାଭାରତୀୟ କୃଷିଭିତ୍ତିକ ସଂସ୍କୃତିର ବାର୍ତ୍ତା ସଂପୃକ୍ତ ନାଟକଟିକୁ ଅଧିକତର ଆକର୍ଷଣୀୟ କରି ଗଢ଼ିତୋଳିଛି । ସ୍ଵାଧୀନତା ପରବର୍ତ୍ତୀ ଭାରତବର୍ଷରେ ଆର୍ଥନୀତିକ ବୈଷମ୍ୟ, ସମାଜରେ ଥିଲା- ନ ଥିଲାର ଦୁର୍ଭେଦ୍ୟ ପ୍ରାଚୀନ ସୃଷ୍ଟି କରିଥିଲା । ସାମନ୍ତବାଦୀ, ପୁଞ୍ଜିପତି, ଜମିଦାର, ସାହୁକାରଙ୍କ ବିପକ୍ଷରେ ରହିଲେ ନିର୍ଯ୍ୟାତିତ ଗଣମାଧବ । ଦୁଇଟି ଗୋଷ୍ଠୀ, ଦୁଇଟି ଶକ୍ତି, ଏବଂ ଦୁଇଟି ଶ୍ରେଣୀର ଏ ସଂଘର୍ଷଜନିତ ସାମାଜିକ ବାସ୍ତବତାକୁ ନାଟ୍ୟକାର ରାମଚନ୍ଦ୍ର ‘ଭାଇଭାଉଜ’ ନାଟକରେ ଚଉଦଗୋଟି ପୁରୁଷ ଏବଂ ପାଞ୍ଚଗୋଟି ନାରୀ ଚରିତ୍ର ମାଧ୍ୟମରେ ରୂପ ଦେଇଛନ୍ତି । ତିନୋଟି ଅଙ୍କ ମଧ୍ୟରେ ମାତ୍ର ଅଠରଗୋଟି ଦୃଶ୍ୟରେ ବିଭକ୍ତ ସମଗ୍ର ନାଟକଟି ଦର୍ଶକମାନଙ୍କ ଏକାନ୍ତ ଉପଭୋଗ୍ୟ ଥିଲା ।

 

ଗାନ୍ଧୀବାଦୀ ରାମଚନ୍ଦ୍ର ଥିଲେ ପଲ୍ଲୀକୈନ୍ଦ୍ରିକ ଜୀବନଧାରାର ଦୃଢ଼ ସମର୍ଥକ, ପଲ୍ଲୀ ଜୀବନର ନିଷ୍ଠାପର ପୂଜାରୀ । ଭାରତବର୍ଷର ବିକାଶ ଗ୍ରାମରେ ନିହିତ । ଗ୍ରାମର କୃଷିଜୀବୀ, ଶ୍ରମଜୀବୀମାନଙ୍କ ସ୍ଵେଦସିକ୍ତ ସାଧନରେ ଭାରତୀୟ ସମାଜ ଏବଂ ଏହାର ଆର୍ଥନୀତିକ ଉନ୍ନତି ନିର୍ଭରଶୀଳ- ଗାନ୍ଧୀଙ୍କ ଏଇ ବକ୍ତବ୍ୟକୁ ନାଟ୍ୟକାର ଭଲଭାବରେ ହୃଦୟଙ୍ଗମ କରିଥିଲେ । ପୁନଶ୍ଚ ସେଇ ଭାବରେ ଜାଣିଥିଲେ ଗ୍ରାମ୍ୟଜନତାର ଆବେଗ ଏବଂ ଆଦରର ସଂପତ୍ତି ହେଉଛି କୃଷିଭୂମି । ତେଣୁ ଗ୍ରାମ୍ୟ ଜନତାର କୃଷି, କୃଷିଭୂମିକୁ ଉପଜୀବ୍ୟ କରି ଏଥିରେ ପରିଲକ୍ଷିତ ହେଉଥିବା ସମସ୍ୟାର ଉପସ୍ଥାପନ ଏହାର ସମାଧାନ ନିମିତ୍ତ ଉପଯୁକ୍ତ ମାର୍ଗ ଦର୍ଶନର ଉଦ୍ଦେଶ୍ୟ ନେଇ ସେ ସୃଷ୍ଟିକଲେ ନାଟକ ‘ଭାଇଭାଉଜ’ ।

 

‘ଭାଇଭାଉଜ’ ନାଟକର ପ୍ରମୁଖ ଚରିତ୍ର ହେଉଛନ୍ତି ମହୀ ପଧାନ, ଦୁଃଖୀ, ଭାଇଗ ଏବଂ ସାହୁକାରପୁତ୍ର ଯୋଗୀବାବୁ । ଏକ ଗ୍ରାମୀଣ କୃଷକ ମହୀ ପଧାନ, ତା ମାଆ ଦ୍ଵାରା ପାଳିତ ସନ୍ତାନ ଭାଇଗ- ଦୈନିକ ହିଡ଼- ମାଟି ହିଡ଼ରେ ଲଦି, ମାଟି ସହିତ ମାଟି ହୋଇ ଜମିରେ ଫସଲ ଫଳାଇ ଗୁଜୁରାଣ ମେଣ୍ଟାନ୍ତି । ମହୀର ବିବାହ ନିମିତ୍ତ ଭାଇଗ, ଗାଁର ଅସହାୟା ଦୁଃଖୀକୁ ଉପଯୁକ୍ତ କନ୍ୟା ଭାବରେ ନିର୍ବାଚନ କରି ବସେ । ତୀବ୍ର ଦାରିଦ୍ର୍ୟ ଓ ଅନଟନରେ ଜୀବନ ଜୀଉଥିବା ଦୁଃଖୀ ଥିଲା ସୁନ୍ଦରୀ । ସାଉକାର ସନ୍ତାନ ଯୋଗୀର ନଜର ଥିଲା ଦୁଃଖୀ ଉପରେ । ତୋଟାରେ ପତ୍ର ସାଉଁଟୁଥିବା ବେଳେ ଯୋଗୀ ଦୁଃଖୀକୁ ଉପଭୋଗ କରିବାକୁ ଉଦ୍ୟତ ହୋଇଛି । ଏଇ ସମୟରେ କ୍ଷେତରୁ ବାହୁଡ଼ୁଥିବା ମହୀ ପଧାନ ଉପସ୍ଥିତ ହୋଇ ଯୋଗୀ ବେକରେ ଗାମୁଛା ପକାଇଛି ଓ ଦୁଃଖୀକୁ ଉଦ୍ଧାର କରିଛି । ପୁତ୍ରର ଅପମାନକୁ ସହି ନ ପାରି, ସାଉକାର ପ୍ରତିଶୋଧ ପରାୟଣ ହୋଇ କ୍ରୂର ଚକ୍ରାନ୍ତ ଆରମ୍ଭ କରିଛି । ସାଦା କାଗଜରେ ମହୀଠାରୁ ସନ୍ତକ ନେଇ, କିଛି ଟଙ୍କା କରଜ ଦେଇଛି, ଯାହା ଦ୍ଵାରା ମହୀ ଦୁଃଖୀକୁ ବିବାହ କରିବାରେ କ୍ଷମ ହୋଇଛି ।

 

ଯୋଗୀବାବୁଙ୍କର ମନର ଓରିମାନା ମେଣ୍ଟିଲା ନାହିଁ, ତେଣୁ ସେ ନିଜର ପାଳକ ପିତା ସେଇ ସାହୁକାରକୁ ମାରିଦେବାକୁ ଅଇଁଠା ସାହାଯ୍ୟରେ ଚକ୍ରାନ୍ତ କରିଛି । ମହୀ ପଧାନ ଜମିରେ ଯୋଗୀବାବୁ କିଛି ଲୋକଙ୍କ ଦ୍ଵାରା ହଳ ପୂରାଇଛି, ମହୀ ପଧାନ ଏହାର ପ୍ରତିବାଦ କରିଛି, ହେଲେ ଗୁଣ୍ଡାଙ୍କ ଦ୍ଵାରା ପାଳକ ପିତା ସାହୁକାରକୁ ହତ୍ୟା କରି, ଯୋଗୀବାବୁ ମହୀ ପଧାନଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ୍‍କୁ ପଠାଇଛି । ଦୁଃଖରେ ଭାଙ୍ଗି ପଡ଼ିଛି ଦୁଃଖୀ ।

 

ତାକୁ ଜଗି ରହିଛି ଭାଇଗ । ଗର୍ଭବତୀ ଦୁଃଖୀ ପୁତ୍ର ସନ୍ତାନଟିଏ ଜନ୍ମ ଦେଇଛି, ତା’ର ନାମ ଭରତ । ଭରତ, ମହୀର ସନ୍ତାନ ନୁହେଁ, ଭାଇଗର- ଏହିଭଳି ଏକ କପୋଳ କଳ୍ପିତ କୁତ୍ସାରଟନା କରାଯାଇ, ଦୁଃଖୀ ଏବଂ ଭାଇଗତ ଚରିତ୍ର ସଂହାର କରାଯାଇଛି ।

 

ନରହତ୍ୟା ଅପରାଧରେ ଜେଲ ଭୋଗୁଥିବା ମହୀ ପଧାନ ଜେଲମୁକ୍ତ ହେବାବେଳେ, ଯୋଗୀବାବୁ ତା’ସ୍ତ୍ରୀ ଦୁଃଖୀ ସହିତ ଭାଇଗର ଅନୈତିକ ସମ୍ବନ୍ଧ ସଂପର୍କରେ ମିଥ୍ୟା କଥା କହି ମହୀର ମନକୁ ବିଷାକ୍ତ କରିଦେଇଥିଲେ । ଦୁଃଖ-ଯନ୍ତ୍ରଣା ଏବଂ ମାନସିକ ଅବସନ୍ନତା ନେଇ ମହୀ ବିଚାରପତିଙ୍କ ଦ୍ଵାରସ୍ଥ ହୋଇ ମୃତ୍ୟୁଦଣ୍ଡ ଦେବାକୁ ପ୍ରାର୍ଥନା କରିଛି । ମାତ୍ର ବିଚାରପତି ଥିଲେ ହୃଦୟବାନ୍, ମହୀର ସରଳ ହୃଦୟର ଦୁଃଖକୁ ସେ ଅନୁଭବ କଲେ । ତେଣୁ ତାଙ୍କର ଏକମାତ୍ର କନ୍ୟା ସବିତାର ଲାଳନପାଳନର ଦାୟିତ୍ୱ ମହୀ ଉପରେ ନ୍ୟସ୍ତ କଲେ ସେ ।

 

ଭାଇଗ ଏବଂ ଦୁଃଖୀର ଦୁଃଖ ଚରମ ସୀମାରେ ପହଞ୍ଚିଛି । ମହୀର ସ୍ତ୍ରୀକୁ ସୁରକ୍ଷା ଦେଇ ସେ ନିଜେ ଜୀବନକୁ ତିଳତିଳ ଦଗ୍ଧ କରିଛି । ଭାଇଗ ପରି ଲକ୍ଷ୍ମଣକୁ ଚିହ୍ନି ପାରିନଥିବା ମହୀ ଉପରେ ସେ ଅଭିମାନ କରିଛି । ମାତ୍ର ଦେବୀ ତୁଲ୍ୟା ଭାଉଜ ଦୁଃଖୀ, ପୁତୁରା ଭରତଙ୍କର ଲାଳନ ପାଳନକୁ ଗୁରୁଦାୟିତ୍ଵ ମନେକରି ଦେହକୁ ଓ ମନକୁ ପଥର କରିଦେଇଛି । ଗ୍ରାମ୍ୟ ଜନତାର ତା’ପ୍ରତି ଇଙ୍ଗିତପୂର୍ଣ୍ଣ ମନ୍ତବ୍ୟ, କୁତ୍ସା ଏବଂ ଅଭାବ ଅନଟନର କଷାଘାତକୁ ସହି ନ ପାରି, ସେ ଦୁଃଖୀ ଏବଂ ଭରତଙ୍କୁ ନେଇ ଗାଁ ଛାଡ଼ିଛି । ସହରରେ ଏକ କାରଖାନାରେ ଶ୍ରମିକ ଭାବରେ ଯାହା ରୋଜଗାର କରିଛି, ତାକୁ ପରିବାର ପ୍ରତିପୋଷଣ ଏବଂ ଭରତର ଶିକ୍ଷା ନିମିତ୍ତ ଖର୍ଚ୍ଚ କରିଛି । ଶ୍ରମ ତା’ର ସାର୍ଥକ ହୋଇଛି, ଭାରତ ଏଥର କୃଷି ବିଶ୍ଵବିଦ୍ୟାଳୟରୁ କୃତିତ୍ଵର ସହିତ ଉତ୍ତୀର୍ଣ୍ଣ ହୋଇଛି ।

 

ବିଚାରପତିଙ୍କ କନ୍ୟା ସବିତା ଓ ମହୀପଧାନ ପୁଅ ଭରତଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଛି । ସବିତା ଡାକ୍ତରୀ ବିଦ୍ୟାରେ ପାରଦର୍ଶିତା ହାସଲ କରିଛି । ମାତ୍ର ବଡ଼ଲୋକର କନ୍ୟାକୁ ସନ୍ଦେହ କରି, ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରିବାକୁ ବିଚାରକଙ୍କ ଘରେ ପହଞ୍ଚିଥିବା ଭାଇଗ ଏଇଠାରେ ମହୀକୁ ସାକ୍ଷାତ କରେ । ମହୀ ହାତରେ ତା’ ପୁଅ ଭରତକୁ ଟେକି ଦେଇ ଶାନ୍ତି ପାଏ ଭାଇଗ । ନିଜର ପ୍ରିୟ ପରିଚିତ ପଲ୍ଲୀମାଟିକୁ ଫେରି ଆସିଛି ଭାଇଗ ।

 

ଦୀର୍ଘକାଳ ପରେ ମହୀ ପାଇଛି ସୁଯୋଗ୍ୟ ପୁଅ ଭରତକୁ, ନିବିଡ଼ ଆଶ୍ଳେଷରେ ବୁକୁରେ ଜଡ଼ାଇ ଧରିଛି ନିଜ ପୁଅକୁ । ଭାଇଗକୁ ଅନ୍ଵେଷଣ କରି ସମସ୍ତେ ଗାଁରେ ପହଞ୍ଚିଛନ୍ତି । ଲମ୍ପଟ ସାହୁକାର ଯୋଗୀବାବୁ ଏତେବେଳକୁ କୁଷ୍ଠ ରୋଗରେ ଆକ୍ରାନ୍ତ । ଯୋଗୀବାବୁଙ୍କ ପୁତ୍ର ନିଧିବାବୁ, ପିତାଙ୍କୁ ଘୃଣା କରି, ଗ୍ରାମବାସୀଙ୍କ ସହିତ ସୁସଂପର୍କ ରକ୍ଷାକରି ସେମାନଙ୍କ ପ୍ରତି ସହାନୁଭୂତିଶୀଳ ହୋଇ ଉଠିଛନ୍ତି । କୁଷ୍ଠରୋଗୀ ଯୋଗୀବାବୁ ଦୁଃଖୀ ହାତରୁ ମାଗି ଖାଇଛନ୍ତି ପଖାଳ ।

 

ଗ୍ରାମ୍ୟ ପରିବେଶରେ ଅବଶିଷ୍ଟ ଜୀବନ ଅତିବାହିତ କରିବାକୁ ଆସିଛନ୍ତି ଅବସରପ୍ରାପ୍ତ ବିଚାରକ । ଝିଅ ସବିତା ସହିତ ଭରତର ବିବାହ ଘଟିଛି । ମହୀର ଭଂଗା ଏବଂ ଉଜୁଡ଼ା ସଂସାର ଯୋଡ଼ି ହୋଇଯାଇଛି । ଗ୍ରାମର କୃଷିଭିତ୍ତିକ ଉନ୍ନତି ସାଧନ ନିମିତ୍ତ, ଆପଣାର ସମସ୍ତ ଗବେଷଣାଲବ୍ଧ ଜ୍ଞାନକୁ ନିୟୋଜିତ କରିଛନ୍ତି ଭରତ । ସବିତା ମଧ୍ୟ ଗ୍ରାମ୍ୟ ଜନତାକୁ ଚିକିତ୍ସା କରାଇ ସେମାନଙ୍କ ସ୍ଵାସ୍ଥ୍ୟର ଉନ୍ନତି ଘଟାଇଛନ୍ତି । କୃଷି ଓ ସ୍ଵାସ୍ଥ୍ୟ ଭଳି ଦୁଇ ଗୁରୁତର ଗ୍ରାମ୍ୟ ସମସ୍ୟାର ଆଶୁ ସମାଧାନ ନିମିତ୍ତ ଦୁଇ ଯୁବଶକ୍ତିର ମିଳିତ ଉଦ୍ୟମ ହୋଇଛି ଯେମିତି ଆଦର୍ଶମୟ, ସେମିତି, ସମୟୋପଯୋଗୀ ପଦକ୍ଷେପ ।

 

‘ଭାଇଭାଉଜ’ ନାଟକର କାହାଣୀ କଳା ଏବଂ ଚରିତ୍ରଗୁଡ଼ିକ, ଓଡ଼ିଶାର ଯେକୌଣସି ଗ୍ରାମାଞ୍ଚଳର ସମସ୍ୟା, ଚରିତ୍ର, ଘଟଣା ସହିତ ଅସାମାନ୍ୟ ସାମଞ୍ଜସ୍ୟ ରକ୍ଷା କରିଥାଏ । ଫଳତଃ ଦର୍ଶକ ସମାଜରେ ଏହାର ବିଶ୍ଵାସନୀୟତା ଅତି ଗଭୀର । ଏଥିରେ ଥିବା ଚରିତ୍ରଗୁଡ଼ିକ, ଗ୍ରାମ୍ୟ ସମାଜରେ ଚଲାଫେରା କରୁଥିବା ମଣିଷ । କେବଳ ଯାହା ନାଟ୍ୟକାର ଏହାକୁ ଆଦର୍ଶମୟ କରିବାକୁ କେତୋଟି ଆଦର୍ଶପୂର୍ଣ୍ଣ ଅଂଶକୁ ଏହା ସହିତ ସଂଯୁକ୍ତ କରିଛନ୍ତି । ତେବେ ଉଦ୍ଦେଶ୍ୟସିଦ୍ଧିରେ ତାଙ୍କୁ ଅସାଧାରଣ ସଫଳତା ମିଳିଛି ଏବଂ ଆଦର୍ଶ ପ୍ରତିଷ୍ଠା ନିମିତ୍ତ କୌଣସି କ୍ଷେତ୍ରରେ ନାଟକର ନାଟକୀୟତା ଓ କଳାଧର୍ମ ବ୍ୟାହତ ହୋଇନାହିଁ । ସର୍ବୋପରି ସଂପୃକ୍ତ ନାଟକରେ ଓଡ଼ିଶାର ମାଟି-ପାଣି ପବନ, ଗ୍ରାମୀଣ ଓଡ଼ିଶାର କୃଷିଭିତ୍ତିକ ସଂସ୍କୃତି, ଏବଂ ଗ୍ରାମ୍ୟଜୀବନ ପ୍ରତି ଅହେତୁକ ମୋହ ସ୍ପଷ୍ଟବାରି ହୋଇପଡ଼େ । ମାତ୍ର ନାଟକର ଶେଷ ପର୍ଯ୍ୟାୟରେ ଭରତ, ସବିତା ଓ ବିଚାରପତିଙ୍କ ଗ୍ରାମ୍ୟଜୀବନକୁ କର୍ମଭୂମି ରୂପେ ଆଦରି ନେବାର ବାସ୍ତବତା ଗୋଟାଏ ଆଦର୍ଶ ହୋଇପାରେ, ମାତ୍ର ବାସ୍ତବରେ ତାହା ଏକ ସଂଶୟ ।

 

ଦର୍ଶକୀୟ ଭାବନାକୁ କେନ୍ଦ୍ରୀଭୂତ କରିବାରେ ରାମଚନ୍ଦ୍ର ଥିଲେ ଜଣେ ଧୂରୀଣ ଶିଳ୍ପୀ । ତେଣୁ ଅନେକ କ୍ଷେତ୍ରରେ ତାଙ୍କର ଆବେଗ ସ୍ପଷ୍ଟ ହୋଇଯାଏ । ଏ ସଂପର୍କରେ ଆଲୋଚକ ଡକ୍ଟର ହେମନ୍ତ କୁମାର ଦାସଙ୍କ ମନ୍ତବ୍ୟ ଗ୍ରହଣଯୋଗ୍ୟ । ତାଙ୍କ ମତରେ –“ନାଟକଟି ମୁଖ୍ୟତଃ ଭାବ ପ୍ରବଣ ଆଦର୍ଶବାଦ ଉପରେ ପ୍ରତିଷ୍ଠିତ । ନାଟକରେ ଅଛନ୍ତି ରାମଙ୍କ ପରି ସତ୍ୟନିଷ୍ଠ ମହୀ ପଧାନ, ଲକ୍ଷ୍ମଣଙ୍କ ପରି କର୍ମଯୋଗୀ ଭାଇଗ, ସୀତା ଭଳି ଧୈର୍ଯ୍ୟଶୀଳ ଦୁଃଖୀ, ପୁଣି ରାବଣପରି ଲାଳସାଗ୍ରାସ୍ତ ଯୋଗୀ ସାହୁକାର । ଏଇସବୁ ଚରିତ୍ର ମଧ୍ୟରେ ଯେଉଁ ଦ୍ଵନ୍ଦ୍ଵ ପରିକଳ୍ପିତ ହୋଇଛି, ତାହାକୁ ସତ୍ୟ ସହିତ ମିଥ୍ୟାର, ତ୍ୟାଗ ସହିତ ଭୋଗର ଆଉ ଆଦର୍ଶ ସହିତ ଅନାଦର୍ଶର ସଂଘଷ ବୋଲି ଧରି ନିଆଯାଇପାରେ । ତେବେ ଟିକିଏ ତଳେଇ କରି ବିଚାର କଲେ, ନାଟକଟିର ପ୍ରଚାରଧର୍ମିତା ସ୍ପଷ୍ଟ ହୋଇ ଆଖିରେ ପଡ଼େ । ଖାଦ୍ୟ ଆଉ ସମସ୍ୟାର ସମାଧାନ ନିମିତ୍ତ, ନଗରର ଶ୍ଵାସରୁଦ୍ଧକାରୀ ପରିବେଶ ତ୍ୟାଗ କରି ପଲ୍ଲୀକୋଳକୁ ଫେରିଯିବା ନିମନ୍ତେ ଏଥିରେ ଆହ୍ଵାନ ଦିଆଯାଇଛି ।

 

ଦର୍ଶକମାନଙ୍କ ପ୍ରତ୍ୟାଶାକୁ ସ୍ମରଣ କରି, ଉତ୍କଣ୍ଠା ବୃଦ୍ଧି ନିମନ୍ତେ ଏଥିରେ ମିଥ୍ୟାର ସାମୟିକ ବିଜୟ ପ୍ରତିଷ୍ଠିତ ହୋଇଛି । ପରିଣତି କିନ୍ତୁ ଯେମିତି ହେବା କଥା, ତାହା ହିଁ ହୋଇଛି ।

 

(ଓଡ଼ିଶା ନାଟ୍ୟ ସାହିତ୍ୟର ବିକାଶଧାରା-(୧୯୯୪)-ପୃଷ୍ଠା-୧୬୧)

 

୯. ନାଟକ ରୀତିମତ: (୧୯୫୩)

ପେଶାଦାର ରଂଗମଞ୍ଚକୁ ଛାଡ଼ିଦେଇ ପ୍ରଥମ କରି, ସୌଖୀନ୍ ରଂଗମଞ୍ଚରେ ନାଟ୍ୟକାର ରାମଚନ୍ଦ୍ରଙ୍କର ‘ନାଟକ ରୀତିମତ’ ‘ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ୍’ର ନାଟ୍ୟ ସଂସଦ ଦ୍ଵାରା କେବଳ ‘ନାଟକ’ ଶିରୋନାମାରେ ହିଁ ଅଭିନୀତ ହୋଇଥିଲା । ମେଡ଼ିକାଲ୍ କଲେଜର ନାଟ୍ୟ ସଂସଦ ଆନୁକୂଲ୍ୟରେ ପରିବେଷିତ ଏଇ ନାଟକଟି ରଚନା କରିବାକୁ ନାଟ୍ୟକାରଙ୍କୁ ଅନୁରୋଧ କରାଯାଇଥିବାରୁ, ଏହାର କାହାଣୀରେ ଏବଂ ଚିକିତ୍ସକଙ୍କ କର୍ତ୍ତବ୍ୟ ହିଁ ପ୍ରମୁଖ ଅଂଶ ଦଖଲ କରିନେଇଛି । କଥାବସ୍ତୁଠାରୁ ବରଂ ଏହାର ପରିବେଷଣ ଦିଗରେ ନାଟ୍ୟକାର, କେତେଟା ସ୍ଵାତନ୍ତ୍ର୍ୟ ପ୍ରଦର୍ଶନ କରିଛନ୍ତି ।

 

ମେଡିକାଲ କଲେଜର ନାଟକ ଅଭିନୟ ନିମିତ୍ତ ପ୍ରସ୍ତୁତି ଏବଂ ଏଥିରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଡାକ୍ତରୀ ଛାତ୍ର ଉଦୟ, ସଂପୃକ୍ତ ନାଟକର ନାୟକ । ରନ୍ତଲେଇଠାରେ ସୃଷ୍ଟି ହୋଇଥିବା ଭୟଙ୍କର ପରିସ୍ଥିତିରେ ହଜାର ହଜାର ମଣିଷଙ୍କର ମଡ଼ାସ୍ତୂପରୁ ଉଦ୍ଧାର ପାଇଥିବା ସାଧନା, ଏଇ ନାଟକର ନାୟିକା । ଡାକ୍ତରୀ ଛାତ୍ର ଉଦୟଙ୍କ ସଂଳାପ ଭିତରୁ ଏହା ଅନ୍ତରାଳରେ ରହିଥିବା ପ୍ରେମର ପ୍ରଭାବ ଅନୁଭୂତ ହୋଇଥାଏ । ସମାଜରେ ଚଳୁଥିବା ବ୍ୟବସ୍ଥା ଓ ଅନ୍ଧବିଶ୍ଵାସର ଅନ୍ଧକାର ଭିତରେ ଉଦୟ ଦେଖୁଛି ଆଶାର ଆଲୋକ । ରନ୍ତଲେଇଠାରେ ଆସ୍ଥାନ ଜମେଇଥିବା ବାବାଙ୍କ ନିକଟକୁ ଯାଇଥିବା ଅବସରରେ ଅନେକ ବ୍ୟକ୍ତି ପ୍ରାଣ ହରାଇଥିଲେ । ଏଇଥିରେ ମଧ୍ୟ ପ୍ରାଣ ହରାଇଥିଲେ ସାଧନାର ପିତା, ମାତା । ସ୍ଵେଚ୍ଛାସେବୀ ଦଳ ସହିତ ସେବାରତ ଉଦୟ ହିଁ, ସେଇ ମଡ଼ାସ୍ତୂପ ମଧ୍ୟରୁ ସାଧନାକୁ ଉଦ୍ଧାର କରିଥିଲେ । ସାଧନା ଲାଭ କଲା ନବଜୀବନ, ତାକୁ ନବଜୀବନ ଦେଇଥିବା, ଉଦୟକୁ ନିକଟରେ ପାଇବାକୁ ସାଧନା ଆଶା କରୁଥିଲା । ରନ୍ତଲେଇର ସେଇ ବୀଭତ୍ସ ଦୃଶ୍ୟ ସ୍ମରଣ କରି, ସାଧନା ବାରମ୍ଵାର ମୂର୍ଚ୍ଛିତ ହେଉଥିଲା ।

 

ଡାକ୍ତରୀ ଛାତ୍ରୀ, ଧନୀ କନ୍ୟା ସୁଚିତ୍ରା ଉଦୟକୁ ଭଲ ପାଇଛି । ସୁଚିତ୍ରାର ପିତା ମଧ୍ୟ ଉଦୟକୁ ଆପଣା କ୍ଷମତା, ସଂପଦ ଦ୍ଵାରା ପ୍ରଭାବିତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଅଥଚ ଉଦୟ ନିଜର କର୍ତ୍ତବ୍ୟବୋଧ ନିକଟରେ ଅଟଳ ରହିଛି । ଉଦୟକୁ ନିଜପ୍ରତି ଆକର୍ଷିତ କରିବା ନିମିତ୍ତ ସୁଚିତ୍ରା, ମେଡ଼ିକାଲ କଲେଜଦ୍ଵାରା ଅଭିନୀତ ନାଟକରେ ଉଦୟ ବିପକ୍ଷରେ ନାୟିକା ଭୂମିକାରେ ଅବତୀର୍ଣ୍ଣା ହୋଇଛି । ସାଧନାର ଚିକିତ୍ସା ନିମିତ୍ତ ଉଦୟର ଅନୁପସ୍ଥିତି ହେତୁ, ନାଟ୍ୟ ସଂସଦର କର୍ମକର୍ତ୍ତା, ଅଭିନେତା, ଅଭିନେତ୍ରୀମାନଙ୍କ ରାଗ-ରୋଷ ଅଭିମାନରୁ ହିଁ ନାଟକ ରୀତିମତର ଆରମ୍ଭ । ସଂସଦର ସଂପାଦକ ଏବଂ ସଭାପତି, ନାଟକ ପ୍ରଦର୍ଶନ ଜନିତ ବିଳମ୍ଵ ପାଇଁ, ମଧ୍ୟେ ମଧ୍ୟେ ଦର୍ଶକଙ୍କୁ କ୍ଷମା ଭିକ୍ଷା କରୁଥାନ୍ତି । ଉଦୟ ଆସିନଥାଏ, ନାଟକ ପ୍ରଦର୍ଶନ ମଧ୍ୟ ଆରମ୍ଭ ହୋଇପାରୁନଥାଏ ।

 

ଉଦୟ ପହଞ୍ଚିଛି ସାଧନା ନିକଟରେ, ସାଧନା ଶୁଣିଛି, ଉଦୟ ପ୍ରତି ସୁଚିତ୍ରା ଅନୁରାଗିଣୀ, ଏହି ହେତୁ ଉଦୟକୁ ସାଧନା ନିହାତି ଭୁଲ୍ ବୁଝିଛି । ମନରେ ତା’ର ଆଘାତ ଲାଗିବା ହେତୁ ରନ୍ତଲେଇ ସ୍ମୃତି, ତା’ର ମନେ ପଡ଼ିଯାଇଛି । ତେଣୁ ସେ ହୋଇଛି ମୂର୍ଚ୍ଛିତା । ଗୋଟିଏ ପକ୍ଷରେ ଅନୁଷ୍ଠାନର ନାଟକରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହେବା, ଅପର ପକ୍ଷରେ ଡାକ୍ତର ଭାବରେ ରୋଗିଣୀ ସାଧନା ପ୍ରତି ଉପଯୁକ୍ତ କର୍ତ୍ତବ୍ୟ ସଂପାଦନ କରିବା ଭଳି ଘଟଣା, ଉଦୟଙ୍କୁ ଦ୍ଵନ୍ଦ୍ଵ ସମ୍ମୁଖୀନ କରାଇଛି ।

 

ପ୍ରଫେସର୍ ରାୟଙ୍କ ଉପସ୍ଥିତି ଓ ପରାମର୍ଶରେ ଦ୍ଵନ୍ଦ୍ଵ ସମାଧାନ ହୋଇଛି । ଗୋଟିଏ କାର୍‍ରେ ଉଦୟ ଓ ପ୍ରଫେସର୍ ରାୟଙ୍କ ସହିତ ଆସିଛନ୍ତି ସାଧନା ଏବଂ ତାଙ୍କ ଭାଇ ଅଶୋକ । ସକଳ ଯୁକ୍ତିତର୍କର ଅବସାନ ଘଟିଛି, ନାଟକର ଶୁଭାରମ୍ଭ ଘଟିଛି । ସାଧନା ଏଥର ଖୋଜିଛି ଉଦୟକୁ, ଗ୍ରୀନରୁମ୍ ବାହାରେ ସୁଚିତ୍ରା ସହିତ ତା’ର ସାକ୍ଷାତ୍ ଘଟିଛି, ସାଧନା ଏଥର ସୁଚିତ୍ରା ସହିତ ପରିଚିତ ହୋଇଛି । ସାଧନାଠାରୁ ଉଦୟକୁ ଆପଣାର କରିନେବା ପ୍ରସଙ୍ଗ ଜଣାଇଛି ସୁଚିତ୍ରା । ସାଧନା ମନରେ ଭରିଯାଇଛି ଘୋର ଅଭିମାନ, ସେ ସୁଚିତ୍ରା ନିକଟରେ ଜଣାଇଛି ନିଜର ଅସହାୟତା । ସେ କହିଛି ଯେ ଉଦୟ ଜଣେ ଡାକ୍ତର, ସାଧନା ନିଜେ ଜଣେରୋଗୀ, ତେଣୁ ରୋଗଟା ଉପରେ ଉଦୟଙ୍କର ଆଗ୍ରହ ରହିଛି, ପୁଣି ତା’ର ଭାଇଙ୍କୁ ରୋଗ ଭଲ ହେବାର ପ୍ରତିଶ୍ରୁତି ଦେଇଛନ୍ତି ଡାକ୍ତର ଉଦୟ । ଡାକ୍ତର ବାବୁଙ୍କୁ ବ୍ୟତିବ୍ୟସ୍ତ ନ କରିବାକୁ କୁହାଯାଇଥିଲେ ମଧ୍ୟ, ଅଶୋକ କିନ୍ତୁ ମାନି ନାହାନ୍ତି । ସୁଚିତ୍ରାକୁ ଭଉଣୀ ବୋଲି ସଂବୋଧନ କରି କହିଛି ସାଧନା- “ଆପଣ ସୁଚିତ୍ରା ଦେବୀ, ନା-ନା, ଭଉଣୀ ବୋଲି କହେ, ଭଉଣୀ ! ମୋ ରୋଗ କଥା ଶୁଣି ଉଦୟବାବୁ ଯେତେବେଳେ ଚଞ୍ଚଳ ହୋଇ ଉଠିବେ, ତାଙ୍କୁ ଟିକିଏ ଶାନ୍ତ କରାଇ ରଖିନେବ,.... କୌଣସି ପ୍ରକାରେ ଛାଡ଼ିଦେବ ନାହିଁ । ତାହା ହେଲେ ସବୁ ଠିକ୍ ହୋଇଯିବ, ମୁଁ ଜାଣେ ରୋଗଟା ଯେ ପ୍ରକାର ମୋତେ ଆକ୍ରମଣ କରିଛି, ଆଉ ବେଶି ଦିନ ନୁହେଁ ।’’ (ନାଟକ ରୀତିମତ-ପୃଷ୍ଠା-୭୬)

 

ରୁଗ୍ଣା ସାଧନାର ଏଇ କେତେପଦ ଅସହାୟ ବାଣୀ, ଡାକ୍ତରୀ ଛାତ୍ରୀ ସୁଚିତ୍ରା ମନରେ ଗଭୀର ଭାବରେ ରେଖାପାତ କରିଛି, ରୋଗୀଠାରୁ ରୋଗକୁ ଦୂରେଇ ଦେବା, ଜଣେ ସଚ୍ଚା ଡାକ୍ତରର ଲକ୍ଷଣ, ଏଇ ପରିସ୍ଥିତିରେ ସୁଚିତ୍ରା ନିକଟରେ ଉଦୟଠାରୁ ବରଂ ରୋଗୀସେବା ବଡ଼ ମନେ ହୋଇଛି । ଫଳତଃ ସାଧନା ସହିତ ଉଦୟର ମିଳନ ନିମିତ୍ତ ପଥ ପରିସ୍କୃତ ହୋଇଛି ।

 

Unknown

ନିଜେ ଏଥର ନାୟିକା ଭୂମିକାରେ ଅବତୀର୍ଣ୍ଣ ନ ହୋଇ, ତା’ ସ୍ଥାନରେ ବରଂ ସାଧନା ନାୟିକା ଭୂମିକାରେ ଅଭିନୟ କରୁ ବୋଲି, ସୁଚିତ୍ରା ସାଧନାକୁ ବାଧ୍ୟ କରି ମଞ୍ଚ ଉପରକୁ ପଠାଇଛି-। ସାଧନା ଏଥର ସୁଚିତ୍ରା ସ୍ଥାନରେ ଅଭିନୟ କରିଛି, ଗୋଟିଏ ଦୃଶ୍ୟରେ ରନ୍ତଲେଇର ସେଇ, ଚିତ୍ର ସାଧନା ମନରେ ଆଘାତ ହାଣିଛି ଏବଂ ତତ୍‍କ୍ଷଣାତ୍ ସେ ସେଇ ମଞ୍ଚରେ ହୋଇଛି ମୂର୍ଚ୍ଛିତା । ଏଣିକି ସାଧନାର ରୋଗର କାରଣ ଏବଂ ଏହାର ନିଦାନ ସଂପର୍କରେ ଗବେଷଣା ଆରମ୍ଭ ହୋଇଛି, ଶେଷରେ ତା’ର ମାନସିକ ରୋଗର ଚିକିତ୍ସା ସ୍ଵରୂପ, ଉଦୟ ସାଧନାର ବୈବାହିକ କାର୍ଯ୍ୟ ସଂପନ୍ନ କରାଯାଇଛି । ଜଣେ ମାନସିକ ରୋଗୀ ପ୍ରତି ଉପଯୁକ୍ତ କର୍ତ୍ତବ୍ୟ ଏଠାରେ ହୋଇଛି ସଂପାଦିତ । ଶେଷରେ ଶୁଭ ପରିଣୟର ଏକ ଉତ୍ସବମୁଖର ଦୃଶ୍ୟରେ, ନାଟକଟିର ପରିସମାପ୍ତି ଘଟିଛି ।

 

‘ନାଟକ ରୀତିମତ୍’ ନାଟକରେ ରୋଗୀ ପ୍ରତି, ଡାକ୍ତରଙ୍କର ଅସାମାନ୍ୟ ଦାୟିତ୍ଵ ଓ କର୍ତ୍ତବ୍ୟ ସଂପର୍କରେ, ଆଲୋକପାତ କରାଯାଇଛି । ନାରୀ ମନସ୍ତତ୍ତ୍ଵର ବିଶ୍ଲେଷଣ କରିବା ଦିଗରେ ନାଟକଟି ମଧ୍ୟ ଗୁରୁତ୍ଵପୂର୍ଣ୍ଣ । ତେବେ ଏହାର ଉପସ୍ଥାପନା କୌଶଳଟି ସ୍ଵତନ୍ତ୍ର । କାରଣ ଗ୍ରୀନ୍‍ରୁମର ସମସ୍ୟା, କର୍ମକର୍ତ୍ତା ରୂପେ ଦେଖାଦେଇଥିବା ଅଭିନେତାମାନଙ୍କର ଦର୍ଶକମାନଙ୍କୁ ନାଟକ ଆରମ୍ଭ ସଂପର୍କରେ ବାରମ୍ଵାର ଅନୁରୋଧ, ନାଟକର ଶେଷ ପର୍ଯ୍ୟାୟରେ ଉତ୍କଣ୍ଠା ରକ୍ଷାରେ କ୍ଷମା ହୋଇପାରିଛି । ତେବେ ନାଟକଟିର ଶ୍ରୀ ବୃଦ୍ଧିରେ ସହାୟତା କରିଛି ଏହାର ପରିବେଷଣ ପରିପାଟୀ, ଉପଯୁକ୍ତ ସଂଳାପ ଏବଂ ଚରିତ୍ର ସୃଷ୍ଟି ଓ ଚରିତ୍ର ଚିତ୍ରଣର ଦକ୍ଷତା ।

 

୧୦. ଗୋଧୂଳିଲଗ୍ନ: (୧୯୫୪)

ଏକ ଭିନ୍ନ ଶୈଳୀର ନାଟକ ଭାବରେ ‘ଗୋଧୂଳିଲଗ୍ନ’ ନାଟକଟି ୧୯୫୪ ମସିହାରେ ଶ୍ରୀରାମଚନ୍ଦ୍ର ଭଂଜ ମେଡ଼ିକାଲ କଲେଜର ନାଟ୍ୟସଂସ୍ଥା ଦ୍ଵାରା ‘ଅସ୍ତରାଗ’ ଶୀର୍ଷକରେ ଅଭିନୀତ ହେବା ପ୍ରସଙ୍ଗ, ‘ନାଟକ ରୀତିମତ୍’ର ମୁଖବନ୍ଧରୁ ଜଣାଯାଏ । (ନାଟକ ରୀତିମତ୍-ପୃଷ୍ଠା-‘ଗ’) ମାତ୍ର ୧୯୬୮ ମସିହା ଅପ୍ରେଲ ଆଠ ତାରିଖରେ ଏହା ‘ଅନ୍ନପୂର୍ଣ୍ଣା - କିଶୋର କ୍ଲବ୍’ ଦ୍ଵାରା ପରିବେଷିତ ହୋଇଥିଲା । ନାଟ୍ୟକାରଙ୍କର ଅନ୍ୟ କେତୋଟି ନାଟକ ଭଳି, ସଂପୃକ୍ତ ନାଟକରେ ଆଦର୍ଶ ସମାଜ ଗଠନ ସ୍ଵପ୍ନ ମଧ୍ୟ ଉପସ୍ଥାପିତ ହୋଇଛି ।

 

ସମୟର ଆହ୍ଵାନକୁ ନାଟ୍ୟକାର ରାମଚନ୍ଦ୍ର ମିଶ୍ର ବେଶ୍ ସଫଳତାର ସହିତ ନିଜର ନାଟକରେ ପ୍ରକାଶ କରିବାରେ ଜଣେ ଧୂରୀଣ ସ୍ରଷ୍ଟା । ବିଂଶ ଶତକର ଶେଷ କେତୋଟି ଦଶକ ବେଳକୁ ସମାଜରେ ଦେଖାଦେଇଥିବା ଶଠତା, ପ୍ରବଞ୍ଚନା, ବ୍ୟର୍ଥତା ଇତ୍ୟାଦି ଦୁଇଟି ଅଙ୍କ ବିଶିଷ୍ଟ ‘ଗୋଧୂଳି ଲଗ୍ନ’ ନାଟକରେ ହୋଇଛି ପ୍ରଦର୍ଶିତ । ଶିକ୍ଷକ ସଦାନନ୍ଦଙ୍କ ପୁତ୍ର ସୁବାସଙ୍କର ବିଶ୍ଵବିଦ୍ୟାଳୟ ପରୀକ୍ଷାରେ ସର୍ବଶ୍ରେଷ୍ଠ କୃତିତ୍ଵ ଅର୍ଜନ କରିଥିବା ସାଫଲ୍ୟଜନିତ ଉତ୍ସବ ପାଳନ ଅବସରରେ ସାଧାରଣ ଦୁର୍ଘଟଣାରେ ସୁବାସ ମାଆଙ୍କର ମୃତ୍ୟୁ, ଏବଂ ଏଥିରେ ମାନସିକ ସ୍ତରରେ ଆଘାତ ହୋଇ ସୁବାସର ପିତା ସଦାନନ୍ଦଙ୍କର ରୋଗପୀଡ଼ିତ ଅବସ୍ଥାରୁ ଆରମ୍ଭ ହୁଏ ସମସ୍ୟା । ଅଭାବର ତୀବ୍ର ପୀଡ଼ନରେ ସୁବାସଙ୍କୁ ସପରିବାର ଭଡ଼ାଘର ଛାଡ଼ିବାକୁ ପଡ଼ିଛି । ସୁବାସର ଅନ୍ତରଙ୍ଗ ବନ୍ଧୁ ଗିରୀଶଙ୍କ ସହାୟତାରେ ନୂତନ ଭଡ଼ାଘରେ ସେମାନେ ରହିବା ପରେ ମଧ୍ୟ, ଗୁଜୁରାଣ ମେଣ୍ଟାଇବା ସହଜ ହୋଇନାହିଁ ।

 

ଅଭାବ- ଅନଟନର ତାଡ଼ନାରେ ବିଶ୍ଵବିଦ୍ୟାଳୟର କୃତିଛାତ୍ର ସୁବାସ ଚାକିରି ଖୋଜି ଖୋଜି ନିରାଶ ହେବାବେଳେ, ଶିଳ୍ପପତି ମିଷ୍ଟର ପଟ୍ଟନାୟକଙ୍କ କନ୍ୟା ବାସନ୍ତୀର ସହାୟତାରେ ତାଙ୍କ ମିଲ୍‍ର ପରିଚାଳକ ଚାକିରିଟିଏ ପାଇଛନ୍ତି । ଧର୍ମଘଟର ମୁକାବିଲା ନିମିତ୍ତ ପିତା ମିଷ୍ଟର ପଟ୍ଟନାୟକ ସୁବାସକୁ ଚାକିରି ଦେଲେ, ବାସନ୍ତୀ କିନ୍ତୁ ମନେ ମନେ ସୁବାସଙ୍କୁ ବିବାହ କରିବାର ଆଶା ପୋଷଣ କରିଥାଏ । ମାତ୍ର ସୁବାସ ମନ ଭିତରେ ଶିଳ୍ପପତିଙ୍କ ଶିକ୍ଷିତା କନ୍ୟା ବାସନ୍ତୀ ନିମିତ୍ତ ଅସାଧାରଣ ଭୟ ଓ ଉପେକ୍ଷା ବସା ବାନ୍ଧିଥାଏ ।

 

ଦୀନବନ୍ଧୁ ବାବୁ ଥିଲେ ଲୋଭାତୁର । ତାଙ୍କ ପୁତ୍ର ପ୍ରଫୁଲ୍ଲ ବାସନ୍ତୀକୁ ବିବାହ କରିବାକୁ ଆଗ୍ରହୀ ଥିଲା ଦୀନବଂଧୁଙ୍କର ଲୋଲୁପ ଦୃଷ୍ଟିଥିଲା ମିଷ୍ଟର ପଟ୍ଟନାୟକଙ୍କ ଶିଳ୍ପ ଉପରେ, ମିଷ୍ଟର ପଟ୍ଟନାୟକଙ୍କର ଏକମାତ୍ର କନ୍ୟା ବାସନ୍ତୀକୁ ବୋହୂ କରି ଆଣିଲେ ସମସ୍ତ ସଂପତ୍ତି ବଳେ ବଳେ କରାୟତ୍ତ ହୋଇପାରିବ ବୋଲି ସେ ଧାରଣା କରିଥିଲେ । ମାତ୍ର ଦୀନବନ୍ଧୁଙ୍କ ଏ ପ୍ରସ୍ତାବ ମିଷ୍ଟର ପଟ୍ଟନାୟକଙ୍କ ଦ୍ଵାରା ହୋଇଛି ପ୍ରତ୍ୟାଖ୍ୟାତ । ଧୂର୍ତ୍ତ ଦୀନବନ୍ଧୁ, ମିଲର ସତୁରୀଭାଗ ସେୟାର୍ କିଣିନେଇ, ଶ୍ରମିକମାନଙ୍କୁ ମତାଇ ଧର୍ମଘଟର ସମାଧାନ କରି ନ ପାରି ସେଦିନର ସୁଯୋଗ୍ୟ ଛାତ୍ର ସୁବାସ ଆଜି ସଂପୂର୍ଣ୍ଣ ଭାବରେ ନିଜର ଅଯୋଗ୍ୟତାର ପ୍ରମାଣ ସ୍ଵରୂପ ବିଫଳ ହୋଇ ଚାକିରି ଛାଡ଼ିଛନ୍ତି । ଜୀବନରେ ତାଙ୍କର ଘନେଇ ଆସିଛି ଘୋର ଦୁର୍ଦ୍ଦିନ । ତାଙ୍କର ଏକମାତ୍ର ଭଉଣୀ ରମା, ବନ୍ଧୁ ଗିରୀସଙ୍କୁ ଭଲପାଇ ବସିଛି । ହେଲେ ସୁବାସ କିନ୍ତୁ ଏହାକୁ ଗ୍ରହଣ କରିପାରିନାହାନ୍ତି ଓ କେବଳ ରମାକୁ ପ୍ରେମ କରି ଗିରୀଶ ଏମାନଙ୍କୁ ସାହାଯ୍ୟ କରୁଛି ବୋଲି ଦର୍ଶାଇଛନ୍ତି । ଫଳତଃ ଗିରୀଶକୁ ବିନା ଦୋଷରେ ଧିକ୍କାର ଶୁଣିବାକୁ ହୋଇଛି । ଶେଷରେ ଗିରୀଶକୁ ଝୁରି ଝୁରି ରମା ଚିରଦିନ ପାଇଁ ଆଖି ବୁଜିଛି । ବିଶ୍ଵବିଦ୍ୟାଳୟର ସର୍ବଶ୍ରେଷ୍ଠ ଡିଗ୍ରୀଧାରୀ ଯୁବକ ସୁବାସ, ସଂସାର ଓ ସାମାଜିକ ଜୀବନର ପ୍ରତିଟି କ୍ଷେତ୍ରରେ ଅଯୋଗ୍ୟ ହୋଇପଡ଼ିଛନ୍ତି ।

 

ଦୀନବନ୍ଧୁ ଏବଂ ମିଷ୍ଟର ପଟ୍ଟନାୟକ ପୁଣି ଚତୁରେ ଚତୁରେ କୋଳା କୋଳି ଆରମ୍ଭ କରିଛନ୍ତି । ଦୀନବନ୍ଧୁ ଚାହାନ୍ତି, ମିଷ୍ଟର ପଟ୍ଟନାୟକ କନ୍ୟା ବାସନ୍ତୀକୁ ବୋହୂ କରି ସଂପୂର୍ଣ୍ଣ ମିଲର ମାଲିକାନାକୁ ଅକ୍ତିଆରକୁ ନେବେ । ବାଧ୍ୟବାଧ୍ୟକତାରେ ପଡ଼ି, ନିଜ କନ୍ୟାକୁ ଦୀନବନ୍ଧୁଙ୍କ ପୁତ୍ର ପ୍ରଫୁଲ୍ଲ ସହିତ ବିବାହ ଦେଇ, ମିଲ୍ ଚାଲୁ ରଖିବା ନିମିତ୍ତ ଆଶା ପ୍ରକାଶ କରିଛନ୍ତି ମିଷ୍ଟର ପଟ୍ଟନାୟକ । ବାସନ୍ତୀ କିନ୍ତୁ ସୁବାସଙ୍କ ପ୍ରତି ଏକାନ୍ତ ଭାବରେ ଥିଲା ଅନୁରକ୍ତା, ତେଣୁ ନିଜକୁ ଅପମାନିତ ମନେ କରି, ଶେଷରେ ଆତ୍ମହତ୍ୟା କଲେ ମିଷ୍ଟର ପଟ୍ଟନାୟକ । ସୁଯୋଗ ଉଣ୍ଡି ବାସନ୍ତୀକୁ ଅବରୋଧ କରିବାକୁ ଇଚ୍ଛା କରୁଥିଲେ ଦୀନବନ୍ଧୁ, ମାତ୍ର କୌଶଳରେ ବାସନ୍ତୀ ସେଠାରୁ ପଳାଇ ଆସିଛି ସୁବାସ ନିକଟକୁ ।

 

ସୁବାସ ଓ ପିତା ସଦାନନ୍ଦ ଏତେବେଳକୁ ବ୍ୟର୍ଥ ମନୋରଥ ହୋଇ ସଂପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଛନ୍ତି । ବାସନ୍ତୀର ଉପସ୍ଥିତି, ସଦ୍ୟ କନ୍ୟାହରା ସଦାନନ୍ଦଙ୍କ ପିତୃ ହୃଦୟକୁ କୌଣସି ପ୍ରକାରେ ଶାନ୍ତି ସନ୍ତୋଷ ପ୍ରଦାନ କରିଛନ୍ତି । ପିତାଙ୍କୁ ହରାଇଥିବା ବାସନ୍ତୀ ଚାହେଁ ପିତା ଓ କନ୍ୟା ହରାଇଥିବା ସଦାନନ୍ଦଙ୍କର ଆବଶ୍ୟକତା ହୋଇଛି କନ୍ୟା । ସୁବାସର ପତ୍ନୀ ଭାବରେ ବାସନ୍ତୀ ପାଇବ ପିତା ଓ ସଦାନନ୍ଦ ପାଇବେ କନ୍ୟା – ଏଇଭଳି ଏକ ମିଳନର ଆଭାସ ଭିତରେ ‘ଗୋଧୂଳି ଲଗ୍ନ’ ନାଟକରେ ପାରିସମାପ୍ତି ଘଟିଛି ।

 

୧୧. ସେବିକା (୧୯୫୫)

ନାରୀ ଜୀବନର ଆଦର୍ଶ ଉପରେ ଆଧାରିତ ନାଟକ ‘ସେବିକା’ ୪ ମେ ୧୯୫୫ ରୁ ୪ ଅଗଷ୍ଟ ୧୯୫୫ ପର୍ଯ୍ୟନ୍ତ ‘ଅନ୍ନପୂର୍ଣ୍ଣା’ ‘ବି’ ଗ୍ରୁପ ଦ୍ଵାରା ଅଭିନୀତ ହୋଇ ଦର୍ଶକୀୟ ମନୋରଂଜନ କରିବାରେ କ୍ଷମ ହୋଇଥିଲା । ସଂକ୍ଷିପ୍ତ କାହାଣୀ ଆକର୍ଷଣୀୟ ତଥା ଶକ୍ତିଶାଳୀ ଆବେଦନ ଦର୍ଶକ ମଣ୍ଡଳୀକୁ ପ୍ରଲୁବ୍ଧ କରିଥିଲା । ସମଗ୍ର ନାଟକରେ ପ୍ରମୁଖ ଚରିତ୍ର ଜୟନ୍ତୀ । ଜୟନ୍ତୀର ମାନସିକ ଅବସ୍ଥାରେ ଏବଂ ନାରୀ ମନସ୍ତତ୍ତ୍ଵର ବିଶ୍ଳେଷଣ କରିବାକୁ ଯାଇ ନାଟ୍ୟକାର ସୃଷ୍ଟି କରିଛନ୍ତି ନାଟକ ସେବିକା ।

 

ପୁରୀରେ ସମୁଦ୍ର ସ୍ନାନ କାଳରେ ସ୍ଖଳିତପଦ ଜୟନ୍ତୀକୁ ଉଦ୍ଧାର କରିବା ପରେ, ଯୁବ ଅଧ୍ୟାପକ ବିକାଶଙ୍କ ମନରେ ଜୟନ୍ତୀ ପ୍ରତି ଅନୁରକ୍ତି ବଢ଼େ, ଅନୁରୂପ ଭାବରେ ଜୟନ୍ତୀ ମନରେ ବିକାଶଙ୍କ ପ୍ରତି ଆନ୍ତରିକତା ସୃଷ୍ଟି ହୁଏ । ପରେ ଅବଶ୍ୟ ଦୁହିଁଙ୍କର ବିବାହ ପ୍ରସ୍ତାବ ସ୍ଥିର ହୁଏ । ମାତ୍ର ଗବେଷଣାରେ ସାଧାରଣ ଦୁର୍ଘଟଣାରେ ବିକାଶ ଦୃଷ୍ଟିଶକ୍ତି ହରାଇ ଅନ୍ଧ ହୋଇପଡ଼ନ୍ତି । ଫଳରେ ଜୟନ୍ତୀ ପରିବାର ତରଫରୁ ଏ ବିବାହ ପ୍ରସ୍ତାବକୁ ଭାଙ୍ଗି ଦିଆହୁଏ । ଜୟନ୍ତୀ ସହିତ ଚକ୍ଷୁ ବିଶେଷଜ୍ଞ ଶଶାଙ୍କ ବାବୁଙ୍କ ବିବାହ ସଂପନ୍ନ ହୋଇଛି । ଘଟଣା କ୍ରମେ ଅନ୍ଧ ବିକାଶଙ୍କର ଚକ୍ଷୁ ଚିକିତ୍ସା ନିମିତ୍ତ ତାଙ୍କ ପିତା, ଡାକ୍ତର ଶଶାଙ୍କଙ୍କ ନିକଟରେ ଉପସ୍ଥିତ ହୋଇଛନ୍ତି । ଶଶାଙ୍କ ମଧ୍ୟ ଅତି ଆଗ୍ରହର ସହିତ, ନିଜ ଯତ୍ନରେ, ନିଜ ଘରେ ବିକାଶର ଚକ୍ଷୁ ଚିକିତ୍ସା କରାଇଛନ୍ତି । ଏଇଠାରେ ଜୟନ୍ତୀ ଦେଖିଛି ବିକାଶକୁ । ବିକାଶ ମଧ୍ୟ ଜୟନ୍ତୀର ଉପସ୍ଥିତିକୁ ହୃଦୟଙ୍ଗମ କରି, ତା ସହିତ ସ୍ପର୍ଶପାଇ ତାକୁ ଜୟନ୍ତୀ ବୋଲି ଡାକିଛନ୍ତି । ମାତ୍ର ଜୟନ୍ତୀ ଏବେ ଖୁବ୍ ସନ୍ତୁଳତା, ଆବେଗ ଏବଂ ଉଦ୍‍ବେଗରେ ବେଗବତୀ ନାରୀଟିଏ ସେ । ଗୋଟାଏ ପଟେ ସ୍ଵାମୀ ଡାକ୍ତର ଶଶାଙ୍କ ଏବଂ ଅପରପକ୍ଷ ଆପଣାର ପୂର୍ବତନ ପ୍ରେମିକ ଅଧ୍ୟାପକ ବିକାଶ, ଜୟନ୍ତୀକୁ ବଡ଼ ଦ୍ଵନ୍ଦର ସମ୍ମୁଖୀନ ହେବାକୁ ପଡ଼ିଛି । ଜୟନ୍ତୀ କିନ୍ତୁ ଏବେ ନିଜର ତ୍ରୁଟି ନିମିତ୍ତ ଗଭୀର ଭାବରେ ଅନୁଶୋଚନା କରିଛି । ସେ ମନେ କରିଛି ବରଂ ଅଧ୍ୟାପକ ବିକାଶଙ୍କୁ ବିବାହ କରିବାଟା, ତା’ପକ୍ଷରେ ଉଚିତ ହୋଇଥାଆନ୍ତା-

 

ଜୟନ୍ତୀ ଗୋଟାଏ ସନ୍ତୁଳିତ ନାରୀ, ନା ସେ ନିଜ ପୂର୍ବ ପ୍ରେମକଥା ସ୍ଵାମୀ ଶଶାଙ୍କଙ୍କୁ କହି ପାରୁଛି, ନା ସେ ବିକାଶ ସହିତ ଘନିଷ୍ଠ ହୋଇପାରୁଛି । ବିକାଶ ଚକ୍ଷୁରୁ ପଟି ଖୋଲିବା ସମୟ ପାଖେଇ ଆସିବାରୁ, ଜୟନ୍ତୀ କ୍ରମେ ଅତିଷ୍ଠ ହୋଇପଡ଼ିଛି । ସେ ସବୁବେଳେ ବିକାଶ ବାବୁଙ୍କ ବିଷୟ ଚିନ୍ତା କରିଛି, ଫଳତଃ ତା’ଭିତରର ଅନ୍ୟମନସ୍କତାକୁ ଧରିନେଇଛନ୍ତି ଶଶାଙ୍କ । ଏତେବେଳେ ଜୟନ୍ତୀର ବନ୍ଧୁ କମଳାର ସାହାଯ୍ୟ ଲୋଡ଼ାଯାଇଛି । କମଳା ଜୟନ୍ତୀ ଭଳି ସୁନ୍ଦରୀ ନୁହେଁ ଅଥଚ ଅନ୍ୟମାନଙ୍କର ମନକଥା ଜାଣିବାରେ ସବୁରୀ ଦରଦୀ ହୃଦୟକୁ ବୁଝିବାରେ ସେ ସୁଦକ୍ଷା । ବିକାଶ ପ୍ରତି ଅନୁରକ୍ତ ହେତୁ, ଜୟନ୍ତୀ ଏପରି ଉନ୍ମନା ହୋଇ ଉଠିଥିବା ପ୍ରସଙ୍ଗ ସେ ଅନୁଭବ କରି ପାରିଛି । ଜୟନ୍ତୀ ଏବେ ଶଶାଙ୍କର ପତ୍ନୀ, ତେଣୁ ଭାରତୀୟ ନାରୀର ଆଦର୍ଶ ଦୃଷ୍ଟିରୁ, ସେ ଆଉ ବିକାଶକୁ ଆଦରି ନେଇପାରିବ ନାହିଁ – ଏହା କମଳା ତାକୁ ବୁଝାଇ ଦେଇଛି । ବିକାଶଙ୍କର ଏପରି ଦୁର୍ଦ୍ଦିନରେ ତାଙ୍କର ସେବା କରି, ତାଙ୍କୁ ଆପଣାର କରିନେବାର ଦୁର୍ବାର ଇଚ୍ଛା, କମଳା ଭିତରେ ଲକ୍ଷ୍ୟ କରାଯାଇଛି ।

 

ଆଖିରୁ ପଟି ଖୋଲା ହେଲେ, ବିକାଶ ଜୟନ୍ତୀକୁ ଚିହ୍ନିଦେବେ, ସେ ଧରାପଡ଼ିଯିବ ଏଇଭଳି ଅପ୍ରୀତିକର ଘଟଣା ଘଟିବା ପୂର୍ବରୁ ଜୟନ୍ତୀ, ବିକାଶଙ୍କ ପ୍ରତି, ତା’ଭିତର ଆକର୍ଷଣ ପ୍ରସଙ୍ଗ ଶଶାଙ୍କ ଆଗରେ ପ୍ରକାଶ କରିଦେଇଛନ୍ତି । ସରଳ ହୃଦୟ ଶଶାଙ୍କ, ଜୟନ୍ତୀକୁ ତାର ସ୍ଵାଧିନତା ପ୍ରଦାନ କରିଛନ୍ତି । ଉତ୍‍ଫୁଲ୍ଲିତା ଜୟନ୍ତୀ ଏଥର ବିକାଶଙ୍କ ନିକଟରେ ନିଜର ମନୋଭାବକୁ ସ୍ପଷ୍ଟଭାବରେ ପ୍ରକାଶ କରିଦେଇଛି ଓ ବିକାଶଙ୍କୁ ଜୀବନସାଥୀ ରୂପେ ପାଇବାର ଇଚ୍ଛା ପ୍ରକଟ କରିଛି । ବିକାଶ ଥିଲେ ବିବେକୀ, ତେଣୁ ଶଶାଙ୍କ ବାବୁଙ୍କ ଭଳି ଜଣେ ବିଚକ୍ଷଣ ଡାକ୍ତରଙ୍କ ପାରିବାରିକ ଜୀବନରେ, ତାଙ୍କ ପାଇଁ ଝଡ଼ ଉଠୁ, ଏହା ସେ ଇଚ୍ଛା କରିନାହାନ୍ତି । ତେଣୁ ଜୟନ୍ତୀର ଅନୁରୋଧକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନା କରିଛନ୍ତି । ରାଗ, କ୍ରୋଧ, ଅଭିମାନ ଏବଂ ଯନ୍ତ୍ରଣାରେ ବିକାଶ ନିଜ ଆଖିରୁ ନିଜ ହାତରେ ପଟି ଖୋଲି ଦେଇଛନ୍ତି । ଏ ସଂବାଦ ନେଇ କମଳା ଡାକ୍ତର ଶଶାଙ୍କଙ୍କ ନିକଟରେ ପହଞ୍ଚାଇବା ବେଳକୁ ଡାକ୍ତର ଶଶାଙ୍କ ମଧ୍ୟ ଘୋର ମାନସିକ ସନ୍ତୁଳନ ଓ ଆତ୍ମାଗ୍ଲାନିରେ ଆତ୍ମହତ୍ୟା କରିବାକୁ ବିଷପାନ ପାଇଁ ଉଦ୍ୟତ ହୋଇଛନ୍ତି । ନିଜ ହାତରେ ଆଖିରୁ ପଟି ଖୋଲି ଦେଇଥିଲେ ମଧ୍ୟ, ବିକାଶ ନିଜର ଦୃଷ୍ଟି ଶକ୍ତି ଫେରିପାଇଛନ୍ତି, ଶଶାଙ୍କ ନିକଟରେ ଗଭୀର କୃତଜ୍ଞତା ଜଣାଇଛନ୍ତି, ଏବଂ କ୍ଷମା ମଧ୍ୟ ମାଗିଛନ୍ତି ।

 

ବିକାଶଙ୍କର ପଳାୟନ ପରେ, ଘୋର ଆଘାତରେ ଭାଂଗିପଡ଼ିଛନ୍ତି ଜୟନ୍ତୀ ଏବଂ ପୁନର୍ବାର ରୁଗ୍ନା ହୋଇପଡ଼ିଛନ୍ତି । କମଳାର ସେବା, ଏବଂ ଶଶାଙ୍କଙ୍କ ଚିକିତ୍ସା ବଳରେ ହିଁ, ଜୟନ୍ତୀକୁ ନବ ଜୀବନ ଦେବାର ବ୍ୟବସ୍ଥା ହୋଇଛି । ହାସ୍ୟ-କାରୁଣ୍ୟ, ଆଶା-ନୈରାଶ୍ୟର ଲୁଚକାଳି ଖେଳ ଭିତରେ ନାଟକ ‘ସେବିକା’ର ସମାପ୍ତି ଘଟିଛି । ସଂପୃକ୍ତ ନାଟକରେ ନାଟ୍ୟକାର ଅତି ସୁନ୍ଦର ଭାବରେ, ଆଧୁନିକ ନାରୀର ମାନସିକ ଅବସ୍ଥାରେ ସୂକ୍ଷ୍ମ ଅବବୋଧକୁ ପ୍ରକାଶ କରିବାରେ କ୍ଷମ ହୋଇଛନ୍ତି ।

 

କାହାଣୀ କଳାରେ ଚମକ ନଥାଇ ମଧ୍ୟ ‘ସେବିକା’ର ନାଟକୀୟତା ଆକର୍ଷଣୀୟ । କାରଣ ଏଠାରେ ପ୍ରମୁଖ ଭୂମିକା ହୋଇଛି ନାରୀ ମନସ୍ତତ୍ତ୍ଵର ବିଶ୍ଳେଷଣ । ଆଲୋଚକ ଡକ୍ଟର ହେମନ୍ତର କୁମାର ଦାସଙ୍କ ଭାଷାରେ – ବଧୂ ଏବଂ ପ୍ରେମିକାର ଦୈତ୍ୟ ମାନସିକତା, ଜୟନ୍ତୀ ମାଧ୍ୟମରେ ସୁନ୍ଦର ଭାବରେ ପରିସ୍ଫୁଟ ହୋଇଛି । ତାହାରି ଭିତରେ ଫୁଟି ଉଠିଛି ନାଟକୀୟ ଦ୍ଵନ୍ଦ । ଆଦର୍ଶବାଦିତା ହେଉଛି ନାଟ୍ୟକାର ମିଶ୍ରଙ୍କ, ସୃଷ୍ଟିଭୂମିର ସବୁଠାରୁ ବଳିଷ୍ଠ ଫସଲ । ଏଥିରେ ତାହାର ଅଭାବ ନାହିଁ । ଜୟନ୍ତୀ ମାଧ୍ୟମରେ ନାଟ୍ୟକାର ଏକ ନୂତନ ପରୀକ୍ଷା କରିଛନ୍ତି । ବଧୂ ଆଉ ପ୍ରଣୟନୀ, ଜୟନ୍ତୀ ମଧ୍ୟରୁ ବାହାରି ଆସିଛି, ନାରୀର ଚିରନ୍ତନୀ ସେବିକା ରୂପଟି, ଯାହାର କୌଣସି ଜାତି ନାହିଁ, ଧର୍ମ ନାହିଁ । ନାରୀର ସେଇ ମମତାମୟୀ’ ସନାତନ ରୂପଟିକୁ ନାଟ୍ୟକାର ଦର୍ଶକମାନଙ୍କ ନିକଟରେ ତୋଳି ଧରିଛନ୍ତି । ଗତାନୁଗତିକ କଥାବସ୍ତୁର ଅଭିନବ ଉପସ୍ଥାପନ ରୀତି ହିଁ, ନାଟ୍ୟକାରଙ୍କ କୃତିତ୍ଵ, ଚମତ୍କାର ସଂଳାପ ମାଧ୍ୟମରେ, ସେ ଏଇ କାର୍ଯ୍ୟଟି କରିଛନ୍ତି ।’’

 

(ଓଡ଼ିଆ ନାଟ୍ୟ ସାହିତ୍ୟର ବିକାଶ ଧାରା – ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା – ପୃଷ୍ଠା- ୧୬୬)

 

୧୨, ମମତା (୧୯୫୫)

ତିନି ଅଙ୍କ ବିଶିଷ୍ଟ ନାଟକ ‘ମମତା’ ୨୦ ନଭେମ୍ବର ୧୯୫୫ ରୁ ମେ, ୧୯୫୬ ପର୍ଯ୍ୟନ୍ତ ଅନ୍ନପୂର୍ଣ୍ଣା ବି’ ଗ୍ରୁପ୍’ ଦ୍ଵାରା ପରିବେଶିତ ହୋଇ ଦର୍ଶକୀୟ ଉତ୍କଣ୍ଠା ଚରିତାର୍ଥ କରିଥିଲା । ରଙ୍ଗମଞ୍ଚରେ ଦୀର୍ଘ କାଳ ଧରି ଏହାର ମଞ୍ଚାୟନହିଁ, ଏହାର ଲୋକପ୍ରିୟତାର ପ୍ରମାଣ । ଏ ସଂପର୍କରେ ଜଣେ କୃତବିଦ୍ୟ ଅଧ୍ୟାପକ ଓ ନାଟ୍ୟପ୍ରେମୀ ଦର୍ଶକ ଭାବରେ ପ୍ରଫେସର ଗୌରୀ କୁମାର ବ୍ରହ୍ମା ନିଜର ଦର୍ଶକୀୟ ପ୍ରତିକ୍ରିୟାରେ ଲେଖିଥିଲେ- ରାମଶଙ୍କରଙ୍କ ବିଷମୋଦକ ଠାରୁ, ଏପର୍ଯ୍ୟନ୍ତ ଓଡ଼ିଆ ସାମାଜିକ ନାଟକରେ ଯେଉଁ କ୍ରମବିକାଶ ସଂଘଟିତ ହୋଇ ଆସିଛି, ଏ ନାଟକଟି ତାର ଚୂଡ଼ାନ୍ତ ପରିଣତି ।

 

(‘ମମତା’- ସାଥୀ ପ୍ରକାଶନ (୧୯୬୭)- ମତାମତ)

 

ଯାଦବବାବୁଙ୍କର ତୃତୀୟ ପୁତ୍ର ମାଧବ ସହିତ ଦରିଦ୍ର ପରିବାରର କନ୍ୟା ବାସନ୍ତୀ ସହିତ ସଂପନ୍ନ ହୋଇଥିବା ବିବାହ ଉତ୍ସବରୁ ନାଟକର ଶୁଭାରମ୍ଭ ଘଟିଛି । ବୋହୂ କୌଣସି ଯାନିଯୌତୁକ ଆଣିନଥିବାରୁ ହେତୁ, ଯାଦବବାବୁଙ୍କ ପତ୍ନୀ ଏଥିରେ ସନ୍ତୁଷ୍ଟ ହୋଇନାହାନ୍ତି । ଏହାପରେ ମାଧବର ମଝିଆଁ ଭାଇ ପ୍ରବୋଧର ଶଶୁର ବାଉରିବନ୍ଧୁ ଏଇ ଅସନ୍ତୋଷର ବହ୍ନିକୁ ଅଧିକତର ଭାବରେ ପ୍ରଜ୍ଜ୍ଵଳିତ କରିଛନ୍ତି । ଯାଦବବାବୁଙ୍କ ଦ୍ଵିତୀୟ ପୁତ୍ର ପ୍ରବୋଧ ଏବଂ ତାଙ୍କର ଆଧୁନିକତା ପତ୍ନୀ ମାୟା, ପରିବାର ମଧ୍ୟରେ ଘୋର ଅଶାନ୍ତି ସୃଷ୍ଟି କରିବାରେ ଲାଗିଛନ୍ତି । ମାୟାର ପିତା, ବାଉରିବନ୍ଧୁ, ପ୍ରବୋଧକୁ ନାନା ଭାବରେ ଉତ୍ତେଜିତ କରିଛନ୍ତି ।

 

ଜ୍ୟେଷ୍ଠପୁତ୍ରର ମୃତ୍ୟୁପରେ, ତାଙ୍କର ବିଧବା ପତ୍ନୀ, ଏକମାତ୍ର ପୁଅ ସୁବାସ ମୁହଁକୁ ଚାହିଁ, ସବୁ ଦୁଃଖ ଯନ୍ତ୍ରଣାକୁ ଏଡ଼େଇ ଦେଇ, ପରିବାରର ପ୍ରତିଟି ମଣିଷଙ୍କୁ ଆପଣାର କରିନେଇଛି । ସମସ୍ତେ ମଧ୍ୟ ଶ୍ରଦ୍ଧା ଓ ସହାନୁଭୂତି ନେଇ, ବିଧବା ବଡ଼ ବୋହୂଙ୍କୁ ଆଦର କରିଛନ୍ତି । ବଡ଼ ଯାଆଙ୍କର ଏଇ ଲୋକପ୍ରିୟତା ପ୍ରତି ଈର୍ଷ୍ୟା ପ୍ରକାଶ କରିଛନ୍ତି ସାନଯାଆ ସ୍ଵେଚ୍ଛାଚାରିଣୀ ମାୟା ।

 

ମାଧବ ଜଣେ ଭିନ୍ନ ଧରଣର ମଣିଷ, ସେ ଚାହେଁ ଶାନ୍ତିପୂର୍ଣ୍ଣ ସହାବସ୍ଥାନ । ତେଣୁ ସେ ନିଜ ଗାଁର ଯାବତୀୟ ମାଲିମୋକଦ୍ଦମା ଓ ମାନ–ମନାନ୍ତରରେ ହସ୍ତକ୍ଷେପ କରି, ଦୁଇ ପକ୍ଷଙ୍କୁ ବୁଝାଇ ସବୁକିଛିର ସମାଧାନ କରିଦିଏ । ଫଳତଃ କୌଣସି ଘଟଣା ନେଇ ଗ୍ରାମର ଲୋକେ ଆଇନର ଆଶ୍ରୟ ନେବା ପାଇଁ ସହରରେ ଓକିଲାତି କରୁଥିବା ପ୍ରବୋଧ ପାଖକୁ ଯାଆନ୍ତି ନାହିଁ । ନିଜର ରୋଜଗାରରେ ବାଧା ଆସିବାରୁ ମାଧବ ଉପରେ ପ୍ରବୋଧ କ୍ଷୁବ୍ଧ ହୁଏ । ମାଧବକୁ କିଛି ରୋଜଗାର କରିବା ପାଇଁ ସେ ପ୍ରରୋଚିତ କରେ । ମାଧବ କିନ୍ତୁ ନିଜ ଆଦର୍ଶରେ ଅଟଳ । ମାଧବ ଏବଂ ବଡ଼ବୋହୂ ପ୍ରତି ମାୟା, ପ୍ରବୋଧ ଏବଂ ଯାଦବଙ୍କ ପତ୍ନୀଙ୍କର ଘୋର ଇର୍ଷା ଏବଂ ଅସନ୍ତୋଷ-। ନିଜର ବଡ଼ ବୋହୂ ପ୍ରତି ଶାଶୁ ଅସହଣୀୟ ବ୍ୟବହାର କରିଛନ୍ତି, ନାତି ସୁବାସକୁ ମଧ୍ୟ ସ୍ନେହରୁ ବଂଚିତ କରିଛନ୍ତି ।

 

ମାୟାର ପ୍ରରୋଚନାରେ ପ୍ରବୋଧ ମାୟାକୁ ନେଇ କଟକ ସହରରେ ଅବସ୍ଥାନ କରିଛି । ଏଥିରେ ସହଯୋଗ କରିଛି ଶଶୁର ବାଉରିବନ୍ଧୁ । ବଡ଼ ଯାଆକୁ ନେଇ ପତ୍ନୀ ମାୟା ଏଠାରେ ଚାକରାଣୀ ଭଳି ଖଟାଇଛି । କେବଳ ସସୁବାସର ଭବିଷ୍ୟତ ଆଶାନେଇ ଏଠି ସକଳ ଯନ୍ତ୍ରଣା ଭିତରେ ପଡ଼ିରହିଛି ସେ । କଳାବଜାରୀ ଓ ମୁନାଫାଖୋର ବାଉରିବନ୍ଧୁ, ପ୍ରବୋଧକୁ ବିଧାୟକ ଭାବରେ ଲଢ଼େଇ କରିବା ନିମିତ୍ତ ସ୍ଵପ୍ନ ଦେଖାଇଛନ୍ତି । ଏଥିପାଇଁ କ୍ଷେତ୍ର ପ୍ରସ୍ତୁତି ଚାଲିଛି । ଗୋଟାଏ ନୃତ୍ୟ-ଗୀତ ବିଦ୍ୟାଳୟ ଆରମ୍ଭ ହୋଇଛି । ଏହା ଭିତରେ ମାୟା ହୋଇପଡ଼ିଛି ଅତି ମାତ୍ରାରେ ସ୍ଵେଚ୍ଛାଚାରିଣୀ, ପ୍ରବୋଧର ଅକ୍ତିଆର ବାହାରେ ସେ, ଏପରିକି ପରପୁରୁଷ ସହିତ ସେ ସିନେମା ଦେଖିବାକୁ ଯାଇଛି । ମାୟାର ଭାଇ କାହ୍ନୁ ଏଠାରେ ଆସ୍ଥାନ ଜମାଇଛି ଓ ଛନ୍ଦା ନାମକ ଏକ ନର୍ତ୍ତକୀକୁ ଭଲ ପାଇବସିଛି । କାହ୍ନୁ ପ୍ରବୋଧଙ୍କ ପକେଟରୁ ଟଙ୍କା ଚୋରି କରି ଅସହାୟ ସୁବାସ ମୁଣ୍ଡରେ ଅଠା ବୋଳିଛି । ସୁବାସ ତେଣୁ ବିନା ଦୋଷରେ ମାଡ଼ ଗାଳି ଖାଇ ବଡ଼ ଦୟନୀୟ ଭାବରେ ଜୀବନ ବିତାଇଛି । ପ୍ରବୋଧ କ୍ରମେ ବାଉରିବନ୍ଧୁଙ୍କ ପ୍ରଭାବରେ ନିଜର ଅହଂକାର ନେଇ, ନିଜର ପରିବାର ଠାରୁ ସଂପର୍କଚ୍ୟୁତ ହୋଇଛନ୍ତି । ସମସ୍ତ ସଂପତ୍ତି ଉପରେ ପ୍ରବୋଧ ଆପଣାର ମାଲିକାନା ଜାହିର କରିଛି । ଶେଷରେ ଗାଁରେ ବିନା କାରଣରେ ମାଲିମକଦ୍ଦମା ଆରମ୍ଭ କରାଯାଇଛି । ପ୍ରବୋଧର ପ୍ରରୋଚନାରେ କୋଠିଆ ଗୋବିନ୍ଦା ଏବଂ ନଟ ଜେନାର ମାଡ଼ଗୋଳ ହୋଇଛି । ମାଧବ, ପ୍ରବୋଧଙ୍କ ଚକ୍ରାନ୍ତକୁ ଭଲଭାବରେ ହୃଦୟଙ୍ଗମ କରି, ଏହାର ପ୍ରତିକାର ନିମିତ୍ତ ଆଶାୟୀ ହୋଇପଡ଼ିଛନ୍ତି । ଯାଦବ ନିଜର ନାତି ସୁବାସକୁ ଆଣିବାପାଇଁ ପ୍ରବୋଧ ପାଖରେ ପହଞ୍ଚିଛନ୍ତି । କାହ୍ନୁ ହାର ଚୋରି କରି, ମିଛରେ ସୁବାସ ନାମରେ ଅଠା ବୋଳି ଦେବାରୁ, ସୁବାସ ଉପରେ ବିନାକାରଣରେ ଅତ୍ୟାଚାର ହେଉଥିବା ଘଟଣାକୁ ପ୍ରତ୍ୟକ୍ଷ କରିଛନ୍ତି ଯାଦବ । କାହ୍ନୁ ଦ୍ଵାରା ସତ ଘଟଣା ପ୍ରକାଶ ପାଇବା ବେଳକୁ, ମାଡ଼ ଭୟରେ ସୁବାସ ଘର ଛାଡ଼ି ଚାଲିଯାଇଛି । ମାଧବ ଏଥର ବଡ଼ ଭାଉଜଙ୍କୁ ଆଣି ସୁବାସକୁ ଖୋଜି ଖୋଜି ଗାଁରେ ପହଞ୍ଚିଛନ୍ତି ।

 

ଏହା ଭିତରେ ନାଟ୍ୟକାର ଘଟଣାକ୍ରମେ ପରିବର୍ତ୍ତିତ ମୋଡ଼ଦେବା ନିମିତ୍ତ ଗୋଟିଏ ବନ୍ୟାର ସୂଚନା ଦେଇଛନ୍ତି । ବନ୍ୟାରେ ମାଧବଙ୍କ ସ୍ତ୍ରୀ ଦୁର୍ଗତଙ୍କ ସେବା କରିଛନ୍ତି, ନଟ ଜେନାର ପରିବାରକୁ ଉଦ୍ଧାର କରିଛନ୍ତି, ନଟ ଜେନା ନିଜର ତ୍ରୁଟି ପାଇଁ କ୍ଷମା ମାଗିଛି । ବନ୍ୟାପରେ କାହ୍ନୁ ମଧ୍ୟ ସୁବାସକୁ ସାଙ୍ଗରେ ଆଣି ଗାଆଁରେ ପହଞ୍ଚିଛି । ଯାଦବବାବୁ ଏଥର ସୁବାସକୁ ପାଇ ବେଶ୍ ଆନନ୍ଦିତ ହୋଇଛନ୍ତି । ଗୋଟିଏ ଆଦର୍ଶ ଗ୍ରାମ ଗଠନରେ ସବୁରି ଭିତରେ ଉତ୍ସାହ ଦେଖାଦେଇଛି ।

 

ମାୟାର ଉଚ୍ଛୃଙ୍ଖଳତା ଚରମ ସୀମାରେ ପହଞ୍ଚିଛି, ଯାହା ପ୍ରବୋଧଙ୍କ ପକ୍ଷରେ ସହ୍ୟ କରିବା ଅସମ୍ଭବ ହୋଇପଡ଼ିଛି । ଶେଷରେ ନିଜ ଶଶୁରଙ୍କ ହୀନ ଚକ୍ରାନ୍ତକୁ ମଧ୍ୟ ପ୍ରବୋଧ ବୁଝି ପାରିଛନ୍ତି । ନିରୁପାୟ ହୋଇ ସେ ଗାଁକୁ ଫେରି ଆସିଛନ୍ତି, ଏବଂ ବାପା ଓ ଭାଇଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ପ୍ରବୋଧର ଶଶୁରର ବାଉରିବନ୍ଧୁଙ୍କ ଚକ୍ରାନ୍ତକୁ ନିଜ ପରିବାର ମୁକୁଳି ଯାଇଥିବାରୁ, ଯାଦବ ଖୁସି ହୋଇଛନ୍ତି । ବିଭିନ୍ନ ଅପରାଧ ନିମିତ୍ତ ଅଗତ୍ୟା ଜେଲ୍ ଦଣ୍ଡରେ ଦଣ୍ଡତ ହୋଇଥିବା ବାଉରିବନ୍ଧୁ ଯାମିନରେ ଆଣିବାକୁ ଯାଦବବାବୁଙ୍କ ବ୍ୟଗ୍ରତା, ପ୍ରାଚ୍ୟ ଆଦର୍ଶ ଅନୁସରଣ କରିଛି । ପ୍ରକୃତରେ ବାସ୍ତବତା ଉପରେ ଆଦର୍ଶବାଦର ବିଜୟ ଉଦ୍‍ଘୋଷଣା କରାଇ ନାଟକଟିର ସମାପ୍ତି ଘଟିଛି ।

 

୧୩. ଚାବୁକ୍ : (୧୯୫୭)

୧୯୫୭ ମସିହାରେ ରିଚିତ ‘ଚାବୁକ’ ନାଟକଟି ‘ଅନ୍ନପୂର୍ଣ୍ଣା ବି ଗ୍ରୁପ୍’ ରଙ୍ଗମଞ୍ଚରେ ୯ ଫେବୃଆରୀ ୧୯୫୮ ମସିହାରେ ଅଭିନୀତ ହୋଇ ଦର୍ଶକୀୟ ଉତ୍କଣ୍ଠାକୁ ଚରିତାର୍ଥ କରିଥିଲା । ସ୍ଵାଧିନତା ପରବର୍ତ୍ତୀ ଭାରତବର୍ଷରେ ଶିକ୍ଷା ଓ ସଭ୍ୟତାର ପ୍ରସାର କ୍ରମରେ ନାରୀ ସ୍ଵାଧିନତାର ବିକାଶ ସାଧତ ହୋଇଥିଲା । ମାତ୍ର ପାଶ୍ଚାତ୍ୟ ସଂସ୍କୃତିର ଅନୁକରଣ କରିଥିବା କିଛି ନାରୀ, ସ୍ଵାଧିନତାର ଦ୍ଵାହି ଦେଇ ଅତିମାତ୍ରାରେ ସ୍ଵେଚ୍ଛାଚାରିଣୀ ପାଲଟିଗଲେ । ଏଇମାନଙ୍କ ଯୋଗୁଁ ସମାଜରେ ନାନାପ୍ରକାରର ବିଶୃଙ୍ଖଳା ପରିଲକ୍ଷିତ ହେଲା । ପାରିବାରିକ ଏବଂ ଦାମ୍ପତ୍ୟ ଜୀବନ ମଧ୍ୟ ବହୁ ଭାବରେ ହେଲା କ୍ଷତାକ୍ତ । ଏଇଭଳି ଏକ ସାମାଜିକ ସ୍ଥିତାବସ୍ଥାକୁ ନେଇ ନାଟ୍ୟକାର ସୃଷ୍ଟି କରିଛନ୍ତି ନାଟକ ‘ଚାବୁକ’ ।

 

‘ଚାବୁକ’ ନାଟକର ପ୍ରମୁଖ ଚରିତ୍ର ରୁପେ ଦେଖାଦେଇଛନ୍ତି ଜୟନ୍ତ, ଏବଂ କନକ । ଶତ୍ରୁଘ୍ନ ବଳିଆରସିଂହଙ୍କର ପୁଅ ଥିଲେ ଜୟନ୍ତ । କନକକୁ ଜୟନ୍ତ ସହିତ ବିବାହ ଦେବା ନିମିତ୍ତ, କନକ ବାପାଙ୍କ ନିକଟରେ ପ୍ରତିଶ୍ରୁତିବଦ୍ଧ ଥିଲେ ଶତ୍ରୁଘ୍ନ । କନକ ପିତାଙ୍କର ମୃତ୍ୟୁ ଘଟିଛି । ଉଚ୍ଚଶିକ୍ଷିତ ଜୟନ୍ତ ଗାଁକୁ ଫେରି ଗାଁ ପରିବେଶ ସହିତ ନିଜକୁ ଖାପ ଖୋଇ ପାରିନାହାନ୍ତି, ପୁଣି ଜଣେ ଗାଉଁଲି ଝିଅ କନକ ସହିତ ତାଙ୍କର ବିବାହ ପ୍ରସଙ୍ଗ ଶୁଣି ସେ ଅଧିକ ଯନ୍ତ୍ରଣା ଲାଭ କଲେ । ସହରରେ ରହୁଥିବା ଜୟନ୍ତ, ଦାସ ସାହେବଙ୍କ କନ୍ୟା ତନୁଜାକୁ ଭଲପାଇ ବସିଛନ୍ତି । ଦାସ ସାହେବ ମଧ୍ୟ ନିଜର ବ୍ୟାଙ୍କ ବାଲାନ୍ସ, ପ୍ରତିପତ୍ତି ଇତ୍ୟାଦି ଦ୍ଵାରା ଜୟନ୍ତକୁ ପ୍ରଭାବିତ କରିଛନ୍ତି । ଜୟନ୍ତର ପିତାଙ୍କ ନିକଟରେ ସେ ଏଇ ବିବାହ ନିମିତ୍ତ ପ୍ରସ୍ତାବ ଆଣିଛନ୍ତି, ମାତ୍ର ବଳିଆରସିଂ ଏହାକୁ ପ୍ରତ୍ୟାଖାନ କରି ଦେଇଛନ୍ତି । ଏଣେ କନକକୁ ବିବାହ କରିବ ନାହିଁ ବୋଲି ଜୟନ୍ତ ରୋକ୍ ଠୋକ୍ ମନା କରି ଦେବାରୁ କନକର ମାଆ ଏଥିରେ ଗଭୀର ଭାବରେ ମର୍ମାହତ ହୋଇପଡ଼ିଛନ୍ତି ।

 

ଜୟନ୍ତକୁ ପ୍ରଭାବିତ କରି ନପାରି କ୍ଷମତା ସଂପନ୍ନ ଓ ପ୍ରତିପତ୍ତିଶାଳୀ ଦାସ ସାହେବ, ଏହାର ପ୍ରତିଶୋଧ ନେବାକୁ ଯୋଜନା କରିଛନ୍ତି । ଜୟନ୍ତ ବିଭିନ୍ନ ଚାକିରି ନିମିତ୍ତ ପ୍ରାର୍ଥୀ ହୋଇଥିଲେ । ଦାସ ସାହେବ ବିଭିନ୍ନ ଉପରିସ୍ଥଙ୍କ ମାଧ୍ୟମରେ ଜୟନ୍ତଙ୍କୁ ସବୁଠାରେ ଅଯୋଗ୍ୟ ବୋଲି ବିବେଚିତ କରାଇଛନ୍ତି । ତୀବ୍ର ଅଭାବ ଅନାଟନ ମଧ୍ୟରେ ଜୟନ୍ତ ତଥାପି ଜାରି ରଖିଛି ନିଜର ଜୀବନ-ସଂଗ୍ରାମ ।

 

କନକର ଜଣେ ସଂପର୍କୀୟ ଭାଇ ନାୟକବାବୁ, କନକ ଏବଂ ସାନ ଭାଇ ଗୋପାଳକୁ ନିଜ ପାଖରେ ଆଣି ରଖିଛନ୍ତି । ମାତ୍ର ନାୟକଙ୍କ ପତ୍ନୀ ଏବଂ କନ୍ୟା ବେବି, କନକକୁ ଅତି କଦର୍ଯ୍ୟ ବ୍ୟବହାର ପ୍ରଦର୍ଶନ କରିଛନ୍ତି । ନାୟକଙ୍କୁ ତାଙ୍କ ପତ୍ନୀ ସବୁବେଳେ ଅବମାନନା କରନ୍ତି । ପୁଣି ଦାସସାହେବଙ୍କ ସାହାର୍ଯ୍ୟରେ କନକକୁ ସେ ଅତି ନିଷ୍ଠୁର ଭାବରେ ଘରୁ ତଡ଼ିଦେବାବେଳେ, ଦାସ ସାହେବଙ୍କୁ ତୀବ୍ର ଅପମାନ ଦେଇ ଘରୁ ବିଦାୟ ଦେଇଛନ୍ତି ନାୟକ । ଏହାପରେ ତାଙ୍କର ଚାକିରି ଯାଇଛି । ତଥାପି ନିଜ ସ୍ତ୍ରୀକୁ ସେ ବାଟକୁ ଆଣିବାକୁ ସାଧ୍ୟମତେ ଉଦ୍ୟମ ଆରମ୍ଭ କରିଛନ୍ତି ।

 

କନକ ଏହା ଭିତରେ କୁଟୀର ଶିଳ୍ପ କେନ୍ଦ୍ରରେ ଚାକିରିଟିଏ କରିଛି, ଆପଣାର ଧୈର୍ଯ୍ୟ ଓ ସହନଶୀଳ ଗୁଣରେ କନକ ସମସ୍ତଙ୍କ ମନରେ ନିଜ ପ୍ରତି ଶ୍ରଦ୍ଧା ସୃଷ୍ଟି କରିଛି । ଜୟନ୍ତ ନିଜେ ସଂଗ୍ରାମ କରୁ କରୁ ଜୀବନ ଜୀଇବା ପାଇଁ ରିକ୍ସା ଟାଣିଛି । ଚାବୁକ ନାମକ ଏହି ସଂସ୍କାରଧର୍ମୀ ସମାଲୋଚନା-ମୂଳକ ପତ୍ରିକା ପ୍ରକାଶ କରି, ଏଥିରେ ଶୋଷକ ଏବଂ ଦୁର୍ନିତିଖୋର୍ ଲୋକଙ୍କ ବିରୋଧରେ ତୀବ୍ର ସ୍ଵର ଉତ୍ତୋଳନ କରିଛି । ପତ୍ରିକାରେ ପ୍ରକାଶିତ ସମାଲୋଚନା ଦାସ ସାହେବ ଏବଂ ତାଙ୍କ କନ୍ୟା ତନୁଜାଙ୍କ ପ୍ରତି ଉଦ୍ଦିଷ୍ଟ । କାରଣ ଦାସ ସାହେବଙ୍କ କୁକୀର୍ତ୍ତୀ, କନ୍ୟା ତନୁଜାଙ୍କର ନାରୀ ସଂଗଠନ ମାଧ୍ୟମରେ ସ୍ଵେଚ୍ଛାଚାରିଣୀ ଗତିଭଂଗୀକୁ ସେ ତୀବ୍ର ଭାବରେ ଚାବୁକ ପତ୍ରିକା ମାଧ୍ୟମରେ ସମାଲୋଚନା କରିଛନ୍ତି ।

 

 

‘ଚାବୁକ’ ପତ୍ରିକାର କ୍ରମାଗତ ସମାଲୋଚନା, ଦାସ ସାହେବଙ୍କୁ ଆଘାତ ଦେଇଛି । ଲଜ୍ଜା ଓ ସଂକୋଚରେ ସେ ପଦାକୁ ବାହାରି ପାରିନାହାନ୍ତି । ମିସେସ୍ ନାୟକଙ୍କ ମାଧ୍ୟମରେ ସେ ଜୟନ୍ତକୁ ନିଜ ବଙ୍ଗଳାକୁ ଡକାଇ, ପ୍ରଚୁର ଅର୍ଥ ପ୍ରଲୋଭନ ମାଧ୍ୟମରେ ତାଙ୍କୁ ନୀରବ ରହିବାକୁ କହିଛନ୍ତି । ମାତ୍ର ସ୍ଵାଭିମାନି ଜୟନ୍ତ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଶେଷରେ ଗୁଣ୍ଡା ପଠାଇ ଜୟନ୍ତକୁ ସେ ହତ୍ୟା ଉଦ୍ୟମ କଲେବି, ଗୁଣ୍ଡାମାନେ ଧରାପଡ଼ିଛନ୍ତି ଏବଂ ପୋଲିସ୍‍ର ହସ୍ତକ୍ଷେପ ଫଳରେ ରକ୍ଷା ପାଇଛନ୍ତି ଜୟନ୍ତ ।

 

ଜୟନ୍ତ ରହୁଥିବା ମେସ୍‍କୁ କନକ ଆସି, ସେବା, ଆନ୍ତରିକତା ଓ ଅନ୍ୟାନ୍ୟ କର୍ତ୍ତବ୍ୟ ଦ୍ଵାରା ସବୁରି ପ୍ରଶଂସନୀୟ ଓ ଆଦରଣୀୟ ହୋଇପାରିଛି । ଜୟନ୍ତ କ୍ରମେ ସୁସ୍ଥ ହୋଇଛି । ଜୟନ୍ତର ମାଆ ମଧ୍ୟ ଆସି ସେଠାରେ ପହଞ୍ଚିଛନ୍ତି । ବଳିଆରସିଂହଙ୍କ ପ୍ରତିଜ୍ଞା ଏଥର ସାକାର ହୋଇଛି, ଜୟନ୍ତ ସହିତ କନକର ମିଳନ ଘଟିଛି । ଚାବୁକର ସଂସ୍କାରଧର୍ମୀ ଲେଖା ମାଧ୍ୟମରେ, ସାମାଜିକ ଦୁର୍ନୀତି ବିଲୋପ ନିମିତ୍ତ, ଏକ ବ୍ୟାପକ ଅଭିଯାନ ଆରମ୍ଭ ହୋଇଛି ।

 

ନାଟ୍ୟକାର ଏକ ଦୃଢ଼ ସାମାଜିକ ପରିବର୍ତ୍ତନ ବାର୍ତ୍ତା ସଂପୃକ୍ତ ନାଟକ ମାଧ୍ୟମରେ ପ୍ରକାଶ କରିଛନ୍ତି । ଆଧୁନିକ ଶିକ୍ଷିତ ବର୍ଗର ପ୍ରତିନିଧି ଭାବରେ ଜୟନ୍ତହିଁ ସାମାଜିକ ସଂସ୍କାର ନିମିତ୍ତ ପଥ ଉନ୍ମୋଚନ କରିଥିବା ସଂପୃକ୍ତ ନାଟକରୁ ଜଣାଯାଏ । ଦାସ ସାହେବ ଚରିତ୍ର ମାଧ୍ୟମରେ ପ୍ରତିହିଂସା ପରାୟଣ ବ୍ୟକ୍ତି କିପରି ଆବଶ୍ୟକ ପଡ଼ିଲେ ନରହତ୍ୟା ଭଳି ଜଘନ୍ୟ ଆଚରଣ କରିବାକୁ ଉଦ୍ୟମ କରେ, ତାହା ମଧ୍ୟ ସୂଚୀତ । ଦୁଇ ପରସ୍ପର ବିରୋଧି ଚରିତ୍ର ଭାବରେ ଦାସ ସାହେବ ଓ ବଳିଆରସିଂ, ପରସ୍ପରର ପରିପୂରକ ହୋଇପାରିଛନ୍ତି ।

 

୧୪. ପୁଆଣି ଘର (୧୮୬୨)

‘ଅନ୍ନପୂର୍ଣ୍ଣା ବି ଗ୍ରୁପ’ ଦ୍ଵାରା ଅଭିନିତ ‘ପୁଆଣିଘର’ ନାଟକଟି ୩୦ ମେ ୧୯୬୨ରେ ଅଭିନୀତ ହୋଇଥିଲା । ଗ୍ରାମ୍ୟ ସଂସ୍କୃତିର ସରଳ ଜୀବନଯାପନ ଭିତରେ ଆର୍ଥିକ ଅନାଟନରେ ପୀଡ଼ିତ ଥିବା ଅସହାୟ ନର-ନାରୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଦଳେ ଶଠ, ଧୂର୍ତ୍ତ ମୁନାଫାଖୋର, ମଣିଷ କିପରି ସୁଦୂର କଲିକତାରେ ନେଇ ସେମାନଙ୍କୁ ସର୍ବସ୍ଵାନ୍ତ କରାନ୍ତି, ତାର ବାସ୍ତବଶ୍ରୟୀ ଦୃଶ୍ୟ ହୋଇଛି ସଂପୃକ୍ତ ନାଟକର କଥାବସ୍ତୁ ।

 

ସଂପୃକ୍ତ ନାଟକରେ ଏକାନ୍ତ ଖେଳ ଚରିତ୍ର ଭାବରେ ଦେଖାଦିଏ ନବଘନ । ନବଘନ ଲମ୍ପଟ, ଶଠ, ଧୂର୍ତ୍ତ ଓ ଛଳନା କରି ସେ ଅନେକ ଝିଅ ବୋହୂଙ୍କୁ କଲିକତାରେ ବେଶ୍ୟାପଡ଼ାରେ ବିକ୍ରି କରି ପ୍ରଚୁର ଟଙ୍କା ରୋଜଗାର କରେ । ତାର ଏ ଧରଣର କୁକାର୍ଯ୍ୟ ଦ୍ଵାରା ନିରିହ ଚନ୍ଦ୍ରା, ତାରା ଓ ଶଶି ଇତ୍ୟାଦି ଶିକାର ହୋଇଛନ୍ତି । ମାତ୍ର ସେମାନେ ମୃତା ବୋଲି ନବଘନ ପ୍ରଚାର କରିଦେଇଛି । ନବଘନର ପରବର୍ତ୍ତୀ ଶିକାର ପୁନି, ଯାହାକୁ ପାଇବା ପାଇଁ ସେ ମାତାଲ ପାଣୁ ପଲେଇକୁ ଅସ୍ତ୍ର ରୂପେ ବ୍ୟବହାର କରିଛି । ସୁନାଭାଉଜଙ୍କ ଭାଇ, ମାଧବ ସହିତ ପୁନିର ବିବାହ ସ୍ଥିର ହୋଇଥିଲେ ମଧ୍ୟ ପୁନି ବାପା ମାତାଲ ପଲେଇ ଦ୍ଵାରା ପ୍ରଲୋଭିତ ହୋଇ, ନବଘନ ସହିତ ପୁନିର ବିବାହ ନିମିତ୍ତ ମନସ୍ଥିର କରିଛି । ମାତ୍ର କପୁନି ଯାଇ, ମାଧବ ନିକଟରେ ପହଞ୍ଚିଛି ଓ ବିବାହ ପାଇଁ ବ୍ୟବସ୍ଥା ଚାଲୁଥିଲା ବେଳେ, ଧୂର୍ତ୍ତ ନବଘନ ଗ୍ରାମର ଯୁବକ ସଂଘ ସହାୟତାରେ ଏହାକୁ ବିଫଳ କରିବାର ସୁଯୋଗ ସୃଷ୍ଟି କରିଛି । ମାତ୍ର ନବଘନର କଳଙ୍କିତ କାର୍ଯ୍ୟ ଦ୍ଵାରା ଚନ୍ଦ୍ରା, ତାରା ଇତ୍ୟାଦିଙ୍କ ଶୋଚନୀୟ ଅବସ୍ଥା ସଂପର୍କରେ ସୁନାଭାଉଜ, ଯୁବକ ସଂଘକୁ ଅବଗତ କରାଇବାରୁ, ଯୁବକସଂଘ ସତ୍ୟଟି ଜାଣିଛନ୍ତି ଓ ନବଘନକୁ ନିରାଶ ହେବାକୁ ପଡ଼ିଛି ।

 

ନବଘନର କୁଚକ୍ରାନ୍ତ ଫଳରେ ପୁନି ଓ ମାଧବଙ୍କ ମଧୁଚନ୍ଦ୍ରକା ପରର ଦାମ୍ପତ୍ୟ ଜୀବନ ସୁଖମୟ ହେଲା ନାହିଁ । ସୁନାଭାଉଜ, ପୁନି ଏବଂ ମାଧବଙ୍କ ମଧ୍ୟରେ ତୀବ୍ର କଳହ, ଏବଂ ମାଧବର ଗୃହତ୍ୟାଗ ଏବଂ ଶଙ୍କରର ପ୍ରରୋଚନାରେ ଯାଇ କଲିକତାରେ ଦାଦନ ଖଟିବା ଭଳି ଦୟନୀୟ ଅବସ୍ଥା ସୃଷ୍ଟି ହେଲା । କଲିକତାରେ ରହି ଏମାନେ କୁଳବଧୂ ହେବାର ସାର୍ଥକ ସ୍ଵପ୍ନକୁ ବିସ୍ମୃତ ହୋଇଯାଇଛନ୍ତି । ଦାଦନ ଖଟୁଥିବା ମାଧବ, ବିଦ୍ରୋହ କରୁ କରୁ, ମାଲିକ ଏବଂ ସର୍ଦ୍ଦାର ଦ୍ଵାରା ଅତ୍ୟାଚାରିତ ହୋଇ ସଂଜ୍ଞା ହରାଇ ବସିଛି । ଶଶି ଦ୍ଵାରା ଆସନ୍ନ ମୃତ୍ୟୁ ମୁଖରୁ ଜୀବନ ପାଇଛି ମାଧବ ।

 

ମହେଶବାବୁ, ଶଶି ଦ୍ଵାରା ଆକର୍ଷିତ ହୋଇ, ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେଇ ଶଶିକୁ ବିବାହ କରିବାକୁ ଇଚ୍ଛା କରିଥିଲେ । ମହେଶବାବୁଙ୍କ ଶଶୁର, ମହେଶ ରହୁଥିବା ନିଜର କୋଠାଟିକୁ ଶଶି ହାତରେ ନାରୀମଙ୍ଗଳ ସମିତି ତିଆରି କରିବା ଉଦ୍ଦେଶ୍ୟରେ ଟେକିଦେଇଥିଲେ । ଚନ୍ଦ୍ରା ଓ ତାରା ମଧ୍ୟ ଘଟଣାକ୍ରମେ ଏଠାରେ ପହଞ୍ଚିଗଲେ ।

 

ମାଧବଙ୍କୁ ଉଦ୍ଧାର କରି ଶଶି ଗାଁକୁ ଆସିଛି । ମାଧବର ସ୍ତ୍ରୀ ପୁନିକୁ ମାଧବ ସହିତ ମିଳାଇ ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ, ନବଘନ ତାକୁ କଲିକତା ଉଠାଇନେବାର ଯୋଜନା କରିଛି । ମାଧବ କଲିକତାରେ ଦ୍ଵିତୀୟ ସ୍ତ୍ରୀ ଗ୍ରହଣ କରିଥିବା କଥା, ନବଘନ ଗାଁରେ ପ୍ରଚାର କରିଦେଇଛି । ମିଳିତ ଗ୍ରାମବାସୀ, ନବଘନର ଶଠତା ଓ ଲମ୍ପଟତା ବୁଝି ତାକୁ ନିସ୍ତୁକ ମାଡ଼ ଦେଇ, ଶଶି ହାତରେ ବିଚାର ନ୍ୟସ୍ତ କରିଛନ୍ତି । ଶଶି କିନ୍ତୁ ନବଘନକୁ ସର୍ବାନ୍ତକରଣରେ କ୍ଷମା ଦେଇଛି, ଯାହା ଦ୍ଵାରା ଆପଣା କୃତକର୍ମ ନିମିତ୍ତ ନବଘନ ଗଭୀର ଭାବରେ ହୋଇଛି, ଅନୁତପ୍ତ । ନବଘନ କ୍ଷମା ପ୍ରାର୍ଥୀ ହୋଇ ଦଣ୍ଡିତ ହେବାକୁ ଇଚ୍ଛା କରିଥିବା ବେଳେ, ମଥାର ସିନ୍ଦୂର ବୋଳିଦେଇ ଶଶିକୁ ସ୍ତ୍ରୀ ରୂପେ ଗ୍ରହଣ କରିବାକୁ ନବଘନକୁ ଶଶି ଜଣାଇଛନ୍ତି । ମାଧବ ସର୍ବ ସମକ୍ଷରେ ଶଶିକୁ ପତ୍ନୀ ରୂପେ ଗ୍ରହଣ କରିଛି, ଅନୁତାପରେ ଅଶ୍ରୁମୁଞ୍ଚନ କରିଛି । ଗୋଟାଏ ବାସ୍ତବ ସମସ୍ୟାକୁ ଅଧିକତର ଭାବରେ ବିଶ୍ଵାସନୀୟ କରି ଏହାର ନାଟକୀୟ ଅକ୍ଷୁଣ୍ଣ ରଖିବାରେ ‘ପୁଆଣିଘର’ ନାଟକଟି, ରାମଚନ୍ଦ୍ରଙ୍କର ସେଇ ଆଦର୍ଶବାଦ ଓ ଭାରତୀୟ ଚେତନାକୁ ସଫଳଭାବରେ ପ୍ରକାଶ କରିପାରିଛି ।

 

୧୫. ପରପୁରୁଷ (୧୯୬୮)

ପ୍ରଖ୍ୟାତ ଔପନ୍ୟାସିକ ଡକ୍ଟର ବିଭୂତି ପଟ୍ଟନାୟକଙ୍କର ରଚିତ ‘ପରପୁରୁଷ’ ଉପନ୍ୟାସର ସମର୍ଥ ନାଟ୍ୟରୂପ ହେଉଛି ନାଟକ ପରପୁରୁଷ ଯାହା ୧୭, ଜାନୁଆରି ୧୯୬୮ ମସିହାରେ ଅନ୍ନପୂର୍ଣ୍ଣା ବି’ ଗ୍ରୁପ ଦ୍ଵାରା ଅଭିନୀତ ହୋଇଥିଲା । ଉପନ୍ୟାସର କାହାଣୀ ନାଟକରେ ଉପଜୀବ୍ୟ ହୋଇଥିଲେ ମଧ୍ୟ, ବିୟୋଗାନ୍ତକ ଉପନ୍ୟାସଟିକୁ ନାଟ୍ୟ ପ୍ରୟୋଜନ ଦୃଷ୍ଟିରୁ ନାଟ୍ୟକାର ମିଳନାନ୍ତକ କରି ଗଢ଼ିଛନ୍ତି । ଉପନ୍ୟାସର ବିଷୟକୁ ନାଟ୍ୟରୂପ ଦେବା ପ୍ରସଙ୍ଗରେ ନାଟ୍ୟକାର ଏକ ଚମତ୍କାର ସଫେଇ ଦେଇ କହିଛନ୍ତି – “କଲମି ଗଛରେ ଫଳ ଚଞ୍ଚଳ ଧରେ, ଫଳ ବି ମିଠା ହୁଏ । ସେଥିପାଇଁ ଉପନ୍ୟାସର ବିଷୟବସ୍ତୁକୁ ନେଇ ନାଟ୍ୟରୂପ ଦେଇଛି ।’’ (ପରପୁରୁଷ, ଅଭିମତ) ।

 

ସ୍ଵାମୀ ସ୍ତ୍ରୀଙ୍କ ଦାମ୍ପତ୍ୟ ଜୀବନ ପରସ୍ପର ବିଶ୍ଵାସ ଉପରେ ଆଧାରିତ ହୋଇଥିଲେ ମଧ୍ୟ ବେଳେବେଳେ ଏଥିରେ ଅବିଶ୍ଵାସର କୀଟ ପ୍ରବେଶ କରି, ଦାମ୍ପତ୍ୟ ତଥା ପାରିବାରିକ ଜୀବନକୁ ଧ୍ଵଂସ କରିଥାଏ । ପରପୁରୁଷ ନାଟକରେ ଏହାହିଁ ହୋଇଛି ପ୍ରମୁଖ ବାର୍ତ୍ତା । ସଂପୃକ୍ତ ନାଟକରେ ଶ୍ୟାମଳ ଏବଂ ବନାନୀ ଦୁଇ ମୁଖ୍ୟ ଚରିତ୍ର, ଉଭୟେ ପତି-ପତ୍ନୀ, ଶ୍ୟାମଳ ପୂର୍ବତନ ସାମନ୍ତୀୟ ପରିବାରର ଉତ୍ତରଦାୟଦ ଭାବରେ ସମାଜରୁ ତା ପାଇଁ କିଛି ଅଧିକ ସମ୍ମାନ ଆଶା କରେ, କିନ୍ତୁ ବାସ୍ତବରେ ସେ ଜଣେ ନିମ୍ନବେତନଭୋଗୀ କିରାଣୀ ମାତ୍ର । ଶ୍ୟାମଳ ଭିତରେ ପ୍ରବଳ ଅହଂକାର ଓ ସନ୍ଦେହ । ବନାନୀ, ଏକଦା ଥିଲା ବିମଳବାବୁଙ୍କ ପ୍ରେମିକା, ତାଙ୍କଠାରୁ ତାଙ୍କ ପତ୍ନୀ ହେବାର ପ୍ରତିଶ୍ରୁତି ପାଇଥିଲେ ମଧ୍ୟ, ବିମଳ ଅନ୍ୟତ୍ର ବିବାହ କରିଥିଲେ । ଘଟଣାଚକ୍ରରେ ବନାନୀ ଭାଗ୍ୟରେ ସ୍ଵାମୀ ରୂପେ ଦେଖାଦେଲେ କିରାଣୀ ଶ୍ୟାମଳ । ବନାନୀ ବିବାହିତା, ସ୍ଵାମୀହିଁ ତାର ସର୍ବସ୍ଵ, ସ୍ନେହ- ସୋହାଗ ଏବଂ ଆନ୍ତରିକତା ଦେଖାଇ ସଂସାର କରିଥିଲା ବନାନୀ ।

 

ସନ୍ଦେହୀ ଶ୍ୟାମଳଙ୍କ ଭିତରେ ନିଜ ପତ୍ନୀ ବନାନୀ ପ୍ରତି ଘୋର ସନ୍ଦେହ । ତାଙ୍କ ମନରେ ପ୍ରଥମେ ବିମଳବାବୁ, ପରେପରେ ୟୁସୁଫ୍‍କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି, ତେଣୁ ଘର ପରେ ଘର ପରିବର୍ତ୍ତନ କରିଛନ୍ତି ସେ । ବନାନୀକୁ ସେ ଏକ ପ୍ରକାର ବନ୍ଦିନୀ କରି ରଖିଛନ୍ତି । ବନାନୀର ଏକମାତ୍ର ପୁଅ ପ୍ରତି ବିମଳବାବୁ, ଘର ମାଲିକ ନବଘନବାବୁ, ସେଠାକାର ପଡ଼ିଶା ଏକାନ୍ତ ଭାବରେ ହୋଇଛନ୍ତି ଆକର୍ଷିତ । ପୁଅ ବାବୁନି, ବିମଳବାବୁଙ୍କ ଝିଅ ଲକ୍ଷ୍ମୀ ସହିତ ଖେଳିବାକୁ ଜିଦି କରି କାନ୍ଦିବାକୁ ଆରମ୍ଭ କରିଛି । ମାତ୍ର ସନ୍ଦେହି ଶ୍ୟାମଳ, ବିମଳଙ୍କ ଘର ସହିତ ସମସ୍ତ ପ୍ରକାରର ସଂପର୍କ ଛିନ୍ନ କରିଦେଲେ ।

 

ଶ୍ୟାମଳବାବୁଙ୍କ ଭିତରେ ପରିବର୍ତ୍ତନ ଦର୍ଶାଇଛନ୍ତି ନାଟ୍ୟକାର । ଏକଦା ନିଜର ବଂଶମର୍ଯ୍ୟାଦା ପ୍ରତି ଅତ୍ୟନ୍ତ ଅହଂକାର କରୁଥିବା ଶ୍ୟାମଳବାବୁଙ୍କ ଭିତରେ ନିଜ ବେତନର ବାର୍ଷିକ ଅଭିବୃଦ୍ଧି ନିମିତ୍ତ, ଉପରିସ୍ଥ ବିମଳଙ୍କୁ ଘରକୁ ଡକାଇ, ସ୍ତ୍ରୀ ବନାନୀଦ୍ଵାରା ତାଙ୍କୁ ଖୁସି କରାଇଛନ୍ତି । ବନାନୀ ଆଖିରୁ ଝରିଛି ଲୁହ, ତଥାପି ନିଜ ସ୍ଵାମୀଙ୍କ ହିତ ପାଇଁ, ବାଧ୍ୟବାଧକତାରେ ପଡ଼ି ତାକୁ ନିଜ ବ୍ୟକ୍ତିତ୍ଵକୁ ଜଳାଞ୍ଜଳୀ ଦେବାକୁ ପଡ଼ିଛି ।

 

ଶ୍ୟାମଳ ଆବଶ୍ୟକତା ଦାୟରେ ଏକ ନଷ୍ଟଚଚରିତ୍ରା ଝିଅକୁ ଟ୍ୟୁସନ କରିଛି । ଏକମାତ୍ର ପୁତ୍ର ବାବୁନି, ରୋଗ ଶର୍ଯ୍ୟା ପିଡ଼ିତ ଥିବାବେଳେ, ପ୍ରେମିକା ଛାତ୍ରୀ ସହିତ ପ୍ରେମାଳାପ କରିବା ନିମିତ୍ତ ପାର୍କକୁ ବାହାରି ଯାଇଛନ୍ତି । ପୁତ୍ରଶୋକରେ ଅଧୀରା ବନାନୀ ଅଫିସରଙ୍କ କାମନାର ଶିକାର ହୋଇଛନ୍ତି । ଏପରି ଅବସ୍ଥାରେ ଶ୍ୟାମଳ ବନାନୀକୁ ନେଇ ସୃଷ୍ଟି ହୋଇଥିବା ସନ୍ଦେହ, କ୍ରମେ ସାକାର ହୋଇଛି, ଏଥିପାଇଁ ବନାନୀ ଚରିତ୍ରକୁ ନେଇ ସେ ଅତୀବ କ୍ରୋଧରେ ତାକୁ ଛାଡ଼ପତ୍ର ଦେଇଛନ୍ତି ।

 

ବନାନୀର ଭଉଣୀ, ଅସହାୟ ବନାନୀକୁ ଗାଁକୁ ନେଇଛି, ସଦ୍ୟ ପୁତ୍ରହରା, ଶୋକାତୁର ବନାନୀ, ମନମୋହନ ବାବୁଙ୍କ ମାତୃହରା ସନ୍ତାନକୁ, ଆପଣାର ପୁତ୍ର ସ୍ନେହ ପ୍ରଦାନ କରିଛନ୍ତି । ମନମୋହନ ବାବୁ, ବନାନୀ ବ୍ୟକ୍ତିତ୍ଵକୁ ସମ୍ମାନ ଜଣାଇ, ଲମ୍ପଟ ଶ୍ୟାମଳକୁ ଉପଯୁକ୍ତ ଶିକ୍ଷା ଦେବା ନିମିତ୍ତ ସ୍ଥିର କରିଛନ୍ତି । ସ୍ଖଳିତ ଚରିତ୍ର ଶ୍ୟାମଳ ଶେଷରେ ଟ୍ୟୁସନଛାତ୍ରୀ ଦ୍ଵାରା ପ୍ରତ୍ୟାଖ୍ୟାତ ହୋଇଛି, ଅତ୍ୟଧିକ ମଦ୍ୟପାନ କରି, ସେ ରାସ୍ତାଧାରାରେ ପଡ଼ିଥିବା ବେଳେ, ୟୁସୁଫ ତାକୁ ଉଦ୍ଧାର କରି, ବନାନୀ ନିକଟରେ ପହଞ୍ଚାଇଛି । ଶେଷରେ ଶ୍ୟାମଳ, ଆପଣାର ଦୁଷ୍କର୍ମ ଓ ବନାନୀ ପ୍ରତି କରିଥିବା ଅନ୍ୟାୟ ଆଚରଣ ନିମିତ୍ତ, ଲଜ୍ଜା ଓ ଅନୁତାପରେ ଦଗ୍ଧ ହୋଇଛନ୍ତି ଏବଂ ବନାନୀ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ତାକୁ ଜନ୍ମେ ଜନ୍ମେ ବନାନୀ ଭଳି ସ୍ତ୍ରୀ ମିଳୁ, ଏହା ଆଶା କରିଛନ୍ତି ଶ୍ୟାମଳ । ମୂଳ ଉପନ୍ୟାସର ବିୟୋଗଜନୀତ ଯନ୍ତ୍ରଣାକୁ, ନାଟକରେ ମିଳନାନ୍ତକ କରାଇ ବ ନାଟ୍ୟକାର, ଦର୍ଶକମାନଙ୍କୁ ଆମୋଦିତ କରିଛନ୍ତି । ଫଳତଃ ନାଟକରେ ସାମାଜିକ ବାସ୍ତବତାଟି ଅଧିକ ପ୍ରାଣବନ୍ତ ହୋଇଛି ।

 

୧୬. ନରୋତ୍ତମ ଦାସ କହେ : (୧୬୬୯)

ସ୍ଵାଧିନତା ପରବର୍ତ୍ତୀ ସମାଜରେ ରାଜନୀତିକ କ୍ଷମତା ପ୍ରାପ୍ତି ନିମିତ୍ତ ଆତ୍ୟାନ୍ତିକ ଆସକ୍ତି, ଅର୍ଥ, ପ୍ରତିପତ୍ତି, କ୍ଷମତା ବଳରେ ଜନତାର ମୁହଁ ବନ୍ଦ କରିଦେବାର କଦର୍ଯ୍ୟ ଆଚରଣ ପଦସ୍ଥ କର୍ମଚାରୀମାନଙ୍କ କାରବାର, ଆଧୁନିକତା ନାମରେ ନାରୀମାନଙ୍କର ସ୍ଵେଚ୍ଛାଚାରିତା, ଇତ୍ୟାଦି କ୍ଷେତ୍ରରେ ନୀତି ବୋଧ ଓ ଆଦର୍ଶର ଚରମ ଅବକ୍ଷୟ ଘଟିଛି । ଏଭଳି କ୍ଷେତ୍ରରେ ନୀତି ଓ ଆଦର୍ଶର ସୁରକ୍ଷା ଏକ ପ୍ରଳାପ ମାତ୍ର । ନାଟକରେ ସମାଜ ଜୀବନର ଏତାଦୃଶ ଅବକ୍ଷୟକୁ ତାଙ୍କ ରଚିତ “ନରୋତ୍ତମ ଦାସ” କହେ ନାଟକରେ ନାଟ୍ୟକାର ପ୍ରକାଶ କରିଅଛନ୍ତି । ସଂପୃକ୍ତ ନାଟକରେ “ନରୋତ୍ତମ” ଆଦର୍ଶବତ୍ତାର ପ୍ରତୀକ, ପରନ୍ତୁ ତାଙ୍କର ଶଳା ତିନି ଶଳା ରାଘବ, ଯାଦବ ଓ ମାଧବ, ଯଥାକ୍ରମେ ପଦସ୍ଥ କର୍ମଚାରୀ, ବ୍ୟବସାୟୀ ଏବଂ ରାଜନୀତିକ ମଣିଷମାନଙ୍କ ପ୍ରତୀକ । ନାଟ୍ୟକାର ଯେମିତି ନରୋତ୍ତମଙ୍କ ଭିତରେ ଛପି ରହିଛନ୍ତି । ସଂପୃକ୍ତ ନାଟକର ମୁଖବନ୍ଧରେ ତେଣୁ ସେ କହିଛନ୍ତି –“ମୋର ଯାହା କହିବାର କଥା, ତାହା ନରୋତ୍ତମ ଦାସ କହୁଥିବାରୁ ମୁଁ ନିରବ ରହିଲି” ।

 

(‘ନରୋତ୍ତମ ଦାସ କହେ’ –(୧୯୮୩)- ଅଭିମତ)

 

ଅନ୍ନପୂର୍ଣ୍ଣା ‘ଏ’ ଗ୍ରୁପ୍ ଦ୍ଵାରା ଅଭିନିତ ସଂପୃକ୍ତ ନାଟକରେ, ନାଟ୍ୟକାରଙ୍କର ସେଇ ସାମାଜିକ ରୂପସତ୍ତା ଭିନ୍ନ ଭାବଚେତନାରେ ଦ୍ୟୋତନା ଦିଏ । ସମାଜ ଜୀବନର ନଗ୍ନ ସତ୍ତାକୁ ନାଟ୍ୟକାର ସଂପୃକ୍ତ ନାଟକରେ ପ୍ରକାଶ କରିଛନ୍ତି । ଗୋଟିଏ ପାରିବାରିକ ଜୀବନର ଘଟଣା ଏଥିରେ ଚିତ୍ରିତ । ପରିବାରରେ ଦେଖା ଦେଇଥିବା ତିନି ଭାଇ ହେଲେ ପ୍ରଥମ ମି.ଦାସ, ଦ୍ଵିତୀୟ ଯାଦବ ଦାସ ଓ ତୃତୀୟ ମାଧବ ଦାସ । ପଦସ୍ଥ ସରକାରୀ କର୍ମଚାରୀ ମି. ଦାସଙ୍କ ମାସିକ ଦରମା ବାବଦ ଆୟ ଠାରୁ ଘର ଖର୍ଚ୍ଚ ଯଥେଷ୍ଟ ଅଧିକ । ଏଥିପାଇଁ ସେ ବିଭିନ୍ନ ଅସଚ୍ଚୋଟ ବ୍ୟବସାୟୀମାନଙ୍କ ଠାରୁ ନିଃସଙ୍କୋଚରେ ଉତ୍କୋଚ ଗ୍ରହଣ କରିଥାନ୍ତି । ସହରୀ ଜୀବନ ଭିତରେ କ୍ଲବ ଯିବା, ତାଙ୍କର ଏକ ଅଭ୍ୟାସ । ତାଙ୍କ ପତ୍ନୀ ବନ୍ଦନା, ପାଶ୍ଚାତ୍ୟାନୁରାଗିଣୀ ହେଲେ ମଧ୍ୟ ଓଡ଼ିଶୀ ସଂଗୀତ ପ୍ରତି ଆଗ୍ରହୀ । ବନ୍ଦନାଙ୍କୁ ହାତକରି ଅନେକ ବ୍ୟବସାୟୀ ସେମାନଙ୍କ କାମ ଉଠାଇ ନିଅନ୍ତି । ଏଇପରି ଜଣେ ଚରିତ୍ର ହିନ୍ଦୁସ୍ଥାନ ଟ୍ରେଡ଼ର୍ସର ମ୍ୟାନେଜର ଶ୍ୟାମଳବାବୁ । ମି. ଦାସଙ୍କ ଅନୁପସ୍ଥିତିରେ ସେ ବନ୍ଦନାଙ୍କ ସହିତ ବହୁବାର ଅବାଧ ମିଳାମିଶା ମଧ୍ୟ କରିଛନ୍ତି । ବନ୍ଦନା ସନ୍ତାନ ପ୍ରସବ କରୁଛନ୍ତି, ଅଥଚ ସେମାନଙ୍କ ଜଂଜାଳରୁ ନିଜକୁ ମୁକ୍ତି ରଖି ସେମାନଙ୍କୁ ପବ୍ଲିକ ସ୍କୁଲରେ ଛାଡ଼ିଛନ୍ତି । ମାତା ହେଲେ ବି ମାତୃତ୍ଵ ପ୍ରତି ତାଙ୍କର ଆଗ୍ରହ ଅଥବା ଆନ୍ତରିକତା ନାହିଁ, ପତ୍ନୀ ହେଲେ ବି ସେ ପରପୁରୁଷ ସହିତ ମିଳାମିଶା କରନ୍ତି ।

 

ମି. ଦାସଙ୍କ ସାନଭାଇ ଯାଦବ ଏବଂ ପତ୍ନୀ ଲକ୍ଷ୍ମୀ, ବନ୍ଦନାଙ୍କର ଯାବତୀୟ ଉଚ୍ଛୃଙ୍ଖଳ ଚଳଣିକୁ କେବେବି ଗ୍ରହଣ କରିବାକୁ ରାଜି ନୁହଁନ୍ତି । ଫଳତଃ ବନ୍ଦନା ଏବଂ ଲକ୍ଷ୍ମୀ ଦେବୀଙ୍କ ମଧ୍ୟରେ ମନାନ୍ତର ଓ ମତାନ୍ତର ଘଟିଛି । ଲକ୍ଷ୍ମୀ ନିଜେ ‘ଲକ୍ଷ୍ମୀ ଟ୍ରେଡ଼ର୍ସ’ ନାମକ ବ୍ୟବସାୟିକ ପ୍ରତିଷ୍ଠାନର ସ୍ଵତ୍ତ୍ଵାଧିକାରିଣୀ, ଯାଦବବାବୁ ଯାହା ନାମକୁ ମାତ୍ର ଅଛନ୍ତି । ହିନ୍ଦୁସ୍ଥାନ ଟ୍ରେଡ଼ର୍ସ ଏବଂ ଲକ୍ଷ୍ମୀ ଟ୍ରେଡ଼ର୍ସ ମଧ୍ୟରେ ସବୁବେଳେ ବ୍ୟବସାୟିକ ପ୍ରତିଦ୍ଵନ୍ଦିତା । ବନ୍ଦନାଙ୍କ ପ୍ରରୋଚନାରେ ମି.ଦାସ, ହିନ୍ଦୁସ୍ଥାନ ଟ୍ରେଡ଼ର୍ସକୁ କେତୋଟି ସୁବିଧା ସୁଯୋଗ ପ୍ରଦାନ କରିଅଛନ୍ତି । ଯାହା ଲକ୍ଷ୍ମୀ ଟ୍ରେଡ଼ର୍ସ ପାଇ ପାରିନାହିଁ ।

 

ବ୍ୟବସାୟିକ ବୁଦ୍ଧିରେ ଲକ୍ଷ୍ମୀଦେବୀ ଅତ୍ୟନ୍ତ ଧୂରୀଣା । ତେଣୁ ବନ୍ଦନାଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ସେ ରାଜନୀତିକୁ ଅସ୍ତ୍ରରୂପେ ଗ୍ରହଣ କରି, ଏଥିପାଇଁ ଉପଯୁକ୍ତ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି । ଖାଦ୍ୟ ଅପମିଶ୍ରଣ, ବିକ୍ରୟ ନିୟନ୍ତ୍ରଣ, ଇତ୍ୟାଦି ବିବିଧ ଦୁର୍ନିତିକର ଉପାୟ ଅବଲମ୍ବ ନ କରି ଲକ୍ଷ୍ମୀ ଦେବୀ ଗୁଡ଼ାଏ ଲାଭ କରିଛନ୍ତି । ପ୍ରଚୁର ଲାଭ ଟଙ୍କାରୁ ସେ ମୁଖ୍ୟମନ୍ତ୍ରୀଙ୍କ ସହାୟକ ପାଣ୍ଠିକୁ କିଛି ଅର୍ଥଦାନ କରି, ସାମାଜିକ ସ୍ତରରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି । ସାନଭାଇ ମାଧବକୁ ନିଜ ପାଖରେ ରଖିବାକୁ, ଯାଦବବାବୁଙ୍କୁ ପରାମର୍ଶ ଦେଇଛନ୍ତି ଲକ୍ଷ୍ମୀ । ମାଧବ କିପରି ନିର୍ବାଚନରେ ବିଜୟୀ ହେବ ସେଥିପାଇଁ ସେ ପ୍ରଚୁର ଅର୍ଥ ମଧ୍ୟ ଖର୍ଚ୍ଚ କରିଛନ୍ତି ।

 

ନରୋତ୍ତମଙ୍କର ତୃତୀୟ ଶଳା ମାଧବ ଜଣେ ଧୂର୍ତ୍ତ ବ୍ୟକ୍ତି । ଛାତ୍ରାବସ୍ଥାରୁ ବିବିଧ ଆନ୍ଦୋଳନର ନେତୃତ୍ଵ ନେଇ କ୍ଷେତ୍ର ପ୍ରସ୍ତୁତ କରିଅଛନ୍ତି । ଏପରିକି କୃଷକ ଆନ୍ଦୋଳନ ନେତୃତ୍ଵ ନେବା ଅବସ୍ଥାରେ ସେ ଭାରତୀ ଘରେ ଆଶ୍ରୟ ନେଇ ତା ସହିତ ଅବୈଧ ସଂପର୍କ ରଖି, ତାକୁ ଗର୍ଭବତୀ କରାଇଛି । ଭାରତୀ ସହିତ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ, ତା ନାରୀତ୍ଵକୁ ଲୁଣ୍ଠନ କରିଥିବା ଚରିତ୍ରହୀନ ମାଧବ ଜଣେ ମିଥ୍ୟାବାଦୀ ଓ ଶଠ ହେଲେ ମଧ୍ୟ, ଜନସେବା ନାମରେ ରାଜନୀତିର ମଙ୍ଗ ଧରିଛନ୍ତି । ସତ୍ୟ, ଧର୍ମ, ନ୍ୟାୟ, ନୀତି ଆଦର୍ଶର ବିବିଧ ଅଭିଭାଷଣ ପ୍ରଦାନ କରି, ଜନତାକୁ ଚମତ୍କୃତ କରିଛି । ତାର ବାଗ୍‍ଦତ୍ତା ଭାରତୀ ଅନ୍ତସତ୍ତ୍ଵା, ଏହା ଜନତା ଜାଣିଗଲେ ମାଧବ ନିର୍ବାଚନରେ ଜିତିପାରିବ ନାହିଁ - ଏଇ ଆଶଙ୍କାରେ ସୁଚତୁରୀ ଲକ୍ଷ୍ମୀଦେବୀ ଭାରତୀକୁ ଆଣି ଆପଣା ପାଖରେ ରଖିଛନ୍ତି । ଲକ୍ଷ୍ମୀଦେବୀଙ୍କ ବ୍ୟବସାୟର କଳାଟଙ୍କା ବିନିମୟରେ ଜନତାକୁ ପ୍ରଲୁବ୍ଧ କରାଇ ନିର୍ବାଚନରେ ବିଜୟୀ ହୋଇଛନ୍ତି ମାଧବ ଦାସ ।

 

‘ଲକ୍ଷ୍ମୀ ଟ୍ରେଡର୍ସ’ ହାତରେ ଏଣିକି ଅନେକ ସୁବିଧା, ନିର୍ବାଚିତ ନେତା ମାଧବଙ୍କ ସହଯୋଗ ପରେ ଏହାର ଯଥେଷ୍ଟ ଉନ୍ନତି ଘଟିଛି । ମାଧବ, ଭାଉଜ ଲକ୍ଷ୍ମୀ ପ୍ରତି କୃତଜ୍ଞ । ଲକ୍ଷ୍ମୀ ଦେବୀ ମଧ୍ୟ ଏଥର ବଡ଼ ଯା, ବନ୍ଦନାଙ୍କ ଅହଂକାର ଉପରେ ବିଜୟ ହାସଲ କରିଛନ୍ତି ବୋଲି ମନେ କରିଛନ୍ତି । ଏଣେ ଗଜାନନ କମ୍ପାନୀକୁ, ଉତ୍କୋଚ ଗ୍ରହଣ କରି ସାହାଯ୍ୟ କରିଥିବାରୁ ମି.ଦାସ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ସବୁଠାରୁ ଚତୁର ଓ ଧୂର୍ତ୍ତ ଶ୍ୟାମଳବାବୁ, ହିନ୍ଦୁସ୍ଥାନ ଟ୍ରେଡର୍ସର ବିବିଧ କାର୍ଯ୍ୟ କରାଇ ନେବାକୁ ଏଣିକି ମି.ଦାସଙ୍କର ଏପରି ଅବସ୍ଥା ଦେଖି, ରାଜନୀତିକ ନେତା ମାଧବ ଦାସଙ୍କୁ ପ୍ରଭାବିତ କରିବାକୁ ଆଗେଇ ଆସିଛନ୍ତି । ଏହିଭଳି ଅବସରରେ ଶ୍ୟାମଳବାବୁଙ୍କ ଚରମ ସ୍ଵାର୍ଥପରତାକୁ ହୃଦୟଙ୍ଗମ କରିଛନ୍ତି ମି.ଦାସଙ୍କ ପତ୍ନୀ ବନ୍ଦନା ଦେବୀ । ଏଣିକି ତାଙ୍କ ଭିତରେର ଯାବତୀୟ ଅହଂକାର ଦୂର ହୋଇଛି, ତାଙ୍କର ଭ୍ରମ ଭାଙ୍ଗିଯାଇଛି, ଏବଂ ସେ ଆପଣା ପରିବାରକୁ ଫେରିଛନ୍ତି । ମିସେସ୍ ଦାସଙ୍କ ଭଳି ପୂର୍ବର ପରିଚୟ ନୁହେଁ, ଅପରନ୍ତୁ ଘରର ବଡ଼ ବୋହୂ ବନ୍ଦନାଦେବୀ ଭାବରେ ଏଣିକି ତାଙ୍କର ପରିଚୟ । ବନ୍ଦନାଦେବୀ, ସ୍ଵାର୍ଥପର ଶ୍ୟାମଳଙ୍କୁ ଭଲଭାବରେ ଜାଣନ୍ତି, ତେଣୁ ତାଙ୍କୁ ସ୍ଵାର୍ଥ ସାଧନରେ ଅଧିକ ସୁଯୋଗ ନଦେଇ, ଅପମାନିତ କରି ଘରୁ ବିଦାୟ ଦେଇଛନ୍ତି ।

 

ସମଗ୍ର ନାଟକରେ ଶିକ୍ଷକ ନରୋତ୍ତମ ଦାସ ହେଉଛନ୍ତି ଗୋଟାଏ ନୈତିକ ବିବେକ । ମି.ଦାସ, ଯାଦବ ଦାସ ଏବଂ ମାଧବ ଦାସଙ୍କର ଭିଣୋଇ ନରୋତ୍ତମ ଜଣେ ସ୍କୁଲ ଶିକ୍ଷକ । ନିଜ ସ୍ତ୍ରୀଙ୍କ ବାରଣ ସତ୍ତ୍ଵେ, ନରୋତ୍ତମ ଅବସର ଗ୍ରହଣ ପରେ, ଶଳାମାନଙ୍କ ପାଖକୁ ଯାଇଛନ୍ତି । ବଡ଼ ଶଳା ମି.ଦାସଙ୍କ ସ୍ଵାର୍ଥପରତା, ଉତ୍କୋଚପ୍ରିୟତା, ବନ୍ଦନାଙ୍କର ପରପୁରୁଷ ଶ୍ୟାମଳ ସହିତ ଅବାଧ ମିଳାମିଶା ଇତ୍ୟାଦି ପ୍ରତି ସେ ଅଙ୍ଗୁଳି ନିର୍ଦ୍ଦେଶ କରିବାରୁ ବନ୍ଦନା ଏବଂ ଶ୍ୟାମଳଙ୍କ ଚକ୍ରାନ୍ତରେ ତାଙ୍କୁ କାରାବାସ ଭୋଗିବାକୁ ପଡ଼ିଛି ।

 

ବନ୍ଦନା ଏବଂ ଲକ୍ଷ୍ମୀଙ୍କ ଭିତରେ ଥିବା ଦ୍ଵନ୍ଦ, ନାଟକର ଆକର୍ଷଣୀୟ ଦିଗ । ବନ୍ଦନାଙ୍କ ଦ୍ଵାରା ଜେଲ ପ୍ରେରିତ ନରୋତ୍ତମଙ୍କୁ ପ୍ରଚୁର ଅର୍ଥଖର୍ଚ୍ଚ କରି କାରାମୁକ୍ତ କରିଛନ୍ତି ଲକ୍ଷ୍ମୀଦେବୀ । ନରୋତ୍ତମ ଦ୍ଵିତୀୟ ଶଳା ଯାଦବଙ୍କ ଘରେ ଦେଖିଛନ୍ତି ଲକ୍ଷ୍ମୀ ଟ୍ରେଡର୍ସର ଅନ୍ୟାୟ ଉପାର୍ଜନଜନିତ ବ୍ୟବସାୟିକ କାରସାଦୀ । ଶୀକ୍ଷକ ସୁଲଭ ନୀତି, ଆଦର୍ଶ ଯେମିତି ତାଙ୍କର ଲୁଣ୍ଠିତ। ସର୍ବୋପରି ସାନ ଶଳା ମାଧବର ଚାରିତ୍ରିକ ସ୍ଖଳନର ଶିକାର ହୋଇଥିବା ଭାରତୀ ପ୍ରତି ତାଙ୍କ ଭିତରେ ସମବେଦନା ଦେଖାଦେଇଛି । ଭାରତୀ ଭଳି ଅନେକ ନିରୀହ ଯୁବତୀ, ମାଧବଙ୍କ ଭଳି ଲମ୍ପଟମାନଙ୍କ ଦ୍ଵାରା ଅବୈଧ ସନ୍ତାନର ଜନନୀ ହୋଇପାରନ୍ତି । ଭାରତୀ ପ୍ରତି ମାଧବର ଅନ୍ୟାୟକୁ ଇଙ୍ଗିତ କରିବାରୁ, ଶଳା ମାଧବଙ୍କ ଦ୍ଵାରା ଭିଣୋଇ ନରୋତ୍ତମଙ୍କର ମୁଣ୍ଡ ଫାଟେ । ତଥାପି ଭାରତୀର ସଦ୍ୟଜାତ ସନ୍ତାନକୁ ସ୍ନେହ ଓ ଆଦରରେ କୋଳେଇ ନିଅନ୍ତି ନରୋତ୍ତମ ।

 

ନାଟ୍ୟକାର, ରାମଚନ୍ଦ୍ରଙ୍କର ନାଟ୍ୟଧାରା ଭିତରେ ସଂଜୀବିତ ଥିବା ଆଦର୍ଶ ପ୍ରକାଶର ଅଭିଳାଷ, ‘ନରୋତ୍ତମ ଦାସ କହେ’ ନାଟକରେ ଭିନ୍ନ ମୋଡ଼ ଗ୍ରହଣ କରିଛି । ଏଇ ନାଟକ ପୂର୍ବରୁ ତାଙ୍କ ରଚିତ ସମସ୍ତ ନାଟକରେ ଆଦର୍ଶ ପ୍ରକାଶର ଯେଉଁ ବାର୍ତ୍ତା ରହିଥିଲା, ତାହା ସଂପୃକ୍ତ ନାଟକରେ ସଂପୂର୍ଣ୍ଣ ପରିବର୍ତ୍ତିତ । ସଂପୃକ୍ତ ନାଟକରେ ନରୋତ୍ତମ ଦାସ ହିଁ, ଗୋଟାଏ ଆଦର୍ଶ । ନୀତିବୋଧର ବଳିଷ୍ଠ ପୂଜାରି, ପରମ୍ପରାକୁ ମାନ୍ୟତା ଦେଉଥିବା ନରୋତ୍ତମ ଜଣେ ଆଦର୍ଶ ଶିକ୍ଷକ-। ମାତ୍ର ତାଙ୍କର ତିନିଶଳା ଯଥାକ୍ରମେ ଦୁର୍ନିତିଗ୍ରସ୍ତ ସରକାରୀ କର୍ମଚାରୀ, ଅସାଧୁ ବ୍ୟବସାୟୀ ଏବଂ ଚରିତ୍ରହୀନ କ୍ଷମତା ପିପାସୁ ରାଜନେତା- ଏମାନଙ୍କ ପ୍ରବଳ କ୍ଷମତା ନିକଟରେ ନରୋତ୍ତମଙ୍କ ଆଦର୍ଶ ହୀନପ୍ରଭ ହୋଇଛି । ନରୋତ୍ତମଙ୍କ ଜେଲ୍ ଯିବା ଓ ମୁଣ୍ଡ ଫାଟିବା ପ୍ରକୃତରେ ମିଥ୍ୟାଚାରର ଜାଲରେ ଛନ୍ଦି ହୋଇ ନୀତି ଓ ଆଦର୍ଶର କାରାଦଣ୍ଡ ଭୋଗ, କ୍ଷମତା ମାଧ୍ୟମରେ ଅଦର୍ଶକି ଆଘାତ ଦେଇ ରକ୍ତାକ୍ତ କରାଯିବା – ଯାହା ସଂପୃକ୍ତ ନାଟକରେ ପ୍ରଦର୍ଶନ କରାଇ ନାଟ୍ୟକାର ଆଦର୍ଶ ଉପରେ ବାସ୍ତବରେ ବିଜୟ ଘୋଷଣା କରାଇଛନ୍ତି । ସାମାଜିକ ବ୍ୟବସ୍ଥାରେ ଘଟିଯାଉଥିବା ବାସ୍ତବ ଘଟଣାର ଘାଟନିକ ସତ୍ୟତା ଏଠାରେ ମୁଖ୍ୟ ପ୍ରସଙ୍ଗ ହୋଇଛି ।

 

୧୭. କିସ ପୁଣି ଦେଖାନଯାଏ (୧୯୭୨)

ସ୍ଵାଧିନ ଭାରତରେ ଶିକ୍ଷା-ସଭ୍ୟତାର ପ୍ରସାର ସହିତ ଅନୈତିକତା, ଏବଂ ସ୍ଵେଚ୍ଛାଚାରିତାର ଅଭିବୃଦ୍ଧି ମଧ୍ୟ ସମତାଳରେ ସଂଘଠିତ ହେଲା । ନାରୀ-ଶିକ୍ଷା ସହିତ ନାରୀ ସ୍ଵାଧିନତାର ଶୃଙ୍ଖଳିତ ଅବସ୍ଥା, ସାମାଜିକ ବ୍ୟବସ୍ଥା ଭିତରେ ପ୍ରତିଫଳିତ ହେବାରୁ ପାରିବାରିକ ଜୀବନ ମଧ୍ୟ କ୍ରମଶଃ ସଂକ୍ରମିତ ହେବାକୁ ଲାଗିଲା । ଏହା ଫଳରେ କେତେକ କ୍ଷେତ୍ରରେ ଉଚ୍ଚଶିକ୍ଷିତା ନାରୀମାନେ, ସ୍ଵାଧିନତା ନାମରେ ସ୍ଵୈରିଣୀ ହୋଇପଡ଼ିଲେ । ପାରିବାରିକ ଜୀବନର ସ୍ନେହ-ପ୍ରୀତି-ପ୍ରତ୍ୟୟ-ବାତ୍ସଲ୍ୟ ପ୍ରଭୃତି ମାନବିକ ଉଚ୍ଛ୍ଵାସ ଏବଂ ସ୍ଵାମୀ-ସନ୍ତାନ ଓ ପରିବାର ପ୍ରତି ସେମାନଙ୍କ ଦାୟିତ୍ଵ ତଥା କର୍ତ୍ତବ୍ୟବୋଧକୁ ବିସ୍ମୃତ ହୋଇ, ପାଶ୍ଚାତ୍ୟ ଭୋଗବାଦୀ ସଭ୍ୟତାର ବଶବର୍ତ୍ତୀ ହୋଇ ଉଠିଲେ । ନାରୀମାନଙ୍କର ଏଇ ପ୍ରକାରର ଆଚରଣ ପାଇଁ, ପରିବାରକୁ ସନ୍ତୁଳିତ ହେବାକୁ ପଡ଼ିଲା । ‘ନରୋତ୍ତମ ଦାସ କହେ’ ନାଟକରେ ବଡ଼ବୋହୂ ବନ୍ଦନା ଭିଲତରେ ନାଟ୍ୟକାର ରାମଚନ୍ଦ୍ର ମିଶ୍ର, ନାରୀର ସ୍ଵାଧିନତା ଜନିତ ଉଗ୍ରତା ପ୍ରକାଶ କରିଥିବା ବେଳେ, ଗୋଟାଏ ଉଚ୍ଛୃଙ୍ଖଳିତା ନାରୀ ପାଇଁ, ସମଗ୍ର ପରିବାରରେ କିପରି ଅକାଳ ଘୂର୍ଣ୍ଣି ସୃଷ୍ଟି ହୁଏ, ତାହାକୁ ସେ ତାଙ୍କର ‘କିସ ପୁଣି ଦେଖା ନଯାଏ’ ନାଟକରେ ପ୍ରକାଶ କରିଛନ୍ତି ।

 

ନାଟ୍ୟକାରଙ୍କର ‘କିସ ପୁଣି ଦେଖା ନଯାଏ’ ନାଟକଟି ଅନ୍ନପୂର୍ଣ୍ଣା ‘ଏ’ ଗ୍ରୁପ୍ ଦ୍ଵାରା ୧୯୭୨ ମସିହାରେ ଅଭିନୀତ ହୋଇଥିଲା । ସଂପୃକ୍ତ ନାଟକରେ କଥାବସ୍ତୁ, ନାଟ୍ୟକାରଙ୍କ ନିଜସ୍ଵ ନୁହେଁ । ଔପନ୍ୟାସିକ ପ୍ରଫୁଲ୍ଲ ନାୟକଙ୍କ ରଚିତ ଉପନ୍ୟାସ ‘ବଗୁଲୀ ଗଡ଼ାଏ ଲୁହ’ର ନାଟ୍ୟରୂପ ପ୍ରଦାନ କରି ନାଟ୍ୟକାର ସୃଷ୍ଟି କରିଛନ୍ତି କିସ ପୁଣି ଦେଖା ନଯାଏ । ବିଭୂତି ପଟ୍ଟନାୟକଙ୍କ ପରପୁରୁଷ ଉପନ୍ୟାସର ନାଟ୍ୟ ରୂପାନ୍ତର ଶୀର୍ଷକ ‘ପରପୁରୁଷ’ ରହିଥିବା ସ୍ଥଳେ ‘ବଗୁଲୀ ଗଡ଼ାଏ ଲୁହ’ର ନାଟ୍ୟରୂପରେ ଏହାର ନାମ କରଣ ‘କିସ ପୁଣି ଦେଖା ନଯାଏ’ ରଖାଯାଇଛି । ସଂପୃକ୍ତ ନାଟକର କାହାଣୀ କଳା, ଉପନ୍ୟାସର କାହାଣୀକୁ ଲଂଘନ କରିନାହିଁ, ଅଥଚ ପରିବେଷଣରେ କେତେକ ଚମକ ରଖାଯାଇଛି ।

 

‘କିସ ପୁଣି ଦେଖା ନଯାଏ’ ନାଟକର ନାୟିକା ଅଧ୍ୟାପିକା କାକଳୀ, ସେ ଉଚ୍ଚଶିକ୍ଷିତା, ମାତ୍ର ସ୍ଵେଚ୍ଛାଚାରିଣୀ । ଆଡ଼ଭୋକେଟ୍ ରଜତ ଆଖିରେ ମୋହାଞ୍ଜନ ବୋଳି ଦେଲା କାକଳୀଙ୍କ ରୂପକ ଝଲକ । ପାରିବାରିକ ଆଭିଜାତ୍ୟକୁ ଭୃକ୍ଷେପ ନକରି, ନିଜ ପିତାଙ୍କ ଅଜ୍ଞାତସାରରେ କାକଳୀକୁ ବିବାହ କଲେ ରଜତ । ଆଶିର୍ବାଦ ନିମିତ୍ତ ପିତାଙ୍କ ନିକଟକୁ ଟେଲିଗ୍ରାମ କରାଗଲା, ପିତା ବାହୁବଳେନ୍ଦ୍ର ଭୀଷଣ ଆଘାତ ପାଇଲେ, ବ୍ୟାକୁଳ ଓ ଉତ୍ତେଜିତ ହେଲେ, ମାତ୍ର ତାଙ୍କୁ ସ୍ଵାଭାବିକ ଅବସ୍ଥାକୁ ଆଣିବାରେ ସାହାଯ୍ୟ କଲା ଘରର ବିଶ୍ଵସ୍ତ ଚାକର ସନିଆ ।

 

ରଜତ, କାକଳିକୁ ନେଇ ସହରରେ ଅବସ୍ଥାନ କରନ୍ତି । କାକଳି ବିବାହିତା, ସନ୍ତାନର ଜନନୀ । ମାତ୍ର ସେ ଯେ ଜଣେ ସନ୍ତାନବତୀ, ଏହା ଯେମିତି ସେ ବିସ୍ମୃତା । ଅଧ୍ୟାପକ ବଳବନ୍ତ ରାୟଙ୍କ ସହିତ ତାଙ୍କର ଅବାଧ ମିଳାମିଶା, ବଳବନ୍ତରାୟ କାକଳିକୁ ଜୀବନ ସାଥୀ କରିନେବାକୁ ଇଚ୍ଛୁକ ଥିଲେ । ମାତ୍ର ବାସ୍ତବତା ଦୃଷ୍ଟିରୁ ଏହା ଅସମ୍ଭବ ହେବାରୁ କାକଳିର ଦାମ୍ପତ୍ୟ ଜୀବନକୁ ବିଷାକ୍ତ କରିଦେବା ପାଇଁ ସେ କାକଳି ସହିତ ବନ୍ଧୁତାର ଛଦ୍ମଛାୟା ତଳେ ଅବାଧ ମିଳାମିଶା ଆରମ୍ଭ କରିଦେଲେ । ରଜତର ପିତା ବାହୁବଳେନ୍ଦ୍ରଙ୍କୁ କାକଳିର ଉଚ୍ଛୃଙ୍ଖଳିତ ଚଳଣି ବିବ୍ରତ କରିଛି, ସେ ଏହାର ପ୍ରତିବାଦ କରିଛନ୍ତି ଅଥଚ କାକଳି ଦ୍ଵାରା ହୋଇଛନ୍ତି ଅପମାନିତ । ବାହୁବଳେନ୍ଦ୍ର ଗାଁକୁ ଫେରିଆସିବା ପରେ କାକଳି ଓ ରଜତଙ୍କ ଦାମ୍ପତ୍ୟ ଜୀବନରେ ଗୋଟାଏ ଗଭୀର ଫାଟ ସୃଷ୍ଟି ହୋଇଛି, ଯାହା ପରସ୍ପରକୁ ବିଚ୍ଛିନ୍ନ କରିଛନ୍ତି ।

କାକଳିର ପିତା ଅନିରୁଦ୍ଧ ବାବୁ ପତ୍ନୀହରା , ମଦ୍ୟପ ସେ । କନ୍ୟାର ଉଚ୍ଛୃଙ୍ଖଳତାକୁ ପ୍ରତିରୋଧ କରିବା ଦୂରର କଥା, ବରଂ ସେ କାକଳିର ପରପୁରୁଷଙ୍କ ସହିତ ଅବାଧ ମିଳାମିଶା ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି । ଆପେ ମଦ୍ୟପାନ କରି ଉଦ୍‍ଭ୍ରାନ୍ତ ହୋଇଛନ୍ତି । ପିତା ପୁତ୍ର ଏବଂ ପତ୍ନୀଙ୍କଠାରୁ ପୃଥକ ହୋଇ ନିଃସଙ୍ଗ ରଜତ ଅତ୍ୟଧିକ ମଦ୍ୟପାନ କରିଛନ୍ତି, ଫଳତଃ ସେ ଯକ୍ଷ୍ମାରେ ହୋଇଛନ୍ତି ପୀଡ଼ିତ ।

 

କାକଳୀଙ୍କ ଅବହେଳାରୁ ପୁତ୍ର ରଂଜନ ରୋଗପୀଡ଼ିତ ହୋଇ ମରଣ ସହିତ ଲଢ଼େଇ କରିବା ଅବକାଶରେ, କାକଳି ଭିତରେ ସାମନ୍ୟ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ପିତା ଅନିରୁଦ୍ଧ, ଅଥବା ବନ୍ଧୁ ଅଧ୍ୟାପକ ବଳବନ୍ତ ରାୟ, କେହି ତାଙ୍କୁ କୌଣସି ସାହାଯ୍ୟ କରିନାହାନ୍ତି । ଅନୁତପ୍ତା କାକଳୀ, ରଜତର ନିକଟତର ହେବାକୁ ଚେଷ୍ଟା କରିବାବେଳେ, ରଜତ ଦ୍ଵାରା ଅପମାନିତା ଓ ଲାଞ୍ଛିତା ହୋଇ ଫେରିଆସିଛନ୍ତି । ଅଧ୍ୟାପକ ବଳବନ୍ତରାୟଙ୍କ ପାଖରୁ ସାମାନ୍ୟ ସାହାଯ୍ୟ ଆଶା କରିଥିବା କାକଳି ତାଙ୍କ ଦ୍ଵାରା ହୋଇଛନ୍ତି ପ୍ରତ୍ୟାଖ୍ୟାତା ।

 

ନାଟକରେ ସବୁଠାରୁ ଆକର୍ଷଣୀୟ ଚରିତ୍ର ହେଉଛି ଚାକର ଶନିଆ । ମୃତ୍ୟୁ ମୁଖରୁ ସେ ରଜତ ଓ କାକଳିଙ୍କର ଏକମାତ୍ର ପୁତ୍ର ରଂଜନକୁ କୌଣସି ପ୍ରକାର ବଂଚାଇ ରଖିଛି । କାକଳୀ ଦୀର୍ଘକାଳ ପରେ ଆପଣା ତ୍ରୁଟି ଉପଲବ୍‍ଧି କରି, ସ୍ଵାମୀ ରଜତର ପାଦଧରି କ୍ଷମା ମାଗିଛନ୍ତି । ଶନିଆ ଦ୍ଵାରା ଆରୋଗ୍ୟ ଲାଭ କରିଥିବା ପୁତ୍ର ରଂଜନକୁ ପାଇ କାକଳି ଅବଶ୍ୟ ଶାନ୍ତି ପାଇଛନ୍ତି । ବିରହର ବେସୁରା ରାଗିଣୀ ଶେଷ ହୋଇଛି, ଏବଂ ମିଳନର ସାହାନାଇ ଭିତରେ ଶେଷ ହେଉଛି ନାଟକ ।

 

କାକଳୀ ଚରିତ୍ର, ଉଗ୍ର ଆଧୁନିକ, ଶିକ୍ଷିତା ଅଥଚ ସ୍ଖଳିତ ଚରିତ୍ରା ସ୍ଵୈରିଣୀନାରୀ ସମାଜର ପ୍ରତିନିଧି । ଶିକ୍ଷା, ସଭ୍ୟତାର ପ୍ରସାର, ନାମରେ ଆଧୁନିକା ନାରୀର ଅବାରିତ ଉଚ୍ଛୃଙ୍ଖଳତା କିପରି ସମଗ୍ର ପାରିବାରିକ ଓ ଦାମ୍ପତ୍ୟ ଜୀବନକୁ ବିକଳାଙ୍ଗ କରିଥାଏ, ତାର ନଗ୍ନ ଦୃଷ୍ଟାନ୍ତ ହେଉଛି ନାଟକ ‘କିସ ପୁଣି ଦେଖା ନଯାଏ’ । ପାଶ୍ଚାତ୍ୟ ସଂସ୍କୃତିର ଅନ୍ଧ ଅନୁକରଣ, ପ୍ରାଚ୍ୟ ଜୀବନଧାରାକୁ କିପରି ବିକଳ ଓ ବିପର୍ଯ୍ୟସ୍ତ କରି ଗଢ଼ିତୋଳେ, ତାହା ସଂପୃକ୍ତ ନାଟକ ମାଧ୍ୟମରେ ପ୍ରକାଶ ପାଇଛି ।

 

୧୮ । ମୃତ ଆସାମୀ : (୧୯୮୧)

ସତ୍ୟ, ନ୍ୟାୟ, ତ୍ୟାଗ, ଆଦର୍ଶର ପ୍ରକାଶ, ନାଟ୍ୟକାର ରାମଚନ୍ଦ୍ରଙ୍କ ସ୍ରଷ୍ଟାମାନସର ଅନ୍ୟତମ ଲକ୍ଷଣ, ଯାହା ପ୍ରାୟ ତାଙ୍କର ପ୍ରତ୍ୟେକଟି ନାଟକରେ ପରିଲକ୍ଷିତ ହୋଇଥାଏ । ଭାରତୀୟ ଜନ ଜୀବନରେ ସତ୍ୟ ଓ ନ୍ୟାୟ ପ୍ରତି ରହିଥିବା ହେୟ ମନୋଭାବକୁ ସୁଧାରି ନେଇ, ସତ୍ୟ ଓ ନ୍ୟାୟର ଜୟ ଜୟକାର କରିବା, ଜାତୀୟତା ସୃଷ୍ଟି କରିବା ତଥା ସ୍ଖଳନୋନ୍ମୁଖୀ ସଂସ୍କୃତିର ସୁରକ୍ଷା ନିମିତ୍ତ, ନାଟ୍ୟକାର ରଚନା କରିବସିଲେ ନାଟକ ମୃତ ଆସାମୀ । ସଂପୃକ୍ତ ନାଟକରେ ପ୍ରଥମେ ଗୋଟାଏ ହୋଟେଲରେ ନୃତ୍ୟନିପୁଣା ଅଭିନେତ୍ରୀ ଉର୍ବଶୀର ହତ୍ୟା, ତଜ୍ଜନିତ ଘନ ଘନ ଅନୁସନ୍ଧାନ, ମ୍ୟାନେଜରଙ୍କ ବୟାନ ଅନୁଯାୟୀ କୁମାର ମହାପାତ୍ରଙ୍କୁ ହତ୍ୟାକାରୀ ଭାବରେ ସନ୍ଦେହ କରିବା ଇତ୍ୟାଦି ଘଟଣାଗୁଡ଼ିକ ଦର୍ଶକ ମନରେ ଅସାମାନ୍ୟ ଉତ୍କଣ୍ଠା କରିଥାଏ ।

 

କୁମାର ମହାପାତ୍ରଙ୍କୁ ହତ୍ୟାକାରୀ ଭାବରେ ସାବ୍ୟସ୍ତ କରିବା କ୍ଷେତ୍ରରେ ଓକିଲ ଭୁତନାଥ ଯୁକ୍ତି ବାଢ଼ୁଥିଲାବେଳେ, କୁମାରଙ୍କୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବା ନିମିତ୍ତ ଯୁକ୍ତି ବାଢ଼ୁଥିଲେ ଓକିଲ ଧର୍ମାନନ୍ଦ । ଧର୍ମାନନ୍ଦ ସତ୍ୟ ଓ ନ୍ୟାୟର ପକ୍ଷ ଗ୍ରହଣ କରି, ପ୍ରକୃତି ସତ୍ୟ ପଦାକୁ ଆସୁ ବୋଲି ଆଶା ପ୍ରକାଶ କରିଥିଲେ । ଧର୍ମାନନ୍ଦଙ୍କ ଯୁକ୍ତି ଭିତରେ ବୋଧହୁଏ ନାଟ୍ୟକାର ରାମଚନ୍ଦ୍ରଙ୍କ ଆତ୍ମାର ବାର୍ତ୍ତା ହୋଇଛି ପ୍ରମୂର୍ତ୍ତ । ବୃତ୍ତିଗତ ଜୀବନରେ ମୁଖ୍ୟତଃ ଆଇନଜୀବୀ ଥିବା ରାମଚନ୍ଦ୍ର, ଧର୍ମାନନ୍ଦଙ୍କ ସଂଳାପ ଭିତରେ କହିଛନ୍ତି – କିନ୍ତୁ ମୁଁ ଆଜିଯାଏ ସବୁ ମୋକଦ୍ଦମାରେ ଗୋଟିଏ କଥାକୁ ଖୋଜି ବାହାର କରିବାକୁ ଚେଷ୍ଟା କରେ, ତାହା ହେଉଛି ମୋକଦ୍ଦମାରେ ଥିବା ସତ୍ୟତା । ମୁଁ ଯେତିକି ତାର ନିକଟବର୍ତ୍ତୀ ହୋଇଛି ମୋର ସେତିକି ଆତ୍ମସନ୍ତୋଷ ଆସିଛି । (ମୃତ ଆସାମୀ –ସାଥୀ ପ୍ରକାଶନ (୧୯୮୧)ପୃଷ୍ଠା- ୬୦)

 

ଉର୍ବଶୀ କଳା ପ୍ରବୀଣା, ନୃତ୍ୟ ପଟ୍ଟୀୟସୀ, କୁମାର ମହାପାତ୍ର ଜଣେ କଳାପ୍ରେମୀ । ଏଇ ଭାବରେ ସେ ଉର୍ବଶୀର କଳାକୁ ଭଲପାଆନ୍ତି । ଉର୍ବଶୀଙ୍କୁ ନେଇ ତାଙ୍କ ମନରେ କୌଣସି ପାପ ଚିନ୍ତା ଅଥବା କୌଣସି ଆବିଳତା ନଥିଲା । ମାତ୍ର କୁମାର ମହାପାତ୍ରଙ୍କୁ ତାଙ୍କ ସ୍ତ୍ରୀ ଏବଂ ଓକିଲ ଧର୍ମାନନ୍ଦଙ୍କୁ କେହି ହେଲେ ବିଶ୍ଵାସ କରିନାହାନ୍ତି । କୁମାର ମହାପାତ୍ରଙ୍କ ପତ୍ନୀ ସୁନନ୍ଦା ବିଚାରାଳୟରେ ନିଜ ସ୍ଵାମୀଙ୍କ ସମ୍ବନ୍ଧରେ ସାକ୍ଷ୍ୟ ପ୍ରଦାନ ନକରି, ତାଙ୍କ ବିପକ୍ଷରେ ସାକ୍ଷ୍ୟ ପ୍ରଦାନ କରିଅଛନ୍ତି । ଏହାଦ୍ଵାରା ଚଳନ୍ତି ବିଚାର ବ୍ୟବସ୍ଥା ପ୍ରତି ସେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । କାରଣ ସ୍ଵାମୀଙ୍କ ସପକ୍ଷରେ ସେ ସାକ୍ଷ୍ୟ ପ୍ରଦାନ କରିଥିଲେ, କେହି କେବେ ତାଙ୍କୁ ବିଶ୍ଵାସ କରି ନଥାନ୍ତେ । ଜଣେ ପତିବ୍ରତା ନାରୀ ରୂପେ ସୁନନ୍ଦା, ସ୍ଵାମୀଙ୍କୁ ଅଭିଯୋଗମୁକ୍ତ କରିବା ଯଥା ସମ୍ଭବ ଉଦ୍ୟମ କରିଛନ୍ତି ଏବଂ ଅନ୍ୟାନ୍ୟ ସାକ୍ଷ୍ୟ ମଧ୍ୟ ଯୋଗାଡ଼ କରନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ ବ୍ୟାପାର ହେଉଛି ଯେ, କୁମାର ମହାପାତ୍ରଙ୍କୁ ଅଭିଯୋଗମୁକ୍ତ କରିବା ନିମିତ୍ତ ସ୍ଵୟଂ ଉର୍ବଶୀ ଦେବୀ ବିଚାରାଳୟରେ ଉପସ୍ଥିତ ହୋଇଛନ୍ତି । ତାଙ୍କର ଉପସ୍ଥିତିହିଁ ସମସ୍ତଙ୍କୁ କରିଛି ହତଚକିତ ।

 

ନୃତ୍ୟପଟ୍ଟୀୟସସୀ ଉର୍ବଶୀ, ବାହ୍ୟ ଗୁପ୍ତଚର ଭାବରେ ଆସି, ନର୍ତ୍ତକୀର ଛଦ୍ମତା ଭିତରେ ହୋଟେଲ ‘ଆଭିଜାତ୍ୟ’ରେ ଅବସ୍ଥାନ କରୁଥିଲେ ଓ ହୋଟେଲ ମ୍ୟାନେଜରଙ୍କ ମାଧ୍ୟମରେ ଏକ ହତ୍ୟାକାଣ୍ଡ ସଂଘଟିତ କରିଥିଲେ । ନିଜେ ମୃତ ବୋଲି ଘୋଷଣା କରାଇ, ଉର୍ବଶୀ ହୋଇଥିଲେ ଅନ୍ତର୍ହିତା । ଭାରତରେ କେତୋଟି ଗୁପ୍ତ ରହସ୍ୟ ତଥ୍ୟ, ସେ ସବୁର ଅଗୋଚରରେ ନିଜ ଦେଶକୁ ପଠାଇ ସାରିଛନ୍ତି । ଭାରତ ଛାଡ଼ି ଯିବା ପୂର୍ବରୁ ସେ କୁମାର ମହାପାତ୍ରଙ୍କୁ ହତ୍ୟାକାରୀ ଅଭିଯୋଗରେ ଦଣ୍ଡିତ ହେବା ସମ୍ବାଦ ଖବର କାଗଜରୁ ପାଠ କଲେ । କଳାକାର ଜୀବନ ଭିତରେ ଛପି ରହିଥିବା ସୁକୋମଳ ସତ୍ତାଟି ନିର୍ଦ୍ଦୋଷ କୁମାରଙ୍କ ପ୍ରତି ଏଭଳି ଦଣ୍ଡାଦେଶକୁ ଭଲ ଭାବରେ ଗ୍ରହଣ କରିପାରିଲା ନାହିଁ । କୁମାର ଜଣେ ସ୍ନେହସିକ୍ତ, ସରଳ ଓ ଅମାୟିକ ମଣିଷ – ଏଇ ପ୍ରସଙ୍ଗ ବିଚାରାଳୟରେ ପ୍ରମାଣ କରିଛନ୍ତି ଉର୍ବଶୀ । ହତ୍ୟାକାଣ୍ଡ ସମ୍ପର୍କରେ ସମସ୍ତ ଅନ୍ଧକାର ଦୂରେଇ ଯାଇଛି, ସତ୍ୟର ଆତ୍ମପ୍ରକାଶ ଘଟିଛି । ଉର୍ବଶୀଙ୍କୁ ଗିରଫ କରାଯିବା ପୂର୍ବରୁ, ନିଜ ଗୁଳିରେ ସେ ନିଜେ ଆତ୍ମହତ୍ୟା କରିଛନ୍ତି ।

 

ସଂପୃକ୍ତ ନାଟକରେ ନାଟ୍ୟକାର ରାମଚନ୍ଦ୍ରଙ୍କ ନାଟ୍ୟଚେତନାରେ ସେତେଟା ଉତ୍କର୍ଷ ପରିଲକ୍ଷିତ ହୁଏ ନାହିଁ । ଅନ୍ୟାନ୍ୟ ନାଟକ ଭଳି, ଏଥିରେ ତାଙ୍କର ବାର୍ତ୍ତା ଅଛି, ଅଥଚ ନାଟକୀୟ ଦିଗଟି ସାମାନ୍ୟ ଊଣା ହୋଇଥିବା ଲକ୍ଷ୍ୟ କରାଯାଏ । କାହାଣୀଟି ଆକର୍ଷଣୀୟ ହୋଇଥିଲେ, ହୁଏତ ନାଟକୀୟ ବାତାବରଣ ଅଧିକତର ଭାବସାନ୍ଦ୍ର ହୋଇପାରିଥାନ୍ତା ।

 

“ମୃତଆସାମୀ “ ନାଟକରେ ଦେଶ ପ୍ରତି ଆନ୍ତରିକତା ରହିଛି, ଅଥଚ ଦେଶର ନିରାପତ୍ତା ବ୍ୟବସ୍ଥା କେତେ ବିପନ୍ନ ତାହା ସୂଚାଇ ଦିଆଯାଇଛି । ଆମ ଆଇନ ବ୍ୟବସ୍ଥାର କେତୋଟି ତ୍ରୁଟି ଓ ଭ୍ରମାତ୍ମକ ଦିଗ ପ୍ରତି ମଧ୍ୟ ଏଥିରେ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି । ଶେଷରେ ମିଥ୍ୟାର ଘନ କୁହେଳିକା ଭିତରେ ସତ୍ୟକୁ ଯେତେ ଘୋଡ଼ାଇ ରଖିଲେ ମଧ୍ୟ, ସତ୍ୟର ସକଳ କ୍ଷେତ୍ରରେ ବିଜୟ ହିଁ ଦେଖା ଦେଇଥାଏ – ଏହା ସଂପୃକ୍ତ ନାଟକ ମାଧ୍ୟମରେ ଦର୍ଶାଇ ଦିଆଯାଇଛି । ମାତ୍ର ରାମଚନ୍ଦ୍ରଙ୍କ ନାଟକଗୁଡ଼ିକରେ ସଫଳତା ପରିପ୍ରେକ୍ଷୀରେ ‘ମୃତଆସାମୀ’ ଏକ ଭିନ୍ନ ନାଟକ ।

 

୧୯. ଅର୍ଥ ଅନର୍ଥ (୧୯୯୨)

‘ଅର୍ଥ ଅନର୍ଥ’ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କର ଶେଷ ପୂର୍ଣ୍ଣାଙ୍ଗ ନାଟକ । ସମ୍ପୃକ୍ତ ନାଟକରେ ଯୁବପୀଢ଼ୀ ନିମିତ୍ତ ଆଦର୍ଶ ଚରିତ୍ର ରୂପେ ଜଲି ଏବଂ ମନୁ ଚରିତ୍ର ଦୁଇଟି ପ୍ରମୁଖ ଗୁରୁତ୍ଵ ଦିଆଯାଇଛି-। ସଂପୃକ୍ତ ଦୁଇ ଚରିତ୍ର ମାଧ୍ୟମରେ ଯୁବ ସମାଜ ନିକଟରେ ଚାକିରି ପ୍ରତି ବୀତଶ୍ରଦ୍ଧତା, ଗାଁ ଭୂଇଁରେ ରହି ଜନସେବା କରିବାର ପ୍ରୟାସ, ସଚ୍ଚୋଟ ଓ ସଚ୍ଚରିତ୍ର ହେବାର ବଳିଷ୍ଠ ମନୋଭାବ ଇତ୍ୟାଦି ନାଟ୍ୟକାର ଉପସ୍ଥାପନ କରିଅଛନ୍ତି ।

 

ଗୋଟିଏ ସାଧାରଣ କୃଷିଜୀବୀ ପରିବାର ଭିତରେ ମନୁର ଜନ୍ମ । ଘରେ ତା’ର ବଡ଼ଭାଇ କୁଳମଣି ଏବଂ ଭାଉଜ ତାରା, ଯାହାଙ୍କ ସ୍ନେହ, ଶ୍ରଦ୍ଧା ଭିତରେ ସମାପ୍ତ ହୁଏ ମନୁର ଶିକ୍ଷା । ଶିକ୍ଷିତ ମନୁ ଚାକିରି ପନ୍ଥରେ ଅନୁଧାବନ ନକରି, ଗାଁର ଠିକାଦାର ସିଂ ବାବୁଙ୍କୁ ତାଙ୍କ କାମରେ ସହାୟତା କରିଛି । ତାଙ୍କର ଆର୍ଥିକ ଉନ୍ନତି ଦ୍ଵାରା ସେ ଅନେକ କଳକାରଖାନାର ମାଲିକ ହୋଇ ପରିଚାଳନାର ଗୁରୁଦାୟିତ୍ଵ ମନୁଙ୍କ ଉପରେ ନ୍ୟସ୍ତ କରିଛନ୍ତି । ମନୁଙ୍କୁ ସଚ୍ଚୋଟତାର ସିଂ ବାବୁଙ୍କର ଉତ୍ତରୋତ୍ତର ଉନ୍ନତି ଘଟିଛି ।

 

ସିଂ ବାବୁଙ୍କର ଆକସ୍ମିକ ଉନ୍ନତିକୁ ସହ୍ୟ କରିପାରି ନାହିଁ ଗୁଣ ମହାନ୍ତି । ଖଳ ଗୁଣ ମହାନ୍ତିର ଇଚ୍ଛା, କେମିତି ହେଲେ ମନୁକୁ ନିଜ ଝିଅ ଜଲି ସହିତ ବିବାହ ଦେଇ ଜାମାତା କରାଇ ପାରିଲେ, ଅନ୍ତତଃ ସିଂ ବାବୁଙ୍କ ଉନ୍ନତି ବାଧାପ୍ରାପ୍ତ ହେବ । ଏଥି ନିମିତ୍ତ ମଧ୍ୟ ସେ ମନୁର ବଡ଼ଭାଇ କୁଳମଣି ଓ ଭାଉଜ ତାରାଙ୍କ ନିକଟରେ ବିବାହ ପ୍ରସ୍ତାବ ଆଗତ କରିଛନ୍ତି । ଗୁଣ ମହାନ୍ତିଙ୍କ କନ୍ୟା ମିସ୍ ଜଲି ଉଚ୍ଚଶିକ୍ଷିତା, ସିଂ ବାବୁଙ୍କ ପୁଅ ଦେବେନ୍ଦ୍ରଙ୍କ ସହିତ ତାଙ୍କର ସମ୍ପର୍କ ଘନିଷ୍ଠ । ଧୂର୍ତ୍ତ ଗୁଣ ତେଣୁ ନିଜର ମତ ପରିବର୍ତ୍ତନ କରି, ମନୁ ପରିବର୍ତ୍ତେ, ଦେବେନ୍ଦ୍ରଙ୍କୁ ଜାମାତା ରୂପେ ଗ୍ରହଣ କରିବାର ପ୍ରଯତ୍ନ କଲେ । କାରଣ ଦେବେନ୍ଦ୍ରଙ୍କୁ ଜାମାତା କରିପାରିଲେ, ସିଂ ବାବୁଙ୍କର ବିପୁଳ ସମ୍ପତ୍ତିକୁ ଆବଶ୍ୟକ ସ୍ଥଳେ ଆପଣା ନାମରେ କରାଇହେବ ।

 

ମନୁଙ୍କର ଏ ଦୁର୍ଘଟଣା ଦେଖି ଅନ୍ୟମାନେ ଆଶ୍ଚର୍ଯ୍ୟ ହେଲେ । ତାଙ୍କର ସୁସ୍ଥତା ନିମିତ୍ତ ସିଂ ବାବୁଙ୍କ ତରଫରୁ ସବୁପ୍ରକାରର ସୁବ୍ୟବସ୍ଥା କରାଗଲା, ମନୁ ନିଜ ଘରେ ନିଜ ଭାଇ ଭାଉଜଙ୍କ ନିକଟରେ ରହି ଚିକିତ୍ସିତ ହେଲେ । ନିଜର ଧୂର୍ତ୍ତ ପିତା ଗୁଣଙ୍କର ସକଳ ଖଳ ପ୍ରକୃତି ସଂପର୍କରେ ଜାଣିବା ପରେ, ମିସ୍ ଜଲି ଆନ୍ତରିକତାର ସହିତ ମନୁ ବାବୁଙ୍କର ସେବା ସୁଶ୍ରୂଷା କଲେ । ଗୁଣ ପୁନର୍ବାର ମନୁଙ୍କ ପ୍ରତି ଢଳି ପଡ଼ିଲେ ଓ ମନୁଙ୍କୁ ଜ୍ଵାଇଁ କରିବାକୁ ପ୍ରସ୍ତାବ ଦେଲେ ମନୁ କିନ୍ତୁ ମିସ୍ ଜଲିକୁ ଭଉଣୀ ଦୃଷ୍ଟିରେ ଦେଖି, ତାଙ୍କୁ ଭଉଣୀ ବୋଲି ସମ୍ବୋଧନ କରିଛନ୍ତି ଏବଂ ନିଜର ବନ୍ଧୁ ଦେବେନ୍ଦ୍ର ବାବୁଙ୍କ ସହିତ ଜଲିଙ୍କର ବିବାହ କରାଇ ଦେଇଛନ୍ତି ।

 

ସଂପୃକ୍ତ ନାଟକରେ ଜଲି ଚରିତ୍ରଠାରୁ ମନୁ ଚରିତ୍ରଟି ହୋଇଛି ଆଦର୍ଶ ସ୍ଥାନୀୟ ଏବଂ ମହନୀୟ । ଶିକ୍ଷିତ ଯୁବକ ଭାବରେ ମନୁ ନିଜର ଭାଇଭାଉଜଙ୍କୁ ପିତାମାତାଙ୍କ ଭଳି ସମ୍ମାନ କରିଛି-। ସମସ୍ତଙ୍କ ପ୍ରତି ରହିଛି ତାଙ୍କର ଆଦର ଓ ସମ୍ମାନ । ଗ୍ରାମ୍ୟ ଜନତାଙ୍କ ଆର୍ଥିକ ଉନ୍ନତି ନିମିତ୍ତ ସେ ଗାଁରେ କାରଖାନା କରାଇଛି, ଅଥଚ ସେଇ ଅକୃତଜ୍ଞ ଲୋକେ ତାକୁ ଆଘାତ ଦେଇଛନ୍ତି । ପୁନଶ୍ଚ ଆପେ ମିସ୍ ଜଲିଙ୍କ ଭଳି ଜଣେ ସୁଶିକ୍ଷିତ ଯୁବତୀକୁ ବିବାହ କରିବାର ପ୍ରଲୋଭନ ତ୍ୟାଗ କରିଛି । ସବୁ ଦୃଷ୍ଟିରୁ ଜଣେ ଉଚ୍ଚ ଆଦର୍ଶ ସ୍ଥାନୀୟ ମଣିଷ ଭାବରେ, ମନୁର ଆଦର୍ଶ ଉଦାହରଣୀୟ ।

 

ଘ. ରାମଚନ୍ଦ୍ରଙ୍କ ଛୋଟ ନାଟକ :

ନାଟ୍ୟପୁରୁଷ ରାମଚନ୍ଦ୍ର ମିଶ୍ର ସର୍ବାନ୍ତକରଣରେ ଥିଲେ ଜଣେ ସଫଳ ନାଟ୍ୟଶିଳ୍ପୀ । ମଞ୍ଚନାଟକ ରଚନା ସହିତ ସେ କେତୋଟି ବେତାର ରଚନା କରିଥିଲେ । ଏସବୁକୁ ଛୋଟ ନାଟକ ଅଭିଧାନରେ ଚିହ୍ନିତ କରାଯାଇପାରେ ।

 

୧. ପ୍ରତୀକ୍ଷା (୧୯୫୮)

୨. ପ୍ରବାସୀ (୧୯୫୯)

୩. ପଡ଼ୋଶୀ (୧୯୬୦)

୪. ଆବିଷ୍କାର (୧୯୭୦)

୫. ରଜତ ଜୟନ୍ତୀ (୧୯୮୫)

୬. ମନ୍ତ୍ରୀଯୁଗ (୧୯୯୧୦

      କ. ଆଶା- ନିରାଶା (୩-୧୧-୯୧)

      ଖ. ମନ୍ତ୍ରୀ ଆସିବେ (୧୧-୧୨-୯୧)

      ଗ. ଭୋଟ ସଂସାର (୭-୧୨-୯୧)

୭. ପାଞ୍ଚ ଏକର ଜମି (୧୯୯୨) ଅସମ୍ପୂର୍ଣ୍ଣ ।

 

୧. ପ୍ରତୀକ୍ଷା

‘ପ୍ରତୀକ୍ଷା’, ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ଦ୍ଵାରା ରଚିତ ନାରୀ ମନସ୍ତତ୍ତ୍ଵଭିତ୍ତିକ ଏବଂ ସଫଳ ଏକାଙ୍କିକା । ଏହା ୧୯୫୮ ରେ ରଚିତ ହୋଇଥିଲା ଏବଂ ଅପ୍ରେଲ ୨୦ ତାରିଖରେ ଦିଲ୍ଲୀ ଆକାଶବାଣୀ ପ୍ରୟୋଜିତ “ସାହିତ୍ୟ ସମାରୋହ”ରେ ନାଟ୍ୟକାରଙ୍କ ଦ୍ଵାରା ପାଠ କରାଯାଇଥିଲା । ଏହାର ଆଲୋଚନାରେ ଅନେକ କୃତିବିଦ୍ୟ ସମାଲୋଚକ ଅଂଶଗ୍ରହଣ କରିଥିଲେ ଓ ଏହା ଏକ ଭାବୋଦ୍ଦୀପକ ରଚନା ବୋଲି ସେଠାରେ ଅଭିମତ ପ୍ରକାଶ ପାଇଥିଲା । ସେପ୍ଟେମ୍ବର ୨୬ ତାରିଖ ୧୯୫୯ରେ ଏହା ଆକାଶବାଣୀ କେନ୍ଦ୍ର ଦ୍ଵାରା ପ୍ରଚାରିତ ହୋଇଥିଲା ।

 

ନାରୀ ମନସ୍ତତ୍ତ୍ଵକୁ ନେଇ, ନାରୀ ହୃଦୟର ଗୋପନ ଭାଷାକୁ ସମ୍ପୃକ୍ତ ନାଟକରେ ପ୍ରକାଶ କରାଯାଇଛି । ସମ୍ପୃକ୍ତ ନାଟକରେ ମାତ୍ର ରହିଛି ତିନିଗୋଟି ଚରିତ୍ର । ଅଜିତ, ମନୋଜ ଏବଂ ବାସନ୍ତୀ-। ଅଜିତ ଓ ବାସନ୍ତୀ ସ୍ଵାମୀ ସ୍ତ୍ରୀ । ଉଭୟଙ୍କ ମଧ୍ୟରେ ରହିଛି ଗଭୀର ପ୍ରେମ, ଯାହା ଦୃଢ଼ ପ୍ରତ୍ୟୟ ଉପରେ ଆଧାରିତ । ବାସନ୍ତୀ ସ୍ଵାମୀ ସୋହାଗିନୀ, ଅଜିତ ପତ୍ନୀଗତ ପ୍ରାଣ । ଦୁହେଁ ଦୁହିଁଙ୍କ ନିମିତ୍ତ ବ୍ୟାକୁଳ । ବାସନ୍ତୀକୁ ଅଜିତ ଏକଦା ‘ଛଳନା ମୟୀ’ ଶୀର୍ଷକ ଉପନ୍ୟାସ ପାଠ କରିବା ନିମିତ୍ତ ସୁଯୋଗ ପ୍ରଦାନ କରିଅଛନ୍ତି । ଏହା ଅଧ୍ୟୟନ କରିବା ପରେ, ଏଥିରେ ନିଜର ପ୍ରତିଛବି ଦେଖିଛନ୍ତି ବାସନ୍ତୀ । ଉପନ୍ୟାସର ଲେଖକ ହେଲେ ମନୋଜ, ବାସନ୍ତୀଙ୍କ ସହିତ ଯାହାଙ୍କର ଏକଦା ପ୍ରେମ ଥିଲା କୁମାରୀ ଜୀବନର ବାସନ୍ତୀ ମନୋଜକୁ ମନପ୍ରାଣ ସମର୍ପି ଦେଇଥିଲେ । ମାତ୍ର ଘଟଣା ଚକ୍ରରେ କୁମାରୀ ବାସନ୍ତୀ, ଏବେ ଅଜିତ୍‍ବାବୁଙ୍କର ପତ୍ନୀ ।

 

ଉପନ୍ୟାସଟି ପାଠ କରିବା ପରେ ବାସନ୍ତୀ ହୋଇଛନ୍ତି ସନ୍ତୁଳିତ । ସେ ଅନୁଭବ କରିଛନ୍ତି, ମନୋଜ ତାଙ୍କୁ ଭୁଲ ବୁଝିଛନ୍ତି, କାରଣ ଜଣେ ନାରୀ ସାମାଜିକ ବ୍ୟବସ୍ଥା ଭିତରେ କେତେଦୂର ଉପାୟଶୂନ୍ୟ, ତାହା ମନୋଜ ହୃଦୟଙ୍ଗମ ପାରି ନାହାନ୍ତି । ପ୍ରେମିକା ବାସନ୍ତୀ ଉପରେ ପ୍ରତିଶୋଧ ପରାୟଣ ହୋଇ, ମନୋଜ ଏପରି ଏକ ଉପନ୍ୟାସ ରଚନା କରିଥିବା ପ୍ରସଙ୍ଗ ଉପଲବ୍ଧି କରିଛନ୍ତି ବାସନ୍ତୀ ।

 

ଅପମାନ ଜର୍ଜରିତା ଓ ସନ୍ତୁଳିତ ବାସନ୍ତୀ, ଏଥର କୌଣସି ଉପାୟ ନପାଇ ଆତ୍ମଗ୍ଲାନିରୁ ମୁକ୍ତି ପାଇବାକୁ ଘୋର ବର୍ଷା ବିତ୍ପାତ ସତ୍ତ୍ଵେ, ମନୋଜଙ୍କ ଘରେ ଏକାକିନୀ ଉପସ୍ଥିତ ହୋଇଛନ୍ତି । ଛଦ୍ମ ନାମରେ ବାସନ୍ତୀ ଚରିତ୍ରଟି ପ୍ରତି, ଲେଖକ କିପରି ଏମିତି ଅବିଚାର କଲେ ତାହା ମଧ୍ୟ ସେ ଦର୍ଶାଇଛନ୍ତି । ଚରିତ୍ର ଚିତ୍ରଣଗତ ବ୍ୟତିକ୍ରମ ନିମିତ୍ତ ସେ ଗଭୀର ଦୁଃଖରେ ଆହତ ହୋଇଛନ୍ତି ।

 

ସ୍ଵାମୀ ଅଜିତ୍‍ବାବୁ ଘରକୁ ଆସି, ବାସନ୍ତୀକୁ ନ ଦେଖି ଗଭୀର ଭାବରେ ଚିନ୍ତିତ ହୋଇପଡ଼ିଛନ୍ତି । ମାନସିକ ସନ୍ତୁଳିତ ଓ ବର୍ଷାଭିଜା ଶରୀର ନେଇ ପହଞ୍ଚିଛନ୍ତି ବାସନ୍ତୀ । ଦେହରେ ତାଙ୍କର ଭରିଯାଇଛି ଉତ୍ତାପ । ଅଜିତ୍‍ବାବୁ ବାସନ୍ତୀର ସେବାସୁଶ୍ରୂଷାରେ ମନପ୍ରାଣ ଢାଳି ଦେଇଛନ୍ତି-। ବାସନ୍ତୀ ଏଥର ଅଜିତଙ୍କ ନିକଟରେ ନିଜକୁ ଦୋଷୀ ବୋଲି ଅନୁଭବ କରିଛନ୍ତି । ଶେଷରେ ବାସନ୍ତୀଙ୍କର ଅକାଳ ବିୟୋଗ ଘଟିଛି । ବାସନ୍ତୀଙ୍କ କ୍ଷୀଣ କଣ୍ଠର ସ୍ଵର ଶୁଣିପାରିଛି ଅଜିତ - “ମନୋଜବାବୁ ମୋତେ ଭୁଲ ବୁଝିଲେ, ମୋତେ ହରାଇ ସେ ହିଂସ୍ର ହୋଇ ଉଠିଲେ । ଯାହା ଫଳରେ ଲେଖିଲେ ଛଳନାମୟୀ, ମୋରି ଭଲପାଇବାକୁ ବିଦ୍ରୁପ କରି- ମୁଁ ତାହା ସହ୍ୟ କରିପାରିଲି ନାହିଁ …. ଅଜିତ୍‍ବାବୁ ମୁଁ ତାକୁ ସହ୍ୟ କରିପାରିଲି ନାହିଁ । ମନୋଜବାବୁଙ୍କ ସହିତ ଦେଖା ହେଲେ କହିବେ, ବାସନ୍ତୀ ତାକୁ ତାର ଶେଷ ନିଃଶ୍ଵାସ ପର୍ଯ୍ୟନ୍ତ କିପରି ଭଲ ପାଉଥିଲା । ଏବେ ବି ମୁଁ ତାଙ୍କରି ଅପେକ୍ଷାରେ । ଏତିକି ଭିକ୍ଷା ମୋର ଅଜିତ୍‍ବାବୁ, ଏତିକି ଭିକ୍ଷା । ”

 

(ପ୍ରତୀକ୍ଷା ପାଣ୍ଡୁଲିପି- ପୃଷ୍ଠା-୨୭)

 

ବାସନ୍ତୀର କରୁଣ ମୃତ୍ୟୁରେହିଁ ଏକାଙ୍କିକାଟିର ସମାପ୍ତି ଘଟିଛି, ଅଥଚ ସୀମିତ ସମୟସୀମା ମଧ୍ୟରେ ଜଣେ, ପତ୍ନୀ ଓ ପ୍ରେମିକା ରୂପରେ ବାସନ୍ତୀ ବ୍ୟକ୍ତିତ୍ଵର ଦୈତସତ୍ତା ଓ ଗଭୀର ଅନୁତାପ ହିଁ ଭାବୋବ୍ଦୀପକ ହୋଇପାରିଛି ।

 

୨। ପ୍ରବାସୀ :

ପ୍ରବାସୀ କଲିକତାଠାରେ ଅନୁଷ୍ଠିତ ନାଟ୍ୟକାର ଓ ଭବିଷ୍ୟତ ନାଟ୍ୟକାର ସମ୍ମେଳନରେ ୨୫ ଫେବୃଆରୀ ୧୯୫୯ ମସିହାରେ ପ୍ରବାସୀ ନାଟ୍ୟକାରଙ୍କ ଦ୍ଵାରା ପଠିତ ଓ ଅନ୍ୟମାନଙ୍କ ଦ୍ଵାରା ଆଲୋଚିତ ହୋଇଥିଲା । ପରେ ପରେ ୧୬ ନଭେମ୍ବର ୧୯୬୩ ମସସିହାରେ ଏହା କଟକ ଆକାଶବାଣୀ କେନ୍ଦ୍ର ଦ୍ଵାରା ବେତାର ନାଟକ ଭାବରେ ପ୍ରସାରିତ ହୋଇଥିଲା । ନାଟ୍ୟକାର ପ୍ରବାସୀ ଶବ୍ଦଟିକୁ ତୀକ୍ଷ୍ମ ଭାବରେ ସେକାଳର ସାମାଜିକ ପରିପ୍ରେକ୍ଷୀରେ ନଜର ରଖିବା ସହିତ ଏହାର ବିଶ୍ଲେଷଣ କରିଥିଲେ । ଭାରତ ବର୍ଷର ବିଭିନ୍ନ ସ୍ଥାନରେ ବିବିଧ ପ୍ରବାସୀ ଅନୁଷ୍ଠାନମାନ ଦେଖା ଦେଇଥିଲା । ନିଜ ଦେଶରେ ଅଧିବାସୀ, ନିଜ ଦେଶରେ ପ୍ରବାସୀ ବୋଲାଇବା ଘଟଣା ପ୍ରକୃତରେ ଏକାନ୍ତ ଲଜ୍ଜାଜନକ ବ୍ୟାପର । ପ୍ରବାସୀ ଶବ୍ଦଟିକୁ ଭିତ୍ତି କରି ଗଢ଼ି ଉଠିଥିବା ଏପରି ଏକ ବିକଳ ମାନସିକତାକୁ ନେଇ ନାଟ୍ୟକାର ସୁନ୍ଦର ଭାବରେ ସମ୍ପୃକ୍ତ ନାଟକଟିକୁ ଉପସ୍ଥାପନ କରିଛନ୍ତି-

 

ନାଟକର କାହାଣୀ ହୋଇଛି ସମ୍ବେଦନଶୀଳ । ବିଶୁବାବୁ ଓ ସୁମିତ୍ରା ଉଭୟ ଓଡ଼ିଶା ବାହାରର ହେଲେ ମଧ୍ୟ ଓଡ଼ିଶାର ଦୀର୍ଘକାଳ ଧରି ରହିଆସିଛନ୍ତି । ଦୁହେଁ ପୁଣି ଓଡ଼ିଶାର ସାଂସ୍କୃତିକ ପରମ୍ପରା ଓ ଭାଷା ସହିତ ଘନିଷ୍ଠ ହୋଇଛନ୍ତି । ସେମାନଙ୍କ ସନ୍ତାନ ଦୁଇଟିଙ୍କର ଜନ୍ମ ଏଇ ଓଡ଼ିଶାରେ, ସେମାନଙ୍କ ଶିକ୍ଷାଦୀକ୍ଷା ମଧ୍ୟ ଓଡ଼ିଶାରେ ସମ୍ପନ୍ନ ହୋଇଛି । ଅଥଚ ଚାକିରି ଶେଷ ହେବା ପରଠାରୁ, ବିଶୁବାବୁଙ୍କୁ ଓଡ଼ିଶା ଛାଡ଼ି ନିଜ ଦେଶକୁ ଚାଲିଯିବା ନିମିତ୍ତ ସୁମିତ୍ରା ପ୍ରବର୍ତ୍ତାଇଛନ୍ତି-। କାରଣ ଓଡ଼ିଶାରେ ସେମାନେ ପ୍ରବାସୀ, ତେଣୁ କନ୍ୟା ପାଇଁ ବର ଓ ପୁତ୍ର ନିମିତ୍ତ ବଧୂଟିଏ ମିଳିବା ଏଠାରେ ଅସମ୍ଭବ ହୋଇପଡ଼ିବ । ମାତ୍ର ବିଶୁବାବୁଙ୍କର ଓଡ଼ିଶା ସହିତ ଯାବତୀୟ ଘନିଷ୍ଠତା, ଯାହାକୁ ଏଡ଼ାଇଦେଇ ଯିବା ତାଙ୍କ ପକ୍ଷରେ ସମ୍ଭବ ହୋଇନାହିଁ । ପୁତ୍ର ଜୟନ୍ତ ଓ କନ୍ୟା ଉମା ମଧ୍ୟ ଓଡ଼ିଶାର ମାୟା ବିସ୍ମୃତ ହୋଇଯିବାକୁ ଆଗ୍ରହ ନୁହଁନ୍ତି ।

 

ସୁମିତ୍ରାଙ୍କ ପ୍ରରୋଚନାରେ ସମସ୍ତେ ଓଡ଼ିଶା ତ୍ୟାଗ କରିବାକୁ ବ୍ୟବସ୍ଥା କରୁଥିବା ସମୟରେ, ପୁଅ ଜୟନ୍ତର ପ୍ରେମିକା ଇଲାଠାରୁ ଫୋନ୍ ଆସିଛି । ଇଲା ଜୟନ୍ତକୁ ଭଲପାଏ, ଏବଂ ତାକୁ ବିବାହ କରିବାକୁ ଇଚ୍ଛା କରେ । ଏପରିକି ଜୟନ୍ତ ପାଇଁ ସେ ନିଜର ଘର ଦ୍ଵାର ପରିବାର ତ୍ୟାଗ କରି ଦେବାକୁ ଇଚ୍ଛା କରେ । ଏଥିରେ ଆଶ୍ଚର୍ଯ୍ୟ ହୋଇଛନ୍ତି ବିଶୁବାବୁ ଏବଂ ପତ୍ନୀ ସୁମିତ୍ରା । ଅନୁରୂପ ଘଟଣା ଘଟିଛି ଉମା କ୍ଷେତ୍ରରେ । ଉମାକୁ ବିବାହ କରିବା ନିମିତ୍ତ ମନୋହର ଆପଣା ତରଫରୁ ମଧ୍ୟ ପ୍ରସ୍ତାବ ଆଗତ କରିଛି । ମନୋହରଙ୍କୁ ସର୍ବାନ୍ତକରଣରେ ଗ୍ରହଣ କରିଥିବା ଉମା ମଧ୍ୟ, ଏଥିରେ ଆଗ୍ରହର ସହିତ ସହମତି ଜଣାଇଅଛି ।

 

ପୁଅ ଜୟନ୍ତ ଓ ଝିଅ ଉମାଙ୍କର ଓଡ଼ିଶା ପ୍ରତି ଆକର୍ଷଣ, ମନୋହର ଏବଂ ଇଲାଙ୍କର ପ୍ରବାସୀ ଉମା ଓ ଜୟନ୍ତଙ୍କ ପ୍ରତି ସମଧରଣର ଆନ୍ତରିକତା, ସର୍ବୋପରି ସ୍ଵାମୀ ବିଶୁବାବୁଙ୍କର ଓଡ଼ିଶାକୁ ଆପଣେଇ ନେବାର ସତତଃ ଆଗ୍ରହ ନିକଟରେ ବାଧ୍ୟ ହୋଇ ସୁମିତ୍ରା, ଓଡ଼ିଶା ତ୍ୟାଗ କରିବାର ସିଦ୍ଧାନ୍ତକୁ ପରିବର୍ତ୍ତନ କରାଇଛନ୍ତି । ସୁମିତ୍ରାଙ୍କ ପ୍ରତି ଏଥର ନିଜସ୍ଵ ଅନୁଭବ ପ୍ରକାଶ କରି ସ୍ଵାମୀ ବିଶୁ କହିଛନ୍ତି- ହଁ ଖାଲି ଶୁଣିନାହିଁ ଜୟୀ ବୋଉ, ଦିବ୍ୟ ଦୃଷ୍ଟିରେ ଦେଖିପାରୁଛି….ଅଚିରେ ଏଇ ଦେଶର ଯୁବକଯୁବତୀଙ୍କ ସାହାଯ୍ୟରେ ସୃଷ୍ଟି ହେବ ଏକ ମହାଭାରତୀୟ ଭାଷା, ଏକ ମହାନ ମହାଭାରତୀୟ ଜାତି…… ଏ ଦେଶରେ ନୂତନ ଇତିହାସ ଲେଖା ହେବ ସେଇମାନଙ୍କ ଦ୍ଵାରା ଏଇ ମାଟିର ମଣିଷ ହୋଇ, ଏଇ ମାଟି ଉପରେ ଠିଆ ହୋଇ, ଆଉ ଆମେ କହିବା ନାହିଁ, ଆମେ ପ୍ରବାସୀ । (ପ୍ରବାସୀ- ପାଣ୍ଡୁଲିପି- ପୃଷ୍ଠା- ୩୦)

 

ପ୍ରବାସୀ ବୋଧର ଦୈନ୍ୟ ମାନସିକତାକୁ ଏଡ଼ାଇ ଦେଇ, ସବୁରି ଭିତରେ ଜାତିପ୍ରୀତି, ଦେଶାତ୍ମବୋଧ ଆଣି, ଜାତୀୟ ଐକ୍ୟ ଓ ସଂହତି ରକ୍ଷା କରିବାର ଆଦର୍ଶବୋଧଟି, ସମ୍ପୃକ୍ତ ଏକାଙ୍କିକାଟିରେ ହୋଇଛି ପ୍ରମୂର୍ତ୍ତ । ତେବେ ନାଟ୍ୟକାରଙ୍କର ସେଇ ମହାଭାରତୀୟ ଭାବନା ପ୍ରତି ସମ୍ମାନବୋଧ, ଏହା ମାଧ୍ୟମରେ ହୋଇଛି ସାକାର ।

 

୩. ପଡ଼ୋଶୀ (୧୯୬୦)

ସାମାଜିକ ଜୀବନରେ ସାଂସ୍କୃତିକ ଅବକ୍ଷୟ, ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ମନୋଭୂମିରେ ସୃଷ୍ଟି କରିଥିବା ଗଭୀର ଆଲୋଡ଼ନର ସାରସ୍ଵତ ପ୍ରତିକ୍ରିୟା ହିଁ ହେଉଛି ତାଙ୍କ ରଚିତ ନାଟକ ପଡ଼ୋଶୀ । ଏହି ବେତାର ନାଟକଟି ୨୯ ଫେବୃଆରୀ ୧୯୬୦ ମସିହାରେ ଆକାଶବାଣୀ, କଟକ କେନ୍ଦ୍ର ଦ୍ଵାରା ପ୍ରସାରିତ ହୋଇଥିଲା । ନାଟକ ସମ୍ପର୍କୀୟ ଲେଖକୀୟ ବକ୍ତବ୍ୟଟି ଏକାନ୍ତ ସ୍ପଷ୍ଟ- ପାରିପାଶ୍ଵିକ ଅବସ୍ଥା, ମଣିଷ ଉପରେ କି ପ୍ରକାର ପ୍ରଭାବ ବିସ୍ତାର କରିଥାଏ, ସେଇ ପ୍ରଭାବର ବଶବର୍ତ୍ତୀ ହେଲେ ଅବସ୍ଥା କଣ ହୁଏ, ଏହାକୁ ଲକ୍ଷ୍ୟ କରି, ନୂଆ ରାଜଧାନୀରେ ଚାକିରୀ କରୁଥିବା ଦୁଇଟି ପରିବାରର ଚିତ୍ର ନିଆଯାଇ ଅବଶ୍ୟ ଏହାର ନାମକରଣ କରାଯାଇଛି ପଡ଼ୋଶୀ । (ପଡ଼ୋଶୀ- ପାଣ୍ଡୁଲିପି)

 

“ପଡ଼ୋଶୀ” ନାଟକରେ ଦୁଇ ପଡ଼ିଶା ପ୍ରସଙ୍ଗ ଉପସ୍ଥାପିତ । ଗୋଟିଏ ପରିବାରରେ ଅଛନ୍ତି ସ୍ଵାମୀ ବସନ୍ତ ଓ ସ୍ତ୍ରୀ ମିନା, ଦ୍ଵିତୀୟ ପରିବାରରେ ଅଛନ୍ତି ସ୍ଵାମୀ ଆନନ୍ଦ ଓ ସ୍ତ୍ରୀ ସୀତାଦେବୀ-। ଦୁଇ ପରିବାରର ପଡ଼ୋଶୀ, ଅଥଚ ଆଚାର-ଆଚରଣରେ ପରସ୍ପର ମଧ୍ୟରେ ଅସାମାନ୍ୟ ପାର୍ଥକ୍ୟ । ବସନ୍ତ ଓ ମିନା ପାଶ୍ଚାତ୍ୟାନୁରାଗୀ, ପାରମ୍ପରିକ ଚଳଣିଠାରୁ ଏମାନେ ଦୂରେଇ ଯାଇ ନବ୍ୟ-ସଭ୍ୟତା ନାମରେ ପାଶ୍ଚାତ୍ୟ ଭାବ-ଭାବନାକୁ ଗ୍ରହଣ କରିଛନ୍ତି । ସେମାନଙ୍କ ଚଳଣୀରେ ସେଇ ଉଗ୍ର ଆଧୁନିକତା ।

 

ଅପରପକ୍ଷରେ ଅଛନ୍ତି ଆନନ୍ଦ, ଯେ ଭୁବନେଶ୍ଵରରେ ଚାକିରି କରନ୍ତି, ତାଙ୍କ ପତ୍ନୀ ସୀତା ଦେବୀ ଗ୍ରାମୀଣ ମହିଳା ଭାବରେ ଗ୍ରାମରେ ରହନ୍ତି । ଘଟଣାଚକ୍ରରେ ସୀତାଦେବୀ ଆସି ସହରରେ ସ୍ଵାମୀଙ୍କ ସହିତ ରହିଛନ୍ତି । ପ୍ରତିବେଶୀ ବସନ୍ତ ଓ ମିନାଙ୍କ ଚଳଣୀ ଓ ବାହ୍ୟ ଚାକଚକ୍ୟକୁ ଦେଖି ସେ କ୍ରମେ ଏଥିପ୍ରତି ଆଗ୍ରହୀ ହୋଇଛନ୍ତି । ଜଣେ ଗ୍ରାମ୍ୟ ମହିଳା ଭାବରେ ସୀତା ଦେବୀ ଥିଲେ ପତିବ୍ରତା, ସ୍ଵାମୀ ସୋହାଗିନୀ, ପ୍ରାଚ୍ୟ ଜୀବନ ଧାରାର ସଂବାହିକା ଜଣେ ଆଦର୍ଶ ଗୃହିଣୀ । ମାତ୍ର ସମୟ ଓ ପ୍ରତିବେଶିନୀ ମିନାର ରୁଚି ସହିତ ତାଳ ଦେଇ ତାଙ୍କ ଚଳଣିରେ ଆଣିଛନ୍ତି ପରିବର୍ତ୍ତନ । ଏଇ ପରିବର୍ତ୍ତନକୁ ପୁଣି ହୋଇଛି ଅସାମାନ୍ୟ । କାରଣ ଏକଦା ପତି-ଅନୁରକ୍ତା ସୀତାଦେବୀ ସହରି ଚଳଣୀରେ ଉଗ୍ର ଆଧୁନିକତା ସାଜିଛନ୍ତି ଏବଂ ସ୍ଵାମୀଙ୍କ କଥାରୁ ମଧ୍ୟ ବହିର୍ଭୂତା ହୋଇଛନ୍ତି । ଆନନ୍ଦଙ୍କ ପିତାଙ୍କର ଶାରୀରିକ ଅସୁସ୍ଥତା ସମ୍ବାଦରେ ଆନନ୍ଦ ଗ୍ରାମକୁ ଯିବାକୁ ଉଦ୍ୟତ ହୋଇଛନ୍ତି ଓ ସୀତାଦେବୀଙ୍କୁ ମଧ୍ୟ ସାଙ୍ଗରେ ନେଇଯିବାକୁ କହିଛନ୍ତି । ମାତ୍ର ସଦ୍ୟ-ଆଧୁନିକା ସୀତାଙ୍କ ଭିତରେ ସେବା ମନୋଭାବ ପରିବର୍ତ୍ତେ ଆସିଛି ଘୃଣା । ତେଣୁ ସେ ଗାଁକୁ ଯିବାକୁ ରୋକ୍‍ଠୋକ୍ ମନା କରି ଦେଇଛନ୍ତି । ଫଳତଃ ବାଧ୍ୟ ହୋଇ ଏକାକୀ ବାହାରିଛନ୍ତି ଆନନ୍ଦ । ମାତ୍ର ରାସ୍ତା ଦୁର୍ଘଟଣାରେ ଆନନ୍ଦଙ୍କର ଅକାଳବିୟୋଗ ଘଟିଛି ।

 

ଏକାଙ୍କିକା ‘ପଡ଼ୋଶୀ’ରେ ଦୁଇ ଭିନ୍ନମୁଖୀ ପଡ଼ୋଶୀଙ୍କ ଚିତ୍ର ସ୍ଥାପିତ । ଅଥଚ ଗୋଟାଏ ପଡ଼ୋଶୀ ପ୍ରଭାବ, ଅନ୍ୟ ଉପରେ ବିସ୍ତାରିତ ହେବାରୁ ତାଙ୍କର ଚଳଣୀରେ ପରିବର୍ତ୍ତନ ଆସିଛି । ପ୍ରକୃତରେ ଭାରତୀୟ ସଂସ୍କୃତି ଓ ଆଚାର, ଆଚରଣ ଉପରେ, ପାଶ୍ଚାତ୍ୟ ସଂସ୍କୃତିର ବ୍ୟାପକ ପ୍ରଭାବ, କିପରି ଏହାକୁ ଛିନ୍ନମୂଳ କରିବାରେ ଲାଗିଛି, ତାହାର ନଗ୍ନରୂପ ସୀତା ଚରିତ୍ର ମାଧ୍ୟମରେ ନାଟ୍ୟକାର ଦର୍ଶାଇଛନ୍ତି ।

 

୪. ଆବିଷ୍କାର (୧୯୭୦)

୧୯୭୦ ମସିହା ସ୍ଵାଧିନତା ଦିବସରେ ‘ଆବିଷ୍କାର’ ନାଟକଟି ଆକାଶବାଣୀ, କଟକ କେନ୍ଦ୍ର ଦ୍ଵାରା ପ୍ରସାରିତ ହୋଇଥିଲା । ଆମେରିକାର ଜଣେ ସମାଜ ବିଜ୍ଞାନ ପ୍ରଫେସର, ଭାରତବର୍ଷର ପାରମ୍ପରିକ ଚଳଣି ଓ ସଂସ୍କୃତିର ମହନୀୟତାକୁ ଉପଲବ୍ଧି କରିବା ପ୍ରସଙ୍ଗଟି ସମଗ୍ର ନାଟକଟିରେ ପ୍ରମୁଖ ବକ୍ତବ୍ୟ । ସମାଜ ବିଜ୍ଞାନ ପ୍ରଫେସରଙ୍କ ଅଧୀନରେ ଜଣେ ଭାରତୀୟ ଅଧ୍ୟାପକ ଗବେଷଣା କରିବା ଅବସରରେ, ପ୍ରଫେସରଙ୍କ କନ୍ୟା ସହିତ ଘନିଷ୍ଠ ହୋଇଥିଲେ । ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ପ୍ରଦାନ କରି, ଅଧ୍ୟାପକ ଭାରତ ପ୍ରତ୍ୟାବର୍ତ୍ତନ କଲେ । ଅଧ୍ୟାପକ ଜଣକ ବିବାହିତ ଓ ସନ୍ତାନର ଜନକ ବୋଲି, କେବେବି ପ୍ରଫେସରଙ୍କୁ ଜଣାଇ ନ ଥିଲେ ।

 

Unknown

ଭାରତରେ ଏକ ସମ୍ମେଳନରେ ଯୋଗ ଦେବାକୁ ଆସିଥିବା ସଂପୃକ୍ତ ଆମେରିକୀୟ ପ୍ରଫେସର, ଗବେଷକ ଅଧ୍ୟାପକଙ୍କୁ ସାକ୍ଷାତ କରିଛନ୍ତି । ଗବେଷକଙ୍କ ଗାଁ ଭୂଇଁଙ୍କୁ ଯିବାକୁ ପ୍ରଫେସର ଆଗ୍ରହୀ ଥିବାବେଳେ, ଅଧ୍ୟାପକ କିନ୍ତୁ ତାଙ୍କ ବିଭିନ୍ନ ଆଳ ଦେଖାଇ, ନିବୃତ୍ତ କରିବାକୁ ଚେଷ୍ଟା କରିଛନ୍ତି । ପ୍ରଫେସରଙ୍କ ଅସାମାନ୍ୟ ଜିଦି ହେତୁ, ଅନନ୍ୟୋପାୟ ହୋଇ, ପ୍ରଫେସରଙ୍କୁ ସାଙ୍ଗରେ ନେଇ ଗାଁକୁ ଯାଇଛନ୍ତି ଅଧ୍ୟାପକ । ପ୍ରଫେସର ଦେଖିଛନ୍ତି ତାଙ୍କର ଘର ଏବଂ ପରିବାର । ବୈଠକ ଘରେ ଦେଖିଛନ୍ତି ବୁଦ୍ଧ, ଯୀଶୁ, କୃଷ୍ଣ, ରାମ, ସୀତା, ସାବିତ୍ରୀ ପ୍ରଭୃତିଙ୍କ ଛବି । ଭାରତୀୟ ସଂସ୍କୃତିରେ ଏମାନଙ୍କ ସମ୍ମାନନୀୟ ବ୍ୟକ୍ତିତ୍ଵ ହିଁ ପୂଜନୀୟ ବୋଲି ତାଙ୍କୁ ଦର୍ଶାଇ ଦେବାରୁ, ସେ ଏସବୁର ପ୍ରଶଂସା କରିଛନ୍ତି ।

 

ପ୍ରଫେସରଙ୍କ ସହିତ କ୍ରମଶଃ ପରିଚିତ ହୋଇଛି, ଅଧ୍ୟାପକଙ୍କ ସମଗ୍ର ପରିବାର । ଅଧ୍ୟାପକଙ୍କ ମାଆ, ପୁଅକୁ ଆମେରିକା ଛାଡ଼ି ପାରିବ ନାହିଁ ବୋଲି ଦର୍ଶାଇଛନ୍ତି । କାରଣ ଏମାନଙ୍କ ବାର୍ଦ୍ଧକ୍ୟରେ, ଆମେରିକା ଗସ୍ତ କଲେ, ପୁଅ ତାଙ୍କ ପ୍ରତି ଯଥାର୍ଥ କର୍ତ୍ତବ୍ୟ କରିପାରିବ ନାହିଁ ବୋଲି ମାଆ ଦର୍ଶାଇଛନ୍ତି । ଅଧ୍ୟାପକଙ୍କ ମାଆଙ୍କଠାରୁ ଏ ସମସ୍ତ ଶୁଣି ପ୍ରଫେସର ଭାରତୀୟ ସଂସ୍କୃତିରେ ବାର୍ଦ୍ଧକ୍ୟ କାଳରେ ପୁତ୍ରର କର୍ତ୍ତବ୍ୟ ପ୍ରସଙ୍ଗକୁ ପ୍ରଶଂସା କରିଅଛନ୍ତି ।

 

 

ଅଧ୍ୟାପକଙ୍କ ପତ୍ନୀ ଆସି ପ୍ରଫେସରଙ୍କୁ ମୁଣ୍ଡିଆ ମାରି ପ୍ରଣାମ କରିଛନ୍ତି, ଭାରତବର୍ଷରେ ପିତାଙ୍କ ପ୍ରତି କନ୍ୟାର ଏତାଦୃଶ ଭକ୍ତିପୂର୍ଣ୍ଣ ବ୍ୟବହାର ଯେ ରହିଛି, ପ୍ରଫେସର ତାଙ୍କ ଜୀବନରେ ପ୍ରଥମ କରି ଏହା ଉପଲବ୍ଧି କଲେ । ଏତିକିରେ ତାଙ୍କ ଅନ୍ତରାତ୍ମା ପୂରି ଉଠିଲା । ଅଧ୍ୟାପକଙ୍କ ପିତା କ୍ଷେତରୁ ଆସି ପ୍ରଫେସରଙ୍କୁ ତାଙ୍କ ଦିଅଁ ଘର ଦେଖାଇଲେ । ଏଠାରେ ରଖାଯାଇଥିବା ପୋଥି ପୁରାଣ ଦୈନିକ ପାଠ କରାଯାଏ ଓ ସେଇ ଅନୁଯାୟୀ ଜୀବନ ଗଢ଼ାଯାଏ ବୋଲି ମଧ୍ୟ ସେ ପ୍ରଫେସରଙ୍କୁ ଦର୍ଶାଇଛନ୍ତି । ମୁଗ୍ଧ ହୋଇଛନ୍ତି ପ୍ରଫେସର ।

 

ଭାରତବର୍ଷର ଖାଦ୍ୟ ପରିବେଷଣ କଳାରେ ଚମତ୍କୃତ ହୋଇଛନ୍ତି ପ୍ରଫେସର । କାରଣ ଅଧ୍ୟାପକଙ୍କ ଘରେ ତାଙ୍କ ପାଇଁ ଠା,ପିଢ଼ା କରାଯାଇଥିଲା, ଏଥିରେ ମୁରୁଜ ପକାଯାଇ କଦଳୀ ପତ୍ରରେ ବଢ଼ାଯାଇଥିବା ସାତ୍ତ୍ଵିକ ଭୋଜନ । ଆହାର, ବିହାର, ଆଚାର, ବିଚାର ସକଳ କ୍ଷେତ୍ରରେ ଭାରତୀୟ ସଂସ୍କୃତିର ମହାନତାର ପରିଚୟ ପ୍ରାପ୍ତ ହେଲେ ଅଧ୍ୟାପକ । ସମାଜ ବିଜ୍ଞାନ ପ୍ରଫେସର ଏଥର ଭାରତୀୟ ସଂସ୍କୃତିର ସେଇ ଗୌରବାବହ ମୂଳ ସୂତ୍ରଟିକୁ, ଦୃଢ଼ ପାରିବାରିକ ବନ୍ଧନ ଭିତରେ ଆବିଷ୍କାର କରିଛନ୍ତି । ଭାରତବର୍ଷ ବିଭିନ୍ନ ସମୟରେ ବିଭିନ୍ନ ବାହ୍ୟଶତ୍ରୁମାନଙ୍କ ଆକ୍ରମଣର ଶିକାର ହୋଇଥିବା ସ୍ଥଳେ, ଏହାର ସାଂସ୍କୃତିକ ପରମ୍ପରାଟି ଅତୁଟ ରହିଛି । ସେଇ ପାରିବାରିକ ଜୀବନର ପ୍ରଗାଢ଼ ଆନ୍ତରିକ ବନ୍ଧନ ହିଁ ମୁଖ୍ୟ କାରଣ ବୋଲି, ପ୍ରଫେସର ଉପଲବ୍ଧି କରିଛନ୍ତି । ଜଣେ ପାଶ୍ଚାତ୍ୟ ଶିକ୍ଷାଭିମାନୀ ଅଧ୍ୟାପକଙ୍କ ଭ୍ରମ ଭଞ୍ଜନ ପାଇଁ, ସଂପୃକ୍ତ ନାଟକରେ ରହିଛି ପର୍ଯ୍ୟାପ୍ତ ବ୍ୟବସ୍ଥା । ଭାରତୀୟ ସଂସ୍କୃତି ଓ ଏହାର ମହାନତା ହିଁ, ସଂପୃକ୍ତ ନାଟକରେ ହୋଇଛି ଉଦ୍‍ଘୋଷିତ-

 

୫. ରଜତ ଜୟନ୍ତୀ (୧୯୮୫)

ଆଦର୍ଶବାଦର ସଚ୍ଚା ପୂଜାରୀ, ନାଟ୍ୟକାର ରାମଚନ୍ଦ୍ର, ତାଙ୍କର ପ୍ରତ୍ୟେକ ନାଟକ ଭଳି, ‘ରଜତ ଜୟନ୍ତୀ’ରେ ମଧ୍ୟ ସେଇ ଆଦର୍ଶବାଦୀ ଚିନ୍ତନ ପ୍ରକାଶ କରିଅଛନ୍ତି । ସାମାଜିକ ସ୍ତରରେ ଯୁବକ-ଯୁବତୀ ପାରସ୍ପରିକ ଆକର୍ଷଣରେ ବଶବର୍ତ୍ତୀ ହୋଇ ପ୍ରେମ କରିବା ସ୍ଵାଭାବିକ ଘଟଣା । ମାତ୍ର ସାମାନ୍ୟ ସୁବିଧା ପ୍ରାପ୍ତ ହେବା ପରେ ପ୍ରେମିକ ପ୍ରେମିକାକୁ ଅଥବା ପ୍ରେମିକ ପ୍ରେମିକାକୁ ବିସ୍ମୃତ ହେବା, ଅତୀବ ଅଶୋଭନୀୟ । ଏଇ ସମସ୍ୟାକୁ ନେଇ କ୍ଷୁଦ୍ର ନାଟକୀୟ ପରିବେଶ ଭିତରେ ସୃଷ୍ଟି ହୋଇଛି ରଜତ ଜୟନ୍ତୀ ।

 

ରଜତ ଓ ଜୟନ୍ତୀ ପ୍ରେମୀ ଯୁଗଳଙ୍କ ନିବିଡ଼ ଭଲ ପାଇବା ଅଛି । ମାତ୍ର ସ୍ଵାର୍ଥର ବଶବର୍ତ୍ତୀ ହୋଇ ଜୟନ୍ତୀ ଅନ୍ୟତ୍ର ବିବାହ କରି, ରଜତର ପ୍ରେମକୁ ପ୍ରତ୍ୟାଖ୍ୟାନ କରିଦେଇଛି । ଧନ ସମ୍ପଦ ଏବଂ ରୂପରେ ଅହଂକାରରେ ଅହଂକାରିଣୀ ଜୟନ୍ତୀ ମଧ୍ୟ ଅସମ୍ମାନ ପ୍ରଦର୍ଶନ କରିଛି । ବଡ଼ ଦୁଃଖ ଏବଂ ଦୁର୍ଭାଗ୍ୟର ବିଷୟ, ବିବାହର ମଙ୍ଗଳ ଅଳତା ଲିଭୁ ନ ଲିଭିଣୁ ଚରମ ବୈଧବ୍ୟ ଯନ୍ତ୍ରଣା ଭୋଗ କରିଛି ଜୟନ୍ତୀ । ଜୀବନରେ ଆକସ୍ମିକ ଭାବରେ ଆସିଥିବା ଅପ୍ରତ୍ୟାଶିତ ଦୁଃଖରେ ମ୍ରିୟମାଣ ହୋଇଛି ଜୟନ୍ତୀ । ଆପଣାକୁ ବଡ଼ ଅସହାୟା ମନେ କରିଛି ସେ । ପୁନଶ୍ଚ ରଜତକୁ ଆପଣେଇ ନେଇ ନିଜର ଦେହ ଓ ମନର ଦାବିକୁ ମେଣ୍ଟାଇବାର ଅଭିଳାଷ ପୋଷଣ କରିଛି ଜୟନ୍ତୀ ।

 

 

ଅଗତ୍ୟା ଜୟନ୍ତୀ ନିକଟରେ ଉପସ୍ଥିତ ହୋଇଛି ରଜତ । ଜୟନ୍ତୀର ଏଇ ଦୂରବସ୍ଥା ଦେଖି, ରଜତ ମଧ୍ୟ ଗଭୀର ଦୁଃଖରେ ତାକୁ ସମବେଦନା ଜ୍ଞାପନ କରିଛି । ଆପଣାର ଅହଂକାର ପାଇଁ, ଜୟନ୍ତୀ ଯେ ଏପରି କଠୋର ଦଣ୍ଡରେ ଦଣ୍ଡିତ ହେଲା, ତାହା ଜୟନ୍ତୀ ଉପଲବ୍ଧି କରିଛି । ରଜତ ସହିତ ମିଳିତ ହେବା ପାଇଁ ଜୟନ୍ତୀ ଇଙ୍ଗୀତ ଦେଇଛି । ମାତ୍ର ସଚ୍ଚା ପ୍ରେମିକ ରଜତ ତା ପ୍ରତି ଶୁଣାଇଛି ଆଶ୍ଵାସନା ବାଣୀ- ‘‘ଦୁଃଖ ସହିବାର ଶକ୍ତି ଭଗବାନ ତୁମକୁ ଦିଅନ୍ତୁ ।’’ ଫେରି ଯାଇଛି ରଜତ, ଗଭୀର ଦୁଃଖ ଓ ଯନ୍ତ୍ରଣାରେ ।

 

ଆଜିର ସାମାଜିକ ବ୍ୟବସ୍ଥାରେ ଯୁବକ-ଯୁବତୀଙ୍କ ମଧ୍ୟରେ ଏମିତି ଅନେକ କ୍ଷେତ୍ରରେ ପ୍ରେମ ଓ ବିବାହ ପରିଲକ୍ଷିତ । ଅଥଚ ପ୍ରେମ କରି ସ୍ଵାର୍ଥପର ହେଲେ, ଜୟନ୍ତୀ ଭଳି ଦୁଃଖ ଯନ୍ତ୍ରଣା ସାଉଁଟିବାକୁ ପଡ଼େ ବୋଲି ନାଟକରେ ନାଟ୍ୟକାର ସଚେତନ କରିଦେଇଛନ୍ତି । କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ପ୍ରେମ କରି ହୁଏ, ମାତ୍ର ସତ୍ୟ ଓ ନ୍ୟାୟକୁ ଆଖିମିଟିକା ମାରିଲେ, ଅବସ୍ଥା ଦୁର୍ବିସହ ହୋଇପଡ଼େ ବୋଲି ସଂଶିତ ଛୋଟ ନାଟକରେ ନାଟ୍ୟକାର ଦର୍ଶାଇ ଅଛନ୍ତି । ମାତ୍ର ତିନି ଗୋଟି ଦୃଶ୍ୟ ମଧ୍ୟରେ ସୀମିତ ନାଟକଟିର ସଂକ୍ଷିପ୍ତ କାହାଣୀଟି ଆକର୍ଷଣୀୟ ମନେହୁଏ ।

 

୬ .ପାଞ୍ଚ ଏକର ଜମି

ନାଟ୍ୟକାର ରାମଚନ୍ଦ୍ର ମିଶ୍ର ଜୀବନର ଶେଷମୁହୂର୍ତ୍ତ ପର୍ଯ୍ୟନ୍ତ ମଧ୍ୟ ନାଟ୍ୟ ରଚନାରେ ମନୋନିବେଶ କରି ଆପଣାର ନଟଜୀବନକୁ ସାର୍ଥକ କରିଯାଇଛନ୍ତି । ୨୬-୬-୧୯୯୨ ରିଖରେ ସେ ଶେଷ ନିଶ୍ଵାସ ତ୍ୟାଗ କଲେ । ମାତ୍ର ଏହାର ଦେଢ଼ମାସ ପୂର୍ବରୁ ସେ ରଚନା କରିଥିଲେ ତାଙ୍କର ଶେଷ ନାଟ୍ୟକୃତି ପାଞ୍ଚ ଏକର ଜମି । ୧୦-୫-୧୯୯୨ ରିଖରେ ସଂପୃକ୍ତ ନାଟକଟିର ଶୁଭାରମ୍ଭ ଘଟିଥିଲା । ଅସଂପୂର୍ଣ୍ଣ ରହିଗଲା ନାଟକ, ଅଧୁରା ରହିଗଲା ସଂଳାପ, ଅପୂର୍ଣ୍ଣ ରହିଗଲା ତାଙ୍କର ଇଚ୍ଛା । ଏହାର ଆରମ୍ଭ ପୃଷ୍ଠାରେ ଥିଲା –

 

ପାଞ୍ଚ ଏକର ଜମି

      ତା ୧୦-୫-୯୨

 

ପଲ୍ଲୀ ଗାଁର ଗୋଟିଏ ସାଧାରଣ କୃଷକ ପରିବାରର ଘର । ଘରର ବାରଣ୍ଡାଟି ଚଉଡ଼ା । ଦୁଇଚାଳି ଖୁଣ୍ଟକୁ ଧରି, ଗୋଟିଏ ବେଣା ମଶିଣା ଅର୍ଦ୍ଧେକ ଭଙ୍ଗା ହୋଇଥିବାର ଦୃଶ୍ୟ । ସମୟ ପ୍ରତ୍ୟୁଷ । ଏ ପର୍ଯ୍ୟନ୍ତ ମାଛି ଅନ୍ଧାର କଟିନାହିଁ, ଘରର ଘରଣୀ ଜେମା, ଅଗଣାର ଗୋବର ପାଣି ପକାଇ ଅଗଣା ଡେଇଁକି ଭିତରକୁ ଗଲା ।

 

ତା’ପରେ ବାହାରକୁ ଆସିଲା ଦୀନା- ବୟସ ୧୦/୧୨ ବର୍ଷ ମଧ୍ୟରେ କାନ୍ଧରେ ଜୁଆଳି, ହାତରେ ପାଞ୍ଚଣ ।

 

ଭିତରୁ ଡାକିଡାକି ଆସିଲା କୁରୁପା – ଦୀନାର ବାପ- କାନ୍ଧରେ ଲଙ୍ଗଳ ।

 

କୁରୁପା – ଦୀନା, ବଳଦ ଉପରେ ଜୁଆଳି ଦେଇ ହଳ ଯୋଚି ଦେ । ଚାଲ ମୁଁ ଲଙ୍ଗଳ ଲଦି ଦେଉଛି - ତୁ ହଳ ପରେ ଆମ୍ବ କିଆରି ମୁଣ୍ଡରେ ଠିଆ କରେଇବୁ । ଦେଖ୍ ବଳଦଙ୍କୁ ମାରଧର କରିବୁନି । ସେମାନେ ସିଧା ସିଧା ଆମ ବିଲକୁ ଯିବେ – ତୁ ଖାଲି ତାଙ୍କ ପଛେ ପଛେ ଥିବୁ ।

 

୭. ମନ୍ତ୍ରୀ ଯୁଗ

ରାମଚନ୍ଦ୍ର ମିଶ୍ର ଥିଲେ ବ୍ୟକ୍ତି ଜୀବନର ସଂଗ୍ରାମୀ ଏବଂ ଜଣେ ସଚ୍ଚାକର୍ମୀ । ପ୍ରଖ୍ୟାତ ସ୍ଵାଧିନତା ସଂଗ୍ରାମୀ ଗୋବିନ୍ଦ ମିଶ୍ର ଥିଲେ ତାଙ୍କର ଦଦେଇ ଓ ପ୍ରକାରାନ୍ତରେ ଦୀକ୍ଷାଗୁରୁ । ଦେଶକୁ ସ୍ଵାଧୀନ କରିବାକୁ ଅନେକ ବ୍ୟକ୍ତି ରାଜନୀତିରେ ପଶିଥିଲେ, ଦେଶ ସେବା ଥିଲା ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ । ମାତ୍ର ସ୍ଵାଧୀନ ଦେଶରେ ଅନେକ ବ୍ୟକ୍ତି କ୍ଷମତାପ୍ରାପ୍ତି ନିମିତ୍ତ ରାଜନୀତିରେ ପ୍ରବେଶ କରିଥିଲେ । ମନ୍ତ୍ରୀ ଭାବରେ ଆସନ ଦଖଲ କରି, ଶାସନ ନାମରେ କ୍ଷମତା ବିସ୍ତାର କରିଥିଲେ । ସଂଗ୍ରାମୀ ରାମଚନ୍ଦ୍ରଙ୍କ ସ୍ଵାଧୀନ ଚେତା ହୃଦୟ, ଏହା ଦେଖି ବିଦୀର୍ଣ୍ଣ ହେବା ସ୍ଵାଭାବିକ-। ତେଣୁ ରାଜନୀତିକ ସ୍ତରରେ ପରିଦୃଶ୍ୟମାନ ଅବକ୍ଷୟକୁ ଲକ୍ଷ୍ୟ କରି ରାମଚନ୍ଦ୍ର ଜୀବନର ଉତ୍ତୀର୍ଣ୍ଣ ଲଗ୍ନରେ ରଚି ବସିଲେ ରାଜନୀତିକ ନାଟକ “ମନ୍ତ୍ରୀଯୁଗ” (୧୯୯୧) ଏଥିରେ ସର୍ବମୋଟ ତିନିଗୋଟି ନାଟକ ସନ୍ନିବେଶିତ ।

 

କ. ଆଶା ନିରାଶା (୩-୧୧-୧୯୯୧)

ଖ. ମନ୍ତ୍ରୀ ଆସିବେ (୧୧-୧୨-୧୯୯୧)

ଗ. ଭୋଟ ସଂସାର (୭-୧୨-୧୯୯୧)

 

କ. ଆଶାନିରାଶା

ସ୍ଵାଧୀନତା ପ୍ରୟାସୀ, ଅନେକ ଦେଶଭକ୍ତଙ୍କ ପ୍ରାଣବଳୀ ଦ୍ଵାରା ଦେଶ ସ୍ଵାଧୀନ ହେଲା । ଆପଣାର ସୁଖ- ସ୍ଵାଚ୍ଛନ୍ଦ୍ୟ ନିମିତ୍ତ ଦେଶବାସୀ ସ୍ଵପ୍ନ ଦେଖିଲେ, ଦେଶର ଶାସନ ଡୋର ଧାରଣ କଲେ ଦେଶୀ ନେତୃବର୍ଗ । ମାତ୍ର ସ୍ଵାର୍ଥପରତାର ବଶବର୍ତ୍ତୀ ହୋଇ ନେତାମାନେ ଜନତାର ସେବା କରିବା ପରିବର୍ତ୍ତେ, ଜନତାକୁ ଲୁଣ୍ଠନ କରିବାକୁ ଆରମ୍ଭ କଲେ । ଜନତାର ଆଶା-ଆକାଂକ୍ଷା ଯେମିତି ମାଟିରେ ମିଶିଗଲା । ସ୍ଵାଧୀନ ଭାରତ ବର୍ଷ ଏ ପ୍ରକାର ଅବକ୍ଷୟିଷ୍ଣୁ ସାମାଜିକ ଓ ରାଜନୀତିକ ଜୀବନର ଚିତ୍ର, ସଂପୃକ୍ତ ‘ଆଶା- ନିରାଶା’ ନାଟକରେ ରୂପାୟିତ ।

 

‘ଆଶା ନିରାଶା’ର ପ୍ରଥମ ଦୃଶ୍ୟରେ ସ୍ଵାଧୀନତା ସଂଗ୍ରାମରେ ଜନତାର ସ୍ଵାଧୀନତା ପ୍ରତି ତୀବ୍ର ଆକର୍ଷଣ ଓ ଏଥିପାଇଁ ବ୍ରିଟିଶ ପୋଲିସର ଚରମ ଅତ୍ୟାଚାର ସହ୍ୟ କରିବାର ଆଗ୍ରହକୁ ନାଟ୍ୟକାର ସୁବାସ, ମୋହନ ଏବଂ ସୟଦ ଚରିତ୍ର ମାଧ୍ୟମରେ ପ୍ରକାଶ କରିଅଛନ୍ତି । ବିଦେଶୀ ପୋଲିସର କଠୋର ବେତ୍ରାଘାତାକୁ ଏମାନେ ବେଖାତିର କରି, ଦେଶ ମାତୃକାର ଜୟଗାନ କରିଅଛନ୍ତି । ଶେଷରେ ଦେଶୀ ପୋଲିସ୍‍ ମଧ୍ୟ, ସଂଗ୍ରାମୀଙ୍କ ସହିତ କଣ୍ଠ ମିଳାଇ ଦେଶମାଆର ଜୟଧ୍ଵନି ଦେଇଛି ।

 

ଦ୍ଵିତୀୟ ଦୃଶ୍ୟରେ ସ୍ଵାଧୀନ ଦେଶର ଚିତ୍ର ଅଙ୍କିତ । ସ୍ଵାଧୀନତା ସଂଗ୍ରାମୀ ସୁବାସ ଏବେ ସ୍ଵାଧୀନ ଭାରତରେ ଜଣେ ମନ୍ତ୍ରୀ ଭାବରେ ଦାୟିତ୍ଵ ତୁଲାଇଛନ୍ତି । ସହ ସଂଗ୍ରାମୀ ମୋହନ ଏବଂ ସୟଦ, ତାକୁ ଜନତାର ସେବା ପ୍ରସଙ୍ଗରେ ପ୍ରବର୍ତ୍ତାଇଛନ୍ତି । ଭୂମିହୀନଙ୍କୁ ଜମି ବଣ୍ଟନ, କୃଷକଙ୍କୁ ମାଗଣାରେ ବିହନ ଯୋଗାଣ ଇତ୍ୟାଦି ନାନା ଲୋକହିତକର କାର୍ଯ୍ୟ, କେବଳ ଫାଇଲ ତଳେ ବିଶ୍ରାମ ନେଇଛି । ମୋହନ ଏବଂ ସୟଦ କ୍ରମେ ଧର୍ମଘଟ ମାଧ୍ୟମରେ ସରକାରଙ୍କୁ ସେମାନଙ୍କ ଦାବୀ ସମ୍ପର୍କରେ ସଚେତନ କରାଇଛନ୍ତି । ମାତ୍ର ଧୂର୍ତ୍ତ ସୁବାସ, ଏମାନଙ୍କ ଭିତରେ ଥିବା ଐକ୍ୟବୋଧକୁ ବିଷାକ୍ତ କରିଦେବାକୁ, ମୋହନ ଓ ସୟଦଙ୍କୁ ହିନ୍ଦୁ ମୁସଲମାନ ରୂପେ ଅଭିହିତ କରାଇ, ସେମାନଙ୍କ ଭିତରେ ବିଭେଦ ସୃଷ୍ଟି କରି ଆପଣାର ସ୍ଵାର୍ଥସିଦ୍ଧି ନିମିତ୍ତ ଅଗ୍ରସର ହୋଇଛନ୍ତି-

 

ନାଟକର ତୃତୀୟ ଦୃଶ୍ୟରେ ସୁବାସଙ୍କୁ ଚଳନ୍ତି ଦୁର୍ନୀତି ମୂର୍ତ୍ତ ବିଗ୍ରହ ରୂପରେ ଦେଖିବାକୁ ମିଳିଥାଏ । ସୁବାସଙ୍କ ମନ୍ତ୍ରୀତ୍ଵ କାଳରେ ଦୁର୍ନୀତି ଓ ଶଠତା ସୀମାଲଙ୍ଘନ କରିଛି । ଏହା ଫଳରେ ନିର୍ଯ୍ୟାତିତ ଓ ନିପୀଡ଼ିତ ଜନତାର ଅବରୁଦ୍ଧ ଅସନ୍ତୋଷ ବିସ୍ଫୁରିତ ହୋଇଛି । ସେମାନେ ଦୁର୍ନିତିଖୋର ମନ୍ତ୍ରୀଙ୍କ ବିରୋଧରେ ତୀବ୍ର ସ୍ଵର ଉତ୍ତୋଳନ କରିଛନ୍ତି । ମୋହନ ଏବଂ ସୟଦ ନେଇଛନ୍ତି ଧର୍ମଘଟର ନେତୃତ୍ଵ । କଳ, ବଳ, କୌଶଳ ଓ ସରକାରୀ କ୍ଷମତାକୁ ପ୍ରୟୋଗ କରି ଆପଣାକୁ ସୁରକ୍ଷିତ ଓ ଧର୍ମଘଟକାରୀମାନଙ୍କ କାରାରୁଦ୍ଧ କରିବାକୁ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି ମନ୍ତ୍ରୀ ସୁବାସ । ସମଗ୍ର ସହରରେ ସୃଷ୍ଟି କରିଛନ୍ତି ଦମନଲୀଳା, ମୋହନ ଓ ସୟଦଙ୍କ ଉପରେ ତାଙ୍କର ଚରମ କ୍ରୋଧ । ନିଜର ଦୁର୍ନୀତି ସମ୍ପର୍କରେ ଲୋକ ଦେଖାଣିଆ ତଦନ୍ତ ବସାଇବାକୁ ଯାଇ ନିଜ ଲୋକଙ୍କ ହାତରେ ତଦନ୍ତ ଭାର ଦେଇ ସେ ଏକ ପ୍ରହସନ ସୃଷ୍ଟି କରିଛନ୍ତି । ମାତ୍ର କ୍ରୁଦ୍ଧ ଜନତାର ଅବରୁଦ୍ଧ ଅସନ୍ତୋଷ କ୍ରମେ ବ୍ୟାପ୍ତ ହୋଇଛି । ମନ୍ତ୍ରୀଙ୍କ ବିରୋଧରେ ଉତ୍ତେଜିତ ହୋଇଛି ଚରମ ସ୍ଵର । ଏଥିରେ ପୁଣି ସାମିଲ ହୋଇଛନ୍ତି ମନ୍ତ୍ରୀ ସୁବାସଙ୍କ ପତ୍ନୀ ଏବଂ ପୁତ୍ର । ଦୁର୍ନୀତିଗ୍ରସ୍ତ ଓ ଦିଗ୍‍ଭ୍ରଷ୍ଟ ମନ୍ତ୍ରୀଙ୍କୁ ବାଟକୁ ଆଣିବାକୁ ଯାଇ ପତ୍ନୀ ତାଙ୍କର ସୂଚାଇଛନ୍ତି- “ତୁମେ ଏ ଗାଦି ଛାଡ଼ିଦିଅ – ଦେଖିବ ତୁମେ ଯେଉଁ ଭଲ ମଣିଷକୁ ସେଇ ଭଲ ମଣିଷ । ଆମେ କୌଣସି ଦିନ ପଦପଦବୀ ଲାଳସାରେ ଏ ଆନ୍ଦୋଳନରେ ଯୋଗ ଦେଇ ନଥିଲେ । ଆମର ଏ ଗାଦି ଦରକାର ନାହିଁ – ଆମେ ସମାଜର ମଣିଷ, ସମାଜରେ ମିଶିଯିବା” । (ଆଶା-ନିରାଶା)

 

କ୍ଷମତା ପିପାସୁ ସୁବାସ କିନ୍ତୁ କୌଣସି ପ୍ରକାରେ ଗାଦି ଛାଡ଼ିବାକୁ ପ୍ରସ୍ତୁତି ନୁହଁନ୍ତି । ତାଙ୍କ ବିରୁଦ୍ଧରେ ଥିବା ଦୁର୍ନୀତି ପ୍ରମାଣିତ ହୋଇଛି, ତାଙ୍କ ହାତରୁ କ୍ଷମତା ଅପସରିଯାଇଛି, ରାଷ୍ଟ୍ରପତି ଶାସନ ଜାରି ହୋଇଛି । କ୍ଷମତାଚ୍ୟୁତ ସୁବାସ ଏଥର ଜନତା ଭିତରେ ଅନୁତପ୍ତ ହୃଦୟରେ ଆତ୍ମସତ୍ତା ସନ୍ଧାନରେ ବ୍ରତୀ ହୋଇଛନ୍ତି । ସମାଜ ସଚେତନ ଶିଳ୍ପୀ ରାମଚନ୍ଦ୍ର- ଏତାଦୃଶ୍ୟ ରାଜନୀତିକ ଅବକ୍ଷୟର ଚିତ୍ରକୁ, ମାତ୍ର ସୀମିତ ପରିସରରେ ମଧ୍ୟରେ ଦକ୍ଷତାର ସହିତ ଦୃଶ୍ୟ ରୂପ ପ୍ରଦାନ କରିଛନ୍ତି । ଜୀବନରେ ସେ ଆଦର୍ଶବାଦର ଅନୁସାରୀ ଥିଲେ । ଆଦର୍ଶବାଦ ପକ୍ଷହୀନ ଜଟାୟୁ ଭଳି ବିଚ୍‍ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡ଼ି ଛଟ ପଟ ହେବା ସେ ସହିପାରି ନାହାନ୍ତି । ତେଣୁ ଜୀବନର ଶେଷ ଅବସ୍ଥାରେ, ତୀବ୍ର ଦରଦ ଭରି ସେ ରଚନା କରିଛନ୍ତି ଏଭଳି ଏକ ରାଜନୀତିକ ବ୍ୟବଚ୍ଛେଦ ଧର୍ମୀ ନାଟକ । (ଡଃ ରତ୍ନାକର ଚଇନି: “ରାଜନୀତିର ନୂଆ ଚର୍ଯ୍ୟାପଦ: ମନ୍ତ୍ରୀଯୁଗ” ନାଟ୍ୟକାର ରାମଚନ୍ଦ୍ର ସୃଷ୍ଟିବଳୟ ସଂ. ଡଃ ନାରାୟଣ ସାହୁ- ପୃଷ୍ଠା-୧୩୪)

 

ଖ. ମନ୍ତ୍ରୀ ଆସିବେ :

‘ଆଶା ନିରାଶା’ ନାଟକରେ ସ୍ଵାଧିନତା ସଂଗ୍ରାମୀ, ତଥା ସ୍ଵାଧିନ ରାଷ୍ଟ୍ରରେ ଦୁର୍ନୀତିଲିପ୍ତ ମନ୍ତ୍ରୀଙ୍କର ସ୍ଵରୂପକୁ ବ୍ୟବଚ୍ଛେଦ କରାଯାଇଥିବା ସ୍ଥଳେ, ମନ୍ତ୍ରୀ ଆସିବେ ନାଟକରେ ମନ୍ତ୍ରୀ ପାହ୍ୟାର ତଳସ୍ତରରେ ଦୁର୍ନୀତି କିପରି ପରିବ୍ୟାପ୍ତ ହୋଇଛି, ନାଟ୍ୟକାର ତାହାର ନଗ୍ନରୂପ ପ୍ରକାଶ କରିଅଛନ୍ତି-। ପ୍ରଥମେ ମନ୍ତ୍ରୀ ଆସିବାର ଘୋଷଣା କରାଯାଇ ଏକ ବିରାଟ ସାଧାରଣ ସଭା ଆୟୋଜିତ ହୋଇଛି । ଏହାର ନେତୃତ୍ଵ ନେଇଛନ୍ତି କୁଜିନେତା ସଦାନନ୍ଦ ଓ ନିତ୍ୟାନନ୍ଦ । ସଭାରେ ବହୁଜନ ସମାଗମ ନିମିତ୍ତ, ଶ୍ରମଜୀବୀ ଗ୍ରାମୀଣ ମଣିଷଙ୍କୁ, ଅର୍ଥ ବିନିମୟରେ ଟ୍ରକ ଯୋଗେ ସଭାସ୍ଥଳକୁ ଅଣାଯାଇଛି ।

 

ସଦାନନ୍ଦ ଓ ନିତ୍ୟାନନ୍ଦ ଦୁଇ ଧୂର୍ତ୍ତ ମଣିଷ । ଠିକାଦାର ଓ ଡଲରଙ୍କ ଦୁର୍ନୀତି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି, ସେମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରି, ସଭାସ୍ଥଳକୁ ଆଗତ ଜନତା ପାଇଁ ଖାଦ୍ୟ ବ୍ୟବସ୍ଥା କରିଛନ୍ତି । ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ଦୁର୍ନୀତି ପ୍ରତି ମଧ୍ୟ ଅନୁରୂପ ଶୈଳୀରେ ମନ୍ତବ୍ୟ ପ୍ରକାଶ କରି, ତାଙ୍କଠାରୁ ଅର୍ଥ ଆଦାୟ କରିଛନ୍ତି । ସଭାସ୍ଥଳରେ ଯୁବତୀ କାଞ୍ଚନର ଅପହରଣ ମାମଲାର ତଦନ୍ତ ପହଞ୍ଚିଛନ୍ତି ପୋଲିସ୍ ଅଫିସର । ଏଥିରେ ସଂପୃକ୍ତ ଅଛନ୍ତି ମଣ୍ଡଳ ଉନ୍ନୟନ ଅଧିକାରୀ, ସଦାନନ୍ଦ, ନିତ୍ୟାନନ୍ଦ ଏବଂ କାଞ୍ଚନର ମାଆ । କାଞ୍ଚନର ମାଆ, ତାର ଜନ୍ମଦାତ୍ରୀ ନୁହେଁ, କେଇଟା ଟଙ୍କା ପାଇଁ ନିଜ ଝିଅକୁ ସେ ବିକ୍ରୟ କରି ଦେଇଛି ଏକ ଉଦ୍‍ଭ୍ରାନ୍ତ ଯୁବକ ହାତରେ । ମଣ୍ଡଳ ଉନ୍ନୟନ ଅଧିକାରୀ, ଆଇନ ଶୃଙ୍ଖଳାର ଦ୍ଵାହି ଦେଇ ତାକୁ ରାଜଧାନୀ ପଠାଇ ଦେଇଛନ୍ତି । ଏଥିରେ ବେଶ୍ ଫାଇଦା ଉଠାଇଛନ୍ତି ସଦାନନ୍ଦ ।

 

ସଦାନନ୍ଦ ବିରୋଧରେ ବହୁ କଥା ଶୁଣାଯାଇଛି, ମାତ୍ର ସଦାନନ୍ଦ ପ୍ରକୃତ ତଥ୍ୟଠାରୁ ନିଜକୁ ଦୂରେଇ ଦେବା ନିମିତ୍ତ କହିଛି- “ଆପଣମାନେ ବିଚାର କରନ୍ତୁ । ଏ ବିଷୟରେ କେତେ ହଇଚଇ, ଖବର କାଗଜରେ କେତେ କଥା ବାହାରିଲା । ମୁଁ ଗୋଟାଏ ଅନାଥିନୀ ଝିଅ ପାଇଁ ଆଶ୍ରୟ ବ୍ୟବସ୍ଥା କରିଦେଲି , ଶେଷରେ ମୋ ମୁଣ୍ଡରେ ଅଠା ବୋଳିବାକୁ ମଧ୍ୟ ଲୋକ ଛାଡ଼ୁ ନାହାନ୍ତି । ଏହା ପଛରେ ଗୋଟାଏ ବିରାଟ ଚକ୍ରାନ୍ତ ଅଛି । ମୋତେ ଲାଗୁଛି ଏଥିରେ ପୂରାପୂରି ରାଜନୀତି ପଶିଗଲାଣୀ –ମୋତେ ଯେମିତି ଜଣାପଡ଼ୁଛି, ଏ ଦେଶରେ ଖାଇବା, ପିଇବା, ଶୋଇବା, ସବୁଥିରେ ରାଜନୀତି” । (ମନ୍ତ୍ରୀ ଆସିବେ)

 

ଅପହୃତା କାଞ୍ଚନକୁ ସାଙ୍ଗରେ ଆନି ମନ୍ତ୍ରୀଙ୍କର ସଭାକୁ ଆସିବାର ସୂଚନା ମଧ୍ୟରେ ନାଟକଟି ଶେଷ ହୋଇ, ଦର୍ଶକଙ୍କ ଭିତରେ ଅସାଧାରଣ ଉତ୍କଣ୍ଠା ସୃଷ୍ଟି କରାଯାଇଛି । ଦୁର୍ନୀତି ପୂର୍ଣ୍ଣ କଳୁଷିତ ରାଜନୀତିକ ବ୍ୟବସ୍ଥା, ଏଥିରେ ସଂପୃକ୍ତ ସମାଜର ବିବିଧବର୍ଗର ଚରିତ୍ର ଗୁଡ଼ିକର ନଗ୍ନସତ୍ତା, ନାଟକରେ ହୋଇଛି ଉଦ୍‍ଘାଟିତ ।

 

ଗ. ଭୋଟ ସଂସାର:

ଗଣତାନ୍ତ୍ରିକ ରାଷ୍ଟ୍ରରେ, ଗଣହିଁ ସର୍ବେସର୍ବା- ଏହା ରାଜନୀତି ଶାସ୍ତ୍ର ପ୍ରମାଣ କରେ । ମାତ୍ର ପ୍ରତ୍ୟକ୍ଷ ରାଜନୀତି କ୍ଷେତ୍ରରେ ଗଣ ହିଁ ହୋଇଥାଏ ଦଳିତ, ତାର ବହୁମୂଲ୍ୟ ମତକୁ ଉପେକ୍ଷା କରାଯାଏ ଓ ଆବଶ୍ୟକତା ଅନୁଯାୟୀ ସଂଚାଳିତ କରାଯାଏ । ଗଣକୁ ଉପେକ୍ଷା କରି କେତେଜଣ ମୁଷ୍ଟିମେୟ ଧୂର୍ତ୍ତ ଓ ଶଠ ମଣିଷ ଶାସନ ନାମରେ ଗଣକୁ କ୍ରମାଗତ ଭାବରେ ଶୋଷଣ କରିଚାଲନ୍ତି-। ପଞ୍ଚାୟତ ସ୍ତରଠାରୁ ରାଜ୍ୟସ୍ତର ଯାଏ ଗଣତନ୍ତ୍ର ସଂପୂର୍ଣ୍ଣ ଭାବରେ ଯେମିତି ଘୂଣଖିଆ ହୋଇଯାଇଛି । ସମାଜ ସଚେତନ ଶିଳ୍ପୀ, ରାମଚନ୍ଦ୍ର ମିଶ୍ର, ଗଣତନ୍ତ୍ର ଏଇ ଚରମ ଅବକ୍ଷୟକୁ ନାଟ୍ୟରୂପ ପ୍ରଦାନ କରିଛନ୍ତି ତାଙ୍କର “ଭୋଟ ସଂସାର” ନାଟକରେ ।

 

ନାଟକରେ ପଞ୍ଚାୟତ ନିର୍ବାଚନରେ ଅବିକୃତ ରୂପ ପ୍ରକାଶ ପାଇଛି । ନାରୀ ଜାଗରଣ ନିମିତ୍ତ ସରକାରୀ ସ୍ତରରେ କେତେକ ପଞ୍ଚାୟତରେ ମହିଳାମାନଙ୍କ ନିମିତ୍ତ ସ୍ଥାନ ସଂରକ୍ଷିତ । ଏଇଭଳି ଏକ ପଞ୍ଚାୟତ ନିର୍ବାଚନରେ ଦୁଇଜଣ ନାରୀଙ୍କ ମଧ୍ୟରେ ନିର୍ବାଚନ ନିମିତ୍ତ ଆରମ୍ଭ ହୋଇଛି ପ୍ରତିଦ୍ଵନ୍ଦିତା । ଜଣେ ନଟଦାସଙ୍କ ପତ୍ନୀ, ଅନ୍ୟ ଜଣେ ଲିଲି ରାଉତରାୟ । ନଟଦାସ ଆଦର୍ଶବାଦୀ, ମାତ୍ର ଲିଲିଙ୍କ ସ୍ଵାମୀ ଗାଁ ଛାଡ଼ି ସହରରେ ଓକିଲାତି କରୁଥିବା ଜଣେ ଓକିଲ । ମନ୍ତ୍ରୀଙ୍କୁ ଆପଣାର କରି ନେଇ ସେ ନିଜ ସ୍ତ୍ରୀ ଲିଲିଙ୍କୁ ନିର୍ବାଚନରେ ରଣାଙ୍ଗନାରେ ଅବତୀର୍ଣ୍ଣ କରାଇଛନ୍ତି । ମନ୍ତ୍ରୀଙ୍କ ଅନୁକମ୍ପା ଥିବାରୁ ବ୍ୟବସ୍ଥାରେ ଥିବା ସରକାରୀ କଳ, ଲିଲିଙ୍କ ହାତ ମୁଠାରେ । ଆଠ ବର୍ଷ ଧରି ଏଠାରେ ରହିଥିବା ବି.ଡି.ଓ. ଲିଲିଙ୍କୁ ବଦଳି ଭୟରେ ଅକୁଣ୍ଠ ସମର୍ଥନ କରିଛନ୍ତି । ଫଳତଃ ଠିକାଦାରଙ୍କ ଠିକା କାମ, ଡିଲରଙ୍କ ଯୋଗାଣ ଜନିତ କିଲାପ ପ୍ରଭୃତି ଯାବତୀୟ ଦୁଷ୍କର୍ମକୁ ଘଣ୍ଟ ଘୋଡ଼ାଇ ଦେଇ ବି.ଡି.ଓ. ଲିଲିଙ୍କ ନିର୍ବାଚନ ପାଇଁ ରାଜକୋଷରୁ ଉନ୍ନୟନ ନିମିତ୍ତ ଅନେକ ଅର୍ଥ ମଞ୍ଜୁର କରାଇଛନ୍ତି ।

 

ଲିଲିଙ୍କ ପାରିବାରପଣ, ଲୋକେ ପ୍ରତ୍ୟକ୍ଷରେ ଦେଖିଲେ, ଯେତେବେଳେ ଗାଁ ରାସ୍ତାରେ ରାତିଅଧିଆ ଗୋଡ଼ି ପଡ଼ିଲା, ରାତାରାତି ନଳକୂପ ବସିଲା, ମହିଳା ସମିତି ଗଢ଼ାଗଲା, କମ୍ବଳ ବଣ୍ଟନ କରାଗଲା, ପିଲାମାନଙ୍କୁ ଚକୋଲେଟ ବଣ୍ଟାଗଲା, ବିଶେଷତଃ ଯୁବ ସମାଜକୁ ଅଧିକ ଉଦ୍ଭ୍ରାନ୍ତ କରାଇବା ଓ ସେମାନଙ୍କ ମନୋରଞ୍ଜନ ନିମିତ୍ତ ଉଚ୍ଚାଟ ସଙ୍ଗୀତ ରେକର୍ଡ ଯୋଗେ ଶୁଣାଗଲା ଓ ଭି.ଡି.ଓ ଯୋଗେ ଅଶୋଭନୀୟ ଦୃଶ୍ୟାବଳୀ ପ୍ରଦର୍ଶନ କରାଗଲା । ପଞ୍ଚାୟତରେ ଏଥର ଅତି ସରଗରମ ଅବସ୍ଥା । ଖୋଲା ଗାଡ଼ିରେ ଠିଆ ହୋଇ, ଯୁକ୍ତ ହସ୍ତରେ ଗୋଟିଏ ବିରାଟ ପଟୁଆର ଭିତରେ ଲିଲିଙ୍କର ଭୋଟ ଭିକ୍ଷା, ସେ କାଳରେ ସାମନ୍ତୀୟ ପଟୁଆରଠାରୁ କୌଣସି ଗୁଣରେ ଊଣା ନୁହେଁ ।      

 

କ୍ଷମତା ପିପାସାରେ ଲିଲିଙ୍କ କାର୍ଯ୍ୟକଳାପ ଚରମ ସୀମାରେ ଉପସ୍ଥିତ । ତାଙ୍କର ପ୍ରତିଦ୍ଵନ୍ଦିତା ନଟଦାସଙ୍କ ପତ୍ନୀଙ୍କୁ ନିର୍ବାଚନରୁ ଓହରିଯିବା ନିମିତ୍ତ ସେ ବାରମ୍ବାର ଧମକ ଦେଇଛନ୍ତି-। ନଟଦାସଙ୍କ ପୁତ୍ର ଶଙ୍କରକୁ ପ୍ରଭାବିତ କରିବା ନିମିତ୍ତ ବହୁ ଅର୍ଥର ପ୍ରଲୋଭନ ଦେଖାଇଛନ୍ତି । ଅର୍ଥବଳ ଓ ବାହୁବଳରେ ନିର୍ବାଚନ ବୈତରଣୀ ପାର ହେବାର ଯାବତୀୟ ମସୁଧା ରଖି, ବିପନ୍ନ ଗଣତନ୍ତ୍ରର ତଣ୍ଟି ଚିପିବାକୁ ସେ କେବେ ବି କୁଣ୍ଠା କରିନାହାନ୍ତି । ଏପରିକି ଗୁଣ୍ଡାମାନଙ୍କୁ ଅଣାଇ, ପ୍ରତିପକ୍ଷ ଉପରେ ଶାରିରୀକ ଆକ୍ରମଣ ଭଳି, ହୀନ ଚକ୍ରାନ୍ତ କରିଛନ୍ତି ସେ । ଏତିକିରେ ତାଙ୍କ ମନସ୍କାମନା ପୂର୍ଣ୍ଣ ହୋଇନାହିଁ, ଅପରନ୍ତୁ ଗୁଣ୍ଡା ଓ ପୋଲିସମାନଙ୍କ ସହାୟତାରେ ସେ ଭୋଟ ଗ୍ରହଣ କେନ୍ଦ୍ରକୁ ଜବରଦଖଲ କରିନେଇ, ନିଜ ସପକ୍ଷରେ ଜନମତକୁ ଜୋର ଜବରଦସ୍ତ ନେଇ ଯାଇଛନ୍ତି । ରାଉତରାୟକୁ ଲିଲି କହିଚି-

 

“ଆମର ଏଠୁ ଲୋକ ଯିବେ- ତାଙ୍କୁ କଣ୍ଟ୍ରୋଲ କରିବେ – ବ୍ୟୁଥ୍ ସବୁ ଆମ ଦଳ ନେଇଯିବେ, ଆଉ ଭୋଟ କାଗଜ ବାଡ଼େଇ ପକାଇବା କଥା – ଥାଉ ପୋଲିସବାଲା”- (ଭୋଟ ସଂସାର) ଶେଷରେ ଗୋଟାଏ ପ୍ରଶ୍ନବାଚୀ ରହିଛି – “ଆମ ଗଣତନ୍ତ୍ର ଆଗେଇଛି ନା ପଛେଇଛି” ?

 

‘ଭୋଟ ସଂସାର ’ମନ୍ତ୍ରୀ ଯୁଗ ସଂକଳନରେ ଚୂଡ଼ାନ୍ତ ଦୃଶ୍ୟ । ପଞ୍ଚାୟତ ନିର୍ବାଚନରେ ଲିଲିଙ୍କର ଯାବତୀୟ ଆଚରଣ, ନୀତି ନିୟମ ପ୍ରତି ଆଖିଠାର, ବି.ଡି.ଓ. ଚରିତ୍ରର ଭଳି ଦଳେ ସ୍ଵାର୍ଥପର ସରକାରୀ ଅଫିସରଙ୍କ ଚରମ ସ୍ଵାର୍ଥପରତା, ଗଣତନ୍ତ୍ରକୁ ହାତେଇ ନେବାକୁ ପୋଲିସ ଏବଂ ଗୁଣ୍ଡାମାନଙ୍କର ସହଯୋଗ – ଏସବୁ ଗୋଟାଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏକ ଏକ କଳଙ୍କ । ‘ଭୋଟ ସଂସାର’ ଦୃଶ୍ୟ ଓ ସଂଳାପଗୁଡ଼ିକ, ପ୍ରତ୍ୟେକଟି ଅଞ୍ଚଳରେ ପଞ୍ଚାୟତ ନିର୍ବାଚନରେ କିପରି ଅର୍ଥବଳ ଓ ବାହୁବଳର ଅଧୀନ ହୋଇ ଗଣତନ୍ତ୍ର ବିକଳ ବିଳାପ କରେ, ତାହା ସ୍ପଷ୍ଟ ଭାବରେ ଦର୍ଶାଇଦିଏ । ଗଣତାନ୍ତ୍ରିକ ଶାସନବ୍ୟବସ୍ଥାର ନଗ୍ନସତ୍ତାଟି, ଏହାଦ୍ଵାରା ସୁନ୍ଦର ଭାବରେ ଚିତ୍ରିତ ।

 

ପ୍ରତ୍ୟକ୍ଷ ରାଜନୀତିରେ ଅଂଶ ଗ୍ରହଣ କରି, ନାଟ୍ୟକାର ରାମଚନ୍ଦ୍ର, ରାଜନୀତିକ ଆଦର୍ଶହୀନତା ଓ କ୍ଷମତା ବିଳାସ ପ୍ରତି ତୀବ୍ର ଘୃଣା ପୋଷଣ କରି, ରାଜନୀତିରୁ ଓହରି ଯାଇଥିଲେ-। ତେଣୁ ଜୀବନର ଉତ୍ତୀର୍ଣ୍ଣ ଲଗ୍ନରେ, ରାଜନୀତିରେ କଳୁଷିତ ପ୍ରତି ସେ କେବଳ କଟାକ୍ଷ କରିନାହାନ୍ତି, ଅପରନ୍ତୁ ରାଜନୀତିର ନଗ୍ନସତ୍ତାକୁ, ନାଟକ ମାଧ୍ୟମରେ ହିଁ ଜନ ଦରବାରରେ ଉପସ୍ଥାପିତ କରି ଅସାମାନ୍ୟ ସାମାଜିକ କର୍ତ୍ତବ୍ୟ ସଂପାଦନ କରିଯାଇଛନ୍ତି । ପ୍ରତ୍ୟକ୍ଷ ରାଜନୀତିକ ଜୀବନର ଅନେକ ତିକ୍ତ ମଧୁର ଅନୁଭବର ଭାବସାନ୍ଦ୍ର ପରିପ୍ରକାଶ ହେଉଛି ତାଙ୍କର ନାଟକ ମନ୍ତ୍ରୀଯୁଗ ।

 

***

 

।। ଚାରି ।।

ରାମଚନ୍ଦ୍ରଙ୍କ ନାଟ୍ୟ ପ୍ରତିଭା : ଦୃଷ୍ଟି ଓ ଦିଗନ୍ତ

 

ନାଟ୍ୟକାର ରାମଚନ୍ଦ୍ର ମିଶ୍ର ଥିଲେ ଜଣେ ପ୍ରତିଭାବନ୍ତ ନାଟ୍ୟକାର । ତାଙ୍କ ନାଟ୍ୟରଚନା ବିଧି ପୁଣି ସ୍ଵତନ୍ତ୍ର । ସେ ନାଟକ ଓ ଛୋଟ ନାଟକ, ମଞ୍ଚନାଟକ ଓ ବେତାର ନାଟକ ରଚନାରେ ନିଜସ୍ଵ ପ୍ରତିଭାର ପରିଚୟ ପ୍ରଦାନ କରିଛନ୍ତି । ନିଜସ୍ଵ କାହାଣୀ କଳାକୁ ନାଟ୍ୟ ରୂପ ଦେବା ସହିତ ଅନ୍ୟ ଲେଖକଙ୍କ ଉପନ୍ୟାସର କାହାଣୀକୁ ନାଟ୍ୟ ରୂପ ପ୍ରଦାନ କରିଅଛନ୍ତି । ପୁଣି ତାଙ୍କ ରଚିତ ‘ମୂଲିଆ’, ‘ଘରସଂସାର’, ‘କବିସୂର୍ଯ୍ୟ’ ଏବଂ ‘ଭାଇଭାଉଜ’ ପ୍ରଭୃତି ନାଟକକୁ ବେତାର ନାଟକରେ ମଧ୍ୟ ରୂପାନ୍ତରିତ କରାଇ ଏଥିରେ ଅସାଧାରଣ ସିଦ୍ଧି ଅର୍ଜନ କରିଛନ୍ତି । ଶ୍ରାବ୍ୟ ଓ ମଞ୍ଚନାଟକ ଉଭୟବିଧି ନାଟ୍ୟ ରଚନାରେ ଏଇ କୃତବିଦ୍ୟ ସ୍ରଷ୍ଟାଙ୍କର ନାଟ୍ୟ କ୍ଷେତ୍ର ଥିଲା ସୁଦୂର ପ୍ରସାରିତ । ବିଭାଗୀକରଣ ଭିତ୍ତିରେ ବିବେଚନା କରାଗଲେ, ନାଟ୍ୟକାର ରାମଚନ୍ଦ୍ରଙ୍କ ନାଟକଗୁଡ଼ିକ କାହାଣୀ କଳା ପ୍ରକାଶଭଙ୍ଗୀ ଦୃଷ୍ଟୀରୁ ନିମ୍ନ କ୍ରମରେ ଦର୍ଶାଇ ଦିଆଯାଇପାରେ । ଯଥା:

 

କ.

ସାମାଜିକ ନାଟକ

‘କବିସୂର୍ଯ୍ୟ’କୁ ବାଦ ଦେଇ ପ୍ରାୟ ତାଙ୍କ ରଚିତ ସମସ୍ତ ନାଟକ

ଖ.

ପାରିବାରିକ ନାଟକ

‘ଅଭିମାନ’, ‘ଘରସଂସାର’, ‘ସାଇପଡ଼ିଶା’ ‘ପଡ଼ୋଶୀ’

ଗ.

ସମସ୍ୟାମୂଳକ ନାଟକ :

‘ମ୍ୟାନେଜର’, ‘ଭାଇଭାଉଜ’, ‘ମୂଲିଆ’, ‘ଗୋଧୂଳି ଲଗ୍ନ’, ‘ମଉଡ଼ମଣି’ ‘ନରୋତ୍ତମ ଦାସ କହେ’,

ଘ.

ଚରିତ ନାଟକ :

‘କବିସୂର୍ଯ୍ୟ’

ଙ.

ମନୋ ବିଶ୍ଳେଷଣାତ୍ମକ ନାଟକ :

‘ନାଟକ ରୀତିମତ’, ‘ସେବିକା’, ‘ପରପୁରୁଷ’, ‘ପ୍ରତୀକ୍ଷା’, ‘ଆବିଷ୍କାର’

ଚ.

ରାଜନୀତିକ ନାଟକ

‘ଆଶା ନିରାଶା’, ‘ମନ୍ତ୍ରୀ ଆସିବେ’, ‘ଭୋଟ ସଂସାର’

ଛ.

ବେତାର ନାଟକ

‘ପ୍ରତୀକ୍ଷା’, ‘ପଡ଼ୋଶୀ’, ‘ପ୍ରବାସୀ’, ‘ଆବିଷ୍କାର’, ‘ରଜତ ଜୟନ୍ତୀ’

ଜ.

ମଞ୍ଚନାଟକର ବେତାର ରୂପାନ୍ତର

‘ମୂଲିଆ’, ‘କବିସୂର୍ଯ୍ୟ’, ‘ଘରସଂସାର’, ‘ଭାଇ ଭାଉଜ’

ଝ.

ଉପନ୍ୟାସ କାହାଣୀ

ଆଧାରିତ ନାଟକ

‘ପରପୁରୁଷ’,’ କିସପୁଣି ଦେଖା ନ ଯାଏ

ଞ.

ଐତିହାସିକ ନାଟକ :

କଳାପାହାଡ଼ (ଅସଂପୂର୍ଣ୍ଣ)

 

କ. ଦୃଷ୍ଟି ଓ ଦର୍ଶନ

ନାଟ୍ୟକାର ରାମଚନ୍ଦ୍ରଙ୍କ ନାଟ୍ୟକଳା ସର୍ବତ୍ର ସୁଦୃଢ଼ କାହାଣୀ କଳା କୈନ୍ଦ୍ରିକ । ପୁନଶ୍ଚ ତାଙ୍କ କାହାଣୀ ଚୟନରେ ସାମ୍ରାଜ୍ୟ ମଧ୍ୟ ଅତି ବ୍ୟାପକ । ଅଖ୍ୟାତ ପଲ୍ଲୀଠାରୁ ବିଖ୍ୟାତ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରଲମ୍ବିତ ତାଙ୍କର ସୁଦୂରପ୍ରସାରୀ ଦୃଷ୍ଟିଭଙ୍ଗୀ । ତେଣୁ ତାଙ୍କ ନାଟ୍ୟ କାହାଣୀରେ ପଲ୍ଲୀ କୈନ୍ଦ୍ରକ ସରଳ ଓ ନିରାଡ଼ମ୍ବର ଜୀବନଧାରା ସହିତ, ଜଟିଳ ଜଞ୍ଜାଳମୟ ସହରୀ ଜୀବନର ଚିତ୍ର ମଧ୍ୟ ଭାଗମାପ ଅନୁଯାୟୀ ସମଯୋଜିତ । ଭୂମିକୈନ୍ଦ୍ରିକ ପଲ୍ଲୀଜୀବନ, ଯୌଥ ପରିବାର ନବ୍ୟ ଶିକ୍ଷିତ ଗୋଷ୍ଠୀର ସହରୀ ପ୍ରୀତି, ସହରୀ ଜୀବନର ଅବହାୱା, ରାଜନୀତିକ ଅବସ୍ଥାରେ ଅବକ୍ଷୟ, ମାନବ ଜୀବନର ଆଦର୍ଶ ଓ ମୂଲ୍ୟବୋଧର ଅବକ୍ଷୟ ଇତ୍ୟାଦିକୁ ନାଟ୍ୟକାର ରାମଚନ୍ଦ୍ର ତାଙ୍କ କାହାଣୀ ମଧ୍ୟରେ ଚୟନ କରି, ଏଥିସହିତ ସଂପୃକ୍ତ ଚରିତ୍ରଗୁଡ଼କ ଅତି ବିଶ୍ୱାସନୀୟ ଭାବରେ ଉପସ୍ଥାପନ କରିଅଛନ୍ତି । ମୋଟାମୋଟି ଭାବରେ ତାଙ୍କର କାହାଣୀ କଳା, ସମାଜର ପ୍ରାୟ ପ୍ରତୀତି ଆଣେ ଓ ପ୍ରତିଟି ସ୍ତରକୁ ପ୍ରତିନିଧିତ୍ଵ କରିବା ପରି ମନେହୁଏ ।

 

କ- ୧. ପଲ୍ଲୀ ଜୀବନାଲେଖ୍ୟ

ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ନାଟ୍ୟ କାହାଣୀ ମୁଖ୍ୟତଃ ଆଦର୍ଶବାଦୀ ଭାବନା ଉପରେ ପର୍ଯ୍ୟବେସିତ । ସେ ବ୍ୟକ୍ତିଗତ ଜୀବନରେ ଥିଲେ ଗାନ୍ଧୀଚେତନାର ସମର୍ଥ ରୂପକାର । ଗାନ୍ଧୀଙ୍କ ଭଳି ସେ ଅନୁଭବ କରିଥିଲେ ଦିଲ୍ଲୀରେ ନୁହେଁ, ପଲ୍ଲୀରେ ଜୀଇ ରହିଛି ଭାରତର ଆତ୍ମା । ତେଣୁ ତାଙ୍କର ପ୍ରାୟ ନାଟକରେ ସେ ଦେଖାଇଛନ୍ତି ମଣିଷର ସଂଘର୍ଷ ସଂକୁଳ ଜୀବନବୋଧକୁ । ମା, ମାଟି, ମଣିଷ ପ୍ରତି ତାଙ୍କ ଭିତରେ ଅକପଟ ଶ୍ରଦ୍ଧାବୋଧ, ‘ମୂଲିଆ’, ‘ଭାଇଭାଉଜ’, ‘ସାଇପଡ଼ିଶା’, ‘ପୁଆଣିଘର’, ‘ମମତା’ ଏବଂ ‘ଘର ସଂସାର’ ଇତ୍ୟାଦି ଅନେକ ନାଟକରେ ପ୍ରମୂର୍ତ୍ତ । ମାଟି ପ୍ରତି ପ୍ରଗାଢ଼ ମମତା ନେଇ ଘଟିଯାଇଛି ମୂଲିଆର ସଂଘର୍ଷ । ଆପଣାର ପ୍ରିୟ ମାଟି ନିମିତ୍ତ ମୂଲିଆ ସଂଗ୍ରାମଶୀଳ, ଏଇ ମାଟି ତା ଜୀବନରେ ସର୍ବସ୍ଵ, ଯାହା ପାଇଁ ସେ ପ୍ରତି ମୁହୂର୍ତ୍ତରେ ନିଗାଡ଼ିଛି ଆପଣାର ଲହୁ ଓ ଲୁହ । ଦେଶବାସୀଙ୍କ ନିକଟରେ ମୂଲିଆର ଶ୍ରେୟତ୍ଵ ପ୍ରତିପାଦନ କରିଛନ୍ତି ନାଟ୍ୟକାର ।

 

ଓଡ଼ିଶାର ଜୀବନଧାରା କୃଷିଭିତ୍ତିକ, ଭୂମି ପ୍ରତି ଆଦରଣୀୟ ଏହାର ମୂଳସୂତ୍ର । ଏଇ ମାଟି ତା ପାଇଁ ପବିତ୍ର ସ୍ଵର୍ଗ, ଏହାରି କୋଳରେ ମିଳେ ସ୍ଵର୍ଗସୁଖ । ଏ ମାଟି ଦିଏ ଅଭୟ ଆଶ୍ରୟ, ଏ ହେଉଛି ନିରାପଦ ଆଶ୍ରାସ୍ଥଳ । ମାଟି ପାଇଁ ଦେଖା ଦେଇଥିବା ଭ୍ରାତୃକନ୍ଦଳର ସ୍ପଷ୍ଟ ରୂପ ଧାରଣ କରିଛି ‘ମମତା’ ନାଟକର କଥାଭାଗ । ପୁନଶ୍ଚ ଏଇ ମାଟି ଉପରେ ଭାଇଭାଇର ମିଳନ ମଧ୍ୟ ଦେଖାଦେଇଛି । ଦୁଇବନ୍ଧୁ ଶଙ୍କର ଓ ନିମେଇଁଙ୍କ ମଧ୍ୟରେ ମତାନ୍ତର, ପୁଣି ସେଇ ଡିହ ପାଇଁ ଉଭୟଙ୍କ ମଧ୍ୟରେ ମିଳନ ହିଁ ‘ସାଇପଡ଼ିଶା’ର କାହାଣୀ କଳାରେ ପ୍ରଦର୍ଶିତ । ଘରସଂସାର ନାଟକର ଦ୍ଵନ୍ଦହିଁ ସେଇ ମାଟି, ଯେଉଁଥି ପାଇଁ ଚଣ୍ଡିପୁର ଓ ରଘୁନାଥପୁର ମଧ୍ୟରେ ସଂଘର୍ଷ, ପୁଣି ମାଟିର ବାସ୍ନା ମଧ୍ୟ ଦୁଇ ଗ୍ରାମ ମଧ୍ୟରେ ଭଗ୍ନ ସମ୍ବନ୍ଧକୁ ଯୋଡ଼ି ଦେଇଛି ।

 

ପଲ୍ଲୀଭୂମିକୁ ପ୍ରାଣଭଳି ଭଲ ପାଉଥିବା ନାଟ୍ୟକାର ରାମଚନ୍ଦ୍ରଙ୍କ ପ୍ରତ୍ୟେକଟି ନାଟକରେ ପ୍ରମୂର୍ତ୍ତ ହୋଇଛି ସେଇ ପଲ୍ଲୀଜୀବନର ଆସୁରୀ ମାୟାରେ ବଶୀଭୂତ ହୋଇ ପ୍ରତାରିତ ହୁଏ, କିନ୍ତୁ ସେ ପୁଣି ଫେରିଆସେ ତାର ସେଇ ଆଦରଣୀୟ ପଲ୍ଲୀମାଟିକୁ, ଆପଣେଇ ନିଏ ପଲ୍ଲୀମାଟିର ଜୀବନକୁ । ମୂଲିଆର ରାଜକିଶୋର ଏଇ ଚେତନାର ସମର୍ଥ ଦୃଷ୍ଟାନ୍ତ । ପୁନଶ୍ଚ ଘରସଂସାରର କାହାଣୀ ମଧ୍ୟ ସେଇ ପଲ୍ଲୀ ଜୀବନ କେନ୍ଦ୍ରିତ । ଗ୍ରାମ୍ୟଜୀବନକୁ ନୂତନ ଭାବରେ ଅନୁଭବ କରିବାର ପ୍ରୟାସ ଏବଂ ଏଥିପ୍ରତି ଆନ୍ତରିକତା, ଗୋପ ଓ ଶାରଦା ଚରିତ୍ର ମାଧ୍ୟମରେ ପ୍ରକାଶିତ । ‘ଭାଇଭାଉଜ’, ‘ମମତା’ ଏବଂ ଚାବୁକ ପ୍ରଭୃତି ନାଟକଗୁଡ଼ିକ, ଅନୁରୂପ ଭାବରେ ଗ୍ରାମ୍ୟ ସଂସ୍କୃତି ଉପରେ ଆଧାରିତ । ଗ୍ରାମୀଣ ଜୀବନ ଧାରା ପ୍ରତି, ନାଟ୍ୟକାରଙ୍କ ଭିତରେ ରହିଥିବା ପ୍ରଗାଢ଼ ଆନ୍ତରିକତା ଥିବା ହେତୁ ତାଙ୍କ ନାଟକଗୁଡ଼ିକର ଅନ୍ତରୀଣ ଭାବନାରେ ଭରି ରହିଛି ଗ୍ରାମ୍ୟ ଜୀବନଲେଖ୍ୟ । ନାଟ୍ୟକାର ରାମଚନ୍ଦ୍ରଙ୍କ ପ୍ରାୟ ପ୍ରତ୍ୟେକ ନାଟକ ପଲ୍ଲୀଜୀବନାଲେଖ୍ୟର ସଫଳ ପଟ୍ଟଚିତ୍ର ।

 

ପଲ୍ଲୀକେନ୍ଦ୍ରିକ ଜୀବନଚର୍ଯ୍ୟା, ପଲ୍ଲୀକିଶୋରୀର ସ୍ଵପ୍ନ ସମ୍ଭାବନା, ଗ୍ରାମ୍ୟଯୁବକର ଉଚ୍ଚଶିକ୍ଷା ନିମିତ୍ତ ସହରରେ ଅବସ୍ଥାନ, ସହରୀ ପରିବେଶରେ ଜୀବନ ଧାରା ଭିତରେ ରୁଦ୍ଧ ଅବଶୋଷ, ପଲ୍ଲୀର ମେଳା-ମହୋତ୍ସବ, ଦୋଳ-ରଜ- ଦଶହରା ପର୍ବର ମାଦକତା, ପଲ୍ଲୀର କୃଷି, କୃଷକ ଓ କୃଷିଭୂମିର ଚିତ୍ର, ହଳ ଲଙ୍ଗଳର କୃଷିକାର୍ଯ୍ୟ, ପଲ୍ଲୀର ପିଠା-ପଣା, ବାହାପୁଆଣି, ପଲ୍ଲୀର ସକାଳ, ସଞ୍ଜ, ଫୁଲ-ଫଗୁଣ, ଆମ୍ବତୋଟା, ପୋଖରୀହୁଡ଼ା, ନଈତୁଠ ଇତ୍ୟାଦି ଯାବତୀୟ ଚିତ୍ର ବହନ କରିଛି ତାଙ୍କ ନାଟକ । ଭାରତର ଆତ୍ମା ପଲ୍ଲୀ ଭିତରେ, ଏହା ସେ ତାଙ୍କର ନାଟକଗୁଡ଼ିକରେ ଦକ୍ଷତାର ସହିତ ଦର୍ଶାଇଛନ୍ତି ।

 

କ-୨. ଗାନ୍ଧୀବାଦୀ ଚେତନାର ମୁକ୍ତ ଇସ୍ତାହାର

ସ୍ରଷ୍ଟା ରାମଚନ୍ଦ୍ରଙ୍କ ସମସ୍ତ ସ୍ଵପ୍ନ ଓ ସମ୍ଭାବନା, ଭାବନା ଓ ଚିନ୍ତନ ଥିଲା ବ୍ୟକ୍ତି ରାମଚନ୍ଦ୍ରଙ୍କ ଜୀବନର ସାରସ୍ଵତ ରୂପାୟନ । ବ୍ୟକ୍ତି ଜୀବନରେ ରାମଚନ୍ଦ୍ର ତାଙ୍କ ଦଦେଇ ପ୍ରଖ୍ୟାତ ସ୍ଵାଧୀନତା ସଂଗ୍ରାମୀ, ଗୋବିନ୍ଦ ମିଶ୍ରଙ୍କର ପଟ୍ଟଶିଷ୍ୟ ଭାବରେ, ଗାନ୍ଧୀବାଦୀ ଅନୁଭବକୁ ଆପଣା ରକ୍ତରେ ମିଶାଇ ସାରିଥିଲେ । ତେଣୁ ଜଣେ ସଚ୍ଚା ଗାନ୍ଧୀଭକ୍ତ ଭାବରେ ରାମଚନ୍ଦ୍ର ତାଙ୍କର ସମଗ୍ର ସୃଷ୍ଟି ଭିତରେ ଭରି ଦେଇଛନ୍ତି ଗାନ୍ଧୀବାଦି ଚେତନାର ନବ ଇସ୍ତାହାର । ତାଙ୍କ ନାଟକଗୁଡ଼ିକରେ ଅସାମାନ୍ୟ ମଞ୍ଚ ସଫଳତା ଭିତରେ ମୁଖ୍ୟ ଉପାଦାନ ଥିଲା ମନୋରଞ୍ଜନ ମାଧ୍ୟମରେ ସାମାଜିକ ସଚେତନତା ସୃଷ୍ଟି । ତେଣୁ ସେ ତତ୍କାଳୀନ ପରିସ୍ଥିତିରେ ଜନତା ନିକଟରେ ନାଟକ ମାଧ୍ୟମରେ ଯେଉଁ ଆଦର୍ଶଗୁଡ଼ିକ ଉପସ୍ଥାପନା କଲେ, ବାସ୍ତବରେ ସେଗୁଡ଼ିକ ଥିଲା ଗାନ୍ଧୀବାଦୀ ଦର୍ଶନର ପ୍ରତିକ୍ରିୟା ।

 

ଭାରତରେ ଆତ୍ମା ପଲ୍ଲୀରେ ଜୀବିତ – ଏହା ଥିଲା ଗାନ୍ଧୀଙ୍କର ବାଣୀ । ଏଇ ବାଣୀରେ ବିଶ୍ଵାସୀ ନାଟ୍ୟକାର, ତାଙ୍କର ପ୍ରାୟ ପ୍ରତିଟି ନାଟକରେ ପଲ୍ଲୀ ଜୀବନକୁ ଚିତ୍ରଣ କରିଛନ୍ତି । ଶିକ୍ଷିତ ଯୁବଗୋଷ୍ଠୀ, କେବଳ ଚାକିରୀ ପଛରେ ନ ଧାଇଁ, ବରଂ ଗାଁକୁ ଫେରିଯାଆନ୍ତୁ ଏବଂ ଗାଁର ଜୀବନ ଧାରାକୁ ପରିବର୍ତ୍ତନ କରିବା ନିମିତ୍ତ ଦିଗ୍‍ଦର୍ଶନ ଦିଅନ୍ତୁ, ଏହା ଥିଲା ଗାନ୍ଧୀଙ୍କ ଉଦ୍ଦେଶ୍ୟ । ‘ଚାଲ ଗାଁକୁ ଫେରିଯିବା’- ଏଇ ଆଦର୍ଶରେ ନାଟ୍ୟକାର ସୃଷ୍ଟି କରିଥିବା ଅନେକ ଚରିତ୍ର ପ୍ରାୟ ପ୍ରଭାବିତ । ମୂଲିଆ, ଭାଇଭାଉଜ, ସାଇପଡ଼ିଶା, ଘରସଂସାର, ମମତା ଏବଂ ପୁଆଣି ଘର ପ୍ରଭୃତି ପ୍ରମୁଖ ନାଟକ ଗୁଡ଼ିକରେ ଗ୍ରାମ୍ୟ ଜୀବନ ପ୍ରତି ଅହେତୁକ ଆକର୍ଷଣ ପ୍ରକାଶ ପାଇଛି । ଉଚ୍ଚଶିକ୍ଷା ନିମିତ୍ତ ସହରକୁ ଆସିଥିବା ରାଜକିଶୋର, ସହରୀ ମାୟାରେ ବାନ୍ଧୀ ହୋଇ ତୃପ୍ତ ହୋଇନାହିଁ, ବରଂ ସେ ଗାଁକୁ ଫେରିଯାଇଛି ଏବଂ ଆପଣାର କୃତକର୍ମ ନିମିତ୍ତ ଅନୁତାପ କରିବା ସହିତ, ଗାଁ ମାଟିକୁ ସବୁଦିନ ପାଇଁ ଆପଣେଇ ନେଇଛି । ଘରସଂସାର ନାଟକରେ ମୁଖ୍ୟ ଚରିତ୍ର ଗୋପ ଚୌଧୁରୀ, ଉଚ୍ଚଶିକ୍ଷା ପାଇଥିଲେ ମଧ୍ୟ, ଗ୍ରାମ୍ୟଜୀବନକୁ ସଂସ୍କାରିତ କରିବା ନିମିତ୍ତ, ଗାଁକୁ ଆପଣେଇ କରିନେଇଛନ୍ତି । ଗୋପ ଚୌଧୁରୀ ଚରିତ୍ରଟିର ଯେଉଁ ତ୍ୟାଗ, ଆଦର୍ଶ, ସହିଷ୍ଣୁତା, କ୍ଷମା ଇତ୍ୟାଦିର ଆରୋପଣ କରାଯାଇଛି, ତହିଁରୁ ମନେହୁଏ ଯେ, ଗୋପ ଚୌଧୁରୀ କେବଳ ଗୋଟାଏ କଳ୍ପିତ ନାଟକୀୟ ଚରିତ୍ର ନୁହନ୍ତି, ଅପରନ୍ତୁ ଚଣ୍ଡୀପୁର ଓ ରଘୁନାଥପୁର ଗାଁ ପାଇଁ ଜଣେ ସ୍ଵତନ୍ତ୍ର ଗାନ୍ଧୀ, ଗାନ୍ଧୀଙ୍କ ଗ୍ରାମୀଣ ସଂସ୍କରଣ ଭାବରେ ଗୋପ ଚରିତ୍ରଟି ସମ୍ମାନନୀୟ ଓ ଆକର୍ଷଣୀୟ ।

 

 

ଦୋଷୀ ପ୍ରତି କ୍ଷମାଶୀଳ ହେବା ଓ ଦୋଷକୁ ଘୃଣା କରିବା ଭଳି ଗାନ୍ଧୀ ଦର୍ଶନରେ ବିଶ୍ଵାସ ନାଟ୍ୟକାର ରାମଚନ୍ଦ୍ର ତାଙ୍କ ନାଟକୀୟ ଚରିତ୍ର ଗୁଡ଼ିକ ଅନୁରୂପ ଚିତ୍ରଣ କରିଛନ୍ତି । ତେଣୁ ତାଙ୍କ ନାଟକରେ ଖଳ ଚରିତ୍ର ଗୁଡ଼ିକ ପ୍ରତି ସେ କୌଣସି କ୍ଷେତ୍ରରେ ଅବିଚାର କରିନାହାନ୍ତି ବରଂ ସେମାନଙ୍କୁ କ୍ଷମା ପ୍ରଦାନ କରିଛନ୍ତି । ଏ ଦୃଷ୍ଟିରୁ ‘ଭାଇଭାଉଜ’ ନାଟକରେ ଯୋଗୀ ସାହୁକାର, ଘରସଂସାର, ନାଟକରୁ ମଙ୍ଗୁ ମହାନ୍ତି ଏବଂ ମ୍ୟାନେଜର ନାଟକରେ ପ୍ରତାପ ଇତ୍ୟାଦି ଚରିତ୍ରର ଯାବତୀୟ କଳୁଷିତ ଖଳ ଆଚରଣରେ ଅନ୍ୟମାନେ ଅତିଷ୍ଠ ହେଲେ ମଧ୍ୟ, ସେମାନଙ୍କୁ ଦଣ୍ଡିତ କରାଯାଇନାହିଁ, ବରଂ କ୍ଷମା ପ୍ରଦାନ କରାଯାଇଛି । ନିଜ ନିଜର ଦୋଷ ଓ ଦୁଷ୍କର୍ମ ନିମିତ୍ତ ସେମାନେ ଗଭୀର ଅନୁତାପ ଅନଳରେ ଦଗ୍ଧୀଭୂତ ହୋଇଛନ୍ତି ।

 

“ଏମାନେ ସାମାଜିକ ଜୀବନର କଳଙ୍କ, ଦଣ୍ଡ ପାଇବାର ଯୋଗ୍ୟ । ମାତ୍ର ପୃଥିବୀରେ ଏ ଭଳି କୌଣସି ପାପ ନାହିଁ, ଯାହା ଅନୁତାପ ଜଳରେ ଧୋଇ ହୋଇଯାଏ ନାହିଁ । ଦୋଷ ତ୍ରୁଟିକୁ ନେଇ ପୂର୍ଣ୍ଣ ମଣିଷ । ମଣିଷ ହୋଇ ମଣିଷର ବିଚାର କରିବା କାହାର ସାଧ୍ୟଗତ ନୁହେଁ । ସେ ବିଚାରର ଦାୟିତ୍ଵ ସ୍ଵୟଂ ସୃଷ୍ଟିକର୍ତ୍ତା ।” (ଡକ୍ଟର ହେମନ୍ତ କୁମାର ଦାସ –ନାଟ୍ୟକାର ରାମଚନ୍ଦ୍ର ମିଶ୍ର- ନାଟ୍ୟକାର ରାମଚନ୍ଦ୍ର ସୃଷ୍ଟିବଳୟ- ସିଂ- ଡକ୍ଟର ନାରାୟଣ ସାହୁ – ପୃଷ୍ଠା- ୨୬)

 

ରାମଚନ୍ଦ୍ରଙ୍କ ପ୍ରତ୍ୟେକ ନାଟକରେ ଦୋଷୀ ଓ ଖଳ ଚରିତ୍ର ଅଛନ୍ତି, ସେମାନଙ୍କ ଦ୍ଵାରା ଅନ୍ୟାନ୍ୟ ଚରିତ୍ର ନିର୍ଯ୍ୟାତିତ ହୋଇଛନ୍ତି, ହେଲେ କୌଣସିଠାରେ ସେ ମାନବ ଦ୍ଵାରା ତା’ର ବିଚାର କରିନାହାନ୍ତି । ଏପରିକି ନରୋତ୍ତମ ଦାସ କହେ ନାଟକରେ ନରୋତ୍ତମ ଦାସ ଶଳା ଘରକୁ ସଂଖୋଳିବାକୁ ଆସି ଅପରାଧରେ ଜେଲ୍ ଯାଇଛନ୍ତି, ମାଡ଼ ଗାଳି ଖାଇଛନ୍ତି, ଅଥଚ ନିଜସ୍ଵ କ୍ଷମା ଗୁଣରେ ସେ ଏ ସବୁକୁ ନ ଧରି ପ୍ରକୃତରେ ଆଦର୍ଶବତ୍ତାର ନମୁନା ହୋଇ ରହିଛନ୍ତି । ‘ଗୋଧୂଳି ଲଗ୍ନ’ରେ ମଧ୍ୟ ପାପଚାରୀ ଓ ଭ୍ରଷ୍ଟ ଚରିତ୍ର ନିମିତ୍ତ, ସେପରି କୌଣସି ସାମାଜିକ ଦଣ୍ଡ ବ୍ୟବସ୍ଥା ରହିନାହିଁ । ମୂଲିଆ ଏବଂ ଭାଇ, ଭାଉଜ – ଗାନ୍ଧୀ ଦର୍ଶନର ଶ୍ରେଷ୍ଠ ଉଦାହରଣ । ଗାନ୍ଧୀବାଦର କବରକୁ ଲେଖକ ଦେଖାଇଛନ୍ତି ନରୋତ୍ତମ ଦାସ କହେ ନାଟକରେ । ଏଥିରେ ନରୋତ୍ତମ ଦାସଙ୍କର ଖେଦୋକ୍ତି ହେଉଛି, ଲେଖକଙ୍କ ସ୍ଵୀକାରୋକ୍ତି । ମହାତ୍ମାଗାନ୍ଧୀ କହୁଥିଲେ ପାପାକୁ ଘୃଣା କରୁଥିଲେ, ପାପୀକୁ ନୁହେଁ । ଅନୁତାପ ଦ୍ଵାରା ହୃଦୟର ପରିବର୍ତ୍ତନ ଉପରେ ଗାନ୍ଧିଜୀ ଅଧିକ ଗୁରୁତ୍ଵ ଦେଉଥିଲେ । ରାମଚନ୍ଦ୍ର ମିଶ୍ରଙ୍କ ଅନେକ ଚରିତ୍ରଗୁଡ଼ିକ ହେଉଛନ୍ତି ଯୋଗୀ ସାଉକାର, କୁମାର ସାହେବ, ମହେଶ, ମି. ଦାସ ଏବଂ ପ୍ରତାପ ଇତ୍ୟାଦି । ହୃଦୟ ପରିବର୍ତ୍ତନ ହୋଇଛି ସ୍ଵଚ୍ଛଳବର୍ଗଙ୍କର- ‘ମଉଡ଼ମଣୀ’, ‘ଭାଇଭାଉଜ’, ‘ପୁଆଣି ଘର’, ‘ଚାବୁକ’, ‘ଘରସଂସାର’ ଏବଂ ‘ମ୍ୟାନେଜର’ ଆଦି ନାଟକରେ । (ଡକ୍ଟର ନାରାୟଣ ସାହୁ – ରାମଚନ୍ଦ୍ର ମିଶ୍ର ଏକ ଆକଳନ - ନାଟ୍ୟକାର ରାମଚନ୍ଦ୍ର ସୃଷ୍ଟିବଳୟ - ପୃଷ୍ଠା -୧୧୭)

 

କ. ୩. ସାମାଜିକ ଅଙ୍ଗୀକାର

ଆଦର୍ଶବାଦୀ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ନାଟ୍ୟ ଶୀଳ୍ପରେ ଚିତ୍ତବିନୋଦନ ଭିତରେ ଲୋକଶିକ୍ଷା ପାଇଁ ଯଥା ସମ୍ଭବ ପ୍ରଚେଷ୍ଟା କରିଛନ୍ତି ଓ ଏ ସବୁରେ ତାଙ୍କର ଶିଳ୍ପ ଦୃଷ୍ଟି ମଧ୍ୟ ଅସାଧାରଣ ସଫଳତା ଲାଭ କରିଛି । ନାଟ୍ୟକାର ଭାବରେ ସେ ଥିଲେ ପରମ୍ପରାବାଦୀ । ପରମ୍ପରା ଓ ସଂସ୍କୃତିକୁ, ଚିତ୍ତବିନୋଦନ ନିମିତ୍ତ ସେ କେଉଁଠି ହେଲେ ବିକଳାଙ୍ଗ କରିନାହାନ୍ତି । ଅପରନ୍ତୁ ଭରତ ମୁନିଙ୍କ ନାଟକୀୟ ଶାସ୍ତ୍ରୀୟତାକୁ ସେ ଅସାମାନ୍ୟ ସମ୍ମାନ ପ୍ରଦର୍ଶନ କରିଛନ୍ତି । ଭରତ ମୁନି କହିଥିଲେ –

 

“ଦୁଃଖାର୍ତ୍ତାନାଂ ଶ୍ରମାର୍ତ୍ତାନାଂ ଶୋକାର୍ତ୍ତାନାଂ ତପସ୍ଵିନାଂ

ବିଶ୍ରାମ ଜନନଂ ଲୋକେ ନାଟ୍ୟମେତତ୍ ଭବିଷ୍ୟତି ।

ବିନୋଦ ଜନନଂ କାଳେ ନାଟ୍ୟମେତତ୍ ଭବିଷ୍ୟତି”।

(ନାଟ୍ୟଶାସ୍ତ୍ର, ଭରତମୁନି)

 

ନାଟକ ଚିତ୍ତବିନୋଦନ ନିମିତ୍ତ ଅଭିପ୍ରେତ, ପୁଣି ଏଥିରେ ସୁଖଦୁଃଖ ସମନ୍ଵିତ ଅବସ୍ଥା ଭେଦର ରୂପ ଚିତ୍ର ପ୍ରକାଶ ପାଇବା ପ୍ରସଙ୍ଗକୁ “ଦଶରୂପକଂ”ରେ ସ୍ଵୀକୃତି ଦିଆଯାଇ କୁହାଯାଇଛି –

 

ଅବସ୍ଥା ଯାହି ଲୋକସ୍ୟ ସୁଖ-ଦୁଃଖ ସମୁଦ୍ଭବ

ନାନା ପୁରୁଷ ସଂଚାରା, ନାଟକେ ସତ୍ଵବେଦିହ ।

(ଦଶରୂପକମ୍)

 

ଆଚାର୍ଯ୍ୟ ସାଗର ନନ୍ଦୀ ମଧ୍ୟ, ସତ୍ୟବତ୍ ପ୍ରତୀୟମାନ ହେଉଥିବା ଲୋକ ଚରିତ୍ର, ନାଟକ ମାଧ୍ୟମରେ ରୂପାୟିତ ହେଉଥିବା ପ୍ରସଙ୍ଗ ଦର୍ଶାଇ ଅନୁରୂପ ଭାବରେ କହନ୍ତି-

 

ଅବସ୍ଥାୟା ତୁ ଲୋକସ୍ୟ ସୁଖ ଦୁଃଖ ସମୁଦ୍ଭବା

ସତ୍ୟାସତ୍ୟ ଭିନୟଂ ପ୍ରାଜ୍ଞୈ ନାଟ୍ୟମିତ୍ୟଭିଦୀୟତେ ।

(ଆଚାର୍ଯ୍ୟ ସାଗର ନଦୀ)

 

ନାଟ୍ୟକାର ରାମଚନ୍ଦ୍ର ମିଶ୍ର, ତାଙ୍କ ସମକାଳର ସାମାଜିକ, ଆର୍ଥନୀତିକ ଏବଂ ରାଜନୀତିକ ତଥା ସାଂସ୍କୃତିକ ଘଟଣାବଳୀର ପ୍ରତିଛାୟା ନେଇ ନାଟକ ସୃଷ୍ଟି କରିଛନ୍ତି । ତାଙ୍କ ନାଟକଗୁଡ଼ିକ ମଞ୍ଚରେ ମାୟା ମହଲ ସୃଷ୍ଟି କରି, ଦର୍ଶକଙ୍କ ଚିତ୍ତବିନୋଦନ କରିବାରେ ଯେତେ ତତ୍ପର, ଅନୁରୂପ ଭାବରେ ଦର୍ଶକମାନଙ୍କ ଭିତରେ ସାମାଜିକ ବାର୍ତ୍ତା ପ୍ରକାଶ କରିବାରେ ସେତେ ଦୂର ପ୍ରତିଶ୍ରୁତିବଦ୍ଧ । ସମାଜ ପ୍ରତି ଜଣେ ନାଟ୍ୟକାର ଭାବରେ କିଛିଟା କର୍ତ୍ତବ୍ୟ ଓ ଦାୟିତ୍ଵବୋଧ ରହିଛି । ଏହା ନାଟ୍ୟକାର ମର୍ମେ ମର୍ମେ ଉପଲବ୍ଧି କରି ନାଟକ ମାଧ୍ୟମରେ ଉପଯୁକ୍ତ କର୍ତ୍ତବ୍ୟ ସଂପାଦନ କରିଯାଇଛନ୍ତି । ତେଣୁ ତାଙ୍କ କୃତ ନାଟକଗୁଡ଼ିକରେ ସାମାଜିକ ଅଙ୍ଗୀକାରବଦ୍ଧତା, ଅତି ତୀବ୍ର ଓ ଶାଣିତ ମଧ୍ୟ ।

 

ସ୍ଵାଧୀନତା ପୂର୍ବରୁ ନାଟନ ରଚନା ଆରମ୍ଭ କରିଥିବା ରାମଚନ୍ଦ୍ର ମିଶ୍ର, ସ୍ଵାଧୀନତା ପ୍ରାପ୍ତିର ଦୀର୍ଘ ଚାରିଦଶନ୍ଧି ଧରି ନାଟକ ରଚନା କରିଛନ୍ତି । ତାଙ୍କ ସମକାଳର ସମାଜ ଜୀବନକୁ ତନ୍ନ ତନ୍ନ କରି ପରଖିଥିବା ରାମଚନ୍ଦ୍ର ତେଣୁ ତାଙ୍କ ନାଟକଗୁଡ଼ିକରେ ସମାଜ ଜୀବନ ପାଇଁ ଶୁଣାଇଛନ୍ତି ବାର୍ତ୍ତା-। ସ୍ଵାଧୀନତା ପରବର୍ତ୍ତୀ ସମାଜରେ ମାଲିକ ଓ ମୂଲିଆ ସମସ୍ୟା, ରୟତ ଓ ଜମିଦାର ସମସ୍ୟା ନଗର ଓ ପଲ୍ଲୀର ସମସ୍ୟା, ନାରୀଶିକ୍ଷାର ସମସ୍ୟା, ଶିକ୍ଷିତବର୍ଗର ଆଧୁନିକତା ପ୍ରତି ଅସମ୍ଭବ ମୋହ ପ୍ରଭୃତି ଅନେକ ସମସ୍ୟା ପରିଲକ୍ଷିତ ହୋଇଥାଏ । ଏ ସମସ୍ତ ସମସ୍ୟାକୁ ନେଇ ସେ ଗଢ଼ିଥିବା ନାଟକରେ, ସମସ୍ୟା ଅଛି, ତା ସହିତ ରହିଛି ସମାଧାନର ପ୍ରକୃଷ୍ଟ ମାର୍ଗ ।

 

ସୁସ୍ଥ ସମାଜ ଗଠନ ନିମିତ୍ତ, ବ୍ୟକ୍ତି ଚରିତ୍ର ଯେମିତି ନିର୍ମଳ ହେବା ଦରକାର, ସେମିତି ମଧ୍ୟ ପାରିବାରିକ ଜୀବନ ଶୁଦ୍ଧ ହେବା ଜରୁରୀ । ନାଟ୍ୟକାର ଉନ୍ନତ ପରିବାର ଗଠନ ନିମିତ୍ତ ତାଙ୍କ ନାଟକରେ ଗୁରୁତ୍ଵ ଦେଇଛନ୍ତି । ତାଙ୍କ ରଚିତ ‘ଘର ସଂସାର’ ନାଟକରେ ଗୋପ ଚୌଧୁରୀଙ୍କର ଆଦର୍ଶ, ତ୍ୟାଗ ଉଦାରତା ଓ ସଂସ୍କାର ପ୍ରୟାସୀ ମନୋଭାବ, ‘ମୂଲିଆ’ ନାଟକରେ ନନ୍ଦର, ନିଜ ଭାଇକୁ ଉଚ୍ଚଶିକ୍ଷିତ କରିବା ନିମିତ୍ତ ଆପଣାକୁ ଉପେକ୍ଷା କରିବା ଭଳି ତ୍ୟାଗ, ‘ଭାଇଭାଉଜ’ରେ ମହୀ ପ୍ରଧାନର ଯାବତୀୟ ଦାୟିତ୍ଵ ନେଇଥିବା ଭାଇ ତା’ର ନିଃସ୍ଵାର୍ଥ ମନୋଭାବ ଓ କଠୋର କର୍ତ୍ତବ୍ୟବୋଧ, ‘ମୂଲିଆ’ ନାଟକରେ ବଡ଼ବୋହୂର ଯାବତୀୟ ତ୍ୟାଗ ଓ ଆଦର୍ଶପୂର୍ଣ୍ଣ ଚଳଣି ଭିତରେ ଦିଅର ପ୍ରତି ଅକୁଣ୍ଠ ପୁତ୍ରସ୍ନେହ, ‘ସାଇପଡ଼ିଶା’ରେ ବନ୍ଧୁଙ୍କ ପ୍ରତି ବନ୍ଧୁଙ୍କର ପବିତ୍ର କର୍ତ୍ତବ୍ୟ ପ୍ରଭୃତି, ପାରିବାରିକ ଜୀବନକୁ ସୁଦୃଢ଼, ସୁସ୍ଥ ଓ ସୁନ୍ଦର କରିବା ନିମିତ୍ତ ଏକ ଏକ ଚେତାବନୀ । ଯେଉଁଠାରେ ବ୍ୟକ୍ତି ଜୀବନ ସ୍ଵାର୍ଥ କୈନ୍ଦ୍ରିକ ହୋଇଛି, ସେଠାରେ ପାରିବାରିକ ଜୀବନ ହୋଇଛି କଳୁଷିତ । ‘ପରପୁରୁଷ’ରେ ଶ୍ୟାମଳର ସନ୍ଦେହଜନିତ ଦୁର୍ବଳ ବ୍ୟକ୍ତିତ୍ଵ, ‘କିସ ପୁଣି ଦେଖା ନ ଯାଏ’ ରେ ରଜତ ଓ ଜୟନ୍ତୀ ଚରିତ୍ରର ବ୍ୟର୍ଥ ଦାମ୍ପତ୍ୟ, ସମଗ୍ର ପରିବାର ଓ ପାରିପାର୍ଶ୍ଵିକ ଅବସ୍ଥାକୁ କିପରି ବିଷମୟ କରିଛି ତାହା ଦର୍ଶାଇ ଲେଖକ ଭିନ୍ନ ଭାବରେ ସଚେତନତା ସୃଷ୍ଟି କରିଅଛନ୍ତି । ଗୋଟାଏ ସୁସ୍ଥ ସୁନ୍ଦର ପାରିବାରିକ ଜୀବନ ପାଇଁ, ସଦସ୍ୟମାନଙ୍କର ପାରସ୍ପରିକ ତ୍ୟାଗ, ବିଶ୍ଵାସ, ସଂପ୍ରୀତି ଆବଶ୍ୟକ –ଏହା ସେ ଅନେକ ଚରିତ୍ରରେ ଦର୍ଶାଇଅଛନ୍ତି ।

 

ସୁସ୍ଥ ପାରିବାରିକ ଜୀବନ ନିମିତ୍ତ ପାରସ୍ପରିକ ବୁଝାମଣା, ସବୁଠାରୁ ଗୁରୁତ୍ଵପୂର୍ଣ୍ଣ । ମାତ୍ର ସମୟ ଓ ଘଟଣା ଚକ୍ରରେ ଅନେକ ପରିବାରରେ ବାହ୍ୟ ଶତ୍ରୁ ହିସାବରେ ଧସେଇ ପଶନ୍ତି କେତେକ ବାହାର ବ୍ୟକ୍ତି ଓ କେତେକ ବନ୍ଧୁବାନ୍ଧବ । ବନ୍ଧୁରୂପୀ ଏଇ ଶତ୍ରୁମାନଙ୍କୁ ବିଶ୍ୱାସ କରିବା ଦ୍ଵାରା ଅନେକ ସମୟରେ ପାରିବାରିକ ଜୀବନରେ ଛାଇଯାଏ ଅକାଳର ବିଷବାଷ୍ପ । ନାଟ୍ୟକାର ଏଇ ଧରଣର ଛଦ୍ମବେଶୀ ଓ ସ୍ଵାର୍ଥପର ବନ୍ଧୁମାନଙ୍କର ପ୍ରକୃତ ପରିଚୟ ଅଙ୍କନ କରିଛନ୍ତି- ‘ମମତା’ ନାଟକର ବାଉରିବନ୍ଧୁ, ‘ଘରସଂସାର’ର ନାଟକର ଅନାଦି ଦାସ, ଇତ୍ୟାଦି ଚରିତ୍ର ମାଧ୍ୟମରେ । ବାଉରିବନ୍ଧୁ ସମୁଦୀ ଭାବରେ ଓ ଅନାଦି ଦାସ କକା ଭାବରେ ଯେଉଁ କୁକାର୍ଯ୍ୟମାନ ସଂପାଦାନ କରିଛନ୍ତି, ତାହା ସମଗ୍ର ପରିବାରକୁ ବିପର୍ଯ୍ୟସ୍ତ କରିଛି । ଏମାନେ ସମାଜ-ମହାଭାରତର ଜଣେ ଜଣେ କୁଚକ୍ରୀ ଶକୁନିର ଗ୍ରାମ୍ୟ ସଂସ୍କରଣ ।

 

ସମାଜ ଜୀବନରେ ଅଶାନ୍ତି କରିବାରେ ଅନେକ ଖଳ ପ୍ରକୃତିର ମଣିଷଙ୍କ ସ୍ଵଭାବ । ଏଇ ଧରଣର ଖଳମାନେ ହେଲେ ‘ମୂଲିଆ’ ନାଟକର ଧଡ଼ି ମହାପାତ୍ର, ‘ଭାଇଭାଉଜ’ ର ଯୋଗୀ ସାଉକାର, ‘ଚାବୁକ୍’ ର ଦାସ ସାହେବ, ‘ପୁଆଣି ଘର’ର ନବଘନ, ‘ଗୋଧୂଳି ଲଗ୍ନର’ ଦୀନବନ୍ଧୁ ପ୍ରମୁଖ । ସମୟ ଓ ଘଟଣା କ୍ରମରେ ଏମାନେ ଅନ୍ୟର କାର୍ଯ୍ୟରେ ଅଯାଚିତ ଭାବରେ ପ୍ରବେଶ କରି, ନିଜ କୁବୁଦ୍ଧି ବଳରେ ପ୍ରଳୟ ସୃଷ୍ଟି କରିପାରନ୍ତି । ଏଇ ଧୂର୍ତ୍ତମାନେ ଅନ୍ୟମାନଙ୍କୁ କୁପଥରେ ଚାଳିତ କରନ୍ତି, ନିଜେ ମଧ୍ୟ କାମନା-ବାସନା ଚରିତାର୍ଥ କରିବାକୁ ଯେ କୌଣସି ଇତରକର୍ମ ପ୍ରତି ଉନ୍ମୁଖ ହୋଇଉଠନ୍ତି । ମାତ୍ର ନାଟ୍ୟକାର ଏ ଧରଣର ଖଳ ଚରିତ୍ରଗୁଡ଼ିକୁ ପରବର୍ତ୍ତୀ ପର୍ଯ୍ୟାୟରେ ନିଜ ନିଜର ଯାବତୀୟ ଅପକର୍ମ ନିମିତ୍ତ ଲଜ୍ଜିତ ଓ ଅନୁତପ୍ତ କରାଇଛନ୍ତି । ଏ ପ୍ରକାର କୁପଥର ପଥିକମାନେ ଯୋଗୀ ସାଉକାର ଭଳି ବ୍ୟାଧି ପୀଡ଼ୀତ ହୋଇ, ଆପଣା ଦ୍ଵାରା ଦଣ୍ଡିତ ଲୋକଙ୍କ ହାତରୁ ମାଗି ଖାଆନ୍ତି ।

 

ବ୍ୟକ୍ତିର ଉଦାରତା ପ୍ରତି ନାଟ୍ୟକାରଙ୍କ ଦୃଷ୍ଟିଭଙ୍ଗୀ ସଜାଗ ସତର୍କ ଥିଲା । ତେଣୁ ତାଙ୍କର ନାଟକ ଗୁଡ଼ିକରେ ସ୍ଥାନ ପାଇଛନ୍ତି ଅନେକ ଆଦର୍ଶ ସ୍ଥାନୀୟ ମହନୀୟ ଚରିତ୍ର । କ୍ଷମତାଭିଳାଷରେ ବ୍ୟକ୍ତିତ୍ଵର ତୁଙ୍ଗିମା ପ୍ରକାଶ ପାଏ ନାହିଁ, ଅପରନ୍ତୁ କ୍ଷମତା ଥାଇ ମଧ୍ୟ, ଅନ୍ୟକୁ କ୍ଷମା ଦେବାରେ ବ୍ୟକ୍ତିତ୍ଵର ମହନୀୟତା ଫୁଟି ଉଠେ । ଏ ଦୃଷ୍ଟିରୁ ‘ଘର ସଂସାର’ ନାଟକର ଗୋପ ଚୌଧୁରୀ ଜଣେ ମହାନୀୟ ବ୍ୟକ୍ତି । ପିତୃହତ୍ୟାକୁ ବିସ୍ମୃତ ହୋଇ ସେ ପିତୃଶତ୍ରୁଙ୍କ କନ୍ୟା ଶାରଦାର ଦୟନୀୟ ଅବସ୍ଥାରେ, ତାକୁ ବିବାହ କରିଛନ୍ତି । ଆପଣାର ଆଦର୍ଶ ବଳରେ ସକଳ ସଂଘର୍ଷ ଓ ସଂକଟରୁ ମଧ୍ୟ ଉତ୍ତୀର୍ଣ୍ଣ ହୋଇଛି ତାଙ୍କର ଉଚ୍ଚାଙ୍ଗ ବ୍ୟକ୍ତିସତ୍ତା । ‘ମୂଲିଆ’ ନାଟକରେ ଅଶିକ୍ଷିତ ମୂଲିଆ ନନ୍ଦ ମଧ୍ୟ ନିଜ ସାନ ଭାଇ ରାଜୁକୁ ସର୍ବାନ୍ତକରଣରେ କ୍ଷମା କରିଦେଇଛି । ଏଠାରେ ଶିକ୍ଷିତ ରାଜୁଠାରୁ, ଅଶିକ୍ଷିତ ନନ୍ଦ ଚରିତ୍ରର ଉଦାରତା ହିଁ ପ୍ରକାଶିତ । ‘ପରପୁରୁଷ’ର ବନାନୀ ମଧ୍ୟ ନାରୀଟିଏ ହୋଇ, ପତି ଶ୍ୟାମଳକୁ କ୍ଷମା କରି ନିଜର ସହନଶୀଳତାର ପରିଚୟ ବାଢ଼ିଛି । ‘କିସ ପୁଣି ଦେଖା ନଯାଏ’ ନାଟକରେ ନିଜ ପୁତ୍ର ରଜତର ଅବାଧ୍ୟତା ଏବଂ ବୋହୂ କାକଳୀର ଔଦ୍ଧତ୍ୟ ପ୍ରତି କ୍ଷମାଶୀଳ ହେବା, ବାହୁବଳେନ୍ଦ୍ରଙ୍କ ଭଳି ପିତାଙ୍କର ଉଦାର ବ୍ୟକ୍ତିତ୍ଵର ପରିଚାୟକ । ସର୍ବୋପରି ନିଜର ତିନିତିନିଟି ଶଳାଙ୍କ ଦ୍ଵାରା ଯାବତୀୟ ନିର୍ଯ୍ୟାତନାର ଶିକାର ହୋଇଥିବା ‘ନରୋତ୍ତମ ଦାସ କହେ’ର ନରୋତ୍ତମ ଚରିତ୍ର ଭିତରେ ଲେଖକୀୟ ସତ୍ତାଟି ଏକାକାର ହୋଇଥିବା ସହଜରେ ଲକ୍ଷ୍ୟ କରାଯାଏ । ଦୋଷୀକୁ ଦଣ୍ଡିତ କରିବାଠାରୁ, ଦୋଷ ପ୍ରତି ସଚେତନ କରାଇବା ହୋଇଛି, ନାଟ୍ୟକାରଙ୍କର ପ୍ରମୁଖ ଉଦ୍ଦେଶ୍ୟ ।

 

ସମାଜ ଜୀବନରେ ବିନା ଦୋଷରେ ମଧ୍ୟ ବେଳେବେଳେ ବଜ୍ରପାତ ଘଟେ, ବିନା କାରଣରେ ମଧ୍ୟ କେତେକ ଅସୁବିଧା ସୃଷ୍ଟି ହୁଏ । ବେଳେବେଳେ କେତେକ ଖଳବୁଦ୍ଧି ସମ୍ପନ୍ନ ମଣିଷଙ୍କର ଖଳପଣ ଯୋଗୁଁ, ଅନେକ ଦୁର୍ଦ୍ଦଶା ଲକ୍ଷ୍ୟ କରାଯାଏ । ସମାଜରେ ସଜ ଗୋବରରେ ଅଂଶେଇ ବସେଇବା ସ୍ଵଭାବର ଅଭାବ ନାହିଁ । ନାଟ୍ୟକାର ଏଇ ସାମାଜିକ ସତ୍ୟଟିକୁ ତାଙ୍କର ନାଟକଗୁଡ଼ିକରେ ଦର୍ଶାଇଛନ୍ତି । ‘ଭାଇଭାଉଜ’ ନାଟକରେ ବିନା ଦୋଷରେ ମଧ୍ୟ କୁଚକ୍ରାନ୍ତର ଶିକାର ହୋଇ ଭାଇ ଜେଲ୍ ଯାଇଛି । ତାର ପତ୍ନୀ ପ୍ରତି ନିହାତି ଅନୁଗତ ଭାଇ, ଲକ୍ଷ୍ମଣର ପବିତ୍ରତା ନେଇ ତାକୁ ସୁରକ୍ଷା ଦେଇଛି । ହେଲେ ଭାଇଗ ଓ ଦୁଃଖୀ ମଧ୍ୟରେ ରହିଥିବା ପବିତ୍ର ସମ୍ପର୍କକୁ ଜନ ତୁଣ୍ଡରେ କଳୁଷିତ କରାଯାଇ ଦୁହିଁଙ୍କ ଚରିତ୍ର ସଂହାର କରାଯିବା ଦୁର୍ଭାଗ୍ୟର ବିଷୟ । ଅନୁରୂପ ଚିତ୍ର ପରିଲକ୍ଷିତ ହୋଇଥାଏ ନାଟକ ଘରସଂସାରର ବିନୋଦ ଏବଂ ଶାରଦା ଚରିତ୍ର ମଧ୍ୟରେ । ‘ପରପୁରୁଷ’ରେ ଏଇ ପବିତ୍ର ସମ୍ପର୍କରେ ସନ୍ଦେହ ପ୍ରବେଶ କରାଯାଇଛି ଶ୍ୟାମଳ ମାଧ୍ୟମରେ । ନିଜ ପତ୍ନୀ ପ୍ରତି ଘୋର ଅବିଶ୍ଵାସ, ପ୍ରକୃତରେ ଏଠାରେ ଶ୍ୟାମଳ ଚରିତ୍ରର ଦୁର୍ବଳତା ପ୍ରକାଶ କରିଥାଏ । ପରିବାର ଓ ଦାମ୍ପତ୍ୟ ଭିତରେ ଏଇ ଅଯଥା ସନ୍ଦେହ ହିଁ, ମଣିଷକୁ ଏବଂ ତା’ର ଜୀବନକୁ ବହୁଧା ବିକଳାଙ୍ଗ କରି ପକାଏ ।

 

ନାଟ୍ୟକାର ରାମଚନ୍ଦ୍ରଙ୍କ ନାଟକରେ ଆଧୁନିକତା ପ୍ରତି ଉପଯୁକ୍ତ ଦୃଷ୍ଟି ସଂପାତ କରାଯାଇଛି । ମାତ୍ର ଆଧୁନିକତା ନାମରେ ଯେଉଁଠାରେ ସାମାଜିକ ମୂଲ୍ୟବୋଧର ଅବକ୍ଷୟ ଦେଖାଦେଇଛି, ସେଠାରେ ନାଟ୍ୟକାର ମୁଖ୍ୟତଃ ତୀବ୍ର ଭାବରେ ଏହାର ସମାଲୋଚନା କରିଅଛନ୍ତି-। ନୀତିଚ୍ୟୁତ, ଆଦର୍ଶହୀନ ଜୀବନ – ଜୀବନ ନୁହେଁ, ଏହା ଯଥାର୍ଥରେ ଜୀବନ୍ତ ମରଣ- ନାଟ୍ୟକାର ମାନବଜୀବନର ଏଇ ସନ୍ତୁଳିତ ଅବସ୍ଥାକୁ ଅନେକ କ୍ଷେତ୍ରରେ ପ୍ରଦର୍ଶନ କରାଇବାରେ ସଫଳତା ଲାଭ କରିଅଛନ୍ତି । ନାରୀଶିକ୍ଷା ଓ ନବ୍ୟଶିକ୍ଷା ପ୍ରତି ତାଙ୍କର ଅଭିଳାଷ ରହିଛି, ଅଥଚ ଶିକ୍ଷା ନାମରେ ସଂସ୍କାରହୀନତା, ସାମାଜିକ ସ୍ଵେରାଚାର ଓ ସ୍ଵେଚ୍ଛାଚାରକୁ ସେ ତୀବ୍ର ଭାବରେ ଘୃଣା କରିଛନ୍ତି ।

 

ବିଂଶ ଶତକରେ ରାଷ୍ଟ୍ରୀୟ ଆନ୍ଦୋଳନରେ ଶିକ୍ଷାର ବିକାଶ ସଂଘଟିତ ହେଲା । ଶିକ୍ଷା ପ୍ରସାର ସହିତ ନାରୀ ଶିକ୍ଷାର ବିକାଶ ପରିଲକ୍ଷିତ ହେଲା । ନାରୀ ଜାଗରଣର ପରିଣାମ ସ୍ଵରୂପ ଭାରତ ବର୍ଷରେ ପାଶ୍ଚାତ୍ୟ ସଭ୍ୟତା ପ୍ରତି ତୀବ୍ର ଆକର୍ଷଣ ଦେଖାଦେବା ଫଳରେ ଭାରତବର୍ଷର ପାରମ୍ପରିକ ବିଶ୍ଵାସ ଓ ଜୀବନ ଚଳଣିରେ କେତେକ ପରିବର୍ତ୍ତନ ମଧ୍ୟ ଆସିଲା । ବିବାହକୁ ନେଇ ରହିଆସିଥିବା ଯାବତୀୟ ନୈତିକ ବିଧାନ କ୍ରମଶଃ ପରିବର୍ତ୍ତିତ ହେଲା । ଫଳତଃ ସମାଜରେ ପାରମ୍ପରିକ ବିବାହ ରୀତି ସ୍ଥାନରେ ମୁକ୍ତ ପ୍ରେମ ଜନିତ ବିବାହ ସ୍ଥାନ ପାଇଲା । ଏହାର ପ୍ରତିକ୍ରିୟା ଘଟିଲା ଦାମ୍ପତ୍ୟଜୀବନର ରୁଗ୍ମତା ଭିତରେ । ପାରିବାରିକ ଜୀବନରେ ରୁଗ୍ନ ଦାମ୍ପତ୍ୟ ଏକ ସମସ୍ୟା ଆଣିଲା । ସମାଜ ସଚେତନ ଶିଳ୍ପୀ ରାମଚନ୍ଦ୍ର, ସାମାଜିକ ଜୀବନରେ ସଂଘଟିତ ଏଇ ସମସ୍ୟାଗୁଡ଼ିକୁ, ତାଙ୍କ ନାଟକରେ ସ୍ଥାନ ଦେଲେ । ବୈବାହିକ ଜୀବନର ସମସ୍ୟା ଗୁଡ଼ିକର ଚିତ୍ର ପ୍ରଦାନ କଲେ ତାଙ୍କର ‘ଘର ସଂସାର’, ‘ମ୍ୟାନେଜର’, ‘ନରୋତ୍ତମ ଦାସ କହେ’, ‘ଗୋଧୂଳି ଲଗ୍ନ’ ଏବଂ ‘କିସ ପୁଣି ଦେଖା ନଯାଏ’ ଇତ୍ୟାଦି ନାଟକରେ । ବୈବାହିକ ଜୀବନ ଏବଂ ତଜ୍ଜନିତ ସମସ୍ୟାର ଚିତ୍ରଗୁଡ଼ିକ ଏସବୁ ନାଟକରେ ବେଶ୍ ବାସ୍ତବାଶ୍ରୟୀ ଭାବରେ ହୋଇଛି ରୂପାୟିତ । ଏସବୁ ମାଧ୍ୟମରେ ବେଶ୍ୟାଳୟ ଗମନ, ଅବୈଧ ପ୍ରଣୟ, ନିଶାସେବନ ଇତ୍ୟାଦିର କୁତ୍ସିତ ପରିଣତି କିପରି ଭୟାବହ, ତାହା ଲେଖକ ଦର୍ଶାଇଅଛନ୍ତି ।

 

ଆଧୁନିକ ଶିକ୍ଷାର ପ୍ରସାର ଫଳରେ ଦେଶରେ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ପାଇବା ପରିବର୍ତ୍ତେ ବରଂ ମାନବିକ ମୂଲ୍ୟବୋଧର ଅବକ୍ଷୟ ଘଟିଛି । ଫଳତଃ ଶିକ୍ଷାପ୍ରାପ୍ତ ଯୁବକ, ଗ୍ରାମ୍ୟ ପରିବେଶରୁ ଦୂରେଇ ଯାଇ, ସହରୀ ସଭ୍ୟତାର ଚାକଚକ୍ୟ ଭିତରେ ଦିଶାହରା ହୋଇଛି । ଶିକ୍ଷିତା ଯୁବତୀ, ଆପଣାର ନାରୀ ଜୀବନର ମହାର୍ଘ ସଂପଦକୁ ହରାଇ ବସିଛି, ପୁଣି କେବେକେବେ ଶିକ୍ଷାର ବୃଥା ଅଭିମାନ ଭିତରେ ପୁତ୍ରକୁ ତାର ପିତା ଓ ପରିବାରଠାରୁ ପୃଥକ କରିଛି । ମାତ୍ର ଏସବୁ ପ୍ରତି ଲେଖକ ବ୍ୟଙ୍ଗାତ୍ମକ ଦୃଷ୍ଟି ଦେଇ, ଏହାର ତୀବ୍ର ସମାଲୋଚନା କରିଅଛନ୍ତି । ପୁନଶ୍ଚ ଶିକ୍ଷିତମାନଙ୍କୁ ଗ୍ରାମାଭିମୁଖୀ କରାଇ, ସେ ନବସମାଜ ସଂଗଠନରେ ଏମାନଙ୍କୁ ନିୟୋଜିତ କରାଇଛନ୍ତି । ଭାରତ, ଗୁଣ, ଗୋପ, ସୁର, ମାଧବ, ଜୟନ୍ତ ଓ ସବିତା ଇତ୍ୟାଦି ଚରିତ୍ରଗୁଡ଼ିକ ମାଧ୍ୟମରେ ସେ ଶିକ୍ଷାର ବାସ୍ତବ ଉପଯୋଗ ଘଟାଇବାର ସୁଯୋଗ ସୃଷ୍ଟି କରିଛନ୍ତି ।

 

ସମାଜ ଜୀବନର ପ୍ରତିଟି ସ୍ତରର ଚିତ୍ର ପ୍ରଦାନ କରି, ସୁସ୍ଥ ସାମାଜିକ ଜୀବନ ଗଠନ ନିମିତ୍ତ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିବା କ୍ଷେତ୍ରରେ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କର ପ୍ରତ୍ୟେକଟି ସୃଷ୍ଟି ସ୍ଵତନ୍ତ୍ର ଭାବରେ ତତ୍ପର । ତେଣୁ ତାଙ୍କର ସାମାଜିକ ଅଙ୍ଗୀକାରଟି ସବୁଠାରୁ ଦୃଢ଼ ପ୍ରତ୍ୟୟ ସୃଷ୍ଟି କରିଥାଏ ।

 

କ-୪. ରାଜନୀତିକ ଦୃଷ୍ଟିଭଙ୍ଗୀ

ସ୍ଵାଧିନତା ସଂଗ୍ରାମୀ ଦଦେଇ ଗୋବିନ୍ଦ ମିଶ୍ରଙ୍କ ପ୍ରତ୍ୟକ୍ଷ ସମ୍ପର୍କ ଓ ଚମ୍ପାପୁରର ସେବାଶ୍ରମରେ କାର୍ଯ୍ୟଧାରାର ପ୍ରଭାବ ଫଳରେ ନାଟ୍ୟକାର ରାମଚନ୍ଦ୍ର ବାଲ୍ୟକାଳରୁ ହୋଇ ପଡ଼ିଥିଲେ ରାଜନୀତି ସଚେତନ । ପୁନଶ୍ଚ ଜୀବନରେ ଓକିଲାତି ବୃତ୍ତି ତଥା ପ୍ରତ୍ୟକ୍ଷ ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣ ହେତୁ, ରାଜନୀତି ସହିତ ସେ ଜଡ଼ିତ ହୋଇପଡ଼ିଥିଲେ । ରାଜନୀତିକ ଜୀବନରେ ଅନେକ ଘାଟନିକ ଚମକ ଏବଂ ସ୍ଵାଧୀନତା ପରବର୍ତ୍ତୀ ସମୟରେ ମୂଲ୍ୟବୋଧ ଭିତ୍ତିକ ରାଜନୀତିକ ଜୀବନର କ୍ରମକ୍ଷୟ ତଥା କ୍ଷମତା ରାଜନୀତିର ବିକଳ କ୍ଷମତାନିଶା, ରାମଚନ୍ଦ୍ରଙ୍କ ଭିତରେ ରାଜନୀତି ଚିନ୍ତନକୁ ନେଇ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଏଇହେତୁ, ଲେଖକ ତାଙ୍କର ଶେଷ ପର୍ଯ୍ୟାୟର ନାଟକ ‘ମନ୍ତ୍ରୀଯୁଗ’ ତଥା ‘ଉପନ୍ୟାସ’ ‘ସେଇ ଲକ୍ଷ୍ମୀପୁର’ରେ ରାଜନୀତିକ ଜୀବନର ଚିତ୍ର ଉତ୍ତୋଳନ କଲେ । ‘ମନ୍ତ୍ରୀଯୁଗ’ ସଂକଳନରେ ସ୍ଥାନିତ ହୋଇଥିବା ନାଟକ ତିନୋଟି ପୂର୍ବରୁ ବିଶେଷ କରି ‘ନରୋତ୍ତମ ଦାସ କହେ’ ନାଟକରେ ଅନ୍ତଃସାରଶୂନ୍ୟ ରାଜନୀତିର ଦୟନୀୟ ରୂପସତ୍ତା ପ୍ରକାଶ କରିବାରେ କ୍ଷମ ହୋଇଛନ୍ତି । ‘ନରୋତ୍ତମ ଦାସ କହେ’ ନାଟକରେ ସାନ ଶଳା ମାଧବର ଛାତ୍ର ଜୀବନରୁ ନେତୃତ୍ଵ ପ୍ରତି ଆଗ୍ରହ, କୃଷକ ଆନ୍ଦୋଳନରେ ସାମିଲ ଏବଂ ଶେଷରେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ ଇତ୍ୟାଦି ଘଟଣାମାନ ଦର୍ଶାଇ ଜଣେ ସାଧାରଣ ଶଠ ପ୍ରକୃତିର ମଣିଷ କ୍ଷମତା ରାଜନୀତିରେ କିପରି ମନ୍ତ୍ରୀ ହୋଇପାରେ ତାହା ଦର୍ଶାଯାଇଛି । ପୁନଶ୍ଚ ମଝିଆ ବୋହୂ ଲକ୍ଷ୍ମୀ ଦେବୀଙ୍କର ବ୍ୟବସାୟିକ ବୁଦ୍ଧି, ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ଦାନ, ମାଧବର ନିର୍ବାଚନ ଖର୍ଚ୍ଚ ବହନ ଏବଂ ମାଧବ ଜିତିବା ପରେ ‘ଲକ୍ଷ୍ମୀ ଟ୍ରେଡ଼ର୍ସ’ ନିମିତ୍ତ ଅଯାଚିତ ରାଜନୀତିକ ଅନୁକମ୍ପା ପ୍ରାପ୍ତି ପ୍ରଭୃତି ଘଟଣାରେ ରାଜନୀତି ଏବଂ ବ୍ୟବସାୟର ଅସାଧୁମେଣ୍ଟ ସମ୍ପର୍କରେ ସ୍ପଷ୍ଟଚିତ୍ର ପ୍ରଦାନ କରିଥାଏ । ଚରିତ୍ରହୀନ ମାଧବ ଦ୍ଵାରା କୁମାରୀ କନ୍ୟାକୁ ଅନ୍ତସତ୍ତ୍ଵା କରି ମଧ୍ୟ ରାଜନୀତିରେ ଅଂଶ ଗ୍ରହଣ ଓ ନିର୍ବାଚନରେ ଜୟଲାଭ ପ୍ରଭୃତି ଘଟଣାରେ କଳୁଷିତ ଲୋକଙ୍କର ରାଜନୀତିକ ଜୀବନଧାରାର ସ୍ପଷ୍ଟ ଚିତ୍ର ହିଁ ସୂଚୀତ ।

 

‘ମନ୍ତ୍ରୀଯୁଗ’ ସଂକଳନରେ ସ୍ଥାନିତ ନାଟକ ତିନୋଟିରେ ରାଜନୀତିକ ସ୍ଥିତି ପ୍ରତି ନାଟ୍ୟକାର ତୀର୍ଯ୍ୟକ ଓ ବ୍ୟଙ୍ଗାତ୍ମକ ଦୃଷ୍ଟି ପ୍ରକାଶ କରିଅଛନ୍ତି । ‘ଆଶା ନିରାଶା’ରେ ନାଟ୍ୟକାର, ଜଣେ ସ୍ଵାଧିନତା ସଂଗ୍ରାମୀ ସ୍ଵାଧିନତା ପରବର୍ତ୍ତୀ ରାଜନୀତିରେ ପ୍ରବେଶ କରି କିପରି ଦୁର୍ନୀତିର ଗନ୍ତାଘର ପାଲଟିଯାଏ ଏବଂ କ୍ଷମତାରେ ରହିବାପାଇଁ କିପରି ଜନତା ଓ ଏକଦା ସହକର୍ମୀମାନଙ୍କୁ ପ୍ରତାରିତ କରିଥାଏ ତାର ନଗ୍ନ ଦୃଷ୍ଟାନ୍ତ ସୁବାସ ଚରିତ୍ର ମାଧ୍ୟମରେ ଦର୍ଶାଇ ଅଛନ୍ତି । କେବଳ ଟିକିଏ କ୍ଷମତାର ସ୍ଵାଦ ନିଃସ୍ଵାର୍ଥ ସମାଜ ସେବକକୁ, ସ୍ଵାର୍ଥାନ୍ଧ ରାଜନୀତିକ ମଣିଷରେ ପରିଣତ କରିପାରେ –ଏହା ନାଟ୍ୟକାର ସୁବାସ ମାଧମରେ ଦର୍ଶାଇଛନ୍ତି ।

 

‘ଆଶା ନିରାଶା’ର ପରିବର୍ତ୍ତିତ ଓ ସାମାନ୍ୟ ପରିବର୍ଦ୍ଧିତ ରୂପରେଖ ହେଉଛି ‘ମନ୍ତ୍ରୀ ଆସିବେ’ ।ଏଥିରେ ସଭାକୁ ମନ୍ତ୍ରୀ ଆସିବାର ଯୋଜନା କରାଇ ସଦାନନ୍ଦ ଓ ନିତ୍ୟାନନ୍ଦ ଭଳି ହୀନ ଚକ୍ରାନ୍ତକାରୀ ବୀକ୍ତିମାନେ କଳାବଜାରୀ ଓ ମୁନାଫାଖୋର ଏବଂ ଦୁର୍ନୀତିଗ୍ରସ୍ତ ଅଫିସରମାନଙ୍କ ଦୁର୍ନୀତି ଓ ଅନୈତିକ ଆଚରଣକୁ ପ୍ରଶ୍ରୟ ଦେଇ କିପରି ସ୍ଵାର୍ଥ ସାଧନରେ ପ୍ରମତ୍ତ, ତାହା ଦର୍ଶାଇଅଛନ୍ତି । ଏପରିକି ଚାରିତ୍ରିକ ସ୍ଖଳନର ଚରମସୀମାରେ ପହଞ୍ଚୁଥିବା ଲୋକେ, ଏ ଦେଶର ରାଜନୀତିକ ମଞ୍ଚରେ ଛାମୁଆ ସାଜିବା ଭଳି କୁତ୍ସିତ ଅବସ୍ଥାକୁ ନାଟ୍ୟକାର ପ୍ରକାଶ କରିଅଛନ୍ତି । ଜନତା ଏଠାରେ ଭକୁଆ, ଟ୍ରକରେ ବୁହା ହୋଇ ଏମାନେ ସଭାକୁ ଆସନ୍ତି, ଗଣ୍ଡାଏ ଖାଆନ୍ତି ଓ ମଜୁରି ପାଆନ୍ତି –ଏଇମାନଙ୍କ ଉପସ୍ଥିତି ଦେଖାଇ ନେତାଏ ନିଜ ନିଜର ପତିଆରା ପ୍ରଦର୍ଶନ କରାନ୍ତି-

 

‘ଭୋଟ ସଂସାର’ ସ୍ଵାଧିନତା ପରବର୍ତ୍ତୀ ହୀନ ରାଜନୀତିର ଉତ୍ତମ ଦୃଷ୍ଟାନ୍ତ । ଯେଉଁମାନେ ଗ୍ରାମ ଛାଡ଼ି ସହରରେ ରହି ନେତାମାନଙ୍କୁ ପ୍ରଭାବିତ କରନ୍ତି, ସେମାନେ ଏଠାରେ ନେତୃତ୍ଵ ପାଇଁ ଦଳୀୟ ଟିକେଟ ପାଆନ୍ତି । ସହରରେ ଅବସ୍ଥାନ କରୁଥିବା ଓକିଲ ପତ୍ନୀ ଲିଲି ରାଉତରାୟଙ୍କ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀତ୍ଵ ଏହାର ନଗ୍ନ ନମୁନା । ପୁନଶ୍ଚ ଗଣତନ୍ତ୍ରରେ ଗଣମତ ଭଳି ଗୁରୁତ୍ଵପୂର୍ଣ୍ଣ ଦିଗ ହୁଏ ଉପେକ୍ଷିତ । ନିରୀହ ଓ ସରଳ ଗଣଙ୍କୁ ଧମକ ଦିଆଯାଏ । ସାମାନ୍ୟ କେତେଟା ଟଙ୍କା ଦେଇ ସେମାନଙ୍କ ମତାମତକୁ ପ୍ରଭାବିତ କରାଯାଏ । ଏପରିକି ବୁଥ୍ ଜବରଦଖଲ କରାଇ ନିଜର କ୍ଷମତା ବିସ୍ତାର କରାଯାଏ । ଏଥିପାଇଁ ସରକାରୀ କଳ ଏବଂ ପୋଲିସର ସହାୟତା ମିଳେ, ନ ହେଲେ ଭଡ଼ାଟିଆ ଗୁଣ୍ଡାକୁ ଡକାଯାଇ ହିଂସାତ୍ମକ ପନ୍ଥାର ଆଶ୍ରୟ ନିଆଯାଏ । ଜନମତକୁ ବିଭ୍ରାନ୍ତ କରିବା,ପ୍ରତିଦ୍ଵନ୍ଦୀଙ୍କୁ ଆଘାତ କରିବା,ଜବରଦସ୍ତ ଭୋଟ ଦେବା,ଭୋଟ ପୂର୍ବରୁ ବି.ଡ଼ି.ଓ କୁ ଧରି ରାତାରାତି ରାସ୍ତା ନିର୍ମାଣ ଓ ନଳକୂପ ବସାଇ ଲୋକ ସେବାର ଛଳନା କରିବା ଭଳି ଦୃଶ୍ୟ ଓ ଲିଲି ରାଉତରାୟଙ୍କର ଭୋଟ ପ୍ରଚାର ଶୈଳୀ ଇତ୍ୟାଦିର ଚିତ୍ର ମାଧ୍ୟମରେ ଚଳନ୍ତି ରାଜନୀତିର ନଗ୍ନସତ୍ତାକୁ ନାଟ୍ୟକାର ବେଶ୍ ସାହସର ସହିତ ଉପସ୍ଥାପନ କରିବାରେ ଅସାମାନ୍ୟ ସଫଳତା ଲାଭ କରିଅଛନ୍ତି ।

 

କ-୫ . ସାଂସ୍କୃତିକ ଜୀବନର ଶୁଦ୍ଧ ସେବକତ୍ଵ :

ଆଦର୍ଶ ଓ ନୀତିବାଦୀ ମଣିଷ ରାମଚନ୍ଦ୍ର ମିଶ୍ର ଥିଲେ ସଂସ୍କୃତିର ଉପାସକ ଓ ମହାଭାରତୀୟ ସଂସ୍କୃତିରେ ବିଶେଷ ଆସ୍ଥାବାନ । ‘ବସୁଧୈବ କୁଟୁମ୍ବକଂ’, ‘ଜନନୀ ଜନ୍ମଭୂମିଶ୍ଚ ସ୍ଵର୍ଗାଦପୀ ଗରୀୟସୀ’ ନୀତିରେ ସେ ଥିଲେ ସଂପୂର୍ଣ୍ଣ ବିଶ୍ଵାସୀ । ତେଣୁ ତାଙ୍କ ନାଟକରେ ସେ ସାଂସ୍କୃତିକ ଜୀବନର ଶୁଦ୍ଧତାକୁ ସୁରକ୍ଷା ଦେବା ନିମିତ୍ତ ଉଦ୍ୟମ କରିଛନ୍ତି । ପାରମ୍ପରିକ ସମାଜ ବ୍ୟବସ୍ଥା ଓ ସଂସ୍କୃତି ଉପରେ ଆଧୁନିକ ସଭ୍ୟତା ନାମରେ କୌଣସି ପ୍ରକାରର କୁଠାରାଘାତକୁ ସେ କେବେବି ସ୍ଵୀକାର କରିନାହାନ୍ତି । ତାଙ୍କ ମତରେ –“ଆମ ଦେଶର ସମାଜ ବହୁ ପୁରୁଣା, ୟାର ଚେର ବହୁତ ତଳେ, ୟା ଉପରେ ବହୁତ ଝଡ଼ଝଞ୍ଜା ବହିଯାଇଛି, କିନ୍ତୁ ୟାର ସଂସ୍ଥା ଭୁଷୁଡ଼ି ପଡ଼ିନି, ସଭ୍ୟତା ନୁହେଁ, କିମ୍ବା ଏତେଦିନର ପୁରୁଣା ସଂସ୍ଥାକୁ ଭାଙ୍ଗି, ଆମର ଏଇ ସାଧାରଣ ସଭ୍ୟତା ଛାଞ୍ଚରେ ନୂଆ କରି ଗଢ଼ାଯାଇ ନପାରେ ।” (ଭାଇଭାଉଜ –ପଦେଅଧେ)

 

ସଂସ୍କୃତିର ପ୍ରେକ୍ଷାପଟରେ ସମୟ ବିଶେଷରେ ଆସିଥିବା ପରିବର୍ତ୍ତନ ଗୁଡ଼ିକୁ ନାଟ୍ୟକାର ଅତ୍ୟନ୍ତ ସତର୍କତାର ସହିତ ଲକ୍ଷ୍ୟ କରିଅଛନ୍ତି, ସଂସ୍କୃତିର ଦୋଳାୟମାନ ଅବସ୍ଥାରେ ସେ ନୂଆ ଭରକେନ୍ଦ୍ର ରୂପେ କେତୋଟି ଆଦର୍ଶ ଆଣି ଉପସ୍ଥାପନ କରିଛନ୍ତି । ସଂସ୍କୃତି ବିକଳ ହୋଇଗଲେ, ତାକୁ ସୁଧାରିବା କଷ୍ଟ । ତେଣୁ ସଂସ୍କୃତିକୁ ସୁରକ୍ଷିତ କରିବା ନିମିତ୍ତ ସେ ଯେମିତି ବଦ୍ଧ ପରିକର ଥିଲେ । ସେ ସାମ୍ୟ ଓ ମୈତ୍ରୀର ସ୍ଵପ୍ନ ଦେଖିଛନ୍ତି । ତେଣୁ ତାଙ୍କ ନାଟକରେ ଜଜ୍ ସାହେବ, ସବିତା ଏବଂ ଭରତ ପ୍ରଭୃତି ଚରିତ୍ର ମାଧ୍ୟମରେ ପ୍ରକାଶ ପାଇଛି ସଂସ୍କୃତିର ମହାନବାର୍ତ୍ତା । ‘ଭାଇଭାଉଜ’ରେ ମହୀ ଓ ଭାଇଗର ସଂପର୍କ ଭିତରେ ରାମ-ଲକ୍ଷ୍ମଣର ଘନିଷ୍ଠ ବିଶ୍ଵାସ ସଂରକ୍ଷିତ ହୋଇଛି । ‘ଚାବୁକ୍’ ନାଟକରେ ଅନୁତପ୍ତ ଜୟନ୍ତ ମୈତ୍ରୀ ମହଲ ଆନୁକୂଲ୍ୟରେ ନୂତନ ସମାଜ ଗଠନର ସ୍ଵପ୍ନହିଁ ଦେଖିଛନ୍ତି । ‘ସର୍ବେ ଭବନ୍ତୁ ସୁଖୀନଃ’ –ଏହା ଯେମିତି ‘ସାଇପଡ଼ିଶା’ ନାଟକରେ ମର୍ମବାଣୀ ରୂପେ ପ୍ରକାଶ ପାଇଛି । ମୂଲ୍ୟବୋଧର ପୁନରୁତ୍-ଥାନ ନିମିତ୍ତ ଜାଗ୍ରତ ପ୍ରହରୀ ସାଜିଛନ୍ତି ‘ଘରସଂସାର’ ନାଟକର ମୁଖ୍ୟ ଚରିତ୍ର ଗୋପ ଚୌଧୁରୀ । ‘ନରୋତ୍ତମ ଦାସ କହେ’ରେ ନରୋତ୍ତମ ହିଁ ପରମ୍ପରାର ସେବକ, ରୂପେ ଅପମାନିତ ଓ ଲାଞ୍ଛିତ ହେଲେ ମଧ୍ୟ, କେଉଁଠାରେ ହେଲେ ଆପଣାର ମୂଲ୍ୟବୋଧ ଭିତ୍ତିକ ଜୀବନ ଧାରାରୁ ବିଚ୍ୟୁତ ହୋଇନାହାନ୍ତି ।

 

ବ୍ୟକ୍ତି ଚରିତ୍ରର ତ୍ୟାଗ, ଆଦର୍ଶ, ବିଶ୍ଵାସନୀୟତା ଉପରେ ନାଟ୍ୟକାର ଗୁରୁତ୍ଵ ଆରୋପ କରିଛନ୍ତି । ପ୍ରଥମେ ଘର ସଜାଡ଼ିବା ଦରକାର, ପରେ ବାହାର । ‘ଆପେ ଭଲ ହେଲେ ସଂସାରଭଲ’-ଏଇ ନ୍ୟାୟରେ ଆଗେ ପାରିବାରିକ ଜୀବନର ଶୃଙ୍ଖଳା ଦରକାର । ଗୋପ ଏ ସଂପର୍କରେ କହିଛନ୍ତି –“ମୁଁ ଆଗ ନିଜ ଘରକୁ ନ ସଜାଡ଼ି, ବାହାରଟାକୁ ସଜାଡ଼ିବାରେ ଲାଗିଥିଲି, ସେଇଟା ମୋର ଭୁଲ୍ । ମୋତେ ଆଗ ମୋ ନିଜ ଘର ସଜାଡ଼ିବାକୁ ହେବ” – (ଘରସଂସାର-ପୃଷ୍ଠା-୧୦୩) ମନେହୁଏ ଗୋପ ଘରସଂସାରର କଳ୍ପିତ ଚରିତ୍ର ନୁହେଁ, ଓଡ଼ିଆପ୍ରାଣ ଦରଦୀ ଉତ୍କଳମଣି ଗୋପବନ୍ଧୁଙ୍କର ଚଣ୍ଡିପୁର ଅବତାର ସେ । କାରଣ ତା’ ଭିତରେ ଉତ୍କଳମଣିଙ୍କ ଭଳି ପ୍ରକାଶ ପାଇଛି ବିଶ୍ଵବାଦୀ ଭାବନା- “ଏଇ ସଂସାରକୁ ମୁଁ ମୋର ଘର କରି ନେଇଛିରେ, ମତେ ଆଉ ତମେ କେହି ବାଧା ଦିଅନା । ସେବା ଧର୍ମ ଯେ ମୋ ଜୀବନର ବ୍ରତ ।” (ଘରସଂସାର-ପୃଷ୍ଠା-୪୭)

 

ଘର ଗଢ଼ିବା ପାଇଁ ପ୍ରଥମେ ଦାମ୍ପତ୍ୟ ଜୀବନର ସୁସ୍ଥତା ଆବଶ୍ୟକ । ଦାମ୍ପତ୍ୟର ପବିତ୍ରତା ବିବାହବନ୍ଧନ ଦ୍ଵାରା ଆସେ, ପତି–ପତ୍ନୀର ପାରସ୍ପରିକ ସ୍ନେହ–ପ୍ରେମ ଓ ବିଶ୍ଵାସ ଦ୍ଵାରା ଏହା କ୍ରମେ ସୁଦୃଢ଼ ହୋଇପାରେ । ନାଟ୍ୟକାର ତାଙ୍କର ଅନେକ ନାଟକରେ ସୁଖମୟ ଦାମ୍ପତ୍ୟ ଓ ପତ୍ନୀର ପାତିବ୍ରତ୍ୟ ଉପରେ ଗୁରୁତ୍ଵ ଦେଇଛନ୍ତି । ଜମିଦାର ଘରର ଉଚ୍ଚଶିକ୍ଷିତା ଅଲିଅଳ କନ୍ୟା ଶାରଦା, ଗୋପକୁ ବିବାହ କରିବା ପରେ, ପତି ପରମେଶ୍ଵର ରୀତିରେ ସ୍ଵାମୀ ଗୋପଙ୍କର ପ୍ରତ୍ୟେକଟି କାର୍ଯ୍ୟକୁ ଆଗ୍ରହର ସହିତ ଗ୍ରହଣ କରି ନେଇ ଦର୍ଶାଇଛି –“ହିନ୍ଦୁ ନାରୀର ସ୍ଵାମୀ ଘର ସ୍ଵର୍ଗ, ମତେ ସେ ସୁଖରୁ ବଞ୍ଚିତ କରନା ।” (ଘରସଂସାର) ଶାରଦା ଭଳି ଶିକ୍ଷିତା ନ ହେଲେ ମଧ୍ୟ, ଶାରଦା ଆଦର୍ଶର ଦୁଇଟି ସ୍ଵତନ୍ତ୍ର ଛାଞ୍ଚ ହେଲେ ‘ଭାଇଭାଉଜ’ର ମହୀ ପଧାନ ସ୍ତ୍ରୀ ଦୁଃଖୀ ଏବଂ ମୂଲିଆର ନନ୍ଦ ସ୍ତ୍ରୀ ବା କୁନିବୋଉ । ଅଶିକ୍ଷିତା ହେଲେ ମଧ୍ୟ ଏ ଦୁହିଁଙ୍କ ଭିତରେ ସେଇ ସଂସ୍କାରିତ ନାରୀତ୍ଵର ଛାପ ସ୍ପଷ୍ଟ । ହିନ୍ଦୁ ନାରୀ ନିକଟରେ ତା’ର ସ୍ଵାମୀ ହେଉଛି ସର୍ବସ୍ଵ । ସେଇଭଳି ପ୍ରମୁଖ ଗୁଣବତ୍ତାକୁ, ନାଟ୍ୟକାର ପରପୁରୁଷର ବନାନୀ ଏବଂ ‘ନରୋତ୍ତମ ଦାସ କହେ’ର ‘ଭାରତୀ’ ଚରିତ୍ର ମାଧ୍ୟମରେ ପ୍ରକାଶ କରିଅଛନ୍ତି । ଉଚ୍ଚଶିକ୍ଷିତା ବନାନୀ କିରାଣୀ ଶ୍ୟାମଳକୁ ବିବାହ କରି, ତା’ ଠାରେ ଚରମ ବିଶ୍ଵାସନୀୟତା ସ୍ଥାପନ କରିଛି । ଶ୍ୟାମଳ ପ୍ରତି ତା’ର ଆନ୍ତରିକତା କେବେ ବି ଊଣା ପଡ଼ିନାହିଁ । ବନାନୀର ପୁନଃବିବାହ ନିମିତ୍ତ ପ୍ରସ୍ତାବ ଆଗତ ହେବା ପରେ ବନାନୀ ଦୃଢ଼ ଭାବରେ ଏହାର ପ୍ରତିବାଦ କରି କହିଛି –“ସେ ଯାହା ହୁଅନ୍ତୁ,ସେ ମୋର ସ୍ଵାମୀ” । ବିବାହ ବେଦୀ ଉପରେ ଅଗ୍ନିଙ୍କୁ ସାକ୍ଷୀ ରଖି, ମୋରି ହାତ ଉପରେ ହାତ ରଖି, ମନ୍ତ୍ର ଉଚ୍ଚାରଣ କରି ସେ ଯେଉଁ ଶପଥ ନେଉଥିଲେ, ତା’ ହୁଏତ ସେ ଲଘଂନ କରିପାରନ୍ତି, ହେଲେ ମୁଁ କାହିଁକି ଜାଣିଶୁଣି ଲଘଂନ କରିବି । (ପରପୁରୁଷ) ମାଧବ ଦ୍ଵାରା ପ୍ରତାରିତା ହୋଇଛି ଭାରତୀ । ମାଧବ ତାକୁ ପତ୍ନୀ ଭାବରେ ଗ୍ରହଣ କରିବାକୁ ସ୍ଵୀକାର କରୁନାହିଁ । ଏଇଭଳି ଅବସ୍ଥାରେ ଜନ୍ମିତ ସନ୍ତାନକୁ ବଡ଼ ଯା’ ଲକ୍ଷ୍ମୀଙ୍କୁ ଦେଇସାରି, ଆତ୍ମହତ୍ୟା କରିଛି ଭାରତୀ । ଦୃଢ଼ ଭାବରେ ତା କଣ୍ଠରୁ ଶୁଣାଯାଇଛି – “ଏ ଜନମରେ ନହେଲେ ଆର ଜନମରେ ତ ମିଳିବ?” (ନରୋତ୍ତମ ଦାସ କହେ)

 

 

ସାମଗ୍ରିକ ପ୍ରଚେଷ୍ଟା ଓ ସାହଚର୍ଯ୍ୟ ଗଢ଼ି ଉଠେ ସଂସାର, ପରିବାର ଏବଂ ସମାଜ । ଏଠାରେ ସବୁରି କିଛି ନା କିଛି ତ୍ୟାଗ, ଆଦର୍ଶ, ନିଷ୍ଠା ରହିବା ଆବଶ୍ୟକ । ଭାଇ ଭାଇରେ ଅମେଳ ହେଲେ ଘର ଭାଙ୍ଗିଯାଏ । ଯୌଥ ପରିବାର ଧ୍ଵଂସ ପାଇଯିବା ଆମ ସଂସ୍କୃତିର ପରିଚାୟକ ନୁହେଁ । ଭାଇଭାଇର ସମ୍ପର୍କକୁ ନାଟ୍ୟକାର ରାମଚନ୍ଦ୍ର ମିଶ୍ର, ତାଙ୍କର ଅନେକ ନାଟକରେ ପ୍ରକାଶ କରିଅଛନ୍ତି-। ‘ଭାଇଭାଉଜ’ରେ ମହୀ ଓ ଭାଇଗ ‘ଘରସଂସାର’ରେ ଗୋପ ଓ ବିନୋଦ, ‘ମୂଲିଆ’ରେ ନନ୍ଦ, ରାଜୁ ଓ ନବ ଏବଂ ‘ନରୋତ୍ତମ ଦାସ କହେ’ ନାଟକରେ ମି.ଦାସ, ଯାଦବ ଦାସ ଓ ମାଧବ ଦାସ –ଭାଇଭାଇର ସଂପର୍କ ନେଇ ଛିଡ଼ା ହୋଇଛନ୍ତି । ନନ୍ଦ ଓ ଗୋପ ଦୁଇ ଆଦର୍ଶ ବଡ଼ ଭାଇ ଯେଉଁ ଦୁଜଣ ଜୀବନରେ ନିଜର କର୍ତ୍ତବ୍ୟ ଏବଂ ସହନଶୀଳତାର ଶୀର୍ଷରେ ପହଞ୍ଚିଛନ୍ତି । ସାନଭାଇ ଭାବରେ ଭାଇଗର ତ୍ୟାଗ, ପ୍ରକୃତରେ ଏକାନ୍ତ ଗୁରୁତ୍ଵପୂର୍ଣ୍ଣ । ସେଇପରି ଭାବରେ ଗୋପଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ବିନୋଦ, ନିଜର ଉଚ୍ଛୃଙ୍ଖଳିତା ପତ୍ନୀ ଅନିମାକୁ ମାଡ଼ ମାରି ଶାସନ କରିଛି । ଏପରିକି ଅନିମା ଆତ୍ମହତ୍ୟା କରିବାକୁ ଯିବାବେଳେ, ସେ ତାକୁ ବାରଣ କରିନାହିଁ-। ବିନୋଦ ବୁଝିଛି, ଅନିମା ଗୋଟାଏ ବିଷକୀଟ, ବରଂ ତାକୁ ବାଦ ଦେଇ ଦେଲେ, ପରିବାରଟାରେ ଶାନ୍ତି-ସନ୍ତୋଷ ଦେଖାଦେବ ।

ପାଶ୍ଚାତ୍ୟ ସଂସ୍କୃତିର ବ୍ୟାପକ ପ୍ରଭାବ ଫଳରେ ଆମର ପାରମ୍ପରିକ ସାଂସ୍କୃତିକ ଜୀବନରେ ଅନେକ ଦୁଃଖ-ଯନ୍ତ୍ରଣା ଦେଖାଦେଇଛି । ପାଶ୍ଚାତ୍ୟ ସଂସ୍କୃତିର ବଶବର୍ତ୍ତୀ ହୋଇ ଅନେକ ଚାକଚକ୍ୟପୂର୍ଣ୍ଣ ସହରୀ ସଭ୍ୟତା ଆଡ଼କୁ ଧାଇଁଛନ୍ତି, ଏହାର ମାୟାଲୋକରେ ଝଲସି ଯାଇଛି କେତେକଙ୍କର ଆଖି । କିନ୍ତୁ ପରକ୍ଷଣରେ ଏମାନଙ୍କ ଭିତରେ ଜ୍ଞାନୋଦୟ ଘଟିଛି, ଏମାନେ ଏଣିକି ସଚେତନ ହୋଇଛନ୍ତି । ସ୍ଥଳ ବିଶେଷରେ ତୀବ୍ର ଅପମାନ ଓ ଲାଞ୍ଛନା ଭିତରେ, ନିଜ ନିଜର ତ୍ରୁଟିକୁ ହୃଦୟଙ୍ଗମ କରିଛନ୍ତି । ନାଟ୍ୟକାର ରାମଚନ୍ଦ୍ର ତାଙ୍କର କେତେକ ନାଟକରେ ଏସବୁର ଚିତ୍ରଣ କରିଅଛନ୍ତି –ମି. ବର୍ମା., ଶ୍ୟାମଳ, ମି.ନାୟକ, ବିଜୟ, ଅନିମା, ସୁମିତ୍ରା, ମିସେସ୍ ରାୟ, ମିସ୍ ରାୟ, କଳ୍ପନା, ବନ୍ଦନା ଏବଂ କାକଳୀ ଇତ୍ୟାଦି ଚରିତ୍ର ମାଧ୍ୟମରେ । ଆଧୁନିକତା ନାମରେ ଏମାନେ ପାରମ୍ପରିକ ସଂସ୍କୃତି ବିମୁଖ ହୋଇଛନ୍ତି । ଚରିତ୍ର ଗଠନ ପ୍ରତି ଦୃଷ୍ଟି ନ ଦେଇ ବରଂ ପାଶ୍ଚାତ୍ୟାଭିମୁଖୀ ହୋଇଛନ୍ତି । ଫଳତଃ ଗୃହର ପରିଧିରୁ ବାହାରି ଏଇ ଆଧୁନିକ ଓ ଆଧୁନିକାମାନେ ପରନାରୀ ଓ ପରପୁରୁଷ ସହିତ ଅବାଧ ମିଳାମିଶା କରନ୍ତି । ନୃତ୍ୟ-ଗୀତ ଓ ପାନୀୟ ଏମାନଙ୍କ ଚିତ୍ତ ବିନୋଦନର ପ୍ରମୁଖ ବିଭବ, ଯାହାକୁ ଲେଖକ ତୀବ୍ର ଭାବରେ ବ୍ୟଙ୍ଗ କରିଛନ୍ତି ।

 

ନାରୀ ନାରାୟଣୀ, ସେ ନରକର ଦ୍ଵାର ନୁହେଁ । ସେ ଜାୟା, ପତ୍ନୀ ସେ, ସେ ଜନନୀ ରୂପେ ସନ୍ତାନ ବାତ୍ସଲ୍ୟ ପ୍ରଦର୍ଶନ କରେ । ମାତ୍ର ଆଧୁନିକ ନାରୀଠାରେ ଏଇ ବାତ୍ସଲ୍ୟର ଘୋର ଅଭାବ ଦେଖାଦେଇଛି । ‘ନରୋତ୍ତମ ଦାସ କହେ’ ର ବନ୍ଦନା ଏହାର ଜ୍ଵଳନ୍ତ ଦୃଷ୍ଟାନ୍ତ । ବନ୍ଦନା ନିନ୍ଦନୀୟା, କାରଣ ସେ ପରପୁରୁଷ ଶ୍ୟାମଳ ସହିତ ଅବାଧ ମିଳାମିଶା କରେ, ପୁଣି ନିଜ ପିଲାମାନଙ୍କୁ ନିଜ ପାଖରୁ ଅନ୍ତର କରାଇ ଜୀବନକୁ ଭୋଗ କରାଇବାକୁ ଚାହେଁ । ଅପରପକ୍ଷରେ ଅଶିକ୍ଷିତା ହେଲେ ମଧ୍ୟ ‘ମୂଲିଆ’ର ବଡ଼ବୋହୂ, ଦିଅର ରାଜୁର ପାଠପଢ଼ା ନିମିତ୍ତ ନିଜ ହାତରୁ ଅଳଙ୍କାର କାଢ଼ି ଦେଇଛି । ଏଇ ତ୍ୟାଗରେ ପୃଷ୍ଠଭୂମି ଉପରେ ଲେଖକଙ୍କ ଅନେକ ଚରିତ୍ର ଦଣ୍ଡାୟମାନ । ପାଶ୍ଚାତ୍ୟ ଶିକ୍ଷା ପ୍ରତି ଲେଖକଙ୍କର କୌଣସି ଅନାଦର ନାହିଁ, ମାତ୍ର ଏଥିରେ ଜଡ଼ିତ କିଛି ଲୋକଙ୍କର ହେୟ ମନୋବୃତ୍ତି ହିଁ ଦୁଃଖର କାରଣ ବୋଲି ମନେହୁଏ । ତଥାପି ପାଶ୍ଚାତ୍ୟ ଶିକ୍ଷାପ୍ରାପ୍ତ ଚରିତ୍ର ଭାବରେ ଗୋପ, ବିନୋଦ, ଭରତ, ଜଜ୍, ସାହେବ, ଶାରଦା, ସବିତା ଏବଂ ବନାନୀ ପ୍ରଭୃତି ଚରିତ୍ର ମାଧ୍ୟମରେ କେଖକ ଏକ ସାଂସ୍କୃତିକ ଜାଗରଣର ବାର୍ତ୍ତା ପ୍ରକାଶ କରିଅଛନ୍ତି-। ଆପଣାର ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରା ପ୍ରତି ଏମାନଙ୍କର ଆନୁଗତ୍ୟ ଓ ସମ୍ମାନବୋଧ, ଏମାନଙ୍କୁ ବଡ଼ କରି ରଖିଛି । ଏହିଭଳି ଭାବରେ ଲେଖକ, ତାଙ୍କ ନାଟ୍ୟ ସଂପଦରେ ସଂସ୍କୃତିର ସତର୍କ ପ୍ରହରୀ ଭାବରେ ବେଶ୍ ସଚେତନତା ଆଣିପାରିଛନ୍ତି ।

 

ଦୟା-କ୍ଷମା-ଶାନ୍ତି-ମୈତ୍ରୀ-ପ୍ରୀତି-ପ୍ରତ୍ୟୟ-ଏସବୁ ଆମ ସାଂସ୍କୃତିକ ଜୀବନର ଗୋଟିଏ ଗୋଟିଏ ଆଦର୍ଶ । ନାଟ୍ୟକାର ରାମଚନ୍ଦ୍ର ମିଶ୍ର, ତାଙ୍କ ନାଟକ ଗୁଡ଼ିକରେ ଏସବୁର ବ୍ୟବସ୍ଥିତ ରୂପ ପ୍ରଦାନ କରିଛନ୍ତି । ତାଙ୍କ ନାଟକରେ ଅନେକ ଖଳ ଚରିତ୍ର ଅଛନ୍ତି, ମାତ୍ର ସେମାନଙ୍କ ଖଳତା ନେଇ ସେମାନଙ୍କୁ କୌଣସି ଦଣ୍ଡ ନ ଦେଇ ବରଂ ପାରିପାର୍ଶ୍ଵିକ ପରିସ୍ଥିତିର ତାଡ଼ନାରେ କ୍ଷମା କରିଦେଇଛନ୍ତି । କ୍ଷମା ଭଳୀ ମହନୀୟ ଗୁଣ ଦ୍ଵାରା, ଦୋଷୀକୁ କ୍ଷମା କରି ସେ ଭାରତୀୟ ସଂସ୍କୃତିର ମହନୀୟ ଆଦର୍ଶର ଜୟଜୟକାର କରିଛନ୍ତି । ଯୋଗୀ ସାଉକାର, ଶ୍ୟମାଳ, ମାଧବ ପ୍ରଭୃତି ଚରିତ୍ର ପ୍ରତି କ୍ଷମା ଆଚରଣ କରି ଆମ ସଂସ୍କୃତିର ମହନୀୟତା ସେ ପ୍ରକାଶ କରିଅଛନ୍ତି ।

 

ଖ.ରାମଚନ୍ଦ୍ରଙ୍କ ନାଟ୍ୟକଳାର ଶିଳ୍ପ ପ୍ରବିଧି

ନାଟକ ପ୍ରୟୋଗ ପ୍ରଧାନ କଳା, ଏଥିପାଇଁ ଏଥିରେ ସକଳ ଦୃଶ୍ୟ, ସବୁସ୍ତରର ଚରିତ୍ରକୁ ଅନ୍ତର୍ଭୁକ୍ତ କରାଯାଏ । ସାହିତ୍ୟର ଅନ୍ୟାନ୍ୟ ବିଭାଗଠାରୁ ଏହାର ସ୍ଵାତନ୍ତ୍ର୍ୟ ଏଇ ପ୍ରତ୍ୟକ୍ଷ ଉପସ୍ଥାପନରେ । ନାଟକରେ ଅନେକ ଉପାଦାନ । କାହାଣୀ, ଚରିତ୍ର, ସଂଳାପ, ସଙ୍ଗୀତ, ଦ୍ଵନ୍ଦ୍ଵ, ଉତ୍କଣ୍ଠା ଓ ମଞ୍ଚକୌଶଳ –ଏସବୁ ନାଟକ ଶିଳ୍ପର ଏକ ଏକ ବଳିଷ୍ଠ ଉପାଦାନ । ନାଟ୍ୟକାର ରାମଚନ୍ଦ୍ର ମିଶ୍ର ତାଙ୍କ ରଚିତ ନାଟକଗୁଡ଼ିକରେ ଏସବୁ ଉପାଦାନ ଗ୍ରହଣ କରିଛନ୍ତି ଏବଂ ଉନ୍ନତ ଶିଳ୍ପରୀତିରେ ଗୋଟିଏ ପରେ ଗୋଟିଏ ନାଟକ ସୃଷ୍ଟି କରି ଦର୍ଶକୀୟ ମନୋଭୂମିକୁ ଆନନ୍ଦିତ କରିଛନ୍ତି । ନାଟ୍ୟ ପ୍ରକରଣ ପ୍ରତି ଦୃଷ୍ଟିପାତ କରିବାକୁ ହେଲେ, ଏସବୁ ପ୍ରତି ପ୍ରତି ଧ୍ୟାନଶୀଳ ହେବା ଗୁରୁତ୍ଵପୂର୍ଣ୍ଣ ମନେହୁଏ ।

 

ଖ-୧. କାହାଣୀ କଳା

ରାମଚନ୍ଦ୍ର ମିଶ୍ରଙ୍କର ନାଟ୍ୟଶିଳ୍ପରେ କାହାଣୀଗୁଡ଼ିକ ଆଦର୍ଶ ବୋଧର ବଳିଷ୍ଠ ଭାବଭୂମି ଉପରେ ଆଧାରିତ । ପଲ୍ଲୀଜୀବନ ଠାରୁ ନଗରଜୀବନ ପର୍ଯ୍ୟନ୍ତ ତାଙ୍କ କାହାଣୀର ଧାରା ପ୍ରଲମ୍ବିତ-। କାହାଣୀ ଭିତରେ ସେ ଅନେକ ଚରିତ୍ର ଆଣିଥାନ୍ତି ଏବଂ ଚରିତ୍ରମାନଙ୍କ ଦ୍ଵାରା କାହାଣୀକୁ କେଉଁଠି ସହଜ ତ କେଉଁଠି ଦ୍ଵନ୍ଦ୍ଵମୁଖର କରି ଗତିଶୀଳ କରାଇଥାନ୍ତି । ତେବେ ତାଙ୍କ ନାଟ୍ୟ କାହାଣୀରେ ସାମାଜିକ ଜୀବନଧାରା, ପଲ୍ଲୀର କୃଷିଭିତ୍ତିକ ଚଳଣି, ନଗରର ଶିଳ୍ପସଭ୍ୟତା, ବିଶେଷତଃ ମାଲିକ ମୂଲିଆର ସଂଘର୍ଷର ଚିତ୍ର, ରାଜନୀତିକ ଚିତ୍ର ଏବଂ ସାମାଜିକ ସମସ୍ୟାଭିତ୍ତିକ ଚିତ୍ର ହୋଇଛି ରୂପାୟିତ । ପ୍ରାୟ କାହାଣୀଗୁଡ଼ିକର ଶେଷ ପର୍ଯ୍ୟାୟଟି ମିଳନର ମଧୁରାଗରେ ସମାପ୍ତ ହୋଇଥାଏ-। କାହାଣୀ ଭିତରେ, ସେ ଗୋଟିଏ ଗୋଟିଏ ବାର୍ତ୍ତା ପ୍ରକାଶ କରିଛନ୍ତି । ଗଭୀର ମାନବିକ ସଂପ୍ରୀତି, ତ୍ୟାଗ, ଆଦର୍ଶର ପୃଷ୍ଠଭୂମି ଉପରେ, ପ୍ରାୟ ତାଙ୍କ ନାଟ୍ୟ କାହାଣୀଗୁଡ଼ିକ ଗତିଶୀଳ ହୋଇଛି । ବେଳେବେଳେ ନାଟ୍ୟ-କାହାଣୀ ଗୁଡ଼ିକରେ ଆଦର୍ଶ ଓ ବାସ୍ତବତାର ସଂଘର୍ଷ ମଧ୍ୟ ପରିଲଖିତ ହୋଇଛି । କୃଷି, ବ୍ୟବସାୟ, ଚାକିରି ଏବଂ ରାଜନୀତି ଇତ୍ୟାଦିକୁ ନେଇ ତାଙ୍କ ନାଟକର କାହାଣୀ ଗତିଶୀଳ । ତେବେ ସୁନ୍ଦର କାହାଣୀ–ଗ୍ରଥନ-କଳା ମଣ୍ଡିତ ତାଙ୍କ ନାଟ୍ୟକାହାଣୀରେ ସେ ଯେ କୌଣସି ବାର୍ତ୍ତା ପ୍ରକାଶ କରି ମନୋରଞ୍ଜନ ଭିତରେ ଲୋକଶିକ୍ଷା ପ୍ରକାଶ କରିଥାଆନ୍ତି । ସମାଜ ଜୀବନର ଅଭିଜାତ ବର୍ଗ, ନବ୍ୟଶିକ୍ଷିତ, ରୟତର ଦୁରବସ୍ଥା, ଗ୍ରାମ୍ୟ ଟାଉଟରମାନଙ୍କର କୁଟିଳ ଆଚରଣ ଇତ୍ୟାଦି ପ୍ରତ୍ୟେକଟି ବିଭାଗ ପ୍ରତି ତାଙ୍କ କାହାଣୀର ଦୃଷ୍ଟି ସଂପ୍ରସାରିତ । ଗ୍ରାମ୍ୟ ଓ ନଗର ସଭ୍ୟତାର ସଂଘର୍ଷ, ରାଜନୀତିକ ଶଠତା ଇତ୍ୟାଦି ବିଷୟଗତ ବିବିଧତାର ତାଙ୍କ କାହାଣୀ କଳାର ଚମତ୍କାରିତା ପରିଲକ୍ଷିତ ହୋଇଥାଏ । କାହାଣୀ କଳାରେ ପ୍ରକାଶିତ ସ୍ଥାନ ଓ ଘଟଣାଗୁଡ଼ିକ ସମଗ୍ର ଓଡ଼ିଶାରେ ସଂଘଟିତ ହୋଇଥିବା ମନେହୁଏ, ବୋଧହୁଏ ଓଡ଼ିଶା ଭିତରେ କାହାଣୀ କଳାର ସମ୍ଭାବ୍ୟ ବାସ୍ତବତା ପ୍ରତି ତାଙ୍କର ଆନ୍ତରିକତା, ଓଡ଼ିଶା ପ୍ରତି ରହିଥିବା ଅସାଧାରଣ ମମତ୍ଵବୋଧର ପ୍ରକାଶକ ।

 

ସୁସ୍ଥ ପାରିବାରିକଜୀବନ (ଅଭିମାନ), କୃଷିଭିତ୍ତିକ ପଲ୍ଲୀର ସଂବୃଦ୍ଧି (ମ୍ୟାନେଜର) ଗ୍ରାମ୍ୟ ମହାଜନର ଶୋଷଣ ଓ ପୀଡ଼ନ (ମୂଲିଆ), ଶୋଷଣମୁକ୍ତ ସଂସ୍କାରକାମୀ ସମାଜ ବ୍ୟବସ୍ଥା (ଘରସଂସାର), ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତିଷ୍ଠା ତଥା ପଡ଼ିଶା ପ୍ରତି ସହନଶୀଳତା (ସାଇପଡ଼ିଶା), ନିଶ୍ଵାର୍ଥ ଦେଶସେବା (ମଉଡ଼ମଣି), ଦୁଇ ଭିନ୍ନମୁଖୀ ପରିବାରର ଏକତ୍ର ଅବସ୍ଥାନ, ନାରୀ ମନସ୍ତତ୍ତ୍ଵର ବିଶ୍ଲେଷଣ (ନାଟକ ରୀତିମତ), ଗ୍ରାମ୍ୟାଭିମୁଖୀନତା ଓ ଶିକ୍ଷିତଙ୍କର ସଂସ୍କାରପ୍ରବଣ ମନୋଭାବ (ଗୋଧୂଳି ଲଗ୍ନ), କଳାପ୍ରତି ଆଗ୍ରହ ଓ ଆନ୍ତରିକତା (ସେବିକା), ଶିକ୍ଷିତ ବର୍ଗର ବେକାରୀ ଅବସ୍ଥା (ଚାବୁକ୍), ପାରିବାରିକ ଜୀବନର ମମତ୍ଵପୂର୍ଣ୍ଣ ଅବସ୍ଥା (ମମତା), ଜାତୀୟ ଚେତନାର ଉଚ୍ଚାରଣ (ପ୍ରତୀକ୍ଷା), (ପ୍ରବାସୀ), ନାରୀଶିକ୍ଷା ଏବଂ ନାରୀ ଜୀବନର ଅସହାୟତା (ପୁଆଣି ଘର), ଦାମ୍ପତ୍ୟ ଜୀବନର କଳୁଷତା (ପରପୁରୁଷ) ସତ୍ୟ–ନ୍ୟାୟ ପ୍ରତିଷ୍ଠାର ଉଦ୍ୟମ (ମୃତ ଆସାମୀ) ଏବଂ ରାଜନୀତିକ ଚେତନା (ନରୋତ୍ତମ ଦାସ କହେ) (ମନ୍ତ୍ରୀଯୁଗ), ଇତ୍ୟାଦି ତାଙ୍କ କାହାଣୀର ବୈତିତ୍ର୍ୟ ଭିତରେ ଆଦର୍ଶବୋଧର ଏକକତ୍ଵ ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଏ ।

 

ଖ-୨.ଚରିତ୍ର ସୃଜନ ଓ ଚିତ୍ରଣ :

ପ୍ରୟୋଗ ପ୍ରଧାନ କଳା ନାଟକରେ, ନାଟ୍ୟକାର ପ୍ରତ୍ୟକ୍ଷ ଭାବରେ କିଛି ପ୍ରକାଶ କରିପାରନ୍ତି ନାହିଁ । ତାଙ୍କର ବକ୍ତବ୍ୟକୁ, ଦର୍ଶକ, ପାଠକ ଓ ଶ୍ରୋତାଙ୍କ ନିକଟରେ କେବଳ ଚରତ୍ର ମାଧ୍ୟମରେ ହିଁ ଉପସ୍ଥାପିତ କରାଯାଇଥାଏ । କାହାଣୀର ଗତିଭଙ୍ଗୀ ଚରିତ୍ରମାନଙ୍କ ଦ୍ଵାରା ସଂବାହିତ ହୋଇଥାଏ, ଅପରନ୍ତୁ ଚରିତ୍ରହିଁ ନାଟ୍ୟକାର ଏବଂ ନାଟ୍ୟପ୍ରେମୀମାନଙ୍କ ମଧ୍ୟରେ ସଂଯୋଗ ସେତୁ । ନାଟ୍ୟକାରମାନେ ଏ ଦୃଷ୍ଟିରୁ କାହାଣୀକଳାକୁ ନେଇ ଚରିତ୍ର ସୃଷ୍ଟି କରନ୍ତି, ସେମାନଙ୍କ ଭଲ-ଭେଲ ଦିଗକୁ ଚିତ୍ରଣ କରିଥାଆନ୍ତି । ଏ ଦୃଷ୍ଟିରୁ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ନାଟକଗୁଡ଼ିକୁ ବିଚାର କଲାବେଳେ, ଚରିତ୍ର ସୃଜନ ଓ ଚିତ୍ରଣରେ ତାଙ୍କର ଉତ୍କର୍ଷତା ହିଁ ପ୍ରମାଣିତ ହୋଇଥାଏ । କାହାଣୀ କଳା, ଘଟଣା ଏବଂ ପରିବେଶ ପ୍ରକାଶରେ ନାଟ୍ୟକାର ଓଡ଼ିଶାର କଥା କହିଛନ୍ତି । ତେଣୁ ତାଙ୍କ ନାଟକରେ ପ୍ରତ୍ୟେକଟି ଓଡ଼ିଆ ହୋଇଛନ୍ତି ଚରିତ୍ର । ଗ୍ରାମ୍ୟଠାରୁ ନଗର ଯାଏ-ପ୍ରତ୍ୟେକ ପରିବେଶର ସଫଳତା ଓ ବିଫଳତା, ହର୍ଷ ଓ ବିଷାଦ, ଆଶା ଓ ନୈରାଶ୍ୟକୁ ନାଟ୍ୟକାର ତାଙ୍କ ନାଟକରେ ଗ୍ରହଣ କରିଅଛନ୍ତି ଓ ସେସବୁର ବିଶ୍ଲେଷଣ ନିମିତ୍ତ, ପ୍ରତିନିଧି ସ୍ଥାନୀୟ ଗୋଟିଏ ଗୋଟିଏ ଚରିତ୍ର ମଧ୍ୟ ଗଢ଼ିଛନ୍ତି ।

 

ରାମଚନ୍ଦ୍ରଙ୍କ ନାଟ୍ୟ ସାମ୍ରାଜ୍ୟ ପରିକ୍ରମା ଭିତରେ ତାଙ୍କ ଚରିତ୍ର ସୃଜନ ଓ ଚିତ୍ରଣ ସଂପର୍କରେ ସହଜରେ ଧାରଣା କରାଯାଇପାରେ । ମୁଖ୍ୟ ଓ ଗୌଣ ଚରିତ୍ର ଭାବରେ ସେ ଅନେକ ଚରିତ୍ରକୁ ଗ୍ରହଣ କରିଛନ୍ତି । ଏମାନଙ୍କ ଭିତରେ ରହିଛନ୍ତି ନାରୀ, ପୁରୁଷ, ବୃଦ୍ଧ, ବୃଦ୍ଧା, ଯୁବକ, ଯୁବତୀ, ଧନୀ-ନିର୍ଦ୍ଧନ, ସାଉକାର, ଜମିଦାର, କୃଷକ, ଶ୍ରମଜୀବୀ, ମନ୍ତ୍ରୀ, ସଚିବ, ପୋଲିସ୍, ଶିକ୍ଷକ, ମ୍ୟାନେଜର, ବି.ଡ଼ି.ଓ., ଡାକ୍ତର, କଳାକାର, ଓକିଲ, ଜଜ୍, ପିଅନ, ଚପରାଶି, ବ୍ୟବସାୟୀ, ଚାକର, ମୂର୍ଖ-ଶିକ୍ଷିତ, ଭଦ୍ର-ଅଭଦ୍ର, ସରଳ-ଜଟିଳ ଇତ୍ୟାଦି ସବୁ ଶ୍ରେଣୀର ମଣିଷ । ତେବେ ଆଦର୍ଶ ଚରିତ୍ର ଭାବରେ ଗୋପ, ଶାରଦା, ରତି, ତାରାମଣି (ଘରସଂସାର), ଭାଇଗ, ମହୀ (ଭାଇଭାଉଜ) ବନାନୀ (ପରପୁରୁଷ), ଜଲି, ମନୁ, ଦେବେନ୍ଦ୍ର (ଅର୍ଥ ଅନର୍ଥ) ଇତ୍ୟାଦିକୁ ଗ୍ରହଣ କରାଯାଇପାରେ । ‘ନରୋତ୍ତମ ଦାସ କହେ’ର ବନ୍ଦନା, ‘ଘରସଂସାର’ର ଅନିମା ଇତ୍ୟାଦି ନାରୀ ସ୍ଵେଚ୍ଛାଚାରିତାର ଏକ ଏକ ଉଗ୍ର ରୂପ । ଦାସ ସାହେବ, ନିରୂପମା, ମନୋଜା, ଜୟନ୍ତୀ ଇତ୍ୟାଦି ଅନେକ ଚରିତ୍ରରେ କୁତ୍ସିତ ସ୍ଵାର୍ଥ ପ୍ରଣୋଦିତ ମନୋଭାବର ଉପଯୁକ୍ତ ପରିଚୟ ମିଳିଥାଏ । ଗ୍ରାମ୍ୟ ଜୀବନରେ ଦଳିତ ଓ ନିର୍ଯ୍ୟାତିତ ମଣିଷ ଭାବରେ ଦେଖା ଦେଇଛନ୍ତି, ସାଧୁ ସାନ୍ତରା, ରତ୍ନ, ମନୁଆ, ଚନ୍ଦ୍ର, (ମଉଡ଼ମଣି) ନନ୍ଦ, ସନାତନ, ନବ, ବଡ଼ବୋହୂ (ଭାଇଭାଉଜ) ପୁନି, ଶଶୀ (ପୁଆଣିଘର) ଇତ୍ୟାଦି ଅନେକ ଚରିତ୍ର । ବଳିଆର ସିଂ, ଜୟନ୍ତ, ସୁଦର୍ଶନ, ଚରଣ, ନରୋତ୍ତମ ପ୍ରଭୃତି ଚରିତ୍ରଗୁଡ଼ିକ ପ୍ରାଚ୍ୟ ସଂସ୍କୃତିର ପରିଚୟ ବହନ କରୁଥିବା ବେଳେ, ପାଶ୍ଚାତ୍ୟ ସଂସ୍କୃତିକୁ ଆଦରଣୀୟ କରି ଏଥି ପ୍ରତି ଆନୁଗତ୍ୟ ପ୍ରକାଶ କରିଥିବା ଚରିତ୍ରମାନେ ହେଲେ ଦାସ ସାହେବ, ତନୁଜା, ମିସେସ୍ ନାୟକ, (ଚାବୁକ୍) ବନ୍ଦନା (ନରୋତ୍ତମ ଦାସ କହେ) ଇତ୍ୟାଦି ଚରିତ୍ର । ତେବେ ରାଜନୀତିକ ଶଠତା ଏବଂ ସ୍ଵେଚ୍ଛାଚାରିତାକୁ ବହନ କରିଥିବା ଚରିତ୍ରମାନେ ହେଲେ ମାଧବ (ନରୋତ୍ତମ ଦାସ କହେ) ସୁବାସ (ଆଶାନିରାଶା) ଶିବ ଓ ଲିଲି (ଭୋଟ ସଂସାର) ସଦାନନ୍ଦ (ମନ୍ତ୍ରୀ ଆସିବେ) ଇତ୍ୟାଦି । ତାଙ୍କ ନାଟକରେ ଦେଖା ଦେଇଥିବା ଖଳ ଚରିତ୍ରମାନେ ହେଲେ ପ୍ରତାପ (ମ୍ୟାନେଜର) ଓକିଲ ଭୂତନାଥ (ମୃତ ଆସାମୀ) ଅନାଦି ଦାସ (ଘର ସଂସାର) ସେକ୍ରେଟେରୀ ଓ କବିରାଜ (ମଉଡ଼ମଣି) ଶ୍ୟାମଳ (ନରୋତ୍ତମ ଦାସ କହେ) ଭଜହରି (ସାଇପଡ଼ିଶା) ଧଡ଼ି ମହାପାତ୍ର (ମୂଲିଆ) ଦୀନବନ୍ଧୁ (ଗୋଧୂଳି ଲଗ୍ନ) ବାଉରିବନ୍ଧୁ (ମମତା) ଦାସ ସାହେବ (ଚାବୁକ୍) ତନୁଜା, ମିସେସ୍ ନାୟକ (କିସ ପୁଣି ଦେଖା ନ ଯାଏ) ଇତ୍ୟାଦି ।

 

ରାମଚନ୍ଦ୍ର ତାଙ୍କ ନିକଟରେ ନାଟକୀୟ ଗତିବେଗ ଏବଂ ଘାଟନିକ ଆବଶ୍ୟକତା ଦୃଷ୍ଟିରୁ ଅନେକ ଗୌଣ ଚରିତ୍ର ଗ୍ରହଣ କରିଛନ୍ତି । ତହସିଲଦାର ଓ ଭାଲୁଆ, ଦୁଃଖିଆ, ବଳିଆ, ନାଥିଆ, ପ୍ରେମ, ମିନି, ବାସୁଆ, ବିମଳା, ଚମ୍ପା, ବେଙ୍ଗ (ମ୍ୟାନେଜର) ପଞ୍ଚୁ, ବୀରା, ଇନିସପେକ୍ଟର, କୁନି, ଭୋଳି, କୁରୁପା (ମୂଲିଆ) ଚେମା, ଇନିସ୍‍ପେକ୍ଟର, ଯମୁନା, ପୂଜକ ଇତ୍ୟାଦି (ଭାଇଭାଉଜ) ତାନ୍ତ୍ରିକ, ଗୁଣିଆ, କବିରାଜ (ନାଟକ ରୀତିମତ) ବାଞ୍ଛା, ନିଧି, ଦୁଃଖା, ଜୟା, ଭୀମ, କଙ୍କି (ମଉଡ଼ମଣି), ହରିହର, ପିଅନ, ମାଖନଲାଲ, କୁମାର, (ଗୋଧୂଳି ଲଗ୍ନ), ସୁଧୀର, ଛନ୍ଦା, ନନ୍ଦା, ସନ୍ଧ୍ୟା ଓ କାହ୍ନୁ (ମମତା) ବିଜୟ, ବ୍ରଜ, କମଳ (ଚାବୁକ୍) ଚନ୍ଦ୍ରା, ତାରା, ବାନା, ମଧୁ, (ପୁଆଣିଘର) ବିଚ୍ଛଦ, ସିଂ, (ନରୋତ୍ତମ ଦାସ କହେ) ମି.ନାୟକ, ମି.ରାୟ (କିସ ପୁଣି ଦେଖା ନଯାଏ) ସି.ଆଇ.ଡ଼ି. ଇନିସ୍‍ପେକ୍ଟର, ଚପରାଶି, କିରାଣୀ (ମୃତଆସାମୀ) ଇତ୍ୟାଦି ଅନେକ ଗୌଣ ଚରିତ୍ରକୁ ଆବଶ୍ୟକତା ଦୃଷ୍ଟିରୁ ନାଟ୍ୟକାର ଗ୍ରହଣ କରିଛନ୍ତି ଓ ସେମାନଙ୍କ ସହାୟତାରେ ଅନ୍ୟାନ୍ୟ ମୁଖ୍ୟ ଚରିତ୍ର ଗୁଡ଼ିକର କେତୋଟି ବିଶେଷ ଦିଗକୁ ଆଲୋକିତ କରିପାରିଛନ୍ତି ।

 

ନାଟ୍ୟକାର ରାମଚନ୍ଦ୍ର ମିଶ୍ର ତାଙ୍କର ପ୍ରତ୍ୟେକଟି ନାଟକରେ ଆଦର୍ଶବାଦର ପ୍ରକାଶ ଘଟାଇ ଅଛନ୍ତି । ତାଙ୍କ ନାଟକଗୁଡ଼ିକରେ ଆଦର୍ଶ ଓ ବାସ୍ତବତାର ଲୁଚକାଳି ଖେଳ ପରିଲକ୍ଷିତ ହୋଇଥାଏ । ଆମ ସମାଜ ଜୀବନର ଅନେକ ବାସ୍ତବ ଦୃଶ୍ୟକୁ ଆଲୋକିତ କରିବାକୁ ଯାଇ ନାଟ୍ୟକାର, ଅବିକଳ ଚରିତ୍ରଗୁଡ଼ିକୁ ଗ୍ରହଣ କରିଛନ୍ତି, ଯେଉଁମାନଙ୍କ ଆଚାର, ଆଚରଣ ଓ ଉଚ୍ଚାରଣରେ ସେଇ ବାସ୍ତବତା ବିଶ୍ଵାସନୀୟତା ଦେଖା ଦେଇଥାଏ । ଆଦର୍ଶବାଦର ପ୍ରକାଶ କରିବା ପରିପ୍ରେକ୍ଷୀରେ ସେ ଧୂଳି ମାଟିର ଏଇ ମଣିଷମାନଙ୍କ ଭିତରୁ ହିଂସା, କ୍ରୋଧ, ଖଳତ୍ଵକୁ କାଢ଼ିଦେଇ ଏହା ପରିବର୍ତ୍ତେ ଭରି ଦେଇଛନ୍ତି ଦୟା-କ୍ଷମା-ପ୍ରେମ-ପ୍ରୀତି ପ୍ରତ୍ୟୟର ମହନୀୟ ଗୁଣ । ଏ ସମ୍ପର୍କରେ ନାଟ୍ୟକାରଙ୍କର ବିଚାରଧାରା ସ୍ଵତନ୍ତ୍ର । ତାଙ୍କ ମତରେ ନାଟକ ପ୍ରତ୍ୟକ୍ଷ ଗଣମାଧ୍ୟମ, ଏଥିରେ ସମ୍ପୂର୍ଣ୍ଣ ବାସ୍ତବତା ରହିଲେ, ହୁଏତ ଦର୍ଶକେ ତହିଁରେ ଡୁବିଯିବେ ଓ ଦ୍ଵନ୍ଦ୍ଵମୁଖର ଅବସ୍ଥାର ସମ୍ମୁଖୀନ ହେବେ । ତେଣୁ ସେମାନଙ୍କ ମନରୁ ଦ୍ଵନ୍ଦ୍ଵକୁ ଅପସାରଣ କରିପାରିଲେ ସେମାନଙ୍କ ଦ୍ଵାରା ନାଟକ ଉପଭୋଗ୍ୟ ହେବ । ତାଙ୍କ ଭାଷାରେ “ଆମ ଦେଶର ଲୋକଙ୍କର ଶିକ୍ଷା, ବିଜ୍ଞତା, ବିଚାରବତ୍ତା, ଉପଲବ୍ଧି କରି, ଦର୍ଶକମାନଙ୍କୁ ନିଜର ଭାବନା ସହିତ ତାଳ ମିଳାଇ, ଅଗ୍ରସର ହେବାରେ, ନାଟ୍ୟକାରମାନେ ସହାୟକ ହେଲେ, ଦର୍ଶକମାନଙ୍କର ଦ୍ଵନ୍ଦ୍ଵ ହୁଏତ ଦୂରୀଭୂତ ହୋଇପାରନ୍ତା ଓ ସମାଜର ମଙ୍ଗଳ ସାଧିତ ହୋଇପାରନ୍ତା ।”

 

(ନାଟ୍ୟକାରର ସମସ୍ୟା –ରାମଚନ୍ଦ୍ର ମିଶ୍ର, ନାଟ୍ୟଚକ୍ର-୧୯୮୭-ପୃଷ୍ଠା -୪)

 

ଚରିତ୍ର ସୃଷ୍ଟି ଓ ଚରିତ୍ର ଚିତ୍ରଣରେ ରାମଚନ୍ଦ୍ରଙ୍କର ଅଭିନବତା ଅବଶ୍ୟ ଲକ୍ଷଣୀୟ । ନାଟ୍ୟକାର ଚରିତ୍ର ଚିତ୍ରଣ କାଳରେ ସେମାନଙ୍କ ମନୋବିଶ୍ଲେଷଣକୁ ଗୁରୁତ୍ଵ ଦେଇଛନ୍ତି । ୧୯୫୩ରେ ‘ନାଟକ ରୀତିମତ’ କୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ନାଟ୍ୟମଞ୍ଚରେ ଅଭିନୀତ କରାଇ ଏହାର ସଫଳତା ପ୍ରାପ୍ତ ହେବା ପରେ, ସେ ମନୋବିଶ୍ଲେଷଣ କରିବାରେ ଅଗ୍ରସର ହେଲେ । ‘ସେବିକା’, ‘ପରପୁରୁଷ’, ‘କିସ ପୁଣି ଦେଖା ନଯାଏ’, ‘ପ୍ରତୀକ୍ଷା’ ଇତ୍ୟାଦିରେ ମନୋବିଶ୍ଲେଷଣ ଧାରାଟିକୁ ଅତୁଟ ରଖିଗଲେ । ‘ପୁଣି ନାଟକ ରୀତିମତ’ ମାଧ୍ୟମରେ ସେ ଆଧୁନିକ ନାଟକରେ ଦର୍ଶକଙ୍କୁ ଚରିତ୍ର ଭାବରେ ମଧ୍ୟ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ କରିଦେଲେ । ‘ନରୋତ୍ତମ ଦାସ କହେ’ ନାଟକରେ ଶେଷ ଦୃଶ୍ୟରେ ନରୋତ୍ତମଙ୍କ ସେଇ ସଂଳାପ ଏ ଦୃଷ୍ଟିରୁ ଚମତ୍କାର- “ସାଆନ୍ତ କୁଣିଆ ହୋଇ ଆସିଥିଲି ପ୍ରିୟ ବନ୍ଧୁମାନଙ୍କୁ ସଙ୍ଖୋଳିବାକୁ । ଯାହା ଚର୍ଚ୍ଚା ପାଇଲି, ଆପଣମାନେ ତ ସବୁ ଦେଖିଲେ, ଜାଣିଲେ, ଘର କଥାଗୁଡ଼ାକ ଆଉ କେତେ କହିବି ? ଗାଁକୁ ଫେରିଯାଇଥାନ୍ତି ଯେ, ହେଲେ ଏ ପିଲାଟି ଅଟକାଇ ଦେଲା । ଯଦି ମୋ ଗାଁ ପାଖରୁ କେହି ଆସିଥାନ୍ତି, ତା’ହେଲେ ବୁଢ଼ୀକୁ ଟିକିଏ ଖବର ଦେବେ, ମୁଣ୍ଡ ଫାଟିବା କଥା କହିବେ ନାହିଁଟି…….”.(ନରୋତ୍ତମ ଦାସ କହେ –ପୃଷ୍ଠା -୧୨୦) ସେଇପରି ‘ଭୋଟ ସଂସାର’ ନାଟକରେ “ଆମ ଗଣତନ୍ତ୍ର ଆଗେଇଛି ନା ପଛେଇଛି ? ପ୍ରତିକାର ଆପଣମାନଙ୍କ ହାତରେ, ନମସ୍କାର ।” (ମନ୍ତ୍ରୀଯୁଗ-ପୃଷ୍ଠା -୯୬)

 

ନାଟ୍ୟକାର ରାମଚନ୍ଦ୍ର ମିଶ୍ର,ତାଙ୍କ ରଚିତ ନାଟକଗୁଡ଼ିକରେ ନେଇଥିବା ଚରିତ୍ରଗୁଡ଼ିକ ବେଳେବେଳେ ଏକକ ନୁହନ୍ତି ବରଂ ପ୍ରତିନିଧି ସ୍ଥାନୀୟ । ସମୟ ବ୍ୟବଧାନରେ ଏମାନଙ୍କର ରୂପ ଓ କାର୍ଯ୍ୟର ଯାହା ପରିବର୍ତ୍ତନ ଘଟିଛି । ଯୋଗୀ ସାଉକାର (ଭାଇଭାଉଜ) ଧଡ଼ି ମହାପାତ୍ର (ମୂଲିଆ) ପ୍ରତାପ (ମ୍ୟାନେଜର) ଅନାଦି ଦାସ, ମଙ୍ଗୁ ମହାନ୍ତି (ଘର ସଂସାର) ଭଜହରି (ସାଇପଡ଼ିଶା) ରାଜମାତା, କବିରାଜ (ମଉଡ଼ମଣି) ଦୀନବନ୍ଧୁ, ମି.ପଟ୍ଟନାୟକ (ଗୋଧୂଳି ଲଗ୍ନ) ବାଉରୀବନ୍ଧୁ (ମମତା) ଦାସ ସାହେବ (ଚାବୁକ୍) ଶ୍ୟାମଳ (ପରପୁରୁଷ) ମି.ଦାସ, ଶ୍ୟାମଳ (ନରୋତ୍ତମ ଦାସ କହେ) ସଦାନନ୍ଦ (ମନ୍ତ୍ରୀ ଆସିବେ) ଲିଲି (ଭୋଟ ସଂସାର) ସୁବାସ (ଆଶା ନିରାଶା) ଗୁଣ ମହାନ୍ତି (ଅର୍ଥ ଅନର୍ଥ) ଇତ୍ୟାଦି ଚରିତ୍ର ଗୋଟିଏ ଗୋଷ୍ଠୀର ପ୍ରତିନିଧି । ଏମାନେ କେବେ ଦଣ୍ଡିତ, ପୁଣି କେବେ ପରିବର୍ତ୍ତିତ, ଅଥଚ ଏମାନଙ୍କ କାର୍ଯ୍ୟଧାରା ସମୟ ଓ ଘଟଣା ଭିତ୍ତିରେ ଭିନ୍ନ ହେଲେ ମଧ୍ୟ ଏକାଭଳି । ସେଇପରି ଭାବରେ ଗୋପ (ଘରସଂସାର) ନନ୍ଦ (ମୂଲିଆ) ସାଧୁ ସାନ୍ତରା (ମଉଡ଼ମଣି) ଭାଇଗ (ଭାଇଭାଉଜ) ଇତ୍ୟାଦି ଚରିତ୍ରରେ ତ୍ୟାଗ, ଆଦର୍ଶ ଓ ସହନଶୀଳତାଦିର ପରିଚୟ ଥିବାରୁ ଏମାନେ ମଧ୍ୟ ସମଗୋତ୍ରୀୟ ଅଟନ୍ତି ।

 

ରାମଚନ୍ଦ୍ରଙ୍କ ଚରିତ୍ର ବିନ୍ୟାସରେ ବୈଚିତ୍ର୍ୟ ସହିତ ଏକକତ୍ଵ ଲକ୍ଷିତ । ସେ ସବୁଶ୍ରେଣୀର ଚରିତ୍ର ସୃଷ୍ଟି କରିଛନ୍ତି, ଚିତ୍ରଣ କାଳରେ ମଧ୍ୟ ସମସ୍ତଙ୍କ ନିମିତ୍ତ ସୁବିଚାର କରିଅଛନ୍ତି । ଯେଉଁ ଚରିତ୍ର ଯେତେ କାଳ ରହିବା କଥା, ତାକୁ ମଧ୍ୟ ସେତେକାଳ ରଖାଇଛନ୍ତି । ଖଳ–ସାଧୁ, ସରଳ, ଜଟିଳ, ମୁଖ୍ୟ–ଗୌଣ, ନାରୀ–ପୁରୁଷ, ସବଳ–ଦୁର୍ବଳ, ଅଭିଜାତ ଓ ନିମ୍ନ –ଇତ୍ୟାଦି ସକଳବର୍ଗର ଚରିତ୍ର ଚିତ୍ରଣ କରିବା ସହିତ ନାଟ୍ୟକାର ସମସ୍ତଙ୍କ ପ୍ରତି ସମବିଚାର ସ୍ଥାପନ କରିଅଛନ୍ତି । ଆଦର୍ଶ ଓ ବାସ୍ତବତା–ଉଭୟ ଦିଗକୁ ଦୃଷ୍ଟିରେ ରଖିବାରୁ ସେମାନଙ୍କ ପାଇଁ ଏହା ପ୍ରେରଣାର ଉତ୍ସ ହୋଇ ରହିଛି ।

 

ଖ.୩-ସଂଳାପ ପ୍ରୟୋଗର ସଫଳତା

ସଂଳାପ–ନାଟ୍ୟଭାଷା, ନାଟକୀୟଚରିତ୍ରମାନଙ୍କ ଭିତରେ ଭାବ ବିନିମୟଗତ ଭାଷିକ ପ୍ରଣାଳୀ । ସଂଳାପ ମାଧ୍ୟମରେ ନାଟ୍ୟକର୍ମର ସରସତା ହୁଏ ପ୍ରତିପାଦିତ, ନାଟ୍ୟକାରଙ୍କ ବକ୍ତବ୍ୟ ଏଇ ସଂଳାପ ଦ୍ଵାରା ସଂବାହିତ ହୋଇଥାଏ ଦର୍ଶକ ଓ ନାଟ୍ୟପ୍ରେମୀମାନଙ୍କ ନିକଟକୁ । ନାଟକୀୟ ସ୍ଵାଭାବିକତା ରକ୍ଷା କ୍ଷେତ୍ରରେ ସଂଳାପର ଭୂମିକା ଅତୀବ ଗୁରୁତ୍ଵପୂର୍ଣ୍ଣ । ନାଟକରେ ପୁଣି ସମାଜର ବିବିଧ ବର୍ଗର ମଣିଷଙ୍କ ସତ୍ତା ଚରିତ୍ର ରୂପରେ ଆର୍ବିଭୂତ ହୁଅନ୍ତି । ତେଣୁ ସେମାନଙ୍କ ବ୍ୟକ୍ତିତ୍ଵ, ଚରିତ୍ର ଇତ୍ୟାଦିର ପରିସ୍ପୁଟନ ନିମିତ୍ତ, ସେମାନଙ୍କର ଭାଷା ରଖାଯିବା ଉଚିତ୍ । ଏହାକୁ କୁହାଯାଏ ପାତ୍ରୋଚିତ ସଂଳାପ ସଂଯୋଜନା । ଉପଯୁକ୍ତ ସଂଳାପ ସଂଯୋଜନା ନାଟ୍ୟକର୍ମକୁ ସରସ, ସୁଖମୟ ଏବଂ ଭାବୋଦ୍ଦୀପକ କରିଥାଏ । ଏଇ ଦୃଷ୍ଟିରୁ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କର ନାଟକର ସଂଳାପଗୁଡ଼ିକୁ ବିବେଚନା କଲେ, ତାଙ୍କ ସଂଳାପ ପ୍ରୟୋଗଗତ ବିଚକ୍ଷଣତାର ପରିଚୟ ମିଳିପାରେ-

 

ନାଟ୍ୟକାର ରାମଚନ୍ଦ୍ର ମିଶ୍ର ଜୀବନରେ ଚାକିରି, ଜନସେବା, ଓକିଲାତି ଏବଂ ରାଜନୀତି ପ୍ରଭୃତି ବିବିଧ କାର୍ଯ୍ୟରେ ପ୍ରବୃତ୍ତ ରହି, ବିଭିନ୍ନ ଅନୁଭୂତି ସଂଗ୍ରହ କରିଥିଲେ । ଜଣେ ସମାଜ ସଚେତନ ଶିଳ୍ପୀ ଭାବରେ ସେ ସମାଜର ପ୍ରତିଟି ବର୍ଗର ମଣିଷଙ୍କ ସହିତ ମିଶିଥିଲେ । ଏଣୁ ଏମାନଙ୍କୁ ଯେତେବେଳେ ତାଙ୍କ ନାକଟରେ ଚରିତ୍ର ରୂପରେ ପ୍ରକାଶ କଲେ, ସେମାନଙ୍କ ମୁହଁରେ ସେଇଭଳି ଭାବରେ ସେ ଉପଯୁକ୍ତ ଭାଷା ସଂଯୋଜିତ କରାଇଲେ । ତେଣୁ ତାଙ୍କ ସଂଳାପ ଯେତେ ପାତ୍ରୋପଯୋଗୀ ହେଲା, ସେତେ ଭାବଦ୍ୟୋତକ ମଧ୍ୟ ହୋଇପାରିଲା । ସୁଚତୁର ଶିଳ୍ପୀ ରାମଚନ୍ଦ୍ର, ତାଙ୍କ ନାଟକରେ ଅଭିଜାତ ଓ ଶିକ୍ଷିତବର୍ଗଙ୍କ ତୁଣ୍ଡରେ ଶିକ୍ଷିତ ଭାଷାକୁ ସଂଳାପ ରୂପରେ ଖଞ୍ଜିଛନ୍ତି । ‘ଘରସଂସାର’ରେ ଅନିମା ଓ ମି.ବର୍ମାଙ୍କ ସଂଳାପକୁ ଏଠାରେ ଦୃଷ୍ଟାନ୍ତ ସ୍ଵରୂପ ନିଆଯାଇପାରେ -

 

ଅନିମା –ଧନ୍ୟବାଦ ! ମନେକରନ୍ତୁ ନାହିଁ ଯେ, ମୁଁ ଆପଣଙ୍କର ଗଳଗ୍ରହ ହୋଇ ଆପଣଙ୍କର Romantic Life ର ମଧୁମୟ ସ୍ଵପ୍ନରେ ବ୍ୟାଘାତ ଘଟେଇବି । you are quite free, Mr. Burma.

 

ଆପଣ ସଂପୂର୍ଣ୍ଣ ସ୍ଵାଧୀନ, ଆପଣଙ୍କ ସ୍ଵପ୍ନ ନେଇ ଆପଣ ବଞ୍ଚି ରହନ୍ତୁ ।

 

ବର୍ମା –No, Miss Mohanty, you are no ଗଳଗ୍ରହ ତୁମେ ମୋର ଗଳଗ୍ରହ ବୋଲି ତ ମୁଁ କେବେ କହିନାହିଁ । Rather I feel proud to have you by my side .(ଘର ସଂସାର-ପୃ-୫୭)

 

କୃଷକ ମହୀ ଓ ଭାଗର ପରସ୍ପର ପ୍ରତି ସଂଳାପ-

 

ମହୀ- ହଇରେ ଭାଇଗ ! ତୁ ରାତିଯାକ ଚେଉଁଛୁ, ଦିନଯାକ ହାଡ଼ଭଙ୍ଗା ଖାଟେଣି –

 

ଭାଇଗ –ଚଷା ପୁଅର ଏ ନୂଆ କ’ଣ କହିଲୁ ? ତୁ ପରା କହୁ ଭୋକ, ଶୋଷ, ଖରା, କାକର, ବର୍ଷା, ଶୀତ ନ ମାନି ମାଟି ସଙ୍ଗେ ମାଟି ନହେଲେ, କ୍ଷେତ ଉଠିଆକରିବା ସହଜ ନୁହେଁ । (ଭାଇଭାଉଜ-ପୃଷ୍ଠା-୨୩)

 

ଅନେକ କ୍ଷେତ୍ରରେ ନାଟ୍ୟକାର ସଂକ୍ଷିପ୍ତ ସଂଳାପ ମାନ ପ୍ରୟୋଗ କରି ତା’ ଭିତରେ ଅସାମାନ୍ୟ ଭାବବ୍ୟଞ୍ଜନା ସୃଷ୍ଟି କରି, ଦର୍ଶକଙ୍କୁ ଅସାଧାରଣ ଆନନ୍ଦ ଦେଇଛନ୍ତି । ‘ନାଟକ ରୀତିମତ’ରେ ଅଭିନୟ ଏବଂ ଚିକିତ୍ସା ଏଇ ଭଳି ଦ୍ଵନ୍ଦ୍ଵ ଭିତରେ ପଡ଼ିଥିବା ଉଦୟ କହିଛି –

 

ଉଦୟ- ଦେଖନ୍ତୁ ସାର୍, କର୍ତ୍ତବ୍ୟ ଓ ଅଭିନୟ, ଏ ଦୁଇଟା ଭିତରୁ ଆପଣ କର୍ତ୍ତବ୍ୟକୁ ନିଶ୍ଚୟ ପ୍ରଥମ ସ୍ଥାନ ଦେବେ । ନିଜର ଆମୋଦ ପ୍ରମୋଦ ଟିକକ ଜଳାଞ୍ଜଳି ନ ଦେଇ, ଯଦି କର୍ତ୍ତବ୍ୟରେ ଅବହେଳା କରୁ, ତା’ହେଲେ ଆମ ଡାକ୍ତରୀ ଜୀବନର ସାର୍ଥକତା ରହିଲା କେଉଁଠି-? (ନାଟକ ରୀତିମତ –ପୃଷ୍ଠା -୮)

 

ସେଇଭଳି, ‘ନରୋତ୍ତମ ଦାସ’ କହେ ନାଟକର ବଡ଼ଭାଇ ନିକଟକୁ କମ୍ପାନୀର କାର୍ଯ୍ୟ ଉଦ୍ଦେଶ୍ୟରେ ଯାଇଥିବା ମଝିଆଁ ଭାଇ ଯାଦବକୁ ବଡ଼ଭାଇ ମି.ଦାସ ଯାହା କହିଛନ୍ତି, ତାହା ମଧ୍ୟ ଭାବପୂର୍ଣ୍ଣ ।

 

ମି.ଦାସ-ଯାଦବ ମୋର ଭାଇ, ତା’ର ସ୍ଥାନ ଏଇ କୋଳରେ । ଲକ୍ଷ୍ମୀ ଟ୍ରେଡ଼ର୍ସର ମାଲିକ ଯାଦବ । ତାର ସ୍ଥାନ ମୋ ବଙ୍ଗଳାର ଫାଟକ ପାଖରେ । ଯେଉଁ ସ୍ଥାନ ତୋ’ର ପସନ୍ଦ, ଆପେ ବାଛି ନେଇପାରୁ ।            

(ନରୋତ୍ତମ ଦାସ କହେ –ପୃଷ୍ଠା-୩୪)

 

ଅଧିକତର ଭାବପୂର୍ଣ୍ଣ ହୋଇଛି ପରପୁରୁଷ ନାଟକରେ ଅଭାବରେ ପଡ଼ି, ଅଫିସରୁ କାଚ ଗ୍ଲାସ୍ ଏବଂ ତଉଲିଆକୁ ଘରକୁ ନେଇ ଆସିଥିବା ଶ୍ୟାମଳ ପ୍ରତି ସ୍ତ୍ରୀ ବନାନୀର ମନ୍ତବ୍ୟ । ବନାନୀ ଶ୍ୟାମଳକୁ କହିଛି –

 

ବନାନୀ- ଦାରିଦ୍ର୍ୟର ଶେଷ କ’ଣ ଏଇ ସାମାନ୍ୟ କାଚ ଗ୍ଲାସରେ ମରିବ, କିଏ ତଉଲିଆରେ ଭାଗ୍ୟଲିପି ପୋଛି ହୋଇଯିବ ?      (ପରପୁରୁଷ –ପୃଷ୍ଠା- -୫୬)

 

ଅନେକ କ୍ଷେତ୍ରରେ ନାଟ୍ୟକାରଙ୍କ ସଂଳାପରେ ପରସ୍ପର କଥୋପକଥନ ଭାବପୂର୍ଣ୍ଣ ହୋଇଛି । ଯଥା: ସନାତନ –ବୋହୂ ! ଖଣ୍ଡେଇତ ଘର ବୋହୂ ହୋଇ ମୋ ସାଙ୍ଗରେ ବୁଲି ଭିକ ମାଗିବାକୁ ତୋ କପାଳରେ ଥିଲା । ବୋହୂ ଚାଲ ମୁଁ ତୋତେ ନେଇ ତୋ ଶାଶୁ ଘରେ ଛାଡ଼ି ଦେଇଆସିବି ।

 

ବଡ଼ବୋହୂ-ବାପା ! ଝିଅ ଯେତେବେଳେ ବାପ ଘରେ ଥାଏ, ସେତେବେଳେ ସେ ବାପ ମାଆଙ୍କର । ବାହା ହେଲା ପରେ ସେ ଆଉ ତାଙ୍କର ନୁହେଁ । ଶାଶୁଘରର ଦୁଃଖ ସୁଖରେ ତା’ର ଯେ ଦୁଃଖ ସୁଖ । (ମୂଲିଆ –ପୃଷ୍ଠା-୬୩)

 

ବେଳେବେଳେ ଗୋଟିଏ ଗୋଟିଏ ସଂଳାପରେ ନାଟ୍ୟକାର, ବାସ୍ତବତାର ନିରାଟ ରୂପ ଅଙ୍କନ କରିଛନ୍ତି । ଦୁର୍ନୀତି ଗ୍ରସ୍ତ ବ୍ୟବସାୟର ଏକ ଦୃଷ୍ଟାନ୍ତ, ‘ନରୋତ୍ତମ ଦାସ’ କହେ ନାଟକର ଲକ୍ଷ୍ମୀଙ୍କ ସଂଳାପରୁ ସହଜରେ ବୁଝା ପଡ଼େ । ଯଥା-

 

ଲକ୍ଷ୍ମୀ –ହାଲୋ ! ଲକ୍ଷ୍ମୀ ମିଲରୁ କହୁଚ ? ହଁ କ’ଣ କୁହ ! ହଁ, ହଁ, ପ୍ରତ୍ୟେକ ଦଶ ବସ୍ତାରେ ବସ୍ତାଏ ପୋକରା ମକା, ବସ୍ତାଏ ତେନ୍ତୁଳି ମଞ୍ଜି ଦେଇଚ ? ଅଟାଟା ପରୀକ୍ଷା କରିଚ ? ଠିକ୍ ମିଶିଯାଇଛି ତ ? ବେଶ୍ ଅଛି ।

 

ଚେକିଙ୍ଗ୍ ଅଫିସରଙ୍କ କଥା ? ବାବୁଙ୍କ ପାଖକୁ ପଠାଇଦିଅ, ହାଲୋ, ମୁଁ କହୁଛି –ମାଲ୍ ବାହାରକୁ ଛାଡ଼ି ଦିଅ ।-(ନରୋତ୍ତମ ଦାସ କହେ –ପୃଷ୍ଠା -୮୦)      

 

ଆମର ଲୋକ ମୁଖରେ ନିତ୍ୟ ପ୍ରଚଳିତ ଅନେକ ଢଗଢମାଳି ଓ ରୂଢ଼ିକୁ ନାଟ୍ୟକାର ତାଙ୍କର କେତେକ ନାଟକରେ ସଂଳାପ ଆକାରରେ ବ୍ୟବହାର କରିଅଛନ୍ତି । ଢଗଢମାଳିର ରୂଢ଼ ଅର୍ଥ ଯେତେ ଭାବଦ୍ୟୋତକ, ସେତେ ଅର୍ଥଦ୍ୟୋତକ । ସହଜବୋଧ୍ୟ ଏଇ ଢଗଢମାଳି ପ୍ରୟୋଗ କରି, ଲେଖକ ନାଟ୍ୟଭାଷାକୁ, ଅନେକତ୍ର ଲୋକ ତୁଣ୍ଡର ଭାଷା ରୂପେ ବ୍ୟବହାର କରିପାରିଛନ୍ତି । ଯଥା –

 

କ.      କଂସାରି ଘର ପାରା, କ’ଣ ଏ କୁଲା ବାଡ଼ିଆରେ ହୁରୁଡ଼ି ଯିବ ?

ଖ.      କରାଣ୍ଡିକୁ ତ ଲୋଭ କରିବ, ଆଉ ବାଳିଆ ମାଡ଼ି ବସିବ କେମିତି ?

(ନରୋତ୍ତମ ଦାସ କହେ)

ଗ.      ରାଣ୍ଡକୁ ଲଗା ନା ଷଣ୍ଢକୁ ପଘା ?

ଘ.      ପୋଡ଼ିଗଲା ତିଅଣରେ କ’ଣ ସୁଆଦ ଥାଏ ?

ଙ.      ଅଧର୍ମ ବିତ୍ତ, ବଢ଼େ ବହୁତ, ଗଲାବେଳେ ଯାଏ ମୂଳ ସହିତ ? (ମୂଲିଆ)

ଚ.       କଖାରୁ ଚୋପି, ବେଳ କାଳ ଜାଣି ଗଡ଼ିଲେ ଗୋପି । (ଭାଇଭାଉଜ)

ଛ.       ଏଣେ ତେଲ ଘଡ଼ିକି ଲୋଭ, ତେଣେ ପୁଅ ମୁଣ୍ଡକୁ ଲୋଭ (ଗୋଧୂଳି ଲଗ୍ନ)

 

ରାମଚନ୍ଦ୍ର ମିଶ୍ର ତାଙ୍କ ନାଟକଗୁଡ଼ିକରେ ସଂଳାପ ପ୍ରୟୋଗ କ୍ଷେତ୍ରରେ କଥ୍ୟ ଭାଷାର ଉପଯୁକ୍ତ ବ୍ୟବହାର ଉପରେ ଅଧିକ ଗୁରୁତ୍ଵ ଦେଇଛନ୍ତି । ଯେଉଁ ସ୍ତରର ଚରିତ୍ର ପ୍ରତି, ଯାହା ଉପଯୁକ୍ତ ବିବେଚିତ, ରାମଚନ୍ଦ୍ର ସେଇ ଅନୁରୂପ ଭାଷା ବ୍ୟବହାର କରିଛନ୍ତି । ଭାଷା ପ୍ରୟୋଗରେ ସେ ବିଶେଷତଃ ସାହିତ୍ୟିକ ଶବ୍ଦ ସଂଭାରର ଆଟୋପ ପ୍ରଦର୍ଶନ କରିନାହାନ୍ତି, ବରଂ ଜନଜୀବନରେ ବ୍ୟବହୃତ ଲୋକତୁଣ୍ଡର ଭାଷାକୁ ନେଇ ସଂଳାପ ଗଠନ କରିଅଛନ୍ତି । ବିଶେଷତଃ ଭାଷା ପ୍ରୟୋଗରେ ଅଯଥା କୃତ୍ରିମ ବାଗାଡ଼ମ୍ବର ସୃଷ୍ଟି ନ କରି ବରଂ ଲୋକବଚନ, ଲୋକଭାଷାକୁ ଅଧିକ ମର୍ଯ୍ୟାଦା ଦେଇଛନ୍ତି । କୌଣସି କ୍ଷେତ୍ରରେ ଦୀର୍ଘ ସଂଳାପ ପ୍ରୟୋଗ କରି ସେ ଦର୍ଶକଙ୍କର ବିରାଗ ଭାଜନ ହୋଇନାହାନ୍ତି । ଚରିତ୍ରର ବୟସ, ଯୋଗ୍ୟତା ଏବଂ ପରିବେଶକୁ ବିଚାରକୁ ନେଇ ରାମଚନ୍ଦ୍ର ବରଂ ଯେଉଁ ସଂଳାପ ମାନ ଖଞ୍ଜିଛନ୍ତି, ତାହା ସର୍ବାଦୌ ତାଙ୍କ ନିପୁଣ ଶିଳ୍ପୀତ୍ଵର ଅସାଧାରଣ ନମୁନା । ତେବେ ନାଟକୀୟ ସଂଳାପ ପ୍ରୟୋଗରେ ତାଙ୍କର ସଂଯମତା ବରଂ ଅଧିକତର ଭାବରେ ତାଙ୍କୁ ଲୋକ ପ୍ରିୟ କରାଇଛି ।

 

ଖ.୪- ସଙ୍ଗୀତ ପ୍ରୟୋଗ ରୀତି :

ନାଟକ ମିଶ୍ରକଳା, ଏହା ବିଭିନ୍ନ କଳାତ୍ମକ ବିଭାଗର ଏକତ୍ର ସମବାୟ । ନାଟକରେ ସଙ୍ଗୀତର ଭୂମିକା ଏକାନ୍ତ ଗୁରୁତ୍ଵପୂର୍ଣ୍ଣ । କାରଣ ନାଟକ ଜୀବନର ପ୍ରତିଛବି, ଜୀବନରେ ସଙ୍ଗୀତରେ ମଧୁମୂର୍ଚ୍ଛନା ସ୍ଵତଃ ହୁଏ ଧ୍ଵନିତ । ନାଟକ ଜନ୍ମଲଗ୍ନରୁ ଏହା ସଙ୍ଗୀତାତ୍ମକ ଥିଲା । ସମୟ ବିଶେଷରେ ନାଟକରୁ ଦୀର୍ଘ ସଙ୍ଗୀତାଂଶ ବାଦ ପଡ଼ିଲା ଓ ଏହା ଗଦ୍ୟାତ୍ମକ ହେଲା । କିନ୍ତୁ ନାଟକରୁ ସଙ୍ଗୀତ ପୂରା ମାତ୍ରାରେ ଅପସାରିତ ହେଲା ନାହିଁ । ଯନ୍ତ୍ର ସଂଗୀତ ଓ କଣ୍ଠ ସଙ୍ଗୀତ ଭେଦରେ ସଙ୍ଗୀତ ଦ୍ଵିଧା ବିଭକ୍ତ । ଗୀତ-ନୃତ୍ୟ-ବାଦ୍ୟ ସଙ୍ଗୀତ ଅଭିଧାରେ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ । ତେବେ ନାଟକ ମନୋରଂଜନ ନିମିତ୍ତ ଉଦ୍ଦିଷ୍ଟ । ତେଣୁ ଏହାକୁ ଅଧିକତର ଭାବରେ ଉପଭୋଗ୍ୟ କରିବା ନିମିତ୍ତ ଏଥିରେ ସଂଗୀତ ପ୍ରୟୋଗ କରାଯାଇଥାଏ । ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ନାଟ୍ୟକଳାରେ ସଂଗୀତର ପ୍ରୟୋଗ ରହିଛି, ଏହା କେତେଦୂର ନାଟକୋପଯୋଗୀ ଏବଂ ନାଟକୀୟ ସଫଳତା ପ୍ରକାଶରେ ତତ୍ପର, ତାହା ଏଠାରେ ଆଲୋଚନା କରାଯାଇପାରେ ।

 

ପରିବେଶକୁ ନେଇ ନାଟକରେ ସଂଗୀତ ସଂଯୋଜନା କରିବାରେ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ଅସାମାନ୍ୟ ଦକ୍ଷତା ରହିଛି । ଚରିତ୍ର ଓ ଚରିତ୍ରର ସଂଘର୍ଷ, ତଥା ଚରିତ୍ର ଭିତରେ ତୁଳନା ପ୍ରକାଶ କରିବା କ୍ଷେତ୍ରରେ ସଂଳାପଠାରୁ ସଂଗୀତ ଅଧିକ ଭାବାନୁସାରୀ । ‘ଘରସଂସାର’ର ଶାରଦା ଓ ଅନିମା –ଜଣେ ପରମ୍ପରା ଏବଂ ଅନ୍ୟଟି ପାଶ୍ଚାତ୍ୟ ଭାବନା । ଏ ପ୍ରସଙ୍ଗରେ ସଂଗୀତର ଅବତାରଣା ବରଂ ଯଥାର୍ଥ । ଯଥା –

 

ଯା’ ମନ ଯେଉଁଠି ବାସିଲା

ତାକୁ କିଆଫୁଲ ପରି ବାସିଲା ।

ଓଡ଼ିଆ ଘର ମେମ୍ ସାଇବ ବୁଟ୍ ଚପଲବାଲି

ଗାଲରେ ନାଲି ଓଠରେ ନାଲି ଦଶହଜାର ଚାଲି ।

(ଘର ସଂସାର-ପୃଷ୍ଠା -୧୦୫)

 

‘ମୂଲିଆ’ ନାଟକରେ ଗ୍ରାମ୍ୟ ବାଳିକାର ଅଭିସାରିକା ଅବସ୍ଥା, ନିଜ ପ୍ରେମିକ ଦୂରାଗତ ଥିବାରୁ ଗଭୀର ବେଦନାବୋଧକୁ ସରର ସଙ୍ଗୀତ ରୂପେ ପ୍ରକାଶ କରାଯାଇଛି । ସମ୍ପର୍କ ବିସ୍ମୃତ ପ୍ରେମିକ ରାଜୁ ପ୍ରତି, ସର ଅନ୍ତରର ଭାବନା ସଂପୃକ୍ତ ସଙ୍ଗୀତରେ ପ୍ରମୂର୍ତ୍ତ । ଯଥା –

 

ଚଲା ବାଦଲରେ ! ଘେନି ଯା

ତୋ ସାଥେ ମୋ ବେଦନା ବିନ୍ଦୁ ଧାରା ।

      ପରଦେଶେ ରହିଲେ ସେ ନିଷ୍ଠୁର ଚିତ୍ତଚୋରା । ୦ ।

ସାଥୀହରା ପଲକର ନ ଲାଗେ, ଝଲକ ଝଲକ ସେ ରୂପ ମନ ଜାଗେ,

ହା ହୁତାଶେ ମରମ ଜଳେ, ଭଲ ନ ଲାଗେ ଦୁନିଆସାରା ।

      (ମୂଲିଆ –ପୃଷ୍ଠା -୧୦୫)

 

ଅନେକତ୍ର ନାଟ୍ୟକାର ସୁନ୍ଦର ଭାବାବେଗ ପ୍ରକାଶ କରିବା ନିମିତ୍ତ ସଙ୍ଗୀତର ସହାୟତା ନେଇଛନ୍ତି । ତାଙ୍କ ନାଟକରେ ସଙ୍ଗୀତକୁ ସେ ପାରମ୍ପରିକ ଅଙ୍ଗଭାବରେ ଗ୍ରହଣ କରିଥିଲେ । ଏ ସମ୍ପର୍କରେ ତାଙ୍କର ବକ୍ତବ୍ୟ ହେଉଛି –“ନାଟକ ମଧ୍ୟରେ ନାଚ ଗୀତ ରହିବାକୁ ଆଜିକାଲି ଅନେକ ଚାହାଁନ୍ତି ନାହିଁ, କିନ୍ତୁ ନାଚଗୀତ ନାଟକର ପାରମ୍ପରିକ ଅଂଗ” । (ନାଟକ ଲେଖାର କଥା-ନାଟକ ରୀତିମତ ପୃଷ୍ଠା–ପୃ-ଘ) ନାଟ୍ୟକାର ସଙ୍ଗୀତ ପ୍ରତି ତତ୍ପରତା ପ୍ରକାଶ କରିଛନ୍ତି । ନିଜ ରଚନା ଠାରୁ ବରଂ ସେ ଅନ୍ୟାନ୍ୟ କବିମାନଙ୍କ ରଚିତ ଗୀତକୁ ଆଣି, ପରିବେଶ ଅନୁଯାୟୀ ନାଟକରେ ସଂସ୍ଥାନିତ କରିଅଛନ୍ତି । କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, କବି ମଞ୍ଜୁଳ କୃଷ୍ଣପ୍ରସାଦ ବସୁ, ନାରାୟଣପ୍ରସାଦ ସିଂହ, କିଶୋର କବି ଶ୍ୟାମସୁନ୍ଦର ଦାସ, ଏବଂ ଗୋପାଳଚନ୍ଦ୍ର ପଣ୍ଡା ପ୍ରଭୃତି କେତେଜଣ ପ୍ରମୁଖ ଗୀତିକାରଙ୍କ ରଚନାକୁ ସେ ତାଙ୍କ ନିକଟରେ ସଙ୍ଗୀତ ଆକାରରେ ସଂସ୍ଥାନିତ କରାଇ, ରସ ପରିବେଷଣ କରିଅଛନ୍ତି । ଗ୍ରାମ୍ୟ ଜୀବନର ଚିତ୍ର ତାଙ୍କ ନାଟକର ପ୍ରମୁଖ ଦିଗ, ଏସବୁକୁ ଅଧିକ ହୃଦୟସ୍ପର୍ଶୀ କରିବା ନିମିତ୍ତ, ନାଟ୍ୟକାର ଗ୍ରାମ୍ୟ ପରିବେଶରେ ଚିତ୍ର ପ୍ରକାଶ କରିଛନ୍ତି କେତେକ ଲୋକଗୀତ ମାଧ୍ୟମରେ । ‘ଘରସଂସାର’ ନାଟକରେ ରତି ଓ ଶାରଦାଙ୍କ ସହିତ କୁମାରପୂର୍ଣ୍ଣିମା ଗୀତ ହୋଇଛି ବେଶ ପରିବେଶ ଉପଯୋଗୀ ଓ ମନଛୁଆଁ । ଯଥା-

 

       କୁମାର ପୁନେଇଁ ଚହଟ ଚାନ୍ଦିନୀ

       ରୂପା ଥାଳି ପଟ ଜହ୍ନଲୋ, ରୂପା ଥାଳି ପଟ ଜହ୍ନ ।

 

କୁଆଁରୀ କାଳୁତ ଏତେ ଉଚ୍ଛନ୍ନ ମୋ ଛଇଳି ଧନଲୋ

ଆଉଚି ଉଛୁଳା ଦିନ । (ଘରସଂସାର -ପୃଷ୍ଠା -୪୧)

 

ଅନୁରୂପ ଭାବରେ ‘ଭାଇଭାଉଜ’ ନାଟକରେ ସଂଯୁକ୍ତ ଗୀତ ଭିତରେ କୃଷିଭିତ୍ତିକ ଗ୍ରାମ୍ୟ ଜୀବନର ଓ ଶସ୍ୟକେଣ୍ଡାର ପ୍ରାଚୁର୍ଯ୍ୟର ଚିତ୍ର ଉଦ୍‍ଭାସିତ । ସଂଳାପରେ ଯାହା ଚମତ୍କାରିତା ସୃଷ୍ଟି କରିପାରିନଥାନ୍ତା, ଏଠାରେ ସଂଗୀତ ମାଧ୍ୟମରେ ବରଂ ତା’ର ଉତ୍କର୍ଷତାଟା ଅଧିକ । ଯଥା –

 

      ବାଆ ସିରି ସିରି ବହିଲା ଅନା, ବାଆସିରି ସିରି ବହିଲା

      ଛାଇ ତଳେ ଦିହ ଶୀତେଇ ଉଠିଲା ଖରାକାଟେ ସାତଗୁଣା

      କ୍ଷୀରଖିଆ ଗିନା ଦୋହଲି ଦୋହଲି ଉଛୁଳି ପଡ଼ିଲା କେନା ।

(ଭାଇଭାଉଜ-ପୃଷ୍ଠା -୧)

 

ନାଟକୀୟ ଗତିବେଗର ତୀବ୍ରତା ମଧ୍ୟରେ ଦର୍ଶକୀୟ ମାନସିକତାର ଉପଯୁକ୍ତ ଭାବ ସଂଯୋଗ କରାଇବା ନିମିତ୍ତ ନାଟ୍ୟକାର ତାଙ୍କ ନାଟକଗୁଡ଼ିକରେ ସଂଗୀତ ପ୍ରୟୋଗ କରିଛନ୍ତି । ‘ମଉଡ଼ମଣି’ ନାଟକରେ ଭୀମ, କବିରାଜ ଘରେ ଘରଜ୍ଵାଇଁ ହେବା ନିମିତ୍ତ ଆଶାପୋଷଣ କରିଛି । ଏ ସମ୍ପର୍କରେ ନିଜର ଅନୁଭବ ପ୍ରକାଶ କରାଯାଇଛି ଭୀମ କଣ୍ଠରେ –

 

      “ଘର ଜୁଆଁଇ ଏଡ଼ିକି ହୀନ, ହଁ ଧିକ ଜୀବନ

      ବୁଲା କୁତା ଠଉଁ ହୀନ କରମ, ହଁ ପୋଡ଼ୁ ମରମ”

(ମଉଡ଼ମଣି –ପୃଷ୍ଠା -୧୪୧)

 

ସ୍ଥଳ ବିଶେଷରେ ନାଟ୍ୟ ଚରିତ୍ରର କେତେକ ବିଶେଷ ଗୁଣକୁ ଆଲୋକିତ କରିବାକୁ, କେତୋଟି ପ୍ରତୀକାତ୍ମକ ସଂଗୀତ ମଧ୍ୟ ବିଶେଷ ଉପଯୋଗୀ ହୋଇଥିବା ଲକ୍ଷ୍ୟ କରାଯାଏ । ଏ ଦୃଷ୍ଟିରୁ ‘ମମତା’ ନାଟକରେ ପ୍ରବୋଧରେ ଶଶୂର ବାଉରିବନ୍ଧୁଙ୍କ କପଟଚାରିତାର ପ୍ରତୀକାତ୍ମକ ଭାବକୁ ରାସ୍ତାର ଏକ ଭିକ୍ଷୁକ କଣ୍ଠରେ ପ୍ରଦାନ କରିବା ଦ୍ଵାରା, ଦର୍ଶକୀୟ ଅନୁଭବକୁ ଭାବସାନ୍ଦ୍ର କରାଯାଇଅଛି । ଯଥା-

 

ତୋତେ ଦୂରୁ ମୋ ଜୁହାର, ମୁଁ ତ ଜଣାଏଁ ଜୁହାର,

ଦେଇଜାଣୁ ନେଇଜାଣୁ ବହୁରୂପ ତୋ’ର ।

ଛାତିରେ ଭରି ତୁ ବିଷ, ମୁଖେ ମାଖୁ ମଧୁହାସ

ଗଢ଼ୁ ଯାହା, ଭାଙ୍ଗୁ ତାହା ଭଲ କାରିଗର ।

      (ମମତା –ପୃଷ୍ଠା-୧୦୮)

 

ସଂପୃକ୍ତ ସଙ୍ଗୀତଟି ଗୋଟାଏ ପକ୍ଷରେ ଭକ୍ତିଭାବନା ପ୍ରକଟ କରୁଥିବା ବେଳେ, ଅପରପକ୍ଷରେ ବରଂ ଚରିତ୍ରର ବିଶେଷ ଦିଗକୁ ଇଙ୍ଗିତ କରିଅଛି । କେତୋଟି ଗୀତରେ ଭକ୍ତିଭାବନାର ଉଦ୍ରେକ ଘଟିଥିବା ଲକ୍ଷ୍ୟ କରାଯାଏ । ‘ଚାବୁକ୍’ ନାଟକରେ କନକ ମାଧ୍ୟମରେ ପ୍ରକାଶ ପାଇଥିବା ଭକ୍ତି ସଙ୍ଗୀତଟି ଭାବଗର୍ଭକ ଓ ପରିବେଶ ଉପଯୋଗୀ । ଯଥା-

      

“କେତେ ଆଖି ପାଣି             ଢାଳିଲେ କେଜାଣି

ଧୋଇ ହେବ ତୁମ ପାଦ

କେତେ ଉଜାଗର                   ନିଶି ପୁହାଇଲେ

ମେଣ୍ଟିବ କି ମନ ସାଧ ।

ସେତିକି ମାତର                  କୁହହେ ଠାକୁର

ମାଗୁଛି ଅଞ୍ଜଳି ପାତି ।”

(ମୂଲିଆ)

 

ସଂପୃକ୍ତ ସଙ୍ଗୀତରେ ବିଭୁଙ୍କ ପ୍ରତି ହୃଦୟରେ ଯାଚନା ପ୍ରକାଶ ପାଉଥିବା ବେଳେ, ‘ପରପୁରୁଷ’ରେ ପୁତ୍ରଶୋକ ବିଧୁରା ବନାନୀ ଭିତରେ ବିଭୁଙ୍କ ଉଦ୍ଦେଶ୍ୟରେ ଅଭିଯୋଗ ହିଁ ଶୁଣାଯାଇଚି । ବନାନୀ ହୃଦୟର ଭାବକୁ ଶ୍ମଶାନ ଉପକଣ୍ଠରେ ଯାଉଥିବା ସନ୍ନ୍ୟାସିନୀ କଣ୍ଠରେ ଭରି ଦେଇଛନ୍ତି ନାଟ୍ୟକାର । ଯଥା-

 

ଅନ୍ଧ କରି ଆଖି ତାରା             ସବୁ ସୁଖ ନେଲ ହରି

ତୁମେ କି ପାଇଲ କୁହ ବଗବାନ, ଗରିବ ଦୁନିଆ ଜାଳି,

ଭଙ୍ଗାମନ ମରେ ଝୁରି ।

(ପରପୁରୁଷ-ପୃଷ୍ଠା -୧୧୩)

 

ଘଟଣାକୁ ଅଧିକ ଚମତ୍କାର କରିବା କ୍ଷେତ୍ରରେ ନାଟ୍ୟକାର ଅନେକତ୍ର ସଙ୍ଗୀତର ସହଯୋଗ ନେଇଛନ୍ତି । ଏ ଦୃଷ୍ଟିରୁ ‘ନରୋତ୍ତମ ଦାସ କହେ’ ନାଟକର ଚାକର ଗୋପୀଆ କଣ୍ଠର ସଙ୍ଗୀତକୁ ଗ୍ରହଣ କରାଯାଇପାରେ । ଶ୍ୟାମଳ ସହିତ ବନ୍ଦନାର ସମ୍ପର୍କ ବଢ଼ି ଉଠିଛି । ଏଇ କୁସଂପର୍କକୁ ଇଙ୍ଗିତମୟ କରି ଗଢ଼ି ତୋଳିଛି ଗୋପୀର ସଂଗୀତ ।

 

“ଦିନେ ଗୋପ ଗୋଇ             ଡକାଡକି ହୋଇ

ଚଳିଲେ ଯମୁନା ତୀରେ

କେଶରୀ କଟୀରେ             କଳସୀ ଥୋଇ ସେ

ଅଳସୀ ଚାଲନ୍ତି ଧୀରେ

ସଙ୍ଗେ ରାଇ ବିନୋଦିନୀ...

ଶୁଣିଲା ଏ କାଳେ             କଦମ୍ବର ମୂଳେ

ନବଘନ ଶ୍ୟାମ ବଂଶୀ ଧ୍ଵନୀ ।”

      (ନରୋତ୍ତମ ଦାସ କହେ –ପୃଷ୍ଠା -୩୬)

 

ପ୍ରେମ –ବିରହ, ମିଳନର ବାର୍ତ୍ତାକୁ ନାଟକରେ ଅନେକତ୍ର ସଂଗୀତ ଆକାରରେ ନାଟ୍ୟକାର ପ୍ରକାଶ କରିଛନ୍ତି । ପ୍ରବୋଧର ପତ୍ନୀ ସ୍ଵେଚ୍ଛାଚାରିଣୀ ମାୟା କିପରି ପରପୁରୁଷ ସହିତ ପ୍ରେମରେ ନିମଜ୍ଜତା, ଏବଂ ମନ ଭିତରେ ତା’ର କିପ୍ରକାରର ଅବସ୍ଥା, ତାହା ସୂଚାଇବା ନିମିତ୍ତ, ଲେଖକ ଦର୍ଶାଇଛନ୍ତି ‘ମମତା’ ନାଟକର ପ୍ରବୋଧ ଓ ମାୟାର ସମ୍ପର୍କ ଭିତରେ ।

 

ଯଥା-

ଏଇ ଯେ ଡାକୁଛି ବସନ୍ତ ଦୁଆରେ

ଘେନ ପ୍ରିୟା ତା’ର ପରଶ ହିଆରେ

ସଜ ଫୁଟା ଫୁଲେ ସାଜ ବେଣୀ, ସଜ ବାସି ହେବ ଗଲେ ରାତି ।

(ମମତା)

 

ଅନୁରୂପ ଅନୁଭବ ପ୍ରକାଶ ପାଇଛି ‘ନରୋତ୍ତମ ଦାସ’ କହେ ନାଟକର ଶ୍ୟାମଳ ଓ ବନ୍ଦନା ଚରିତ୍ର ମଧ୍ୟରେ । ସେଠାରେ ପରିବେଷିତ ସଙ୍ଗୀତଟି ଥିଲା –

 

“ପୀରତି ମଦିରା                  ତନୁମନ ସାରା

ତୋଳେ ଯେବେ ଉନ୍ମାଦ

ଆବେଶ ନିବେଶ                   ତନ୍ମୟରସ

ଦଶଦଶା ପରମାଦ ।

ସହି, ନରୋତ୍ତମ ଦାସ କହେ……

ଅନୁଭବୀ ବିନା                  କିଏ ବା ବୁଝିବ,

ସେ କଥା ବୁଝାଇ ନୁହେଁ ।”

(ନରୋତ୍ତମ ଦାସ କହେ)

 

ରାମଚନ୍ଦ୍ରଙ୍କ ନାଟକଗୁଡ଼ିକରେ ଓଡ଼ିଶାର ମାଟି-ପାଣି-ପବନର ରୂପ-ରସ ଓ ସ୍ପର୍ଶ ପ୍ରକାଶିତ । ତାଙ୍କ ନାଟକଗୁଡ଼ିକରେ ସଂଯୋଜିତ ସଂଗୀତଗୁଡ଼ିକରେ ମଧ୍ୟ ଅନୁରୂପ ଅବସ୍ଥା ଲକ୍ଷ୍ୟ କରାଯାଏ । ସବୁଠାରୁ ବଡ଼କଥା ହେଲା, ସେ ତାଙ୍କ ନାଟକରେ ଅନାବଶ୍ୟକ ଭାବରେ କୌଣସି ସଂଗୀତ ସଂଯୋଜନା କରିନାହାନ୍ତି । ତେଣୁ ତାଙ୍କ ସଂଗୀତ ଗୁଡ଼ିକର ଭାବାନୁସାରିତା ସବୁ କ୍ଷେତ୍ରରେ ନାଟକୀୟତା ପ୍ରକାଶରେ ଯେତେ ଉନ୍ମୁଖ, ଦର୍ଶକୀୟ ପରିତୃପ୍ତି ଏବଂ ମନୋରଂଜନ କରିବା ନିମିତ୍ତ ସେତେ ତତ୍ପର । ସଙ୍ଗୀତ ପ୍ରୟୋଗରେ ସଂଳାପ ପ୍ରୟୋଗ ଭଳି ସେ ସର୍ବଦା ସଚେତନ ରହିଛନ୍ତି । ତେଣୁ ତାଙ୍କ ସଙ୍ଗୀତ ପ୍ରୟୋଗଧାରାର ଭାବସାବଲ୍ୟ ଓ କଳାଗତ ସାଫଲ୍ୟ ପରିଲିକ୍ଷିତ ହୋଇଥାଏ ।

 

ଖ.୫-ନାଟକୀୟ ଦ୍ଵନ୍ଦ୍ଵ ଓ ସଂଘର୍ଷ :

ପ୍ରଖ୍ୟାତ ନାଟ୍ୟ ସମାଲୋଚକ ବର୍ଣ୍ଣାଡ଼ ସ’ଙ୍କ ମତରେ ଦ୍ଵନ୍ଦ୍ଵ ନଥାଇ ନାଟକ ନାହିଁ –‘No conflict, No drama’ ଏହାର ଯଥାର୍ଥତାକୁ ନାଟ୍ୟକାରମାନେ ସ୍ଵୀକାର କରିଛନ୍ତି । ନାଟକ ଜୀବନର ପ୍ରତିଛବି । ଜୀବନ ଯେତେବେଳେ ନାନା ଦ୍ଵନ୍ଦ୍ଵ-ସଂଘର୍ଷ ଓ ସଂଘାତ ଭିତରେ ଗତିଶୀଳ, ସେତେବେଳେ ନାଟକରେ ଏହାର ପ୍ରତିବିମ୍ବନ ରହିବା ସ୍ଵାଭାବିକ । ଜୀବନର ଉଠାଣିଗଡ଼ାଣି ପାପ-ପୁଣ୍ୟ, ଭଲମନ୍ଦକୁ ନାଟକରେ ରୂପାୟିତ କରାଯିବାବେଳେ, ଦ୍ଵନ୍ଦ୍ଵ ହିଁ ସେଠାରେ ପ୍ରମୁଖ ବିଭବ ରୂପେ ଦେଖା ଦେଇଥାଏ । ଦ୍ଵନ୍ଦ୍ଵ ବର୍ଜିତ ନାଟକ, ନାଟକ ନୁହେଁ । ଏଣୁ ପ୍ରତ୍ୟେକ ନାଟ୍ୟକାରଙ୍କ ଭଳି ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ନାଟକର ଶିଳ୍ପ ପ୍ରକରଣ ମଧ୍ୟରେ ଦ୍ଵନ୍ଦ୍ଵ ହିଁ ସ୍ଥାନ ପାଇଛି ।

 

ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କର ନାଟକ ଗୁଡ଼ିକରେ ପ୍ରକାଶିତ ଦ୍ଵନ୍ଦ୍ଵକୁ ଆକଳନ କରିବାବେଳେ, ମୁଖ୍ୟତଃ ବାହ୍ୟ ଦ୍ଵନ୍ଦ୍ଵ, ଅନ୍ତର୍ଦ୍ଵନ୍ଦ୍ଵ ଓ ଉଭୟର ମିଶ୍ରିତ ଅବସ୍ଥା ରକ୍ଷା କରାଯାଇଥିବା ଲକ୍ଷ୍ୟ କରାଯାଏ । ଘଟଣା ସହିତ ଚରିତ୍ରର, ଚରିତ୍ର ସହିତ ଚରିତ୍ରର, ପରିବେଶ ସହିତ ଘଟଣାର ସଂଘର୍ଷ ଘଟାଇ ସେ ଦ୍ଵନ୍ଦ୍ଵ ସୃଷ୍ଟି କରିଛନ୍ତି । ନାଟ୍ୟକାରଙ୍କର ‘ମ୍ୟାନେଜର’, ‘ମୂଲିଆ’, ‘ଘରସଂସାର’, ‘ସାଇପଡ଼ିଶା’, ‘ମମତା’, ‘ଚାବୁକ୍’, ‘ନରୋତ୍ତମ ଦାସ କହେ’, ‘ଆଶା ନିରାଶା’, ‘ମନ୍ତ୍ରୀ ଆସିବେ’ ପ୍ରଭୃତି ନାଟକଗୁଡ଼ିକରେ ଅନ୍ତର୍ଦ୍ଵନ୍ଦ ଅପେକ୍ଷା ବାହ୍ୟଦ୍ଵନ୍ଦ୍ଵର ଆଧିକ୍ୟ ଥିବାରୁ ଏଗୁଡ଼ିକର ବହିର୍ଦ୍ଵନ୍ଦ୍ଵ ହିଁ, ଏସବୁ ନାଟକର ସଫଳତା ଆଣିପାରିଛି । ‘ନାଟକ ରୀତିମତ ’, ‘ସେବିକା’, ‘ପରପୁରୁଷ’, ‘ପ୍ରବାସୀ’, ‘ପ୍ରତୀକ୍ଷା’, ‘ପଡ଼ୋଶୀ’, ‘ରଜତଜୟନ୍ତୀ’, ‘ଆବିଷ୍କାର’, ପ୍ରଭୃତି ନାଟକଗୁଡ଼ିକରେ ନାଟ୍ୟକାର ବିଶେଷତଃ ଅନ୍ତସଂଘର୍ଷ ପ୍ରକାଶ କରିଅଛନ୍ତି । ‘କବିସୂର୍ଯ୍ୟ’, ‘ଭାଇଭାଉଜ’, ‘ଗୋଧୂଳି ଲଗ୍ନ’, ‘ମୃତ ଆସାମୀ’, ‘କିସ ପୁଣି ଦେଖା ନଯାଏ’ ଇତ୍ୟାଦି ନାଟକରେ ଲେଖକ ଉଭୟ ପ୍ରକାରର ଦ୍ଵନ୍ଦ୍ଵର ଅବତାରଣା କରିଅଛନ୍ତି ।

 

ନାଟକ ‘ମ୍ୟାନେଜର’ରେ ଶାସକ ଓ ଶୋଷିତର ସଂଘର୍ଷ କ୍ରମେ ଆର୍ଥନୀତିକ ସଂଘର୍ଷରେ ପରିଣତ ହୋଇଛି । ବୈକୁଣ୍ଠଙ୍କର କନ୍ୟା ବିବାହ ଜନିତ ସର୍ତ୍ତଭଙ୍ଗ ହିଁ ପ୍ରାଥମିକ ସ୍ତରରେ ଦ୍ଵନ୍ଦ୍ଵର ସୂତ୍ରପାତ ଘଟାଇଛି । ସେହିପରି ‘ମୂଲିଆ’ ନାଟକର ଦ୍ଵନ୍ଦ୍ଵ ମହାଜନ ଧଡ଼ି ମହାପାତ୍ର ଏବଂ ଗ୍ରାମ୍ୟ ଯୁବକ ରାଜୁର ଉଚ୍ଚଶିକ୍ଷା ଘଟିଥିବା ସଂଘର୍ଷ ଉପରେ ଆଧାରିତ | ଏଠାରେ ଗ୍ରାମ୍ୟ ଓ ସହରୀ ସଂସ୍କୃତିର ସଂଘର୍ଷ ଫଳରେ ଦ୍ଵନ୍ଦ୍ଵ ସୃଷ୍ଟି ହୋଇଛି । ‘ଘରସଂସାର’ ନାଟକରେ ଦ୍ଵନ୍ଦ୍ଵ ଯେପରି ଚରମ ସୀମାରେ ଉପସ୍ଥିତ । ଏଠାରେ ଗୋପ ଶାରଦାଙ୍କ ଚଳଣି ସହିତ ଅନିମା ଚଳଣିର ସଂଘର୍ଷ, ଗ୍ରାମ ଭିତରେ ଗୋପର ସରଳ ନିରାଡ଼ମ୍ବର ଓ ଆଦର୍ଶ ବ୍ୟକ୍ତିତ୍ଵ ସହିତ ଅନାଦି ଦାସ ପ୍ରଭୃତିଙ୍କ ଚକ୍ରାନ୍ତର ସଂଘର୍ଷ ହିଁ ସୃଷ୍ଟି କରିଛି ନାଟକୀୟ ଦ୍ଵନ୍ଦ୍ଵ । ବ୍ୟକ୍ତି ସହିତ ବ୍ୟକ୍ତିର, ପ୍ରାଚ୍ୟ ଚଳଣି ସହିତ ପାଶ୍ଚାତ୍ୟ ଚଳଣିର, ପରମ୍ପରା ସହିତ ଆଧୁନିକତାର ସର୍ବୋପରି ଆଦର୍ଶ ସହିତ ଖଳତ୍ଵର ସଂଘର୍ଷ, ସଂପୃକ୍ତ ନାଟକଟିକୁ ଅଧିକ ଉପଭୋଗ୍ୟ କରାଇଛି ।

ପାରମ୍ପରିକ ରାଜତାନ୍ତ୍ରିକ ଶାସନ ଓ ସ୍ଵାଧୀନତା ପ୍ରୟାସର ସଂଘର୍ଷ, ‘ମଉଡ଼ମଣି’ ନାଟକରେ ପରିଲିକ୍ଷିତ । ଫଳତଃ ରାଜମାତା, କୁମାରସାହେବ, ସହିତ ସାଧୁସାନ୍ତରା ଓ ରଂଜନ ପ୍ରଭୃତିଙ୍କ ସଂଘର୍ଷକୁ ସେକ୍ରେଟାରୀ ଓ କବିରାଜ ପ୍ରମୁଖ ଚରିତ୍ର ମାଧ୍ୟମରେ ତ୍ଵରାନ୍ଵିତ କରାଯାଇଛି । ‘ସାଇପଡ଼ିଶା’ର ଦ୍ଵନ୍ଦ୍ଵ ସଂଘଟିତ ହୋଇଛି ଅବସରପ୍ରାପ୍ତ ଶିକ୍ଷକ ନିମେଇ ଓ ତାଙ୍କ ପତ୍ନୀ ଅନ୍ନପୂର୍ଣ୍ଣାଙ୍କ ଆଦର୍ଶ ସହିତ ଟାଉଟର ଭଜହରି ଏବଂ ପୋଲିସ୍ ପତ୍ନୀ ନିରୂପମାଙ୍କ ବିରୋଧ ହେତୁ-। ଏଇଭଳି ଭାବରେ ବିଚାର କଲେ, ପ୍ରାଚ୍ୟ–ପାଶ୍ଚାତ୍ୟ ଚଳଣିର ପାରସ୍ପରିକ ବିରୋଧାଭାସ ‘ମମତା’ ନାଟକରେ ଲକ୍ଷ୍ୟ କରାଯାଏ । ପ୍ରବୋଧ, ତାଙ୍କ ପତ୍ନୀ ମାୟା ଓ ଶ୍ଵଶୁର ବାଉରିବନ୍ଧୁ ପ୍ରଭୃତି ଚରିତ୍ର ମାଧ୍ୟମରେ ଏଂ ସଂଘର୍ଷ ଚୂଡ଼ାନ୍ତ ରୂପରେଖ ଗ୍ରହଣ କରିଥିବା ସହଜରେ ଲକ୍ଷ୍ୟ କରିହୁଏ ।

 

ପରମ୍ପରା ସହିତ ଆଧୁନିକତାର ସଂଘର୍ଷ ସଂଘଟିତ ହୋଇଛି ‘ଚାବୁକ୍’ ନାଟକରେ । ପିତା ବଳିୟାରସିଂହଙ୍କ ଇଚ୍ଛାକୁ ସହରବାସୀ ପୁତ୍ର ଜୟନ୍ତର ବିରୋଧ ସହିତ ଆଦର୍ଶ ସହିତ ବାସ୍ତବତାର ସଂଘର୍ଷ ଏଠାରେ ପରିଲିକ୍ଷିତ । ‘ଚାବୁକ୍’ ପତ୍ରିକା ପ୍ରକାଶନ, ଏ ପ୍ରକାରର ଦ୍ଵନ୍ଦ୍ଵକୁ ଅଧିକ କ୍ରିୟାଶୀଳ କରିଛି । ଅନୁରୂପ ଭାବରେ ଆଦର୍ଶ ଓ ବାସ୍ତବତାର ଦ୍ଵନ୍ଦ୍ଵ ନରୋତ୍ତମ ଦାସ କହେ’ ନାଟକରେ ପ୍ରତିପାଦିତ । ସଂପୃକ୍ତ ନାଟକରେ ଲାଞ୍ଚଖୋର ସରକାରୀ କର୍ମଚାରୀ ମି.ଦାସ, ଲାଭଖୋର ବ୍ୟବସାୟୀ ଯାଦବ ଦାସ, ସୁବିଧାବାଦୀ ରାଜନୀତିକ ନେତା ମାଧବ ଦାସଙ୍କ ଚଳଣି ସହିତ, ନରୋତ୍ତମଙ୍କର ଆଦର୍ଶଗତ ବିରୋଧ ଦେଖାଦେଇଛି । ଏଇ ସଂଘର୍ଷରେ ବାସ୍ତବତା, ଆଦର୍ଶବାଦକୁ ଏଡ଼ାଇ ଦେଇଛି । ଭାଇ ଭାଇଙ୍କର କ୍ଷମତା ନିଶା ଓ ଅହଂକାର ମଧ୍ୟ ଏଥିରେ ଦ୍ଵନ୍ଦ୍ଵ ସୃଷ୍ଟି କରିଛି । ‘ଆଶାନିରାଶା’ରେ ସ୍ଵାର୍ଥସର୍ବସ୍ଵ ମନ୍ତ୍ରୀ ସୁବାସଙ୍କ ସହିତ ଏକଦା ସହକର୍ମୀ ମୋହନ ଓ ସୟଦଙ୍କର ଆଦର୍ଶର ବିରୋଧ ହିଁ ଦ୍ଵନ୍ଦ୍ଵ ସୃଷ୍ଟି କରିଛି । ସେଇପରି ନୀତି-ଆଦର୍ଶ ସହିତ କ୍ଷମତା ଲିପ୍‍ସାର ସଂଘର୍ଷ ଜନିତ କୁତ୍ସିତ ପରିଣତି ପରିଲିକ୍ଷିତ ହୋଇଛି ‘ମନ୍ତ୍ରୀ ଆସିବେ’ ଏବଂ ‘ଭୋଟ ସଂସାର’ରେ ।

 

ନାଟ୍ୟକାର ରାମଚନ୍ଦ୍ର ମିଶ୍ର, ତାଙ୍କର କେତେକ ନାଟକରେ ମନୋବିଶ୍ଳେଷଣ କରିବାକୁ ଯାଇ, ଚରିତ୍ରଗୁଡ଼ିକର ଗହନ ସଂଘର୍ଷକୁ ପ୍ରକାଶ କରିଛନ୍ତି । ଏହାଦ୍ଵାରା ତାଙ୍କର କେତୋଟି ନାଟକରେ ଅନ୍ତର୍ଦ୍ଵନ୍ଦ ପରିଲକ୍ଷିତ ହୋଇଛି । ଏ ଧରଣର ଏକ ସଫଳ ନାଟକ ହେଉଛି ‘ନାଟକ ରୀତିମତ' । ଗୋଟାଏ ଦିଗରେ ରୋଗୀ ଚିକିତ୍ସା ପରି ପରମ କର୍ତ୍ତବ୍ୟବୋଧ ଏବଂ ଅପର ଦିଗରେ ନାଟକରେ ଅଭିନୟ କରିବାର ଦାୟିତ୍ଵବୋଧ–ଉଭୟ ଭିତରେ ସନ୍ତୁଳିତ ହୋଇଛି, ନାୟକ ଉଦୟର ଅନ୍ତରାତ୍ମା । ଉଦୟ ପ୍ରତି ଆଶା ବାନ୍ଧିଛି ସୁଚିତ୍ରା, ଏଣେ ସାଧନା ହେଉଛି ଉଦୟର ରୋଗୀ । ଉଭୟଙ୍କ ଭିତରେ କ’ଣ କର୍ତ୍ତବ୍ୟ କ’ଣ ଅକର୍ତ୍ତବ୍ୟ–ତାହା ଅନୁଭବ କରିବା ଭଳି ମାନସିକ ସନ୍ତୁଳନର ସମ୍ମୁଖୀନ ହେଉଥିବା ଉଦୟର ମାନସିକତା ହିଁ ହୋଇଛି ଦ୍ଵନ୍ଦ୍ଵମୁଖର ।

 

ପ୍ରେମ ଓ ବିବାହକୁ ନେଇ ସଂଘଟିତ ଦ୍ଵନ୍ଦ୍ଵ ‘ନାଟକ ରୀତିମତ’ ଠାରୁ ଅଧିକତର ଭାବରେ ବିସ୍ତାରିତ ହୋଇଛି ‘ଗୋଧୂଳି ଲଗ୍ନରେ’ । ଅଧ୍ୟାପକ ବିକାଶ ଓ ଜୟନ୍ତୀର ପାରସ୍ପରିକ ପ୍ରେମ, ପୁନଶ୍ଚ ଜୟନ୍ତୀର ଅନ୍ୟତ୍ର ବିବାହ, ଇତ୍ୟାଦି ଘଟଣା, ଅଧ୍ୟାପକଙ୍କ ଠାରେ ତୀବ୍ର ମାନସିକ ସଂଘାତ ସୃଷ୍ଟି କରିଛି । ଏଇ ସଂଘାତ ପୁଣି ଅଧିକ ତୀବ୍ରତର ହୋଇଛି ଜୟନ୍ତୀ କ୍ଷେତ୍ରରେ । ସେ ପୂର୍ବତନ ପ୍ରେମିକା, ପୁଣି ବର୍ତ୍ତମାନ ସମୟରେ ପରିଣିତା । ସ୍ଵାମୀ ଓ ପ୍ରେମିକ-ଉଭୟଙ୍କ ମଧ୍ୟରେ ଜୟନ୍ତୀର ମାନସିକ ସଂଘର୍ଷ ହିଁ ଏଠାରେ ଗଭୀର ଅନ୍ତର୍ଦ୍ଵନ୍ଦ୍ଵର କାରଣ ।

 

ସନ୍ଦେହ ଓ ବିଶ୍ଵାସ ମଧ୍ୟରେ ରହିଥିବା ମାନସିକ ଦ୍ଵନ୍ଦ୍ଵର ଚିତ୍ର, ପରପୁରୁଷ ନାଟକରେ ପରିଲିକ୍ଷିତ । ଏକଦା ଅନ୍ୟର ପ୍ରେମିକ ଥିବା ବନାନୀ ବିବାହ ପରେ ସ୍ଵାମୀ ଶ୍ୟାମଳ ନିକଟରେ ଦେହ ଓ ମନ ଉଭୟ ସ୍ତରରେ ବିଶ୍ଵାସନୀୟତା ସୃଷ୍ଟି କରିଥିଲେ ମଧ୍ୟ, ସନ୍ଦେହୀ ଶ୍ୟାମଳର କ୍ରମାଗତ ସନ୍ଦେହ ହିଁ ଏଠାରେ ମାନସିକ ଦ୍ଵନ୍ଦ୍ଵର ପ୍ରମୁଖ କାରଣ ରୂପେ ଦେଖା ଦେଇଛନ୍ତି । ‘ପ୍ରବାସୀ’ ନାଟକରେ ସ୍ଵଦେଶ ଓ ବିଦେଶଗତ ଦ୍ଵନ୍ଦ୍ଵ ପରିଲିକ୍ଷିତ ପ୍ରାଚ୍ୟ ଓ ପାଶ୍ଚାତ୍ୟର ଦ୍ଵନ୍ଦ୍ଵ ହୋଇଛି ‘ପଡ଼ୋଶୀ’ର ପ୍ରତୀକିତ । ସେଇଭଳି ରଜତ ଓ ଜୟନ୍ତୀର ପ୍ରେମଭିତ୍ତିକ ଦ୍ଵନ୍ଦ୍ଵ ହିଁ ‘ସେବିକା’ର ଦ୍ଵନ୍ଦ୍ଵ ଭଳି ପ୍ରେମ ଓ ପ୍ରଣୟଭିତ୍ତିକ । ‘ପ୍ରତୀକ୍ଷା’ର ଦ୍ଵନ୍ଦ୍ଵ ମଧ୍ୟ ସମାନୁପାତିକ ଧାରାରେ ଗତିଶୀଳ ।

 

ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କର ନାଟକଗୁଡ଼ିକରେ ବାହ୍ୟ ଦ୍ଵନ୍ଦ୍ଵଠାରୁ ଅନ୍ତର୍ଦ୍ଵନ୍ଦ ବରଂ ଅଧିକ ସଂଘାତସଂକୁଳ ଓ ଆକର୍ଷଣୀୟ । ଦ୍ଵନ୍ଦ ମାଧ୍ୟମରେ ସେ ନାଟକୀୟ ଗତିଭଙ୍ଗୀରେ ଅତର୍କିତ ପରିବର୍ତ୍ତନ ଆଣିଛନ୍ତି ଓ ଦର୍ଶକୀୟ ଉତ୍କଣ୍ଠା ନିମିତ୍ତ ଯଥେଷ୍ଟ ସୁଯୋଗ ସୃଷ୍ଟି କରିଛନ୍ତି । ଫଳତଃ ତାଙ୍କର ଦ୍ଵନ୍ଦ ନାଟକୀୟ କଳାକୁ ଅଧିକ କୌଶଳପୂର୍ଣ୍ଣ, ଉତ୍କଣ୍ଠାପ୍ରଦ ତଥା ଉପଭୋଗ୍ୟ କରାଇପାରିଛି ବୋଲି କହିବା ଯଥାର୍ଥ ହେବ ।

 

ଖ.୬-ନାଟ୍ୟୋତ୍କଣ୍ଠା ସୃଜନ :

ନାଟ୍ୟାଭିନୟ ସହିତ, ଦର୍ଶକଙ୍କ ମାନସିକତାକୁ ସମ୍ପୂର୍ଣ୍ଣ ରୂପେ ବାନ୍ଧିରଖିବା ନିମିତ୍ତ, ଉତ୍କଣ୍ଠା ହେଉଛି ସର୍ବଶ୍ରେଷ୍ଠ ଆକର୍ଷଣୀୟ ନାଟ୍ୟଉପାଦାନ । ନାଟ୍ୟ କାହାଣୀକୁ ସହଜ, ସରଳ ଗତି ପଥରେ ଅଗ୍ରସର କରାଇଲେ, ଏହାର ପରବର୍ତ୍ତୀ ଅବସ୍ଥା କ’ଣ ହେବ, ଦର୍ଶକ ସେ ସମ୍ପର୍କରେ ସମ୍ପୂର୍ଣ୍ଣ ଭାବରେ ଅନୁମାନ କରି ନେଇପାରେ । ତେଣୁ ନାଟ୍ୟ ବିଷୟରୁ ହୁଏତ ତା’ର ଆଗ୍ରହ ହ୍ରାସ ପାଇଥାଏ । ଏହି ହେତୁ ନାଟ୍ୟକାରମାନେ ସେମାନଙ୍କ ଅସାମନ୍ୟ ପ୍ରକାଶ କୌଶଳ ବଳରେ ନାଟ୍ୟ କାହାଣୀଟିକୁ ସରଳ ନୁହେଁ, ଅଥଚ ଜଟିଳ ଗତିଭଙ୍ଗୀ ଦ୍ଵାରା ଉପସ୍ଥାପିତ କରାନ୍ତି । ଏହାଦ୍ଵାରା ଦର୍ଶକ ଆଶା କରୁଥିବା ଦୃଶ୍ୟ ନଦେଖି ବରଂ ଏହାକୁ ଦେଖିବା ନିମିତ୍ତ ଉତ୍କଣ୍ଠିତ ହୋଇଥାଏ । ଦ୍ଵନ୍ଦ୍ଵର ଉତ୍କର୍ଷତା ଏବଂ ଘାଟନିକ ସଂଷର୍ଷ ଭିତରେ ହିଁ, ଉତ୍କଣ୍ଠା ତୀବ୍ରତର ହୋଇପାରେ । ଆକସ୍ମିକ ଘଟଣାରେ, କାହାଣୀର ମୋଡ଼ ବଦଳିଯାଏ ଏବଂ ଦର୍ଶକ, ପରବର୍ତ୍ତୀ ଦୃଶ୍ୟକୁ କୌତୂହଳୀ ଦୃଷ୍ଟିରେ ଅପେକ୍ଷା କରି ରହନ୍ତି । ଏଇ କ୍ରମରେ ସମଗ୍ର ନାଟକଟି କେତେବେଳେ ଶେଷ ହୋଇଯାଏ, ଦର୍ଶକ ତାହା ଅନୁଭବ କଲା ବେଳକୁ, ପ୍ରେକ୍ଷାଗୃହ ତ୍ୟାଗ କରୁଥାଏ ।

 

ନାଟ୍ୟକାର ରାମଚନ୍ଦ୍ର ମିଶ୍ର, ପ୍ରଥମ କରି ବ୍ୟବସାୟିକ ରଂଗ ମଞ୍ଚ ପାଇଁ ନାଟକ ରଚନା କରିଛନ୍ତି ଓ ବ୍ୟବସାୟିକ ସଫଳତା ପାଇଁ, ନାଟ୍ୟ କାହାଣୀକୁ ସେ ସଜାଇଛନ୍ତି । ତାଙ୍କ ପରିବେଷଣ କଳାଟି ସ୍ଵତନ୍ତ୍ର । ଦର୍ଶକଙ୍କ ମାନସିକତାକୁ ନାଟକ ସହିତ ବିଜଡ଼ିତ କରିବା ପାଇଁ ସେ ନାଟକଗୁଡ଼ିକରେ ଅନେକତ୍ର ଉତ୍କଣ୍ଠା ସୃଷ୍ଟି କରିଅଛନ୍ତି । କୁସୁମକୁ ଅପହରଣ ଓ ସହରୀ ଗୁଣ୍ଡା ହାତରେ ପ୍ରଦାନ କରାଯିବା ପରେ ‘ମ୍ୟାନେଜର’ ନାଟକର ଉତ୍କଣ୍ଠା ସୃଷ୍ଟି ହୋଇଛି । ସୁଷମାର ମନକଥା ଜାଣିବାକୁ ଦର୍ଶକଙ୍କ ଭିତରେ ସେଇ ଉତ୍କଣ୍ଠା । ଧଡ଼ି ମହାପାତ୍ରର ଚକ୍ରାନ୍ତର ପରିଣତି ପାଇଁ ଦର୍ଶକ ଉଦଗ୍ରୀବ, କୁମାରୀ ସର ସହିତ ମହାପାତ୍ରର ବିବାହ ମଧ୍ୟ ଅନ୍ୟ ଏକ କୌତୂହଳପୂର୍ଣ୍ଣ ଘଟଣା ରୂପେ ‘ମୂଲିଆ’ରେ ଦେଖାଦେଇଛି । ‘କବିସୂର୍ଯ୍ୟ’ ନାଟକରେ କବିସୂର୍ଯ୍ୟ ବଳଦେବ ରଥଙ୍କର ଘନ ଘନ ସ୍ଥାନ ପରିବର୍ତ୍ତନ, ଗୋପନରେ କାଳଯାପନ ଏବଂ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଆପଣାର ପରିଚୟ ପ୍ରଦାନ ମଧ୍ୟ ଭିନ୍ନ ଉତ୍କଣ୍ଠା ସୃଷ୍ଟି କରିଥାଏ ।

 

ଉତ୍କଣ୍ଠିତ ବାତାବରଣ ମଧ୍ୟରେ ‘ଘରସଂସାର’ ନାଟକର ଆରମ୍ଭ । ଶାରଦା ବିହାରରେ ବର ନ ଆସିବା ହେତୁ ଉତ୍ସବମୁଖର ପରିବେଶର ସ୍ତବ୍ଧତା, ଗୋପଙ୍କର ଶାରଦାକୁ ବିବାହ ଇତ୍ୟାଦି ଆକସ୍ମିକତା ଏଠାରେ ଉତ୍କଣ୍ଠାର କାରଣ । ଶାରଦାଙ୍କ ପ୍ରତି ଅନିମାଙ୍କର ଅବଜ୍ଞାର ଶୀର୍ଷତା ମଧ୍ୟ ଉତ୍କଣ୍ଠା ସୃଷ୍ଟି କରିଛି । ନିଜ ସ୍ଵାମୀ ଶଯ୍ୟାଧାରରେ ଶାରଦାଙ୍କ ଢୁଳନ୍ତ ଅବସ୍ଥା ପରେ ଅନିମାର ପ୍ରତିକ୍ରିୟା, ଦର୍ଶକଙ୍କ ଉତ୍କଣ୍ଠାକୁ ଚରମ ସୀମାକୁ ନେଇଯାଇଛି । ଗ୍ରାମବାସୀଙ୍କର ମିଳିତ ଉଦ୍ୟମକୁ କୁମାର ଓ ଲିଲିଙ୍କର ଆକସ୍ମିକ ବିରୋଧ, ‘ମଉଡ଼ ମଣି’ ନାଟକର ପ୍ରାରମ୍ଭିକ ପର୍ଯ୍ୟାୟକୁ ଉତ୍କଣ୍ଠାପୂର୍ଣ୍ଣ କରିଛି । ଏହାର ପରବର୍ତ୍ତୀ ଦୃଶ୍ୟଗୁଡ଼ିକରେ ସାଧୁ ସାନ୍ତରା ପ୍ରତି କବିରାଜର ବିଷ ପ୍ରୟୋଗାଦି ଘଟଣା ମଧ୍ୟ କୌତୂହଳ ସୃଷ୍ଟି କରିଛି । ‘ସାଇପଡ଼ିଶା’ ନାଟକରେ ନିଜ ତରଫରୁ ଶିକ୍ଷକ ନିମାଇଁ, ବନ୍ଧୁଙ୍କ ପାଇଁ ଗୃହ ନିର୍ମାଣ କରିବାର ପରିଣତି ପାଇଁ ଦର୍ଶକଙ୍କ ଭିତରେ ଉତ୍କଣ୍ଠା ସୃଷ୍ଟି ହୋଇଛି ।

 

ନାଟକୀୟ ଗତିଭଙ୍ଗୀ ଭିତରେ ଉତ୍କଣ୍ଠା ସଂରକ୍ଷଣରେ ‘ଭାଇଭାଉଜ’ର ସାର୍ଥକତା ସମସ୍ତେ ଉପଲବ୍ଧି କରିପାରନ୍ତି । ଯୋଗୀବାବୁଙ୍କ ଦ୍ଵାରା ପିତୃହତ୍ୟା, ଅଥଚ ନିରୀହ ମହୀକୁ ଦୋଷୀ ସାବ୍ୟସ୍ତ କରିବା ଘଟଣା ଦର୍ଶକଙ୍କ ଭିତରେ ଉଦ୍‍ବେଗ ସୃଷ୍ଟି କରିଥାଏ । ଭାଇଗ ଓ ଦୁଃଖୀର ପବିତ୍ର ସଂପର୍କକୁ ଲୋକ ଅପବାଦ ଦ୍ଵାରା କଳଙ୍କିତ କରାଯିବା ମଧ୍ୟ ଭିନ୍ନ ଉଦ୍‍ବେଗ । ‘ନାଟକ ରୀତିମତ’ରେ ନାଟକ ଅଭିନୟର ସମ୍ଭାବ୍ୟ ପରିସ୍ଥିତିକୁ ନେଇ ଆରମ୍ଭ ହୋଇଥିବା ତର୍କଣା, ଯଥେଷ୍ଟ ଦର୍ଶକୀୟ ଉତ୍କଣ୍ଠା ସୃଷ୍ଟି କରିଥାଏ, ଯାହା ନାଟକର ପରିଣତି ପର୍ଯ୍ୟନ୍ତ ମଧ୍ୟ ଅତୁଟ ରହିଛି । ହଁ ନାଇଁର ଖେଳ ଭିତରେ ‘ଗୋଧୂଳି ଲଗ୍ନ’ ନାଟକର ଦୃଶ୍ୟାବଳୀ ଓ ଘଟଣା, ଦର୍ଶକମାନଙ୍କୁ ଉଦବିଗ୍ନ କରିଛି । ସୁବାସର ଆକସ୍ମିକ ଦୁର୍ଘଟଣା, ସେ ଚାକିରି ପାଇବା ନ ପାଇବା, ବାସନ୍ତୀଙ୍କର ସୁବାସକୁ ବିବାହ ଇତ୍ୟାଦି ସନ୍ଦିଗ୍ଧ ଅବସ୍ଥା,ନାଟକଟିକୁ ଉତ୍କଣ୍ଠାପୂର୍ଣ୍ଣ କରି ଗଢ଼ି ତୋଳିଛି ।

Unknown

 

‘ସେବିକା’ ନାଟକରେ ବିକାଶର ଦୁର୍ଘଟଣା, ଜୟନ୍ତୀ ସହିତ ବିବାହର ସମ୍ଭାବନା, ଶଶାଙ୍କ ପାଖରେ ବିକାଶର ଚିକିତ୍ସା, ବିକାଶ ନିକଟରେ ଜୟନ୍ତୀର ସନ୍ତୁଳନ ପ୍ରଭୃତି ଚରମ ମାନସିକ ଉଦବେଗ ସୃଷ୍ଟି କରିଥାଏ । ‘ମମତା’ ନାଟକରେ ମାୟାର ଗହଣା ଚୋରିରେ ସୁବାସଙ୍କ ମିଥ୍ୟା ସଂପୃକ୍ତି, ସୁବାସର ଅନ୍ତର୍ଦ୍ଧାନ, ମାଧବ ଓ ପ୍ରବୋଧ ମଧ୍ୟରେ ସଂଘର୍ଷ ଇତ୍ୟାଦି ଘାଟନିକ ଘନଘଟାର ପରିଣତି ନିମିତ୍ତ ଦର୍ଶକ ଉତ୍କଣ୍ଠିତ ହେବା ସ୍ଵାଭାବିକ । ‘ପୁଆଣି ଘର’ରେ ମାଧବ ସହିତ ପୁନିର ବିବାହ ନେଇ ଆଶଙ୍କା, ଚକ୍ରାନ୍ତକାରୀ ନବଘନର ପୁନିକୁ ନେଇ କଲିକତା ଯିବାର ପ୍ରଚେଷ୍ଟା ଇତ୍ୟାଦି ସନ୍ଦେହ, ଦର୍ଶକଙ୍କ ଭିତରେ ଉତ୍କଣ୍ଠା ସୃଷ୍ଟି କରିଛି । ‘ଚାବୁକ୍’ରେ ପିତା ଓ ପୁତ୍ରଙ୍କ ମଧ୍ୟରେ ମତ ପାର୍ଥକ୍ୟ, ଦାସ ସାହେବଙ୍କ ଅର୍ଥ, କ୍ଷମତା, ପ୍ରତ୍ତିପତ୍ତି ଓ ସୁନ୍ଦରୀ କନ୍ୟାକୁ ଜୟନ୍ତର ପ୍ରତ୍ୟାଖ୍ୟାନ, ‘ଚାବୁକ୍’ ପତ୍ରିକା ମାଧ୍ୟମରେ ସତ୍ୟର ଉଦ୍‍ଘାଟନ ପ୍ରଭୃତି ଘାଟନିକ ବୈଚିତ୍ର୍ୟ ଉତ୍କଣ୍ଠା ସୃଜନରେ ସହାୟତା କରିଛି । ଶ୍ୟାମଳ ଓ ବନାନୀଙ୍କ ଦାମ୍ପତ୍ୟ ଜୀବନର ପରିଣତି ସଂପର୍କରେ ସନ୍ଦେହାକୁଳ ଦର୍ଶକ ସମାଜ, ‘ପରପୁରୁଷ’ ନାଟକର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଉତ୍ସୁକତା ପ୍ରକାଶ କରିଛି ।

 

ପ୍ରେମ–ପ୍ରଣୟର ପରିଣତି ହିଁ ‘କିସ ପୁଣି ଦେଖା ନ ଯାଏ’ ନାଟକରେ ଉତ୍କଣ୍ଠା ଆଣିଛି । ରଜତ ଓ କାକଳୀର ସ୍ଵେଚ୍ଛାଚାରିତା, ବଳବନ୍ତରାୟଙ୍କ ଚକ୍ରାନ୍ତ ଇତ୍ୟାଦି ଏଇ ନାଟକରେ ଉତ୍କଣ୍ଠା ସୃଷ୍ଟି କରିଛି । ‘ମୃତ ଆସାମୀ’ରେ ବିଚରାଳୟ ମଧ୍ୟରେ ଆସାମୀ ପ୍ରତି ଜେରା ଏବଂ ପ୍ରକୃତ ଦୋଷୀକୁ ଖୋଜି ବାହାର କରିବା ଅବସ୍ଥା, ଉତ୍କଣ୍ଠା ସୃଷ୍ଟି କରିଛି । ‘ପ୍ରବାସୀ’ରେ ବିଶୁ ଓ ସୁମିତ୍ରାଙ୍କର ଓଡ଼ିଶା ତ୍ୟାଗର ସଂଶୟ ମଦ୍ୟ ଉତ୍ସୁକତା ଆଣିପାରିଛି । ‘ପ୍ରତୀକ୍ଷା’ରେ ପ୍ରେମିକ ମନୋଜ ଏବଂ ସ୍ଵାମୀ ଅଜିତଙ୍କ ପ୍ରତି ବାସନ୍ତୀଙ୍କ ମାନସିକତା ଜାଣିବା ପାଇଁ, ଦର୍ଶକ କୌତୂହଳୀ ହୋଇଛନ୍ତି । ‘ପଡ଼ୋଶୀ’ରେ ପତ୍ନୀଙ୍କର ପରିବର୍ତ୍ତନରେ ପତିଙ୍କ ପ୍ରତିକ୍ରିୟା ମଧ୍ୟ ଉତ୍କଣ୍ଠା ସୃଜନରେ ପ୍ରୟାସ କରିଛି-। ‘ଆବିଷ୍କାର’ରେ ଗବେଷକ ଅଧ୍ୟାପକଙ୍କ ଦୟନୀୟ ଆଚରଣ, ଶେଷରେ କେଉଁ ମୋଡ଼ ନେବ, ସେଥିପାଇଁ ଦର୍ଶକର ଉଦ୍‍ବେଗ ପ୍ରକାଶିତ। ଏକଦା ପ୍ରେମିକା ଓ ବର୍ତ୍ତମାନର ବିଧବା ଜୟନ୍ତୀକୁ ପ୍ରେମିକ ରଜତର ସ୍ଵୀକୃତିର ସମ୍ଭାବନାରେ ଉତ୍କଣ୍ଠିତ ହୋଇଥାଏ ଦର୍ଶକ । ‘ଆଶାନିରାଶା’ରେ ସ୍ଵାର୍ଥ ଓ କ୍ଷମତା ସହିତ ନିତୀନିଷ୍ଠତା ଓ ଆଦର୍ଶର ଯେଉଁ ସଂଘର୍ଷ ପରିଲକ୍ଷିତ, ତହିଁରେ କିଏ ବିଜୟୀ ହେବ,ଏଇ ସମ୍ଭାବନା ହିଁ ଉଦବେଗ ସୃଷ୍ଟି କରିଛି । ‘ଭୋଟ ସଂସାର’ରେ ମଧ୍ୟ ଅନୁରୂପ ଅବସ୍ଥା । ଏଠି କ୍ଷମତା, ଅର୍ଥବଳ ନା ଆଦର୍ଶ–କାହାର ବିଜୟ ଘଟିବ, ଏଥି ନେଇ ତର୍କଣା ପ୍ରକାଶ ପାଇଛି । ‘ଅର୍ଥ ଅନର୍ଥ’ରେ ଜଲିଦେବୀଙ୍କୁ ଦୁର୍ଘଟଣାଗ୍ରସ୍ତ ମନୁବାବୁଙ୍କ ବିବାହ କରିବା ନ କରିବା ଜନିତ ଆଶା ଓ ଆଶଙ୍କା ଉତ୍କଣ୍ଠାର ସୂତ୍ରପାତ କରାଇଛି ।

ନାଟ୍ୟକାର ରାମଚନ୍ଦ୍ରଙ୍କର ସମଗ୍ର ନାଟ୍ୟ ସୃଷ୍ଟି ପରିକ୍ରମା କଲାବେଳେ, ପ୍ରାରମ୍ଭିକ ପର୍ଯ୍ୟାୟର ନାଟକଗୁଡ଼ିକରେ ପରିଦୃଷ୍ଟ ଉତ୍କଣ୍ଠା ଅପେକ୍ଷା, ଉତ୍ତୀର୍ଣ୍ଣ ପର୍ଯ୍ୟାୟରେ ରଚିତ ନାଟକଗୁଡ଼ିକର ଉତ୍କଣ୍ଠା ବରଂ ଅଧିକ ତୀବ୍ର ଓ ଆବେଗଯୁକ୍ତ । ପ୍ରଥମ ପର୍ଯ୍ୟାୟର ନାଟକଗୁଡ଼ିକରେ ଦୋଷୀର ତୀବ୍ର ଅନୁତାପ ଏବଂ ବିଚ୍ଛେଦ ପରବର୍ତ୍ତୀ ମିଳନର ଧାରା, ଉତ୍କଣ୍ଠା ରକ୍ଷା କରିବାରେ ପ୍ରୟାସୀ ଥିଲେ ମଧ୍ୟ, ଦର୍ଶକଙ୍କ ଅନୁମାନ ଭିତରେ ତାହା ପ୍ରାୟ ଅନୁଭୂତ ହେଉଥିଲା । ମାତ୍ର ଶେଷ ପର୍ଯ୍ୟାୟର ନାଟକଗୁଡ଼ିକରେ ତୀବ୍ର ମାନସିକ ସଂଘର୍ଷ ସ୍ଥାନ ପାଇବା ହେତୁ, ନାଟକର ପରିଣତି ସଂପର୍କରେ ଦର୍ଶକଙ୍କ ଆଗୁଆ ଅନୁମାନ ସ୍ଥଳ ବିଶେଷରେ ବିଭ୍ରାନ୍ତ ହୋଇପଡ଼ୁଥିଲା । ବେଳେବେଳେ ସମସ୍ୟାର ତୁଙ୍ଗିମା ଉତ୍କଣ୍ଠାର ତୀବ୍ରତା ସୃଷ୍ଟି କରୁଥିବା ଲକ୍ଷ୍ୟ କରାଯାଏ ଏବଂ ଶେଷ ପର୍ଯ୍ୟାୟରେ ସମାଧାନ ହିଁ ଉତ୍କଣ୍ଠାର ସମାଧାନ ଘଟାଏ । କିନ୍ତୁ ଅନେକ ନାଟକରେ ସମାଧାନଟାକୁ ଦର୍ଶକଙ୍କ ବିଚାର ଉପରେ ନ୍ୟସ୍ତ କରାଇ, ନାଟ୍ୟକାର ଉତ୍କଣ୍ଠାର ଅବସାନ ଘଟାଇ ନାହାନ୍ତି । ଉତ୍କଣ୍ଠା ସୃଜନରେ ନାଟ୍ୟକାର ରାମଚନ୍ଦ୍ର ଜଣେ ଧୂରୀଣ ଶିଳ୍ପୀ ।

 

ଖ.୭-ପରିବେଶ ପ୍ରକାର୍ଯ୍ୟ :

ମଞ୍ଚହିଁ ନାଟକର ପରୀକ୍ଷାଗାର । ମଞ୍ଚରେ ପରୀକ୍ଷିତ ହୁଏ ନାଟକର ଉତ୍କର୍ଷ ଏବଂ ଅପକର୍ଷ । ମଞ୍ଚ ସେଇ ପବିତ୍ର ପୀଠ, ଯେଉଁଠି ନାଟକର ଭଲ-ଭେଲ ନିର୍ଣ୍ଣିତ ହୁଏ । ମଞ୍ଚାୟନ କାଳରେ ତାଳି ଓ ଗାଳି, ନାଟକର ଭବିଷ୍ୟତ ନିର୍ଣ୍ଣୟ କରିଥାଏ । ନାଟ୍ୟକାର ରାମଚନ୍ଦ୍ର ମିଶ୍ର ଥିଲେ ନାଟ୍ୟକାର, ଅଭିନେତା ଏବଂ ନିର୍ଦ୍ଦେଶକ । ମଞ୍ଚ ପ୍ରତି ତାଙ୍କର ଆକର୍ଷଣ ଥିଲା ସର୍ବାଧିକ । କୈଶୋରରୁ ନାଟକାଭିନୟ ସହିତ ତାଙ୍କର ସଂପୃକ୍ତି, ପୁଣି ଉଚ୍ଚଶିକ୍ଷା କାଳରେ ଭିନ୍ନ ଭିନ୍ନ ମଞ୍ଚରେ ଅଭିନୟ ଦର୍ଶନ, ଅଭିନୟ ଓ ନାଟକ ସଂପର୍କରେ ଆଲୋଚନା, ପର୍ଯ୍ୟାଲୋଚନା, ବିଚାରକ ଭାବରେ ନାଟକ ମୂଲ୍ୟାୟନରେ ଅଂଶ ଗ୍ରହଣ ପ୍ରଭୃତି ବିଶେଷ ଅନୁଭୂତି, ତାଙ୍କୁ ମଞ୍ଚ ପାଇଁ ନାଟକ ରଚନା କରିବା ନିମିତ୍ତ ସବୁପ୍ରକାରେ ପ୍ରସ୍ତୁତ କରିଥିଲା । ତେଣୁ ତାଙ୍କର ସୁବିପୁଳ ଅନୁଭୂତି ନେଇ, ସେ ପେଶାଦାର ରଂଗମଞ୍ଚ ନିମିତ୍ତ ନାଟକ ରଚନାରେ ବ୍ରତୀ ହେଲେ । ତାଙ୍କ ରଚିତ ପ୍ରଥମ ନାଟକ ‘ଅଭିମାନ’ ଭାରତୀ ଥିଏଟର୍ସରେ ମଞ୍ଚସ୍ଥ ହୋଇ ଅସମାନ୍ୟ ସଫଳତା ଲାଭ କରିବା, ପ୍ରକୃତରେ ସୌଭାଗ୍ୟର ବିଷୟ । ବିଶେଷତଃ ‘ମୂଲିଆ’ ନାଟକର ଗୋଟିଏ ଦିନରେ ସକାଳ, ଅପରାହ୍ନ ଓ ସନ୍ଧ୍ୟାରେ ତିନିଥର ଅଭିନୟ ପ୍ରଦର୍ଶନ, ତାଙ୍କ ମଞ୍ଚ କୌଶଳର ସଫଳତାର ଯଥାର୍ଥ ପରିଚୟ । ଏ ସଂପର୍କରେ ସେ ସମୟର ଦର୍ଶକୀୟ ପ୍ରତିକ୍ରିୟା ଥିଲା – “ବେଶ ଭୂଷଣ ଅସମ୍ଭାଳ । ମୂଲିଆ ପ୍ରେମ କଲାକାଳ ।”

ନାଟ୍ୟବିତ୍‍ମାନେ ଆଙ୍ଗିକ, ବାଚିକ, ଆହାର୍ଯ୍ୟ ଓ ସାତ୍ତ୍ଵିକ –ଏଇ ଚାରିପ୍ରକାରର ଅଭିନୟ ଉପରେ ଗୁରୁତ୍ଵ ଦେଇଥାଆନ୍ତି । ଅଭିନୟ ପରିବେଷଣ କାଳରେ ଉପଯୁକ୍ତ ଆହାର୍ଯ୍ୟ ନଥିଲେ, ତାହା ଦର୍ଶକୀୟ ବିଶ୍ଵାସନୀୟତା ହରାଇ ବସେ । ଏଥିପାଇଁ ଦର୍ଶକ ମାନସିକତା ପ୍ରତି ଦୃଷ୍ଟି ଦିଆଯିବା ଦରକାର । ଉପଯୁକ୍ତ ବେଶ ପୋଷାକ, ଉପଯୁକ୍ତ ଦୃଶ୍ୟ ଉପସ୍ଥାପନା ଏବଂ ଦୃଶ୍ୟସଜ୍ଜା ହିଁ ଆଣେ ନାଟକୀୟ ସଫଳତା । ପରିବେଶ ସୃଜନରେ ସାମାନ୍ୟ ତ୍ରୁଟି ଲକ୍ଷିତ ହେଲେ, ଅଭିନୟ ଯେଡ଼େ ସଫଳ ଓ ସବଳ ହେଲେ ମଧ୍ୟ, ଦର୍ଶକମାନେ ତାହାକୁ ସର୍ବାନ୍ତକରଣରେ ଗ୍ରହଣ କରିପାରନ୍ତି ନାହିଁ । ଏଣୁ ସଫଳ ଦୃଶ୍ୟ ସଜ୍ଜା ଉପରେ ନାଟ୍ୟରଥୀ ରାମଚନ୍ଦ୍ର ମିଶ୍ର ବିଶେଷ ଗୁରୁତ୍ଵ ଦେଇଥିଲେ । ତାଙ୍କ ରଚିତ ନାଟକଗୁଡ଼ିକର ଅଭିନୟ ଦେଖି ଦର୍ଶକମାନେ ଶତମୁଖରେ ତାଙ୍କର ପ୍ରଶସ୍ତି ଗାନ କରୁଥିଲେ । ତାଙ୍କର ପ୍ରକାଶିତ ନାଟକଗୁଡ଼ିକ, ପାଠ କଲାବେଳେ, ପ୍ରତି ଅଙ୍କ ଓ ପ୍ରତି ଦୃଶ୍ୟର ଆରମ୍ଭରେ ସଂପୃକ୍ତ ଦୃଶ୍ୟରେ ଅଭିନୀତ ବିଷୟ ପ୍ରକରଣ ନିମିତ୍ତ ଉପଯୁକ୍ତ ନିର୍ଦ୍ଦେଶମାନ ପ୍ରଦାନ କରିଛନ୍ତି । କେଉଁ ଦୃଶ୍ୟରେ ମଞ୍ଚକୁ କିପରି ସଜାଇବାକୁ ହେବ, ମଞ୍ଚରେ କି କି ଉପକରଣ ମାନ କିପରି ଭାବରେ ସ୍ଥାନିତ ହେବ, ତାହାର ସବିଶେଷ ବିବରଣୀ, ସେ ପୁଙ୍ଖାନୁପୁଙ୍ଖ ଭାବରେ ପ୍ରଦାନ କରିଥାଆନ୍ତି । ତାଙ୍କ ନିର୍ଦ୍ଦେଶିତ ମଞ୍ଚସଜ୍ଜାର ଗୋଟିଏ ଦୁଇଟି ଦୃଷ୍ଟାନ୍ତ ଏଠାରେ ନିଆଯାଇ ପାରେ ।

 

କ.

ମଞ୍ଚ ଅନ୍ଧାର ହେଲା । କ୍ରମେ ସେ ଅନ୍ଧାରକୁ ଭେଦ କରି ଦେଖାଗଲା ଗୋଟିଏ ଟର୍ଚ୍ଚର ଆଲୁଅ, କଥାବାର୍ତ୍ତା ହୋଇ ପ୍ରବେଶ କଲେ ପ୍ରବେଶ କଲେ ପ୍ରାପ୍ତବୟସ୍କା ସବିତା ଓ ବୁଢ଼ା ମହୀପଧାନ । ହାତରେ ଡାକ୍ତରୀ ବ୍ୟାଗ । (ଭାଇଭାଉଜ)

ଖ.

ପଲ୍ଲୀର ଏକ କ୍ଷୁଦ୍ର କୃଷକ ପରିବାର । ଗୋଟିଏ ପାଖରେ ଖଣ୍ଡିଏ ନୁଆଣିଆ ଚାଳଘର ସେଇଟି ରହିବା ଘର । କାନ୍ଥରେ ସହସ୍ର ଜଳା । ତା’ ପାଖରେ ଗୁହାଳ ଘର । ରହିବା ଘର ଓ ଗୁହାଳ ଘର ମଝିରେ ଖଣ୍ଡିଏ ମେଲା, ସେଥିରେ ଢିଙ୍କି,-ଗୋଟିଏ ପାଖକୁ ଶଗଡ଼ ଚକ ଦୁଇଟି । ଗୋଟିଏ ଭାଡ଼ି, ସେଥିରେ କିଛି ଧାନ ଓଳିଆ ଓ ଡୋଲି । ଘର ଭିତରେ କେଇଟି ଶିକା ଝୁଲୁଛି । ବୋଇତିକଖାରୁ ଓ ପାଣିକଖାରୁ ଥୁଆ ହୋଇଛି । (ପୁଆଣି ଘର,୧ମ ଅଙ୍କ-୧ମ ଦୃଶ୍ୟ)

ଗ.

ପୁରାଚନ ମଞ୍ଚଟି ତିନି ଭାଗରେ ବିଭକ୍ତ ହେବ, ମଧ୍ୟ ଭାଗଟି ଗୋଟିଏ ଉଚ୍ଚଭୂମି । ପରେ ସେଇ ଉଚ୍ଚ ଭୂମିଟି, ଜଜ୍ ସାହେବଙ୍କ ‘ମେସଲ୍’ ରୂପେ ବ୍ୟବହୃତ ହୋଇପାରିବ । ସେଇ ଉଚ୍ଚଭୂମିର ପାଶ୍ଚାତ୍ ଦିଗରେ ଗୋଟିଏ ସିଡ଼ି । ସେଇ ସିଡ଼ି ଉପର ଦେଇ ଜଜ୍ ମିସଲ୍ ଉପରକୁ ଆସିବେ ଓ କୋର୍ଟ କାର୍ଯ୍ୟ ସରିଲେ ସେଇବାଟେ ଓହ୍ଲାଇ ଆସି ଖାସ୍ କାମରାରେ ପ୍ରବେଶ କରିବେ । ପଶ୍ଚାତଭାଗରେ ଖାସ୍ କାମରାକୁ ପ୍ରବେଶ କରିବାର ରାସ୍ତା ଥିବ ଓ ତା’ ପାଖରେ ଗୋଟିଏ ନାଲି ରଙ୍ଗର ପରଦା ଝୁଲୁଥିବ । ପଶ୍ଚାତଭାଗ କାନ୍ଥରେ ମହାତ୍ମାଗାନ୍ଧୀଙ୍କର ଗୋଟିଏ ଫଟୋଚିତ୍ର । (ମୃତ ଆସାମୀ, କୋର୍ଟ ଦୃଶ୍ୟ)

 

ନାଟ୍ୟକାର ରାମଚନ୍ଦ୍ର ମିଶ୍ର, ପେଶାଦାର ରଙ୍ଗମଞ୍ଚ, ସୌଖିନ୍ ମଞ୍ଚ ଏବଂ ବେତାର ପାଇଁ ନାଟକ ରଚନା କରିଅଛନ୍ତି । ବେତାର ନାଟକଗୁଡ଼ିକରେ ଦୃସ୍ୟ ବିଭାଜନ ରୀତିରେ ଭିନ୍ନତା ରଖିଛନ୍ତି । ସୌଖିନ୍ ମଞ୍ଚରେ ତାଙ୍କର ଅଭିନୀତ ହୋଇଥିବା ‘ନାଟକ ରୀତିମତ’ ଏକ ଭିନ୍ନ ଧରଣର ନାଟକ, ଯାହା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ନାଟ୍ୟ ସଂସଦ ଦ୍ଵାରା ଅଭିନୀତ ହୋଇଥିଲା । ଏଥିରେ କୌଣସି ପ୍ରକାରର ଅଙ୍କ ବିଭାଜନ ବ୍ୟବସ୍ଥା ନାହିଁ, ବରଂ ତେରଗୋଟି ଦୃଶ୍ୟ ମଧ୍ୟରେ ନାଟକଟି ସୀମିତ । ତେବେ ସଂପୃକ୍ତ ନାଟକରେ ନାଟ୍ୟ ସଂସଦର ସଂପାଦକ, ସଭାପତି, ନାଟ୍ୟକାର, ଦର୍ଶକ, ଉପଦେଷ୍ଟା ଇତ୍ୟାଦି ଚରିତ୍ର ରୂପେ ସ୍ଥାନ ପାଇଛନ୍ତି । ଏମାନେ ସମସ୍ତେ ଦର୍ଶକମାନଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କ ଯୋଡ଼ିଛନ୍ତି । ଏଇ ନାଟକରେ ମଞ୍ଚ ପ୍ରକାରଣ ଠାରୁ ଉପସ୍ଥାପନା ରୀତି ବରଂ ଅଧିକତର ଭାବରେ ଉପଭୋଗ୍ୟ ହୋଇପାରିଛି । ମାତ୍ର ସଂପୃକ୍ତ ନାଟକରେ ଅତୀତ ଘଟଣାବଳୀର ପୁନଃ ଆଲୋକାୟନ ସଂଘଟନ କରାଇବା ଅବକାଶରେ ମାତ୍ର ଗୋଟିଏ ଦୃଶ୍ୟସଜ୍ଜାର ଅବତାରଣା ଘଟିଛି ।

 

ପ୍ରବୀଣ ମଞ୍ଚଶିଳ୍ପୀ ରାମଚନ୍ଦ୍ର, ନାଟକଗୁଡ଼ିକର ମଞ୍ଚାୟନ କ୍ଷେତ୍ରରେ ପ୍ରାଥମିକ ପର୍ଯ୍ୟାୟରେ ସେତେଟା ଗୁରୁତ୍ଵ ଦେଇ ନାହାନ୍ତି । ପୁନଶ୍ଚ ପ୍ରାୟ ପ୍ରତି ନାଟକର ଦୃଶ୍ୟ ସଜାରେ ସେ କେତେକ ଭିନ୍ନତା ରକ୍ଷା କରିଛନ୍ତି । “ନାଟ୍ୟକାର ରାମଚନ୍ଦ୍ର ମିଶ୍ର କେତେକ ନାଟକରେ ସମଗ୍ର ପ୍ରେକ୍ଷାଳୟକୁ (ଦର୍ଶକ ମଞ୍ଚ ଓ ଅଭିନୟ ମଞ୍ଚ) ଏକ ରଙ୍ଗମଞ୍ଚ ଭାବରେ ପରିକଳ୍ପନା ମଧ୍ୟ କରିଛନ୍ତି । ‘ନାଟକ ରୀତିମତ’, ‘ନରୋତ୍ତମ ଦାସ କହେ’, ‘ଆଶା ନିରାଶା’, ‘ମନ୍ତ୍ରୀ ଆସିବେ’, ‘ଭୋଟ ସଂସାର’ ବିଶେଷ କରି ‘ମୃତ ଆସାମୀ’, ଏଇ ଧରଣର ନାଟକ । ପ୍ରଥମ ଦୁଇଟି ନାଟକରେ ରଂଗମଞ୍ଚର ଚରିତ୍ର ଦର୍ଶକ ମଞ୍ଚର ଦର୍ଶକ ସିଧାସଳଖ ଦର୍ଶକଙ୍କ ଉଦ୍ଦେଶ୍ୟରେ ସଂଳାପ କହିଛନ୍ତି । ମାତ୍ର ମୃତ ଆସାମୀ ‘ଆଶାନିରାଶା’, ‘ମନ୍ତ୍ରୀ ଆସିବେ’ ନାଟକରେ ଉଭୟ ରଂଗମଞ୍ଚର ଚରିତ୍ର ଓ ଦର୍ଶକମଞ୍ଚର ଦର୍ଶକ ସିଧାସଳଖ ପରସ୍ପର ସହ ପରସ୍ପର କଥାବାର୍ତ୍ତା କରିଛନ୍ତି ।” (ବ୍ରଜଗୋପାଳ ମହାନ୍ତି-ରାମଚନ୍ଦ୍ର ନାଟ୍ୟ ମାନସ - ପୃଷ୍ଠା -୨୨୦)

      

ମଞ୍ଚ କୌଶଳ ପରିପ୍ରେକ୍ଷୀରେ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କର ସମୟୋପଯୋଗୀ ପରିବର୍ତ୍ତନ ଲକ୍ଷ୍ୟ କରାଯାଏ । ସେ ତାଙ୍କ ଜୀବନର ଉତ୍ତୀର୍ଣ୍ଣ ଲଗ୍ନରେ ସୃଷ୍ଟି କରିଥିବା ନାଟକଗୁଡ଼ିକରେ ପ୍ରାୟ ମଞ୍ଚସଜ୍ଜା ପ୍ରତି ସେତେଟା ଧ୍ୟାନଶୀଳ ହୋଇନାହାନ୍ତି । ସେତେବେଳକୁ ଚଳଚ୍ଚିତ୍ର ଓ ଦୂରଦର୍ଶନ ମାଧ୍ୟମରେ ଦର୍ଶକେ ଆମୋଦ ଲାଭ କଲେଣି । ତେଣୁ ଚାକଚକ୍ୟପୂର୍ଣ୍ଣ ଦୃସ୍ୟ ସଜ୍ଜା ପ୍ରତି ଗୁରୁତ୍ଵ ନ ଦେଇ ବରଂ ସଂଳାପ ଉପରେ ଗୁରୁତ୍ଵ ଦେଇଛନ୍ତି । ଏଇ ପରିପ୍ରେକ୍ଷୀରେ ତାଙ୍କର ସ୍ପଷ୍ଟ ବକ୍ତବ୍ୟ ହେଉଛି – ‘‘ଏ ଚଳଚ୍ଚିତ୍ର ଓ ଦୂରଦର୍ଶନ ଯୁଗରେ, କୌଶଳ ପୂର୍ଣ୍ଣ ଦୃଶ୍ୟଗୁଡ଼ିକୁ, ଚଳଚ୍ଚିତ୍ର ଓ ଦୂରଦର୍ଶନ ପରି, ସଫଳତାର ସହିତ, ମଞ୍ଚର ସୀମିତ ଆୟତନ ମଧ୍ୟରେ ଦର୍ଶାଯାଇ ପାରିବ ନାହିଁ । ତେଣୁ ମାୟା ସୃଷ୍ଟିକାରୀ କୌଶଳଗୁଡ଼ିକ, ରଂଗମଞ୍ଚ ମଧ୍ୟକୁ ଯେତେ କମ୍ ଆସେ, ସେଥିପାଇଁ ପ୍ରଯୋଜକମାନେ ସଚେଷ୍ଟ ରହିଲେ, ମଞ୍ଚରେ ଅଭିନୀତ ନାଟକକୁ, ଦର୍ଶକମାନେ ଅଧିକ ଉପଲବ୍ଧି କରିବାକୁ ସମର୍ଥ ହେବେ । (ରାମଚନ୍ଦ୍ର ମିଶ୍ର –ଲୋକନାଟକ –(୧୯୮୮) ପୃଷ୍ଠା ୧୮) ନାଟ୍ୟ ରଚନା, ଅଭିନୟ, ନିର୍ଦ୍ଦେଶନା ଇତ୍ୟାଦି ବିବିଧ ସ୍ତରୀୟ ନାଟ୍ୟକର୍ମରେ ଜଡ଼ିତ ରାମଚନ୍ଦ୍ରଙ୍କ ନାଟକୀୟ ଶିଳ୍ପ ଦୃଷ୍ଟିଟି ସ୍ଵତନ୍ତ୍ର । ସେ ସଂଳାପ ସୃଜନରେ ଯେତେ ପାରଦର୍ଶୀ, ଦ୍ଵନ୍ଦ୍ଵ-ଉତ୍କଣ୍ଠା ସୃଜନରେ ସେତେ ଧୂରୀଣ । ସଂଗୀତ ପ୍ରୟୋଗ କ୍ଷେତ୍ରରେ ସେ ଏକାନ୍ତ ରୁଚିଶୀଳ । କିନ୍ତୁ ସବୁଠାରୁ ଆକର୍ଷଣୀୟ ହେଉଛି ତାଙ୍କର ନାଟ୍ୟ ଉପସ୍ଥାପନା କୌଶଳ । ଏଇ ପରିବେଷଣକଳାଟି ତାଙ୍କର ଏକାନ୍ତ ନିଜସ୍ଵ । କେଉଁଠି କିପରି ଭାବରେ କେଉଁ ଭାଗମାପରେ କି, କି ନାଟକୀୟ ଉପାଦାନ ସଂସ୍ଥାନ କରାଗଲେ, ନାଟକଟି ମଞ୍ଚରେ ଉତ୍ତୀର୍ଣ୍ଣ ହୋଇଯିବ ଓ ଦର୍ଶକୀୟ ମନୋରଂଜନ ସହିତ, ସେମାନଙ୍କୁ ତୃପ୍ତ କରିପାରିବ, ଏ କୌଶଳଟି ତାଙ୍କୁ ଭଲ ଭାବରେ ଜଣାଥିଲା । ତେଣୁ ଗୋଟାଏ ପରେ ଗୋଟାଏ ନାଟକ ତାଙ୍କର ସଫଳ ହୋଇଛି । ତାଙ୍କର କଳା ସୃଜନର ଭାଗମାପ ଜ୍ଞାନଟି, ତାଙ୍କର ଶିଳ୍ପପ୍ରବିଧିକୁ ଉଚ୍ଚସ୍ଥାପତ୍ୟ ସମନ୍ଵିତ କରିପାରିଛି ।

 

***

 

|| ପାଞ୍ଚ ||

 

ଓଡ଼ିଆ ନାଟ୍ୟଜଗତ : ନାଟ୍ୟକାର ରାମଚନ୍ଦ୍ର ମିଶ୍ର

 

ଓଡ଼ିଆ ନାଟ୍ୟ ରଚନା ଓ ପରିବେଷଣ କ୍ଷେତ୍ରରେ ଦୁଇ ପ୍ରମୁଖ ସ୍ରଷ୍ଟା ଅଶ୍ଵିନୀ କୁମାର ଘୋଷ ଏବଂ କାଳୀଚରଣ ପଟ୍ଟନାୟକଙ୍କ ଭଳି ଦୁଇ ବରପୁତ୍ରଙ୍କ କୃତିତ୍ଵ ଚିର ସ୍ମରଣୀୟ । ଆର୍ଟ ଥିଏଟର୍ ଓ ଓଡ଼ିଶା ଥିଏଟର୍ସ ଗଠନ କରି, ଯଥାକ୍ରମେ ଏଇ ଯୁଗନ୍ଧର ସ୍ରଷ୍ଟା, ଓଡ଼ିଆ ନାଟକକୁ ପାରମ୍ପରିକ ଧାରାରୁ ଆଣି ସାମାଜିକ ପର୍ବରେ ପଦାର୍ପଣ କରାଇଲେ । ଓଡ଼ିଶାର ନାଟ୍ୟାମୋଦୀମାନଙ୍କୁ ଦୀର୍ଘ କାଳ ଧରି ଏଇ ମର୍ତ୍ତ୍ୟ ଗନ୍ଧର୍ବଦ୍ଵୟ ନାଟକ ପରିବେଷଣ କରି ପରିତୃପ୍ତ କରି ଆସିଥିଲେ । ମାତ୍ର ଓଡ଼ିଆ ନାଟ୍ୟକଳାକୁ ଅଧିକ କେତେ ପାଦ ଆଗେଇ ନେଇ ଯିବାରେ, ଯେଉଁ ପ୍ରମୁଖ ନାଟ୍ୟକାର କତିପୟ ଗୁରୁଦାୟିତ୍ଵ ସଂପାଦାନ କରିଯାଇଛନ୍ତି, ସେମାନଙ୍କ ମଧ୍ୟରେ ଅଗ୍ରଣୀ ସ୍ରଷ୍ଟା ଥିଲେ ରାମଚନ୍ଦ୍ର ମିଶ୍ର । ଓଡ଼ିଆ ନାଟ୍ୟ ସାହିତ୍ୟକୁ ସୁବର୍ଣ୍ଣ ଯୁଗରେ ପଦପାତ କରାଇବା ଦିଗରେ ରାମଚନ୍ଦ୍ରଙ୍କ ନେତୃତ୍ଵ ପ୍ରକୃତରେ ବିସ୍ମୟକର ।

 

ରାମଚନ୍ଦ୍ର ବିଂଶଶତକର ଚତୁର୍ଥ ଦଶକ ବେଳକୁ ନାଟ୍ୟ ରଚନାରେ ହାତ ଦେଇ ନାଟକ ସହିତ ନିଜର କ୍ରମାଗତ ସଂପୃକ୍ତିକୁ ଅର୍ଦ୍ଧଶତକ କାଳ ଧରି ବଜାୟ ରଖିବା ଅନ୍ୟତମ ଆଶ୍ଚର୍ଯ୍ୟଜନକ ବ୍ୟାପାର । ତାଙ୍କର ସମକାଳରେ ନାଟ୍ୟରଥୀମାନେ ଥିଲେ ଭଞ୍ଜକିଶୋର ପଟ୍ଟନାୟକ (୧୯୨୨), ଗୋପାଳ ଛୋଟରାୟ (୧୯୨୦), କମଳଲୋଚନ ମହାନ୍ତି (୧୯୨୧), ମନୋରଂଜନ ଦାସ (୧୯୨୩), ଭୁବନେଶ୍ଵର ମହାପାତ୍ର (୧୯୨୫), ଅଦ୍ଵୈତ ଚରଣ ମହାନ୍ତି (୧୯୧୯), ଉଦୟନାଥ ମିଶ୍ର (୧୯୧୭), ସୁରେନ୍ ମହାନ୍ତି (୧୯୨୬), ବ୍ୟୋମକେଶ ତ୍ରିପାଠୀ (୧୯୨୯), ଆନନ୍ଦ ଶଙ୍କର ଦାସ, କାର୍ତ୍ତିକ କୁମାର ଘୋଷ ପ୍ରମୁଖ ଅନେକ ନାଟ୍ୟକାର । ଏମାନଙ୍କ ମଧ୍ୟରେ କାର୍ତ୍ତିକ କୁମାର ଘୋଷ ୧୯୩୧ରୁ ୧୯୬୯ ମସିହା ପର୍ଯ୍ୟନ୍ତ ୧୬ ଗୋଟି ନାଟକ, ଭୁବନେଶ୍ଵର ମହାପାତ୍ର ୧୯୫୯ରୁ ୧୯୭୬ ମସିହା ମଧ୍ୟରେ ୧୨ ଗୋଟି ନାଟକ, ବ୍ୟୋମକେଶ ତ୍ରିପାଠୀ ୧୯୬୨ ରୁ ୧୯୭୫ ମଧ୍ୟରେ ୧୦ ଗୋଟି ନାଟକ, କମଳଲୋଚନ ମହାନ୍ତି ୧୯୫୪ ରୁ ୧୯୬୮ ମସିହା ମଧ୍ୟରେ ୧୦ ଗୋଟି ନାଟକ, ବଳରାମ ମିଶ୍ର ୧୯୫୯ ରୁ ୧୯୭୬ ପର୍ଯ୍ୟନ୍ତ ୧୦ ଗୋଟି ନାଟକ, ଓ ଆନନ୍ଦଶଙ୍କର ଦାସ ୧୯୫୦ ରୁ୧୯୮୦ ମଧ୍ୟରେ ନଅଗୋଟି ନାଟକ ରଚନା କରିଯାଇଛନ୍ତି । ମାତ୍ର ଏମାନଙ୍କ ମଧ୍ୟରେ ରାମଚନ୍ଦ୍ରଙ୍କ ଏକାନ୍ତ ସମକାଳରେ ନାଟକ ରଚନା ଓ ଅଭିନୟାଦିରେ ସଂପୃକ୍ତ ଥିବା ଦୁଇ ପ୍ରମୁଖ ଯୋଦ୍ଧା ଥିଲେ ଭଞ୍ଜକିଶୋର ପଟ୍ଟନାୟକ ଓ ଗୋପାଳ ଛୋଟରାୟ ।

 

ଏଇ ତିନିଜଣ ଥିଲେ ସେ ସମୟର ଲୋକପ୍ରିୟ ନାଟ୍ୟକାର, ଯେଉଁମାନେ, କାଳୀଚରଣଙ୍କ ପରେ ଓଡ଼ିଆ ରଙ୍ଗମଞ୍ଚ ପାଇଁ ଯଥେଷ୍ଟ ଶ୍ରମ ସାଧନା ସ୍ଵୀକାର କରି ନାଟକମାନ ଯୋଗେଇ ଆସିଥିଲେ । ଏମାନଙ୍କ ନାଟ୍ୟ ସମ୍ଭାର ପ୍ରତି ସାଧାରଣ ଦୃଷ୍ଟି ଦେଲେ ଜଣାଯାଏ ଯେ, ଭଞ୍ଜକିଶୋର ୧୯୪୫ରୁ ୧୯୭୮ ମଧ୍ୟରେ ସତେଇଶି ଗୋଟି ନାଟକ ଏବଂ ଗୋପାଳ ଛୋଟରାୟ ୧୯୪୬ ରୁ ୧୯୬୦ ମଧ୍ୟରେ ମାତ୍ର ବାରଗୋଟି ନାଟକ ଉପହାର ଦେଇଥିବା ବେଳେ ନାଟ୍ୟକାର ରାମଚନ୍ଦ୍ର ୧୯୪୨ ରୁ ୧୯୯୨ ମସିହା ମଧ୍ୟରେ ଅଠେଇଶ ଗୋଟି ନାଟକ ଉପହାର ଦେଇ ଓଡ଼ିଆ ନାଟ୍ୟଜଗତକୁ ବିଭିନ୍ନ ଦୃଷ୍ଟିରୁ ସଂବୃଦ୍ଧ କରିଆସିଛନ୍ତି । ଏଇ ତିନିଜଣଙ୍କ ମଧ୍ୟରେ କାହିଁକି, ବରଂ ତାଙ୍କ ସମକାଳର ସ୍ରଷ୍ଟାମାନଙ୍କ ମଧ୍ୟରେ, ରାମଚନ୍ଦ୍ର ସର୍ବାଧିକ ନାଟକରେ ସ୍ରଷ୍ଟା, ପୁଣି ସର୍ବାଧିକ କାଳ ପର୍ଯ୍ୟନ୍ତ ଓଡ଼ିଆ ନାଟକ ରଚନା ଓ ନାଟ୍ୟମଞ୍ଚ ସହିତ ସଂପୃକ୍ତ ଥିଲେ । ପୁନଶ୍ଚ ବିଭିନ୍ନ ଧରଣର ନାଟକ, ଛୋଟ ନାଟକ, ଉପନ୍ୟାସର ନାଟ୍ୟରୂପ ପ୍ରଦାନ, ବେତାର ନାଟକ ପ୍ରଭୃତି ରଚନା କରି, ଓଡ଼ିଆ ନାଟକର ବର୍ଣ୍ଣବିଭାକୁ ସେ ଭିନ୍ନ ଭିନ୍ନ ଦୃଷ୍ଟିରୁ ଉଜ୍ଜ୍ଵଳ କରିଗଲେ । ରାମଚନ୍ଦ୍ରଙ୍କ ସମକାଳର ସ୍ରଷ୍ଟା ଗୋପାଳ ଓ ଭଞ୍ଜକିଶୋରଙ୍କ ସୃଜନ କଳାର ସ୍ଵାକ୍ଷର ବହନ କରିଥିବା ପେଶାଦାର ମଞ୍ଚରେ ଅଭିନୀତ ହୋଇଥିବା ନାଟକଗୁଡ଼ିକୁ ସଂପୃକ୍ତ ତୁଳନା ସାରଣୀ ମାଧ୍ୟମରେ ଦର୍ଶାଇ ଦିଆଯାଇପାରେ ।

 

ତୁଳନା ସାରଣୀ

 

ମସିହା

ରାମଚନ୍ଦ୍ର ମିଶ୍ର

ଗୋପାଳ ଛୋଟରାୟ

ଭଞ୍ଜକିଶୋର ପଟ୍ଟନାୟକ

୧୯୪୨

୧୯୪୩

୧୯୪୫

୧୯୪୬

୧୯୪୭

୧୯୪୯

୧୯୫୦

୧୯୫୧

୧୯୫୨

୧୯୫୩

୧୯୫୪

୧୯୫୫

୧୯୫୬

୧୯୫୭

୧୯୫୮

୧୯୫୯

୧୯୬୦

୧୯୬୧

୧୯୬୨

୧୯୬୪

୧୯୬୮

୧୯୬୯

୧୯୭୦

୧୯୭୨

୧୯୯୨

 

ଅଭିମାନ

ମ୍ୟାନେଜର

ମୂଲିଆ

କବିସୂର୍ଯ୍ୟ

ଘରସଂସାର

ମଉଡ଼ମଣି

ସାଇପଡ଼ିଶା

ଭାଇଭାଉଜ

ନାଟକ ରୀତିମତ

ଗୋଧୂଳି ଲଗ୍ନ

ସେବିକା,ମମତା

ଚାବୁକ୍

 

ପ୍ରତୀକ୍ଷା

 

ପ୍ରବାସୀ

ପଡ଼ୋଶୀ

----

ପୁଆଣିଘର

----

ପରପୁରୁଷ

ନରୋତ୍ତମ ଦାସ କହେ

ଆବିଷ୍କାର

ବିଷ ପୁଣି ଦେଖା ନଯାଏ

ପର୍ଯ୍ୟନ୍ତ ନାଟ୍ୟରଚନା

ଅବ୍ୟାହତ ଥିଲା

----

----

----

ଫେରିଆ

----

----

----

----

----

 

 

 

ଭରସା

ପରକଲମ

ଶଙ୍ଖାସିନ୍ଦୂର

ନଷ୍ଟ ଉର୍ବଶୀ

----

 

ଅମଡ଼ାବାଟ

ଅଭାଗିନୀର ସ୍ଵର୍ଗ

ମଲାଜହ୍ନ, ପ୍ରତିଭା

----

----

----

----

ଦଳ ବେହେରା

-----

----

 

----

----

ଦେବୀ

ଜହର, ବେନାମୀ

ଶିକାରୀ

ତୋଫାନ, ଗରିବ

ଆଲୋକ, ଜୀବନଜୁଆ

ମାଣିକଯୋଡ଼ି, ମାଧବୀ

ବୈରାଗୀର ସଂସାର,

ଜୟମାଲ୍ୟ

 

 

----

----

ଅତିଥି

ଅର୍ଦ୍ଧାଙ୍ଗିନୀ

ସାଆନ୍ତଘର, ପରିଶୋଧ, ଏ ଯୁଗର ଝିଅ

 

ପ୍ରତାପରୁଦ୍ରଦେବ, ଅଗ୍ନିପରୀକ୍ଷା, ରାଜନର୍ତ୍ତକୀ

 

ଅଶୋକସ୍ତମ୍ଭ

----

ସୁଖୀ ସଂସାର

----

ଗୋଟିଏ ମାଆ ଗୋଟିଏ ସନ୍ତାନ

-----

-----

ଆକାଶ ଯେଉଁଠି ମାଟି ହୁଏଁ

ଦେବଭୂମି

 

 

ସଂଶିତ ସମୟରନାଟ୍ୟକାରମାନେ ସମାଜ ବ୍ୟବସ୍ଥାକୁ ନାନା ଭାବରେ ବ୍ୟବଚ୍ଛେଦ କରି ନାଟକମାନ ରଚନା କରି ସେଥିରେ ପରମ୍ପରା ଓ ମୂଲ୍ୟବୋଧକୁ ଗୁରୁତ୍ଵ ଦେଇଛନ୍ତି । ସାମାଜିକ ବାସ୍ତବତାର ଚିତ୍ରାଙ୍କନରେ ରାମଚନ୍ଦ୍ର ଓ ତାଙ୍କ ସମକାଳର ନାଟ୍ୟକାରମାନେ ଅଭ୍ୟସ୍ତ ଥିଲେ । ଏମାନଙ୍କ ନାଟକରେ ଗ୍ରାମ୍ୟଜୀବନର ଚିତ୍ର ଓ ଚରିତ୍ରମାନେ ଅଧିକ ସ୍ଥାନ ଦଖଲ କରିନେଇଛନ୍ତି । ନାଟକ ରଚନାକୁ ସାମାଜିକ ଦାୟିତ୍ଵ ଓ ଏହା ମାଧ୍ୟମରେ କିଛି ବାର୍ତ୍ତା ଯୋଗାଇଦେବା, ଯେମିତି ନାଟ୍ୟକାରମାନଙ୍କର କର୍ତ୍ତବ୍ୟ ରୂପେ ବିବେଚିତ ହୋଇଥିଲା । ସାମାଜିକ ଜୀବନର ସତ୍ୟଘଟଣା ସହିତ ଆଦର୍ଶବତ୍ତାର ରଂଗ ଦେଇ ଏ ସମୟରେ ଅନେକ ନାଟକ ସୃଷ୍ଟି ହୋଇଥିଲା । ଗାନ୍ଧୀବାଦୀ ଆଦର୍ଶ ସହିତ ଦୟା, କ୍ଷମା, ତ୍ୟାଗ ଇତ୍ୟାଦି ଉଚ୍ଚ ମାନବିକ ମୂଲ୍ୟବୋଧ ପ୍ରଖ୍ୟାପନ କରିବା, ଶଂସିତ ସମୟର ନାଟ୍ୟରଚନାର ପ୍ରମୁଖ ଉଦ୍ଦେଶ୍ୟ ଥିଲା । ଫଳରେ ନାଟକରେ ଦେଖାଦେଲେ ଅନେକ ଆଦର୍ଶବାଦୀ ଚରିତ୍ର । ସମାଜରେ ସ୍ନେହ-ପ୍ରୀତି-ମୈତ୍ରୀର ଧାରା ପ୍ରବାହିତ କରିବା ଥିଲା ନାଟ୍ୟକାରମାନଙ୍କ ଅଙ୍ଗୀକାରବଦ୍ଧତା ।

 

ପୁନଶ୍ଚ ସମୟର ଆହ୍ଵାନ ନାଟକ ମାଧ୍ୟମରେ ପ୍ରତିଧ୍ଵନିତ ହେଉଥିଲା । ପ୍ରାଚ୍ୟ-ପାଶ୍ଚାତ୍ୟ ଚଳଣିରେ ପାର୍ଥକ୍ୟ ପ୍ରଦର୍ଶନ କରାଇ ପାଶ୍ଚାତ୍ୟ ସଂସ୍କୃତିର ଉଚ୍ଛୃଙ୍ଖଳତା ଠାରୁ, ପ୍ରାଚ୍ୟ ସଂସ୍କୃତିର ଉଚ୍ଚମାନବିକ ମୂଲ୍ୟବୋଧକୁ ଅଧିକତର ମର୍ଯ୍ୟାଦା ପ୍ରଦାନ କରି, ପ୍ରାଚ୍ୟର ସନାତନୀ ଭାବନା ନିକଟରେ ପାଶ୍ଚାତ୍ୟର ଅଳିକ ଭୋଗସର୍ବସ୍ଵତାକୁ ହୀନପ୍ରଭ କରାଯାଉଥିବା ଏଇଭଳି ଏକ ପରିସର ଭିତରେ ଅନ୍ୟମାନଙ୍କ ଭଳି, କେତେକ କାହାଣୀ, ଚରିତ୍ର ଏବଂ ଘଟଣାଗତ ସାମ୍ୟ, ରାମଚନ୍ଦ୍ରଙ୍କ ନାଟକ ଗୁଡ଼ିକରେ ପ୍ରାୟ ପରିଲକ୍ଷିତ । ମାତ୍ର ଏହା ବ୍ୟତୀତ, ରାମଚନ୍ଦ୍ରଙ୍କ ପ୍ରତ୍ୟେକଟି ସୃଷ୍ଟିରେ ତାଙ୍କର ସ୍ଵକୀୟତା ସ୍ଵତନ୍ତ୍ର ଭାବରେ ସଂସ୍ଥାନିତ ।

 

ରାମଚନ୍ଦ୍ର ମିଶ୍ର ତାଙ୍କ ନାଟକରେ ଯୌଥ ପରିବାରର ସଂଘାତ ଓ ସଂଘର୍ଷକୁ ବାସ୍ତବତା ସହିତ ସଂପୃକ୍ତ କରି ଦୃଢ଼ ଭାବରେ ବିଶ୍ଵାସନୀୟ କରିବାରେ ଜଣେ ଧୁରନ୍ଧର ସ୍ରଷ୍ଟା । ଏ ଧରଣର ନାଟକରେ ସେ ପାରିବାରିକ ଜୀବନର ନିଖୁଣ ଚିତ୍ର ପ୍ରଦାନ କରନ୍ତି, ଯାହା ଦେଖି ଦର୍ଶକ ଅନୁଭବ କଲେ ଯେ, ଯେମିତି ମଞ୍ଚରେ ଥିବା ଚରିତ୍ର, ତା’ ପାର୍ଶ୍ଵରେ ଚଲାଫେରା ଓ କଥାବାର୍ତ୍ତା କରୁଥିବା କୌଣସି ଏକ ଚରିତ୍ର । ଏ ଦୃଷ୍ଟିରୁ ତାଙ୍କର ‘ଘରସଂସାର’, ‘ଭାଇଭାଉଜ ମୂଲିଆ’, ଏବଂ ‘ନରୋତ୍ତମ ଦାସ କହେ’ ଇତ୍ୟାଦି ଗୋଟିଏ ଗୋଟିଏ ବାସ୍ତବଶ୍ରୟୀ ନାଟ୍ୟ ସୃଷ୍ଟି ।

 

ରାମଚନ୍ଦ୍ରଙ୍କ ନାଟକରେ କୃଷିଭିତ୍ତିକ ଗ୍ରାମ୍ୟ ସମାଜର ରୂପ ଚିତ୍ର ଅତ୍ୟନ୍ତ ସ୍ଵଚ୍ଛ ଓ ନିଟୋଳ ଭାବରେ ପ୍ରକାଶିତ । ଛୋଟ ଖଣ୍ଡେ ଜମି ପାଇଁ କୃଷକ ଜୀବନର ଆଶା, ଆଗ୍ରହ ଓ ବିଶ୍ଵାସ ଦୁର୍ବଳତାକୁ ନାଟ୍ୟକାର ବଡ଼ ସୁନ୍ଦର ଭାବରେ ପ୍ରକାଶ କରିପାରିଛନ୍ତି । କୃଷକର କୃଷିଭୂମି ସର୍ବସ୍ଵ ଜୀବନ ନିକଟରେ, ଅନନ୍ତ ଯାତନା ମଧ୍ୟ ତୁଚ୍ଛ ହୋଇପାରେ –କୃଷକ ଜୀବନର ଏଇ ମର୍ମବାଣୀକୁ ‘ମୂଲିଆ’, ‘ମଉଡ଼ମଣି’, ‘ପୁଆଣିଘର’, ‘ଭାଇଭାଉଜ’ ଇତ୍ୟାଦି ନାଟକରେ ମାଧ୍ୟମରେ ସେ ଚମତ୍କାର ଭାବରେ ଉପସ୍ଥାପନ କରିପାରିଛନ୍ତି ।

 

ଗ୍ରାମ୍ୟ ଜୀବନରେ ସରଳ ବିଶ୍ଵାସବୋଧ, ଅସୂୟାହୀନ ଜୀବନ ଚଳଣି, ପରକୁ ଆପଣାର କରି ନେବାର ମହନୀୟତା, ସହରୀ ସଭ୍ୟତାରେ ଅବିଶ୍ଵାସର ବିଷାକ୍ତ ବଳୟ, ସ୍ଵାର୍ଥପରତାର ଚରମ ପରିଣତି ଇତ୍ୟାଦିକୁ ନାଟ୍ୟକାର ତାଙ୍କ ନାଟକଗୁଡ଼ିକରେ ତତ୍ପରତା ପ୍ରକାଶ ପାଇଛି । ସମୟର ଆହ୍ଵାନକୁ ଧରି ରଖି, ବାସ୍ତବତା ଭିତ୍ତିରେ ଯାହା ସତ୍ୟ, ତଦ୍ରୂପ ଚିତ୍ର ଉତ୍ତୋଳନରେ ରାମଚନ୍ଦ୍ରଙ୍କ ଶିଳ୍ପୀତ୍ଵର ପ୍ରବୀଣତା ଲକ୍ଷ୍ୟ କରାଯାଏ ।

 

କାହାଣୀ ଭିତରେ ମନସ୍ତାତ୍ତ୍ଵିକ ବିଶ୍ଲେଷଣ ପରିପ୍ରେକ୍ଷୀରେ, ରାମଚନ୍ଦ୍ରଙ୍କ ‘ନାଟକ ରୀତିମତ’ ସମୟର ସମକାଳିକତା ପରିପ୍ରେକ୍ଷୀରେ ଏକାନ୍ତ ଅଭିନବ ସୃଷ୍ଟି । ନାଟକ ମଞ୍ଚସ୍ଥ କରାଇବାର ଯନ୍ତ୍ରଣା, ଭଳି ସାଧାରଣ ଘଟଣା, ସଂପୃକ୍ତ ନାଟକରେ ଅଭିନବ ରୀତିରେ ଉପସ୍ଥାପିତ-। ଆଧୁନିକ ପାଶ୍ଚାତ୍ୟ ଶିକ୍ଷାର ଅନ୍ତସାରଶୂନ୍ୟତା ଏବଂ ଉଚ୍ଚ ପ୍ରମାଣ ପତ୍ର ହାସଲ ଦ୍ଵାରା ଜୀବିକା କରି ହୁଏ ନାହିଁ ବରଂ ବିଦ୍ୟାଠାରୁ ଏହାର ପ୍ରାୟୋଗିକ ଦିଗଟି ଅଧିକ ଗ୍ରହଣୀୟ - ଏହା ନାଟକ ମାଧ୍ୟମରେ ନାଟ୍ୟକାର ଦର୍ଶାଇଛନ୍ତି । ଶ୍ରେଣୀ କକ୍ଷର ତାତ୍ତ୍ଵିକ ବିଶ୍ଲେଷଣ, ବାସ୍ତବ ଜଗତରେ ଜୀବନଧାରଣ ପାଇଁ ଅଯୋଗ୍ୟ –ଏହା ସେ ‘ଗୋଧୂଳି ଲଗ୍ନ’ ନାଟକରେ ସ୍ପଷ୍ଟ ଭାବରେ ଦର୍ଶାଇଛନ୍ତି-। ଆପଣାର ବ୍ୟକ୍ତିତ୍ଵ ଓ ଦକ୍ଷତା ହିଁ , ବ୍ୟକ୍ତି ଜୀବନର ମାନକ, ଏହାକୁ ରାମଚନ୍ଦ୍ର ଦ୍ଵିଧାହୀନ ଭାବରେ ପ୍ରକାଶ କରିପାରିଛନ୍ତି । ଏ ଦୃଷ୍ଟିରୁ ଓଡ଼ିଆ ନାଟ୍ୟ ଜଗତରେ ‘ଗୋଧୂଳି ଲଗ୍ନ’ ଏକ ଭିନ୍ନ ସୃଷ୍ଟି ରୂପେ ବିବେଚିତ ।

 

ରାମଚନ୍ଦ୍ର ଥିଲେ ଆଦର୍ଶବାଦୀ ଏବଂ ଅତି ମାତ୍ରାରେ ଉତ୍କଳପ୍ରାଣ । ଉତ୍କଳୀୟତାର ଗଭୀର ପ୍ରଲେପ, ତାଙ୍କ ନାଟକର କାହାଣୀ, ସଂଳାପ, ସଂଗୀତ, ଚରିତ୍ର ଓ ଚିତ୍ର–ପ୍ରତ୍ୟେକଟିରେ ପ୍ରଦର୍ଶିତ ଓଡ଼ିଆର ଚଳଣି, ଚରିତ୍ର, ଶିକ୍ଷା-ସଂସ୍କାର, ପର୍ବପର୍ବାଣୀ, ଯାନିଯାତ୍ରା, ମେଳା ମହୋତ୍ସବ, ଆଶ୍ଵାସ ଓ ବିଶ୍ଵାସ, ବିବାହ-ବ୍ରତ, ଭୋଜି ମହୋତ୍ସବ, ଖାଦ୍ୟପେୟ, ଆଚରଣ, ଉଚ୍ଚାରଣ, ହର୍ଷ-ବିଷାଦ, ପ୍ରୀତି-ପ୍ରତାରଣା, ତ୍ୟାଗ–ଆଦର୍ଶ ନ୍ୟାୟ–ନୀତି ଇତ୍ୟାଦିର ସମର୍ଥ ଚିତ୍ର ତାଙ୍କ ନାଟକଗୁଡ଼ିକରେ ଅନାୟାସରେ ଦେଖାଯାଏ । ଓଡ଼ିଶାରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ଓ ଓଡ଼ିଆତ୍ଵର କ୍ରମକ୍ଷୟିଷ୍ଣୁତାକୁ ତାଙ୍କ ନାଟ୍ୟଶାଳା ଆଦରି ନେଇଛି । ତେଣୁ ତାଙ୍କ ନାଟକ ଓଡ଼ିଆତ୍ଵର ପ୍ରକୃତ ଓ ପ୍ରକୃଷ୍ଟ ନିଦର୍ଶନ ।

 

ସଂଳାପ ପ୍ରୟୋଗରେ ନାଟ୍ୟକାରଙ୍କ ଶାଳୀନତା ଲକ୍ଷ୍ୟ କରିବା କଥା । ସହଜ, ସରଳ, ଅଥଚ ଭାବପୂର୍ଣ୍ଣ ସଂଳାପ ସୃଜନରେ ସେ ଥିଲେ ଜଣେ ପ୍ରଭାବଶାଳୀ ସ୍ରଷ୍ଟା । ତାଙ୍କ ସଂଳାପରେ ସାହିତ୍ୟିକ ବାର୍ତ୍ତାଳାପ ନୁହେଁ, ଅପରନ୍ତୁ ତାହା ମଣିଷର ତୁଣ୍ଡର ଭାଷା, ଯାହାକୁ ଶୁଣିବା ମାତ୍ରେ ସେ ସମୟର ନିରକ୍ଷର କଳାକାରମାନେ, ଏହାର ଭାବ ଓ ଅର୍ଥବୋଧକତାରେ ମଜ୍ଜିଯାଇ ଏହାକୁ ମାତ୍ର ଥରେ ଦୁଇଥର ମଡାଣ କରି ସ୍ମରଣ କରି ରଖି ପାରୁଥିଲେ । ଜବରଦସ୍ତ ମନୋରଂଜନ ନିମିତ୍ତ, ସେ କେଉଁଠାରେ ହେଲେ ତାଙ୍କର ନିଜସ୍ଵ କଥ୍ୟରୀତିରୁ ଓହରି ଯାଇ ନାହାନ୍ତି । ସେ ପ୍ରେମ ପ୍ରଣୟର ଚିତ୍ର ପ୍ରଦାନ କରିଛନ୍ତି, ଅଥଚ ବ୍ୟବସାୟିକ ସଫଳତା ପ୍ରାପ୍ତି ନିମିତ୍ତ କେବେବି ଉନ୍ମୁକ୍ତ ଉତ୍ତେଜନାକୁ ପ୍ରଶ୍ରୟ ଦେଇନାହାନ୍ତି । ତାଙ୍କ ସମୟର ଅନ୍ୟ କେତେଜଣ ନାଟ୍ୟକାର ସେମାନଙ୍କ ନାଟକରେ ପ୍ରେମ-ପ୍ରଣୟ ନାମରେ ଯୌନତାକୁ ଉତ୍ତେଜିତ କରାଇ ବ୍ୟବସାୟିକ ସାଫଲ୍ୟ ଲାଭ ନିମିତ୍ତ ଉନ୍ମୁଖ ହୋଇଥିବା ବେଳେ, ରାମଚନ୍ଦ୍ର କିନ୍ତୁ ପରିଚ୍ଛନ୍ନ ନୀତି ଓ ଆଦର୍ଶର ବଶବର୍ତ୍ତୀ ହୋଇଥିବାରୁ, ପ୍ରେମ-ପ୍ରଣୟର ଚିତ୍ରାର୍ପଣରେ ସଂଯମତା ଓ ଶାଳୀନତା ଲଂଘନ କରିନାହନ୍ତି ।

 

ରାମଚନ୍ଦ୍ର ବ୍ୟବସାୟିକ ଓ ସୌଖୀନ-ଉଭୟ ପ୍ରକାରର ମଞ୍ଚ ପାଇଁ ନାଟକ ରଚନା କରି ଏଥିରେ ସଫଳତା ପାଇଛନ୍ତି । ଦୃଶ୍ୟ ନାଟକ ଓ ବେତାର ନାଟକ ରଚନାରେ ସିଦ୍ଧି ଲାଭ କରିଛନ୍ତି । ନାଟକ ଓ ଛୋଟ ନାଟକ ରଚନା କରିଛନ୍ତି । ନିଜସ୍ଵ କଳ୍ପିତ କାହାଣୀ ସହିତ, ଉପନ୍ୟାସ କାହାଣୀକୁ ନାଟ୍ୟ ରୂପ ପ୍ରଦାନ କରିଅଛନ୍ତି । ତାଙ୍କ ରଚିତ ମଞ୍ଚ ନାଟକ ପୁଣି ପରବର୍ତ୍ତୀ ପର୍ଯ୍ୟାୟରେ ଦୂରଦର୍ଶନ, ଚଳଚ୍ଚିତ୍ର ଓ ବେତାର ନାଟକ ଭାବରେ ରୂପାନ୍ତରିତ ହୋଇ, ଅସମ୍ଭବ ସଫଳତା ପ୍ରାପ୍ତ ହେବା ଅନ୍ୟତମ ଗୌରବାବହ ଘଟଣା ।

 

ରାମଚନ୍ଦ୍ର ଥିଲେ ତାଙ୍କ ସମୟର ଅନ୍ୟତମ ପ୍ରଭାବଶାଳୀ ନାଟ୍ୟକାର କାଳୀଚରଣଙ୍କ ନାଟକର ତୀକ୍ଷ୍ମ ସମାଲୋଚକ । କାଳୀଚରଣଙ୍କ ମନ୍ତବ୍ୟରେ ତାଙ୍କ ଭିତରେ ଯେଉଁ ଅଭିମାନ ଆସିଥିଲା, ତାହାହିଁ ହେଲା ତାଙ୍କ ସୃଜନଲୀଳାର ଆଦ୍ୟ ସଂକେତ ଅଭିମାନ । ସେ ସବୁ ଶ୍ରେଣୀର କାହାଣୀକୁ ନେଇ ନାଟ୍ୟରୂପ ଦେଇଛନ୍ତି । ନାଟକରେ ପ୍ରକାଶ କରିଛନ୍ତି ଆଦର୍ଶ ଓ ଉଚ୍ଚ ମାନବିକ ମୂଲ୍ୟବୋଧର ନିଦର୍ଶନ । ଚରିତ୍ର ଚିତ୍ରଣରେ ସମାଜର ସବୁ ବର୍ଗର ଚରିତ୍ର ଗ୍ରହଣ କରିଛନ୍ତି, ଅଥଚ କୌଣସିଟି ଚରିତ୍ର ତାଙ୍କର ଅନାବଶ୍ୟକ ଅଥବା ଉପେକ୍ଷଣୀୟ ନୁହେଁ । ପ୍ରତିଟି ଚରିତ୍ର ପ୍ରତି ସେ ସମଧରଣର ସୁବିଚାର ପ୍ରକାଶ କରିପାରିଛନ୍ତି । ସମୟର ସ୍ପନ୍ଦନକୁ ସେ ତାଙ୍କ ନାଟକରେ ଧରି ରଖିଛନ୍ତି, ଦର୍ଶକୀୟ ରୁଚିବୋଧକୁ ସମ୍ମାନ ଜଣାଇ, ସେ ନାଟକ ରଚନା କରିଥିବାରୁ ସେ ମଞ୍ଚ କୌଶଳ ପ୍ରତି ଥିଲେ ଅଧିକ ସଚେତନ । ତାଙ୍କ ନାଟକଗୁଡ଼ିକ ପୁଣି କୌଣସି ପରିସ୍ଥିତିରେ ଅତି ନାଟକୀୟ ଦୋଷଦୃଷ୍ଟ ନୁହନ୍ତି । ଚରିତମୂଳକ ନାଟକ ରଚନାରେ ସେ ଯେତେ ଧୂରୀଣ, ରାଜନୀତିକ ନାଟକରେ କଳୁଷିତ ରାଜନୀତିର ସ୍ପଷ୍ଟ ଚିତ୍ର ପ୍ରଦାନରେ ସେ ସେତେ ସ୍ପଷ୍ଟବାଦୀ ଓ ନିର୍ଭୀକ ।

 

ରାମଚନ୍ଦ୍ରଙ୍କ ନିକଟରେ ରହିଛି ଓଡ଼ିଆ ଜନଜୀବନର ବିଶ୍ଵସ୍ତ ଓ ବିଶ୍ଵାସନୀୟ ରୂପଚିତ୍ର । ଓଡ଼ିଆର ଅନ୍ତର୍ବୀଣାର ସୂକ୍ଷ୍ମ ତନ୍ତ୍ରୀରେ ସେ ସ୍ପନ୍ଦନ ସୃଷ୍ଟି କରିଛନ୍ତି । ନାଟକ କେବଳ ମନୋରଂଜନ ନିମିତ୍ତ ଉଦ୍ଦିଷ୍ଟ ନୁହେଁ, ବରଂ ଏହା ଲୋକ ଶିକ୍ଷାର ଧାରକ ଓ ବାହକ- ଏହାହିଁ ତାଙ୍କ ନାଟ୍ୟ ରଚନାର ଆଭିମୁଖ୍ୟ । ତେଣୁ ସାମାଜିକ ଅଙ୍ଗୀକାରବଦ୍ଧତା ତାଙ୍କ ନାଟକର ପ୍ରମୁଖ ଉଦ୍ଦେଶ୍ୟ । ସେ ଥିଲେ ମାନବବାଦୀ । ସେ ମଣିଷକୁ ଭଲ ପାଇଛନ୍ତି, ମାନବୀୟ ମୂଲ୍ୟବୋଧକୁ ମହାମୂଲ୍ୟ ଦେଇ ସେ ସମ୍ମାନ ପ୍ରଦର୍ଶନ କରିଛନ୍ତି । ବ୍ୟକ୍ତି ଓ ସମାଜ-ଯେଉଁଠାରେ ଜୀବନର ସ୍ଖଳନ ଅନୁଭବ ସେ କରିଛନ୍ତି, ତାକୁ ସେ ତତକ୍ଷଣାତ୍ ଶାଣିତ ବ୍ୟଙ୍ଗବାଣରେ ଆଘାତ କରି, ସଂସ୍କାରିତ କରିବାର ସୁଦୃଢ଼ ପ୍ରଚେଷ୍ଟା ଜାରି ରଖିଛନ୍ତି । ଏ ଦୃଷ୍ଟିରୁ ସେ ଜଣେ ଭିନ୍ନ ନରୋତ୍ତମ । ନରୋତ୍ତମ ର ଆତ୍ମା ହିଁ ତାଙ୍କର ଅନ୍ତରାତ୍ମାର ଆହ୍ଵାନ । ପରମ୍ପରାର ସୁରକ୍ଷା ପାଇଁ ସେ ଯେତେ ତତ୍ପର, ଆଧୁନିକତାର ସଂସ୍କାର ନିମିତ୍ତ ସେ ସେତେ ଆଶାବାଦୀ ।

 

ରାମଚନ୍ଦ୍ର ମିଶ୍ର ଓଡ଼ିଆ ନାଟ୍ୟ ଜଗତରେ ଯୁଗନ୍ଧର ନାଟ୍ୟ ପୁରୁଷ । ଜୀବନର ଯାବତୀୟ କାଳ, ନାଟକ ପାଇଁ ସେ ଉତ୍ସର୍ଗ କରିଛନ୍ତି । ଅର୍ଦ୍ଧଶତକ କାଳ ସେ ନାଟକ, ନାଟ୍ୟମଞ୍ଚ, ନାଟ୍ୟ ଆନ୍ଦୋଳନ ସହିତ ଜଡ଼ିତ ରହିଛନ୍ତି । ନାଟକର ବିଚାରକ ଭାବରେ ସେ ନାଟ୍ୟ ସମାଲୋଚନା କରିଛନ୍ତି । ସବୁଠାରୁ ଆନନ୍ଦର ବିଷୟ, ସେ ଆପେ ନାଟକଟିଏ ଲେଖି ଦେଇ ଅଥବା ଏହାକୁ ମଞ୍ଚସ୍ଥ କରାଇ ନୀରବ ହୋଇଯାଇ ନାହାନ୍ତି, ବରଂ ସମଗ୍ର ଜୀବନ ନାଟ୍ୟ ମନସ୍କ ହୋଇ ସେ, ତରୁଣ ଓ ପରବର୍ତ୍ତୀ ନାଟ୍ୟକାରମାନଙ୍କ ମଧ୍ୟରେ ନାଟକର ନିଶା ଭରି ଦେଇଛନ୍ତି, ସେମାନଙ୍କୁ ଦିଶା ଦେଇଛନ୍ତି । ସେମାନଙ୍କ ଆଶାର ପୂର୍ଣ୍ଣତା ପାଇଁ ପ୍ରୋତ୍ସାହିତ କରିଛନ୍ତି । ତାଙ୍କ ପରବର୍ତ୍ତୀ ପିଢ଼ିର ପ୍ରାୟ ପ୍ରତ୍ୟେକ ଓଡ଼ିଆ ନାଟ୍ୟକାର, କୌଣସି ନା କୌଣସି କ୍ଷେତ୍ରରେ କେମିତି ହେଲେ ବି ତାଙ୍କ ସ୍ପର୍ଶରେ ଆସିଥିବେ, ଜ୍ଞାତ ବା ଅଜ୍ଞାତରେ ହେଉ ତାଙ୍କ ନାଟ୍ୟ ପ୍ରତିଭାର ଚୁମ୍ବକୀୟ ଆକର୍ଷଣ ଦ୍ଵାରା ପ୍ରଭାବିତ ହୋଇଥିବେ ।

 

ଉପସଂହାର :

ଜଣେ ପ୍ରତିଭାବନ୍ତ, ପ୍ରଭାବନ୍ତ ଓ ପ୍ରଭାବବନ୍ତ ନାଟ୍ୟକାର, ନାଟ୍ୟପୁରୁଷ, ନାଟ୍ୟାଭିନେତା, ନାଟ୍ୟ ସମାଲୋଚକ, ନାଟ୍ୟାମୋଦୀ ଭାବରେ ନାଟ୍ୟମନସ୍କ ରାମଚନ୍ଦ୍ରଙ୍କ ଜୀବନ ନାଟ୍ୟ ପ୍ରୀତିରେ ଥିଲା ଉଚ୍ଛଳ ଆଉ ଉଜ୍ଜ୍ଵଳ । ତାଙ୍କ ‘ଅଭିମାନ’ର ଯେତେ ‘ଅର୍ଥ, ଅର୍ଥାନ୍ତର’ କରାଗଲେ ବି, ତାହା ତାଙ୍କ ଭଳି ଜଣେ ବିରଳ ପ୍ରତିଭାଙ୍କ ପାଇଁ ଅନୁକୂଳ ହୋଇଯାଇପାରେ । ରାମଚନ୍ଦ୍ର କେବଳ ନାଟ୍ୟକାର ନୁହନ୍ତି, ସେ ଗୋଟାଏ ବିଚକ୍ଷଣ ନାଟ୍ୟଚକ୍ର, ଯାହାର ଘୂର୍ଣ୍ଣନରେ ଓଡ଼ିଆ ନାଟ୍ୟଧାରା ଋଦ୍ଧିମନ୍ତ । ସେ ଗୋଟାଏ ସ୍ଵତନ୍ତ୍ର ନାଟ୍ୟ ଆନ୍ଦୋଳନ ଓଡ଼ିଶାର ଅର୍ଦ୍ଧଶତକର ନାଟ୍ୟ ପରମ୍ପରା ସହିତ ଏଇ ନାଟ୍ୟପୁରୁଷଙ୍କ ସଂପୃକ୍ତି, ପ୍ରକୃତରେ ଓଡ଼ିଶାର ନାଟ୍ୟଧାରାର ଭିନ୍ନ ଇତିହାସ ହୋଇସାରିଛି ।

 

ପରିଶିଷ୍ଟ- ‘କ’

ନାଟ୍ୟକାର ରାମଚନ୍ଦ୍ର : ସଂକ୍ଷିପ୍ତ ଜୀବନ ପଞ୍ଜି

 

୧୯୨୦-୧୨

ଅକ୍ଟୋବର -କୁଆଁରବ

୧୯୩୪-୩୫

ବାଣପୁର ହାଇସ୍କୁଲରେ ଅଧ୍ୟୟନ

୧୯୩୬-

‘ବନଫୁଲ’ରେ ‘ଫେରିବି କି କବିତା’ ପ୍ରକାଶିତ, କେନ୍ଦୁଝରରେ ଓଡ଼ିଆ ସାହିତ୍ୟ ସମ୍ମିଳନୀରେ ସଂପୃକ୍ତ କବିତାଟି ଗୋଦାବରୀଶଙ୍କ ଦ୍ଵାରା ପଠନ ।

୧୯୩୭-

କଟକ ମିଶନ୍ ସ୍କୁଲରେ ଅଧ୍ୟୟନ, “To The Cuckoo”ରେ ଇଂରାଜୀ କବିତା ପ୍ରକାଶ

୧୯୩୯-

ମାଟ୍ରିକ୍ ପାଶ୍, ରେଭେନ୍ସା କଲେଜରେ ଅଧ୍ୟୟନ, ‘ରଶ୍ମି’ ପତ୍ରିକାରେ ‘ଅକୁହା କଥା’ ଗଳ୍ପ ପ୍ରକାଶିତ ।

୧୯୪୦-

ସଚ୍ଚିଦାନନ୍ଦ ରାଉତରାୟ, ସୁରେନ୍ଦ୍ର ମହାନ୍ତି ଏବଂ ଅନନ୍ତ ପଟ୍ଟନାୟକ ପ୍ରମୁଖ ସାରସ୍ଵତ ସ୍ରଷ୍ଟାମାନଙ୍କ ସହିତ ସାହିତ୍ୟିକ ସମ୍ବନ୍ଧ ।

୧୯୪୦-୪୧

ମାନସିଂହଙ୍କ ସଂପାଦିତ ‘ଆରତୀ’ ପତ୍ରିକାରେ ‘ସୀତା ଦେବୀ’ ଛଦ୍ମ ନାମରେ ‘ଫୁଲ’ ଓ ‘ପୂର୍ଣ୍ଣାହୁତି’ ପ୍ରକାଶ, ‘ସହକାର’ରେ ‘ଛାଇ’ ଗଳ୍ପ ପ୍ରକାଶ । ଆଇ.ଏ.ଶ୍ରେଣୀରେ ଅଧ୍ୟୟନ ଓ ନାଟକ ରଚନା ଆରମ୍ଭ –ପ୍ରଖ୍ୟାତ ନାଟ୍ୟକାର କାଳୀଚରଣ ପଟ୍ଟନାୟକଙ୍କ ନାଟକ ଦେଖା ଓ ଏହାଦ୍ଵାରା ପ୍ରଭାବିତ, କାଳୀଚରଣଙ୍କ ‘ଗାର୍ଲ ସ୍କୁଲ’ର ସମାଲୋଚନା ଲେଖା ।

୧୯୪୨-

ପ୍ରଥମ ନାଟକ ‘ଅଭିମାନ’ ରଚନା

୧୯୪୩-

‘ଭାରତୀ ଥିଏଟର୍ସ’ରେ ପ୍ରଥମ ନାଟକ ‘ଅଭିମାନ’ ମଞ୍ଚାୟନ ।

୧୯୪୩-୪୪-

ରେଭେନ୍ସା କଲେଜ ଛାଡ଼ି, ମଧୁସୂଦନ ଆଇନ କଲେଜରେ ଆଇନ ଶିକ୍ଷା ଗ୍ରହଣ

୧୯୪୬-

ବି.ଏଲ୍.ପରୀକ୍ଷା ଓ ବିବାହ । ଖଣ୍ଡପଡ଼ାରେ ଡେପୁଟୀ କଲେକ୍ଟର ରୂପେ ବୃତ୍ତି ଜୀବନ ଆରମ୍ଭ ।

୧୯୫୦-

ବାଲେଶ୍ଵର ସ୍ଥାନାନ୍ତର ଅକ୍ଟୋବର ପହିଲାରେ ଚାକିରୀରୁ ସ୍ଵେଚ୍ଛାକୃତ ଇସ୍ତଫା ।

୧୯୫୧-

‘ବିବାହିତା’ ଉପନ୍ୟାସ ରଚନା ।

୧୯୫୨-

‘ଘର ସଂସାର’ ନାଟକ ପାଇଁ ଦିଲ୍ଲୀରେ ପି.ଇ.ଏନ୍ ଦ୍ଵାରା ସମ୍ମାନିତ ।

୧୯୫୩-

ରାଜନୀତିକ ଜୀବନରେ ସଫଳତା

୧୯୬୨-

ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ଅଧ୍ୟକ୍ଷ ।

୧୯୭୩-

ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଦ୍ଵାରା ପୁରସ୍କୃତ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ବହୁ ଉନ୍ନୟନମୂଳକ କାର୍ଯ୍ୟ ସାଧନ ।

୧୯୭୪-

ବିଧାୟକ ପଦ ପାଇଁ ନିର୍ବାଚନରେ ପ୍ରାର୍ଥୀ, ମାତ୍ର ୧୪ ଟି ଭୋଟରେ ପରାଜୟ, ଏକାମ୍ର ଥିଏଟର୍ସ ଦ୍ଵାରା ସମ୍ମାନିତ, Music Circle, ରାଉଲକେଲା ଦ୍ଵାରା ସମ୍ମାନିତ ।

୧୯୭୫-

ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ଦ୍ଵାରା ‘ଘରସଂସାର’ର କାହାଣୀ ପାଇଁ ପୁରସ୍କାର

୧୯୮୦-

ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ଶ୍ରେଷ୍ଠ ନାଟ୍ୟକାର ସମ୍ମାନ,ଉତ୍କଳ ପାଠକ ସଂସଦ ପୁରସ୍କାର ।

୧୯୮୫-

ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ‘ନାଟକ ରୀତିମତ’ ପାଇଁ ପୁରସ୍କୃତ ।

୧୯୮୮-

କଲଚରାଲ୍ ଏକାଡେମୀ ରାଉଲକେଲା ଦ୍ଵାରା ସମ୍ମାନିତ ।

୧୯୯୨-୨୬ ଜୁନ୍-

ରାମ ନାମ ସତ୍ୟ ହେ ।

 

 

ପରିଶିଷ୍ଟ-ଖ

ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ନାଟକ ଓ ଛୋଟନାଟକଗୁଡ଼ିକର ବିବରଣ

 

କ୍ରମିକ

ନାଟକ/ଛୋଟ ନାଟକର ନାମ

ସୃଜନକାଳ

ମଞ୍ଚାୟନ ସମୟ

ନାଟ୍ୟମଞ୍ଚ

୧.

ଅଭିମାନ

୧୯୪୨

୧୯୪୩

ଭାରତୀ ଥିଏଟର୍, କଟକ

୨.

ମ୍ୟାନେଜର

୧୯୪୩.

୧୯୪୫

ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ୍

୩.

ମୂଲିଆ-୨୭-୫-୫୯-ବେତାର

୧୯୪୫

୧୯୪୫

ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ୍

୪.

କବିସୂର୍ଯ୍ୟ-୩-୨-୬୮ ବେତାର

୧୯୪୬.

୧୯୪୭.

ଅନ୍ନପୂର୍ଣ୍ଣା ‘ଏ’ ଗ୍ରୁପ୍

୫.

ଘର ସଂସାର-

୨୪-୯-୬୨ ବେତାର.

୧୯୫୦.

୧୯୫୦.

ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ୍

୬.

ମଉଡ଼ମଣି

୧୯୫୨

୧୯୫୨.

ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ୍

୭.

ସାଇପଡ଼ିଶା

୧୯୫୩

୧୯୫୩.

ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ୍

ନାଟକ ରୀତିମତ

୧୯୫୩

୧୯୫୩

ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ୍ ନାଟ୍ୟସଂସ୍ଥା, କଟକ ।

ଭାଇଭାଉଜ

-୧୪-୧୨-୭୨ ବେତାର

୧୯୫୩

୧୯୫୪

ଅନ୍ନପୂର୍ଣ୍ଣା ବି ଗ୍ରୁପ୍

୧୦

ଗୋଧୂଳି ଲଗ୍ନ (ଅସ୍ତରାଗ)

୧୯୫୪

୧୯୫୪

ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ୍ ନାଟ୍ୟସଂସ୍ଥା, କଟକ ।

୧୧

ସେବିକା

୧୯୫୫

୧୯୫୫

ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ୍

୧୨

ମମତା

୧୯୫୫

୧୯୫୫

ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ୍

୧୩

ଚାବୁକ

୧୯୫୭

୧୯୫୮

ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ୍

୧୪

ପ୍ରତୀକ୍ଷା

୧୯୫୮

୧୯୫୯

୨୬-୯-୬୯

ଆକାଶବାଣୀ, କଟକ ।

୧୫

ପ୍ରବାସୀ

୧୯୫୯

୧୯୬୩

୧୬-୧୧-୬୩

ଆକାଶବାଣୀ, କଟକ ।

୧୬

ପଡ଼ୋଶୀ

୧୯୬୦

୧୯୬୦

୨୯-୨-୬୦

ଆକାଶବାଣୀ, କଟକ ।

୧୭

ପୁଆଣିଘର

୧୯୬୨

୧୯୬୨

ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ୍

୧୮

ପରପୁରୁଷ

୧୯୬୮

୧୯୬୮

ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ୍

୧୯

ନରୋତ୍ତମ ଦାସ କହେ

୧୯୬୯

୧୯୬୯

ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ୍

୨୦

ଆବିଷ୍କାର

୧୯୭୦

୧୯୭୦

୧୫-୮-୭୦

ଆକାଶବାଣୀ, କଟକ

୨୧

କିସ ପୁଣି ଦେଖା ନଯାଏ

୧୯୭୨

୧୯୭୨

ଅନ୍ନପୂର୍ଣ୍ଣା ‘ଏ’ ଗ୍ରୁପ୍

୨୨

ମୃତ ଆସାମୀ

୧୯୮୧

୧୯୮୧

ଅନ୍ନପୂର୍ଣ୍ଣା ‘ଏ’ ଗ୍ରୁପ୍

୨୩

ରଜତ ଜୟନ୍ତୀ

୧୯୮୫

୧୯୮୫

ଅନ୍ନପୂର୍ଣ୍ଣା ‘ଏ’ ଗ୍ରୁପ୍

୨୪

ଆଶା ନିରାଶା

୧୯୯୧

୧୯୯୧

ଅନ୍ନପୂର୍ଣ୍ଣା ‘ଏ’ ଗ୍ରୁପ୍

୨୫

ମନ୍ତ୍ରୀ ଆସିବେ

୧୯୯୧

୧୯୯୧

ଅନ୍ନପୂର୍ଣ୍ଣା ‘ଏ’ ଗ୍ରୁପ୍

୨୬

ଭୋଟ ସଂସାର

୧୯୯୧

୧୯୯୧

ଅନ୍ନପୂର୍ଣ୍ଣା ‘ଏ’ ଗ୍ରୁପ୍

୨୭

ଅର୍ଥ ଅନର୍ଥ.

୧୯୯୨

୧୯୯୨

ଅନ୍ନପୂର୍ଣ୍ଣା ‘ଏ’ ଗ୍ରୁପ୍

୨୮

ପାଞ୍ଚ ଏକର ଜମି (ଅସଂପୂର୍ଣ୍ଣ)

୧୯୯୨

 

 

୨୯

କଳାପାହାଡ଼ (ଅସଂପୂର୍ଣ୍ଣ)

୧୯୫୧ ପ୍ରକାଶ

 

 

୩୦

ବିବାହିତା (ଉପନ୍ୟାସ)

 

 

ରାଧାମୋହନ ପୁସ୍ତକାଳୟ ବଙ୍କା ବଜାର, କଟକ

୩୧

ସେଇ ଲକ୍ଷ୍ମୀପୁର (ଉପନ୍ୟାସ)

୧୯୯୩ ପ୍ରକାଶ

 

ଆର୍ଯ୍ୟ ପ୍ରକାଶନ, ଲିଙ୍କ୍ ରୋଡ୍, କଟକ

୩୨

ଲୋକନାଟକ ଆଲୋଚନା

୧୯୯୮ ପ୍ରକାଶ

 

ଓଡ଼ିଶା ବୁକ୍ ଷ୍ଟୋର୍,ବାଲୁ ବଜାର, କଟକ

 

***